ମୁଖ୍ୟ ସୂଚୀ ଦେଖିବେ

ବାଲି ତୃତୀୟା ବା ତୀଜ ବ୍ରତ କଥା

ବାଲି ତୃତୀୟା ବା ତୀଜ ବ୍ରତ
ଲେଖକ/କବି: ସନ୍ତୋଷ ପ୍ରକାଶନୀ

ବାଲି ତୃତୀୟା ବା ତୀଜ ବ୍ରତ

ଜଳାଶୟରୁ ଆର୍ଦ୍ର ବାଲୁକା ଆଣି ତ‌ହିଁରେ ଶକ୍ତି ସ‌ହିତ ଶିବଲିଙ୍ଗ ପ୍ରସ୍ତୁତ କରି ସଂକ‌ଳ୍ପ କରିବ, ଯଥା - ଦେଶକାଳ ବାକ୍ୟାନନ୍ତରଂ ମମ ଇହଜନ୍ମାନି ବାଞ୍ଛିତୀର୍ଥ ଫଳପ୍ରାପ୍ତି ପୂର୍ବକଂ ଶିବଲୋକ ପାପ୍ତ୍ୟର୍ଥଂ ଉମାମହେଶ୍ୱର ପୂଜାକର୍ମ ପୂର୍ବକଂ ତୀଜ ବ୍ରତକଥା ଶ୍ରବଣୀ ମହଂ କୁର୍ବୟ ତ‌ତଃ ଆଚାର୍ଯ୍ୟବରଣଂ ।

ପୂଜାମନ୍ତ୍ରୋ ଯଥା - ଶିବୟୈ ସର୍ବମାଙ୍ଗଲ୍ୟୈ ଶିବାୟ ସତ‌ତଂ ନମଃ । ଶିବେସର୍ବପ୍ରଦାତ୍ରି ତ୍ୱଂ ଶିବରୂପେ ନମୋନମଃ । ଇତି ମନ୍ତ୍ରେଣ ପଞ୍ଚୋପଚାରୈଃ ପୂଜ‌ୟେତ୍ । ପାପୋହଂ । ପାପକର୍ମାହଂ । ଇତି । ନମସ୍କାରଃ ।

ଉମାମହେଶ୍ୱରାଭ୍ୟାଂ ନମଃ

'ମନ୍ଦାରମାଳା ପରିଶୋଭିତାୟୈ, କପାଳମାଳାଙ୍କିତ ଶିଖରାୟ ।

ଦିବ୍ୟାମ୍ବରାୟୈ ଚ ଦିଗାମ୍ବରାୟ ନମଃ, ଶିବାୟୈ ଚ ନମଃ ଶିବାୟ ।' ଏହା ବୋଲି ପୁଷ୍ପାଞ୍ଜଳି ଦେବ ।

ଚରିତ୍ର

ମନ୍ଦାରମାଳା ଶୋଭିତ କେଶପାଶ ଯାର । କପାଳମାଳା ଶୋଭିତ ଜଟିଳ ଶେଖର । ଦିବ୍ୟମ୍ବର ଶୋଭିତ ଦିଗମ୍ୱରେ ପରସ୍ପର । ନତ ଶିରେ ପ୍ରଣମଇ ଉମା ମହେଶ୍ୱର । କୈଳାସର ରମ୍ୟ ଶୃଙ୍ଗେ ହରଷେ ଗଉରୀ । ପଚାରନ୍ତି ଗୁପ୍ତପୁଣ୍ୟ କ‌ହ ତ୍ରିପୁରାରୀ । ହେ ନାଥ ପ୍ରସନ୍ନ ଯେବେ ସତ୍ୟ ମୋତେ କ‌ହ । ଶୁଣି ଦୂର ହେଉ ମୋର ମନରୁ ସନ୍ଦେହ । ପୂର୍ବଜନ୍ମେ ଦାନ କିବା ତପ କରିଥିଲେ । ବଜର୍ତ୍ତା ରୂପେ ଆପଣଙ୍କୁ ଏ ଜନ୍ମେ ପାଇଲି । ଈଶ୍ୱର କ‌ହନ୍ତି ପ୍ରିୟେ ଶୁଣଦେଇ ମନ । କ‌ହୁଛି ଉତ୍ତମ ବ୍ରତ ମୋର ଗୁ୍ପ୍ତଧନ । ନକ୍ଷତ୍ର ଗଣରେ ଚନ୍ଦ୍ର ଉତ୍କଷ୍ଟ ଯେସନ । ଗ୍ରହଗଣେ ରବି ବର୍ଣ୍ଣମାନଙ୍କ ବ୍ରାହ୍ମଣ । ଦେବମାନଙ୍କ ମଧ୍ୟେ ବିଷ୍ଣୁ ଯଥା ହେଜ । ନ‌ଦୀରେ ଗଙ୍ଗା ପୁରାଣେ ଭାରତ ସ‌ହଜ । ଚାରିବେଦେ ସାମ ଯଥା ଇନ୍ଦ୍ରିୟରେ ମନ । ଉତ୍କଷ୍ଟ ବୋଲି ଶାସ୍ତ୍ରରେ ଅଛି ନିଉଊପଣ । ପୁରାତନ ଧର୍ମସାର ଆଗମେ କଥିତ । ସର୍ବଶ୍ରେଷ୍ଠ ବୋଲି ଖ୍ୟାତ କଥା ଏହି ବ୍ରତ । ଏହି ଶୁଭବ୍ରତ ପ୍ରିୟେ ଏକମନେ ଶୁଣି । ଯାହାର ପ୍ରଭାବେ ଟଳିଗଲା ମୋ ଆସନ । ପୂର୍ବକାଳେ ହିମାଳୟେ ଦେଖିଅଛି ଯାହା । ବିସ୍ତାରି କ‌ହିବି ତୁମ୍ଭ ଆଗେ ଏବେ ତାହା । ଭାଦ୍ରବ ମାସର ଶୁକ୍ଳପକ୍ଷ ତୃତୀୟାରେ । କରିବ ଏ ବ୍ରତ ଯୁକ୍ତ ହସ୍ତା ନକ୍ଷତ୍ରରେ । ଅନୁଷ୍ଠାନ ମାତ୍ରେ ବ୍ରତ ସର୍ବ ପାପ ମୁକ୍ତ । କରିଥିଲେ ଅଜ୍ଞାତରେ ବାଲ୍ୟେ ଏହି ବ୍ରତ । ସେ ସବୁ ତୁମ୍ଭ ଆଗରେ କ‌ହିବି ଗୋ ପ୍ରିୟେ । ନିଜେ ଯାହା ଦେଖିଅଛି ପୂର୍ବେ ହିମାଳୟେ । ଶୁଣି ପାର୍ବତୀ ବୋଲନ୍ତି ଆହେ ପ୍ରାଣନାଥ । କିପରି ମୁଁ କରିଥିଲି ପୂର୍ବେ ଏହି ବ୍ରତ । ଶୁଣିବାକୁ ଇଛା ମୋର ହୁଏ ପ୍ରାଣେଶ୍ୱର । ବୁଝାଇ କ‌ହହେ ତୁଟୁ ସନ୍ଦେହ ମନର । ଈଶ୍ୱର କ‌ହନ୍ତି ଦେବୀ ଶୁଣଦେଇ ମନ । ଥିଲା ପର୍ବତ ଉତ୍ତମ ନାମ ହିମ‌ବାନ । ସିଂହ ବ୍ୟାଘ୍ର ଗଜ‌ଯୁଥ ଯହିଁ ବିହରନ୍ତି । ବୃକ୍ଷଲତାରେ ମଣ୍ତିତ ବ‌ହୁ ମୃଗପନ୍ତି । ନାନା ବର୍ଣ୍ଣେ ବ‌ହୁ ଶୃଙ୍ଗେ ବିଚିତ୍ର ମୁରତି । ମଧୁର ରବେ ବୋଲନ୍ତି ଯହିଁ ପକ୍ଷୀପନ୍ତି । ଦେବତା ଗନ୍ଧର୍ବ ସିଦ୍ଧ ଚାରଣ ଗୁହ୍ୟେକେ । ମହାନନ୍ଦେ ବିହରନ୍ତି ଗନ୍ଧର୍ବ ଗାୟକେ । ସ୍ଫଟିକ କାଞ୍ଚନ ବଇଡ଼ୁର୍ଯ୍ୟ ମଣିମୟ । ଶୃଙ୍ଗେ ଶୋଭିତ ଆକାଶ ବ୍ୟାପି ବୃକ୍ଷଚ୍ୟ । ଯହିଁଦେଖ ହିମାଚଳ ତୁଷାରେ ପୂରିତ । ଗଙ୍ଗାଜଳ ପ୍ରବାହେ ଯେ ହୋଇଛି ଚିତ୍ରିତ । ରତ ସଦା ସୁରନାରୀ ନୃତ୍ୟ ସଙ୍ଗୀତରେ । ବାଲ୍ୟେ ଆରମ୍ଭିଲେ ବ୍ରତ ସେହି ପର୍ବତରେ । ଅଧୋମୂଖେ ବାରବର୍ଷ ଗଲା ଧୂମ୍ରପାନେ । ଚଉଷଠି ବର୍ଷ ପକ୍ୱ ପତ୍ରର ଆସନେ । କଠୋର ନିୟମେ କଷ୍ଟ ଦେଖି ତବ ତାତ । ମନେ ମନେ ଚିନ୍ତାକରି ହୋଇଲେ ଦୁଃଖିତ । କାହାକୁ ଏ କନ୍ୟା ଦେବି ଚିନ୍ତାକଲେ ବସି । ଆସି ଉପସ୍ଥିତ ହେଲେ ନାରଦ ମହର୍ଷି । ଅର୍ଘ୍ୟାଦି ଦେଇଣ ତାଙ୍କୁ ପୂଜି ହିମାଳୟା ଭକ୍ତିଭରେ ପଚାରିଲେ ପ୍ରକାଶ ବିନୟ । କାହିଁକି ଆସିଲ କ‌ହହେ ମୁନି ପୁଙ୍ଗବ ।ଭାଗ୍ୟବଶେ ବଜିଅଛି ମଦୀୟ ଗୌରବ । ଭାଷିଲେ ନାରଦ ଶୁଣ ନରକୁଳ ସାଇଁ । ପଠାଇଲେ ବିଷ୍ଣୁ ମୋତେ ତବ କନ୍ୟା ପାଇଁ ।କନ୍ୟାଦାଙ୍କର ଯୋଗ୍ୟପାତ୍ର ବାସୁଦେବ । ତାଙ୍କସମ ନାହିଁ ଶିବ ବ୍ରହ୍ମା ଆଦି ଦେବ । ଅନୁରୂପ ବରେ ହେଉ କନ୍ୟାରତ୍ନ ଦାନ । ମୋ ମତରେ ଏଥି ନାହିଁ ଚିନ୍ତାର କାରଣ । ହିମାଳୟ କ‌ହନ୍ତି ହେ ଦେବ‌ଋଷି ବର । ଯେବେ ପ୍ରାର୍ଥୀହେଲେ ବିଷ୍ଣୁ ସମ୍ମତି ଆମ୍ଭର । କନ୍ୟାଦେବି ସତ୍ୟକଲି ନୋହିବ ଯେ ଆନ । ଯହିଁରେ ମଧ୍ୟସ୍ଥ ହୋଇ ଆସିଛ ଆପଣ । ଶୁଣିହର୍ଷେ ମୁନି ବିଷ୍ଣୁ ନିକେତନ ଗଲେ । ନତ ଶିରେ ଶଙ୍ଖଚକ୍ର ଧରି ପ୍ରଣମିଲେ । କର‌ଯୋଡ଼ି ନିବେଦନ କଲେ ଋଷିବର । ବିବାହର ଆୟୋଜନ କର ଦାମୋଦର । ଯୋଗୀନ୍ଦ୍ର ନାରଦ ଏହା କରି ନିବେଦନ । ପ୍ରଣମି ପ୍ରୟାଣ କଲେ ସ୍ୱକୀୟ ଭବନ। ବିସର୍ଜି ନାରଦେ ତବପିତା ହିମ‌ବାନ । ପ୍ରକାଶି କ‌ହିଲେ ଯାଇ ତୋର ସନ୍ନିଧାନ । ଗରୁଡ଼ଧ୍ୱଜେ ତୁମ୍ଭଙ୍କୁ ମୁଁ କରିବି ଦାନାବସେ ଅଙ୍ଗିକାର କଲି ନୋହିବ ଯେ ଆନ । ମାତ ଜନ‌କ ସ‌ହିତେ ହେଲେ ଏକ ମତି । ପାର୍ବତୀ ଦୁଃଖିତା ଶୁଣି ଏସନ ଭାର‌ତୀ । ଦୁଃଖଭରେ ସନ୍ତାପରେ ବସିବାର ଦେଖି । ଏକାନ୍ତରେ ବସି ପଚାରିଲେ ପ୍ରିୟସ‌ଖି । କାହିଁକି ଗୋ ମନେଦୁଃଖ କ‌ହ ମୋ ଆଗର । ଉପାୟେ ଭଲ କରିବି ସଂଶୟ ନ‌କର । ପାର୍ବତୀ ବୋଇଲେ ସଖୀଶୁଣ ମୋ ବଚନ । ଶିବଙ୍କୁ ଭର୍ତ୍ତା କରିବି ଥିଲା ମୋର ମନ । ସତ ସ‌ଖୀ ଭାବିଥିଲି ମନେ ଏହିକଥା । ଜାଣିଲି କ‌ହିଲେ ପିତା କରିବେ ଅନ୍ୟଥା । ପିତୃସତ୍ୟ ବାଣୀ ଶୁଣି ନ ଦିଶେ ଉପାୟ । ତେଣୁ ଦେହ ଛାଡ଼ିବାକୁ କଲିଣି ନିଶ୍ଚୟ । ଶୁଣି ପାର୍ବତୀଙ୍କ ବାଣୀ ସଖୀ କ‌ହେ ବୋଧି । ପିତାଙ୍କ ଅଜ୍ଞାତେ ମହାରଣ୍ୟେ ଯିବା ବିଧି । ଶଙ୍କର କ‌ହନ୍ତି ସଖି ଫେରାଇ ତୋ ମତି । ନେଇଗଲା ଘୋର ବନେ ତୁମ୍ଭଙ୍କୁ ସେ ରାତି । ଏ ସମୟେ ପିତା ତୋତେ ନ ଦେଖି ମନ୍ଦିରେ । ଖୋଜିଲେ ନ‌ଗରେ ଯାଇ ପଶି ଘରେ ଘରେ । ନ ଦେଖି ଆତୁର ମ‌ନେ କରି ନାନା ଶଙ୍କା । ସୁର ମାନବ କିନ୍ନରେ କେ ନେଲା କନ୍ୟକା । ମୁନି ଆଗେ ସତ୍ୟକଲି ଦେବି ବାସୁଦେବେ । ମିଥ୍ୟାବାଦୀ ହେଲେ ଲୋକେ ମୋତେ କି ବୋଲିବେ । ଚିନ୍ତାଭରେ ମୂର୍ଚ୍ଛା ହୋଇ ପଡ଼ିଲେ ଭୂତଳେ । ଦେଖି ହାହାକାରେ ଲୋକେ ସେଠାରୁ ଧାଇଁଲେ । ଦୁଃଖଭରେ ଆଗେ ଥାଇ ପଚାରିଲେ ଜନ । ଶୋକେ ମୋହ କାହିଁପାଇଁ କ‌ହ ହେ ରାଜନ । ସନ୍ତାପରେ ହିମାଳୟ କଲେକ ଉତ୍ତର । ଜାଣିଲି କନ୍ୟାରତ୍ନ କେ ନେଲା ମୋହର । ଦଂଶିଲା କି ସର୍ପ ସିଂହ ବ୍ୟାଘ୍ର କି ଖାଇଲା । ଗୁପତେ କନ୍ୟାକୁ କେହି ଦୁଷ୍ଟ ବା ମାଇଲା । କ‌ହୁ କ‌ହୁ ଶୋକଭରେ ପଡ଼ିଲେ ସେ ଢ଼ଳି । ବତାସ ପବନେ ପଥେ ଉପୁଡ଼େ କଦଳୀ । ଦୁର୍ଜନ ଭୟସଙ୍କୁଳ ବନେ ତୁମ୍ଭେ ଗଲ । ସିଂହ ବ୍ୟାଘ୍ର ଶୃଗାଳାଦି ଯହିଁ ପଲପଲ । ଗଜ ମୃଗ ପକ୍ଷୀ ସମାକୁଳ ମହାବ‌ନେ । ସଖୀ ସଙ୍ଗେ ଯାଉ ନ‌ଦୀ ପଡ଼ିଲା ନୟନେ । ନିରାହାରେ ରମ୍ୟତୀରେ ବସି ସେହି ରାତି । ବାଲିରେ ରଚି ପୂଜିଲି ଶଙ୍କର ପାର୍ବତୀ । ଭାଦ୍ରବ ଶୁକ୍ଳ ତୃତୀୟା ହସ୍ତା ନକ୍ଷତ୍ରରେ । ଗୀତ ବାଦ୍ୟ ଉଜାଗର କଲ ଭକ୍ତିଭରେ । ସେହି ବ୍ରତ ପ୍ରଭାବେ ମୋ ଟଳିଲା ଆସନ । ସଖୀ ସଙ୍ଗେ ଥିଲ ଯ‌ହିଁ ଗମିଲି ସେ ସ୍ଥାନ । ପ୍ରସନ୍ନ ହେଲି ଗୋ ତୋରେ ମାଗ ବୋଲି ବର । ଭାଷିଲି ଶୁଣି କ‌ହିଲ ତୁମ୍ଭେ ଯୋଡ଼ି କର । ଭୋ ଦେବ ପ୍ରସନ୍ନ ଯେବେ ହେଇ ହେ ଈଶାନ । କୃପା କରି ମୋର ଭର୍ତ୍ତା ହୁଅନ୍ତୁ ଆପଣ । ତ‌ଥାସ୍ତୁ କ‌ହି ମୁଁ ଦେବି ଗଲି କଇଳାସ । ଏସନେ ସମୟେ ନିଶା ହୋଇଲା ପ୍ରକାଶ । ନ‌ଦୀରେ ବିସର୍ଜି ସବୁ ବ‌ନ‌ଜାତ ଫଳେ । ପାରଣା କରି ପାର୍ବତୀ ଶୋଇଲେ ବିହ୍ୱଳେ । ତେଣେ ହିମାଳୟ ଦୁଃଖେ ନ‌କରି ଭୋଜନ । ଚାରିଦିଗେ ଖୋଜି ବନେ କଲେ ଆମଗନ । ନ‌ଦୀକୂଳେ ଦୁଇକନ୍ୟା ଶୋଇବା ଦେଖିଲେ । ଉଠାଇ କୋଳେ ବସାଇ କାନ୍ଦି ପଚାରିଲେ । କିପାଇଁ ଗୋ ଏବେ ଏଥି କଲ ଆଗମନ । ସିଂହ ବ୍ୟାଘ୍ର ଗର୍ଜେ ଭୟଙ୍କର ଯେଉଁ ବନ । ପାର୍ବତୀ କ‌ହନ୍ତି ତାତ ଶୁଣ ମୋର କଥା । ମୁଁ କରିଥିବା ପ୍ରତିଜ୍ଞା କିମ୍ପା କଲ ମିଥ୍ୟା । ଶିବଙ୍କୁ ବିଭା ହେବାକୁ ଥିଲା ମୋର ମନ । ସତ୍ୟ କଲ ବାସୁଦେବ ଦେବ କନ୍ୟାଦାନ । ତେଣୁ ଜୀବନ ହାରିବି ସତ୍ୟ କରିଥିଲି । ପ୍ରିୟ ସଖୀ ପରାମର୍ଶେ ବନ‌କୁ ଆସିଲି । ହରିଙ୍କି ନ ଦେଇ ଶିବେ ଦେବା ସତ୍ୟ କଲେ । ଆନନ୍ଦେ ଘରକୁ ଯିବି ପାର୍ବତୀ ଭାଷିଲେ । ତ‌ଥା କ‌ହି ପିତା ତୋତେ ଘରେ ନେଇ ଗଲେ । କ୍ରମେ ମୋତେ ବିଭା ଦେଇ ସନ୍ତୋଷ ଲଭିଲେ । ବ୍ରତ ବଲେ ଅର୍ଦ୍ଧାସନ ମୋହର ପାଇଲା । ଅଧିକ କିସ କ‌ହିବି ଏଥି ବ୍ରତ ଭଲା ସେହି ଦିନୁ ଶୁଣ ଦେବୀ ଆଳି ହରିବାରେ । ବ୍ରତ ଖ୍ୟାତ ହେଲା ହରିତାଲିକା ନାମରେ । ପାର୍ବତୀ କ‌ହନ୍ତି ପ୍ରଭୁ କ‌ହିଲେ ଯେ ନାମ । ଗୁଣଫଳ କିବା କ‌ହ ପୂଜାବିଧି କ୍ରମ । କିଏ ଏହା କରିଥିଲା ପୂଜାକଲେ ହର । ଶିବ କ‌ହନ୍ତି ବିଧାନ ଶୁଣ ରାମାବର । ଭାଗ୍ୟକ୍ରମେ ନାରୀମାନେ କରନ୍ତି ଏ ବ୍ରତ । ମଣ୍ତପ କଦଳୀ ସ୍ତମ୍ଭେ କରିଣ ମଣ୍ତିତ । ଚାରି ତୋରଣ ଶୋଭିତ ବିବିଧ ବର୍ଣ୍ଣରେ । ପାଟବସ୍ତ୍ର ଆଚ୍ଛାଦିତ ମଣ୍ତପ ଉପରେ । ସୁଗନ୍ଧ ଚନ୍ଦନ ଲେପେ ମଣ୍ତପ ଲିପାଇ । ଶଙ୍ଖାଦି ମୃଦଙ୍ଗ ବାଦ୍ୟ ସ‌ହ ଗୀତ ଗାଇ । ମଙ୍ଗଳ ସଙ୍ଗୀତ କରି ମଦୀୟ ମନ୍ଦିରେ । ସ୍ଥାପିଣ ଲିଙ୍ଗ ପୂଜିବ ପାର୍ବତୀ ଶଙ୍ଗରେ । ଗନ୍ଧ ପୁଷ୍ପ ଧୂପ ଦୀପ ଫଳ ନିବେଦିବ । ଶୁଦ୍ଧଚିତ୍ତେ ପୂଜାରେ ମନ୍ତ୍ର ଉଚ୍ଚାରିବ । ସର୍ବ ମଙ୍ଗଳା ସ‌ହିତେ ଶିବଙ୍କୁ ପ୍ରଣାମ । ଶିବେ ସର୍ବଦାତ୍ରୀ ଶିବରୂପେ ନମୋ ନମଃ ।ଭବସାଗରେ ପଡ଼ି ମୁଁ କରୁଛି ଦଇନି । ପ୍ରସନ୍ନେ ସୌଭାଗ୍ୟ ଦିଅ ହେ ସିଂହବାହିନୀ । ଭୋ ଦେବୀ ଏମ‌ନ୍ତେ ପୂଜି ଈଶ୍ୱର ପାର୍ବତୀ । ଭକ୍ତିରେ ଶୁଣିବ କଥା ହୋଇ ଏକମତୀ । ପାଠକ ଦ୍ୱିଜକୁ ଦେବ ବ‌ହୁବିଧ ଦାନ । ଧନ ରତ୍ନ‌ଧେନୁ ସୁନା ଆହାର ବାସନ । ସର୍ବ କାମ‌ପ୍ରଦ ବ୍ରତ କରେ ଯେଉଁନାରୀ । ନିଃସନ୍ଦେହେ ସାତଜନ୍ମେ ପାପ‌ହୋଏ ଏ ପାରି । ତୃତୀୟାରେ ଯେଉଁନାରୀ ଆହାର କରଇ । ସାତ ଜନ୍ମ‌ଯାଏ ଦୁଃଖ ବୈଧବ୍ୟ ଲଭଇ । ଦରିଦ୍ର ହତଭାଗିନୀ ଦୁଃଖ ପୁତ୍ର ଶୋକେ । ଉପବାସ ବିନା ନାରୀ ପଡ଼ଇ ନରକେ । ଇହଲୋକେ ଘୋରକଷ୍ଟ ଲଭଇ କାମିନୀ । ନ କର ସନ୍ଦେହ ଏଥି ସେ ମନ୍ଦ ଭାଗିନୀ । ଧେନୁ ମୃତ୍ତିକା ଭାଜନ ସୁନାପାତ୍ର ମାନ । ବିପ୍ରେ ଦେଇ ଅନନ୍ତର କରିବ ପାରଣ । ଏମ‌ନ୍ତ ବିଧାନେ ଯେଉଁନାରୀ କରେ ବ୍ରତ । ଲଭିବ ନିଶ୍ଚେ ସେ ମୋର ସମାନର କାନ୍ତ । ବିନାଶକାଳେ ସେ ନାରୀ ମୋର ରୂପ ପାଇ । ସମାନ ରୂପେ ସାଯୁଜ୍ୟ ମୁକତି ଲଭଇ । ତୀଜବ୍ରତ କଥାଭାଷାଗୀତ ସମାପନ । ସଦାଶିବ ଶ୍ରୀଚରଣେ ହେଉ ସମର୍ପଣ ।

ଇତି ଶ୍ରୀବାଲି ତୃତୀୟା ବା

ତୀଜ ବ୍ରତ କଥା ସଂପୂର୍ଣ୍ଣ ।।