ମୁଖ୍ୟ ସୂଚୀ ଦେଖିବେ

ଉଇକିପାଠାଗାର β

ବାରମାସୀ କୋଇଲି

ବାରମାସୀ କୋଇଲି
ଲେଖକ/କବି: ଶଙ୍କର ଦାସ

ବାରମାସୀ କୋଇଲି

ଶଙ୍କର ଦାସ

ଆରେ ବାବୁ ଚାପଧାରୀ ! କି ଦଣ୍ତ ହେଲା ତୋହରି ।
କାନ୍ଦି କଉଶଲ୍ୟା ବୋଲନ୍ତି କୈକେୟୀ ଅରଜିବ କେଉଁଶିରୀ ଲୋ ।
କୋଇଲି ଶୁଣ ଲୋ ।

ଏହି ମଗୁଶିର ମାସ । କାକର ପଡ଼େ ବିଶେଷ ।
ଶୀତଳପବନ ବ‌ହେ ଘ‌‌ନ‌ଘନ ମୋ ପୁତ୍ର କରିବ କିସ ଲୋ ।
କୋଇଲି ଶୁଣ ଲୋ ।

ପୁଷମାସେ ବଡ଼ ଶୀତ । କଷ୍ଟ ଦିଏ ଅପ୍ରମିତ ।
ବିନା ବସନରେ ବୃକ୍ଷବକଳରେ କି ଦୁଃଖ ନ ହେବ ଜାତ ଲୋ ।
କୋଇଲି ଶୁଣ ଲୋ ।

ମାଘରେ ତ‌ହୁଁ ଅଧିକ । ଗରିବ ଦୁଃଖ ଦାୟକ ।
ଅମୂଲ୍ୟ ସୁପାତି ତେଜି ରଘୁପତି ବୁଲଇ କାନନ‌ଯାକ ଲୋ ।
କୋଇଲି ଶୁଣ ଲୋ ।

ଫଗୁଣେ ଫଗୁ ଖେଳରେ । ମାତିଛନ୍ତି ଘରେ ଘରେ ।
ମୋ ଅନ୍ଧୁଣୀଧନ ମୋଠୁଁ ହୋଇ ଭିନ୍ନ ଭସାଇଲା ଶୋକନୀରେ ଲୋ ।
କୋଇଲି ଶୁଣ ଲୋ ।

ଚଇତ୍ରମାସର ଖରା । ନୀରସ କରଇ ଧରା ।
ଶରୀରରୁ ଝାଳ ବ‌ହେ ଅନର୍ଗଳ ପରାଣ ହୋଏ ଘାବରା ଲୋ ।
କୋଇଲି ଶୁଣ ଲୋ ।

ବଇଶାଖ ଖରା ଚାହିଁ । ବାହାରକୁ ନୋହେ ଯାଇ ।
କେଉଁ ବୃକ୍ଷମୂଳେ ଜୀବନବିକଳେ ଥିବ ମୋର ପୁତ୍ର ରହି ଲୋ ।
କୋଇଲି ଶୁଣ ଲୋ ।

ଜ୍ୟେଷ୍ଠେ ମୋ ଜ୍ୟେଷ୍ଠନନ୍ଦନ । ଜାନ‌କୀ ସ‌ହ ଲକ୍ଷ୍ମଣ ।
ନାନା ପକ୍ୱଫଳ ଖୋଜି ବୁଲୁଥିବେ ବିଧିର ଏ ବିଡ଼ମ୍ୱନ ଲୋ ।
କୋଇଲି ଶୁଣ ଲୋ ।

ଆଷାଢ଼ମାସରେ ମେଘ । ଗ‌ରଜଇ ଯେହ୍ନେ ବାଘ ।
ବେଳେ ବେଳେ ଦିଶ ହୁଅଇ ଅଦୃଶ୍ୟ ଘୋଟିଯାଏ ଚଉଦିଗ ଲୋ ।
କୋଇଲି ଶୁଣ ଲୋ ।

ଦେଖ ଧାରା ଶିରାବଣ । ଜଳ ପଡ଼େ ଅନୁକ୍ଷଣ ।
ଘର ଘାଟ ନାହିଁ ମୋ ଦୁଃଖିସଂଖାଳି କିରୂପେ କାଟିବ ଦିନ ଲୋ ।
କୋଇଲି ଶୁଣ ଲୋ ।

ଭାଦ୍ରବ ହେଲେ ପ୍ରବେଶ । ସୁନିର୍ମଳ ଦଶଦିଶ ।
ଅତିସୁକୁମାରୀ ଜନ‌କ‌କୁମାରୀ ମନେ ଭାଳୁଥିବ କିସ ଲୋ ।
କୋଇଲି ଶୁଣ ଲୋ ।

ଆଶ୍ୱିନେ ଚନ୍ଦ୍ରକିରଣ । କରଇ ମନ ହରଣ ।
କେତେମତେ କେତେ ଉତ୍ସବ କରନ୍ତେ ଘରେ ଥିଲେ ରଘୁରାଣ ଲୋ ।
କୋଇଲି ଶୁଣ ଲୋ ।

ଏ ମହାକାର୍ତ୍ତିକମାସ । ଭଣିଲେ ଶଙ୍କର ଦାସ ।
ସୀତା ସଙ୍ଗେ ଘେନି ରଘୁକୁଳମଣି ଭୋଗକଲେ ବାରମାସ ଲୋ ।
କୋଇଲି ଶୁଣ ଲୋ ।