ଏହି ନାମ ଥିବା ଅନ୍ୟ ରଚନାଗୁଡ଼ିକ ପାଇଁ ବନ୍ଦେ ଉତ୍କଳ ଜନନୀ (ଲକ୍ଷ୍ମୀକାନ୍ତ ମହାପାତ୍ର) ଆଉ ବନ୍ଦେ ଉତ୍କଳ ଜନନୀ ଦେଖନ୍ତୁ ।
ବନ୍ଦେ ଉତ୍କଳ ଜନନୀ
ଲେଖକ/କବି: ଲକ୍ଷ୍ମୀକାନ୍ତ ମହାପାତ୍ର

ବନ୍ଦେ ଉତ୍କଳ ଜନନୀ
ଚାରୁ ହାସମୟୀ ଚାରୁ ଭାଷମୟୀ,
ଜନନୀ, ଜନନୀ, ଜନନୀ
ବନ୍ଦେ ଉତ୍କଳ ଜନନୀ ।

ପୂତ-ପୟୋଧି-ବିଧୌତ-ଶରୀର,
ତାଳତମାଳ-ସୁଶୋଭିତ-ତୀର,
ଶୁଭ୍ରତଟିନୀକୂଳ-ଶୀକର-ସମୀର,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ।

ଘନ ଘନ ବନଭୂମି ରାଜିତଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,
କଳ କଳ ମୁଖରିତ ଚାରୁ ବିହଙ୍ଗେ,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ।

ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ର,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ର,
ଯୋଗୀ ଋଷିଗଣ-ଊଟଜ-ପବିତ୍ର,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ।

ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,
ଚାରୁକଳାବଳି-ଶୋଭିତ-ବେଶା,
ପୁଣ୍ୟ ତୀର୍ଥଚୟା-ପୂର୍ଣ୍ଣ-ପ୍ରଦେଶା
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ।

ଉତ୍କଳ ସୁରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ।

କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,
ଭୁବନ ବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିର ଶରଣ୍ୟେ,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ।|