ପ୍ରାଚୀନ ଓଡ଼ିଆ କବିତା/କେବଣ ମୁନିକୁମର

ପ୍ରାଚୀନ ଓଡ଼ିଆ କବିତା  (୧୫ଶ ଶତାବ୍ଦୀ)  ଲେଖକ/କବି: କପିଳେନ୍ଦ୍ର ଦେବ
କେବଣ ମୁନିକୁମର
ସଂସ୍କୃତ 'ପର୍ଶୁରାମ ବ୍ୟାୟୋଗ' ନାଟକରୁ ଗୃହୀତ । ବ୍ୟାୟୋଗ ଏକ ପ୍ରକାର ନାଟକ ।[୧]ଦାକ୍ଷିଣାତ୍ୟର ଦେବରକୋଣ୍ଡାଠାରେ ବାହମନୀର ସୁଲତାନଙ୍କୁ ଖ୍ରୀଷ୍ଟାବ୍ଦ ୧୪୫୮ରେ ଗଜପତି କପିଳେନ୍ଦ୍ର ଦେବ ପରାସ୍ତ କରିଥିଲେ । ଏହି ଘଟଣାକୁ ଅବଲମ୍ବନ କରି ସ୍ମାରକ ସ୍ୱରୂପ ଏହି ନାଟକ ରଚନା କରିଥିଲେ । ସେ ସମୟରେ ତାଙ୍କ ଭଳି ବିସ୍ତୃତ ସାମ୍ରାଜ୍ୟ କାହାରି ନଥିଲା, ଏଣୁ ସେ ଏ ଯୁଗର ପର୍ଶୁରାମ ଭାବେ ନାଟକରେ ଦର୍ଶାଯାଇଛନ୍ତି । ଏହି ସଂସ୍କୃତ ନାଟକରେ ପଦଟିଏ ଓଡ଼ିଆରେ ଅଛି ଯାହା ତଳେ ଦିଆଯାଇଛି । ଏହି ନାଟକଟି ପୁରୀ ଜଗନ୍ନାଥ ମନ୍ଦିର ଭିତରେ ନୀଳାଦ୍ରି ମହୋତ୍ସବ ସମୟରେ ଗଜପତିଙ୍କ ଉପସ୍ଥିତିରେ ଅଭିନୀତ ହୋଇଥିଲା ।[୨]

'କେବଣ ମୁନିକୁମର'

କପିଳେନ୍ଦ୍ର ଦେବ

କେବଣ ମୁନିକୁମର ପରଶୁ ଦକ୍ଷିଣ କର
ବାମେଣ ଶୋହେ ଧନୁଶର ନା ।
କୋପେଣ ବୋଲାଇ ବୀର ତ ତୁ ସେ ମୋ ବଧିଲୁ ତାତ
ଆଜ ତୋର ଛେଦିବଇ ମାଥ ନା ।
ଶୁଣ ରାଜନ ହୋ, କିଏ ତୋର ରାଜ୍ୟେ ବ୍ରହ୍ମ ବଧେ ନା ।
ଏ ତୋର ଚନ୍ଦ୍ରବଦନ ମେଘେ କି ଢାଙ୍କିଲା ଜହ୍ନ
ତାହା ଦେଖି ବିକଳ ମୋ ମନ ନା ।
ଆବର ଦେଖଇ ଅରଷ୍ଟି ରାଜ୍ୟେ ତୋ ରୁଧିର ବୃଷ୍ଟି
ପୁର ବେଢ଼ି ରୋଦନ୍ତି ଶୃଗାଳ ନା ।

('ପର୍ଶୁରାମ ବ୍ୟାୟୋଗ' ସଂସ୍କୃତ ନାଟକରୁ ଗୃହୀତ)

ଆଧାର ସମ୍ପାଦନା

  1. The March of India, Volume 9. Publications Division, Ministry of Information and Broadcasting, 1957.
  2. ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ । ଗ୍ରନ୍ଥ ମନ୍ଦିର, କଟକ, ବ୍ରହ୍ମପୁର । ଏପ୍ରିଲ ୧୯୬୮, ଦ୍ୱିତୀୟ ମୁଦ୍ରଣ ।