ବ୍ୟବହାରକାରୀ:MKar/ସବୁ ନାରୀ ଟିକେ ଟିକେ ସୀତା
ସବୁ ନାରୀ ଟିକେ ଟିକେ ସୀତା
Crest Uma Shankar Misra, IPS (Retd.) Former Director, Central Bureau of Investigations, New Delhi Former Editor, ‘Suryaprava’, Bhubaneswar & Vice President, Interpol Lyon France
Rabi Babu is gentle, soft-spoken, intelligent and has a keen insight in to men and matters. His writings reflect his personality. As a writer his broad spectrum of thinking has been reflected in the Editorials he wrote for ‘Suryaprava’. A nation or a group or a society can not be judged by the amount of wealth accumulation but on variety of yardsticks linking to its heritage, culture, tradition, value-system, language, literature, history along with political establishment – past and present. Rabi Babu has been writing the editorials on a wholesome basis, not merely factual but a sum total assessment, even astonishingly sometimes with ethics and value system we stand for.
It is often said that a writer is a prisoner of his times and circumstances, but the writings of Rabi Babu can be read and shall remain appropriate in all times – past, present and future. The simplicity and anecdotes add to the flavour and beauty of his texts. Readers can well appreciate when they go through them.
This compilation – ‘Sabu Nari Tike Tike Sita’ – is some of his columns in published in the Suryaprava and editorial writings of the Prava Sarjana – an Odia monthly literary magazine – will be speaking for itself. After all, the aim of a writer or any member of civil society should be for social good, however the bitter the truth may be.
Pray for Rabi Babu so that Lord Jagannath blesses him abundantly and ungrudgingly to live a long and happy life and serve the society by his powerful, educative and inspirational writings.
Signature.
ଉମାଶଙ୍କର ମିଶ୍ର, ଆଇପିଏସ (ଅବସରପ୍ରାପ୍ତ) ପୂର୍ବତନ ଡାଇରେକ୍ଟର, ସିବିଆଇ ପୂର୍ବତନ ସମ୍ପାଦକ, ‘ସୂର୍ଯ୍ୟପ୍ରଭା’ ଭୁବନେଶ୍ୱର ଏବଂ ଭାଇସ୍ ପ୍ରେସିଡେଣ୍ଟ, ଇଣ୍ଟପୋଲ୍ (ଲିଅନ୍-ଫ୍ରାନ୍ସ)
ବ୍ୟକ୍ତି ଓ ବିଷୟ ସଂପର୍କରେ ନିଜର ଶାଣିତ ଅନ୍ତର୍ଦୃଷ୍ଟି ବହନ କରୁଥିବା ରବିବାବୁ ଅତ୍ୟନ୍ତ ଭଦ୍ର, ମିଷ୍ଟଭାଷୀ ଓ ଧୀମାନ । ତାଙ୍କ ରଚନାରେ ତାଙ୍କରି ବ୍ୟକ୍ତିତ୍ୱ ହିଁ ପ୍ରତିଫଳିତ ହୋଇଥାଏ । ‘ସୂର୍ଯ୍ୟପ୍ରଭା’ରେ ଲେଖାଯାଇଥିବା ସମ୍ପାଦକୀୟଗୁଡ଼ିକ ତାଙ୍କର ସ୍ୱୀୟ ଚିନ୍ତନର ବିସ୍ତୃତ ବର୍ଣ୍ଣାଳୀରେ ଋଦ୍ଧିମନ୍ତ । କୌଣସି ଏକ ଜାତି, ସମୁଦାୟ ବା ସମାଜର ମୂଲ୍ୟାୟନ ତାହା ଦ୍ୱାରା ପୁଞ୍ଜିକୃତ ଧନରାଶି ଦ୍ୱାରା କରାଯାଇପାରେନା । ସେଥି ସକାଶେ ଆବଶ୍ୟକ ହୋଇଥାଏ ଅତୀତ ଓ ଭବିଷ୍ୟତ ସହିତ ଜଡ଼ିତ ତାହାର ଐତିହ୍ୟ, ସଂସ୍କୃତି, ପରମ୍ପରା, ମୂଲ୍ୟବୋଧ, ଭାଷା, ସାହିତ୍ୟ, ଇତିହାସ ଓ ଶାସନ ବ୍ୟବସ୍ଥାକୁ ଆଧାର କରିଥିବା ଭିନ୍ନ ଏକ ମାନଦଣ୍ଡ । ପରିଣାମଦର୍ଶିତାରେ ପର୍ଯ୍ୟବସିତ ରବିବାବୁଙ୍କ ସମ୍ପାଦକୀୟ ଆଲେଖ୍ୟଗୁଡ଼ିକ କେବଳ ଯେ ତଥ୍ୟଭିତ୍ତିକ ତାହା ନୁହେଁ ବରଂ ତାହା ଆମେ ପୋଷଣ କରିଆସୁଥିବା ନୈତିକତା ଓ ମୂଲ୍ୟବୋଧର ଏକ ଚମତ୍କାର ସାମଗ୍ରିକ ସମୀକ୍ଷା ରୂପେ ପ୍ରକଟିତ ହୋଇଥାଏ । ସାଧାରଣତଃ ଲେଖକକୁ ସମୟ ଓ ପରିସ୍ଥିତିର ବନ୍ଦୀ ରୂପେ ଅଭିହିତ କରାଯାଇଥାଏ । କିନ୍ତୁ ପଠନୀୟତା ଓ ଉପଯୁକ୍ତତା ଦୃଷ୍ଟିରୁ ରବିବାବୁଙ୍କ ଆଲେଖ୍ୟଗୁଡ଼ିକ ଭୂତ, ଭବିଷ୍ୟତ ଓ ବର୍ତ୍ତମାନର ସମୟ ବଳୟର ଊଦ୍ଧ୍ୱର୍ରେ – ଏବଂ ଏଗୁଡ଼ିକ ସର୍ବକାଳୀନ । ଉପାଖ୍ୟାନ ଓ ସାରଲ୍ୟ ତାଙ୍କ ରଚନାର ସ୍ୱାଦ ଓ ସୌନ୍ଦର୍ଯ୍ୟରେ ଉତ୍ତରୋତ୍ତର ବୃଦ୍ଧି ଆଣିଥାଏ ଯାହା ପଠନକାଳରେ ପାଠକ ସ୍ୱୟଂ ହୃଦ୍ବୋଧ କରିପାରିବେ । ‘ସୂର୍ଯ୍ୟପ୍ରଭା’ ଓ ସାହିତ୍ୟ ପତ୍ରିକା ‘ପ୍ରଭା ସର୍ଜନା’ରେ ପ୍ରକାଶିତ ତାଙ୍କର ଏହି କେତୋଟି ଲେଖାର ସଂକଳନ ‘ସବୁ ନାରୀ ଟିକେଟିକେ ସୀତା’ ଏ ମାପଦଣ୍ଡରେ ସ୍ୱତଃସ୍ପଷ୍ଟ । ସତ୍ୟ ଯେତେ କଟୂ ହେଲେ ମଧ୍ୟ ସାର୍ବଜନୀନ ହିତ ଜଣେ ଲେଖକ ବା ସଭ୍ୟ ସମାଜର ଯେକୌଣସି ସଦସ୍ୟର ଲକ୍ଷ୍ୟ ହେବା ବିଧେୟ । ପ୍ରଭୂ ଜଗନ୍ନାଥଙ୍କଠାରେ ଏତିକି ପ୍ରାର୍ଥନା ଯେ ସେ ରବିବାବୁଙ୍କ ଦୀର୍ଘ ସୁଖମୟ ଜୀବନ ସକାଶେ ପ୍ରଭୂତ ଓ ଅକୁଣ୍ଠ ଆଶୀର୍ବାଦ କରନ୍ତୁ ଯାହା ଦ୍ୱାରା ସେ ନିଜର ଶକ୍ତିଶାଳୀ, ଶିକ୍ଷଣୀୟ ଓ ପ୍ରେରଣାଦାୟୀ ରଚନା ମାଧ୍ୟମରେ ସମାଜର ସେବା କରିପାରିବେ । ସ୍ୱାକ୍ଷର
ପ୍ରତ୍ୟୟର ପରିଧି
ନାରଦଙ୍କୁ ବ୍ୟାସ ମହର୍ଷି ପଚାରିଲେ, “ତମର ସମୟ ବିତେ କେମିତି?”
- ମତେ ସେଥିପାଇଁ କିଛି କରିବାକୁ ପଡ଼େନା, ମାହାତ୍ମା । ସମୟ ଆହୁରି ବଳୁଆ । ସେ ସମସ୍ତଙ୍କୁ କାଟି ପଳାଏ । ମୁଁ ତା ପଛରେ ଦଉଡ଼େ । ପ୍ରଭୁଙ୍କ ଅପାର କୃପାରୁ ସୃଷ୍ଟିର ବହୁ ସଚକିତ ସମ୍ଭାର ଓ ବହୁ ବିଚଳିତ ବରବାଦୀ ଆଖିରେ ପଡ଼େ । ଯାହାକୁ ତା କଥା କହିଦିଏ । ମାଳୀକି କହେ – ତୋ ଫୁଲ ଗଛ ମଲା । ତେଣେ, ଛେଳିକି କହିଦିଏ – ତତେ ଭୋକ କରୁଚି ପରା ।
ଗଛ ବଞ୍ଚେଇବା ଦାୟିତ୍ୱ ଯେମିତି ମାଳୀର, ଜୀବନ ବଞ୍ଚେଇବା ଦାୟିତ୍ୱ ବି ସେମିତି ଛେଳିର । ଯିଏ ମଲେ ମରୁ, ମୁଁ କ’ଣ କରିବି ବା କରିଥା’ନ୍ତି? “କାମ ମୟା ଏବାୟଂ ପୁରୁଷ ଇତି । ସା ଯଥାକାମୋ ଭବତି ତତ୍କତୁର୍ ଭବତି । ଯତ୍କତୁର୍ ଭବତି ତତ୍ କର୍ମ କୁରୁତେ । ଯତ୍ କର୍ମ କୁରୁତେ ତଦ୍ ଅଭିସମ୍ପଦ୍ୟତେ ।” କର୍ମ କରିବାକୁ ମୁଁ ଉପସ୍ଥିତ । ସତର୍କ ରହିବି, ଯେମିତି ଅଯଥା କାମ ନ କରେ । ପ୍ରଭୁଙ୍କ କୃପା ଅଛି ଟି, ଭାଗ୍ୟ ପରା ଆପେ ଟାଣିନେବ କର୍ମ ଆଡ଼କୁ । ନାରଦଙ୍କ ବିଷୟରେ ଏପରି ଯାଇତାଇ ଧାରଣା ଥିଲେ ବି – ‘ସୂର୍ଯ୍ୟପ୍ରଭା’ ଏବଂ ମୋ ସଂପର୍କ ଭିତରେ ମୁଁ ନିଶ୍ଚୟ କିଛି ଆକସ୍ମିକତାର ସନ୍ଧାନ ପାଏ । ମୁଁ ନିଜକୁ ବିଶ୍ୱାସ କରିପାରେ । ଛାତ୍ର ଜୀବନର କିୟଦଂଶ, ଚାକିରି ଆରମ୍ଭ ଏବଂ ଅବସର – ଏମିତି ଅଣଚାଶ ବର୍ଷ କଟିଛି ଚଉବନ ବର୍ଷ ବୟସର ରାଉରକେଲାରେ । ବେଶ୍ ସଚେତନ ଏବଂ ଋଚିମନ୍ତ ଶୈଳୀ ଭିତରେ । ପ୍ରକୃତିର ଭ୍ରମ ସୃଷ୍ଟି କରିବାକୁ ଆଜି ଯେଉଁଠି ପର୍ସିଲିନ ମୋଜାଇକର ଫୁଲ ତିଆରି ହୋଇଛି ସେଠି ଆମେ ପିଲାଦିନେ ଅନୂଢ଼ା ପ୍ରକୃତିକୁ ଦେଖିଛୁ । ଝଟା ଆଡ଼େଇ ବାଟ ଚାଲିଥିବୁ ନିଶ୍ଚୟ । ନିଜ ଆତ୍ମାର ପରିଚୟ ଖୋଜିବାକୁ ମୁଁ ସେଇ ସହର ଆଡ଼େ ଅନାଏ । କାରଣ ତାହା ମତେ ଅଧିକ ଚାରୁଶୀଳା ଏବଂ ଚିହ୍ନା ଲାଗେ । ଥରେ ଡ୍ରଇଂ କରି ମୁଁ ତା ତଳେ ବ୍ରାକେଟରେ ‘ବାଇଗଣ’ ଲେଖିଥିଲି । ସାର୍ ଶୂନ ଦେଇ ତା ତଳେ ଲେଖିଦେଲେ ‘ଗୋଲାଆଳୁ’ । କ୍ଲାସ ୬ଷ୍ଠ କି ୭ମ । ଅନ୍ୟମାନଙ୍କ ଖାତା ମିଳେଇ ଦେଖିଲି । ମୋଠୁଁ କେତେ ଖରାପ ଚିତ୍ର ଆଙ୍କିଥିବା ପିଲା ବି ମାର୍କ ପାଇଛନ୍ତି । ବାଇଗଣ ନା ଝୁଡ଼ଙ୍ଗ – ଚିତ୍ରରୁ ବୁଝି ହେଉ ନଥିବା ଜଣେ ସାଙ୍ଗ ବି ଦୁଇ କି ତିନି ପାଇଥିଲା । ମତେ ଭାରି ଲାଜ ଲାଗିଲା ଏବଂ ମନରେ ଦମ୍ଭ ବି ଆସିଲା । ସେ ମିତ୍ରକୁ ଚେନାଚୁର ଝୁରିଭଜା ଲୋଭ ଦେଖେଇ ତା ଖାତାଖଣ୍ଡିକ ହାସଲ କରି ଦର୍ପରେ ଚାଲିଲି । ସାରଙ୍କୁ ପଚାରିଥା’ନ୍ତି – ଆପଣ ଆମ ଗୁରୁ, ସ୍ୱର୍ଗଠୁଁ ବଳି ଉପରେ । ଏମିତି ପାତରଅନ୍ତର କ’ଣ ଠିକ? ଏତେ କଥା କହିବା ଦରକାର ପଡ଼ିଲାନି । ତା’ ଆଗରୁ ସାର୍ ସରଳରେ ବୁଝେଇ ଦେଲେ – ତୋ ଚିତ୍ର ଖରାପ ହେଇନିରେ । ଏମିତି କ’ଣ ପାଞ୍ଚ କି ଛଅ ପାଇ ନ ଥା’ନ୍ତୁ କି? ମୁଁ କ’ଣ ପ୍ରଶ୍ନ ଜାଣି ନ ଥିଲି କି? କେହି ତ ‘ବାଇଗଣ’ ଲେଖିଲେନି, ତୁ ଲେଖିଲୁ କାହିଁକି? ତା’ମାନେ, ତୋ’ର ନିଜ ଉପରେ ବିଶ୍ୱାସ ନାହିଁ । ଚିତ୍ରରେ ପାଶ୍ କରିବୁ, ହେଲେ ଜୀବନରେ ଫେଲ୍ ହେଇଯିବୁ ଯେ! ଜୀବନରେ ବହୁ ଭେଦ ବୁଲିଛି । ଅନେକ ସମୟରେ ନିଷ୍ପୃହ ବୈରାଗ୍ୟ ସହ । ଜନ୍ମ ମାଟିର ସ୍ୱଳ୍ପ ଉପକୂଳବର୍ତ୍ତୀ ବ୍ଲେଣ୍ଡ୍ ଛଡ଼ା, ମୋ ଶିକ୍ଷା ବାହାରେ । ଚାକିରି ଜୀବନ ରାଉରକେଲା ଇସ୍ପାତ କାରଖାନାରେ ଆରମ୍ଭ ଓ ଶେଷ । ଯାହା ସଂସ୍କାର ବା ସିଦ୍ଧି ପାଇଥିବି – କୃତଜ୍ଞତା ସହ କହିବି ତହିଁରୁ ଅନେକ ରାଉରକେଲା-ଭିତ୍ତିକ । ଯେମିତି, ପୂଜ୍ୟ ଡକ୍ଟର ହରେକୃଷ୍ଣ ମହତାବଙ୍କ ସହଯୋଗରୁ ସ୍ତମ୍ଭ ଲେଖାରେ ପ୍ରଥମ ପିଢ଼ି ପ୍ରୟାସ ଆରମ୍ଭ କଲାବେଳେ ମୋ ନିଯୁକ୍ତିଦାତା (ରାଉରକେଲା ଇସ୍ପାତ କାରଖାନା) ଦିନେ ବି ମତେ ଆକଟ କରି ନାହିଁ । ଚାକିରି କଲେ ସତ କହିବା ଅସମ୍ଭବ – ଏ ଆଳାପ ସ୍ୱୀକାର କରିବାକୁ ମୋର ମନ ଡାକେନି । କାରଣ ସ୍ତମ୍ଭ ଲେଖା ଆରମ୍ଭ (୧୯୭୨-୭୩)ରୁ ମୁଁ ସବୁ ବିଶ୍ୱାସର ସତ କହି ଚାଲିଛି । କାହାକୁ ଆଡ଼ମନା ହେବା ଦେଖିନି । ଆଗରୁ (୧୯୬୬-୬୭) ବହୁ ଯାତନା ଭୋଗିଛୁ । ନିଶ କଅଁଳ ବେଳ । କିଛି ପ୍ରଗତିବାଦୀ ଚେତନାର ବଶବର୍ତ୍ତୀ ହୋଇ ‘ସଂଘମ’ ନାମକ ଏକ ସଂସ୍ଥା ଗଢ଼ିଥିଲୁ । ଆମେ ବାନର, ଦଳପତିମାନେ ଆଗରେ ଥିଲେ । ଗଳ୍ପ ପ୍ରବନ୍ଧ କବିତା ଇତ୍ୟାଦି ସଙ୍କଳିତ ଦୁଇଟି ପୁସ୍ତକ ‘ଏ ମାଟି ବନ୍ଧ୍ୟା ନୁହେଁ’, ‘ସେମାନେ ବି ବଞ୍ଚିବେ’ ଏବଂ ଏକ ତ୍ରୈମାସିକ ସାହିତ୍ୟ ପତ୍ରିକା ‘ଆଭିମୁଖ୍ୟ’ ପ୍ରକାଶ ହେଉଥିଲା । ସେଗୁଡ଼ିକ କଲିକତାରେ ଶ୍ରୀଯୁକ୍ତ କଣ୍ଡୁରୀ ଚରଣ ଦାସଙ୍କ ପ୍ରେସ (କଳିଙ୍ଗ ମୁଦ୍ରଣୀ, ୫-ଏ, ନୁର୍ ମହମ୍ମଦ ଲେନ୍, କଲିକତା-୭୦୦୦୦୯)ରେ ଛପା ହେଉଥିଲା । ପତ୍ରିକା ୧୯୭୫ ପର୍ଯ୍ୟନ୍ତ ଚାଲିଲା । ସର୍ଜନା ଭଲ ଲାଗୁଥିଲା । କିନ୍ତୁ କାଳ ସହିଲାନି । ଆମ ବିରୁଦ୍ଧରେ ‘କମୁନିଷ୍ଟ’ ଓ ‘ବଙ୍ଗାଳୀ’ ପରି ଅଯଥା ଅଭିଯୋଗ କରି ରାଜନୀତିକ ପ୍ରରୋଚନାରେ ନିଜକୁ ଓଡ଼ିଆଙ୍କ ପ୍ରତିନିଧି ବୋଲାଉଥିବା କିଛି ଲୋକ ଆମକୁ ଘରେ ପଶି ବାଡ଼େଇଲେ । ନିରୁତା ସାହିତ୍ୟିକଗୁଡ଼ାକ – ଲଢ଼ି ପାରିଲୁନି, ଭାଙ୍ଗି ଗଲୁ । ଲସ୍ ଭିତରେ ହୋଇଛି – ଆମ ପରି କେତେକ ଅବୋଧଙ୍କର ୧୯୬୭ରେ ଦୁଇ ଶହ ଟଙ୍କା ଲେଖା ପ୍ରଭିଡେଣ୍ଟ ଫଣ୍ଡ୍ ଲୋନ୍ – ଯାହା କଦାପି ବ୍ୟବସାୟିକ ସଫଳତା ସହ ଫେରସ୍ତ ହେବାର ଆଶା ନଥିଲା । ଏବଂ ଗେନରେ ମୁଁ ପାଇଛି ବହୁ ଅଭିଜ୍ଞତା । ଅଭିଯାନର ଗଙ୍ଗୋତ୍ରୀରେ ଖୋଜିଲେ ସେତିକି ଥିଲା ମୋର ନିଜସ୍ୱ ପୁଞ୍ଜି । ଏଥିପାଇଁ ଆଉ କିଛି ମୁଁ ହରେଇନି । ଲେଖୁଚି ତ! ଏଥିପାଇଁ ପ୍ଲାଣ୍ଟ ମ୍ୟାନେଜମେଣ୍ଟ (ପିଏସୟୁ – ମାନେ ସବୁପ୍ରକାର ସରକାରୀ) ମତେ ଥରେ ବି ଆକଟ କରିନି । ଦାନା କନା ଠିକ ଥିଲା । ପରେ ଠାକୁରଙ୍କ ଦୟାରୁ ଛୁଆପିଲାଙ୍କ ଜୀବନ ସ୍ୱଚ୍ଛନ୍ଦ ହୋଇଛି । ଟ୍ରେଡ୍-ୟୁନିଅନ କି ରାଜନୀତି କାରଣରୁ କେତେକ ବିରୋଧ ହେଲେ ବି ଅନେକ ବ୍ୟକ୍ତିଗତଭାବେ ମୋ ସୃଷ୍ଟିକୁ ଉତ୍ସାହିତ କରୁଥିଲେ । ଜଣେ ଯାହା ଭାବେ, ତାହା ସେ ନିଶ୍ଚୟ କହିବା ଉଚିତ । ସତ କହିବ କି ମିଛ କହିବ – ତାହା ନିଜ ଉପରେ ନ୍ୟସ୍ତ । ଏମିତିକା ବୋଝଟିଏ ମୁଣ୍ଡ ଉପରେ ସଦାବେଳେ ଲଦି ହେଲା ପରି ରହିଥାଏ । ମୁଁ ବେଳେବେଳ ଖୁସି ହୁଏ ମହତାବ ବାବୁଙ୍କର ଗୋଟିଏ କଥା ଭାବି । ଏମରଜେନ୍ସି ବେଳେ ପାରୋଲରେ ଆସି ସେ ଓ ପୂଜ୍ୟ ଜୟପ୍ରକାଶ ନାରାୟଣ ଝାରସୁଗୁଡ଼ାରେ ଓହ୍ଲାନ୍ତି । ମାନେ, ପୁରୁଣା ଝାରସୁଗୁଡ଼ା । ଆଜି ପରି ଚକମକ ନୁହେଁ । ଜନ ସମୁଦ୍ର । ଭେଟିବାକୁ ଯାଇ ଗହଳି ଭିତରେ ଦେଖା କରିବା ଅସମ୍ଭବ ଥିଲା । ଜଣେ ବନ୍ଧୁ ଭାଗୀରଥୀ ସାହୁ – ଇହଧାମରେ ନାହାଁନ୍ତି – ଙ୍କ ଆଗ୍ରହରୁ ଆମେ ରେଳ ଷ୍ଟେସନରେ ଅପେକ୍ଷା କରିଥିଲୁ । ପରେ ରାତି ଆଠଟା ବେଳେ ପି.ଡବ୍ଲୁ.ଡ଼ି. ଆଇ.ବି.ରେ ଦେଖା ହେଲା । ପ୍ରଣାମ ପର୍ବ ପରେ ଜୟପ୍ରକାଶଜୀଙ୍କ ସହିତ ପରିଚିତ କରାଇବାକୁ ପୂଜ୍ୟ ମହତାବ ସୁନ୍ଦର ପ୍ରଶଂସାଟିଏ କରିଥିଲେ, ଯାହା ମୁଁ ନିଜେ ବି ଜାଣି ନ ଥିଲି । “ଇଏ ଅମୁକ । ୟାଙ୍କ ଲେଖା ଏମର୍ଜେନ୍ସିରେ ବି ସେନ୍ସର ହୋଇନାହିଁ ।” ଜୟପ୍ରକାଶଜୀ କ’ଣ ବୁଝିଲେ କେଜାଣି, ମତେ ଟିକେ ଆଶୀର୍ବାଦ କଲାପରି ଅନେଇଲେ ଓ ହାତ ବଢ଼େଇଲେ ମୁଣ୍ଡ ଛୁଇଁବାକୁ । “ଠିକ ହୈ ବେଟା, ଆଗେ ଚଲୋ ।” ଏକଥା ସେଦିନ ମତେ କିଛି ଲାଗି ନ ଥିଲା କି ସେ ବିମୋହିତ ସ୍ମୃତି ଆଜି ବି ମୋଠାରୁ ଦୂରଛଡ଼ା ହୋଇନି । ସେଦିନର ଗୌରବବୋଧ – ସତ କହିଲେ – ମତେ ବେଶ ଦମ୍ଭ ଧକ୍କାଟେ ଦେଇଥିଲା । ବାସ୍, ତା’ପରେ ଲେଖାଲେଖି ନିଜ ଗତିରେ ଚାଲିଲା । ଆହୁରି ଅସହାୟ ସତ, ମନକଥା ନିଜ ଭାଷାରେ ଇଚ୍ଛା ମୁତାବକ କହିବାକୁ ମୋ ସାମ୍ନାରେ କିଛି ଟ୍ରେଣ୍ଡ୍ ନ ଥିଲା – ପୂଜ୍ୟ ମହତାବଙ୍କ ସପୋର୍ଟ ଛଡ଼ା । ଯାହା ଲେଖିଛି ତାହା ସାହିତ୍ୟ କି ଆଳୁଚପ – ଏକଥା ମୁଁ ଥରକ ପାଇଁ ଭାବି ନାହିଁ । ଭୁବନେଶ୍ୱରରେ ‘ସୂର୍ଯ୍ୟପ୍ରଭା’ର ସମୃଦ୍ଧ ଏବଂ ନବୀନ ସଂସ୍କରଣର ଆରମ୍ଭ ହୁଏ ୨୩. ୧. ୨୦୦୯ ଦିନ । ସୁଯୋଗ୍ୟ ସଂପାଦକ ପୂର୍ବ ସିବିଆଇ ଡିରେକ୍ଟର ଶ୍ରୀ ଉମା ଶଙ୍କର ମିଶ୍ର, ଆଇ.ପି.ଏସ. (ଅ:ପ୍ରା:)ଙ୍କ ଆଗ୍ରହ ଯୋଗୁ ପ୍ରଥମ ଦିନରୁ ଆଜି ପର୍ଯ୍ୟନ୍ତ ମୁଁ ତହିଁର ସଂପାଦକୀୟ ସ୍ତମ୍ଭ ‘ଆମ କଥା’ ଲେଖୁଛି ଏବଂ ଢେର ପାଠକୀୟ ଆଦର ଶୁଣିବାକୁ ପାଉଛି । ୨୦୧୦ ସ୍ୱନକ୍ଷତ୍ର ଦିବସରେ ଗତ ଗୋଟିଏ ବର୍ଷ ସଂପାଦକୀୟରୁ ଅଳ୍ପ କେତୋଟି ପାଠକମାନଙ୍କ ନିକଟରେ ପେଶ୍ କରିବାକୁ ‘ସୂର୍ଯ୍ୟପ୍ରଭା’ କର୍ତ୍ତୃପକ୍ଷ ସ୍ଥିର କରିଥିଲେ । ୩୫୦ ସରିକି ଦି’ କଲମ ସଂପାଦକୀୟରୁ ହାଫ-ଡିମାଇ ପାଇଁ ୧୨୦ ପୃଷ୍ଟା ବାଛିବା ମୋ ପକ୍ଷେ ଅସମ୍ଭବ ବୋଲି ଘୋଷଣା କରିଦେଲି । କାରଣ, ଛୁଇଁଛୁଇଁ ମାଟି କଣ୍ଡେଇ ଗଢ଼ିଲା ପରି ମୁଁ ସବୁକୁ ମନ ଦେଇ ଲେଖିଥିଲି । ଉତ୍କୃଷ୍ଟତା ପାଇଁ ନମୁନା ବାଛି ପାରିନଥା’ନ୍ତି । ତେଣୁ ସେପରି କୌଣସି ପୁସ୍ତକ ପ୍ରକାଶ ହୋଇପାରିନି । ପୂଜ୍ୟ ସୁରେନ୍ଦ୍ର ମହାନ୍ତିଙ୍କର ଗୋଟିଏ ଉକ୍ତି – ପାଦ ଥିଲେ ଚାଲି ହୁଏ, ମାତ୍ର ହାତ ଥିଲେ ଲେଖି ହୁଏନି । ୟାକୁ ଆଉ ଟିକେ ଆଗକୁ ବଢ଼େଇଲେ ବି ହେବ । ଖାଲି ହାତ ଥିଲେ ଲେଖି ହୁଏନି, ସେଥିପାଇଁ ନିରୋଳା ମନଟିଏ ବି ଲୋଡ଼ା । ଆହୁରି ଲୋଡ଼ା – ପାଠକକୁ ବୌଦ୍ଧିକ ଜଞ୍ଜାଳରେ ନ ପକାଇବା ପରି ସରଳତା । ‘କାଳୀୟ ଦଳନ’ ପରି କ୍ଳିଷ୍ଟ ପୌରାଣିକ ଗଳ୍ପ, କୋମଳ ବାଳୁତ କୃଷ୍ଣଙ୍କ ପ୍ରତି ନିଷ୍ଠୁର କଂସରାଜାର କପଟାଚାର ଓ କୋରିଓଗ୍ରାଫକୁ ଆମ ସାପୁଆକେଳାମାନେ କେତେ ସରଳଭାବେ ବୁଝାଇ ପାରୁଥିଲେ । ତହିଁରୁ ପଦଟିଏ – “କଂସର ଘରଣୀ ପଦ୍ମାବତୀ ରାଣୀ କରିଛି ଧନିତ୍ରି (ଧନ୍ୱନ୍ତରି) ଓଷା । ଲକ୍ଷେ ଭାର ପଦ୍ମ ଦବୁରେ କହ୍ନେଇ ନଥିବ ପାଖୁଡ଼ା ମିଶା । କାଳିନ୍ଦୀ ହ୍ରଦରେ ନାଗରାଜା ଜରେ ନୀର ବିଷ କାଳକୂଟ । ଇଷ୍ଟ ସୁମରି ତୁ ସେଥିରେ ପଶିବୁ –
ତତେ ବିଜୁଳି କଢ଼େଇବ ବାଟ ... ଯେ ଗୋବିନ୍ଦ ହରେ ।”
ରାଣୀ ପଦ୍ମାବତୀ ଲକ୍ଷେ ଭାର ପଦ୍ମ ପାଇ ଧନିତ୍ରି ଓଷା କଲେ କି ନା କେହି ଜାଣନ୍ତିନି, ମାତ୍ର ତା’ଠୁଁ ଆଗକୁ ଆସିଲା ଦୁଇଟି କଥା । କାଳୀୟ, ଯମୁନା ଛାଡ଼ି ପଳେଇଲା ଓ ଦୁଷ୍ଟ ରାଜା କଂସ ମରି ଶୋଇଥିଲା ଛାଁକୁ ଛାଁ ।
୧୯୭୨ ‘ବନ୍ୟଜନ୍ତୁ ସଂରକ୍ଷଣ ଆଇନ’ ପ୍ରଣୟନ ଏବଂ ସେ ତାଲିକାରେ ସାପ ଅନ୍ତର୍ଭୁକ୍ତ ହେବା ପରେ ସାପୁଆକେଳାଙ୍କ ବଂଶ ଓ ବୃତ୍ତି ଲୋପ । ସେମାନେ ଗଣତାନ୍ତ୍ରିକ ହୋଇ ବିଧାନସଭାରେ ସାପ ପୂରେଇ ଜାତି-ଦାବି ହାସଲ କରିବାକୁ ଧମକୋଉଛନ୍ତି । ତେଣୁ ଏ ଗୀତ ଆଉ ଶୁଣିବାକୁ ମିଳିବ ନାହିଁ । ଏପରି ଗୀତ କେହି ଯଶସ୍ୱୀ କବି ରଚନା କରି ନ ଥିଲେ । କେଳାକୁ ମିଳୁଥିବା ‘ଷ୍ଟେଜ୍’ର ସାଇଜ ଅତି ବେଶିରେ ଗାଁ ଦାଣ୍ଡର ତିରିଶ ଚାଳିଶ ବର୍ଗଫୁଟ । ଚରିତ୍ରଗୁଡ଼ିକ – କେଳା ନିଜେ, ଗୋଟିଏ ସାପ ଓ ତାକୁ ସମ୍ମୋହିତ କରିବାକୁ ଆଉ ଗୋଟିଏ ନାଗେଶ୍ୱରୀ । ସାପ ହଲୁଥାଏ ତ ଦେଖଣାହାରିଙ୍କ ମନ ବୁଲୁଥାଏ । ଗୋପଲୀଳାରୁ କିୟଦଂଶ ଦର୍ଶକ ବୁଝିଯାଆନ୍ତି ଅନାୟସରେ ।
ସାହିତ୍ୟ ପାଇଁ ‘ସରଳତା’ର ମାନେ ହେଲା – ସରଳତା ।
ଡକୁମେଣ୍ଟେସନ, ମେମୋରି-ନୋଟ୍ ଇତ୍ୟାଦି ମୋ ଦିହେକେ ସମ୍ଭବ ହୋଇନି । ଏ ସଙ୍କଳନରେ ସନ୍ନିବେଶିତ ଲେଖାଗୁଡ଼ିକର ଉତ୍ସ ଦୁଇ ପ୍ରକାର । ‘ବୋଉ’ଠାରୁ ‘ସଲାମ ଗଣତନ୍ତ୍ର’ ପର୍ଯ୍ୟନ୍ତ – ୨୦୦୯ ଏବଂ ’୧୦ ମଧ୍ୟରେ ‘ସୂର୍ଯ୍ୟପ୍ରଭା’ର ‘ମନେ ପଡ଼େ’ ସ୍ତମ୍ଭରେ ପ୍ରକାଶିତ । ସବୁଗୁଡ଼ିକ ଦେହଛୁଆଁ ଅନୁଭୂତି । ଅନ୍ୟଗୁଡ଼ିକ, ଇତିମଧ୍ୟରେ ବେଶ ଜନପ୍ରିୟତା ହାସଲ କରିଥିବା ଓଡ଼ିଆ ସାହିତ୍ୟ ପତ୍ରିକା ‘ପ୍ରଭା ସର୍ଜନା’ର ସଂପାଦକୀୟ । ଏହି ଅବକାଶରେ ‘ସୂର୍ଯ୍ୟପ୍ରଭା’ ଓ ‘ପ୍ରଭା ସର୍ଜନା’ର ସ୍ୱତ୍ତ୍ୱାଧିକାରୀ ତଥା ପ୍ରକାଶକ ଶ୍ରୀ ବିକାଶ ସ୍ୱାଇଁଙ୍କୁ ଧନ୍ୟବାଦ ଜଣାଉଛି । ତାଙ୍କ ଉତ୍ସାହ ଓ ସହଯୋଗ ବିନା ଏହାର ପ୍ରକାଶନ ସମ୍ଭବ ହୋଇ ନଥା’ନ୍ତା ।
ସଙ୍କଳନର ଲିପି ସଜାଇଛନ୍ତି – ଶ୍ରୀ ସନ୍ତୋଷ ତ୍ରିପାଠୀ ଏବଂ ପ୍ରଚ୍ଛଦ କଳା ଆଙ୍କିଛନ୍ତି – ଶ୍ରୀ ମହେଶ୍ୱର ମହାରଣା । ଦି’ ଜଣ ଏତେ ନିଜର ଯେ ସେମାନଙ୍କୁ ଧନ୍ୟବାଦ ଦେଲେ ମତେ ଛୋଟ ଲାଗିବ । ମନେ ରଖିବି । ‘ସୂର୍ଯ୍ୟପ୍ରଭା’ ଓ ‘ପ୍ରଭା ସର୍ଜନା’ର ଯେତେ ଗୁଣମୁଗ୍ଧ ପାଠକ ଏପରି ଏକ ପୁସ୍ତକ ପାଇଁ ଉତ୍ସାହିତ କରିଛନ୍ତି ସଂଖ୍ୟାର ବିଶାଳତା ଦୃଷ୍ଟିରୁ ସେମାନଙ୍କ ନାଁ ନେବା ସମ୍ଭବ ନୁହେଁ । ତେବେ ବି ସମସ୍ତଙ୍କୁ ମୋର ଦୂରରୁ ନମସ୍କାର ।
ପୁସ୍ତକ ପାଠକୀୟ ଆଦର ପାଇଲେ ଖୁସି ହେବି ।
ରବି କାନୁନ୍ଗୋ
ବୋଉ
ସମ୍ପାଦନା‘ଥରେ ମତେ ମନ ଦିଅ, ତା’ପରେ ନିଜେ ଜାଣିବ ମୋ ଉପରେ ତୁମେ କେତେ ଆବୋରିଛ’ (ରାମକୃଷ୍ଣ ପରମହଂସ ଦେବ) ବା ‘ମୋ ବିନୁ ଆନ ଗତି ନାହିଁ’ (ଶ୍ରୀ ଭାଗବତ) – ଏ ଦୁଇଟିଯାକ ଭାବ ଯୌବନାଶ୍ରିତ ପ୍ରେମ ଏବଂ ଆଶାମୟ ଭକ୍ତିରେ ଯଥେଚ୍ଛା ପ୍ରୟୋଗ ହୁଏ । ପରମ ଶ୍ରଦ୍ଧା ସହକାରେ କହିବି ‘ବୋଉ’ ମୋ ପାଇଁ ସେମିତି ଗୋଟିଏ ଭାବ । ‘ଥରେ ମନ ଦେ, କେତେ ଆବୋରିଛୁ ନିଜେ ତୁ ଜାଣିବୁ’ ପରି କଥା ।
ଜମିଦାରି ଥିଲା । ଯୌଥ ପରିବାର । ଅପରିହାର୍ଯ୍ୟ କାରଣରୁ ମୋ ବାଲ୍ୟ ଜୀବନ ଥିଲା ବୋଉ-ମୟ । ମୋ ଜୀବନରେ ଦୁଇ ଜଣ ବୋଉ । ଜଣେ ଜନ୍ମ କରିଛି । ଆଉ ଜଣେ ଏନ୍ତୁଡ଼ିଶାଳାରୁ ନିଜର କହି ଟେକି ନେଇଛି, ଭଗବାନ ତା କୋଳରେ ଛୁଆଟିଏ ଦେଇ ନଥିଲେ ବୋଲି । ଏ ବୋଉ ପାଖରେ ଜମିଦାରିଆ ଷ୍ଟାଇଲରେ ଲାଳନପାଳନର ନାନା ଗପ ଶୁଣେ । କିଛି ମନେ ପଡ଼େନି, କେବଳ ତାର ଏକ ଝାପସା ରୂପ ଛାଡ଼ି ।
କାରଣ, ମତେ ଚାରି ବର୍ଷ ହୋଇ ନ ଥାଏ, ସେ ମରିଗଲା । ଜମିଦାରି ସରିଗଲା । ମୁଁ ପୁଣି ଛିଟିକି ପଡ଼ିଲି ଜନ୍ମକଲା ମା’ ପାଖକୁ । ଯଶୋଦାଙ୍କ ବାତ୍ସଲ୍ୟ ପ୍ରେମ ପରି ମୋ ଲାଳନପାଳନ ପାଇଁ ପାଳିତା ବୋଉର ସାମର୍ଥ୍ୟ, ମହିମା ଆଦି କେତେକଥା ଶୁଣୁଥିବି । ପରେ କୁଳପିଣ୍ଡ ଦାନପରି ଅଳୀକ ଦାୟିତ୍ୱ ସଂପାଦନ କରିବା ଛଡ଼ା ଅଧିକ ତାକୁ ମନେ ରଖିପାରିନାହିଁ । ତାକୁ ମୁଁ ଅନୁଭବ କରେ ଅତି ସରଳ ଉପାୟରେ । ସିଏ ମୋର – କାରଣ ତା’ର ଆଉ ନିଜର ବୋଲି କେହି ନାହିଁ । କିନ୍ତୁ, ଏ ବୋଉ ମୋର ଅନୁଭବ । ତତ୍କାଳୀନ ସମ୍ଭ୍ରାନ୍ତ କୁଳର ଝିଅ । ୟୁନିକ ଦିନରେ ଜନ୍ମ ହୋଇଥିଲା ।
୧୦. ୧୦. ୧୯୧୦ । ଗୁରୁବାର । ଅମୁକ ଲଗ୍ନ ଇତ୍ୟାଦି ସହ ବହୁ କଥା ତା ଜାତକରେ ଥିଲା । ତା ସମାଧି ପ୍ରତିଷ୍ଠା ବେଳେ ଏ ତାରିଖ ଥରେ ସମସ୍ତଙ୍କୁ ବିମୋହିତ କରିଥିଲା । ତାରିଖର ଚମତ୍କାରିତାରେ ମୁଗ୍ଧ ହୋଇ ହେଉ ବା ଅନ୍ୟ କିଛି କାରଣରୁ, ୧୦. ୧୦. ୨୦୧୦ – ଶହେ ବର୍ଷକୁ ହାତପାହାନ୍ତାରେ ଦେଖି – ସେଦିନ କୁଳଇଷ୍ଟ ଗୋପୀନାଥଜୀଉ ମନ୍ଦିରରେ ଗୋଟିଏ ସ୍ମାରକୀ ଥାପିବାକୁ ତା ନାତି ନାତୁଣୀମାନେ ସ୍ଥିର କଲେ । ପୌରହିତ୍ୟ କରିବେ ପୂଜ୍ୟ ବାବା ବଳିଆ । ମତେ ଏ କଥା ମଥାକୁ ମୁକୁଟ ବଳି ପଡ଼ିଲା ପରି ଲାଗୁଥିଲା । ନିଜ ଦେଉଳ । କାହାର ଅନୁମତି ଦରକାର ନାହିଁ ଢଙ୍ଗରେ ଇଏ କେବଳ ଖଣ୍ଡେ ପଥର ପକେଇବା ପରି କଥା ନୁହେଁ । ବାବା ବଳିଆ ଆସିବେ, ସେ ଅନୁଷ୍ଠାନର ଗାଉଁଲୀ ମାନେ ଯେ କ’ଣ ଏ କଥା ଭାବି ଭୟ ଲାଗୁଥିଲା । ଆମ ପିଢ଼ିର ବିନା ସହଯୋଗରେ ଗାଁରେ ରହୁ ନ ଥିବା ବୋଉର ନାତି ନାତୁଣୀମାନେ ମିଶି ସେ ଅନୁଷ୍ଠାନ କରି ଦେଖେଇ ଦେଲେ । ଯୋଗୀପୂର୍ବ ଜୀବନରେ ବାବା ବଳିଆ ଆମ ବୋଉର ନାତି । ସ୍ମୃତି-ଫଳକରେ ତା ‘କୁଟୁମ୍ବ’ର ସମସ୍ତଙ୍କ ନାଁ ଲେଖା ହେଲା । ସଂଖ୍ୟା ଥିଲା – ୮୩ । ଏବେ ବୋଧେ ଶହେ ଟପି ଯିବଣି । ବୋଉ ଅପାଠେଇ ନୁହେଁ । ପଞ୍ଚମ ଶ୍ରେଣୀରେ ସ୍କଲାରସିପ ପାଇଥିଲା । ବିତ୍ତ ମୋହରେ ହୁଲୁସ୍ତୁଲ ତା ଇଡ଼ିଅଟ୍ ବାପା – ମାନେ, ଆମ ଅଜା – ଝିଅର ସ୍କୁଲ ଯିବା ବନ୍ଦ କରିଦେଲେ । ପାଠର ପାରଙ୍ଗମପଣ ଜଣା ପଡ଼େ ତା ଚିଠି ଲେଖା ଶୈଳୀରୁ । ସୁନ୍ଦର ହସ୍ତାକ୍ଷର । ଦେଢ଼ ବା ଦି’ ପୃଷ୍ଠିଆ ଚିଠି ସେ ସହଜରେ ଲେଖି ପାରୁଥିଲା । ଖାଲି ଘର କଥା ଲେଖେନି, ଗାଁ ଗାଉଁଲୀଙ୍କ ସୁଖଦୁଃଖ ବି ଜଣାଏ । ମରଣ ବେଳେ ତା ଜୀବନର ସୌରଭ ଜଣା ପଡ଼ିଥିଲା ସାଙ୍ଗରେ ଚାଲିଥିବା ଶବ ଶେଭାଯାତ୍ରାରୁ । ବାପଘର ବଡ୍ତି କହିବାକୁ ମନ କରେ । ଆମ ବାପା ଥିଲେ ଭୁଲା ମନର । ସବୁ ଥିଲା ତା’ର । ତେବେ ବି ଆମ ଘରକୁ ସେ ‘ତମ ଘର’ କହେ । ବୋଉକୁ ଚିହ୍ନି ନପାରିଥିବାର ଅସଂଖ୍ୟ ତାଲିକା ଦେଇପାରିବି, ଚିହ୍ନିଛି ବୋଲି କହିବାକୁ ବହପ କୂଳାଏ ନାହିଁ ।
ଆଗରୁ କହିଛି, ମୋ ଜୀବନ ବୋଉ-ମୟ । ‘ବୋଉ’ ଶବ୍ଦ ମୋ ପାଇଁ ଗୋଟେ ଆବେଗ । ଅନ୍ୟ କେଉଁ ଶବ୍ଦର ଗହଳିରେ ତାହା ମିଶେ ନାହିଁ । ମୋ ଜୀବନରେ ଆଉ ଜଣେ – ରସି-ମାମା । ପବନରୁ ଶବ୍ଦ ବଡ଼ । ଶବ୍ଦରୁ ବଡ଼ ଶୂନ୍ୟ । ଶୂନ୍ୟଠାରୁ କିଏ ବଡ଼, ଜାଣେନା । ରସି-ମାମା । ଏ ଚରିତ୍ରକୁ ଯଦି କେହି କାଳ୍ପନିକ ଭାବନ୍ତି, ପାଠକଙ୍କ ଏତତ୍ ଦ୍ରୋହ ପାଇଁ ମୁଁ ପାପୀ ହେବି । ରସି-ମାମାର ଲୟ ଓ ବିଲୟ ମୋ ପାଇଁ ସତ୍ୟ, ସତ୍ୟ, ତ୍ରିବାର ସତ୍ୟ । ତନ୍ମୟ ଓ ସଦା-ଅସନ୍ତୁଷ୍ଟ କାରିଗର ନିଜ ଗାଲ ବେକ ବଙ୍କା କରି ସଳଖ ପିତୁଳାଟିଏ ଗଢ଼ିବା ପାଇଁ ଯେମିତି ଅବଲୟ ରଚେ, ରସି-ମାମା ମୋ ପାଇଁ ସେମିତି ଆତୁର ଥିଲା ବୋଲି ଶୁଣିଚି । ମୁଁ କେମିତି ଝଅଟ ବଡ଼ ହେବି ବା ସେହିପରି କିଛି ଅବାସ୍ତବ ଅଭିଳାଷ ସହ ସେ ମତେ ଶିଳ୍ପୀ ଠାରୁ ଆହୁରି ତନ୍ମୟ ହୋଇ ଛୁଇଁଚି । ମାତ୍ର ଏ ପୃଥିବୀର ଆଉରି ଗୋଟିଏ ସତ୍ୟ ବି ରହିଛି । ଶିଳ୍ପୀମାନେ ପାରନ୍ତି ଏବଂ ରସି-ମାମାମାନେ ହାରନ୍ତି ।
ମତେ ପାଞ୍ଚ କି ଛଅ । ରସି-ମାମା ପୂର୍ଣ୍ଣ ଆୟୁ ଭୋଗ କରି ବୋହୂମାନଙ୍କ ସେବା ଶୁଶ୍ରୂଷା ଭିତରେ ଦିନେ ଇହଧାମ ତ୍ୟାଗ କଲା । ଖରାବେଳେ ଶୋଇଥାଏ । ସନ୍ଧ୍ୟାରେ ନିଦରୁ ଉଠି ଦେଖୁଚି, ଖଞ୍ଜାଟା ସାରା ଲୋକ ଭର୍ତ୍ତି । ସମସ୍ତେ କାନ୍ଦୁଥା’ନ୍ତି । ମୁଁ ଡରିଗଲି । ଆହୁରି ଜୋରରେ କାନ୍ଦିଲି । କେହି ବୁଝେଇବାକୁ ନଥିଲେ । ବରଂ ମୁଁ କେମିତି ତଳଖଞ୍ଜା ଆଡ଼କୁ ନଯାଏ, ସେଥିପାଇଁ ସେଠି ଭଣ୍ଡେଇବା ପ୍ରିୟ ଜନ ବହୁତ ଥିଲେ । ଏତେ କାନ୍ଦ ଶୁଣି ବି ରସି-ମାମା ଦଉଡ଼ି ଆସୁ ନଥାଏ । ମରିବା କ’ଣ? ଜାଣି ନଥାଏ । ମେଦିନୀରେ କଚାଡ଼ି ହେଇ ପଡ଼ିଥିବା ପିଲାଙ୍କ ମନକୁ କେଡ଼େ ସହଜରେ ଆକାଶ ଯାଏଁ ପହଞ୍ଚାଇ ହୁଏ, ଏକଥା ମା’-ଜାତିକି ଭଲ ଜଣା । ସମାନଭାବେ କାନ୍ଦୁଥିବା ବୋଉ ମତେ କାଖେଇ ବୁଝେଇ ଦେଲା – ରସି-ମାମା ତାରା ହେଇଯାଇଚି । ଠାକୁରଙ୍କଠୁଁ ବି ବଡ଼ । ଏଣିକି ସେ ତତେ ଖାଲି ଦେଖାଯିବ ।
ତା’ପରେ ମୁଁ ଯେବେ ବି ଆକାଶ ଆଡ଼େ ଅନେଇଲି, ଅଗଣନ ତାରାଙ୍କ ଗହଳି । ରସି-ମାମା କିଏ, ଜାଣି ପାରିନି । ବଡ଼ ହୋଇଗଲି । ତାକୁ ରୂପରେ ମନେ ପକେଇ ପାରୁନି । କିନ୍ତୁ ତା କଥାଗୁଡ଼ାକ ଇତସ୍ତତଃ ମନେ ଅଛି । ଲୋକେ କହନ୍ତି, ସେ ଥିଲା ଇହଧାମରେ ସେତେବେଳକୁ ନ ଥିବା ଆମ ଜେଜେଙ୍କର ରକ୍ଷିତା । ଯୁଗକୁ ନମସ୍କାର କରେ । ଆଜିର ପ୍ରିଜିମରେ ଅତୀତକୁ ଦେଖି ହୁଏ, ମପା ଯାଏନି । କିନ୍ତୁ ଏପରି ଭୁଲ ଆମେ ସାଧାରଣତଃ କରୁ । ରସି-ମାମା ଆଜି ଭାଷାରେ ଜେଜେଙ୍କ ‘କେପ୍ଟ’ ନଥିଲା । ଏମିତି ତୁଳନା କରିବାକୁ ମୋର ସାହସ ହୁଏ ନାହିଁ । ପରିବାରରେ ତା ପୂର୍ଣ୍ଣ ପ୍ରତିଭା କଥା ଶୁଣିଚି ।
ତା କଥା ପଦେ ଆଜି ଅବକାଶରେ ମନେ ପଡ଼ିଯାଉଛି । “ସଂସାରରେ ଜିଇବୁ ପୁଅ – ମନ ତୋହର ନୁହେଁ ।” ମନକୁ ନିଜଠାରୁ ଦୂରଛଡ଼ା? ଅସମ୍ଭବ ପ୍ରାୟ ଲାଗୁଥିବା ଏକ ସାଧନା । ରସି-ମାମା ଅଚିହ୍ନା ତାରା! କାହିଁକି କେଜାଣି ତା ମରଣ ମୋର ମନେ ଅଛି । ଏବଂ ତା ସାଙ୍ଗରେ ‘ବାୟ-ୱାନ୍-ଏଣ୍ଡ୍-ଗେଟ୍-ୱାନ୍ ଫ୍ରି’ ଢଙ୍ଗରେ ଆପେ ମନେ ରହିଛି ଆଉ କଥାଟିଏ । ରସି-ମାମାର ଡେଡ୍ବଡ଼ି ଠାରୁ ଶୂନ୍ୟ ଶୂନ୍ୟ ମହାଶୂନ୍ୟରେ ଝଲସୁ ଥିବା ତାରାମାନଙ୍କ ଦୂରତା ମାପିବାକୁ ମନ କେଡ଼େ କ୍ଷିପ୍ରଭାବେ ଏତେ ପ୍ରିୟର ମାୟା ତ୍ୟାଗ କରି ତାରା ପଛରେ ଦଉଡ଼ିବାକୁ ଇଚ୍ଛା କଲା? ଜାଣେ, ସେ ଦୂରତା କେବେ ବି ମାପି ପାରିବି ନାହିଁ । ଆଉରି ଜାଣେ, ମାପିବା ଉଦ୍ୟମ ଛାଡ଼ିବା ବି କିଛି ଦରକାର ନାହିଁ । ପିଲା ବୟସରେ ବୋଉର ଅବୋଧ୍ୟ ତତ୍ତ୍ୱ ନବୁଝି ଭଣ୍ଡି ଯାଇଥିଲି । ଏବେ ତ ସେ ବୟସ ନାହିଁ । ତେବେ ବି ରସି-ମାମାଠାରୁ ତାରା ଯାଏ ଅନେଇବା ଅଭ୍ୟାସ ଛାଡୁନି କାହିଁକି? ମୋତେ ଅଲୋଡ଼ାକୁ ଲୋଡ଼ିବା ଏବଂ ଅଖୋଜାକୁ ଖୋଜିବା ଟିକେ ଅଧିକ ଭଲ ଲାଗେ । ସେଥିପାଇଁ ମୁଁ ତ୍ୟାଗଫ୍ୟାଗ କିଛି କରିନି । ଚାକିରି କରିଥିଲି ରାଉରକେଲା ଇସ୍ପାତ କାରଖାନାରେ । ଦରମା ଦି ପଇସା ଭଲ ମିଳେ । ଚଳିବା ଷ୍ଟାଇଲ ଆରମ୍ଭରୁ କସ୍ମୋପଲିଟାନ ।
କଥାଟେ ଅଛି ପିଲା ବୟସରେ ସମସ୍ତେ କମୁନିଷ୍ଟ, ସମସ୍ତେ କବି । ମୁଁ ପେଟିସନ ଲେଖେ । ପ୍ଲେଣ୍ଟ୍ ବି ଲେଖେ । ଗପ କବିତା ଲେଖେ । ମନକୁ ଯାହା ଛୁଏଁ ତାହା ଲେଖେ । ସେଥିପାଇଁ ମତେ ଲାଗେ ମୋ ଲେଖକୀୟ ଜୀବନ ଅତ୍ୟନ୍ତ ବିବର୍ଣ୍ଣ । ଆଜିଠୁ ଅନେଇଲେ, ଏଥିରେ ଗୋଟେ ଟର୍ଣ୍ଣିଙ୍ଗ୍-ପଏଣ୍ଟ୍ ବା ମୋଡ଼ ଦେଖାଯାଏ । ସୌଭାଗ୍ୟକ୍ରମେ ସତୁରି ଦଶକରେ ପୂଜ୍ୟ ଡକ୍ଟର ହରେକୃଷ୍ଣ ମହତାବଙ୍କ ନଜର ଭିତରକୁ ଆସିଗଲି । ମନକୁ ଯାହା ଛୁଏଁ ତାହା ଲେଖେ । ଓଡ଼ିଆ ସମ୍ବାଦପତ୍ରରେ ଏ ରୂପ ବିକଶିତ କରାଇବାକୁ ସେ କେତେ ପ୍ରକାର ସହାୟକ ହୋଇଥିଲେ । ସେଦିନକୁ ଆଜି ପରି ବୁଝିବା ସମ୍ଭବ ନୁହେଁ । ସଂପାଦକଙ୍କ ପାଖକୁ କୌଣସି ପାଠକର ରିଜିନ୍ଡ (ସାରଭିତ୍ତିକ) ଚିଠି ଖଣ୍ଡିଏ ଆସିଛି ତ, କେବଳ ଗୋଟିଏ ଖବରକାଗଜ ନୁହେଁ, ସମସ୍ତେ ହୁଲୁସ୍ତୁଲ ବା ସତର୍କ ହୋଇ ଯାଉଥିଲେ । ସେତେବେଳେ ମୋ ନୂଆ ପ୍ରକାର ଲେଖାକୁ ବିଜ୍ଞମହଲରେ ‘ବାଷ୍ଟାର୍ଡ ବକ୍ବାଜ୍’ ବା ତତୋଽଧିକ କୁତ୍ସା ଶବ୍ଦରେ କୁହାଗଲା । ତେବେ ବି ‘ପ୍ରଜାତନ୍ତ୍ର’ରେ ସେଥିପାଇଁ ସେ ଗୋଟିଏ ସ୍ତମ୍ଭ ତିଆରି କଲେ । ତା ପୂର୍ବରୁ ଓଡ଼ିଆ ଖବରକାଗଜରେ ସ୍ତମ୍ଭ-ଲିଖନର ପରମ୍ପରା ନଥିଲା । ବହୁତ ପରେ ସେ ତା ନାଁ ଦେଲେ ‘ଲଘୁପାକ’ । ତାଙ୍କ ବିନା ମୁଁ ନିଶ୍ଚୟ ହତାଶ ହୋଇଥା’ନ୍ତି । ଆଉ ଗୋଟିଏ ମହଲରୁ ମୁଁ ବହୁତ ଉତ୍ସାହିତ ହେଉଥିଲି । ପାଠକ । ସେମାନେ ଆପେଆପେ ମାର୍ଗ-ଦର୍ଶକ ହୋଇଗଲେ । ଲେଖି ଚାଲିଛି ତ ଚାଲିଛି, ପଛକୁ ଅନେଇବା ଦରକାର ହୋଇନି । ଅନେଷ୍ଟଲି କହୁଛି, ମୁଁ ଯେ ଜଣେ ଲେଖକ, ଏ ଭାବନା ମୋ ମନରେ ଆଜି ପର୍ଯ୍ୟନ୍ତ ଆସିନାହିଁ । ସେତେବେଳେ ଭାବୁଥିଲି – ଦୈବାତ୍ ମୁଁ ଲେଖୁଛି ଏବଂ ଇଚ୍ଛା କଲେ ସମସ୍ତେ ପାରନ୍ତେ । ଆଜି ବି ସେଇଆ ଭାବେ । ଆଜି ସମ୍ବାଦପତ୍ରର ଫିଚର ଜଗତକୁ ଦେଖିଲେ ମନ ତୃପ୍ତିରେ ପୂରି ଯାଏ । ଥରେ ଜଣେ ବନ୍ଧୁ କହିଲେ, “ଫିଚରକୁ ସାହିତ୍ୟ କହିଲେ କ’ଣ ହୁଅନ୍ତା ନାହିଁ?” ମୋର ବିନମ୍ର ଉତ୍ତର ଥିଲା, “ସେମିତି ନିହାତି କିଛି ଦରକାର କି?”
ମୋ ମତରେ ଫିଚର୍, ରେଜିମେଣ୍ଟାଲ ହେବା ଉଚିତ ନୁହେଁ । ସିଏ ପୃଥିବୀ ସହିତ ଅତି ତରତର ହୋଇ ଚାଲୁଛି । ତା ଦେହରୁ ଯେଉଁ ସାହିତ୍ୟ ଉପୁଜୁଛି ସେଇଟା ପୂରାପୂରି ପାଠକର ବାହାଦୁରି । ନିରୋଳା ନଈକୂଳିଆ ବାଉଁଶ ବଣରେ ଅଳସ କଟାଉଥିବା ମଇଁଷିଆଳ ଟୋକାର ବଇଁଶୀ ସୁର ଆମକୁ ହୁଏତ ରୋମାଣ୍ଟିକ ଲାଗିପାରେ. ମାତ୍ର ତାହା କେବେ ବି ମିଉଜିକାଲ କନସର୍ଟରେ ଜାଗା ପାଇବନି । ଆମ ରାଉରକେଲା ଘରେ ଏକ ବଡ଼ ଗୋଲାପ ବଗିଚା ଥିଲା । ଅନ୍ୟ ଲୋକେ ଶ୍ରମ ଦେଇ ତାକୁ ସମୃଦ୍ଧ କରୁଥିଲେ । ଅକସ୍ମାତ ଫୁଲଗୁଡ଼ିକ ବଡ଼ ଏବଂ ସୁଦୃଶ୍ୟ ହୋଇ ପଡୁଥିଲେ । ପୁରସ୍କାର ପାଇଲେ ନାଁ ହେଉଥିଲା ମୋର । ଫୁଲ ସାଙ୍ଗରେ ଏକନମ୍ବର ଫଟୋ ଥିବ ମୋର । ସନ୍ତୋଷର ଏଇ ବିଶ୍ୱାସ ରେଖା ଅତିକ୍ରମ କରି ଫୁଲ ଚାଷ ସଂପର୍କୀୟ କୌଣସି ପରାମର୍ଶ ମୁଁ କାହାକୁ କେବେ ଦେଇନାହିଁ ।
ଫିଚରକୁ ସାହିତ୍ୟ କୁହନ୍ତୁ କି କନ୍ଦମୂଳ କହନ୍ତୁ ତାହା ହିଁ ଲୋକଙ୍କ ପାଖରେ ପହଞ୍ଚୁଛି ଏବଂ ଆହୁରି ସୁଖର କଥା, ଖବରକାଗଜ ହୋଇଛି ତା ମାଧ୍ୟମ । ମନେ ଅଛି । ଗତ ୭୦ ଦଶକର କଥା । ଚିନାବାଦାମ ଠୁଙ୍ଗାରୁ ପଢ଼ି ଥରେ ଜଣେ ପାଠକ ମୋ ସହିତ ଯୋଗଯୋଗ କରିଥିଲେ । ଆପଣ କେଉଁଠୁ ବାଦାମ କିଣିଲେ – ଏପରି ଅବାନ୍ତର କଥା ମୁଁ ତାଙ୍କୁ ପଚାରି ନ ଥିଲି । ସେକଥା ଆଜି ଭାବିଲେ ବି, ମନ ପୂରି ଉଠେ ।
ଲାଗେ – ଆଶା ନିରାଶା, ହସ ଖୁସି, ପ୍ରେମ ପ୍ରତାରଣା ଇତ୍ୟାଦି ସେୟାର୍ କରି ପାଠକଙ୍କ ସହିତ ଆଗକୁ ଚାଲିବାର କିଛି ଆନନ୍ଦ ଅଛି । ମୋ ଲେଖା ପାଇଁ ଏଗୁଡ଼ିକ ସରସ ମାଧ୍ୟମ ।
ସୁନ୍ଦରୀଙ୍କୁ ଦେଖି ହସିବା ମନା
ସମ୍ପାଦନାପ୍ରାୟ ପଚିଶ ବର୍ଷ ତଳର କଥା । କଲିକତାରୁ ଟାକ୍ସିରେ ହାଓଡ଼ା ଷ୍ଟେସନରେ ପହଞ୍ଚିବା ଏବଂ ଟ୍ରେନ ଛାଡ଼ିବା ସମୟ ଏକଦମ କଣ୍ଟାକଣ୍ଟି ହୋଇଗଲା । ଟୁର୍ରେ ଯାଇଥାଏ । ଫେରୁଥାଏ ରାଉରକେଲା । କସରତ କରି କୋଚ୍ରେ ପାଦ ଦେଇଚି କି ନା, ଗାଡ଼ି ଛାଡ଼ିଦେଲା । ଷ୍ଟେସନରେ ଅସମ୍ଭବ ଭିଡ଼ ଥିଲା । ଟୁର୍ରେ ଥିଲି । ପାଇୟା ପରେର୍ ଧନ ଖୋକା କରେ ସଂକୀର୍ତ୍ତନ । ଫାଷ୍ଟ୍ ଏସିରେ ରିଜର୍ଭେସନ ଥିଲା । ଭିତରକୁ ପଶି ଦେଖୁଚି, ଚାରି ସିଟ୍ରେ ଜଣେ ମାତ୍ର ଯାତ୍ରୀ । ସୁନ୍ଦରୀ ଆଧୁନିକା ଯୁବତୀ । ବାରି ହୋଇ ପଡ଼ୁଥାଏ ତାଙ୍କ ରୁଚିଶୀଳତା । ଅସୁବିଧା ଏତିକି ଥିଲା ଯେ ସେ ମୋ ସିଟ୍ରେ ବସି ଯାଇଥିଲେ । ପକେଟରୁ ଟିକେଟ କାଢ଼ି ସେଥିରେ ଲେଖା ନମ୍ବର ସହିତ ସିଟ୍ ନମ୍ବର ଦେଖିଲି । ତେବେ ବି ତାଙ୍କର କିଛି ପ୍ରତିକ୍ରିୟା ନଥାଏ । ସେ ଖଣ୍ଡେ ଇଂଲିଶ ନଭେଲ ତନ୍ମୟ ହୋଇ ପଢୁଥିଲେ ମୋ ଉପସ୍ଥିତିକୁ ହେୟଜ୍ଞାନ କଲା ପରି । ବେଶି ଭାବିଲିନି । ବ୍ରିଫକେଶ ଥୋଇ ସାମ୍ନା ସିଟ୍ରେ ବସିପଡ଼ିଲି । କଣ୍ଡକ୍ଟର ଆସୁ ।
ମୁଁ ବି ଖଣ୍ଡିଏ ଇଂଲିଶ ପତ୍ରିକା କାଢ଼ି ପଢ଼ିଲି । ଅଳ୍ପ ସମୟ ପରେ କଣ୍ଡକ୍ଟର ଆସିଲେ । ମ୍ୟାଡମ୍ଙ୍କୁ ବଙ୍ଗଳା ମିଶା ହିନ୍ଦୀରେ କହିଲେ, “ଦିନ ଟ୍ରେନ୍ ଯେ । ହେଲେ ଏ କୁପେରେ ରାଉରକେଲା ଯାଏ ଆଉ କାହାରି ରିଜର୍ଭେସନ ନାହିଁ । ଯଦି ଚାହିଁବେ ମୁଁ ଆପଣଙ୍କ ସିଟ୍ ଚେଞ୍ଜ୍ କରି ଦେବି ।” ଭଦ୍ରମହିଳା ଇଂଲିଶରେ କହିଲେ, “ଏଠି ମୋର କିଛି ଅସୁବିଧା ନାହିଁ ।” ସୁନ୍ଦରୀମାନଙ୍କୁ ସିଧା ଅନେଇବା ଅଭଦ୍ରାମି । କଣେଇ ଦେଖିବା ଅଶ୍ଳିଳ । ନ ଅନେଇବା ଅସ୍ୱାଭାବିକ । ଗାଡ଼ି ଖଡ଼ଗପୁର ପାରି ହେଲା । ଦୁଇ ସହଯାତ୍ରୀଙ୍କ ଭିତରେ କଥାବାର୍ତ୍ତା ଦରକାର ହୋଇ ନଥିଲା । ତିନି ଚାରି ବର୍ଗ ମିଟର ନିବୁଜ ଏରିଆ ଭିତରେ ଯୁବା ବୟସର ଦି’ ଜଣ ନର ନାରୀ – କେହି କାହାରି ଶତ୍ରୁ ହୋଇ ନଥିବେ କି ଗପସପ ହେଉ ନଥିବେ – ସଫିଷ୍ଟିକେସନର ଏ ଚିତ୍ର ଗପରେ ବୁଝିବାଠାରୁ ଜୀବନରେ ସହିବା ଅତୀବ ପୀଡ଼ାଦାୟକ ।
ପଚାରିଲି, ଇଂଲିଶରେ । “କୋଉଯାଏ ଯିବେ?” ତା ପରେ ଆହୁରି କେତେ କଥା ପଚାରିଥା’ନ୍ତି । କିନ୍ତୁ ତାଙ୍କର ପଦେ ଥିଲା ଉତ୍ତର – ରାଉରକେଲା । ଆଉ ପାଦେ ବି ଆଗକୁ ବଢ଼ିଲା ନାହିଁ । ନିଜକୁ ଧିକ୍କାର କଲି । ସେ ଯେଉଁଠିକି ଗଲେ ବି ମୋର ସେଥିରେ ଯାଏ ଆସେ କେତେ? ପୁରୁଷଗୁଡ଼ାକ ଏମିତି ଛୋଟଛୋଟ କାରଣରୁ ନିଜ ଦର୍ପ ହରାନ୍ତି । ନପଚାରିଥିଲେ କ’ଣ ଭାସି ଯାଇଥା’ନ୍ତା? ଏମିତି ଶୋଇବା, ଚେଇଁବା, ପଢ଼ିବା ଏବଂ ୟାଡ଼ୁସ୍ୟାଡ଼ୁ ଭାବିବାରେ ସମୟ ବିତୁଥାଏ । ଜାମସେଦପୁର ଓ ଚକ୍ରଧରପୁର ମଝିରେ ମୋ ନଜର ପଡ଼ିଲା ସେ ଟଙ୍ଗେଇଥିବା ଗୋଟେ ପଲିଥିନ ବ୍ୟାଗ ଉପରେ । ସେଥିରେ ଫଳ, ପାଣି, ମ୍ୟାଗାଜିନ୍ ଇତ୍ୟାଦି ସହିତ ଥାଏ ଖଣ୍ଡିଏ ବହି ଯାହାର ମଲାଟ ଅକ୍ଷର ଓଡ଼ିଆ ପରି ଲାଗୁ ଥାଏ । ଆଗ୍ରହ ବଦଳିଲା । ବାଥ୍ରୁମ୍ ଗଲି । ମୁହଁହାତ ଧୋଇ ଫେରିଲି । ବାଆଁରେଇ ହୋଇ ବ୍ୟାଗ ଆଡ଼କୁ ଆଉଥରେ ଅନେଇଲି । ହଁ ବହି ଖଣ୍ଡିକ ଓଡ଼ିଆ ପରି ଲାଗୁଛି ତ ।
ପଚାରିଲି, “ରାଉରକେଲାରେ ଆପଣ କେଉଁଠାକୁ ଯିବେ?” “ଆଇ ଉଇଲ ଗେଟ୍ ଡାଉନ ଫର୍ ନେକ୍ସଟ୍ ଜର୍ଣ୍ଣି ।” ଧରି ନେଲି ଯେ ସେ ଓଡ଼ିଆ ନୁହଁନ୍ତି । ବହି – ଓଡ଼ିଆ ହୋଇନଥାଇପାରେ । ବନ୍ଧମୁଣ୍ଡା ପହଞ୍ଚିଲା ବେଳକୁ ସେ ନିଜ ବ୍ୟାଗ ବାକ୍ସ ସଜାଡ଼ିଲେ । ସେହି ପ୍ରକ୍ରିୟାରେ ବହିଟା ତଳକୁ ଗଳି ପଡ଼ିଲା । ମୁଁ ଗୋଡ଼ ଟେକି ଶାନ୍ତିରେ ବସିଥାଏ । ଆଡ଼ ନଜରରେ ଯାହା ଦେଖିଲି ତାହା ଥିଲା ଅଧିକ ଗୁରୁତ୍ୱପୂର୍ଣ୍ଣ । ‘ଇଷ୍ଟର୍ଣ୍ଣ ମିଡ଼ିଆ’ ପ୍ରକାଶ କରିଥିବା ମୋ ବହି ‘କଥା କିଞ୍ଚିତ୍’ । ମନ ଶୀହରି ଉଠିଲା । ଦୁଃଖ ଘାରିଲା । ପାଠିକା, ଅଥଚ ଏତେ ପାଖରେ ବସି ଲେଖକର ପରିଚୟ ପାଇଲେନି? ମାତ୍ର ସେତେବେଳକୁ ମନ ଭିତରେ ଏତେ ନିବୁଜ କାନ୍ଥଟିଏ ନିର୍ମାଣ ସରିଥାଏ ଯେ ନିଜଆଡ଼ୁ ପରିଚୟ ଦେବା ସମ୍ଭବ ହେଉ ନଥିଲା । ଗାଡ଼ି ଆଉ ପାଞ୍ଚ ମିନିଟ ଭିତରେ ରାଉରକେଲା ପହଞ୍ଚିବ ।
ତେବେ ବି ପଚାରିଲି, “ଆପଣ କ’ଣ ଓଡ଼ିଆ?” “ହଁ ତ ।” “ଓଡ଼ିଆ ପଢ଼ିବାକୁ ବୋଧେ ଭଲ ପାଆନ୍ତି?” “ନଟ୍ ଏକ୍ଜାକ୍ଟଲି ।” ଟିକେ ଅପ୍ରତିଭ ଲାଗିଲା । କହିଲି, “ଆପଣଙ୍କ ପାଖରେ ଖଣ୍ଡେ ବହି ଦେଖିଲି ତ ।” ଏଥର ସେ ସଂପୂର୍ଣ୍ଣ ଉତ୍ତର ଦେଲେ । ତାଙ୍କ ରିଲେଟିଭ୍ଙ୍କୁ କେହି ଜଣେ ଓଡ଼ିଆ ଲେଖକ ଆଣି ଏ ବହିଟା ଦେଇଥିଲା । “ସେ ମତେ ଦେଲେ । ନେବେ କି? ନେଇ ଯାଆନ୍ତୁ ।”
ପଚାରିଲି, “ସୁମନ ମିଶ୍ର ଆପଣଙ୍କ ରିଲେସନ କି?” “ହଁ । ଆପଣ ତାଙ୍କୁ କେମିତି ଜାଣିଲେ?” “ସେ ମୋ ଫ୍ରେଣ୍ଡ୍ ।” “ସେ ଆମ ଭିଣେଇ ।” ଦିନେ ପୂର୍ବରୁ ସେ ଶଳାକୁ ବହି ଖଣ୍ଡିକ ମୁଁ ‘ପ୍ରୀତି ଉପହାର’ ଦେଇଥିଲି । ଗାଡ଼ି ପ୍ଲାଟଫର୍ମରେ ରହିଲା । ଯିଏ ଯେଝା ରାସ୍ତା ଧରିଲୁ ।
ଏସ.ପି.ଙ୍କ କାନଫୁଲ
ସମ୍ପାଦନାରତନା ଓ ମୁଁ ଏକାସାଙ୍ଗରେ ମାଇନରରୁ ଏବଂ ମେଟ୍ରିକଯାଏ ପଢ଼ିଛୁ । ପାଠଦୃଷ୍ଟିରୁ ଶିକ୍ଷକମାନଙ୍କର ଖାସ୍ ଆସ୍ଥା ନଥିବା ଛାତ୍ର ଭିତରେ ଦିହେଁ ସାମିଲ ଥିଲୁ । ସବୁ ସାଙ୍ଗ ବନ୍ଧୁ ହୋଇପାରନ୍ତିନି । ବଦମାସ ପିଲାଏ ବେଶି ସାଙ୍ଗ ପାଆନ୍ତି । ସେମାନଙ୍କ ଭିତରେ ବନ୍ଧୁତା ଗାଢ଼ । ସରସ ପିଲାଙ୍କ ପାଇଁ ଆବଶ୍ୟକ ହେଉଥିବା ସଦ୍ଚରିତ୍ର ବା ମାର୍କଲିଷ୍ଟ ଇତ୍ୟାଦିର ତୁଳନା ଆମର ଦରକାର ନଥାଏ । କିନ୍ତୁ ସେଥିରେ ଥାଏ ଭେରାଇଟି । କିଛି ବଦ୍ଚରିତ୍ର । ପ୍ରଚଳିତ ଶୃଙ୍ଖଳା ଭାଙ୍ଗିବାର ଅବଦମିତ ଆଗ୍ରହ । ଅନାବଶ୍ୟକ ଉତ୍ସାହ । ନହେଲେ, ନିଧି ସାମଲ ବଗିଚା ବାଡ଼କୁ ଲୁଚେଇ କୋଉଠି ଛେଳି ପଶିବା ପରି ଫୁଟେଖଣ୍ଡେ ଖୋଲି ଦେବା କାହିଁକି ଭଲ ଲାଗିଥା’ନ୍ତା? ଆଜି ଲାଜ ମାଡୁଚି, କିନ୍ତୁ ଏହା ସେଦିନ ସତ ଥିଲା । ଏଗୁଡ଼ାକୁ ସ୍କୁଲ କାରିକୁଲମ ବା ମଡ଼େଲ୍ ଶିକ୍ଷକ କଦାପି ତୁଲେଇ ପାରିବେନି । ଭଲ ସାର୍ମାନେ ସବୁଠୁଁ ବଦମାସ ପିଲାଙ୍କୁ ବି ଭଲଭାବେ ତୁଲେଇ ପାରନ୍ତି – ଏହାର ଭୂରି ପ୍ରମାଣ ଆମେ ଛାତ୍ରବସ୍ଥାରେ ଭୋଗ କରିଛୁ ।
ରତନା ଭଲ ଫୁଟବଲ ଖେଳୁଥିଲା । ବଳିଷ୍ଟ ଖଣ୍ଡେଇତ ଦେହ । ମଝିଆଳା ବଅସ ଛଡ୍ଡା ପରିକା ବଢୁଥିଲା । ଦେଖିବାକୁ ସୁନ୍ଦରିଆଟେ, ହେଲେ ଏକଦମ ହୁଣ୍ଡା-ଟାଇପ୍ । ମେଟ୍ରିକ ପରେ ସବୁ ଓଲଟପାଲଟ ହୋଇଗଲା । ଚିଠି ଦିଆନିଆ ସଂପର୍କ ରହିଲା । ବହୁ ବ୍ୟବଧାନରେ ରତନା ଓରଫ ରତ୍ନାକର ପୁଲିସ ଇନିସ୍ପେକ୍ଟର ଭାବେ ରାଉରକେଲାରେ ଉଭା ହେଲା । ପାଖ-ପଡୋଶୀଙ୍କ ହେଲମେଟ ଚେକିଙ୍ଗରେ କାହାକୁ କେତେବେଳେ ନିଃଶୁଳ୍କ ଏବଂ କ୍ଷିପ୍ର ସାହାଯ୍ୟ କରିବା ଛଡ଼ା ତା’ଠୁଁ କିଛି ଅଧିକ ଆଶା ମୋର ନଥିଲା ।
ଚାକିରି, ଶରଦାକାଶ ବଉଦ ପରି । ହେଇ ଅଛି, ହେଇ ନାହିଁ । ଟ୍ରାନ୍ସଫର । ଏମିତି ଏମିତି ଆମ ରତ୍ନାକର ଏକ ପଶ୍ଚିମ ଜିଲ୍ଲାରେ ଏସପି ରୂପେ ଅବସ୍ଥାପିତ ହେବା ପରର ଏ ଘଟଣା । ଯୁଗ ବହୁତ ଆଡ୍ଭାନ୍ସ ଓ ତା ସାଙ୍ଗରେ ଆମେ ବି ଟିକେଟିକେ । ସଂପର୍କ ଚିଠିରୁ ଟେଲିଫୋନକୁ ପ୍ରମୋସନ ପାଇଥିଲା ଏବଂ ତାହା ସହଜ ହେଉଥିଲା ।
ତା ଝିଅ ଲୀନାର ବର ଆରଇସି (ଏବେ ଏନଆଇଟି)ରେ ଆସିଷ୍ଟାଣ୍ଡ୍ ପ୍ରଫେସର । ରହନ୍ତି କ୍ୟାମ୍ପସରେ । ତା ସ୍ତ୍ରୀ ପ୍ରଭାତୀ ମଝିରେ ମଝିରେ ଝିଅଘରକୁ ଆସେ । ଟିପ୍ପିକାଲ ଓଡ଼ିଆ ମା’ମାନଙ୍କ ପରି । ବଡ଼ି, କଖାରୁ, ନଡ଼ିଆ, ଘରତିଆର କିଛି ଅଯୋଗ୍ୟ ମିଠେଇ ଇତ୍ୟାଦି ଭାର ଧରି । ଦିନେ ଜାଙ୍ଗୁଜାଙ୍ଗୁଲ ସକାଳୁ ପ୍ରଭାତୀ ସେକ୍ଟର-୩ ବସ୍ଷ୍ଟାଣ୍ଡରୁ ଓହ୍ଲେଇ ଜିନିଷପତ୍ର ଲୋଡ୍ କରି କ୍ୟାମ୍ପସ ପଳେଇଲା । ଜ୍ୱାଇଁ ଆସିଥିଲେ ସ୍କୁଟରରେ । ଘରେ ଓହ୍ଲେଇଲା ଅତି ଆହ୍ଲାଦରେ । ଜ୍ୱାଇଁ ପଇସା ଦେଇ ରିକ୍ସାବାଲାକୁ ବିଦା କଲେ । କୁନି ନାତି ନାତୁଣୀ ଦି’ଟା ନିଦ ଭାଙ୍ଗିବାକୁ ଇଚ୍ଛା ନକରି ବି ଆଈକି ଦେଖିବାକୁ ଆତୁର ହେଉଥିଲେ । ଆଈ ବି ସେମାନଙ୍କୁ । ହଲଚଲ ଓ ହସଖୁସିରେ ସମୟ ବିତିଲା । ଜ୍ୱାଇଁ କଲେଜ ବାହାରିବା ବେଳକୁ ପ୍ରଭାତୀ କହିଲା, “ଲୀନା, ମୋ ବ୍ୟାଗ୍ଟା କୋଉଠି ରଖିଲୁ? ବାପା ବାଙ୍ଗାଲୋର ଯାଇଥିଲେ । ତୁ କୁଆଡ଼େ ତାଙ୍କୁ କହିଥିଲୁ । ସୁନ୍ଦରିଆ ଡି-ବିଅର୍ ଡାଇମଣ୍ଡସେଟ୍ କାନଫୁଲ ଆଣିଛନ୍ତି । ମତେ ଭାରି ଭଲ ଲାଗୁଛି । ତତେ ସାଜିବ । ସୁଧାକରଙ୍କୁ ଟିକେ ଦେଖେଇ ଦେ ।”
ବ୍ୟାଗ୍ ମାନେ ଛ’ ବାଇ ଚାରି ଇଞ୍ଚିଆ ୱାଲେଟ୍ । ମିଳିଲାନି । ତା’ପରେ ଗୁଡ଼େଇତୁଡ଼େଇ ସମସ୍ତେ ମିଶି ଯାତ୍ରାର ଯାବତୀୟ ବିବରଣୀ ମନେ ପକାଇଲେ । କେବଳ ସେଇଟି ଛଡ଼ା ବାକି ସବୁ ଜିନିଷ, ରିକ୍ସାରୁ ଆସିଛି । ସୁଧାକରଙ୍କ କଲେଜ ମାରା । ଘଣ୍ଟାକୁ ଘଣ୍ଟା ଭିନ୍ନଭିନ୍ନ ଇଲକାର ପୁଲିସ ତିନି-ପାଞ୍ଚ ରିକ୍ସାବାଲାଙ୍କୁ ସାଙ୍ଗରେ ଧରି ଲୀନା ଘରେ ପହଞ୍ଚନ୍ତି । ସେମାନେ କହନ୍ତି – ନାଇଁ ଇଏ ନୁହେଁ । ଜ୍ୱାଇଁଙ୍କର ଦୟା ହେଲା । ସେ ଶାଶୂଙ୍କୁ ବୁଝେଇ ଦେଲେ । ଆପଣ ପୁଲିସ ଉତ୍ପାତ ଜାଣି ନାହାଁନ୍ତି । ଏଯାଏ ଯେତେ ଆସିଲେଣି ସମସ୍ତଙ୍କ ରୋଜଗାର ତ ବନ୍ଦ । ଆମେ କାହାକୁ ପାଞ୍ଚଦଶ ଦେଇଚେ କି? ମିଳିଲେ ମିଳିଲା ନହେଲେ ନାହିଁ । ମିସିଙ୍ଗ୍ ରିପୋର୍ଟ ଦେଇ ଚୁପଚାପ ବସିବା । ମତେ ଲାଗୁଛି, ବାପାଙ୍କ ଖାତିରିରେ ଏ କାମ ଚାଲିଚି । ତା ଭିତରେ ସେ ଲୀନାକୁ ଥଟ୍ଟା କଲେ । ମୁଁ ହରଦମ୍ କହୁଚି, ଏତେ ଲୋଭ କରନି । ତମର ଟିକିଏ ଲୋଭ କେତେ ଲୋକଙ୍କୁ କି କଷ୍ଟ ଦେଉଚି ଦେଖୁନା । ଏଡ଼େ ଥଟ୍ଟା, ଲୀନା ପରି ପିଲା ସହିଥା’ନ୍ତା ନା? କିନ୍ତୁ କଥାଟି ତା’ଠାରୁ ଗମ୍ଭୀର ଥିଲା ।
ରତ୍ନାକରଠୁଁ ଖବର ପାଇ ମୁଁ ଲୀନା ଘରେ ଦିନ ତିନିଟାରେ ପହଞ୍ଚିଲି ଏବଂ ପ୍ରଭାତୀ ପାଖରେ ଠିଆ ହୋଇ ଟିକେ ସମ୍ବେଦନା ଜଣେଇବା ଛଡ଼ା ମୁଁ ଅଧିକ କ’ଣ କରି ପାରିଥା’ନ୍ତ? ଯାହାହେଉ, ଜ୍ୱାଇଁଙ୍କ ଦୟାରୁ ସେତେବେଳକୁ ପୁଲିସର ରିକ୍ସା-କୁମ୍ବିଙ୍ଗ୍ ଅପରେସନ ବନ୍ଦ । ମୁଁ ଦେଖୁଚି, ଘରେ ‘ପ୍ରଭୁ ପଦେହମ୍ ଜଗଦୀଶ ରକ୍ଷେ’ ପରି ଅବସ୍ଥା । ପରିବାର ଓ ବିଶେଷତଃ ବନ୍ଧୁପତ୍ନୀଙ୍କୁ ଦି’ ଚାରି ଧାଡ଼ି ଶୁଖିଲା ଆଶ୍ୱସ୍ତବାଣୀ ଶୁଣେଇ ଘରକୁ ଫେରିଲି ।
ତା’ପର ଦିନ ସକାଳୁ ଫୋନରେ ଲୀନା ଡାକିଲା । ଜଣେ ରିକ୍ସାବାଲା ଆଣି ବୋଉର ୱାଲେଟ ଦେଉଚି । ଟଙ୍କାପଇସା, ଇଅରିଂ ସବୁ ଅଛି । ତମେ ଶୀଘ୍ର ଆସ । ରିକ୍ସାବାଲା ଜଣକ ସଇଁତଲା ଅଞ୍ଚଳର । ନାଁ ଦିବାକର ବିଭାର । ଫେରେଇବାରେ ବିଳମ୍ବର କାରଣ ତା ମୁହଁରୁ ଶୁଣିଲି । ପୁଲିସ ଖୋଜିବା କଥା ସେ ଜାଣି ନଥିଲା । ତା ଦୁଃଖ ବି ସେ କହୁଥାଏ । ତା ନିର୍ଲୋଭପଣ ତ ସ୍ୱଚକ୍ଷୁରେ ଦେଖୁଥାଏ । ଜ୍ୱାଇଁ ତାକୁ ଖୁସିରେ ଶହେ ଟଙ୍କା ବକ୍ସିସ ଦେଲେ । ପୁଲିସ ନାଁ ଶୁଣି ତାହା ବି ନେବାକୁ ସେ କୁନ୍ଥକୁନ୍ଥ ହେଉଥିଲା ।
ତା ସହିତ ଆଉ ପରିଚୟ ନାହିଁ କିନ୍ତୁ ମୋ ଛୋଟ ମନ ପାଇଁ ଦିବାକର ଥିଲା ସାଧୁତାର ଏକ ଅନନ୍ୟ ଅବତାର । କାଗଜରେ ବାହାରିଲେ ଆମଠୁଁ କିଛି ନେଇ ନଥିବା ଲୋକଟା ହେଲେ ଆଉ କେଉଁଠୁ ନିଜ ପ୍ରଶଂସା ଶୁଣି ଖୁସି ହେବ ଭାବି ଏକଥା ଚାରିଆଡ଼େ ବୁଲି ଗପିଲି । କେହି କିଛି ଛାପିଲେ ନାହିଁ । ଗୋଟିଏ କାଗଜ ଛାପିଲା – ଅମୁକ ଏସପିଙ୍କ ହିରା କାନଫୁଲ ମିଳିଗଲା! ପ୍ରଚାର ପାଇବା ଦିବାକରମାନଙ୍କ ଭାଗ୍ୟରେ ବୋଧେ ନାହିଁ । ସେଥିପାଇଁ, ସାନିଆ ମିର୍ଜା ହାରିଲେ ବି ତାଙ୍କ ବଡ଼ ଫଟୋ ଛପାହୁଏ । ସେ ସାମ୍ବାଦିକ ଭାଇଙ୍କି ପଚାରିଲି – ବାବୁ, ମୁଁ ଏତେ କଥା କହିଲି । ସେଥିରୁ ଏତିକି ବୁଝିଲ? ସେତେବେଳେ କହିଥିଲ କ’ଣ ନା ସାର୍ (ଆମ ରତନା) ତମର ଘନିଷ୍ଟ । କାନଫୁଲ ହଜିବା କଥା ତ କେହି ଜାଣିନଥିଲେ । ହୀରା ମିଳିବା କଥା ପ୍ରଚାର କଲ କାହିଁକି? ଭିଜିଲାନ୍ସ ଇତ୍ୟାଦି କାରଣରୁ ତମ ‘ସାର୍’ ବରଂ ଅପ୍ରସ୍ତୁତ ହୋଇଥିବେ ।
ଆଲ୍ପିନ ଓ ଆଳୁଦୋଷ
ସମ୍ପାଦନାସେତେବେଳ ଷ୍ଟାଣ୍ଡାର୍ଡରେ ଓଟିଡିସିର ରାଉରକେଲା-ଭୁବନେଶ୍ୱର ବସ ବେଶ ମର୍ଯ୍ୟାଦାସଂପନ୍ନ ଥିଲା । ମାସକୁ ଦି’ ତିନି ଥର ଭୁବନେଶ୍ୱର ଆସିବା ମୋର ନିଶ୍ଚିତ ଥିଲା । ରାଉରକେଲା ପାନ୍ଥନିବାସ ମ୍ୟାନେଜର ମୋର ମିତ୍ର । ଯେତେ ଡେରିରେ କହିଲେ ବି ସେଥିରେ ଟିକଟ ମିଳିବା ଥିଲା ପକ୍କା । ଏ ସମ୍ବନ୍ଧ ଯୋଗୁ ବସ ଷ୍ଟାଫ୍ଙ୍କ ଖାତିରି ମଧ୍ୟ ଉଞ୍ଚା ଥିଲା । ଅଭ୍ୟାସ ଅନୁଯାୟୀ ବସରେ ବସେ ଏବଂ ପାନପୋଷ ପୋଲ ଟପିବା ଆଗରୁ ଶୋଇ ପଡ଼େ । ଏ ସୁଖ ଦିନେ ଆରମ୍ଭରୁ ବିଗିଡ଼ି ଗଲା ।
‘ତମେ ଜାଣିନା, ମୁଁ ଏକ୍ସ ଏମଏଲଏ? ମୋର କ’ଣ ସାଇଡ୍ ସିଟ୍ ପାଇବା ଷ୍ଟାଟସ ନାହିଁ?’ ‘ଷ୍ଟାଟସ’ ପରି ଶବ୍ଦ ଝରକା କାଚ ସେପଟରୁ କାନରେ ପଡ଼ିବାରୁ ଅଳ୍ପ ବିମୋହିତ ଏବଂ ଆତଙ୍କିତ ହୋଇ ସ୍ଲାଇଡ୍ ଖୋଲି ପଦାକୁ ଅନେଇଲି । ସେତେବେଳେ ଷ୍ଟିଲ୍ ଟାଉନସିପ୍ ବାହାରେ ରାଉରକେଲାର ଆଉ କୋଉଠି ଦାଉଦାଉ ଆଲୁଅ ଜଳିବା ଯୁଗ ନଥିଲା । ଷ୍ଟେସନ-ଷ୍ଟାଣ୍ଡ । ଅଧା ଆଲୁଅ ଓ ଅଧା ଅନ୍ଧାରରେ ଦେଖିଲି । ବାବୁ ପରିଚିତ । କଣ୍ଡକ୍ଟର ତାଙ୍କ କଥା ମାନିବାକୁ ରାଜି ହେଉ ନ ଥିଲେ ବା ପାଲଟା ରାଗୁ ନଥିଲେ ବି । କିନ୍ତୁ ନେତା ଦର୍ପ ଦେଖେଇବା ଛାଡୁ ନଥିଲେ । ସେତେବେଳେ ସେ କଣ୍ଡକ୍ଟରଙ୍କୁ ଓଟିଡିସିର ଚେୟାରମ୍ୟାନ କି ମନ୍ତ୍ରୀ ଭାବି ନିହାତି ବଡ଼ବଡ଼ ନିଷ୍ପତ୍ତି ଓ ଯୋଜନା ସ୍ତରୀୟ ଅଭିଯୋଗ ଗୁଡ଼େ କରୁଥିଲେ । ସମସ୍ୟା – ମାତ୍ର ସାଇଡ୍ ସିଟ୍ । କଣ୍ଡକ୍ଟର ଗୋଟିଏ ଉତ୍ତର ଦେଉଥାଏ – ସାର୍, ମୁଁ କିଛି କରି ପାରିବିନି । ସେଠି ଦଶ ପନ୍ଦର ମିନିଟ ଷ୍ଟପେଜ । ସମସ୍ୟା ସମାଧାନ ହେଲା ପରି ଲାଗୁ ନଥିଲା । ତାଙ୍କୁ ଛାଡ଼ିବାକୁ ସାଙ୍ଗରେ ଆଠଦଶ ଲୋକ ଆସିଥିଲେ । ଯୁଗ ଖରାପ । କିଏ ଜାଣେ? ତହିଁକି, ମୁଁ ସରକାରୀ ଦଳର ନେତାଟେ, ସାଇଡ୍ ସିଟ୍ରେ ବସିଥାଏ । ମାତ୍ର ସପ୍ତାହେ ଆଗରୁ ଏଇ ସାଇଡ୍ ସିଟ୍ ସକାଶେ ଅତ୍ୟଧିକ ମଦ୍ୟପାନ କରିଥିବା ଜଣେ ଏକ୍ସ-ଏମଏଲଏ ଏଇ ଓଟିଡିସି ବସ୍କୁ ହୁଲୁସ୍ତୁଲ କରି ଦେଇଥିଲେ । ସେ ଦିନ ଭାଗ୍ୟ ନିଆରା ଥିଲା । ବସ୍ର ଆଲୁମିନିଅମ ଆଙ୍ଗେଲରେ ନିଜେ ବାଡ଼େଇହୋଇ ନେତା ସେଠୁ ଗଲେ ହସପିଟାଲ ଓ ବସ୍ ଗଲା ଭୁବନେଶ୍ୱର – ଘଣ୍ଟାଏ ବିଳମ୍ବରେ । ସେକ୍ଟର-୩ ଥାନା ସାମ୍ନାର ଏ ଘଟଣାକୁ ପୁଲିସ ଭାଇମାନେ ବଲବଲ ହୋଇ ଅନେଇଥା’ନ୍ତି ।
ଦି’ ଜଣ ଚିହ୍ନା ଲୋକ ସାମ୍ନାରେ ଝଗଡ଼ା କଲେ, ଶାନ୍ତି ଲାଗେନି । ସେମାନଙ୍କ ନିକଟରେ ପହଞ୍ଚିଲି । ପ୍ରଥମ ଦୁଃଖ ଥିଲା, ଆଦ୍ୟ ଜୀବନର ପହିଲି ପୁଲକ ପରି ଧୀରେଧୀରେ ଶରୀର ଓ ଆତ୍ମାକୁ ଅବଶ କରି ଆସୁଥିବା ଆଦରର ନିଦ ଭାଙ୍ଗି ଗଲା । କଳହର ରୂପ ଟିକେ ବଦଳି ଗଲା । ସାର୍ଙ୍କୁ ପଚାରିଲି, “ଆପଣଙ୍କର ସାଇଡ୍ ସିଟ୍ ଦରକାର ତ? ଚାଲନ୍ତୁ, ମୋ ସିଟ୍ରେ ଆପଣ ବସିବେ । ମୁଁ ଆପଣଙ୍କ ସିଟ୍ରେ ।” କଣ୍ଡକ୍ଟର ଏବେ ରିଲାକ୍ସଡ୍ । ବସ୍ ଛାଡ଼ିଲା ବେଳକୁ ଦେଖୁଛି, ସେ ମୋ ସିଟ୍ରେ ବସିଛନ୍ତି ଓ ମୁଁ ତାଙ୍କ ପାଖରେ ।
ଅଳ୍ପ କ୍ଷଣ ପୂର୍ବରୁ ଆରମ୍ଭ ହୋଇଥିବା ମିତ୍ରତାର ଦହଗଞ୍ଚ ମୋତେ ହସିହସି ସହିବାକୁ ପଡ଼ିଲା । ଅବ୍ୟବସ୍ଥା ସଂପର୍କରେ ଯେଉଁ ତାଲିକା ଓ ପରାମର୍ଶ ସେ ପୂର୍ଣ୍ଣ ଭାବେ କଣ୍ଡକ୍ଟରଙ୍କୁ ଶୁଣେଇ ପାରିନଥିଲେ ଏବେ ମତେ ନିକଟରେ ପାଇ ଆଲୋଚନା ଆରମ୍ଭ କରିଦେଲେ । ସବୁବେଳେ ଭଦ୍ରାମି ପାଳନ କରିବା ଏତେ ସହଜ ନୁହେଁ । ଏଥିରେ ଅଶେଷ ଦୁଃଖ । ବସ ଭିତର ଆଲୁଅ ବନ୍ଦ ହେଲା ପଛେ, ତାଙ୍କ ଗପ ବନ୍ଦ ହେଲାନି । କଣ୍ଡକ୍ଟରଙ୍କୁ କହିଥିଲେ – ଷ୍ଟାଟସ । ଅତି ସହଜରେ ମୋ ପାଖରେ ତାଙ୍କର ସେ ଦର୍ପ ରୂପାନ୍ତରିତ ହୋଲା ‘ସେବକ’ ଭାବେ । କ୍ଳେଶ ଦାୟକ ହେଉ ପଛେ, ଭଦ୍ରାମି ମଣିଷକୁ ନିଜ ସୁରକ୍ଷା ପାଇଁ ନିଲଠ ହସ ନାମକ ଏକ ଅଦ୍ଭୁତ କୌଶଳ ଶିଖାଇଛି । ତାହା ଅବଲମ୍ବନ କରି ହୁଁ ମାରୁମାରୁ ରାଜଗାଙ୍ଗପୁର ଟପି ଗଲା । ଡାଇଭର୍ସ ଦେବାକୁ ରେଡ୍ଡି ହେଉଥିବା ଲେଡ୍ଡି ଯେମିତି ଅତୀତର ‘ଡିଅର ହବ୍ବି’କୁ ହରକତ କରେ ସେମିତି ନିଦ ମୋ ଶରୀରକୁ ହରକତ କରୁଥିଲା । ଦିନ ସାରା ବ୍ୟସ୍ତତାରେ କଟିଛି । କାଲି ପହଞ୍ଚିଲେ କେତେ ଜାଗାରେ କାମ । ଭଦ୍ରାମି ରକ୍ଷା କରିବାକୁ ଆଉ ସାହିତ୍ୟ-ଦର୍ପଣ ପଢ଼ି ପାରିଲିନି । ବଡ଼ଗାଁ ଆଗରୁ ଅଜାଣତରେ କେତେବେଳେ ଶୋଇ ପଡ଼ିଛି । ତା’ପରେ ଯାତ୍ରା ସ୍ୱାଭାବିକ ଏବଂ ନିର୍ବିଘ୍ନ ଥିଲା ।
ରାତି ଦୁଇଟା ଖଣ୍ଡେ ବେଳକୁ ବସ ରହେ ରେଢ଼ାଖୋଲ ଜଙ୍ଗଲ ଭିତରେ । ବଇଣ୍ଡା ଛକ । ସେଠି ଗୋଟିଏ ଢାବା, ଗୋଟିଏ ଚା’ ଦୋକାନ । ରାତିରେ ଖୋଲା । ଡ୍ରାଇଭର, କଣ୍ଡକ୍ଟର ଓ ଯାତ୍ରୀ ଚା ପିଅନ୍ତି । ପ୍ୟାସେଞ୍ଜର ସାନପାସ୍ ଯା’ନ୍ତି । ଚା ପିଇବାକୁ ଯାଉଚି, ଆଉ ଚିହ୍ନା ଲୋକ ବି ମିଳୁଛନ୍ତି । ଦେଖିଲି ଜଣେ ପରିଚିତା ଯୁବତୀ । ନୂଆ ଭାବେ ଖୋଲିଥିବା ରାଉରକେଲା ମହିଳା କଲେଜର ଅଧ୍ୟାପିକା । ଶାଢ଼ି ପିନ୍ଧା ଅବିବାହିତା ଝିଅଟିଏ । ନମସ୍କାର ଆଦାପ୍ରଦାନ ସରିଲା । ସେ କିଛି ଏକାନ୍ତରେ କହିବାକୁ ଚାହୁଁଛନ୍ତି ପରି ମତେ ଲାଗିଲା । ଗହଳିରୁ ଦୂରଛଡ଼ା ହେଇଗଲୁ । ଟିକେଟିକେ ପ୍ରେଟ୍ରୋମାକ୍ସ ଆଲୁଅରେ ଦେଖିଲି, ତାଙ୍କ ସୁନ୍ଦର ମୁହଁ ମଉଳଣ ଲାଗୁଥିଲା । ସେ କହିଲେ – ଟିକେ କଣ୍ଡକ୍ଟରଙ୍କୁ କହି ମୋ ସିଟ୍ ବଦଳାଇ ଦିଅନ୍ତେନି? କାହିଁକି? ଯେତେ ସଲ୍ଲଜ ଭାବେ କହିଥିଲେ ବି, ତାଙ୍କ କଥା ଶୁଣି ମୋ ଅକଲ ଗୁଡୁମ୍ । ପଛ ଯାତ୍ରୀ ସିଟ୍ ପଛରୁ ହାତ ପୂରାଉଛନ୍ତି, ଏବଂ ସେଯାଏଁ ଝିଅଟି ନରଖର ହେଉଛି । ଟିକେ ବି ଆଖି ବୁଜି ପାରିନି । କଥିତ ଯାତ୍ରୀ ଜଣକ ଥିଲେ ସେ ଜମାନାର ଇସ୍ପାତ କାରଖାନାର ଜଣେ ପଦସ୍ଥ ଅଧିକାରୀ । ସଭା ସମିତିରେ ଭାଷଣ ଦିଅନ୍ତି । ମୋର ଚିହ୍ନା । ସେଠି ବସ୍ ରହେ ପନ୍ଦର ମିନିଟ୍ । ପେଁ ପାଁ କରି ଆଉ ଦି’ ତିନି ମିନିଟ୍ । କଣ୍ଡକ୍ଟରଙ୍କୁ କହି ସିଟ୍ ବଦଳେଇବା ସହଜ ଥିଲା । ମାତ୍ର ଚଟ୍ପଟ୍ ମନକୁ ଆଉ ଦି’ଟା ବିପଦ ଆସିଲା । ୧. ଏବେ ଏ କାମ କଲେ କେହି କିଛି ପଚାରିବେନି, ବରଂ ଅପବିତ୍ର ମନ ନେଇ ଝିଅଟି ଆଡ଼କୁ ଅନେଇବେ – ଇଏ କାଇଁ ସିଟ୍ ବଦଳେଇଲା? ୨. ପୁଣି, ଯେଉଁ ନୂଆ ସିଟ୍ରେ ବସିବ ତା ପଛ ଲୋକଟି ଯେ ଭଦ୍ର ହୋଇଥିବ – ୟା’ର କି ଗ୍ୟାରେଣ୍ଟି ଅଛି?
ଦେଖିଲି, ଓଡ଼ିଆ ଝିଅ ବୋହୂଙ୍କ ପରି ତାଙ୍କ ସୁନା ଚୁଡ଼ିରେ ଥାଏ ଗୋଟିଏ ସେଫ୍ଟି-ପିନ୍ । ଆଇଡିଆ ବଦଳାଇଲି । ମୁଁ ତାଙ୍କ ଧାଡ଼ିର ସିଧା ଆରପଟରେ ବସିଥାଏ । କହିଲି – ତମେ ସେଇଠି ବସ । ମୁଁ ଆଉ କଟକ ଯାଏ ଶୋଇବିନି । ବସ୍ ଚାଲିଲା । ଆଲୁଅ ବନ୍ଦ ହେଲା । ପୁଣି ଥରେ ଅନ୍ଧାର । ବଇଣ୍ଡାରୁ ଅନୁଗୁଳ ମଝି ଜଙ୍ଗଲରେ କେଉଁଠି – ବସ୍ ଭିତରଟା ଏକ ବିକଟାଳ ଶବ୍ଦରେ ଥରିଗଲା । ସମସ୍ତଙ୍କ ନିଦ ଭାଙ୍ଗି ଗଲା । ବସ୍ ରହିଲା । ଲାଇଟ୍ ଜଳିଲା । କଣ୍ଡକ୍ଟର ଆସିଲେ । ସିଟ୍ ଛାଡ଼ି ସବୁ ଯାତ୍ରୀ ପରସ୍ପର ଦେଖାଦେଖି ହେଲେ । ସେ ନିର୍ଲଜ ଲୋକଟା ବି । କେବଳ ହଲଚଲ ହୋଇ ନ ଥିଲା ଝିଅଟି ଏବଂ ଉଠି ନ ଥିଲି ମୁଁ । କାହାରି କିଛି ଅଭିଯୋଗ ନ ଥିଲା । ପୁଣି ବସ୍ ଚାଲିଲା ।
୨୦୦୧ – ‘ମହିଳା ସଶକ୍ତୀକରଣ’ ବର୍ଷ’ ପାଳନ ହେଉଥାଏ । ସେତେବେଳକୁ ସେ ଏକ ସରକାରୀ କଲେଜର ଉପାଧ୍ୟକ୍ଷା । ମତେ କଲେଜ ଡାକିଥାଏ ଆନୁଆଲ୍-ଡେ’ ବକ୍ତା ଭାବେ । ଭଦ୍ରମହିଳା ଛାତ୍ରଛାତ୍ରୀଙ୍କୁ ମୋ ସଂପର୍କରେ ବକ୍ତା-ପରିଚୟ ଦେଇ ଏଇ ବଇଣ୍ଡା କଥା, ନିଜ ବସ ଯାତ୍ରା ଓ ସେଫ୍ଟିପିନ କଥା କହିଲେ । ‘ମୁଁ ପାଖରେ ଅଛି’ – ମୋର ଏଇ କଥା ପଦକ ତାଙ୍କୁ କୁଆଡ଼େ ସାହସୀ କରିଥିଲା । ତା ପରେ ମୋ ଭାଷଣ ସରଳ ହୋଇଗଲା । ନାରୀ ଯେତିକି ଦୁର୍ବଳ ନୁହେଁ ଆମେ ତାକୁ ତତୋଽଧିକ ସୁରକ୍ଷା ଦେବାକୁ ଚାହୁଁ । ସେଫଟିପିନରେ ଶକ୍ତି ନ ଥାଏ – ଥାଏ ସାହସରେ । ପୁରାଣ, ଶାସ୍ତ୍ର, ସଙ୍ଗ, ଢଙ୍ଗ, ଆଚାର, ବିଚାର, ପ୍ରେମ, ବୈରାଗ୍ୟ – ସବୁଥିରେ ଦୋଷର ଛୋଟ ବଡ଼ ତାଲିକା ଅଛି । ମାତ୍ର ବହୁ ଉତ୍ପାତ ଉପୁଜେଇବାକୁ ସକ୍ଷମ ମଣିଷର ‘ଆଳୁ ଦୋଷ’ – ଏ ନାଁ କୋଉ ଲିଷ୍ଟରେ ବି ନାହିଁ ।
‘ଦିୱାଲୀ ଗିଫ୍ଟ
ସମ୍ପାଦନା୧୯୮୪ । ‘ବାପାରାଣ ଢିଙ୍କ ଗିଳ୍’ ଅବସ୍ଥାରେ ପଡ଼ି ଏକ ନୂଆ ସମ୍ବାଦପତ୍ରରେ ଅଳ୍ପ କାଳ ମତେ ସାମ୍ବାଦିକତା କରିବାକୁ ପଡ଼ିଥିଲା । ଉଭୟ ଜାଣିଥାଉ – ଏ ବନ୍ଧନ ସ୍ଥାୟୀ ନୁହେଁ । କାରଣ ସେତେବେଳକୁ ମୁଁ ରାଉରକେଲା ଇସ୍ପାତ କାରଖାନାର ସ୍ଥାୟୀ କର୍ମଚାରୀ । ଟ୍ରେଡ଼ୟୁନିଅନ ଏବଂ ରାଜନୀତିରେ ଦମ୍ଭିଲା ପାଦ ରଖି ସାରିଥାଏ । ତା ଆଗରୁ ସ୍ତମ୍ଭ ଲେଖା ଚାଲିଥାଏ, ‘ପ୍ରଜାତନ୍ତ୍ର’ରେ । ଷ୍ଟିଲ ପ୍ଲାଣ୍ଟ ବେତନ ଓ ସୁଖସୁବିଧା ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଠାରୁ ଢେର ଉପରେ ଥାଏ । ଦୁଇ ଜାଗାରୁ ବେତନ ନେଇ ମୂଳ ଚାକିରିକୁ ବିପଦରେ ପକାଇବା ପରି ସାହସ ନ ଥିଲା । ସେମାନେ ଆମ ଘରର ଟେଲିଫୋନ ଖର୍ଚ୍ଚ ପୂରା ବହନ କଲେ ଓ ମୁଁ ତାଙ୍କ ଲାଗି କାମ କଲି । ଟେଲିଫୋନ ଖର୍ଚ୍ଚ – ତିନି ମାସକୁ ରେଣ୍ଟ୍ ୬୦ ଟଙ୍କା । ୩୦୦ ଲୋକାଲ୍ କଲ୍ ଫ୍ରି । କଲ୍ର ଟାଇମ୍-ଲିମିଟ୍ ନଥିଲା । ଥରେ ଟେକି ଚବିଶ ଘଣ୍ଟା ଗପସପ ହେଲେ ବି ତାହା ଗୋଟେ ୟୁନିଟ୍ । ପ୍ରେମଗପ ପାଇଁ ଥିଲା ସୁବର୍ଣ୍ଣଯୁଗ ।
ହଁ, ସାମ୍ବାଦିକ ହେବାକୁ ମୋର ଗୋଟିଏ ଇଚ୍ଛା ଥାଏ । ତାହା ହେଲା, ସେତେବେଳକୁ ଓଡ଼ିଆଙ୍କ ନବୋଦ୍ଭାସିତ ପ୍ରାଧାନ୍ୟ ସହ ରାଉରକେଲା ରାଜ୍ୟର କଳା, ସଂସ୍କୃତି ଓ ଶିଳ୍ପ ପାଇଁ ଏକ ତୁଙ୍ଗ ମିଳନସ୍ଥଳୀ ହୋଇ ସାରିଥିଲେ ସୁଦ୍ଧା ଓଡ଼ିଆ ଖବରକାଗଜରେ ସହରର କୌଣସି ପ୍ରକାଶ ନଥିଲା । ଗଜରା-ହାର ପରି ସପ୍ତାହରେ ଦିନେ ବା ଦୁଇ ଦିନ ହାତଖଞ୍ଜା ଫର୍ମା ଅକ୍ଷରରେ ମାତ୍ର ଏକ କଲମ୍ ବା ତା’ଠୁଁ କମ ସାଇଜ୍ର ରାଉରକେଲା ଖବର ପ୍ରକାଶ ପାଉଥିଲା । ତାହା ବି କେବଳ ରାଉରକେଲାର ନୁହେଁ - ପୂରା ସୁନ୍ଦରଗଡ଼ ଜିଲ୍ଲାର । ସେତିକିରେ ଥିବ କାରଖାନାର ପ୍ରେସ୍ନୋଟ, ୟୁନିଅନଗୁଡ଼ିକ ଭିତରେ ଚାଲୁଥିବା ଝଗଡ଼ାଝାଟି ଓ ବାତ୍ଫୁର୍ସି, ଜିଲ୍ଲାର ସମସ୍ୟା ଓ ସଂସ୍କୃତି । ଆଖିକି ବିଚିତ୍ର ଦେଖାଯାଉଥିଲା । ପୋତା ସରିଲା ପରେ ବନ୍ଧ ଭାଙ୍ଗିବା ଖବର ବାହାରିଲା ପରି ସେଥିରେ ଟାଇମ୍ ରିଲେଭାନ୍ସ ନ ଥିଲା । ଇଂଲିଶ କାଗଜ କଥା ନକହିଲେ ଭଲ । କାହାରି ଜଣେ କେହି ସମ୍ବାଦିକ ବି ନଥିଲେ । ସୁଯୋଗ ଥିଲା, ତେଣୁ ହିନ୍ଦୀ ମାଡ଼ିବାକୁ ଲାଗୁଥିଲା ।
ମୋର ମାତ୍ର ଗୋଟିଏ ସର୍ତ୍ତ ଥିଲା – ମୋ ପାଇଁ ପ୍ରତିଦିନ ଦି କଲମ୍ ଜାଗା ଦେବେ ତ? କିନ୍ତୁ ସଂପାଦକଙ୍କର ସନ୍ଦେହ ଥିଲା – ରାଉକେଲାରେ ଏତେ କଥା ଘଟେ କି? ଏବେ ସେଠି ସାତଟି ରାଜ୍ୟସ୍ତରୀୟ ଖବରକାଗଜର ସ୍ଥାନୀୟ ସଂସ୍କରଣ ଓ ଗଲତି ଗଫଲ୍ତି ସହ ଆଉ ଚାରୋଟି ଦୈନିକୀ ଏବଂ ଅନ୍ୟୂନ ପନ୍ଦରଟି ସାପ୍ତାହିକ/ପାକ୍ଷିକ ପ୍ରକାଶ ପାଉଛି । ଉପରୋକ୍ତ ଇଚ୍ଛା ଛଡ଼ା, ସାମ୍ବାଦିକତା ବୃତ୍ତିରୁ କିଛି ଅଧିକ ଗୌରବ ଅର୍ଜନ କରିବା ମୋ ସୂଚୀରେ ନ ଥାଏ । ଆମର ଛୋଟିଆ ପରିବାର । କିନ୍ତୁ ଘରେ ଏମିତି ତିନି ଚାରି ଡବା କିଲିକିଆ ଅମୁଲ ଖର୍ଚ୍ଚ ହେଉଥିଲା ଚା’ ପାଇଁ । ସାମ୍ବାଦିକ ହେବା କଥା ଶୁଣି ଚାକିରିଆ ସ୍ତ୍ରୀ କହିଲେ, “ତମେ ଏତେ ବଢ଼ନି । ଆମେ ଛିଡ଼ି ଯାଉଛୁ । ନହେଲେ ଏଣିକି ପିଲାଙ୍କ ଟିଉସନ ବନ୍ଦ କରିବାକୁ ପଡ଼ିବ ।”
ମୋ ଇଚ୍ଛା ଓ ପତ୍ନୀଙ୍କ ଆବଶ୍ୟକତା ତଉଲିବାକୁ ଏକା ପ୍ରକାର ତରାଜୁ ନଥିବାରୁ ମୁଁ ତାଙ୍କୁ ଭରସା ଦେଉଥିଲି – ଇଏ ଏକଦମ୍ ଟେମ୍ପରାରି କାମ । ବ୍ୟସ୍ତ ହୁଅନି ।
ଅସଲ ସାମ୍ବାଦିକତାକୁ ମୁଁ ପ୍ରଥମ ହାବୁଡ଼ିଲି ସେ ବର୍ଷ ଦୀପାବଳୀର ଆଗ ଦିନ । ମୋ ସାମ୍ବାଦିକ ଜୀବନର ସପ୍ତାହେ ବି ପୂରି ନ ଥାଏ । ଜଣେ ସିପାହୀ ଘରେ ପହଞ୍ଚିଲେ । ଠକ୍-ଠୁ-ଛୋ ପରି ସଲାମ୍ଟେ ମାରି “ଅମୁକ ଇନ୍ସପେକ୍ଟର ବାବୁ ପଠାଇଛନ୍ତି” କହି ଦୁଇଟା ପ୍ୟାକେଟ୍ ଥୋଇଲେ । ଗୋଟିକରେ ଥିଲା କେତେ ପ୍ରକାର ମିଠେଇ ଏବଂ ଅନ୍ୟଟି ଥିଲା ବେଶ୍ ବଡ଼ କାର୍ଟୁନ । ରକମ ରକମ ବାଣ । ସଂଯୋଗକ୍ରମେ କଥିତ ଇନ୍ସପେକ୍ଟରଙ୍କ ସହିତ ଆମର ପାରିବାରିକ ସମ୍ବନ୍ଧ । ତାଙ୍କୁ ଫୋନ କଲି । ସେ କହିଲେ, “ତମେ ସେଗୁଡ଼ା କିଛି ଭାବନା, ଇଏ ଆମର ପରମ୍ପରା ।” ସେହି ଫୋନରେ ସେ ସିପାହୀଙ୍କୁ କହିଲେ – ସାର୍ଙ୍କୁ ଟିକେ ଲିଷ୍ଟ୍ଟା ଦେଖେଇ ଦେ । ଦେଖିଲି । ତରତରିଆରେ ମୋ ନାଁଟି ତାଲିକାର ଶେଷକୁ ଯୋଡ଼ା ହୋଇଥିଲା । ସେତେବେଳେ ରାଉରକେଲାରେ ଥାଏ ତିନୋଟି ଥାନା । ପରେପରେ ସବୁଠାରୁ ପ୍ରାୟ ଏକାପରି ଦିୱାଲୀ ଗିଫ୍ଟ ଆସିଗଲା । ସାମ୍ବାଦିକତାର ଏ ରୂପକୁ ହାବୁଡ଼ି ମୁଁ ଟିକେ କନ୍ଫିଉଜ୍ ହେଉଥାଏ, କିନ୍ତୁ ବାଣ ଦେଖି ଆମ କୁନି ପିଲାମାନେ ଖୁସି ହେଉଥା’ନ୍ତି । ପିଲାଙ୍କ ଖୁସିରେ ମା’ଙ୍କ ମୁହଁ ଚକ୍ଚକ୍ କରୁଥାଏ ।
ଫୁଲ ପାଇଁ କାଲି ନାହିଁ
ସମ୍ପାଦନାଦାସିଆ ଅଜା । ମୋ ଯୌବନର ମୁଗ୍ଧ ମୋହାଚ୍ଛନ୍ନ ନାଁଟିଏ । ତାଙ୍କ ସହିତ ଢେର ପରିଚୟରେ ଆସିଛି । ବାହାନାହୀନ ମଣିଷଟିଏ । ଆଣ୍ଠୁଲୁଚା ଗେରୁଆ ଧୋତି । ବେକରେ ଖଣ୍ଡେ ଗାମୁଛା । ହାତରେ ବାଉଁଶ ବାଡ଼ିଟେ । କାନ୍ଧରେ ଝୁଲାମୁଣି । ଦାସିଆ ଅଜା – ସେହି ନାଁର ପରିଚୟ ଓ ବିସ୍ତୃତି ବିଶ୍ୱାସର ଇନ୍ଦ୍ରଧନୁ ଛୁଇଁବାକୁ ବହୁତ ଦୂର ଲମ୍ବି ଯାଇଛି । ଗହଳ ଗଜରାରେ ଗୋଟିକିଆ ଫୁଲର କିଛି ପରିଚୟ ନ ଥାଉ ପଛେ, ସେ ମୋ ସ୍ମୃତିରେ ଏକ କଅଁଳିଆ ନାଁ । ଗତ ସତୁରି ଦଶକ ପ୍ରଥମାର୍ଦ୍ଧ । ରାଉରକେଲା । ଦିନେ ଘରକୁ ଫେରି ପାଇଲି ଡାକପିଅନଙ୍କ ସ୍ଲିପ୍ ଖଣ୍ଡେ – ମନିଅର୍ଡର ଆସିଛି । ପୋଷ୍ଟ ଅଫିସ ଆସି ଏ ସ୍ଲିପ୍ ଦେଖେଇ ନେଇଯିବେ । ପ୍ରଥମାଷ୍ଟମୀ, ରଜ, କୁଆଁର ପୂନେଇ ବା ପିଲାଙ୍କ ଜନ୍ମଦିନ ସେମିତି କିଛି ପାଖାପାଖି ନ ଥାଏ । କାଲି ପୋଷ୍ଟଅଫିସ ଖୋଲିବା ପର୍ଯ୍ୟନ୍ତ ଆହ୍ଲାଦ ସମ୍ଭାଳି ନେବା । ଯାହା ହେଉ, କିଛି ଆସିଛି ତ! ଏମ.ଓ. ପରିମାଣ ଥାଏ ମାତ୍ର ଦଶ ନୂଆ-ପଇସା । ଡାକବାବୁ ପଚାରିଲେ, “କିଛି ବାଦ ବିବାଦ ପାଉଣା କି?” “ନାଇଁ ତ । ଜାଣିନି ।” “ଦଶ ପଇସା ଲାଗି କମିସନ ଟଙ୍କାଟେ ।” ସେ ବୋଧେ ମନେମନେ ହସୁଥିଲେ । ପ୍ରେରକ ଥିଲେ – ଦାଶରଥୀ ପଟ୍ଟନାୟକ, ଯଦୁମଣି ସାହିତ୍ୟ ସଂସଦ, ଉଦୟପୁର, ନୂଆଗାଁ, ଜିଲ୍ଲା - ପୁରୀ ।
କଥା କ’ଣ? କୁପନ ଚିଠି ପଢ଼ି ମନରେ ମହକର କୋଇଲି ଉଡ଼ିଲା । ଭଦ୍ରଲୋକ କିଏ ଜାଣି ନଥିଲି । ହସ୍ତାକ୍ଷର ଆଧୁନିକ ଓ କରଣୀ ମିଶା । ମାଚିଓର୍ । ମୋର ଗୋଟିଏ ଲେଖା ସେ କେଉଁଠି ପଢ଼ିଥା’ନ୍ତି । କୁପନର ଏପାଖ ସେପାଖ ସିଇଁଲା ପରି ପ୍ରଶଂସାର ଭାଷାଗୁଡ଼ିଏ । ସେତେବେଳେ ମୋ ବୟସ ଯାହା, ଯେତେ ପଢ଼ିଲେ ସେ ଚିଠି ସରୁ ନଥାଏ ବା ମନ ପୂରୁ ନଥାଏ । ଯାହା ମନେ ପଡ଼ୁଛି, ଉତ୍ସାହିତ କରିବାକୁ ସେଥିରେ ପଦ ଥିଲା – ଫୁଲ ପାଇଁ କାଲି ନାହିଁ । ଫଳ ହୋଇ ଯିବ । କବି କେବେ ମଲି ବୋଲି କହିବନି । କାରଣ ସେ ସଂସାରରେ ନିଜ ଲେଖା ଛାଡ଼ି ଯାଇଥିବ । ତମ ଲେଖା ନୂଆନୂଆ ଲାଗୁଛି । ଆହୁରି ଲେଖ । ବହୁତ ଲେଖ । ମନିଅର୍ଡର କୁପନ ଚିଠିଟିଏ । କି କମ୍ପାକ୍ଟ ଏକ୍ସପ୍ରେସନ୍ । ପାଠକୀୟ ଚଠିପତ୍ର ପାଇବା, ପଢ଼ିବା, ହଜମ କରିବା ବା ବାନ୍ତି କରିବା ଆଦି ଅଳ୍ପ କିଛି ଅଭ୍ୟାସ ହୋଇଥିଲା । ସେତେବେଳେ ଚିଠିର ଜଗତ । ସଂପର୍କ ପାଇଁ ଅତି ସହଜ ସେତୁ । ମାତ୍ର ତାଙ୍କ ପ୍ରଥମ ଦଶ ପଇସା ମନିଅର୍ଡର ଭୁଲିବା ଉପାୟ ନାହିଁ ମୋର ।
ଆମେରିକୀୟ ଲେଖକ ଉଇଲିଅମ ଅର୍ଥର ୱାର୍ଡଙ୍କର ଗୋଟିଏ ଉକ୍ତି ହେଲା, “Flatter me, and I may not believe you. Criticize me, and I may not like you. Encourage me, I will not forget you. Love me and I may be forced to love you.” ମୁଁ ଚିଠି ଦେଲି । ସଂପର୍କ ଆପେ ଗଢ଼ି ହେଲା । ଦଶ ପଇସା ମନିଅର୍ଡର ଅତି ବେଶିରେ ଆଉ ଚାରି ପାଞ୍ଚ ଥର ପାଇଥିବି । ମୋର ସ୍ତମ୍ଭ ଲେଖା ‘ପ୍ରଜାତନ୍ତ୍ର’ରେ ଆରମ୍ଭ ହେଉଥାଏ । ଏଣିକି ତାଙ୍କଠାରୁ ପୋଷ୍ଟକାର୍ଡ ଆସିଲା । ବିଷୟବସ୍ତୁ ଛାଡ଼ି, କାର୍ଡରେ କେତୋଟି ରବର ଷ୍ଟାମ୍ପ୍ ସ୍ଲୋଗାନ୍ ଥାଏ । ‘ପ୍ରତିଭା ପୂଜା ଆମର ଧର୍ମ ହେଉ’ ବା ‘ଚିଠି ଦେଲେ ପିନ୍-କୋଡ୍ ଲେଖି ନିଜର ପୂରା ଠିକଣା ଦେବେ’ ଇତ୍ୟାଦି । ତାଙ୍କ ପ୍ରୟାସ ଓ ପରିଚୟ ସଂପର୍କରେ କିଛି ସମ୍ମାନଜନକ ରେଣ୍ଡମ୍ ଧାରଣା ହୋଇସାରିଥାଏ । ଲିଓନାର୍ଡ ଡା’ ଭିନ୍ସି କହିଥିଲେ, ସରଳତା ହିଁ ମଣିଷ ପାଇଁ ଚୂଡ଼ାନ୍ତ ରୁଚିସିଦ୍ଧ ରୂପ । ଦାସିଆ ଅଜାଙ୍କ ସରଳତା ଅନୁଭବ କରିଛି, କିନ୍ତୁ ତାହା ଭାଷାରେ କହିପାରିବିନି । ୧୯୮୨ର ଏକ ଖରାଦିନିଆ ସକାଳ । ଘରୁ ବାହାରିବାକୁ ପ୍ରସ୍ତୁତ ହେଉଥାଏ । କଲିଂବେଲ୍ ଶୁଣି ଝିଅ ଆସି କହିଲା, “ତମକୁ ଜଣେ ବାଆଜୀ ଖୋଜୁଛନ୍ତି ।” “ଟଙ୍କେ ଦି’ ଟଙ୍କା ଦେଇ ବିଦା କରି ଦେଲୁନି? ଦେଖା କରିବାକୁ ମୋର ବେଳ କାହିଁ?” “ନାଇଁ ପରା । ସିଏ ତମ ନାଁ କହି ଖୋଜିଲେ । ଡ୍ରଇଂରୁମ୍ରେ ବସିଛନ୍ତି ।”
ଖୁବ ଆଦରରେ ଦେଖା କରିବାକୁ ଯାଇ ନଥିଲି । କିନ୍ତୁ ସେ କୌଣସି ବାବାଜୀ ନଥିଲେ । ଥିଲେ ଦାଶରଥୀ ପଟ୍ଟନାୟକ । ଆସିଥା’ନ୍ତି ଜଣଙ୍କ ସାଇକେଲ କ୍ୟାରିଅରରେ ବସି । ପିଲାଟି ଆର ସୋଫାରେ ବସିଥାଏ । ମୋ କଳ୍ପନାର ଇମେଜ୍ ଠାରୁ ନିହାତି ଅଲଗା ଚେହେରାର ସାଦାସିଧା ଲୋକଟିଏ । ପୂର୍ବରୁ ଚିଠିପତ୍ରରେ ସୁଦୃଢ଼ ପରିଚୟ ଥିବାରୁ ତାଙ୍କ ପ୍ରେମରେ ପଡ଼ିବାକୁ ଆମ ପରିବାରକୁ ଖୁବ କମ ସମୟ ଲାଗିଲା । ବରାଦ କଲେ – ମୁଁ ଖାଇବି । କ’ଣ ଖାଇଲେ? ଚା’ ଆଉ ମୁଢ଼ି । ମେଲେଇ ଦେଲେ ଗପର ଜାଲ । ଓଡ଼ିଆ ଭାଷା ଓ ଗବେଷଣାର ସେବା ପାଇଁ ଜଣ ପିଛା ଦଶ ପଇସା ଲେଖା, ଏମିତି ଆମ ଘରୁ ଆଠ ଅଣା ଚାନ୍ଦା ନେଲେ । ତହୁଁ ଅଧିକ ନୁହେଁ ବା କମ ନୁହେଁ ।
ସେତେବେଳକୁ ମୁଁ ଜଣେ ରାଜନୈତିକ ଲୋକ । ‘ଜନସେବା’ କରୁଥାଏ ଏବଂ ତା ବଦଳରେ ଯେତିକି ଅଯଥା ଖାତିରି ଓ ନିଲଠ ପ୍ରଶଂସା ମିଳିବା କଥା ମିଳୁଥାଏ । ସେ ଗୋଟିଏ ସମସ୍ୟାରେ ପଡ଼ି ମୋ କତିକି ଆସିଥା’ନ୍ତି । ତାହା ଥିଲା, ଜଣେ ‘ସ୍ୱାଧୀନତା ସଂଗ୍ରାମୀ’ ଭାବେ ସେ ସରକାରୀ ବସ୍ରେ ରିହାତିରେ ଆତଯାତ କରି ପାରିବେ ବୋଲି ଏକ ପରିଚୟ/ଅନୁମତି ପତ୍ର ତାଙ୍କ ପାଖରେ ଥାଏ । ବ୍ୟବସ୍ଥାଟି ନୂଆ ପ୍ରଚଳନ ହୋଇଥାଏ । ସେତେବେଳେ ରାଉରକେଲାରୁ କଟକ ଭୁବନେଶ୍ୱର ଆତଯାତ ପାଇଁ କେବଳ ସରକାରୀ ବସ । ସେଥିରେ ଅସମ୍ଭବ ଭିଡ଼ ହୁଏ । ଲୋକେ ରାତିରୁ ଇଟା ଥୋଇ ସକାଳେ ଟିକଟ ପାଇଁ କ୍ୟୁ ଦେଉଥିଲେ । ବଢ଼ି ଭୋରୁ କ୍ୟୁ ଦେଇ ସେ କାଉଣ୍ଟରରେ ପହଞ୍ଚି ସରକାରଙ୍କ ଅନୁମତିପତ୍ର ଦେଖାନ୍ତି । ସେଠି ବୁକିଙ୍ଗ୍ କରୁଥିବା କଣ୍ଡକ୍ଟର ଏ କାଗଜ ଦେଖି ବୁଝି ପାରିନି । ଇଏ ବୁଝାଇବାକୁ ଚେଷ୍ଟା କରିଛନ୍ତି । ସେ ବିରକ୍ତ ହୋଇଛି । ଦାସିଆ ଅଜା କହିଛନ୍ତି, “ତୁମ ହାକିମ କୋଉଠି ମିଳିବେ, ତାଙ୍କୁ ଦେଖା କରିବି ।”
ଚିହିଙ୍କି ଉଠିଛି କଣ୍ଡକ୍ଟର । “ମୋ ନାଁରେ କମ୍ପ୍ଲେନ୍ କରିବୁ?” ସିଟ୍ ଛାଡ଼ି ପଦାକୁ ଆସି ୟାଙ୍କୁ ଧକ୍କାଟେ ପକେଇଛି ଏବଂ ସେ ପଡ଼ି ଯାଇଛନ୍ତି । କେହି ପ୍ରତିବାଦ କରି ନ ଥିଲେ । କ୍ୟୁରୁ ଜଣେ କମିଲା ଭାବି ସେମାନେ ଖୁସି ହୋଇଥିବେ । ୧୮୯୩, ଦକ୍ଷିଣ ଆଫ୍ରିକାରେ ଓକିଲ ମୋହନଦାସ କରମଚାନ୍ଦ ଗାନ୍ଧୀ ଯେମିତି ପଡ଼ିଯାଇଥିଲେ, ଏକଥା ଶୁଣିଲାବେଳକୁ ରକ୍ତ ଟକ୍ମକ୍ କରୁଥାଏ । କିନ୍ତୁ ସେ ନିରବ ନିସ୍ପୃହ ଲୋକଟେ ପରି ଘଟଣା କହୁଥା’ନ୍ତି ଏବଂ ସାହାଯ୍ୟ ମାଗୁଥା’ନ୍ତି – ମତେ ଟିକେ ହାକିମଙ୍କ ସାଙ୍ଗରେ ଦେଖା କରେଇ ଦିଅନ୍ତନି । ତୁମେ କୁଆଡ଼େ ନେତା ହୋଇଚ । ମତେ ଜୋତା ଖାଇଲା ପରି ଲାଗୁଥାଏ । ଅନ୍ୟମାନଙ୍କ ଛଡ଼ା, ସେତେବେଳକୁ ଖୋଦ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ମୁଁ ତାଙ୍କ ପ୍ରଶଂସା ଶୁଣିସାରିଥାଏ ।
ତାଙ୍କ ଅନୁରୋଧ ରକ୍ଷା କରିବା ମୋଟେ କଷ୍ଟ ନ ଥିଲା । ଫୋନରେ ଖବର ଶୁଣି ଡି.ଟି.ଏମ. ସାହେବ ତତ୍କ୍ଷଣାତ୍ ଘରେ ପହଞ୍ଚିଲେ ଓ ତାଙ୍କ ପରିଚୟ ଶୁଣି ସେ ପାଦ ଛୁଇଁ ପ୍ରଣାମ କଲେ ଏବଂ ବିଭାଗ ତରଫରୁ କ୍ଷମା ମାଗିଲେ । ତାଙ୍କ ଗାଡ଼ିରେ ସାଙ୍ଗ ହୋଇ ସମସ୍ତେ ଗଲୁ । ଟିକେଟ ହୋଇଗଲା । ଡି.ଟି.ଏମ. ଏକ୍ସଟେନ୍ସନ ଫୋନ୍ରେ ଷ୍ଟେନୋବାବୁଙ୍କୁ କହିଲେ, “ସକାଳେ କିଏ କୋଉ କାଉଣ୍ଟରରେ ଥିଲା ଲିଷ୍ଟ୍ଟା ଶୀଘ୍ର ପଠା ।”
ଦାସିଆ ଅଜା ମତେ ଟପି ହାକିମଙ୍କ ପାଖରେ ହାଜର । ତାଙ୍କ ହାତ ଧରି କହୁଛନ୍ତି, “ମୁଁ ଟିକଟ ପାଇଁ ତୁମ ସାହାଯ୍ୟ ଲୋଡ଼ିଥିଲି । କାହାରି ବିରୁଦ୍ଧରେ ପ୍ରତିଶୋଧ ନେବାକୁ ନୁହେଁ ।” ଡି.ଟି.ଏମ. କାବ୍ବା । ଏତିକିବେଳେ ଲିଷ୍ଟ ନୁହେଁ, ଦି’ ଜଣଙ୍କୁ ସାଙ୍ଗରେ ଧରି ଷ୍ଟେନୋବାବୁ ଭିତରକୁ ପଶିଲେ । ତହିଁରୁ ଜଣେ ଦାସିଆ ଅଜାଙ୍କ ପାଦ ଧରି ପଡ଼ି ରହିଲା – ଯଦିଓ ଦୋଷୀ ବୋଲି ତାକୁ କେହି କହି ନ ଥିଲେ । ପରେ ସେ ମତେ କହିଲେ – ତମେ ସାହାଯ୍ୟ କଲ ଯେ ହେଲେ ମତେ ସୁଖ ଲାଗିଲାନି ।
ମୁଁ ହସିହସି କହିଥିଲି – ସୁଖ କାହାକୁ କହନ୍ତି ନ ଜାଣିବା ଲୋକ କେବେ ବି ସୁଖ ପାଇବେନି । ଆପଣ ନଥିଲେ ସେ ଲୋକଟା କମ୍ସେ କମ୍ ଗୋଟେ ବର୍ଷ ସସ୍ପେଣ୍ଡ୍ ହୋଇଥା’ନ୍ତା । ତାଙ୍କ ଉତ୍ତର ଥିଲା, “ରକ୍ତ ଶୀତଳ ହେଲେ ଏ କଥା ମନେ ପକେଇବ ।”
ଗଧ ଲାତ ମାରିଥିଲେ ବି ...
ସମ୍ପାଦନାଓସ୍କାର ୱାଇଲ୍ଡ କହିଛନ୍ତି - ପ୍ରଭୁ କୁଆଡ଼େ ଅସୀମ ଦୟାବନ୍ତ । ସେ ମଣିଷ ମୁଣ୍ଡରେ କଳ୍ପନା ପରି ଅପୂର୍ବ ଚିଜଟିଏ ଦେଇଛନ୍ତି । ତାକୁ ଆଶ୍ରା କରି, ସିଏ ଯାହା ନୁହେଁ ସେମିତି ନିଜକୁ ଭାବି ପାରିବ । ତା’ଠୁଁ ବି ଭଲ କଥାଟେ ବି ଦେଇଛନ୍ତି । ଟିକେ ମଜା କରିବାର ଇଚ୍ଛା । ୟାକୁ ଆଶ୍ରା କଲେ, ବିଫଳତା ପାଖରେ ଠିଆ ହୋଇ ସୁଦ୍ଧା ସେ ସାନ୍ତ୍ୱନା ପାଉଥାଏ । ନ ହେଲେ କେତେ ଲୋକ ବିଚରା ସୁଇସାଇଡ୍ ନକରନ୍ତେ ଟି! ମୋର ଷଷ୍ଠ ଶ୍ରେଣୀ । ୧୯୫୫-୫୬ । ଏମ୍.କେ.ସି. (ମହାରାଜା କୃଷ୍ଣ ଚନ୍ଦ୍ର) ହାଇସ୍କୁଲ, ବାରିପଦା । ଛାତ୍ରସଂଖ୍ୟାରେ ଓଡ଼ିଶାର ଦି’ ନମ୍ବର ସ୍କୁଲ । ରାଣୀହାଟ ହାଇସ୍କୁଲ ଥିଲା ଏକ ନମ୍ବର । ଚାରିରୁ ସାତ ବା ମାଇନର କ୍ଲାସରେ ଥାଏ ଚାରିଟାଲେଖା ସେକ୍ସନ ଓ ହାଇସ୍କୁଲ ବେଳକୁ ତିନି । ପରେ ଅନେକ ଫର୍ଚ୍ଚା ଦୁନିଆ ଦେଖିଛି, କିନ୍ତୁ ଏମ୍.କେ.ସି. ଠାରୁ ଆଉ କେହି ବଡ଼ କି ଉଦାର ଲାଗନ୍ତି ନାହିଁ । ସେତେବେଳକୁ ଦେଶ ସ୍ୱାଧୀନ । ତେବେ ବି, ରାଜାଶାସନର ମହକ ଝଲକୁ ଥାଏ । ହେଡ୍ମାଷ୍ଟର (ଆମବେଳେ ଥିଲେ, ଶ୍ରୀଯୁକ୍ତ ଗୌରୀପଦ ତ୍ରପାଠୀ) ଖରାଦିନେ ସୁଦ୍ଧା କୋର୍ଟ-ଟାଏ ପିନ୍ଧି ସ୍କୁଲ ଆସିବେ । ସ୍କୁଲରେ ଥିଲେ ଚାରି ଜଣ ଗେମ୍-ଟିଚର୍ । ହେଡ୍ ଗେମ୍-ସାର୍ ଥିଲେ ବିଖ୍ୟାତ ଶ୍ରୀଯୁକ୍ତ ବ୍ରଜ ସୁନ୍ଦର ଦାସ । ବେଙ୍ଗଲ-ବିହାର-ଓଡ଼ିଶା ଗୋଟିଏ ଟିମ୍ ବେଳର ସେ ଥିଲେ ପ୍ଲେୟାର । ଶୁଣିଚୁ, ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ କଲିକତାରେ ତାଙ୍କ ଖେଳ ଦେଖି ଏତେ ଖୁସି ହୋଇ ଯାଇଥିଲେ ଯେ ତାଙ୍କୁ ଆଣି ସିଧା ଏମ୍.କେ.ସି.ରେ ଗେମ୍ ଟିଚର୍ କରିଦେଲେ । ଧରାଯାଉ, ଫୁଟବଲ ପାଇଁ ଥିଲେ ସେ ଭୀଷ୍ମ ପିତାମହ ।
ବାରିପଦା ଫୁଟ୍ବଲ୍ ଖେଳରେ ଫେମସ୍ ଥିଲା । ସବୁ ଥିଲା ଏମ୍.କେ.ସି.ର ଦାନ । ସାଦାସିଧା ଲୋକଙ୍କ ରକ୍ତରେ ବି ଫୁଟ୍ବଲ୍ ଢେଉ ଖେଳୁଥିଲା । ଆମେ ତ ସହଜେ ପିଲା । ଧ କହିଲେ ଧଣ୍ଡ ସାପ ଭିଡ଼ି ଆଣିବୁ । ଆମ ପିଇସୀ-ପୁଅ ଓ ମୋଠୁଁ ବଡ଼ ଶ୍ରୀ ବୈଦ୍ୟନାଥ ଦାସ (ବଇଦା) ସେତେବେଳେକୁ ଫୁଟବଲ ଆକାଶରେ ବେଶ୍ ନାମୀ ତାରାଟିଏ ପରି ଝଟକୁ ଥା’ନ୍ତି । ତାଙ୍କ ପରି ଆହୁରି ଅନେକ ଥିଲେ, କିନ୍ତୁ ସମସ୍ତେ ପ୍ରାୟ ଦଶମ ଓ ଏକାଦଶ ଭିତରେ ଇତସ୍ତତଃ ହେଉଥିବା ଛାତ୍ରବୃନ୍ଦ । ସବୁଠୁଁ ଟାଣୁଆ ଶିକ୍ଷକମାନେ ମଧ୍ୟ ଏମାନଙ୍କ ତୃଟିକୁ ଗର୍ଆନ୍ଦାଜ କରନ୍ତି । କେବେକେମିତି ମୃଦୁ ଭର୍ତ୍ସନା କରନ୍ତି ବା ନହେଲେ ନାହିଁ । ଅନ୍ୟ ପିଲାଙ୍କୁ ବାଡ଼େଇଲା ବେଳେ ଏକା ତୃଟିରେ ବି ସେମାନଙ୍କ ପାଇଁ ସଦୟ ହୁଅନ୍ତି । ସେମାନଙ୍କର ‘ଫ୍ଲେଡ୍’ ପଡ଼େ ନାହିଁ । ବଇଦାଇଙ୍କର ସାଇକେଲ ଥିଲା । ମୁଁ ତାଙ୍କ ଘରେ ରହୁଥିଲେ ବି ଦୁହିଁଙ୍କ ଜଗତ ଥିଲା ଅଲଗା ଅଲଗା । ସେ ଜଣେ ପ୍ଲେୟାର ଓ ମୁଁ – କିଛି ନୁହେଁ । ପାଠକୁ ଗୁଲି ମାର । ସେ ମୋ ପାଇଁ ଆଇକନ ଥିଲେ । ଏମିତି ଆଇକନ ଯେ ତାଙ୍କ ପାଖରେ ନିଜ ଫୁଟବଲ ଆଗ୍ରହ ଦେଖେଇଲେ ହିଁ ମୋର ମାଡ଼ ଖାଇବା ଥୟ । କାରଣ ବି ଥିଲା । ପିଇସା କି ଅପା ତାଙ୍କ ଖେଳ-ଯଶରେ ମୋଟେ ବିମୋହିତ ହେଉ ନଥିଲେ । ସେ ମାଡ଼ ଖାଇବାରେ ମୁଁ ସାକ୍ଷୀ ହୋଇ ପଡୁଥିଲି । ନିଜ ଲାଜ ସେ ଶୁଝାନ୍ତେ କାହା ଉପରେ? ଯାହାହେଉ, ମୋର ଫୁଟବଲ ଖେଳ ଝୁଙ୍କ ବଢ଼ିଲା ସିନା କମିଲା ନାହିଁ ।
ମନକୁ ଆସିଲା, ଯଦି ଥରେ ସେକ୍ସନ ଟିମ୍ରେ ମ୍ୟାଚ୍ ଖେଳିବାକୁ ଚାନ୍ସ ପାଆନ୍ତି ତା’ହେଲେ ଦି’ଟା ଉପକାର ହୁଅନ୍ତା । ବଇଦାଇ ଇମ୍ପ୍ରେସ୍ ହୁଅନ୍ତେ ଏବଂ ତାଙ୍କ ପରି ମୁଁ ମଧ୍ୟ ଷ୍ଟଡ୍-ଜୋତା ହଳେ ପିନ୍ଧି ଫୁଟବଲ୍ ଖେଳିବା ଆଶା ରଖି ପାରନ୍ତି । ଟିମ୍ରେ କ୍ୟାପଟେନ ବା ଯେତେ ହୁଜ୍-ହୁ, ସମସ୍ତେ ମୋ ସାଙ୍ଗ । ସେମାନଙ୍କ ସେବାରେ ବେଶ୍ ଦି’ ପଇସା ଖର୍ଚ୍ଚ କଲି । ଗୋଟିଏ ଅକୁହା ପ୍ରାର୍ଥନା । କେତେ ଥର ଆଶା ନେଇ ପଡ଼ିଆରେ ଜଗି ବସିଲେ ବି ମୋତେ ଏକ୍ସଟ୍ରାରେ କେହି ରଖିଲେନି । ଲିଗ୍ ପରେ ଲିଗ୍, ଏମିତି ସ୍କୁଲର ଫାଇନାଲ ସରିଗଲା । କହିଲେ କ’ଣ ନା, ଗେମ୍-ସାର୍ ନ କହିଲେ ହବନି । ବିଚକ୍ଷଣମାନେ କେବଳ ଗୋଟିଏ କଥା ଭାବୁଥିବାରୁ ସେମାନେ ବୁଦ୍ଧିଆରା । କିନ୍ତୁ ବାରକଥା ଭାବୁଥିବାରୁ ବୋକାମାନଙ୍କ ବ୍ରେନ୍ ଟିକେ ଅଧିକ କାମ କରେ । ହେଡ୍ ଗେମ୍-ସାର୍ ବ୍ରଜ ବାବୁଙ୍କ ଘର ଲାଲ୍ବଜାର ଆମ ପିଇସାଙ୍କ ‘ବାଲଡିହା ସର୍ଦାର ଘର’ ପାଖ । ତାଙ୍କ ଘରକୁ ଆତଯାତ କଲି । ନଗଣ୍ୟ ଛାତ୍ର ହେଲେ ସୁଦ୍ଧା ମୁଁ ଥିଲି – ବଇଦାର ସାନଭାଇ ଓ ପିଇସାଙ୍କ ପୁତୁରା । ପରିଚୟ ସଙ୍କଟ ହେଲାନି । କେବେ କେମିତି ସାର୍ଙ୍କ ବୋଲହାକ କଲି । ଏଣିକି ସାଙ୍ଗ କ୍ୟାପଟେନ, ଭାଇସ୍ କ୍ୟାପଟେନ ଇତ୍ୟାଦି ମୋତେ ଅଲଗା ନଜରରେ ଦେଖିଲେ । ସେମାନଙ୍କର ବରଂ ସେଠିକି ପ୍ରବେଶ ନାହିଁ । ୟା’ପରେ ମାତ୍ର ଥରଟେ ସେକ୍ସନ ଟିମ୍ରେ ଏକ୍ସଷ୍ଟ୍ରା ଭାବେ ମ୍ୟାଚ ଖେଳିବାକୁ ଚାନ୍ସ ପାଇଲି । ହାଫ୍-ଟାଇମ୍ ପରେ । ମା’ ଅମ୍ବିକାଙ୍କୁ ଡାକିଡାକି ଡେଇଁ ପଡ଼ିଲି । ପାଞ୍ଚ ମିନିଟ ବି ସରିନି । ମୋରି ବଲ୍ରେ ଗୋଲ୍ ହେଇଗଲା । ମନ ଉଚ୍ଚାଟ । ଭାବୁଥାଏ – ବଇଦାଇ ଟିକେ ଦେଖନ୍ତେନି । ଜଣେ ଗେମ୍-ସାର୍ ରେଫରି ଥା’ନ୍ତି । ଗୋଲ୍ ପାଇଁ ଯେଉଁ ଲଙ୍ଗ୍ ହୁଇସିଲ ବାଜିଥିଲା, ତା’ପରେ ଆଉ ଖେଳ ଆରମ୍ଭ ହେଲାନି । ସାର୍ ପଡ଼ିଆ ବାହାରକୁ ହାତ ଦେଖେଇ କହିଲେ, “ସାର୍ ଡାକୁଛନ୍ତି । ଦେଖା କରି ଆ । ଖେଳ ବନ୍ଦ ରହିଲା ।” ସତକୁ ସତ ବ୍ରଜ ସାର୍ ବସିଥା’ନ୍ତି ପଡ଼ିଆ ବାହାରେ ଗୋଟିକିଆ ଚେୟାରରେ । ତାଙ୍କ ପାଖକୁ ଗଲାବେଳେ ଭାବୁଥାଏ – ଭାଗ୍ୟ ଆଉ କାହାକୁ କହନ୍ତି କି? ମୋ ମୁଣ୍ଡରେ ତାଙ୍କ ହାତ ଟିକେ ବାଜି ଯିବ । ସ୍ୱାଭାବିକ, ମନ ଶିହରି ଉଠିଥିଲା । “କିରେ, ତୁ କେବେ ଖେଳିଲୁ? ବଇଦା ଜାଣିଚି?”
ମୁଗ୍ଧ ଏକଲବ୍ୟ ପରି ମିଛ କହିଲି, “ହଁ ସାର୍ ।” ନିଜ ବାହାଦୁରିକୁ ଅଧିକ ସମୃଦ୍ଧ କରିବା ଲାଗି କହିଲି, “ଟିକେ ଆଗରୁ ପଶିଚି, ସାର୍ ।” ବହୁ ପୂର୍ବରୁ ପଶିଥିଲେ ଯେମିତି ପୃଥିବୀଟା ଓଲଟାଇ ପକେଇଥା’ନ୍ତି । ଏ ଦର୍ପ ସହିତ ସାର୍ଙ୍କ ଠାରୁ କିଛି ଉତ୍ସାହ, ଉପଦେଶ ଓ ଆଶୀର୍ବଚନ ଶୁଣିବାକୁ ବିନୀତ ଭାବେ ପାଖରେ ଠିଆ ହୋଇଥାଏ । ତାଙ୍କ ବସିବା ଓ ମୋ ଠିଆ ହେବାର ଉଚ୍ଚତା ସମାନ ଥିଲା । “ତୋ ଖେଳ ଦେଖିଲି । ଫୁଟବଲ୍ଠୁଁ ଅଧିକା ସ୍ପିଡରେ ତୁ ଗ୍ରାଉଣ୍ଡ୍ସାରା ଦୌଡୁଥିଲୁ । ଖେଳୁଥିଲୁ କେତେବେଳେ? ଦଉଡୁଥିଲୁ ତ ବେଶି ।” ଭୈରବୀ ଡାକିଲା, ମେଦିନୀ ଫାଟିଲା. ଉଠିଲେ ଅଷ୍ଟଭୁଜା । ମୋର ଏଇ ଅବସ୍ଥା ହୋଇଗଲା । ବିକଳରେ କହିଲି, “ମୁଁ ଗୋଲ୍ କଲି ଯେ - ?”
“ତୁ ଯେଉଁଠି ଥିଲୁ ସେଠୁ ଗଧ ବଲ୍କୁ ପଛୁଆ ଲାତ ମାରିଥିଲେ ବି ଗୋଲ୍ ହେଇଥା’ନ୍ତା । ଆଉ କିଛି ହେଇନଥା’ନ୍ତା । ଯାହା କରିବୁ ପଛେ, ଜୀବନରେ କେବେ ଫୁଟବଲ୍ ଖେଳିବୁନି । ଆଗରୁ କେବେ ପ୍ରାକ୍ଟିସ କରିଚୁ? ପଶିଗଲୁ ମ୍ୟାଚ୍ ଖେଳିବାକୁ । ଗେଟ୍ ଆଉଟ୍ ।” ହୁଇସିଲ ବାଜିଲା ଓ ମ୍ୟାଚ୍ ଆରମ୍ଭ ହୋଇଗଲା ଆଉ ଜଣଙ୍କୁ ନେଇ ।
ଅହିରାବନ୍ଧ ଜଗନ୍ନାଥ ମନ୍ଦିର
ସମ୍ପାଦନାସେକ୍ଟର-୩ ରାଉରକେଲା ଅହିରାବନ୍ଧ ଜଗନ୍ନାଥ ମନ୍ଦିର ଆଜି ଶୀଳାରୁ ଶାଳଗ୍ରାମରେ ପରିଣତ ହୋଇଛି । ବଡ଼ଦେଉଳର ସବୁ ରୀତିନୀତି ଓ ପରମ୍ପରା । ସେଠି ତିନି ବିଗ୍ରହଙ୍କ ପାଇଁ ତିନି ରଥ ଚାଲେ ଶିଳ୍ପସହରର ବଡ଼ଦାଣ୍ଡ ବା ରିଙ୍ଗରୋଡ଼ରେ । ତାହା ଆଜି ଓଡ଼ିଶାର ସବୁ ପାଞ୍ଚିରେ ଜାଗା ପାଇଛି । ମୁଁ ବିଶ୍ୱାସ କରେ ଯେ ବହୁ ଲୋକ ଯାହାକୁ ଭଲ ପାଆନ୍ତି ସେଇ ହିଁ ଭଗବାନ । ଆପେ ଭକ୍ତି ଯୋଗାଡ଼ କରିନିଏ । ବ୍ୟକ୍ତିଗତ ବିଶ୍ୱାସର ଛୋଟଛୋଟ ଆଇନାର ପ୍ରତିଫଳନ ଯେତେବେଳେ ଗୋଟିଏ ପରିଧିରେ ଠୁଳ ହୁଏ – ଦୁଷ୍ଟ ହେଉ କି ଶିଷ୍ଟ ହେଉ – ଈଶ୍ୱର ଛଡ଼ା ତାହା ଆଉ କିଛି ହୋଇପାରେନା । ସଂଯୋଗକ୍ରମେ, ଆମ ବାସଗୃହ ମନ୍ଦିର ପରିସରଠାରୁ ଅତି ବେଶିରେ ଦି ଶହ ମିଟର ଭିତରେ । ଏହାର ଉଭାରୁ ପ୍ରତିଷ୍ଠା ତ ଆଖିରେ ଦେଖିଚୁ । ରାଜନୀତିରେ ଥିବା କାରଣରୁ ୮୦ ଦଶକରେ କେତେକ ବିବାଦ ସମାଧାନ ଦାୟିତ୍ୱ ସରକାରୀ ଭାବେ ମୋ ଉପରେ ନ୍ୟସ୍ତ କରାଯାଇଥିଲା । ମୁଁ ଯେ ବଡ଼ ଭକ୍ତଟେ ତାହା ନୁହେଁ, ମୋର ପ୍ରତିବାଦ କରିବା ଉପାୟ ନଥାଏ । କାରଣ ମନ୍ଦିରବାଚକ ବିବାଦଠାରୁ ନିଜକୁ ନିରାପଦ ରଖିବା ଉଚିତ ମଣୁଥିବା ବାବୁମାନେ ମତେ କହନ୍ତି, “ଆପଣ ପାଖରେ ଅଛନ୍ତି ପରା ।” ସତରେ ଯେମିତି ମନ୍ଦିର ପାଖରେ ଭକ୍ତମାନେ ରହନ୍ତି! ଯାହାହେଉ ଏହି ଅବକାଶରେ ଠାକୁରଙ୍କ ନିକଟତର ହୋଇ ନପାରିଲେ ବି ଇତିହାସର ଅନେକ କଥା ଜାଣିବାକୁ ମୁଁ ବାଧ୍ୟ ରହିଲି ।
ରାଉରକେଲା ମାଟି ତଳେ ପୋତି ହୋଇଯାଇଥିବା ଗାଁ ଓ ନାଁ ଭିତରେ ଗୋଟିଏ ନାଁ ଅହିରାବନ୍ଧ, ଯାହା ଆଜି ବି ବଞ୍ଚି ରହିଛି କେବଳ ଜଗନ୍ନାଥଙ୍କ ନାଁ ସହିତ । ନହେଲେ ଆଉ କୋଡ଼ିଏ ଏକୋଇଶ ଗାଁ ପରି ତା ସତ୍ତା ହଜିଯାଇଥା’ନ୍ତା । ପରେ ସେ ପରିସର ଭିତରେ କେତେ ଦେବାଦେବୀ ସ୍ଥାନ ପାଇଲେ । ଗୁଜୁରାଟୀ, ମାରୱାଡ଼ୀ, କେରଳୀମାନେ ସେଠି ସେମାନଙ୍କ ଠାକୁର ମନ୍ଦିର ତିଆରି କରିଛନ୍ତି । କିନ୍ତୁ ସେହି ମୂଳସ୍ଥାନ ଅହିରାବନ୍ଧର ମୂଳଦେବତା ହେଉଛନ୍ତି ଶିବ । ଗାଙ୍ଗପୁର ରାଜାଙ୍କ ଠାକୁର । ତାଙ୍କ ପୂଜା ପାଇଁ ବଂଶାନୁକ୍ରମିକ ଜାଗିରଭୋଗୀ ପଣ୍ଡା-ସେବକ ନିଯୁକ୍ତ ଥିଲେ । ଜମିବାଡ଼ି ଭୋଗ ଦଖଲ ସାରି ସେବକ ଏପାଖ ସେପାଖ ହେଲେ ବି, ଶିବ ମନ୍ଦିର ବଂଶ-ଦଖଲରୁ ବାହାରକୁ ଯାଇ ନାହିଁ ।
ଇସ୍ପାତ କାରଖାନା ନିର୍ମାଣ ସହିତ ଅନେକ ଚଳଣି ଓ ସଂସ୍କାର ଲୋପ ହେଲା । ନୂଆନୂଆ ଆହୁରି ଅନେକ ତିଆରି ହେଲା ବି । ଇତିହାସକୁ ସମ୍ମାନ ସହ ତା ନିଜ ଜାଗାରେ ରଖି, ଆମେ ଆଗକୁ ଯାଇ ପାରିବା । ଭାରତ ବିଭାଜନ କାହିଁକି ହେଲା? ଏମିତି ଗାରୁଗାରୁ ହେବାଠାରୁ ନୂଆ ଭାରତଟିଏ କେମିତି ନିର୍ମାଣ ହେବା ଉଚିତ – ତାହା ଏକ ବ୍ୟକ୍ତି-ବୈଚାରିକ ନିଷ୍ପତ୍ତି ।
ମଇନୁଦ୍ଧିନ ଅହମ୍ମଦ । ଓଡ଼ିଶା ସରକାରଙ୍କର ପ୍ରଥମ ଆଇଏଏସ ଅଫିସର ଇସ୍ପାତ କାରଖାନାକୁ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଭାବେ ଡେପୁଟେସନରେ ଆସିଥିଲେ । ତାଙ୍କ ନାଁରେ ଆଉ ଗୋଟିଏ ଯଶ ଶୁଣିଛୁ । ସେ ଓଡ଼ିଶା ସେକ୍ରେଟେରିଏଟରେ ଦୁଇ ବର୍ଷ ବୁଲି ମାତ୍ର ୨୫୦ ଜଣଖଣ୍ଡେ ଲୋକଙ୍କୁ କିରାଣି ଓ ଅଫିସର କରି ରାଉରକେଲା ନେଇ ପାରିଥିଲେ । ଅନେକ ଛାଟିପିଟି ହୋଇ ଫେରିଗଲେ । ଯେତିକି ରହିଲେ, ପରେ ପ୍ରାୟ ସମସ୍ତେ ତୁଙ୍ଗ ହୋଇଗଲେ । ମନ୍ଦିର କଥାରେ ମଇନୁଦ୍ଧିନ ସାହେବଙ୍କ ନାଁ ଉଠେ ନାହିଁ । ମାତ୍ର ତାଙ୍କର ଏମିତି କିଛି ଅବଦାନ ଅଛି ଯାହା ଅସ୍ୱୀକାର କଲେ ପାପ ହେବ । ୧ମ ପଞ୍ଚବାର୍ଷିକ ଯୋଜନାରେ ୧୯୫୩ ଶେଷ ଆଡ଼କୁ ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ପାଇଁ ନିଷ୍ପତ୍ତି ନିଆଗଲା । ରାଜ୍ୟ ସରକାର ୨୨. ୨. ୧୯୫୪ ଦିନ ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ଜାରି କଲେ । ସ୍ୱାଭାବିକ, ସେତେବେଳେ ‘ଓଡ଼ିଶା ଭୂସଂସ୍କାର ଅଧିନିୟମ, ୧୯୬୦’ ନ ଥିଲା । ତା’ ପୂର୍ବ ଗାଙ୍ଗପୁର, ବଣେଇ ରାଜବଂଶ ଓ ତତ୍ରାଧୀନ କୁଆଁରମୁଣ୍ଡା ଜମିଦାରୀର ରୟତୀ ଓ ରାଜସ୍ୱ ରେକର୍ଡ ଅବସ୍ଥା ଥିଲା ନଦାରଦ ।
ଅଧିଗ୍ରହଣ ଏକ ସରକାରୀ ରୁଲ୍ରେ ଚାଲିଥାଏ । ସେଥିରେ ବ୍ୟବସ୍ଥା ଥାଏ ଯେ ଶିବାଳୟ ଏବଂ ଶ୍ମଶାନର ଅଧିଗ୍ରହଣ ହୋଇପାରିବନି । ଏଥିପାଇଁ ଓଡ଼ିଆମାନଙ୍କ ଆଇକନ ସିକୁରିଟି ଅଫିସର ନୃସିଂହ ରଥଙ୍କ ସହଯୋଗରେ ଉତ୍ତର-ଦକ୍ଷିଣ: ସେକ୍ଟର ୩ ଏ ବ୍ଲକ୍ ଏବଂ ସେକ୍ଟର ୪ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଏବଂ ପୂର୍ବ-ପଶ୍ଚିମ: ମହିଳା କଲେଜ ରାସ୍ତା ଏବଂ ରିଙ୍ଗରୋଡ୍ ପର୍ଯ୍ୟନ୍ତ ଏକ ବିରାଟ ଭୂଖଣ୍ଡକୁ କାରଖାନା ଅଧିଗ୍ରହଣ କରିଥିଲେ ସୁଦ୍ଧା ଅକ୍ତିଆର କଲା ନାହିଁ । ଶିବ ମନ୍ଦିର ନାଁରେ ଏ ନିଷ୍ପତ୍ତି ଥିଲା ମଇନୁଦ୍ଧିନ ସାହେବଙ୍କର । ୧୯୬୪ ଦଙ୍ଗା ପରେ ଖୋଜାଗଲା – ଯଦି ହିନ୍ଦୁମାନେ ଜମି ଭୋଗ କରିବାର ଏପରି ସୁଯୋଗ ପାଇବେ ମୁସଲମାନ ପାଇବେନି କାହିଁକି? ସେତେବେଳେ ମଇନୁଦ୍ଧିନ ସାହେବ ରାଉରକେଲାରେ ନ ଥିଲେ ।
ପୁରୁଣା ରାଉରକେଲା ଅଞ୍ଚଳରେ ଗୋଟିଏ ଇଦ୍ଘା । ସେଠି ଆଠକାଳୀ ବାରମାସୀ ନିଜ ସଂପ୍ରଦାୟ ଭିତରେ ଝଗଡ଼ା ଚାଲିଥାଏ । ଯାହାହେଉ, ଇସ୍ପାତ ସହର ଭିତରେ ଜବରଦଖଲ ଯୋଗୁ ଆଗେ ମସଜିଦ ଓ ପରେ ଗୁରୁଦ୍ୱାର ତିଆରି ହେଲା ଏବଂ ସେଗୁଡ଼ିକ ପରେ କାରଖାନାଠାରୁ ସ୍ୱୀକୃତି ହାସଲ କଲେ । ଏଇଠି ଗୋଟିଏ ବିଶେଷ କଥା ଆମେ ଲକ୍ଷ୍ୟ କରିଛୁ । ବାସିନ୍ଦାମାନେ ନିକଟସ୍ଥ ଅନ୍ୟ ଧର୍ମର ମନ୍ଦିର, ମସଜିଦ ବା ଗୁରଦ୍ୱାର ସକାଶେ ପ୍ରତିକ୍ରିୟାଶୀଳ ହୁଅନ୍ତି ନାହିଁ ।
ସେ କାଳର ହରି ପ୍ରଧାନ ଆଜି ସ୍ୱର୍ଗପୁରରେ । ତାଙ୍କୁ ‘ଗଞ୍ଜାମ ଟାଇଗର୍’ ବୋଲି କୁହାଯାଏ । ତାଙ୍କ ଘର ଥିବା ସହରର ଗୋଟିଏ ମୁଖ୍ୟରାସ୍ତାର ନାଁ – ଜି.ଟି. ଲେନ୍ । ତାଙ୍କ ବିଷୟରେ ରୋଚକ ଗପ ଚାଲେ । ସେ ଥିଲେ ଜଣେ ଦାନୀ ଏବଂ ହାମବଡ଼ା ଲୋକ । ଓଡ଼ିଆ ପଞ୍ଜିକାରେ ସ୍ଥାନ ପାଇଥିବା ସେକ୍ଟର-୩ ଅହିରାବନ୍ଧ ଜଗନ୍ନାଥ ମନ୍ଦିର ସେ ନିଜ ବ୍ୟୟରେ ନିର୍ମାଣ କରିଛନ୍ତି । ମନ୍ଦିରର ନାଁ ‘ହରିହର ଜଗନ୍ନାଥ ମନ୍ଦିର’ ଭାବେ ନାମିତ ହେଉ ବୋଲି ଚାହିଁଲେ । ହରିହର ଓ ଜଗନ୍ନାଥଙ୍କୁ ଯୋଡ଼ି ଉଚ୍ଚାରିବା ଅନୁମତି ମିଳିଲା ନାହିଁ । ନାଁ ପାଇଁ ବିବାଦ ଚାଲିଲା । ଏ ବିଷୟରେ ମଧ୍ୟସ୍ଥି କରିବାକୁ ମତେ କୁହାଗଲା । ତାଙ୍କୁ ମୁଁ ସେତେବେଳେ ବ୍ୟକ୍ତିଗତ ଭାବେ ଚିହ୍ନିବାକୁ ଢେର ସୁଯୋଗ ପାଇଲି ।
“ଏତେ ଏକର ଜାଗା ବିକିଲି । ମନ୍ଦିର କଲି । କାହାକୁ ପଇସାଟେ ମାଗିନି । ବିଶ୍ୱାସ କର, ଏ ହରିହର ନାଁ ମୋର ନୁହେଁ । ଜଗନ୍ନାଥଙ୍କୁ ହରି ଓ ହର ଭାବେ ଭକ୍ତମାନେ ଚିହ୍ନଟ କରନ୍ତୁ ବୋଲି ମୋର ଇଚ୍ଛା ।” ନିଜ ଯୁକ୍ତି ସପକ୍ଷରେ ବହୁ ତତ୍ତ୍ୱଗତ ପ୍ରମାଣ ଦେଉଥିଲେ, ଯାହା ମୋ ବୁଝିବା ସାମର୍ଥ୍ୟଠାରୁ ବହୁ ଉପରେ ଥିଲା । ସେ ନିଜ ନିର୍ଲିପ୍ତତାର ପ୍ରମାଣ ଦେଖେଇବାକୁ କହିଲେ, “ବର୍ମାରୁ ହିରାକୁଦ ଦେଇ ରାଉରକେଲାରେ ପହଞ୍ଚିଲା ବେଳକୁ ମୋ ପାଖରେ ଥିଲା ଖଣ୍ଡେ କଲିକତୀ ଟିଣ ବାକ୍ସ, ତା ଭିତରେ ଜଗନ୍ନାଥଙ୍କର ଗୋଟିଏ ଶିପବନ୍ଧା ଫଟୋ ଓ ଚଉଦ ଅଣା । ୟାକୁ ମୁଁ ସାଇତି ରଖିଛି । ବାକି ଯେତେ ଉଭା, ସବୁ ଏଇଠିକାର ।”
କିନ୍ତୁ, ସେପରି ନୂଆ ନାମ ପାଇଁ ସୁପାରିଶ କରିବା ମୋ ବିଜ୍ଞତା. ସୀମା ଓ ସାମର୍ଥ୍ୟର ବାହାରେ ଥିଲା । ମୁଁ ହରିବାବୁଙ୍କୁ ବିଶ୍ୱାସ କରିଥିଲି । କିନ୍ତୁ ମନ୍ଦିର ନାଁ ତାଙ୍କ ଇଚ୍ଛା ମୁତାବକ ଦିଆଯାଇ ପାରିଲାନି ।
ଆତ୍ମୀୟ
ସମ୍ପାଦନାଆଦ୍ୟ ରାଉରକେଲା । ଆଦିବାସୀ ବସ୍ତିରେ ମଦ ଓ ମଦ୍ୟପ ପରି ଚିଜ ବା ବ୍ୟକ୍ତି ଗର୍ପସନ୍ଦ ନୁହଁନ୍ତି । ଯଦି କେହି ବେଶି ପିଇ ଅଧିକ ଅବଲୟ କରେ ସେଥିପାଇଁ ଘରଲୋକ କି ପାଖପଡ଼ୋଶୀ କେହି ଅଥୟ ହୁଅନ୍ତିନାହିଁ । କଲୋନି, ନଗର କି ସେକ୍ଟର କଥା ନିଆରା । ପଡ଼ୋଶୀଙ୍କ ବଡ଼ପାଟି ଶୁଣିଲେ ପାଖ ଘର ଝରକା କାଚ ଭିତରୁ ଆଲୁଅମାନେ ଦୋଚାରୁଣୀ ପରି ଆଖି ବୁଜି ଦିଅନ୍ତି । ଏଠି ସେମିତି ହୁଏ ନାହିଁ । ସମସ୍ତେ ଅନୁଭବୀ । ମଦର କାଢ଼ ଅକାଢ଼ ଜାଣନ୍ତି । ତେଣୁ ବୁଟ୍ଲୁ ମଦ ପିଇ ଡେରିରେ ଘରକୁ ଫେରିଥିବା ତାଙ୍କ ବସ୍ତି ପାଇଁ ସମ୍ବାଦ ନ ଥିଲା କି ବିବାଦ ବି ନ ଥିଲା । ବାପ ଡିଉଟିରୁ ଫେରିଲେ ବଢ଼ିଲା ଝିଅଟା ତା ସାଇକେଲ ନେଇ ଘର ଭିତର ବାରଣ୍ଡାରେ ରଖେ । ଯଦି ବେହାଲ ଥାଏ ହାତ ଧରି ଟିକେ ଆଶ୍ରା ଦେଇ ଋତୁ ଅନୁଯାୟୀ ଭିତରେ ବା ବାହାରେ ପଡ଼ିଥିବା ଦଉଡ଼ିଆ ଖଟରେ ତାକୁ ଶୁଆଇଦିଏ । ବୁଟ୍ଲୁ ବୁଝି ପାରୁ କି ନପାରୁ, ଝିଅ ଭରସା ଦିଏ – ବାପା ତୁ ଶୋଇ ପଡ଼, ଖାଇବାକୁ ହେଲେ ମୁଁ ଡାକିବି ।
ସେଦିନ ସେମିତି କିଛି ହେଲାନାହିଁ । ବାପା ମଦ ପିଇଛି ତ ନିଶ୍ଚେ । ଖାଲି ସ୍ୱରଟିକୁ ହଲହଲ କରୁଚି ସିନା, କିନ୍ତୁ ଆଉ ସବୁଥିରେ ଚେଙ୍ଗା । ସାଇକେଲ ହେଣ୍ଡେଲରେ ବ୍ୟାଗ୍ ଝୁଲୁଚି । ଭିତରେ ଝୁଠା ଟିଫିନ କେରିଅର ଓ ଦୁଇଟା ବୋତଲ । ପରସ୍ପର ବାଜୁଥା’ନ୍ତି । ବଡ଼ ପୁଡ଼ିଆଟାଏ । ବୁଟଲୁ କୁରୁଳି କହିଲା – ହେ ବୁଧ୍ନି, ମାଁ’କେ କହି ଦେ । ଘରେ ଆଏଜ୍ ଭୁଜିଟେ କର୍ମା । ମାଂସ, ମାଲ୍ ଘିନି ଆନିଛେ । ସେରାଫିନ୍ କାକା, ମଙ୍ଗ୍ଲା, ଶୁକ୍ରାକୁ ଏବେଠାନୁଁ କହିଦେ । ସେମ୍ନେ ଇନେ ଖାଇବେ । ବୁଧ୍ନି କିଛି କହିବା ଆଗରୁ ବୁଟ୍ଲୁର ସ୍ତ୍ରୀ ଗୁରୁବାରୀ ବାହରି ଆସିଲା । କହିଲା – କେନ୍ ଖୁସିଥି ବୋ? ପଗାର୍ ଦି’ ଗୁନା ହେଇଗଲା? ଚୁରି କରିଚୁ ନା ଲଟ୍ରି ପାଇଚୁ କାଏଁ? ସବ୍ ଏନ୍ତାକରି ଖାଇ ଦେ । ଝି’ଟାକେ ଦେଖି ପାର୍ନୁ? “ହାଏତ୍, ପଗାର୍ କେନ୍ଥି ଦି’ ଗୁନା ହଏ? ତୁଇ ବୋକୀଟେ ବୋ ।
ବାହାଘର ନାଁ ଶୁଣି କାକା ଭାଇମାନଙ୍କୁ ଖବର ଦେବା ବାହାନାରେ ବୁଧ୍ନି ସେଠୁ ପାର୍ । ଗୁରୁବାରୀ ରାଗିଲା ପରି ଲାଗୁ ନଥିଲା । ଏଗୁଡ଼ାକ ତା’ର ଅଭ୍ୟାସ । ଅନ୍ୟମାନଙ୍କ ତୁଳନାରେ ବୁଟ୍ଲୁ ଢେର ଭଲ । ଟିକେ ଆକଟରେ ନ ରଖିଲେ ପୁରୁଷଗୁଡ଼ାକ ଜଖମ ହୋଇଯାଆନ୍ତି । ନାରୀଭାବେ ଏ ସତ୍ୟ ମାତ୍ର ପ୍ରତିପାଦନ କଲା ପରି ଥିଲା ତା ରାଗ । କିଛି ନୁହେଁ । କେରିଅରରୁ ମାଂସ କାଢ଼ିନେଲା । ବ୍ୟାଗ ଓ ମଦବୋତଲ ଭିତରକୁ ନେଲା । ମାଈପ ପଛେପଛେ ଧପାଲି ସବୁ କାମ କରିବାକୁ ହାତ ବଢ଼ାଇଲା ପରି ହଉଥାଏ ବୁଟ୍ଲୁ । ଗୁରୁବାରୀ ଡାଉଟ୍ କଲା । ନିଶ୍ଚେ ନୁଙ୍ଗରା ମତଲବ ଥିବ । ସେଥିପାଇଁ ସତେ ଯେମିତି ପୁରୁଷଗୁଡ଼ାଙ୍କ ବୟସ ବଢୁ ନଥାଏ । ହଉ । ମନ୍ଦ ହୁଅନ୍ତାନି । ହସି ଦେଲା । ଖାଇ ପି ସାରିଲା ପରେ ହୋସ୍ ଥିବ ତ? ସକାଳେ ଟେକି ନ ଉଠେଇଲେ ଡିଉଟି ଯାଇପାରେନି ।
“ମୁଇଁ ତୋର୍ ମାଈଜି । ରଖେଲ୍ ନଏଁ । ତୋର୍ ଖୁସିର କାରନ୍ଟା ମୁଇଁ ନାଇଁ ଜାନ୍ବାର କାଏଁ?” “କି ଖୁସିଟା ଯେ? ଆଜି ତନ୍ଖା ମିଳିଛେ । ଟିକେ ମସ୍ତି କର୍ମା । କାଏଲ୍ ଅଫ୍ । ତୁଇ ଆର୍ ସକାଲେ ଉଠ୍ବାର ଲାଗି ଘିଚିର୍ ଘିଚିର୍ ନାଇଁ କର୍ମୁ ।” ବୁଟ୍ଲୁ କହୁଥାଏ ଏବଂ ହସୁଥାଏ । ଗୁରୁବାରୀର ମୂଳ ଅନୁମାନ ଦମ୍ଭିଲା ହେଉଥିଲା । ମନରେ ଛୋଟ ଝଲକଟିଏ ଆପେଆପେ ଉଠିଲା । ତା ନିଜ ଦେହ ନିଜକୁ ବି କଅଁଳିଆ ଲାଗିଲା । ସେଥିପାଇଁ ଏତେ ଖର୍ଚ୍ଚ? ବୋକାଟା ।
ଖାସି ମାଂସ, କିଲୋ ପାଞ୍ଚ ଟଙ୍କା । ଆଗ୍ମାର୍କା ଗଣେଶ ଶୋରିଷ ତେଲ ଦି’ କିଲିଆ ଟିଣ ଡବା ଚଉଦ ଅଣା – ଟଙ୍କାକରୁ ଦି’ ଅଣା କମ । ସବୁ କଟିକାଟି କରି ବୁଟ୍ଲୁ ପାଏ ସତେଇଶ ଟଙ୍କା ପଗାର । ଅଳପ ରୋଜଗାରରେ ଏତେ ଦାମିକା ମଉଜ କାହିଁକି? ଗୁରୁବାରୀ ମଝିରେ ମଝିରେ ପଚାରୁଥାଏ – ଖୁସିର କାରଣଟା କହ । ବୁଟ୍ଲୁ ବାଆଁରେଇ ଦେଉଥାଏ । ଅଳ୍ପ ସମୟ ଭିତରେ ମିତ୍ରମାନେ ଆସିଗଲେ । ପାନ-ରୋଳରେ ଗହଳି ଆରମ୍ଭ ହେଲା । ଏଥର ବୁଟ୍ଲୁ ମଉଜର କାରଣ କହିଲା । ମାର୍କୋସ ସାହାବ ସୁପ୍ରିଟେଣ୍ଟ୍ ହୋଇଛନ୍ତି । ସେ ଏବେ କମ୍ପାନି ଜିପ୍ ଚଢ଼ିବେ । ଆମେ ଖୁସି ହେବାନି? ଏ ଚିତ୍ର ଗତ ଶତାବ୍ଦୀ ଷାଠିଏ ଦଶକ ଶିଳ୍ପର । ଆଜି ହୁଏତ ପରୀ କାହାଣୀ ପରି ଲାଗିପାରେ । କାରଣ ଏବେ କ୍ୟାଲେଣ୍ଡର ଦେଖି ବର୍ଷକୁ ଦୁଇଥର ଶହଶହ ସଂଖ୍ୟାରେ ଏଜିଏମ୍ – ଡିଜିଏମ୍ ପ୍ରମୋସନ ଅର୍ଡର ବାହାରୁଛି । ସେତେବେଳର ଓ ଆଜିର ପଦବୀ – ସବୁ ଓଲମ୍ବିଲମ୍ । ମାର୍କୋସ୍ ସାହେବ ଥିଲେ ଜେନେରାଲ ଫୋରମ୍ୟାନ୍ । ଆଜି ଗ୍ରେଡ୍ରେ – ଆସିଷ୍ଟାଣ୍ଟ ମ୍ୟାନେଜର । କାଇଁ ରାଣୀ କାଇଁ ଚନ୍ଦର କାଣୀ । ସାହେବ ପ୍ଲାଣ୍ଟ ଭିତରକୁ ଆସୁଛି – ଏ ଖବର ଛାଁକୁ ଛାଁ ବ୍ୟାପିଯାଏ । ଆପେଆପେ କଳ କବଜାଗୁଡ଼ିକ ଠିକ୍ଠିକ୍ ଚାଲିବା ଆରମ୍ଭ କରିଦିଅନ୍ତି ।
ବୁଟ୍ଲୁ ଲୋହାର ହେଲ୍ପର । ମାର୍କୋସ ସାହେବ ସାଙ୍ଗରେ ତା ସଂପର୍କ ଅଲଗା । ତା ସତୀର୍ଥମାନେ କହନ୍ତି, କୁଆଡ଼େ ତାହା ଥିଲା ଗୁପ୍ତ ଅବକାରୀ ଯୋଗାଣ ବ୍ୟବସ୍ଥା । ତସ୍ୟାର୍ଥ, ପ୍ରତିଦିନ ଘଣ୍ଟିକିଆ ଲଞ୍ଚ୍ଛୁଟିରେ ବୁଟ୍ଲୁ ମଡର୍ଣ୍ଣଇଣ୍ଡିଆ ମାର୍କେଟ୍ ଯିବ । ଭଜା ବୁଟ, ପୋଡ଼ା ଶୁଖୁଆ କି ଲୁଣ ଲଙ୍କା ରସୁଣ ପରି ଚାଖଣା ସହିତ ଚାରି ଅଣାର ପୁଆଏ ନିଜେ ମାରି ଆଉ ପୁଆଏ ଲୁଚେଇ ଆଣି ମାର୍କୋସ ସାହେବର ଖାସ୍ ପିଅନକୁ ଧରେଇ ପଳେଇ ଆସିବ । ଏଥିପାଇଁ ସାହେବ ସହିତ ତା’ର ଦେଖା ହେବା ଜରୁରୀ ନଥିଲା । ମାର୍କୋସ ସାହାବ ଜିପ୍ ଚଢ଼ିଲେ ବୁଟ୍ଲୁ ଲୋହାର କାହିଁକି ଖୁସି ହେଉଥିଲା? ଏ ପ୍ରଶ୍ନର ଉତ୍ତର ଯୁଗ ସାଙ୍ଗରେ ଲୋପ ହୋଇଯାଇଛି ।
ବୋନସ ଟଙ୍କା ଷଣ୍ଢ ଖାଏ
ସମ୍ପାଦନା୧୯୬୬ର ରାଉରକେଲା । ଘଟଣାର ପୃଷ୍ଠଭୂମି ବାରି ହେଲା ପରି । ପ୍ରଜା ସୋସାଲିଷ୍ଟ ପାର୍ଟିର ଟ୍ରେଡ୍ ୟୁନିଅନ ରାଉରକେଲା ମଜଦୁର ସଭା (ଲୋକେ କହିବାରେ ‘ବସ୍ତିଆ ୟୁନିଅନ’)ର ପ୍ରବେଶ ସେତେବେଳର ଅବ୍ୟବସ୍ଥିତ ଶିଳ୍ପ ଶ୍ରମିକ-ଶ୍ରେଣୀ ଭିତରେ ଆଦୌ ଆକସ୍ମିକ ନଥିଲା । ଧୂଳିଶ୍ୱର ବସ୍ତିଆଙ୍କୁ ନିକଟରୁ ଦେଖିଥିବା ଯେ କେହି ଅନୁଭବ କରିବ ଯେ ସେ ଜଣେ ଶ୍ରମିକ ଦରଦୀ, ଆଇନ ଅଭିଜ୍ଞ ଓ ଚଲାକ ଲୋକ ଥିଲେ । କାମ ବନ୍ଦ କଲା ପରି ଧର୍ମଘଟ ଶୈଳୀ ସେ ଯୁଗରେ ନଥିଲା । ଶ୍ରମିକଙ୍କ ସହିତ କି କଷ୍ଟରେ ସେ ଜୀବନ ବଞ୍ଚୁଥିଲେ ସେକଥା ଆଜିର ଟ୍ରେଡ୍ ୟୁନିଅନ ସଂଗଠକମାନଙ୍କୁ ଦେଖି ବୁଝି ହେବନି । ପରୀ-କାହାଣୀ କି ଦୈତ୍ୟ-କାହାଣୀ ପରି ଲାଗିବ । ସମସ୍ତେ ତାଙ୍କୁ ଭଲ ପାଆନ୍ତି । ଡଜନେ ଦି ଡଜନ ମ୍ୟାନେଜମେଣ୍ଟ । ଖୋଦ ଇସ୍ପାତ କାରଖାନା । ସରକାରୀ ଅଫିସର କି ଅନ୍ୟ ୟୁନିଅନଗୁଡ଼ିକ ବୃତ୍ତିଗତ କାରଣରୁ ତାଙ୍କୁ କେହି କେବେ ଶତ୍ରୁ ବୋଲି ବିଚାରୁ ନଥିଲେ । ‘ଆପଣ ଯାହା କହୁଛନ୍ତି ଠିକ, କିନ୍ତୁ ଆମେ ଆପଣଙ୍କୁ ସାହାଯ୍ୟ କରି ପାରୁନୁ’ – ଏମିତି କହିବାକୁ ବି ଅଫିସରମାନେ ତାଙ୍କ ପାଖକୁ ପଳାଇ ଆସୁଥିଲେ । ସେତେବେଳେ ଟେଲିଫୋନ ନା ଛେନାଗୁଡ଼, କିଛି ନଥିଲା । ବିରୋଧୀ ତାଙ୍କ ଉପରେ ଏତିକି ପ୍ରତ୍ୟୟ ରଖୁଥିଲେ । ଜଣେ ଶିଷ୍ଟ ମଣିଷ ପାଇଁ ୟାଠୁଁ ଅଧିକ କ’ଣ ଲୋଡ଼ା? ଜୀବନରେ ମାତ୍ର ଥରେ ତାଙ୍କ ସଂସ୍ପର୍ଶରେ ଆସିଛି । ସେ ମତେ ଚିହ୍ନି ଥିବେ କି ନା, ଜାଣେନା । ତାଙ୍କ ପରାମର୍ଶରେ ସଫଳତା ପାଇବାକୁ ଲାଗିଗଲା ଆଠ ବର୍ଷ । ମୁଁ ପୂର୍ଣ୍ଣବୟସ୍କ ହୋଇ ସାରିଥାଏ । କିନ୍ତୁ ଥାଙ୍କ୍ସ ଶୁଣିବାକୁ ବସ୍ତିଆ ବାବୁ ନଥା’ନ୍ତି । ପିଲାଦିନେ ଆମେ ତାଙ୍କ ତ୍ୟାଗ ବିଷୟରେ ଶୁଣିଛୁ । ବିଶ୍ରା ରୋଡରେ ଖଣ୍ଡିଏ ଜାଗା ଓକିଲ ପ୍ରବୋଧ ପତିଙ୍କ ଜରିଆରେ ଜଣେ ମାରୱାଡ଼ୀ ବସ୍ତିଆ ବାବୁଙ୍କୁ ଗିଫ୍ଟ ଦେଲେ । ସେ ତାକୁ ନିଜ ନାଁରେ ନ ନେଇ ୟୁନିଅନ ନାଁରେ ନେବାକୁ ଜିଦି କଲେ । ସତର ଟଙ୍କା କ୍ରୟମୂଲ୍ୟ ଦେଖେଇ ଦଲିଲ ହେଲା । ଓକିଲ ଖର୍ଚ୍ଚ ନାସ୍ତି । ମହାଫିସ ଖର୍ଚ୍ଚ ଓକିଲ ବାବୁ ବୁଝିଦେଲେ ଓ ଏକାସଙ୍ଗରେ କହିଲେ, “ବସ୍ତିଆ, ତୁମେ ବଡ଼ ନେତାଟେ ଯେ ହେଲେ ବୋକାଟେ ବି ।”
ଆଜି ସେ ଜାଗାର ବଜାର ଭାଉ ମିଲିମିଟରରେ ହିସାବ ହେଉଛି । ନିଜ ନାଁରେ ଥିଲେ, କିଏ ଜାଣେ ଆଜି ଉତ୍ତରାଧିକାରୀଙ୍କ ଦୟାରୁ ସେଇଠି ଫାଇଫ୍ ଷ୍ଟାର ହୋଟେଲଟେ ହୁଏତ ଥା’ନ୍ତା! ସତର ଟଙ୍କାର ଲୋଭ ସେଦିନ ବସ୍ତିଆବାବୁ ସମ୍ବରଣ କରିଥିଲେ ବୋଲି ଆଜି ସେଠି ମଜଦୁର ସଭାର ଗୋଟେ ପ୍ରାଉଡ୍ ଅଫିସ ଅଛି । ଦୁଃଖିତ ଯେ ମୁଁ ଦାତାଙ୍କ ନାଁ ଭୁଲି ଯାଇଛି । ମାରୱାଡ଼ୀମାନେ ରାଉରକେଲାରେ ଓଡ଼ିଆଙ୍କଠାରୁ ମଧ୍ୟ ପ୍ରାଚୀନ ବାସିନ୍ଦା ।
ଓକିଲ ବାବୁଙ୍କ କଥାର ସତ ପରଖିବାକୁ କାଳ ସୁଯୋଗ ଦେଲାନି । ୧୯୬୪ରେ ଏକ ସଡ଼କ ଦୁର୍ଘଟଣାରେ ବସ୍ତିଆ ବାବୁଙ୍କର ମୃତ୍ୟୁ ହୁଏ । ତାଙ୍କ ଡେଡ୍ ବଡି ଶୋଭାଯାତ୍ରା ପରି ଆତ୍ମୀୟ ଭିଡ଼ ସ୍ୱଚକ୍ଷୁରେ ଦେଖି ନାହିଁ । ବସ୍ତିଆ ବାବୁ ଆଉ ନାହାଁନ୍ତି, ଏମିତି କେହି ବିଶ୍ୱାସ କରୁ ନଥା’ନ୍ତି । ତାଙ୍କ ଦୁର୍ଘଟଣାରେ ଷଡଯନ୍ତ୍ର ରିଉମର କିଛି ଦିନ ଚାଲିଲା । କ’ଣ ନା, ମ୍ୟାନେଜମେଣ୍ଟ ତାଙ୍କୁ ମାରିଦେଲା । କିନ୍ତୁ ଆମେ ଦେଖିଚୁ, ଜେନେରାଲ ମ୍ୟାନେଜର (ସର୍ବମୁଖ୍ୟ) ଏ.ଏନ. ବାନାର୍ଜୀ, ଆଇ.ଏ.ଏସ. (ପରେ କର୍ଣ୍ଣାଟକ ରାଜ୍ୟପାଳ ଥିଲେ)ଙ୍କ ପତ୍ନୀ ଜନଗହଳି ଭେଦ କରି ଚାଲିଚାଲି ୧୯ ନମ୍ବର ମାର୍କେଟ ଛକଯାଏ କେମିତି ଚାଲିଚାଲି ଆସିଥିଲେ । କାନ୍ଦିକାନ୍ଦି ଟ୍ରକ ଉପରେ ଚଢ଼ି କେମିତି ଫୁଲ ଦେଇଥିଲେ । ଯାହାହେଉ ସେ ରିଉମର ଯେମିତି ଉଠିଥିଲା ସେମିତି ମରିଗଲା । ବସ୍ତିଆବାବୁଙ୍କ ପରିପୂର୍ଣ୍ଣ ସଂସାର ସ୍ତ୍ରୀଙ୍କ ମାଫତରେ ଚାଲୁଥାଏ ଅନୁଗୁଳରେ । ସେ ଘରଛଡ଼ା ବାଇଆ ପରି ରାଉରକେଲା ଶ୍ରମିକଙ୍କୁ ସଂଗଠନ କାମରେ ଲାଗିଥା’ନ୍ତି ।
ରାଉରକେଲା ସଂଗଠନ ମୋଟାମୋଟି ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ଦାୟିତ୍ୱାଧୀନ ଥିଲା । ବସ୍ତିଆ ବାବୁଙ୍କ ଜାଗା ପୂରଣ କରିବାକୁ ଚୌଦ୍ୱାର ଛାଡ଼ି ରାଉରକେଲା ଆସିଲେ ରାଜ କିଶୋର ସାମନ୍ତରାୟ । ୧୯୬୭ରେ ରାଉରକେଲା ସ୍ୱତନ୍ତ୍ର ବିଧାନସଭା ନିର୍ବାଚନମଣ୍ଡଳୀ ହେଲା ଏବଂ ରାଜୁ ବାବୁ ହେଲେ ପ୍ରଥମ ବିଧାୟକ । ସାଙ୍ଗରେ ଥାଏ ବସ୍ତିଆ ବାବୁଙ୍କ ପରମ୍ପରା ଏବଂ ରାଜୁ ବାବୁଙ୍କ ବିଚକ୍ଷଣତା । ରାଜୁବାବୁଙ୍କ ସହିତ କାମ କରିବା ସୁଯୋଗ ପାଇଛି । ଭାରତୀୟ ଶିଳ୍ପ ଆଇନକୁ କେତେ ପ୍ରକାର ନୂଆ ରୂପ ଦେଇଛନ୍ତି ସେ ।
୧୯୬୬ରେ ଶ୍ରମିକମାନଙ୍କୁ ଏକଜୁଟ୍ କରିବା କ୍ଷମତା ମଜଦୁର ସଭାର କାହିଁରେ କେତେ । ଆରମ୍ଭ ହେଲା ‘ପୂଜା ବୋନସ’ ଆନେ୍ଦାଳନ । ପୂଜା ଆଗରୁ ଶ୍ରମିକମାନେ ବୋନସ ପାଇବେ । ଅଶୁଣା କଥା । ସେ ଆନେ୍ଦାଳନ ସମକକ୍ଷ ଏପର୍ଯ୍ୟନ୍ତ ବି ରାଉରକେଲାରେ କିଛି ହୋଇ ନାହିଁ । ଏଡ଼େ ବଡ଼ ଯେ ତା ଇତିହାସ ଲୁଚେଇବା କଷ୍ଟ । ମ୍ୟାନେଜମେଣ୍ଟ ତରଫରୁ ଭଣ୍ଡୁର କରିବାକୁ ବହୁ ଚେଷ୍ଟା ଏମିତି କି ଲକ୍-ଆଉଟ୍ ଯାଏ କଥା ଗଲା । ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସରକାର । ସାହାଯ୍ୟ କରିବେନି ବୋଲି ମନା କରିଦେଲେ । ଯାହାହେଉ, ବୋନସ ଆନେ୍ଦାଳନର ଶେଷ ଦିନ ଜିଏମ ବାନାର୍ଜୀ ସାହେବ ଥା’ନ୍ତି ଲଣ୍ଡନରେ । ଯୋଗାଯୋଗ ମାନେ ଓଭର୍-ସି କେବୁଲ ଟେଲିଫୋନ । ତାଙ୍କଠୁଁ କେବୁଲରେ ଖବର ଆସିଲା । ‘ମୁଁ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କର ।’
ଏହା ବଦନାମୀ ନାଁ ଥିଲା – ‘କେବୁଲ ବୋନସ’ । ପ୍ରୟୋଗ ହେଉଥିଲା ମଜଦୁର ସଭା ବିରୁଦ୍ଧରେ ପରିହାସ ବଖାଣିବା ପାଇଁ । ବାନାର୍ଜୀ ସାହେବ ଫେରିଲେ । ‘ବୋନସ’ କହିଲେ ଯାହା କୁହାଯାଏ ତାହା ନୁହେଁ , ସତକୁ ସତ ପ୍ରତି ଶ୍ରମିକକୁ ଦି ଶହ ଟଙ୍କା ଲେଖା ମିଳିଥିଲା । ଏହା ୧୯୬୬ ପୂଜା ପୂର୍ବର କଥା । ଆଜିର ‘ପେମେଣ୍ଟ ଅଫ ବୋନସ ଆକ୍ଟ’ ୧୯୭୮ର । ଇସ୍ପାତ କାରଖାନା ବେତନ ହାର ସବୁ ଶିଳ୍ପ ଓ ସରକାରଠାରୁ ଅଧିକ ଥିଲା । ‘ବୋନସ’ ଶବ୍ଦଟି ରାଉରକେଲାରେ ଇଉଫେରିଆ ରୂପ ନେଇଥାଏ ତେଣେ ଅନ୍ୟ ଜାଗାର ଲୋକେ ଏ ସହରର ରୋଜଗାରକୁ ଈର୍ଷା କରୁଥା’ନ୍ତି । ସେତେବେଳେ ଦୁଇଟି କଥା ସର୍ବତ୍ର ପ୍ରଚାରିତ ହେଲା । ଇସ୍ପାତ କାରଖାନା ଶ୍ରମିକମାନଙ୍କ ପାଠଶାଠ ନାସ୍ତି । କିନ୍ତୁ ‘ବୋନସ’ ଇତ୍ୟାଦି ବହୁ ରୋଜଗାର ଯୋଗୁ ଲୋକେ ସେଠି ଷଣ୍ଢକୁ ଟଙ୍କା ଖୁଆନ୍ତି ।
ଏ ଦୁଇଟିର ରାଜସାକ୍ଷୀ ନିଜେ ମୁଁ । ବିଶ୍ୱାସ ସହ କହିବି – ଉଭୟ ଗପ ମିଛ । ଇସ୍ପାତ କାରଖାନା କର୍ମଚାରୀଙ୍କ ଭିତରେ ମାଟ୍ରିକ ଏବଂ ତଦୁର୍ଦ୍ଧ ଶିକ୍ଷିତ ଥିଲେ ୭୦%ରୁ ଅଧିକ । ନିରକ୍ଷର ବା ଟିପ ମାରୁଥିବା ଶ୍ରମିକ/କର୍ମଚାରୀଙ୍କ % ଥିଲା ୩ ବା ତା’ଠାରୁ କମ । ସରକାରୀ ଚାକିରିରେ ଏ ପରିମାଣ ଥିଲା ପ୍ରାୟ ୧୪% ।
ଗୋଟେ ଜପ୍ତ ‘କଲ୍ଟ’ ରିଭଲ୍ଭର
ସମ୍ପାଦନାବାଘ ସଂଖ୍ୟା ଦ୍ରୂତ ଗତିରେ ହ୍ରାସ ପାଉଛି । ପରିବେଶ ସଚେତନମାନଙ୍କ ଉଦବେଗ ଉପୁଜିବା ସ୍ୱାଭାବିକ । ସରକାର ବି ଉଦବିଗ୍ନ । ଚାରିଆଡ଼େ ବାଘ ଗଣନା ଚାଲିଛି । କାଳକୁ ଫିଟ୍ ହେଲା ପରି ଏବେ ଗୋଟିଏ ମେସେଜ୍ ଚାଲିଛି । ବାଘ ଗଣିବାର ତିନୋଟି ନୂଆ ପଦ୍ଧତି ବା ଲ’ । ନମ୍ବର ଏକ: ନିଉଟନ ଲ’ । ବାଘ ତମକୁ ଧରିବାକୁ ଆସୁ, ତମେ ତାକୁ ମାଡ଼ିବସ ଓ ଗଣି ଦିଅ । ଦି’ ନମ୍ବର : ବୀରାପ୍ପାନ ଲ’ । ତା ସ୍ତ୍ରୀକି କିଡ୍ନାପ କରି ନେଇଆସ । ବାଘ ଆପେ ଆସି ସରେଣ୍ଡର କରିବ । ସେତେବେଳେ ଗଣି ଦେବ । ତିନି ନମ୍ବର ହେଲା: ଇଣ୍ଡିଆନ ପୁଲିସ ଲ’ । ଧର ଗୋଟେ ବିଲେଇ । ୧୬୧ରେ ସେ ନିଜକୁ ବାଘ ବୋଲି ନମାନିଲା ପର୍ଯ୍ୟନ୍ତ ବାଡ଼ା ତାକୁ ।
ତୃତୀୟ ଲ’ର ଅବତାରଣା ଇଣ୍ଟ୍ରେଷ୍ଟିଙ୍ଗ୍ ଲାଗେ । କାରଣ ଆଇନର ଲଙ୍ଗଳା ବିଫଳତାଗୁଡ଼ିକ ଏଥିରେ ଦେଖାଯାଏ । ଯେମିତି, ଗଲା କୋଡ଼ିଏ ବର୍ଷରୁ ବେଶି ହେଲାଣି, ପୁଲିସ ସ୍ଲୋଗାନ ଲେଖି ଚାଲିଛି – ଆସ ବନ୍ଧୁ ହେବା । କିନ୍ତୁ କେହି ପାଖକୁ ଆସୁ ନାହଁନ୍ତି । ଆମେରିକାରେ ଭଦ୍ରଲୋକଙ୍କୁ ସ୍ୱତନ୍ତ୍ର ପୁଲିସ ମର୍ଯ୍ୟାଦା ଦିଆଯାଏ । ସେମାନେ ଏହାକୁ ନିରପେକ୍ଷତାର ସାମାଜିକ ସ୍ୱୀକାର ବୋଲି ଭାବନ୍ତି । ଏଠି କିଏ ‘ପୁଲିସ-ଇନଫରମର୍’ ନାଁକୁ ମର୍ଯ୍ୟାଦା ବୋଲି ଭାବେ କି? ‘ପୁଲିସ’ ଓ ‘ମର୍ଯ୍ୟାଦା’ ଭାରତରେ କ୍ୱଚିତ ପାଖାପାଖି ରହି ପାରନ୍ତି – ଠିକ ଦେଶର ‘ରାଜନୀତି’ ଓ ମୂଲ୍ୟବୋଧ ଦ୍ୱାରା ପ୍ରଚାରିତ ବହୁବିଧ ‘ସାଧୁତା’ ପରି ।
ପୁଲିସର ଭାବମୂର୍ତ୍ତି ବଢ଼େଇବାକୁ କୌଣସି ସଟକଟ୍ ସମ୍ଭବ ନୁହେଁ । ଏକଥା ସରକାରଠାରୁ ପୁଲିସ ସମସ୍ତେ ମାନନ୍ତି । ଇଂଲିଶ ଆଇନରେ ଆମ ଗଣତନ୍ତ୍ର ଠିକ ଚାଲିବନି । ଏ ଅନୁମାନ ଆଗରୁ ବି ଥିଲା । ସ୍ୱାଧୀନତା ପରେ ଗଣତନ୍ତ୍ର ହାତ ଚଢୁଚଢ଼ୁ ଆଇନ ନ ସଜାଡ଼ି ଆମେ ପୁଲିସ ସଜାଡ଼ିବାରେ ଲାଗିଗଲୁ । ବ୍ରିଲିଏଣ୍ଟ ମେନ୍-ଏଣ୍ଡ୍-ଅଫିସରସ୍ ପାଇଲୁ । କିନ୍ତୁ ୧୯ଶ ଶତାବ୍ଦୀର ନଳୀ ଆଇନରେ ‘ଗଣତନ୍ତ୍ର’ ରକ୍ଷା କରିବାକୁ ବାଧ୍ୟ ହେଉଥିବା ପୁଲିସ ନିଜକୁ ରାଜନୀତି ପାଖରେ ସମର୍ପଣ କରି ନିରାପଦରେ ରହିଲା । ଯିଏ ଆଇଲା, ତା’ର ଜୟ । ବିଭାଗର ଇମେଜ? ସରକାରୀ ବ୍ୟାପାରରେ ତାହା ଆଦୌ ଦରକାର ହୁଏନି । କୌଣସି ମନ୍ତ୍ରୀ କି ଅଫସର ଦ୍ୱାରା କିଛି ବୈପ୍ଳବିକ ପରିବର୍ତ୍ତନ କଥା ତେଣୁ କେହି କେବେ ଶୁଣି ନାହାଁନ୍ତି । ବରଂ ବହୁଭାବେ ଶୁଣି ଆସିଛନ୍ତି କିପରି ପୁଲିସ ରାଜନୀତି ଦ୍ୱାରା ପରିଚାଳିତ ହୁଏ, ହାତରେ ୧୯ଶ ଶତାବ୍ଦୀ ଆଇନ ନାମକ ବାଇବେଲ ଖଣ୍ଡିଏ ଧରି । ଯେହେତୁ ଯୀଶୁଙ୍କ କଥା, ତେଣୁ ମାନ! ଏପରି ହିକମତର ସତ ସାଙ୍ଗରେ ସଂପର୍କ ରହିବା ଅସମ୍ଭବ । ତେଣୁ ପୁଲିସ ସଲାମ ପାଏ, ମାତ୍ର ସମ୍ମାନ ପାଏନି । ବିଲେଇ ଅନ୍ଧାରରେ ଓଲେଇ ହେଇ ଶିକାକୁ ଡେଉଁଥିବା ଓ ଆଇନ ବହିରୁ ଡେଇଁ ପୁଲିସ ବାଟ ଦେଇ ନ୍ୟାୟ କତିକି ଯାଉଥିବା ଏକାପରି ଲାଗେ ।
ଗୋଟିଏ ଘଟଣା ମୁଁ ପ୍ରତ୍ୟକ୍ଷ କରିଛି । ରାତି ୧୧ ପାଖାପାଖି । ରାଉରକେଲା ପ୍ଲାଣ୍ଟସାଇଟ ଇନ୍ସପେକ୍ଟର ଅର୍ଜୁନ ମିଶ୍ର ଫୋନ କଲେ । ଆଉ ଇହଜଗତରେ ନାହାଁନ୍ତି । ସେ ଆମ ମିତ୍ର ଏବଂ ଜଣେ ଲେଖକ ହୋଇଥିବାରୁ ଆଉ ଟିକେ ଘନିଷ୍ଟ । ତାଙ୍କର ଗୋଟେ ଷ୍ଟେଟମେଣ୍ଟ୍ – ଭାଇ, ପୁଲିସ ପାଇଁ ଚରଣ ଓ ଚୁଟି ଏକା କଥା ।
ସେତେବେଳେ ମୁଁ ଏକ ଖବରକାଗଜରେ ପ୍ରତିନିଧି ଥାଏ । ଅର୍ଜୁନ ବାବୁଙ୍କ କଣ୍ଠସ୍ୱରରେ ଗଡ଼ଜିଣିଲା ପରି ଉଦ୍ଧାମତା ଥିଲା । “ଅଧ୍ୟାପକ ଗୌରୀ ଶଙ୍କର ଶତପଥୀ ଆରେଷ୍ଟ ହେଲା । (ସେ ବି ନାହାଁନ୍ତି) ଜାମିନ ନାମଞ୍ଜୁର ହେଲା ଓ ସେ ଜେଲ ଗଲା । ତା ଘରୁ ଗୋଟେ ରିଭଲଭର ଜପ୍ତ ହେଇଚି” ଏବଂ ଘଟଣାର ବିସ୍ତୃତ ବିବରଣୀ । ପୁଲିସ ଓ ପ୍ରେସ୍ର ସଂପର୍କ ପ୍ରାୟ ଏମିତି । ଖବର ସଂଗ୍ରହ କାରଣରୁ ସନ୍ଧ୍ୟାବେଳକୁ ହୁଣ୍ଡାହାଟିଆ ପଚାରି ଦେଉ – ଆଉ କ’ଣ ଖବର? ନହେଲେ, ସେମାନେ ନିଜ ଆଡ଼ୁ କହି ଦିଅନ୍ତି । ଏଥର ଇନ୍ସପେକ୍ଟରଙ୍କର ମୁକ୍ତ ଅଭିଳାଷ ଥିଲା, ଯେମିତି ପ୍ରମିନେଣ୍ଟଲି ବାହାରିବ । କାହିଁକି? ନା, ସମାଜ ସତର୍କ ହେବ ।
ଦେଖାଯାଉଥିବା କାର୍ପେଟ ତଳେ ଆଉ କ’ଣ ଥାଏ । ପ୍ରଚାର ଅଧିକ ହେଲେ ବ୍ୟକ୍ତି ଅଧିକ ନିନ୍ଦିତ ହେବ, ଏଗୁଡ଼ିକ ଆଇନର ଆବଶ୍ୟକତା ନୁହେଁ । କାରଣ ଖବରକାଗଜରେ ଟନଟେ ପ୍ରକାଶ ପାଇଲେ ବି ଆଇନରେ ତାହା ଗ୍ରାମଟେ ହୁଏନି । ସେତେବେଳେ ମୁଁ ତାଙ୍କୁ ଦୁଇଟି ପ୍ରଶ୍ନ କରିଥିଲି । ଆପଣ ଜଣେ ‘ମୋଟିଭେଟେଡ୍’ ଲୋକକୁ ଆଇଓ କଲେ କେମିତି? ଘୃଣ୍ୟ ଲୋକଟାକୁ ଗିରଫ କରି ହାଣ୍ଡକପ ପକେଇ ତାଙ୍କୁ ବାସନ୍ତୀ କଲୋନିରୁ ଉଦିତନଗର ଫାଣ୍ଡି (ଏବେ ଥାନା) ଯାଏ ଆଣିବା ଭିତରେ ପଦାଲୋକେ ତା ଉପରେ ଆକ୍ରମଣ କଲେ, ଛେପ ପକେଇଲେ ଓ ଖଣ୍ଡିଆଖାବରା କଲେ । ଡାକ୍ତର ମଇନା ସରିଛି । ସବୁ ଠିକ ଯେ ହେଲେ, ହେଲେ ଆଇଓ ବା ଅନ୍ୟ ପୁଲିସ ଇଞ୍ଜିଓର ହେଲେନି କେମିତି? ତାଙ୍କୁ ହାଣ୍ଡକପ ପକେଇ ନଥିଲେ ସେ ହୁଏତ ହାତଗୋଡ଼ ଛାଟି ନିଜକୁ ବଞ୍ଚେଇ ପାରିଥା’ନ୍ତେ?
ପୁଲିସ ଭାଇମାନଙ୍କର ଅଭ୍ୟାସ ଭଲ । ଯେତେ ତୁମ୍ବିତୋଫାନ ଦେଖେଇଲେ ବି ସେମାନେ ବେଶି ଗୋଳମାଳ ଭିତରକୁ ପଶନ୍ତିନି । ଏ ଦୁଇଟି ପ୍ରଶ୍ନର ଉତ୍ତର ସେ ମୋତେ ଦେଲେ ନାହିଁ । ମୁଁ ବି ନିଉଜ ବାହାର କଲିନି । ମୋର ସେତିକି ମାତ୍ର କ୍ଷମତା ଥିଲା । ଅର୍ଜୁନବାବୁଙ୍କ ଗପସପରୁ ଜାଣି ପାରିଥିଲି ଯେ ଗୌର ବାବୁ ତନ୍ତ୍ରରେ ସିଦ୍ଧି କରେଇ ପାରିବେ କହି କଥିତ ଏସଆଇ ବାବୁଙ୍କୁ ଠକିଥିଲେ । ମାତ୍ର ପରେ ଜାଣିଲି, କଥା ଥିଲା ଭିନ୍ନ ।
ଶତପଥୀ ଥିଲେ ରାଉରକେଲା ସାନ୍ଧ୍ୟ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ । ତାଙ୍କ ଅରେଟରି ସଂପର୍କରେ ପ୍ରଶଂସା ଶୁଥିଥାଏ, କିନ୍ତୁ ତାଙ୍କୁ ଦେଖି ନଥାଏ । ବାସନ୍ତୀ କଲୋନିରେ ଗୋଟିଏ ଭଡ଼ା ଘରେ ସ୍ୱାମୀ-ସ୍ତ୍ରୀ ଦି’ ପ୍ରାଣୀ ରହୁଥା’ନ୍ତି । ସ୍ତ୍ରୀ ଜଣେ ପୂର୍ବତନ ଚିଫ୍-ଇଂଜିନିଅରଙ୍କ ଝିଅ । ପାଠଶାଠ ପଢ଼ିଛନ୍ତି । ହାଉସ୍-ୱାଇଫ୍ । ଗୌର ଶତପଥୀ ତନ୍ତ୍ରସାଧନା କରନ୍ତି ଏବଂ ଭବିଷ୍ୟଗଣନା ବି କରନ୍ତି । କବିତା ଲେଖନ୍ତି । ବୀଣା ବଜାନ୍ତି । ସରକାରୀ କଲେଜ ଅଧ୍ୟାପକ । ଦାୟିତ୍ୱ ସାରି ସେ ନିଜ ଇଚ୍ଛାରେ ମଗ୍ନ ରହୁଥିଲେ । ଅଧ୍ୟାପକ ସମ୍ମାନଟା ତା ସାଙ୍ଗରେ ଛାଁକୁ ଛାଁ ମିଶି ଯାଉଥିଲା । ଅଳ୍ପ ଦିନ ଭିତରେ ବେଶ୍ ଯଶର ଅଧିକାରୀ ହୋଇ ପାରିଥିଲେ । ଗୌର ବାବୁ ଚାରି ବର୍ଷ ସସ୍ପେଣ୍ଡ ରହିଲେ । ପ୍ରାୟ ଦୁଇ ମାସ ଜେଲରେ ରହି ଫେରିଲେ । ଏକଥା ବଡ଼ କି ଛୋଟ କିଛି ନିଉଜ ହେଲାନି । ତାଙ୍କୁ ବାସନ୍ତୀ କଲୋନି ଘର ଛାଡ଼ିବାକୁ ପଡ଼ିଲା । ଭଣ୍ଡ ତାନ୍ତ୍ରିକର କଳଙ୍କ ମୁଣ୍ଡେଇ ସେ ବହୁ କଷ୍ଟରେ କୋଏଲ ନଗରରେ ଘରଟିଏ ଯୋଗାଡ଼ କଲେ । ଅଧ୍ୟକ୍ଷଙ୍କ ସହିତ ତାଙ୍କ ସଂପର୍କ ଭଲ ନଥିଲା । ଏହାପରେ ସେ ଏକଦମ ଏକଘରିଆ ହୋଇଗଲେ । ସାନ୍ଧ୍ୟ କଲେଜ ଇଂଲିଶ ପ୍ରଫେସର ଏସ.ଏଫ. ଅହମ୍ମଦ ଥରେ ତାଙ୍କୁ ଆମ ଘରକୁ ଆଣିଲେ । ଏହା ମୋ ତାଙ୍କ ସହିତ ପ୍ରଥମ ଚିହ୍ନା । ସେ କିଛି ଦିନ ଭାଙ୍ଗି ପଡ଼ିଲେ । ପରେ ଓକିଲର ଓକିଲ ପରି ଏସଡିଜିଏମ କୋର୍ଟରେ ନିଜ କେଶ ନିଜେ ଲଢ଼ିଲେ । ତା’ ଭିତରେ ଡକ୍ଟରେଟ ବି କରିଦେଲେ । ସେ ଆଜି ଇହଜଗତରେ ନାହାଁନ୍ତି । ତାଙ୍କ ସହିତ ମୋର ଶେଷ ସଂପର୍କ ଥିଲା ସେ ଫୁଲବାଣୀ ମହିଳା କଲେଜର ଅଧ୍ୟକ୍ଷ ଥିଲା ବେଳେ ।
ଆଇଓ ହୋଇଥିବା ବାବୁଙ୍କ ରାଗ – ବାର ବର୍ଷ ବିତିଗଲେ ବି ତାଙ୍କର ଛୁଆପିଲା ହେଉ ନଥିଲା । ସେ ଦେବୀଙ୍କ କଲ୍ୟାଣ ମାଗିବାକୁ ଯାଇଥିଲେ । ସେ ଉଦିତନଗର ଫାଣ୍ଡି ଅଫିସର ବୋଲି ଜାଣି ବି ତାନ୍ତ୍ରିକ ଖାଲି ଜାତକ ଦେଖି ଗ୍ରହ ପୂଜା କର, କହି ଚଣ୍ଡୀପୂଜା କରିବାକୁ ମନା କରିଦେଲା । ତେଣୁ ସେ ତନ୍ତ୍ର କି ଜଉତିଷ କିଛି ଜାଣେନା । ଭଣ୍ଡଟେ ।
ଜଣେ ରିକ୍ସାବାଲାର କମ୍ପ୍ଲେନ କଲା ଯେ ପିଲାପିଲି ହେବା ପାଇଁ ପୂଜା ବାହନାରେ ତାନ୍ତ୍ରିକ ତା ସ୍ତ୍ରୀକୁ ବଳତ୍କାର କରିଛି । ଅଧ୍ୟାପକ ଗୌର ଶତପଥୀ ଗିରଫ ହେଲେ । କୋର୍ଟରେ ଜଣା ପଡ଼ିଲା ଯେ ସନ୍ତାନ ପାଇଁ ତନ୍ତ୍ର ପୂଜା କରିବାକୁ ଆସିଥିବା ଅଭିଯୋଗକାରଣୀ ଥିଲେ ମାଲଗୋଦାମ ଏରିଆର ଜଣେ ଟ୍ରଲିରିକ୍ସା ଚାଳକଙ୍କ ଜୀବିତ ଦ୍ୱିତୀୟ ସ୍ତ୍ରୀ ଓ ତିନୋଟି ସନ୍ତାନର ଜନନୀ ଏବଂ ପୁଲିସ ଜବତ କରିଥିବା ମାରଣାସ୍ତ୍ର ଥିଲା ଏକ ଦନ୍ଥରା ଲଣ୍ଡନ ତିଆରି ‘କୋଲ୍ଟ’ ରିଭଲଭ । ବ୍ରହ୍ମପୁର ବାପଘରେ କେଉଁ ଅଳିଆ ଗଦାରେ ପଡ଼ିଥିଲା । ସେଥିରେ ଗୁଳି ଫୁଟିବା ପରି କିଛି ନଥିଲା । କିନ୍ତୁ ନମ୍ବର ଥିଲା । ପ୍ରଫେସରଙ୍କ ସ୍ତ୍ରୀ ସେଥିରେ ଆଞ୍ଚ ପାଇଁ ନଟକୋକ୍ ଗୁଣ୍ଡ କରୁଥିଲେ ।
ଯାହା ଫାବେ ...
ସମ୍ପାଦନାଭୁଲ ବ୍ଲାଷ୍ଟିଂ ଯୋଗୁ ୧୯୭୫ରେ ଚାଷନଳା (ଧାନବାଦ) କୋଇଲାଖଣି ଭିତରକୁ ବନ୍ୟା ଜଳ ପଶି ତା ଭିତରେ ଆବଦ୍ଧ ୩୭୨ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ସେ ଆଧରରେ ‘କାଲା ପଥର’ ଫିଲ୍ମ ନିର୍ମାଣ ହେଲା । ହିରୋ ଥିଲେ ଅମିତାଭ ବଚ୍ଚନ । ବିଡ଼ମ୍ବନା ଯେ ସେ ଫିଲ୍ମ ମୁଁ ୧୯୮୦ରେ ଭୋପାଳରେ ଦେଖିଥିଲି । କିଏ ବା ଜାଣିଥିଲା, ଆଉ ଚାରି ବର୍ଷ ପରେ ୟୁନିଅନ କାର୍ବାଇଡ୍ ଗ୍ୟାସ ଲିକରେ ସେଇଠି ୧୫-୨୦ ହଜାର ଅସଂପୃକ୍ତ ଲୋକେ ଅସହାୟ ଭାବେ ମରିବେ ବୋଲି? ନିଜେ ଇସ୍ପାତ କାରଖାନରେ କାମ କରୁଥିବାରୁ ଶିଳ୍ପ-ଦୁର୍ଘଟଣା ମୋ ପାଇଁ ନିହାତି ଅପରିଚିତ ନଥିଲା । ସେତେବେଳକୁ ମୁଁ ୟୁନିଅନରେ ପୁରୁଣା ହୋଇ ସାରିଥାଏ । ସାଧାରଣଜ୍ଞାନ ଭିତରକୁ ଶ୍ରମିକ ଏବଂ ତା ଦୁର୍ଦ୍ଧଶା ପଶି ଆସିବା ସ୍ୱାଭାବିକ ଥିଲା ।
ଶ୍ରମକ୍ଷେତ୍ର-ଶ୍ରମିକ-ପରିବେଶର ସ୍ୱାସ୍ଥ୍ୟ, ସୁରକ୍ଷା ଓ ଶୈଳ୍ପିକ ଜୀବନ ତନ୍ନତନ୍ନ ତଦାରଖ ପାଇଁ ୧୯୬୬ରୁ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆରମ୍ଭ ହେଲା ‘ନେସନାଲ ସେଫ୍ଟି କାଉନ୍ସିଲ’ (ଏନଏସସି) । ଏହା ‘ସୋସାଇଟି ରେଜିେଷ୍ଟ୍ରସନ ଆକ୍ଟ, ୧୮୬୦’ ଏବଂ ‘ବମ୍ବେ ପବ୍ଲିକ ଟ୍ରଷ୍ଟ ଆକ୍ଟ, ୧୯୫୦’ରେ ଏକ ରେଜେଷ୍ଟ୍ରିଭୁକ୍ତ ଅନୁଷ୍ଠାନ । ଉଦେ୍ଧଶ୍ୟ, ଏଥିରେ ମାଲିକ, ଶ୍ରମିକ ଓ ସରକାର ସ୍ୱେଚ୍ଛାକୃତଭାବେ ସହଯୋଗ କରିବେ । କିଛି ବାଧ୍ୟବାଧକତା ନାହିଁ । ‘ଏନଏସସି’ର ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଆଠକାଳୀବାରମାସୀ ଚାଲିଥାଏ । ସେଥିରୁ ଗୋଟିକରେ ଆମେ ଅଳ୍ପ କେତେଜଣ ଶ୍ରମିକ ୧୯୭୯ରେ ତିନୋଟି କାରଖାନା ବୁଲିବାକୁ ଯାଇଥିଲୁ । ସେଗୁଡ଼ିକ ଥିଲା ‘ସେଲ’ ଭିଲାଇ ଇସ୍ପାତ କାରଖାନା (ବିଏସପି), ଭାରତ ହେଭି ଇଲେକ୍ଟିକାଲସ୍ (ଭେଲ୍) ଏବଂ ୟୁନିଅନ କାର୍ବାଇଡ୍ର ଅଫ ଇଣ୍ଡିଆ ଲିମିଟେଡ୍ (ୟୁସିଆଇଏଲ)ର ହତଭାଗ୍ୟ ପେଷ୍ଟିସାଇଡ୍ କାରଖାନା । ଶେଷ ଦୁଇଟି ଭୋପାଳ ସହର ଭିତରେ । ‘ୟୁସିଆଇଏଲ’ର କାର୍ବାଇଡ୍ କାରଖାନା ଦେଖିବା ଦିନ ଥିଲା ଜାନୁଆରି ୨ ବା ୩, ୧୯୮୦ । ହାଡ଼ଭଙ୍ଗା ଶୀତ । ‘ବିଏସପି’ ଏବଂ ‘ଭେଲ୍’ - ପବ୍ଲିକସେକ୍ଟର । ମୁଁ ଥିଲି ଜଣେ ପବ୍ଲିକସେକ୍ଟର ଶ୍ରମିକ । ଏବଂ ସେହି ଭରସାରେ କହି ପାରିବି ଯେ ଯେତେ କମ ହେଉ ପଛେ, ଶିଳ୍ପ-ସୁରକ୍ଷା ପାଇଁ ପବ୍ଲିକସେକ୍ଟର କାରଖାନାଗୁଡ଼ିକରେ କିଛି ହାରାହାରି ଧାରା ଅଛି ଏବଂ ସେଠି ଶ୍ରମିକ ଅଧିକ ସଚେତନ ।
ଭୋପାଳ ଆକ୍ସିଡ଼େଣ୍ଟ ସଂପର୍କୀୟ କୋର୍ଟ ରାୟ ପରେ, ଜଣାପଡ଼ୁଛି ଭାରତ ଯେମିତି ଅତି ଅସହାୟ ହୋଇ ପଡ଼ିଛି । କାହାକୁ ବିଶ୍ୱାସ କରିବ? ତେଣୁ ମିଡ଼ିଆ ଚର୍ଚ୍ଚା ଭିତରକୁ ପଶି ଆସିଛନ୍ତି ୟୁନିଅନ କାର୍ବାଇଡ ମୁଖ୍ୟ ୱାରେନ ଏଣ୍ଡରସନ । କାରଖାନା ପରିସରର ଯେଉଁ ଗେଷ୍ଟ୍-ହାଉସରେ ଏସ.ପି.ଙ୍କ ହାତରେ ଗିରଫ ହୋଇ ବିଶ୍ୱାସଘାତକଙ୍କ କାରସାଦି ଯୋଗୁ କଲେକ୍ଟରଙ୍କଠୁଁ ସଲାମ ପାଇ ସେ ଭୋପାଳ ଏବଂ ଭାରତ ଛାଡ଼ି ଚାଲିଗଲେ ବୋଲି ଟିଭିରେ ଏବେ ଫିଚର୍-କ୍ଲିପିଙ୍ଗ୍ ଦେଖୁଛୁ, ମନେ ପଡ଼ୁଛି ସେଇଥିରୁ ଗୋଟିକରେ ବୋଧେ ଆମ ଭୋଜନ ଏବଂ ସ୍ୱଳ୍ପ ବିଶ୍ରାମର ଆୟୋଜନ ହୋଇଥିଲା । ସେଠି ଅଛି ଲାଗିଲାଗି କମ୍ପାନିର ଚାରୋଟି ଗେଷ୍ଟ୍-ହାଉସ । ନିଷିଦ୍ଧାଞ୍ଚଳ ଭିତରେ କାରଖାନାକୁ ଲାଗି ମୁହଁ ବାହାର ଆଡ଼କୁ । ପାଖାପାଖି ପ୍ରଶାସନିକ ଭବନ । ଚଉଡ଼ା ରାସ୍ତା, ଲନ୍ ଓ ଫୁଲ ବଗିଚାରେ ତୋରା ଦେଖାଯାଏ ଅଞ୍ଚଳଟା । ପଛପଟକୁ ଫ୍ୟାକ୍ଟ୍ରି ।
୧୯୮୦ ବେଳକୁ ଏ କାରଖାନାର ମହକ ହଜି ଯାଇଥିଲା । ଉତ୍ପାଦନ କମାଇ ଦିଆ ଯାଉଥିଲା । କମ୍ପାନି କାରଖାନା ବିକି ଦେବ ବୋଲି ଶୁଣା ଯାଉଥିଲା । ମୋ ନିଜ ଚାକିରି ଥିଲା କେମିକାଲ ଅପରେସନ । ଅନ୍ୟ ପ୍ରତିନିଧିଙ୍କଠାରୁ ମୋ ପକ୍ଷେ ପ୍ଲାଣ୍ଟ ବୁଝିବା ଟିକେ ଅଧିକ ସହଜ ଥିଲା । ବିଷାକ୍ତ ଗ୍ୟାସ, ଟକ୍ସିନ, ଏସିଡ୍ ଏବଂ ଏଫ୍ଲୁଏଣ୍ଟ୍ ଇତ୍ୟାଦି ଉତ୍ପାଦନ ଓ ପରିଚାଳନା ଥିଲା ମୋ କାମ । କେମିକାଲ କାରଖାନାର ଏକ ବିଶିଷ୍ଟତା ହେଲା ଯେ ଏଥିରେ ସବୁ କାମ ଅଦୃଶ୍ୟ ଏବଂ ଯାହା ଯେତେ ମାରାତ୍ମକ ତାହା ସେତେ ସାତ ତାଳ ପଙ୍କ ଭିତରେ ବୁଢ଼ୀ ଅସୁରୁଣୀର ଫରୁଆ ପରି ଲୁଚି ରହିଥାଏ । ଯେହେତୁ ଏ ଫ୍ୟାକ୍ଟ୍ରି ଭିଜିଟ୍ ‘ଏନଏସସି’ର ଏକ ସଂଯୋଜିତ କାର୍ଯ୍ୟକ୍ରମ, ଆମେ ସେତିକି ଦେଖିବାକୁ ସକ୍ଷମ ହୋଇଥିବୁ ଯେତିକି କର୍ତ୍ତୃପକ୍ଷ ଆମକୁ ଦେଖେଇ ଥିବେ । ଛୋଟ କାରଖାନାଟିଏ । ପ୍ରାୟ ସବୁ ଜାଗା ବୁଲିଛୁ । ଦୈତ୍ୟ ମିଥାଇଲ ଆଇସୋସାଇନେଟ ଟାଙ୍କି ବି ଦେଖିଥିବୁ । ମନେ ପଡ଼ୁଛି, ବୁଲିଲାବେଳେ ଆମକୁ ପ୍ରୋଟେକ୍ଟିଭ ମାସ୍କ୍ ପିନ୍ଧିବାକୁ ଦିଆ ଯାଇଥିଲା ଏବଂ ସାଙ୍ଗରେ ଅକ୍ସିଜେନ ସିଲିଣ୍ଡର ଥାଏ ମଧ୍ୟ । ମାତ୍ର ସେଠି କାମ କରୁଥିବା ଶ୍ରମିକ ସ୍ୱାଭାବିକ ଚାଲବୁଲ କରୁଥା’ନ୍ତି ।
କାରଖାନାର ନିର୍ମାଣ ଓ ଉତ୍ପାଦନ ଢଙ୍ଗ ମତେ ଲାଗୁଥିଲା ଆମ ବାରଙ୍ଗ କାଚ କାରଖାନା ପରି । ଯାଇତାଇ ଏବଂ ପ୍ରାଗ୍-ଐତିହାସିକ । ଯାହା ସେତେବେଳେ ଆଖିରେ ପଡ଼ିଛି ଓ ଆଜି ମନେ ପକାଇ ପାରୁଛି । ଚିତ୍ରଗୁଡ଼ିକ ଶିଳ୍ପ ପରି ଲାଗୁ ନଥିଲା । ବରଂ ଲାଗୁଥିବା କୌଣସି ମାଲଗୋଦାମ ପରି । ଶ୍ରମିକଙ୍କର କିଛି ଡ୍ରେସ୍ କୋଡ୍ ନଥିଲା । ତା ଭିତରେ କଛା-ମରା, ଚପଲ-ପିନ୍ଧା ଶ୍ରମିକ କାମ କରୁଥିବା ଦେଖିଚୁ । ରଙ୍ଗ ଦିଆ ହେଉ ନଥିବା କଳଙ୍କିଆ ପାଇପ ଲାଇନ ଓ ଟାଙ୍କି, ସାଇଡ଼ଗାର୍ଡ ନଥିବା କନଭେୟାର ବେଲ୍ଟ, ଇଲେକ୍ଟ୍ରି ଲାଇନ ବାଉଁଶରେ ବନ୍ଧା ହୋଇ ଏପଟ ସେପଟ ଯାଇଥିବା ପରି ବହୁ ବିସଦୃଶ ରୂପ ଦେଖିଚୁ । କେମିକାଲ ଫ୍ୟାକ୍ଟ୍ରିରେ ଏଗୁଡ଼ିକ ସାଂଘାତିକ ବର୍ଜନୀୟ ।
ଆଇନର ଆବଶ୍ୟକତା ପୂରା କରିବାକୁ କାରଖାନାର ଜଣେ ‘ସେଫ୍ଟି ଇଂଜିନିଅର’ ଅବଶ୍ୟ ଥିଲେ । ସେ ଆମ ସହିତ ଯୋଡ଼ି ହୋଇ ରହୁଥିଲେ । ମାତ୍ର ତାଙ୍କ ଶିକ୍ଷା ଥିଲା, ସେ କହିଲେ – ମେକାନିକାଲ ଡିପ୍ଲୋମା । ସେଠାକାର ଜଣେ ନେତା କହିଲେ – ସେ ଅମୁକ ସାହବ (ଭାରତୀୟ)ଙ୍କ ଘରେ ‘ନୌକର’ ଥିଲେ । ଦୁର୍ଘଟଣା ପରେ ସାହେବ ଗିରଫ ହୋଇଥିଲେ । ‘ସେଫ୍ଟି ଇଞ୍ଜିନିୟର’ ପୂର୍ବରୁ ତାଙ୍କ ଘର କାମ ଓ ପିଲାଙ୍କୁ ସ୍କୁଲ ନିଆ ଅଣା କରୁଥିଲେ । ପାଠ – ନନ୍-ମ୍ୟାଟ୍ରିକ ଆଇଟିଆଇ । ପ୍ରତ୍ୟେକ ପ୍ରଶ୍ନ ପାଇଁ ତାଙ୍କର ଉତ୍ତର ରହୁଥିଲା – ଆଧୁନିକୀକରଣ ହେବ ତ! ଧୋତି ଚପଲ ପିନ୍ଧା ଶ୍ରମିକ ମଡର୍ଣ୍ଣାଇଜ୍ ହେବେ କେମିତି? ଏମିତିକା ବହୁ ପ୍ରଶ୍ନର ଉତ୍ତର ପ୍ରାୟ ତାଙ୍କ ପାଖରେ ନଥିଲା । ଆମେ ବି ନିଜ ସୀମା ଜାଣିଥିଲୁ ।
୧୯୮୪ ହେଲା କାର୍ବାଇଡ୍ ଦୁର୍ଘଟଣା । ଏହା ଥିଲା ପୃଥିବୀର ସବୁଠୁଁ ଭୟାନକ ଇଣ୍ଡଷ୍ଟ୍ରିଆଲ୍ ଏକ୍ସିଡେଣ୍ଟ୍ । ଛବିଶ ବର୍ଷ ଅରକ୍ଷିତ ଅପେକ୍ଷା ଏବଂ ଅସହାୟ ଯାତନା ପରେ ନ୍ୟାୟ ଓ ଆନେ୍ଦାଳନର ପର୍ବତ ତଡ଼ା ହେଲା । ଆଇନ ନାଁରେ ମଲା ମୂଷାଛୁଆଟିଏ ମିଳିଛି । ସ୍ମୃତି ମନେ ରଖିବାକୁ ପ୍ରତି ବର୍ଷ ଡିସେମ୍ବର ୩ ଦିନ ଅନୁକମ୍ପାର ମହମବତି ଲୋକେ ଜଳାଉଛନ୍ତି । ‘ବିଚରା ଭାରତ’ କହି ମୋର ମନେ ପଡ଼ିନ୍ତି – ‘ସେଫ୍ଟି ଇଂଜିନିୟର’!
ଝୁଣ୍ଟିଆ (୧)
ସମ୍ପାଦନାଜୁଲାଇ ଦ୍ୱିତୀୟ ସପ୍ତାହରେ ଦୁଇ ଦିନ ପାଇଁ ରାଉରକେଲା ଯାଇଥିଲି । ନୂଆ ଜଣେ ପଡ଼ୋଶୀ ଆସିଲେ । ବଙ୍ଗାଳୀ । ବିଧବା ମା, କଞ୍ଚା ବୟସର ପତି-ପତ୍ନୀ ଓ ଛୋଟ ଛୁଆଟିଏ । ଦୁଇ ଘରର ମଝି ବାଡ଼ ନଥାଏ । ତାଙ୍କ ପଟେ ଗୋଟେ ଗଙ୍ଗଶିଉଳୀ ଗଛ, ଆମ ପଟେ ଧାଡ଼ି ହୋଇ ତିନିଟା ପଣସ ଗଛ । ବାକି ସୀମାଚିହ୍ନ ଆଖିରେ ଆଖିରେ । ଛୁଆଟିର ଆମ ଘରେ ଅବାଧ ଦାଦାଗିରି ଚାଲୁଥିଲା । ପିଲା ବୁଲିଲେ ଘରର ମହକ ବଦଳି ଯାଏ । ଏ ସୁଖ ମୁଁ ତା’ଠୁଁ ଅନୁଭବ କରିଛି । ଟିକେ ବଡ଼ ହେଲା । ଦେଖାଗଲା ଏକଦମ ଗୋଟେ ଛୋଟ ସୌରଭ ଗାଙ୍ଗୁଲୀ ପରି । ଏବେ ସେ ‘ସେଣ୍ଟ ପଲ୍ସ’ରେ ୧୦ମରେ ପଢ଼ୁଛି । ସେ ମତେ ‘ଦାଦୁ’ (ଜେଜେ) ଡାକେ । ଆମ ଘରେ ତା ନାଁ ଥିଲା ‘ବାବୁ’ । ଶୁଣି ଖୁସି ଲାଗିଲା ଯେ ଏଇଟା ତା’ର ପ୍ରମୁଖ ଡାକ ନାଁ ହୋଇଯାଇଛି । ତା ବ୍ରତଘର । ଆଉ ଜଣେ ଘନିଷ୍ଟଙ୍କ ବର୍ଷିକିଆ ଶ୍ରାଦ୍ଧ । ନ ଯିବା ଉପାୟ ନଥିଲା ।
କାମଧନ୍ଦାର ବ୍ୟସ୍ତତା ଭିତରେ ବି ଏକ ଉତ୍ସୁକତା ଥାଏ । ଗୋଟେ ଭାଣ୍ଡାମି ଶୁଣିଥିଲି । କିନ୍ତୁ ନିଜେ ରହୁ ନଥିବାରୁ ସ୍ୱଚକ୍ଷୁରେ ଦେଖି ନଥିଲି । ରିଙ୍ଗ୍ରୋଡ୍ ସେକ୍ଟର-୨ ଓ ୩ ଛକ । ଇସ୍ପାତ ସହର ପାଇଁ ପ୍ରବେଶ ପଥ କହିଲେ ଚଳିବ । ମଝିରେ ଛୋଟ ପାର୍କ କରି ସେଇଠି ବିଜୁବାବୁଙ୍କର ଗୋଟେ ବ୍ରୋଞ୍ଜ ଷ୍ଟାଚ୍ୟୁ ସ୍ଥାପିତ ହୋଇଛି । ଇସ୍ପାତ ସହରର ମଥାନ ପରି ଲାଗେ । ଲୋକେ ବିଜୁ ପଟ୍ଟନାୟକଙ୍କୁ ଭଲ ପାଆନ୍ତି କି ନା, ଜାଣେନା । ‘ଜର୍ମାନକ୍ଲବ ଛକ’ କି ‘ତିନ ନମ୍ବର ଥାନା ଛକ’ – ଏ ନାଁଗୁଡ଼ିକ ଲୋପ ହେବାକୁ ବସିଲାଣି । ଏବେ ତାହା – ବିଜୁ ପଟ୍ଟନାୟକ ଛକ ବା ବିଜୁଛକ । ସେଠି ବିଜୁ ବାବୁଙ୍କ ଷ୍ଟାଚ୍ୟୁ ନ ହୋଇଥିଲେ, ଏ ନିରବ ବିବର୍ତ୍ତନ କେବେ ବି ସମ୍ଭବ ହୋଇ ନଥା’ନ୍ତା ।
ପ୍ରତିଷ୍ଠା କରିଥିଲେ ରାଜ୍ୟସଭା ସଦସ୍ୟ ଦିଲୀପ ରାୟ । ଦିଲୀପ ବାବୁ ଜଣେ ପ୍ରଭାବଶୀଳ ରାଜନୈତିକ ବ୍ୟକ୍ତି । ସେ ରାଉରକେଲାର ଜନ୍ମିତ ପିଲା । ଭାଣ୍ଡାମିଟି ହେଲା – ଷ୍ଟାଚୁ୍ୟର ଆନାଉନ୍ସମେଣ୍ଟ ପ୍ଲେଟ୍ରେ ଦିଲୀପ ରାୟଙ୍କ ଲେଖା ନାଁ ଉପରେ ‘କେହି’ କଳା ବୋଳି ଦେଇଛି । ଏପରି ଚିନ୍ତାହୀନ କାମ ଯେ କୌଣସି ପାଗଳ ବି କରିପାରେ । କିନ୍ତୁ – ଏ ଅସଭ୍ୟତା ସିଭିଲ ସୋସାଇଟି ସହିବା ଉଚିତ ନୁହେଁ । ତାହା ସ୍ୱଚକ୍ଷୁରେ ଦେଖିବା ପରେ, ମନ ହେଲା ଆଉ ଗୋଟେ ସ୍ମୃତିଫଳକ ଦେଖିବାକୁ । ଇଜିମାଇଲ କୋଠାର ବହୁ ଭଙ୍ଗାଯୋଡ଼ା ଭିତରେ ବି ତାକୁ ମୁଁ ବାରମ୍ବାର ଦେଖୁଥିଲି । ‘ଇଭିନିଙ୍ଗ କଲେଜ’ ପ୍ରବେଶପଥ ଡାହାଣ କାନ୍ଥରେ ଫଳକଟିଏ ଥିଲା । ୧୯୬୨ ଅଗଷ୍ଟ ମାସର କୌଣସି ଏକ ଦିନ ‘ରାଉରକେଲା ସାଇନ୍ସ କଲେଜ’ ଉଦ୍ଘାଟନ କରିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟାନନ୍ଦ ପଟ୍ଟନାୟକ । ତାହା ଆଉ ନଥିଲା ।
ନୂଆର ଗହଳି ଭିତରେ ପୁରୁଣା ସବୁବେଳେ ହଜେ । କିନ୍ତୁ ଇତିହାସ ହଜିଲେ, ଆମେ କାହାଠୁଁ ତାକୁ ଖୋଜିବା? ରାଉରକେଲାର ଶିକ୍ଷାକୁ ଅତି ନିକଟରୁ ଦେଖିବାକୁ ସୁଯୋଗ ପାଇଛି । ପଢ଼ିଚି ଓ କିଛି କାମ ବି କରିଛି । ‘ରାଉରକେଲା ସାଇନ୍ସ କଲେଜ’ ଆମ ଘରଠୁଁ ଶହେ ମିଟର ଦୂର ବି ହେବନି । ଉଚ୍ଚ ଶିକ୍ଷା ଆରମ୍ଭର ଏନ୍ତୁଡ଼ିଶାଳ । ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥ୍ମେଟିକ୍ସ – ୬୪ ସିଟରେ ଆରମ୍ଭ । ଏହା ସପକ୍ଷରେ ବିଜୁ ବାବୁ କୁଆଡ଼େ କହିଥିଲେ, ଓଡ଼ିଆ ପିଲା ଏଣିକି ସାଇନ୍ସ ପଢ଼ନ୍ତୁ । ଆଜି ତା ରୂପ ବହୁତ ବଦଳିଛି । ହୋଇଛି – ରାଉରକେଲା ସରକାରୀ (ସ୍ୱୟଂଶାସିତ) ମହାବିଦ୍ୟାଳୟ । ୧୯୮୨ଠାରୁ ଚାଲୁଛି ପାନପୋଷଠାରେ । ଏବେ ରାଜ୍ୟର ଏକ ନାମକରା ଅନୁଷ୍ଠାନ । ମୂଳସ୍ଥାନ ସେକ୍ଟର-୪ରେ ଏବେ ସେଠି ଆଉ ଦୁଇଟି କଲେଜ ଚାଲିଛି । ‘ରାଉରକେଲା ନାଇଟ୍ କଲେଜ’ (ସ୍ଥାପିତ: ୧୯୬୭) ଓ ‘ରାଉରକେଲା ଉଇମେନ୍ସ କଲେଜ’ (ସ୍ଥାପିତ: ୧୪ ଅଗଷ୍ଟ ୧୯୮୦) । ଉପରୋକ୍ତ କଲେଜର ନାଁ ଦୁଇଟି ଯଥାକ୍ରମେ ବଦଳି ହୋଇଛି – ‘ରାଉରକେଲା ସରକାରୀ ଜୁନିଅର କଲେଜ’ ଏବଂ ‘ସୁଶୀଳାବତୀ ଗଭ୍ମେଣ୍ଟ ଜୁନିଅର ଉଇମେନ୍ସ କଲେଜ । ଏ ସଂପର୍କରେ ଅନେକ କିଛି ଆଗକୁ କହିବି ବୋଲି ଆଶା ।
ଇସ୍ପାତ କାରଖାନା ନିର୍ମାଣ ପୂର୍ବରୁ ଆଖପାଖ ହୋଇ ଚର୍ଚ୍ଚ ପରିଚାଳିତ ଦୁଇଟି ହାଇସ୍କୁଲ ଥିଲା । ହମିରପୁର ଓ ଝିରପାଣି । ପ୍ରତିଷ୍ଠା ଯଥାକ୍ରମେ ୧୯୩୬ ଓ ୧୯୪୨ । ଏହା ପରେ, ସରକାରଙ୍କ ଉଦିତନଗର ହାଇସ୍କୁଲ । ୧୯୫୪ ପର୍ଯ୍ୟନ୍ତ ଡେଲିମାର୍କେଟରେ ଚାଲୁଥିବା ମିଡ଼ିଲ ଇଂଲିଶ ସ୍କୁଲକୁ ଉଦିତନଗରକୁ ଉଠେଇ ନିଆଗଲା । ଆରମ୍ଭ ହେଲା ହାଇସ୍କୁଲ । ପ୍ରଥମ ବ୍ୟାଚ ପିଲା ଏକାଦଶ ଶ୍ରେଣିଆ ମ୍ୟାଟ୍ରିକ ଦେଲେ ୧୯୫୮ରେ । ସେଣ୍ଟର ଥିଲା ବି.ଏସ. (ଭବାନୀ ଶଙ୍କର) ହାଇସ୍କୁଲ, ସୁନ୍ଦରଗଡ଼ । ବର୍ତ୍ତମାନର ସ୍କୁଲ କୋଠା ଅନେକ ପରେ ତିଆରି ହୋଇଛି । ଏହାର ପ୍ରଥମ ପ୍ରଧାନ ଶିକ୍ଷକ ଥିଲେ ଶ୍ରୀ ସୁନିଲ କୁମାର ପୁରୀ । ସେ ପରେ କାରଖାନା ଚାକିରିରେ ଜଣେ ନାମଜାଦା ପ୍ରଧାନ ଶିକ୍ଷକ ଏବଂ ଶିକ୍ଷା ଅଧିକାରୀ ବି ହୋଇଥିଲେ । ଆଉ ଜଣେ ଫେମସ ଇଂଲିଶ ଶିକ୍ଷକ ଥିଲେ ଶ୍ରୀ ଶିବ ପ୍ରସାଦ ମହାପାତ୍ର । ମୋ ଭାଗ୍ୟ ଯେ ଉଭୟଙ୍କ ସହିତ ସଂପର୍କ ଥିଲା । ଶିବ ବାବୁ ଗପ ଓ କବିତା ଲେଖୁଥିଲେ । ଷାଠିଏ ଦଶକରେ ‘ସଙ୍ଘମ୍’ ନାମକ ଏକ ପ୍ରଗତିବାଦୀ ସାହିତ୍ୟ ଅନୁଷ୍ଠାନର ସେ ଅନ୍ୟତମ ସ୍ରଷ୍ଟା ଥିଲେ ।
ୟୁଜିସି ଆନୁକୂଲ୍ୟରେ ୨୦୧୦ ଫେବ୍ରୁଆରି, ୨୬ ଏବଂ ୨୭ ଦୁଇ ଦିନ ଧରି ଇସ୍ପାତ (ସ୍ୱୟଂଶାସିତ) ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଓଡ଼ିଶା ହିଷ୍ଟ୍ରି କଂଗ୍ରେସର ୩୧ତମ ଅଧିବେଶନର ସ୍ମରଣିକା ପାଇଁ ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡ. ପ୍ରଭାତ କୁମାର ମଲ୍ଲିକ ମୋତେ ଗୋଟିଏ ରାଉରକେଲା ସ୍ମୃତିସମ୍ବଳିତ ପ୍ରବନ୍ଧ ମାଗିଥିଲେ । ନିଦେ୍ର୍ଧଶିତ ବିଷୟ ଥିଲା “ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ଊସଗ୍ଦକ୍ଟ୍ରକ୍ଷବମରଜ୍ଞରଦ୍ଭଗ୍ଧ ଌ ଊରଗ୍ଧକ୍ସସଭବକ୍ଷସଗ୍ଦବଗ୍ଧସକ୍ଟଦ୍ଭ: ଐସଗ୍ଦଗ୍ଧକ୍ଟକ୍ସସମବକ୍ଷ ଋଙ୍ଘକ୍ଟ୍ରରକ୍ସସରଦ୍ଭମରଗ୍ଦ ସଦ୍ଭ କ୍ଟ୍ରକ୍ଟଗ୍ଦଗ୍ଧ-ଉକ୍ଟକ୍ଷକ୍ଟଦ୍ଭସବକ୍ଷ ଙକ୍ସସଗ୍ଦଗ୍ଦବ.” କଷ୍ଟେମଷ୍ଟେ ଦେଇଥିଲି । ମୋ ଅନୁଭୂତିଗୁଡ଼ିକୁ ପୁରୁଖାମାନେ ପସନ୍ଦ ଏବଂ ସମର୍ଥନ କରିଛନ୍ତି ବୋଲି ଅଧ୍ୟାପକ ମଲ୍ଲିକଙ୍କଠାରୁ ଶୁଣିଲି । ଏହା ରାଉରକେଲା ସଂପର୍କରେ ଜାଣିଥିବା କଥା କହିବାକୁ ମୋତେ ଉତ୍ସାହିତ କରିଛି ।
ବାପା ଚାଲିଗଲା ପରେ । କେଜାଣି କାହିଁକି ମୋ ଅମାନିଆ ଆଖି ଚାଲିଯାଏ ବୋଉର ଲୋଳିତ ପାଦଆଡ଼େ । ଝୁଣ୍ଟିଆ ନ ଥାଏ । ତା ଦେହରେ ଆହୁରି କେତେ ଚିଜ ନ ଥାଏ । ସେ ମୋ ମନର ଅସହାୟ ଅବସ୍ଥା କଦାପି ଅନୁମାନ କରି ପାରି ନ ଥିବ । କାରଣ ମୋ ହସକୁ ସେ ନିଷ୍କପଟ ବିଶ୍ୱାସ କରୁଥିଲା । ସୁଖୀ ଅଛି ବୋଲି ପତିଆରା ଦେଖେଇ ମୋ ମନରେ କଷ୍ଟ ନ ଦେବାକୁ ସେ ବି ହସୁଥିଲା । ଧରାରୁ ବିଦା ହେବାଯାଏ ନିଜ ମନ ଲୁଚେଇ ସେ ମତେ ହସ ଦେଖୋଉଥିଲା । ତା ଅଜାଣତରେ ମୁଁ ତା ପାଦରେ ନ ଥିବା ଝୁଣ୍ଟିଆ ଖୋଜୁଥିଲି । ପାଉ ନ ଥିଲି । ସେମିତି ବି ପାଇ ନ ଥିଲି ବିଜୟାନନ୍ଦ ପଟ୍ଟନାୟକଙ୍କ ‘ରାଉରକେଲା ସାଇନ୍ସ କଲେଜ’ର ଉଦ୍ଘାଟନ ଫଳକ ।
ପ୍ରିନ୍ସପାଲଙ୍କୁ ମୋବାଇଲରେ ଏ କଥା ପଚାରିଲି । ତାଙ୍କ ଉତ୍ତର ଥିଲା – ମୁଁ ଆଜ୍ଞା ଗତ ଜୁଲାଇ ଏତେ ତାରିଖରେ ଏଠି ଜଏନ କରିଛି । ତା ଆଗରୁ ଥିଲି ଅମୁକ ଜାଗାରେ । ସେ ଜଣେ ଯଶସ୍ୱୀ ଶିକ୍ଷାବିତ୍ ଏବଂ ଦି’ ବର୍ଷ ଭିତରେ କଲେଜର ହିତ ପାଇଁ କେତେ ୟୁଜିସି ଗ୍ରାଣ୍ଟ ଯୋଗାଡ଼ କରିଛନ୍ତି ଏବଂ ଛାତ୍ରଙ୍କ ହିତ ପାଇଁ ଆହୁରି କେତେ କଳ୍ପନା ପେଣ୍ଡିଙ୍ଗ୍ ରଖିଛନ୍ତି – ସବୁ କହିଲେ । ସୂଚନା ପାଇଁ ଉପାଦେୟ ହେଲେ ବି ସେଗୁଡ଼ିକ ଶୁଣିବାକୁ ମୋର ଆଗ୍ରହ ନ ଥିଲା । ବୋଉର ଝୁଣ୍ଟିଆ କଥା ମନେ ପଡ଼ିଲେ ଏ ଅନାଗ୍ରହପଣର ସହଜ ସମାଧାନ ଆପେ ମନକୁ ଆସେ । ବାକ୍ସରେ ତା’ର ଯେତେ ଗହଣା ଥିଲା ତାକୁ ଆମେ ଦେଖି ନ ଥିଲୁ କି? ଚାରଣା କି ଆଠଣା ଓଜନର ରୁପା ଝୁଣ୍ଟିଆ ଦି’ଟା ସେ ତୁଳନାରେ କିଛି ନୁହେଁ । ସ୍ମୃତି କିନ୍ତୁ ଅନେକ, ଯାହା ନିଶବ୍ଦରେ ବୋଉଠାରୁ ମୋ ପାଖକୁ ଆସିଥିବ । ‘ରାଉରକେଲା ସାଇନ୍ସ କଲେଜ’ର ଉଦ୍ଘାଟନ ଫଳକ ମୋ ପାଇଁ ସେମିତି ପ୍ରାସଙ୍ଗିକ ଥିଲା ।
ଝୁଣ୍ଟିଆ (୨)
ସମ୍ପାଦନା“ଋଙ୍ଖରକ୍ସଚ୍ଚ ଜ୍ଞବଦ୍ଭ'ଗ୍ଦ ଜ୍ଞରଜ୍ଞକ୍ଟକ୍ସଚ୍ଚ ସଗ୍ଦ ଷସଗ୍ଦ କ୍ଟ୍ରକ୍ସସଙ୍ଖବଗ୍ଧର କ୍ଷସଗ୍ଧରକ୍ସବଗ୍ଧଙ୍କକ୍ସର.” – ଇକ୍ଷୟକ୍ଟଙ୍କଗ୍ଦ ଐଙ୍କଙ୍ଘକ୍ଷରଚ୍ଚ କୁହାଯାଏ, ସଂପର୍କ ଭଙ୍ଗାଯୋଡ଼ା ମାମଲାରେ ପୁରୁଷ କପାଳରେ କୁଆଡ଼େ ଦୁଇଟି ବିପତ୍ତି । ଏକ: ସେ ଜାଣେନା, ନାରୀ କ’ଣ ଚାହେଁ । ଦୁଇ: ଅଥଚ ପୁରୁଷ କ’ଣ ଚାହେଁ, ସେକଥା ନାରୀ ଜାଣେ । ରିଫିଲ ଓ ବଲ୍-ପଏଣ୍ଟ୍ ପେନ୍ ମିଶି କଲମ କାମ କରୁଥିବା ପରି ଏ ଦୁଇଟି ମିଶି ଗୋଟିଏ ଦୁଃଖ । ତାକୁ ପୁରୁଷ ଛାତି ପକେଟରେ ମାରି ବୁଲୁଥାଏ ।
ରାଉରକେଲାର ଶିକ୍ଷା ବିକାଶ । ଏଥିରେ ବହୁ ବିବିଧତା ରହିଥିବା ସ୍ୱାଭାବିକ । ସେକାଳ ବୋଲି, ଅତି ସରଳଭାବେ ସହରଟା ତିଆରି ହୋଇଗଲା । ବିଜୁବାବୁ ଆଗ୍ରହ ଦେଖେଇଲେ, ଅତି ସହଜରେ ୭୦୦ ଏକର ଜମି ଆର.ଇ.ସି. (ଏବେ ଏନ.ଆଇ.ଟି) ପାଇଁ ଦିଆ ହୋଇଗଲା । ଏବେ ବି.ପି.ୟୁ.ଟି. ହେଲା । ୭୦ ଏକର ଜମି ବି ନିର୍ବିଘ୍ନରେ ଯୋଗାଡ଼ ହୋଇ ପାରୁ ନଥିଲା । ଏବେ ତ ସବୁକଥା ମୟୂର ପୁଚ୍ଛ ଟେକି ନାଚିଲା ପରି । ବିଜୁବାବୁ କହିଲେ । ସେକ୍ଟର-୪ରେ ‘ରାଉରକେଲା ସାଇନ୍ସ କଲେଜ’ – ଆଜି ପାନପୋଷସ୍ଥିତ ‘ରାଉରକେଲା ସରକାରୀ (ସ୍ୱୟଂଶାସିତ) ମହାବିଦ୍ୟାଳୟ – ଆରମ୍ଭ ହେଲା । ସେଠି ପ୍ରଥମେ କାରଖାନାର ଏଫ.ଏ. ଅଫିସ ଥିଲା । ‘ସାତତାଲା’ (କାରଖାନାର ପ୍ରଶାସନିକ ଭବନ) ନିର୍ମାଣ ପରେ ଅଫିସ ସେଠାକୁ ଉଠିଗଲା । କଲେଜ ଆରମ୍ଭ ହେଲା ୧୯୬୨ରେ । କାରଖାନା ତରଫରୁ ଚାଲିଥାଏ ବର୍ଣ୍ଣାଢ଼୍ୟ ଓ ବିସ୍ତାରିତ ସ୍କୁଲ ଶିକ୍ଷାବ୍ୟବସ୍ଥା । ଅସଂଖ୍ୟ ପୁଅ ଝିଅ ମାଟ୍ରିକ ପାଶ୍ କରୁଥା’ନ୍ତି । କିନ୍ତୁ ଉପରକୁ ପଢ଼ିବାକୁ ସହରରେ ଆଉ ସେତେ ବିସ୍ତାରିତ କଲେଜ ବ୍ୟବସ୍ଥା ନଥିଲା । ଶିକ୍ଷା ସଂପର୍କରେ କିଛି ଆଗକୁ କହିବି ବୋଲି ଗତ ଜୁଲାଇ ୨୪, ୨୦୦୯ ଏହି ସ୍ତମ୍ଭରେ ଆମେ କହିଥିଲୁ ।
ଆବଶ୍ୟକତା ମେଣ୍ଟେଇବାକୁ ଲୋକେ ଢେର ଉଦ୍ୟମ କରିଛନ୍ତି । ତା’ପରେ ଆରମ୍ଭ ହେଲା – ନାଇଟ୍ କଲେଜ, ୧୯୬୬ । ସୁଶୀଳାବତୀ ଖୋସଲା ଦୟାନନ୍ଦ ଆଙ୍ଗେ୍ାବେଦିକ (ଏସକେଡିଏଭି) ମହିଳା କଲେଜ, ୧୯୬୭ । ୮୦ ଦଶକ ପୂର୍ବରୁ ଇସ୍ପାତ କଲେଜ, ମୁନିସିପାଲ କଲେଜ, ହୋମିଓପାଥୀ କଲେଜ ଏବଂ ଆଇନ କଲେଜ ଥିଲା । ସବୁଗୁଡ଼ିକର ସ୍କେଲିଟନ ପରି ଅବସ୍ଥା । ସବଜେକ୍ଟ ଓ ସିଟ୍ ସଂଖ୍ୟା ସୀମିତ । ମାଟ୍ରିକ ରେଜଲ୍ଟ ବାହାରିଲେ ସହରରେ ଆଗେ ହଇଚଇ ଆରମ୍ଭ ହୋଇଯାଏ । ପିଲେ କେଉଁଠି ପଢ଼ିବେ? କିଛି ପୁଅ ପିଲା ହୁଏତ କଷ୍ଟେମଷ୍ଟେ କୁଚିଣ୍ଡା, ଦେବଗଡ଼, ସୁନ୍ଦରଗଡ଼ ଆଦି ଜାଗାକୁ ପଢ଼ିବାକୁ ଯାଇ ପାରୁଥିଲେ । ମାତ୍ର ଝିଅଙ୍କ ପୋଥିରେ ଡୋର ।
‘ଏସକେଡିଏଭି’ରେ ମା’ ସୁଶୀଳାବତୀଙ୍କ ନାଁଟି ପରେ ବହୁ ଜଞ୍ଜାଳରେ ପକାଇଛି । ଅବଶ୍ୟ ତାହା ଥିଲା ଏକ ଆମୋଦିତ ପୀଡ଼ାର ଜଞ୍ଜାଳ । ଆମେ ଶୁଣିଥାଉ, ବିଖ୍ୟାତ ଇଂଜିନିୟର ଓ ଓଡ଼ିଶାର ପୂର୍ବତନ ଗଭର୍ଣ୍ଣର ଅଯୋଧ୍ୟାନାଥ ଖୋସଲାଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁଶୀଳାବତୀ କୁଆଡ଼େ ନିଜ ଗହଣା ବିକି ଦୟାନନ୍ଦ ଆଙ୍ଗେ୍ାବେଦିକ ଟ୍ରଷ୍ଟ ହାତକୁ ଲକ୍ଷେ ଟଙ୍କା ଟେକି ଦେଇଥିଲେ ରାଉରକେଲାରେ ଝିଅମାନଙ୍କ ଉଚ୍ଚଶିକ୍ଷା ପାଇଁ ଏମିତି ଏକ ସାଧାରଣ କଲେଜ ଖୋଲିବାକୁ । ତାହା ୧୯୬୭ରୁ ଆରମ୍ଭ ହେଲା । ଡିଏଭି ଟ୍ରଷ୍ଟ୍ ନିଜ ଶୃଙ୍ଖଳାରେ କଲେଜ ଚଳାଉଥାଏ । ଶ୍ରୀମତୀ ଖୋସଲାଙ୍କ ଆଗ୍ରହ ଯୋଗୁ ରାଉରକେଲାରେ ଟ୍ରଷ୍ଟ ପକ୍ଷରୁ ପକ୍ଷରୁ ଗୋଟିଏ ମହିଳା ପଲିଟେକ୍ନିକ ମଧ୍ୟ ଆରମ୍ଭ ହୋଇଥିଲା । ତାହା ଏବେ ସରକାରୀ ।
୧୯୮୦ରେ ନୂଆଭାବେ ‘ରାଉରକେଲା ମହିଳା କଲେଜ’ ପ୍ରତିଷ୍ଠା ହେଲା । ୧୯୮୯ରେ ହାତକୁ ନେଲାବେଳେ ସରକାର କହିଲେ ଯେ ‘ଏସକେଡିଏଭି ଓମେନ୍ସ କଲେଜ’ ଓ ‘ରାଉରକେଲା ମହିଳା କଲେଜ’ – ଦୁଇଟାକୁ ଗୋଟେ କଲେଜ କଲେ ଯାଇ ତାହା ସମ୍ଭବ ହେବ । ଜଣେ ପ୍ରିନିସିପାଲ ରହିବେ । ଦୁଇ ନାଁ ମିଶି ଗୋଟିଏ କରିବାକୁ ହେବ । ଟ୍ରଷ୍ଟ ସଦସ୍ୟମାନେ ‘ଡିଏଭି’ ନାଁ ରଖିବାକୁ ଚାହିଁଲେ । କଲେକ୍ଟରଙ୍କ ପ୍ରସ୍ତାବ ଥିଲା ‘ରାଉରକେଲା ଗଭମେଣ୍ଟ ଓମେନ୍ସ କଲେଜ’ ପରି ସିଧାସଳଖ ନାଁଟିଏ । ମିଟିଙ୍ଗ୍ର ଦିନ କି ତାରିଖ କିଛି ମନେ ନାହିଁ । ଗହଣା ବିକା କଥା କହି ମୁଁ ସମସ୍ତଙ୍କୁ ନିବେଦନ କରିଥିଲି – ଯେଉଁ ନାଁ ଦିଅନ୍ତୁ ପଛେ, ସୁଶୀଳାବତୀଙ୍କ ନାଁ ଯେମିତି କାଣ୍ଟଛାଣ୍ଟ ନହୁଏ । ପୂର୍ବତନ ରାଉରକେଲା ବିଧାୟକ ଶ୍ରୀ ଗୁରୁପଦ ନନ୍ଦ ଏ ପରାମର୍ଶକୁ ଢେର ସମର୍ଥନ କଲେ । ହାକିମଙ୍କ କଣ୍ଠରେ ସରସ୍ୱତୀ ବିଜେ କଲେ । ନାଁଟି ବିଚିତ୍ର ଶୁଭୁ ପଛେ, ଆଦେଶ ହଁ ହେଇଗଲା । ତା’ପରେ ମିଳିତ କଲେଜର ନାଁ ହେଲା – ‘ସୁଶୀଳାବତୀ ଗଭମେଣ୍ଟ (ଏସ.ଜି.) ଓମେନ୍ସ କଲେଜ’ । ରହିଥିଲେ ଭଲ ହୋଇଥା’ନ୍ତା, କିନ୍ତୁ ସରକାରଙ୍କ ଜିଦି ଯୋଗୁ ଟ୍ରଷ୍ଟର ନାଁ ରହି ପାରିଲାନି ।
୧୯୮୦ରୁ ୨୦୦୫ । ରାଉରକେଲାର ଶିକ୍ଷାକୁ ଶତାବ୍ଦୀର ଏକ ପା’ଭାଗରେ ମାପିବା । ୮୦ ଦଶକକୁ ରାଉରକେଲା ପାଇଁ ଶିକ୍ଷାର ରେନେସାଁ ଯୁଗ ବୋଲି କୁହା ଯାଇପାରିବ । ୧୯୮୦ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଗୁରୁପଦ ନନ୍ଦ ବିଧାୟକ ହେଲେ । ସେ ରାଉରକେଲା ପାଇଁ ଥିଲେ ନୂଆ । ତାଙ୍କ ନିର୍ବାଚନରେ ମୁଁ ପ୍ରମୁଖ ପରିଚାଳକ ଥିଲି । ଆମ ସେକ୍ଟର-୩ ଘର ହୋଇଗଲା ଷ୍ଟିଲ ଟାଉନସିପରେ କଂଗ୍ରେସର ଆଖଡ଼ା ଘର । ସେହି ହତାରେ ଥିବା ବରଗଛ ମୂଳେ ଦୀପଟିଏ ଜାଳି ଓ ମୁଣ୍ଡିଆ ମାରି ସେ ନମିନେସନ ଫାଇଲ କରିବାକୁ ଯାଇଥିଲେ । ଜିତିଲେ ମଧ୍ୟ । ନିର୍ବାଚନ ସରିଗଲା । ପାଗ ଶୁଖିଲା । ରାଉରକେଲା ଏମିତି ଏକ ନିର୍ବାଚନ ମଣ୍ଡଳୀ ଯେଉଁଠି ସରକାରଙ୍କର ବଡ଼ବଡ଼ କାମ ଯଥା: କେନାଲ ଖୋଳିବାକୁ ନାହିଁ, ରାସ୍ତାଟିଏ ତିଆରି କରିବାକୁ ନାହିଁ କି ଇଲେକ୍ଟ୍ରି ଖୁଣ୍ଟଟେ ପୋତିବାକୁ ନାହିଁ । ପି.ଡି.ଏସ. ଏତେ ଦମ୍ଭିଲା ହୋଇ ନଥାଏ । ବିଧାୟକ କରିବେ କ’ଣ? ତାଙ୍କ ମୁଣ୍ଡରେ ଶିକ୍ଷା କଥାଟି ପଶିଗଲା । ନୂଆ ନୂଆ କଲେଜ ତିଆରି ଓ ପୁରୁଣା କଲେଜର ଉନ୍ନତି ଯେ ଆରମ୍ଭ ହେଲା ତହିଁର ଫଳସ୍ୱରୂପ ୨୦୦୫ ବେଳକୁ ‘ରାଉରକେଲା ଇନ୍ଷ୍ଟିଚିଉଟ ଅଫ୍ ମ୍ୟାନେଜ୍ମେଣ୍ଟ ଷ୍ଟଡ଼ିଜ୍’ (ରିମ୍ସ) ଏବଂ ସ୍ୱୟଂ ‘ବିପିୟୁଟି’ ଇତ୍ୟାଦିର ଉତ୍ପତ୍ତି ସେଇଠି ସମ୍ଭବ ହୋଇଥିଲା । ସେତେବେଳେ ରାଉରକେଲା ଓ ତହିଁର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ନୂଆ ହୋଇ ୧୨ଟି ସାଧାରଣ କଲେଜ, ଗୋଟିଏ ସି.ଟି. ସ୍କୁଲ (ଏବେ ନାହିଁ), ଗୋଟିଏ ବି.ଇଡି କଲେଜ ଏବଂ ପାଞ୍ଚଟି ଡିଗ୍ରି/ଡିପ୍ଲୋମା ଇଂଜିନିୟରିଙ୍ଗ କଲେଜ ତିଆରି ହେଲା । ଏହା ପରେ, ଶିକ୍ଷା ପାଇଁ ନୂଆ ଇଟା ଖଣ୍ଡେ ପଡ଼ିଲା ପରି ମନେ ହୁଏନାହିଁ ।
କାଲି ଆଜି ଓ କାଲି
ସମ୍ପାଦନାଭାରବାହୀ ଗଧ ପରି ଇତିହାସର ବାହକ ବି ଜାଣେନା ତା ପିଠିରେ ବୁହା ହେଉଥିବା ବୋଝର ନାଁ କ’ଣ, କେଉଁଠୁ ଆଣିଛି ଅବା କେତେ ବାଟ ବୋହିବ । ଷାଠିଏ ଦଶକର ଓଡ଼ିଶା । କେମିତିକା ରୂପ ଥିଲା ତା’ର? କଟକରେ ସନ୍ଧ୍ୟା ପୂର୍ବରୁ ମେହେନ୍ତରମାନେ ବୁଲି ରାସ୍ତା ଲାଇଟ୍-ପୋଷ୍ଟରେ କିରାସିନି ବତି ଲଗାଉଥିଲେ । ‘ପାଞ୍ଚ-ଆଇନ’ ଡରରେ ସାଇକେଲ ଓ ରିକ୍ସାରେ ଛୋଟଛୋଟ କିରାସିନି ବତି ଲାଗୁଥିଲା । ସାଇକେଲରେ ଡାଇନାମା କାଳ । ସାଇକେଲ ଚାଲୁଥିବ । ପଛ ଚକ ଛୁଇଁ ଡାଇନାମା ବୁଲୁଥିବ । ଟର୍ଚ୍ଚ ଆଲୁଅ ପଡ଼ୁଥିବ ଆଗକୁ । ଡିମାଣ୍ଡ୍ରେ ‘ଡାଇନାମା ଫୁଲ୍ ଚେନ୍-କଭର ଗ୍ରିନ୍-ମଡ଼େଲ୍ ଇଂଲିଶ ର୍ୟାଲେ ସାଇକେଲ’ ଯୌତୁକ ପାଇବା ବା ମାଗିବା ଈଷତ୍ ମର୍ଯ୍ୟାଦାସଂପନ୍ନ ଥିଲା । କଟକରେ କେବଳ କ୍ୟାଣ୍ଟନମେଣ୍ଟ ରୋଡ୍ ପିଚୁ ଥିଲା ।
କିନ୍ତୁ ରାଉରକେଲା ଆଧୁନିକତାର ଆଡ଼ମ୍ବର ସହ ଉଭା ହୋଇଥାଏ । ଏ ପ୍ରଗତିରେ ରାଜ୍ୟ ସରକାରଙ୍କର ବହୁ ସହଯୋଗ ଥିଲେ ବି ଗୁରୁତ୍ୱ ଅତି ଗୌଣ ଲାଗୁଥିଲା । ସବୁ କେନ୍ଦ୍ର ସରକାର କରୁଥାଏ । ସେଠି କୌଣସି ମୋରମ ରାସ୍ତା ପିଚୁ ହେବାକୁ ନ ଥିଲା । ବରଂ ଟ୍ରାମ ଓ ଗାଡ଼ିମଟର ଚଲେଇବାକୁ ‘ରିଙ୍ଗ୍-ରୋଡ୍’ ତିଆରି ହେଉଥିଲା । କଳ୍ପନାର କଣ୍ଢେଇଟିଏ ପରି ଇସ୍ପାତ ସହର ଗଢ଼ି ଉଠୁଥିଲା । ରାଧାନାଥଙ୍କ କାବ୍ୟ-ନାୟିକା ପଦ୍ମାବତୀଙ୍କ ରୂପ ବର୍ଣ୍ଣନା – ‘ଜଗତେ ତୁଳନା ସେଇ ତା’ର ସିନା’ ପରି । ଖୁସି ଲାଗେ, କଳ୍ପନାର ଛୋଟିଆ ରେଖାଚିତ୍ରରେ ଯେବେ ଅନୁଭବ କରିହୁଏ । ଟଗର ଫୁଲ ଦେଖି ନଥିବା ସହର ଆଜି ଟୁଲିପ୍ କି ରଜନୀଗନ୍ଧାରେ ଦୋଳି ଖେଳୁଚି । ସହରର ଲୋକଙ୍କ ମନରେ ହର୍ଟିକଲଚର ଏକ ସାଂସ୍କୃତିକ ଅଭୁ୍ୟଦୟ । ଷ୍ଟିଲ ଟାଉନର ସବୁ ଘରେ ଫୁଲ ଓ ପରିବା ବଗିଚା ଦେଖିବାକୁ ମିଳେ । ଗୋଟେ ପଟେ ସଫଳତା ତ ଆର ପଟେ ଶବ ଗୁଡ଼ାକ ବି ମନେ ପଡ଼ନ୍ତି । ଦିନେ ସେମାନେ ମଧ୍ୟ ଅପରିହାର୍ଯ୍ୟ ଥିଲେ ।
ସାଧାରଣଙ୍କ ପାଇଁ ଟେଲିଗ୍ରାମ ଥିଲା ଏକ ଆତଙ୍କ ବା ଠକାମିର ନାଁ । ଆଜି ଟେଲିଗ୍ରାଫ୍ ବା ଟା-ରେ-ଟା-କା ଅଛି କି ନା ଜାଣେନା, କିନ୍ତୁ ବ୍ୟକ୍ତିଗତଭାବେ ମୁଁ ଏଥିରୁ ବହୁ ଉପକାର ପାଇଛି । କାରଣ ରଜ ବେଳେ ‘ଗ୍ରାଣ୍ଡ୍-ମଦର୍ ସିରିଏସ’ ପରି ଗୋଟିଏ ଟେଲିଗ୍ରାମ ଛୁଟି ସମସ୍ୟାର ତତ୍କାଳ ସମାଧାନ କରି ପାରୁଥିଲା । କାରଣ ୟାକୁ ଅଥରିଟି ଅବିଶ୍ୱାସ କରି ପାରିବେନି । ଆଜି ବିଶ୍ୱାସ ଦି ଭାଗ । ଆନୁଷ୍ଠାନିକ ବିଶ୍ୱାସ ଓ ବ୍ୟକ୍ତିଗତ ବିଶ୍ୱାସ । ଦ୍ୱିତୀୟଟି ନିରର୍ଥକ ବୋଲି ଧରି ନେବା । ଆନୁଷ୍ଠାନିକ ବିଶ୍ୱାସ – ମାନେ, କୋର୍ଟ ଯେବେଠାରୁ ଲୋକଙ୍କ ବିଶ୍ୱାସରେ ହାତ ମାରିଲା, ଟା-ରେ-ଟା-କା ଆଉ ନିଜ ବିଶ୍ୱାସନୀୟତା ରକ୍ଷା କରି ପାରିଲାନି ।
ରାଉରକେଲାର ପ୍ରଥମ ଟେଲିଗ୍ରାଫ୍ ଅଫିସ ପ୍ଲାଣ୍ଟସାଇଟ୍ ରୋଡ୍ରେ । କାରଖାନା ଜାଗା ଓ ଖର୍ଚ୍ଚରେ ୧୯୫୬ ତିଆରି ଏ କୋଠା ଘର ରାଉରକେଲା ନିର୍ମାଣର ଆଦ୍ୟ ସାକ୍ଷୀ । ଆଜି ବି ତାହା ପୋଷ୍ଟ ଏଣ୍ଡ୍ ଟେଲିଗ୍ରାଫ ବିଭାଗ ହାତରେ ରହିଛି । ଗୋଦାମ ଘରଟେ ହୋଇଛି । ଟା-ରେ-ଟା-କା ଲୀନ ହେଉ ପଛେ, କାଉଣ୍ଟରଟି ଅଛି । ମେସିନ ଅଛି । ଷ୍ଟାଫ୍ ଅଛନ୍ତି । ଶୁଣିଲୁ, ରିଟାଏର୍ଡ ଯାଏ ରହିବେ । ସେମାନେ କହନ୍ତି – ଜୀବନ ନ ଥିବା ଏ ଯନ୍ତ୍ର କୃତଜ୍ଞତା ଜାଣେ । ବିଶ୍ୱସ୍ତ ସେବକ ପରି ଆମକୁ ଜଗିଛି । ସେଠିକି କେହି ଯାଉ ନାହାଁନ୍ତି ।
ଟେଲିଫୋନ – ହ୍ୟାଲୋ ହ୍ୟାଲୋ, ନମ୍ବର ପ୍ଲିଜ୍ । ସେ ଫୋନରେ ଡାଏଲ ନଥିଲା । କୋଉଠୁ ଫୋନ ଆସିଲେ ଫାୟାରବ୍ରିଗେଡ୍ ପରି ଘରେ ଗୋଟେ ଘଣ୍ଟି ଶୁଭିବ । ଟ୍ରଙ୍କ୍ ବୁକିଙ୍ଗ୍, ଅର୍ଡିନାରି, ଲାଇଟ୍ନିଙ୍ଗ୍, ଲାଇଫ୍ ସେଭିଙ୍ଗ୍ ଏମିତିକା କେତେ ରକମ କଲ୍ । ଏସଟିଡି ନଥିଲା । ଟିଭି ଯୁଗ ନ ଥିଲା । ଫ୍ରିଜ୍, କାର୍, ଗ୍ୟାସ କି ମଟରସାଇକେଲ । ଏଥିରୁ ଯଦି କାହାର କିଛି ଥିଲା, ସେ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ଭାବେ ଆପେଆପେ ପ୍ରତିଷ୍ଠା ପାଉଥିଲେ । ଏବେ ତ ପରିଚୟ ପ୍ରଚାର ପାଇଁ ‘ୟେଲୋ-ପେଜ୍’ ଉଚ୍ଛୁଳି ପଡ଼ୁଛି, ସେତେବେଳେ ଫୋନ ଡିରେକ୍ଟରି ହିଁ ନ ଥିଲା ।
ଇସ୍ପାତ ସହର ପାଇଁ ପ୍ରଥମ ଟେଲିଫୋନ ଏକ୍ସଚେଞ୍ଜ ଥିଲା କାରଖାନାର ଗୋଟିଏ ସିନିଅର ଅଫିସର୍ସ ବଙ୍ଗ୍ଲୋ । ସେକ୍ଟର-୪, ସି ବ୍ଲକ । ତକ୍ରାଳୀନ ‘ଆମବାଗାନ’କୁ ଲାଗି – ହିଲ୍ପାସ୍ ଓ ହମିରପୁର ରାସ୍ତା ଉପରେ । ଯାହା ମନେ ପଡ଼ୁଛି, ୧୯୫୮ ବେଳକୁ ସେ ଘରଗୁଡ଼ିକର ନର୍ମାଣ ସରୁସରୁ ସେଠି ଡିପାର୍ଟମେଣ୍ଟ ଅଫ୍ ଟେଲିକମୁନିକେସ (ଡିଓଟି) - ଆଜି ‘ବିଏସଏନଏଲ’ - ର ‘ହ୍ୟାଲୋ ହ୍ୟାଲୋ, ନମ୍ବର ପ୍ଲିଜ୍’ ବା ମାନୁଆଲ ଏକ୍ସଚେଞ୍ଜ କାମ ଆରମ୍ଭ ହେଲା । ସେତେବେଳେ ଫୋନ ନମ୍ବର ଥିଲା ତିନି ସଂଖ୍ୟାରେ । ରାଉରକେଲାରେ ଫୋନ ବ୍ୟବସ୍ଥା ଦୁଇ ପ୍ରକାର । ଇସ୍ପାତ କାରଖାନାର ନିଜସ୍ୱ ଏବଂ ଆଉ ଗୋଟିଏ ହେଲା ‘ଡି.ଓ.ଟି.’ । ୧୯୬୬-୬୭ ବେଳକୁ ସେକ୍ଟର-୬ରେ କାରଖାନା ନିଜ ଜାଗାରେ ଏକ ବିରାଟ ‘ଟେଲିଫୋନ ଭବନ’ ନିର୍ମାଣ କରି ମାସିକ ଏକ ଟଙ୍କା ଭଡ଼ାରେ ‘ଡି.ଓ.ଟି.’କୁ ହସ୍ତାନ୍ତର କଲା । ସେପର୍ଯ୍ୟନ୍ତ ତାହା ସେକ୍ଟର-୪ରେ କାମ କରୁଥିଲା ।
‘ଟେଲିଫୋନ ଭବନ’କୁ ସ୍ଥାନାନ୍ତରିତ ହେଲାବେଳକୁ ତାହା ହେଲା ଷ୍ଟ୍ରାଉଜର-ଏକ୍ସଚେଞ୍ଜ । ତା’ପରେ ସି-ଡଟ୍, ସି-ଡଟ୍ ଏକ୍ସେଲ୍ ଏବଂ ଇ୧୦-ବି । ଫୋନ ନମ୍ବର ଚାରି ସଂଖ୍ୟକ ହୋଇଗଲା । ଆମ ଘର ନମ୍ବର ଥିଲା ୫୪୩୨ । ୧୯୯୨ରେ କୋଣାର୍କ ସିନେମା ପାଖ ରିଙ୍ଗରୋଡରେ ଜି.ଏମ. ଅଫିସ ଉଦଘାଟନ ହେଲା ତତ୍କାଳୀନ କେନ୍ଦ୍ର ସଂଚାର ମନ୍ତ୍ରୀ ରାଜେଶ ପାଇଲଟଙ୍କ ଦ୍ୱାରା । କିନ୍ତୁ କାରଖାନାର ୧୦ ହଜାର ଲାଇନ ବିଶିଷ୍ଟ ନିଜସ୍ୱ ଦୁଇଟି ଏକ୍ସଚେଞ୍ଜ (ପ୍ଲାଣ୍ଟ ଏବଂ ଟାଉନସିପ) ମୂଳରୁ ଅଟୋମୋଟିକ ଇ୧୦-ବି ଏବଂ ଡିଜିଟାଲ ଏକ୍ସଚେଞ୍ଜ ରୂପେ ଆରମ୍ଭ ହୋଇଥିଲା । ଆଜି ବି ସେମିତି ରହିଛି ।
‘ହ୍ୟାଲୋ ହ୍ୟାଲୋ, ନମ୍ବର ପ୍ଲିଜ୍’ (ମାନୁଆଲ ଏକ୍ସଚେଞ୍ଜ) ଯୁଗରୁ ଆଜି ଲ୍ୟାଣ୍ଡ-ଲାଇନର ମୃତୁ୍ୟ ଯୁଗରେ ଆମେ ପହଞ୍ଚି ସାରିଛୁ । ଥରେ ଘରେ ପଚାରିଲେ, “ସେ ନମ୍ବରକୁ କେହି ଫୋନ କରୁ ନାହାଁନ୍ତି । ସମସ୍ତଙ୍କ ହାତରେ ତ ଗୋଟେ ଦି’ଟା ମୋବାଇଲ । କି ଦରକାର? ଅଯଥା ଖର୍ଚ୍ଚ । ଲ୍ୟାଣ୍ଡ ଲାଇନ କାଟି ଦେବା ।” କିନ୍ତୁ, ବୁଢ଼କୁ ଗୁହାଳରେ ପକେଇ ଗୋ ମାତାଙ୍କ ସେବା କଲାପରି ମୁଁ ତାକୁ ଆଦରରେ ରଖିଛି । କଥା ହେବାକୁ ଭଲ ଲାଗେ ଯେ – ହେଲେ ଦୁର୍ଭାଗ୍ୟ କେହି ସେଠିକି ଫୋନ କରନ୍ତିନି ।
ଲାଇନ୍
ସମ୍ପାଦନାଲାଇନ୍ । ଅସମ୍ଭବ ମାୟାବିନୀ ଶବ୍ଦ । ଯୋଡ଼ାଯାଏ, କଟାଯାଏ । ମରାଯାଏ, ଧରାଯାଏ । ଅଥଚ ଯେତେ ଯୋଖିଲେ ବି ଯୋଡ଼ି ହୁଏନି । ଯେତେ କାଟିଲେ ବି ଛିଡ଼ି ଯାଏନି । ଯେତେ ମାଖିଲେ ବି ଦେଖାଯାଏନି । ଯେତେ ଚାଖିଲେ ବି ସୁଖ ମିଳେନି । ଯେତେ ମାରିଲେ ବି ଅଣ୍ଟି ପୂରେନି । ଯେତେ ଧରିଲେ ବି ପାଖ ପଶେନି । ଅଣୁ ପରମାଣୁ ଠାରୁ ବିଶ୍ୱ ବ୍ରହ୍ମାଣ୍ଡ – ସବୁଠିଁ ଲାଇନ୍ ହିଁ ଲାଇନ । ଏ ଲାଇନ୍, କିରୋସିନି ବା ସରକାରୀ କୁ୍ୟ ପରି ନୁହେଁ ବା ଏମିତିକା ଲାଇନ୍ ଭିତରେ ପଶିବାକୁ କେହି କାହାରିକୁ ଗୁଆ ଚାଉଳ ଦେଇ ନିମନ୍ତ୍ରଣ କରନ୍ତି ନାହିଁ । ଆମ ଭିତରେ ସେଥିପାଇଁ ବଳବତ୍ତର ଆକର୍ଷଣ ରହିଥାଏ । ବାରମ୍ବାର ନିରାଶା ହାବୁଡୁଥିଲେ ସୁଦ୍ଧା ଲାଇନ୍ ମାରିବାକୁ ବୈରାଗ୍ୟ ବା ବିକାର ଆସେ ନାହିଁ ।
ପ୍ରେମ ଲାଇନ । ଏକଥାକୁ ମହାମାନବମାନେ ଯେମିତି ସାହିତ୍ୟ ବା କବିତାରେ ବଖାଣିଛନ୍ତି ବା ଆମେ ସେପରି ରାଧା-କୃଷ୍ଣଙ୍କ ପ୍ରେମ କଥା ଭାବୁ, ସେଗୁଡ଼ିକୁ ଆଲୋଚନାରୁ ଦୂରରେ ରଖିବା । କାରଣ ଏ ଝାମ୍ପୁରା ଦର୍ଶନର ପୃଥିବୀ ଭିତରେ ମଣିଷ ତା ଅସଲ ଆସକ୍ତି କହିବାକୁ ଭାଷା ପାଏନି । ଦେହ ଓ ଦର୍ଶନ ଏକାସାଙ୍ଗରେ ଗୋଳିଆଫେଣ୍ଟା କରି ସେ ଏମିତି କକ୍ଟେଲ କରି ଦିଏ ଯେ ସବାଆଗେ ନିଜେ ବେହୋସ ହୋଇ ପଡ଼େ । ଦେହ ତା ବାଟରେ ଚାଲେ ତ, ମନ ତା ବାଟରେ । ଏହାର ଫାଷ୍ଟହାଣ୍ଡ୍ ଉଇଟନେସ୍ ମୁଁ ନିଜେ । ଅବିବାହିତ କାଳର ଜଣେ ଖାସ୍ ବନ୍ଧୁ । ସଂପର୍କ ଆଜି ବି ଭଲ । ତେବେ ବି ନାଁ କହି ହେବନି । ଆମ ଦି’ ଜଣଙ୍କ ବୟସ ୧୫ କି ୧୬ । ଦିନକର କଥା । ଦିହେଁ ଏକାନ୍ତରେ ଥିଲୁ । ସେ ଆହୁରି ଏକଲା ହେବାକୁ ଖୋଜିଲା । କାରଣ ସେ ଖଣ୍ଡିଏ ପ୍ରେମପତ୍ର ଲେଖିଥାଏ । ନାଁ, ଭାଷା ଓ ଭାବ ସବୁ ତା’ର । ମୋ ହସ୍ତାକ୍ଷର ଭଲ । ସେ ନେହୁରା ହେଲା – ଅକ୍ଷର ଦେଖି ସେ ‘ଇମ୍ପ୍ରେସ’ ହେବ । ପ୍ରଶଂସା ଏକ କପଟିନୀ ନାରୀ । ରାତିର ସେବା ପାଇଁ ଦିନବେଳେ ସେ ଭେଣ୍ଡାକୁ ମେଣ୍ଢା କରେ ।
ଅକ୍ଷର ପ୍ରଶଂସା ଶୁଣି ମୁଁ ଫସି ଗଲି । ଯିଏ ସେ ଚିଠି ପାଇବ, ତା ପରିବାର ମୋ ପରିଚିତ । ସ୍ୱାଭାବିକ ସର୍ତ୍ତ ଥିଲା – ଗ୍ୟାରେଣ୍ଟେଡ୍ ସିକ୍ରେସି । ସେହି ପର୍ଯ୍ୟାୟରେ ତା’ର ଶେଷ ଅନୁରୋଧ ଥିଲା – ଚିଠିଟା ‘ରୋମାଣ୍ଟିକ’ ହେଇଚି କି ନା ଟିକେ ଦେଖିବୁ । ଆଜି ଭାବୁଛି – ଏମିତିକା ପ୍ରସ୍ତାବ ନାଲାଏକ । ସେତେବେଳେ ମୁଁ ରାଜି ହେଲି । କିନ୍ତୁ ରୋମାନ୍ସ ସହିତ ପରିଚୟ ଅତି ସଂକ୍ଷିପ୍ତ । ତାହା ‘ଝଙ୍କାର’, ‘ମେଘମାଳା’, ‘ଆସନ୍ତାକାଲି’ ଇତ୍ୟାଦିରେ ପଠିତ ପ୍ରେମଗଳ୍ପରୁ ହାସଲ କରିଥିବା ଜ୍ଞାନଠାରୁ ଅଧିକ ନ ଥିଲା ।
ତେବେ ବି ଚାଲେଞ୍ଜ୍ ନେଲି । ଏହାର ଆଉ ଏକ ଦମ୍ଭିଲା କାରଣ ଥିଲା । ଜୀବନରେ ବୋଉ ପାଖକୁ ଚିଠି ଖଣ୍ଡେ ଲେଖି ନ ଥିବା ଗଦ୍ୟମୟ ମୋ ସାଙ୍ଗକୁ ପ୍ରେମ ମାଡ଼ିବାରୁ ଯଦି ସେ ଏଡ଼େ ସୁନ୍ଦର ଲେଖି ପାରୁଚି, ତା’ହେଲେ ପ୍ରେମ ତ ଖୋଦ୍ ସରସ୍ୱତୀ । ନିଜକୁ ପ୍ରେମ ପ୍ରେମ ଲାଗିଲା । ତା’ ଲାଗି ମନପ୍ରାଣ ଦେଇ ଚିଠି ଖଣ୍ଡିକ ଲେଖିଦେଲି । ଲୁଚେଇ ଲୁଚେଇ ଲେଖୁଥିବା ବେଳେ ଅତି ସନ୍ତର୍ପଣରେ ନିଜ ଲେଖାକୁ ବିଭିନ୍ନ ଆଙ୍ଗେଲରୁ ଦେଖୁଥିଲି – ‘ଇମ୍ପ୍ରେସିଭ୍’ ଲାଗୁଛି କି ନା!
ପ୍ରିୟ ସାଙ୍ଗର ସେ ପ୍ରେମପତ୍ର ଅଧବାଟରେ ଧରାପଡ଼ିଲା । ଚିହ୍ନଟ ଯାଏ କଥା ଗଲାନି । ହସ୍ତାକ୍ଷର ଥିଲା ମୋର । ବନ୍ଧୁ ନିଜ ଆଡ଼ୁ ମୋ ପ୍ରତିରକ୍ଷାର ବାହାରିଲାନି । ସାପର ମଝି ଖଣ୍ଡିକ ଖାଇ ମୁହଁ ପୋଛି ଆଗକୁ ପଳାଉଥିବା ନେଉଳ ପରି ନିଜ ବାଟରେ ଖସିଗଲା । ପରେ ତାକୁ ହିଁ ସେ ବାହା ହେଲା । ହେଲେ, ମାଉସୀ ମତେ କହିଥିଲେ – ଅବିଶ୍ୱାସୀ! ବୋଉ କାନଯାଏ କଥା ପହଞ୍ଚିଲା । ଯାହାହେଉ, କେବଳ ତା କନ୍ଦାବୋବାରେ ଅର୍ଜି, ନାଲିସ ସବୁ ସରିଗଲା । ସେ ବୋଧେ ମୋ କଥାକୁ ବିଶ୍ୱାସ କଲା । ବାପାଙ୍କ ଯାଏ ବା ମାଡ଼ଧର ଆଡ଼କୁ କଥା ଗଲାନି । କିନ୍ତୁ ସେ ମୋ ହାତରେ ନିଜ ମୁଣ୍ଡ ଛୁଆଁଇ ଶପଥ କରେଇ ନେଲା – ତୁ ତା (ସାଙ୍ଗ) ନାଁ କାହାରି ଆଗରେ କହିବୁନି । କାହିଁକି? ତା’ ଉତ୍ତର ଥିଲା ଅତି ସରଳ । ସେ ବଦନାମ ହେଲେ, ତୁ ସୁନାମ ପାଇବୁ କି? ଅକାରଣରେ ଝିଅ ନାଁଟା ଉଠିବ । କିଏ ଆଉ କାହା ଲାଗି ପ୍ରେମପତ୍ର ଲେଖେ? ତୁ ବୋକା । ଏତିକି ବୁଝି ଚୁପ ରହ । ନ ହେଲେ କଥା ବାପାଙ୍କ କାନରେ ପଡ଼ିବ ।
ଗୀତା ଛୁଇଁ ସତ୍ୟ ପ୍ରତିପାଦନ କରିବା କ୍ଷେତ୍ର ଇଏ ନୁହେଁ । ଏ ଘଟଣା ମତେ ଅଭିଜ୍ଞ କରିଛି ପ୍ରେମ ଓ ନୁଙ୍ଗୁରାମି ଭିତରେ ବିରାଜୁ ଥିବା ମହା ସମୁଦ୍ର ସମ ଡିଭାଇଡ୍ ଲାଇନ ଦେଖିବାକୁ । ପ୍ରେମ କପି କରାଯାଏନି କି ପ୍ରେମପତ୍ର ବି କପି କରାଯାଏନି – ଏ ଦୁଇଟି ମୋ ପାଇଁ ଧ୍ରୁବସତ୍ୟ । ଲାଇନ ବଜାରରୁ ଅଧା ପ୍ରେମର ଅକ୍ତିଆରରେ । ନୁଙ୍ଗୁରାମି ଖାସ୍ କିଛି ଅସାଧ୍ୟ ନୁହେଁ । କିନ୍ତୁ ପ୍ରେମ କେମିତି ମଣିଷକୁ ଛୁଏଁ – ଏକଥା କେହି କହି ପାରିବନି । ଏଥିପାଇଁ ସବୁଠୁଁ ବଡ଼ ପ୍ରତିବନ୍ଧକ ହେଲା ଯେ ଜଣେ ପରିଚୟପତ୍ର ତନଖି ପ୍ରେମକୁ ଚିହ୍ନୁଚିହ୍ନୁ ସେ ଦୂରକୁ ପଳାଇ ଯାଇଥାଏ । ଏହା ବାଉଁଶରାଣୀ ଖେଳ ଠାରୁ ପ୍ରେସିସନରେ ଆହୁରି ତୀକ୍ଷ୍ଣ । ଆଖି ବାଳ ପରି ସରୁ ଦଉଡ଼ିରେ ଚାଲିବାକୁ ପଡ଼େ । ଫାଉଲ୍ ମାରିବାକୁ ଦେଖଣାହାରି ସବୁବେଳେ ହୁକୁହୁକୁ । ପ୍ରେମିକ/ପ୍ରେମିକା ଅନୁଭବ କରନ୍ତି – ଯେମିତି ଗୋଟିଏ ପଟେ ନର୍କର ବିଭୀଷିକା ଏବଂ ଆର ପଟେ ଇନ୍ଦ୍ରପଦର ବିଶ୍ୱାସ । ନିରୁପାୟରୁ ଉପାୟ ଆଡ଼େ ପହଁରି ପଳାଇବାର ଆଦିରୂପ ନାହିଁ କି ଇତିରୂପ ବି ନାହିଁ । ଡାଇରେକ୍ଟରି ନାହିଁ କି ରେଫରେନ୍ସ ନ ଥାଏ । ଏ ଲାଇନରେ ସମସ୍ତଙ୍କ ଅବସ୍ଥିତି ନିଜ ଲାଖି, ତେଣୁ ସୃଜନଶୀଳ । ଯିଏ ସଫଳ ସିଏ ଭାଗ୍ୟବାନ କି ଭାଗ୍ୟବତୀ । ବିଫଳଙ୍କ ଫସିଲର ପାହାଡ଼ ଉପରେ କେବେକେମିତି କେଦାର-ଗୌରୀ ବା ରୋମିଓ-ଜୁଲିଏଟମାନେ ମରନ୍ତି ଓ ଫୁଲ ପରି ବିରାଜନ୍ତି । କେବଳ ସେମାନେ ହୁଅନ୍ତି ପ୍ରେମୀ! ବାକି ସମସ୍ତେ ମୁତ୍ଫର୍କା । ଅଲଗା ଅଲଗା ନାଁ ନେଇ ଲୋପ ହୋଇଯା’ନ୍ତି ।
ତୁଳନା ପାଇଁ ଗୋଟିଏ ଉଦାହରଣ । ନଭ ମଣ୍ଡଳରେ କେତେ ଉଲ୍କା । ଅନବରତ ଜଳୁ ଥା’ନ୍ତି, ଅନବରତ ଖସୁ ଥା’ନ୍ତି । ଭୂପୃଷ୍ଠରୁ ଆମେ ଯେତିକି ଦେଖୁ ସେ ସଂଖ୍ୟା ବି କମ୍ ନୁହେଁ । ହେଲେ, କାହା ମୁଣ୍ଡରେ ପଡ଼ିବା କେହି ଶୁଣିଛନ୍ତି କି? ତେଣୁ ସକ୍ସେସ୍ଫୁଲ ଲଭର୍ସ ମିଳିବା ରେୟାରେଷ୍ଟ ଅଫ୍ ରେୟାର । ସେମାନେ ଅଲଗା କ୍ୟାଟେଗୋରି । ମାତ୍ର ସାଧାରଣମାନେ ଲାଇନ ଲଗେଇବେ ହିଁ ଲଗେଇବେ । ଅସଫଳତା ଆଶଙ୍କାରେ ଡରିବା କଥା ପ୍ରେମ ଶିଖାଏ ନାହିଁ, ବରଂ ବିଶ୍ୱାସ କରେ ଯେ ‘ଭୁଲ’ କରୁ ପଛେ – ମରିବା ଆଗରୁ ଅନ୍ତତଃ ମଣିଷ ଥରେ ନିରୋଳ ପ୍ରେମ କରିବା ଶିଖୁ ।
ମନେ ପଡ଼େ
ସମ୍ପାଦନା‘ମନ ସୁଖେ ଦାନ ପକାଲୋ ସୁନ୍ଦରୀ’ ସଂଯୋଗ, ଆଜି ଇଂଲିଶ ତାରିଖ ୧୦.୧୦.୨୦୧୦ । ଚାରିଟା ୦, ତିନିଟା ୨ ଏବଂ ଦୁଇଟା ୧ - ନିଉମରୋଲୋଜିଷ୍ଟ (ସଂଖ୍ୟା-ଜ୍ୟୋତିଷ)ମାନଙ୍କ ପ୍ରଚାର ଏବେ କଚେପୋବାର । କୁଆଡ଼େ ଶାସ୍ତ୍ରରେ ଅଛି ଯେ ସବୁ ସଂଖ୍ୟାର ନିଜନିଜ ଗୁଣ-ଦୁର୍ଗୁଣ ରହିଛି । ସେଗୁଡ଼ିକ ଆମ ସହିତ ଯୋଡ଼ି ହୋଇ ଯା’ନ୍ତି ଛାଁକୁ ଛାଁ । ସଂଖ୍ୟା ତମେ ବାଛି ପାରିବନି । ସିଏ ତମ ଉପରେ ନଦି ହୋଇ ପଡ଼ିବ । ଏ ବିଦ୍ୟା ଉପରେ ଗବେଷଣା ଓ ସାଧନା କରି ଖ୍ୟାତି ଅର୍ଜନ କରିଥିବା ଜଣେ ବନ୍ଧୁ ବହୁ ପୂର୍ବେ ଏଥିରୁ ଅନେକ ମତେ ବୁଝେଇ ଥିଲେ । ଟିକେ ମନ ଢଳି ଗଲା ଅବଶ୍ୟ । କିନ୍ତୁ ଯେତେବେଳେ ଦେଖିଲି, ଏଥିରେ ବହୁତ ଚୋରାବାଟ ବା ଏତେ କ୍ଳିଷ୍ଟ ବିଜ୍ଞାନ ଯେ ବୁଝିବାକୁ ମୁଁ ଉପଯୁକ୍ତ ନୁହେଁ, ସେତେବେଳେ ଧରି ନେଲି ଯେ ଏ ‘ବିଜ୍ଞାନ’ ଠିକ ଆମ ଇଣ୍ଡିଆନ ଲ’ ଭଳିଆ । ଜିତିଲେ ଜୟ । ହାରିଲେ ବ୍ୟସ୍ତ ହୁଅନା, ଅପିଲ ସୁଯୋଗ ଅଛି । ୟାକୁ ବିଶ୍ୱାସ କି ଅବିଶ୍ୱାସ କିଛି କରେନି । ବରଂ ଭାବେ ସଂଖ୍ୟା ନିଜେ ଏକ ମାୟାବିନୀ ନାରୀ । କାମୁକତା ଦେଖେଇ କତିକି ଟାଣିନିଏ । ବିମନା ନାୟିକା ପରି ଧକ୍କା ମାରି ପଦାକୁ ଫୋପାଡ଼ି ଦେଇପାରେ ମଧ୍ୟ । କେଉଁ ନା କେଉଁ ରୂପରେ ସେ ଥରେ ତମ ଉପରେ ସବାର ହେଲେ ତେଣିକି ବେଯୋଡ୍ ଫୋନ୍ ନମ୍ବର, ଭଙ୍ଗାଟଙ୍ଗା ପ୍ଲଟ୍ ନମ୍ବର କି ପ୍ରେମିକାର ରୁକ୍ଷ ମୁହଁ ପରି ସେଗୁଡ଼ିକ ଆପେ ଭଲ ଲାଗନ୍ତି ।
ମୋଟାମୋଟି ଭାବେ ବଳକା ସମୟ ପାଉଥିବା ନର-ନାରୀଙ୍କ ଜୀବନରେ ସଂଖ୍ୟାର ପ୍ରଚଣ୍ଡ ମାହାତ୍ମ୍ୟ ଅଛି । ତାହା ହେଲା ଯେ ସେମାନେ ସଂଖ୍ୟା ବିଷୟରେ ପଢ଼ନ୍ତି, ଶୁଣନ୍ତି ଏବଂ ସେକଥା ଭାବିଭାବି ତାକୁ ଭାଗ୍ୟ ସହିତ ଯୋଡ଼ି ପାରନ୍ତି । କବିଚନ୍ଦ୍ର କାଳୀଚରଣଙ୍କ ଆତ୍ମଜୀବନୀ ‘କୁମ୍ଭାରଚକ’ରେ ଭାଗ୍ୟବାଦର ଛୋଟ ଗପଟିଏ । ଗାଈଆଳ ପିଲା । ଅପୁତ୍ରିକ ରାଜାଙ୍କ ହାତୀ ତା ମୁଣ୍ଡରେ ସୁନାକଳସ ଢାଳିଛି । ସେ ରାଜା ହୋଇଛି । ସେ ରାଜା ଝିଅକୁ ବାହା ହୋଇଛି । ଏତେ ସୁଖ ବୈଭବ ଦେଖି ଗରିବର ଯୁବା ମନରେ ପ୍ରଜାପତି ଉଡ଼ନ୍ତି । ଦିନେ ସେ ରାଣୀଙ୍କ ସହିତ ପଶା ଖେଳରେ ମଗ୍ନ । ଆତୁର ହୋଇ ଗୁପ୍ତଚର ତାଙ୍କୁ ଭେଟିବାକୁ ଚାହିଁଲା । କାରଣ, ପଡ଼ୋଶୀ ରାଜ୍ୟ ଆକ୍ରମଣ କରିବାକୁ ନଈକୂଳରେ ସୈନ୍ୟ ସମାବେଶ କଲାଣି । ମହାରାଜ ସୈନ୍ୟଚାଳନା ପାଇଁ ଆଦେଶ ଦିଅନ୍ତୁ । କିନ୍ତୁ ରାଣୀହଂସପୁରକୁ ତା ପ୍ରବେଶ ସମ୍ଭବ ହେଲାନି । ବେଶ ସମୟ ବିତି ଗଲା । ଏହାପରେ ଆହୁରି ଆତୁର ହୋଇ ଆସିଲେ ସେନାପତି । ଏକା ଭାଗ୍ୟ । ପଦମର୍ଯ୍ୟାଦା ଯୋଗୁ ସେ କେବଳ ଏତିକି ଜାଣି ପାରିଲେ ଯେ ମଣିମା ଜେମାଙ୍କ ସହିତ ପଶା ଖେଳୁଛନ୍ତି । ଅନ୍ତପୁର ସେବିକାଙ୍କ ଜରିଆରେ ରାଜାଙ୍କ ଅଡ଼ିଏନ୍ସ ମାଗିଲେ । କିଛି ଫଳ ହେଲା ନାହିଁ । ଏମିତି ଆତଙ୍କରେ ବହୁ ସମୟ ବିତିବା ପରେ, ବନ୍ଧବାଡ଼ ନ ମାନି ସ୍ୱୟଂ ମହାମନ୍ତ୍ରୀ ରାଜାଙ୍କ ସମୀପରେ ପହଞ୍ଚି କହିଲେ – ମଣିମାଙ୍କର ଜୟ!
କଥା କ’ଣ? କୁଆଡ଼େ ଥିଲା କେଜାଣି, ସୁନା ଫୁଲିଆ ଆକାଶରେ କଳାଘୁମର ମେଘ ଉଠି ଆସିଲା । ଇନ୍ଦ୍ର ଗର୍ଜନ କଲା ପରି ବିଜୁଳି ଘଡ଼ଘଡ଼ିରେ ମେଦିନୀ ଦୁଲୁକିଲା । ଆକ୍ରମଣକାରୀ ରାଜାଙ୍କ ଖାସ୍ ତମ୍ବୁରେ ଚଡ଼କ ପଡ଼ିଲା । ସେ ମଲେ । ସୈନ୍ୟ ସେନାପତି ଛତ୍ରଭଙ୍ଗ ଦେଲେ । ମହାମନ୍ତ୍ରୀଙ୍କ ମୁହଁରୁ ଏହା ଶୁଣି ପଶା ଖେଳୁଥିବା ମହାରାଜ ସେତେବେଳେ ଗୀତଟିଏ ଗାଉଛନ୍ତି । “ଗବଗଛ ତିନି କେନା । ଶରଣରକ୍ଷଣ ବାନା । ୟାକୁ ଭିଆଇଛି ଯିଏ । ତାକୁ ବା କରିଛି କିଏ? ମନ ସୁଖେ ଦାନ ପକା ଗୋ ସୁନ୍ଦରୀ ଧନୁ ଧରିବଟି ସିଏ ।” ଗାଈଆଳକୁ ଯିଏ ରାଜ-ସିଂହାସନରେ ବସେଇଚି ଧନୁ ସିଏ ଧରିବ । ମୁଁ ତ ଯୁଦ୍ଧ ଫୁଦ୍ଧ କିଛି ଜାଣିନି । ଭାଗ୍ୟବାଦ ବା ଅନ୍ୟାର୍ଥେ ଆକସ୍ମିକତା କବଳରୁ ମୁକ୍ତି ପାଇବା ଉପାୟ କମ ।
ବନ୍ଧୁ କହିଥିଲେ – ମୂଳ ସଂଖ୍ୟା ୧, ମାନେ ସାହସ । ୨ – ପ୍ରେମ । ୦ – ପ୍ରତିଜ୍ଞା । ମଣିଷ ଜୀବନରେ ତ ସମୁଦାୟ ଏତିକି ଦରକାର । ପାଠ ପଢ଼ି ପିଏଚ୍ଡି କରିବାକୁ କିଏ କାହାକୁ କହୁଚି କି? କିନ୍ତୁ ‘ବିଜ୍ଞାନ’ ପାଇଁ କଥା କେବେ ଏତିକିରେ ସରେ ନାହିଁ । ନମ୍ବରରୁ କେତେ ଓ କେମିତି ଫେଣ୍ଟାଫେଣ୍ଟି ହେଲେ କ’ଣ ରେଜଲ୍ଟ ବାହାରିବ, ସେ କଥା ‘ନିଉମରୋଲୋଜି’ ବତେଇ ପାରେ । ତା’ ପରେ ଆପଣ ମୋବାଇଲ ନମ୍ବର କି କାର୍ ନମ୍ବର ବଦଳେଇ ଭାଗ୍ୟ ସଜାଡ଼ି ଦେଇ ପାରନ୍ତି ।
ଇଏ ସିନା ବ୍ୟକ୍ତିଗତ କଥା, କିନ୍ତୁ ନମ୍ବରରେ ମେଜିକ୍ମୟ ଆଜିର ଏ ତାରିଖଟା ସାରା ସଂସାର ଉପରେ । ଉତ୍କଣ୍ଠା ନ ହେବ କେମିତି? ମେଲ୍ ଚେକ୍ କଲାବେଳକୁ ଜଣେ ବନ୍ଧୁ ଗୋଟିଏ ଅର୍ଜେଣ୍ଟ ଖବର ପଠେଇଛନ୍ତି । “୧୦.୧୦.୨୦୧୦ ଦିବା ୧୦ ଘଣ୍ଟା.୧୦ ମିନିଟ, ୧୦ ସେକେଣ୍ଡ ଏବଂ ରାତ୍ରି ୧୦ ଘଣ୍ଟା.୧୦ ମିନିଟ, ୧୦ ସେକେଣ୍ଡ - ଦୁଇଟିଯାକ ସମୟରେ ଇଣ୍ଟରନେଟ୍ ଉପରେ ଏକ ଭୟାନକ ଭାଇରସ୍ ଆଟାକ୍ ହେବ । ବି ଆଲର୍ଟ!” ନହେଲେ ବିପଦର ଏକ ତାଲିକା । ମୁଁ କମ୍ପୁଟର ଓ ନେଟ୍ ବ୍ୟବହାର କରେ ଏବଂ ଦୁର୍ଭାଗ୍ୟକ୍ରମେ ତା ଉପରେ ନିର୍ଭରଶୀଳ । ଅଭ୍ୟାସରେ ଯେତିକି ଶିଖିଛି ସେତିକି । ବିଦ୍ୟା ଆଦୌ ଜାଣି ନଥିବାରୁ, ଆଣ୍ଟି-ଭାଇରସ୍ ପରି ସୈନ୍ୟସାମନ୍ତ ଯୋଗାଡ଼ କରି ଲଢ଼ିବା ମୋ ପାଇଁ କଷ୍ଟ । ମନ ତର୍କିଲା । କ’ଣ କରିବି?
ତତ୍କ୍ଷଣାତ ମନେ ପଡ଼ିଗଲା ଯେ ସେଦିନ (ଆଜି) ସକାଳୁ ରାତି ଯାଏ ମୁଁ ଗାଁରେ ଥିବି । ଶହେ ବର୍ଷ ତଳେ ଏହି ମେଜିକ ଦିନରେ ଆମ ବୋଉର ଜନ୍ମ । ଆଜି ସେ ଇହଜଗତରେ ନାହିଁ । ନାତି-ନାତୁଣୀମାନେ ତା ଜନ୍ମର ଶହେ ବର୍ଷ ପାଳୁଛନ୍ତି ଆମ କୁଳଇଷ୍ଟ ଗୋପୀନାଥ ଜୀଉ ମନ୍ଦିରରେ । ପୂଜ୍ୟପାଦ ବାବା ବଳିଆ ତା ଶହେ ବର୍ଷିଆ ସ୍ମୃତି ପାଇଁ ସେଠି ଗୋଟିଏ ଫଳକ ଥାପିବେ । ସନ୍ୟାସପୂର୍ବ ଜୀବନରେ ବଳିଆ (ବୁଢ଼ା) ତା ନାତି । ତାଙ୍କ ଶୈଶବର ଅନେକ କାଳ ମାମୁଁଘରେ ଏବଂ ଆଈ ପାଖରେ କଟିଛି । ସେ ତା ବିଷୟରେ ନିଜର ଅନେକ ବିମୋହିତ ଅନୁଭୂତି ବଖାଣନ୍ତି ମଧ୍ୟ । ବୋଉର ଜନ୍ମ ତାରିଖ ବିସ୍ମୟକାରୀ ଥିଲା କି ନା ତାହା ଜାଣିବା ପାଇଁ ମୋର ଉପାୟ ନାହିଁ । ମାତ୍ର ତହିଁର ଶହେ ବର୍ଷ ପାଳନ ମୋ ପାଇଁ ନିଶ୍ଚେଁ ଆକସ୍ମିକ ।
ବାପା-ବୋଉମାନେ ଜୀବନରେ ଯେମିତି ଭଲ, ସ୍ମରଣରେ ବି ସେମିତି ଭଲ । କାରଣ, ୧୦. ୧୦. ୨୦୧୦ ତାରିଖ ଦିବା ୧୦ ଘଣ୍ଟା.୧୦ ମିନିଟ, ୧୦ ସେକେଣ୍ଡ ଏବଂ ରାତ୍ରି ୧୦ ଘଣ୍ଟା.୧୦ ମିନିଟ, ୧୦ ସେକେଣ୍ଡ – ଉଭୟ ଭାଇରସ ଆଟାକ୍ ସମୟରେ ମୁଁ ଭୁବନେଶ୍ୱରରେ ନଥିବି । କମ୍ପୁଟର ତ ବନ୍ଦ ତ ଥିବ । ହେଲା, ପ୍ଲଗ୍ ଖୋଲି ନେଟ୍ ଡିସ୍କନେକ୍ଟ କରି ଦେବି । ଭାଇରସ୍ କ’ଣ ଗେଟ୍ ବାଟେ ପଶି କମ୍ପୁଟରକୁ ଆଟାକ୍ କରିବେ କି? ପରେ ଶୁଣିଲୁ, ଏଥିରୁ କିଛି ଘଟି ନ ଥିଲା ।
ଅଦୂର ଦୂର
ସମ୍ପାଦନାକାହିଁକି କେଜାଣି ଅଚାନକ ସେଦିନ ଛବି ଫୋନ୍ କଲା । ଚମକିବା ପାଇଁ ବହୁ କାରଣ ଥିଲା । ଶେଷ ଥର ଆମେ କେବେ ତା ପୂର୍ବରୁ କଥା ହୋଇଥିବୁ – ମନେ ନ ଥାଏ । ସେଦିନ ସମୁଦାୟ ତିନି ଘଣ୍ଟା ପଚିଶ ମିନିଟ କଥା ହୋଇଥିଲୁ । ତହିଁରୁ ବେଶି ଭାଗ ଥିଲା, ଅତୀତକୁ ନିରର୍ଥକଭାବେ ବୁଝିବା ଓ ବୁଝେଇବାର ଅସହାୟତା । କାଳେ ଉଷୁନା ଧାନ ଗଜା ହେବା ଲୋଭରେ ବୋକାଙ୍କ ପରି, କିଛି ମର୍ମନ୍ତୁଦ ସ୍ମୃତି । ଆଉ କିଛି ମ୍ଳାନ ଅଭିମାନ । ସ୍ୱର ବାରି ହେବା ପରି କିଛି କାନ୍ଦ । ତା’ର ଶେଷ ବାକ୍ୟ ଥିଲା – ଇଏ ଆମର ଶେଷ କଲ୍ । ପ୍ଲିଜ୍ ନେଭର୍ ନେଭର୍ ନେଭର୍ କଲ୍ ମି ଏଗେନ୍ । ଯଦିଓ ପୂର୍ବରୁ ଆପଣ ପରି ସମ୍ବୋଧନ ଆମ ଭିତରେ ଚଳି ନଥିଲା, ମୁଁ କହିଲି, “ଦେଖନ୍ତୁ ମ୍ୟାଡ଼ମ, ଆପଣ ଫୋନ କରିଛନ୍ତି । ଆପଣଙ୍କର ହିଁ ଏକ୍ଷେତ୍ରରେ ସବୁଠୁଁ ଶେଷ ଏବଂ ଶ୍ରେଷ୍ଠ ଇଚ୍ଛା ।”
ଦେହର ଗଣିତ ଓ ମନର ମାନସାଙ୍କ କେଜାଣି କାହିଁକି ଏକା କାଗଜ କଲମ ଲେଖି ହୁଅନ୍ତି ନାହିଁ ବା ଏକା ପ୍ରଶ୍ନର ଗୋଟିଏ ଉତ୍ତର ନ ଥାଏ । ସେତେବେଳେ କଲ୍ର କିଛି ଟାଇମ ମାପ ନ ଥିଲା । ଆଜି ଟାଇମ ବଟକରା ଓ ପ୍ରଚାରର ଭୋଜବିଦ୍ୟା ହିଁ ଟେଲିଫୋନ କମ୍ପାନିଙ୍କ ଭିଟାମିନ । ସେଦିନୁଁ ଆମ ତାଲିକା କଟାକଟି ସରିଛି । ବାହାବ୍ରତ ଡାକହାକ ବି ନାହିଁ । କେବେ କେମିତି ଦେଖା ହୁଏ । ଜଣେ ଅପରକୁ ନ ଚିହ୍ନିବାର ସାର୍ବଜନୀନ ଅଭିନୟ ଦିହିଙ୍କି ଭଲ ଓ ଇଜ୍ଜତଦାର ଲାଗୁଥିଲା । ତହିଁକି, ଟେଲିଫୋନ ବିଭାଗର ବାରମ୍ବାର ନମ୍ବର ବଦଳା ଅଭିଯାନ ପରସ୍ପରକୁ ଅଧିକ ଦୂରଛଡ଼ା କରିବାରେ ବେଶ୍ ସହାୟକ ହେଲା । ମଣିଷ ନାମଧାରୀ ଆମେମାନେ ଅନ୍ତତଃ ଗୋଟିଏ କାରଣରୁ ନିହାତି ଅଦ୍ଭୁତ । ତାହା ହେଲା - ଇଚ୍ଛା କଲେ କଇଁଆ ପତ୍ର ପରିମିତ ସ୍ଥାନରେ କୋଟି ସଂଖ୍ୟାରେ ଜାଗା ଧରୁ ତ, ଆଉ ବେଳେବେଳ ଦି’ ଜଣଙ୍କ ପାଇଁ ସାରା ମେଦିନୀ ବି ଅଣ୍ଟେନି! ସେ ଆମ ଲ୍ୟାଣ୍ଡଫୋନକୁ ଡାକିଥିଲା ତା ମୋବାଇଲରୁ । ନମ୍ବର ଲେଖିବାକୁ କହିଲା । ’ନେଭର୍ ଏଭର୍’ ପରେ ମୋର ତମ ନମ୍ବର କ’ଣ ହବ? “ଏତେ ବକବକ କରନି । ଲେଖି ରଖ ।”
ବିତିଥିବା କାଳର ମାତ୍ର କିଛି ସ୍ମୃତି ଧରି ମଣିଷ ଆଗକୁ ଚାଲେ । ସାଧିଲେ ଯେତେ ନୂଆ ଜାଣି ହୁଏ, କିଛି ପୁରୁଣା ଭୁଲିବାକୁ ତହିଁର ସହସ୍ର ଗୁଣ କଷ୍ଟ ତାକୁ ଭୋଗିବାକୁ ପଡ଼ିଥାଏ । ଆରମ୍ଭରୁ ଅତି ସହଜ ଢଙ୍ଗରେ ସେ କହି ପକେଇଲା, “କ’ଣ, କଣ୍ଠ ଚିହ୍ନି ପାରୁଚ, ନା ନାଁ କହିବି?” ଅତୀତର ସବୁ ମାପ, ଶୃଙ୍ଖଳା ଓ ଅଭ୍ୟାସ ଭୁଲି ଯାଇଥିବା କଳାପାହାଡ଼ିଆ ବନ୍ୟା ପରି ମନର ବିଶ୍ୱାସ ଏବଂ ଅବିଶ୍ୱାସ ଉଭୟ କୂଳ ଲଙ୍ଘି ଯାଇଥିଲେ । ପାଖରେ ଦୁଇ ଜଣ କନିଷ୍ଟ ଲେଖକ ବନ୍ଧୁ । ଗପସପରେ ବ୍ୟସ୍ତ ଥିଲୁ । କହିଲି, “ଅନେକ ଦିନୁଁ କଣ୍ଟାକ୍ଟ ନାହିଁ ଯେ ହେଲେ ତମ ଟୋନ୍ ଠିକ୍ ତମ ତିଆରି ଚା ପରି । ଯେତେ ବ୍ୟବଧାନରେ ବି ଏକା ଭଳିକା । କାଇଁ ଫୋନ କରିଥିଲ, କୁହ ।” ବନ୍ଧୁ ଦିହେଁ କିଛି ପଚାରି ନଥିଲେ ସୁଦ୍ଧା ନିଜଆଡ଼ୁ କହି ପକେଇଲି – ୟେ ମୋର ଜଣେ ମଧୁର ସଂପର୍କୀୟା ତ । ଏ ମିଛ କହିଥିଲି ତାକୁ ଶୁଣେଇ । ସେ ହଜମ କରି ଦେଲା ତ । କହିଲା, “ଯଦି ଫ୍ରି ଟାଇମ ଦିଅନ୍ତ ତମ ସାଙ୍ଗରେ କିଛି କଥା ଅଛି । ମୋଟେ ଡରନି । ଏମିତି ଗୋଟେ ଅସୁବିଧାରେ ପଡ଼ିଚି ଯେ ତମ ଛଡ଼ା ଏକଥା ଆଉ କାହାରିକି କହି ପାରିବନି । ଯେତେ ରାଗିଥିଲେ ବି ମତେ ହେଲ୍ପ କରିବ ବିଶ୍ୱାସ ଅଛି ବୋଲି ତମକୁ ଫୋନ କଲି । କ’ଣ, କଥା ହେବାକୁ ମନା କରିବ?” ଗୁଡ଼େ କଥା ସେ ଏକାସାଙ୍ଗରେ କହି ପକେଇଲା । କିଛି ଭାବିବାକୁ ବି ସୁଯୋଗ ନଥିଲା । କହିଲି, “ହେ ଭଗବାନ, ମତେ କେତେ ଖୁସି ଲାଗିବ - ତମେ ନିଶ୍ଚେଁ ଜାଣିଚ । ତଥାପି ତ ଏମିତି କହିଲ । ହଉ । କେବେ ଆସିବ କୁହ? ମୁଁ ପୁଣି ତମକୁ ଅପେକ୍ଷା କରିବା ଉଚିତ ନା ନାଇଁ?” “ଆଜି ଇଭିନିଙ୍ଗ । ତମେ କୁଆଡ଼େ ଭାରି ବିଜ୍ଜି ରହୁଚ? କିନ୍ତୁ ମୁଁ ଟିକେ ଫ୍ରି’ରେ କଥା ହେବି ।” “ଠିକ ଅଛି । ହେଲେ ଟିକେ ଠିକ ସମୟଟା କୁହ ନା? କାହାର ଇଭିନିଙ୍ଗ କେତେବେଳେ ।” “ଆଉ କିଛି ବ୍ୟସ୍ତ ଅଛ କି?” “ନାଇଁ, ସାଙ୍ଗମାନେ ବସିଛନ୍ତି । ଗୋଟେ କଲ୍ଚରାଲ ପ୍ରୋଗ୍ରାମ ଯୋଜନା ଚାଲିଛି । ସେଇ କଥା ହଉଛୁ ।” ଭାବିଥିଲି କାଳେ ସେ ଟିକେ ଶଙ୍କି ଯିବ । ମତେ ଧରା ନ ପକେଇବା ପରି ନିଜ ଆଡ଼ୁ ଏଣିକି କଥା ସଜାଡ଼ି କହିବ । ସେମିତି ହେଲାନି । କଥା ଲମ୍ବା ହେବା ଅନୁମାନ କରି ବରଂ ବନ୍ଧୁ ଦି’ ଜଣ ପରେ ଆସିବୁ କହି ବିଦା ହୋଇଗଲେ । ଏ କଳରୋଳ ଶୁଣି ସୁଦ୍ଧା ସେ ଫୋନ କାଟୁ ନ ଥାଏ । “ନାଇଁ, ତମେ ଫ୍ରି ରହିବା କଥା କହିଲ ନା? ଥରେ ହଁ କହିଲା ପରେ ସେଥିପାଇଁ ସୁଯୋଗ ଯୋଗାଡ଼ କରିବା ଦାୟିତ୍ୱ ମୋର ନା ନାଇଁ?” ଅଳ୍ପ ଥଟ୍ଟା କଲା ପରି କହିଲି, “ଏଡ଼େ ବଡ଼ ହେଲଣି, ଏତିକି ବୁଦ୍ଧି ହେଇନି?” “ତାହେଲେ ମୁଁ ସନ୍ଧ୍ୟାବେଳେ ଯିବି । ଘର ଆଗ ପରି ଅଛି ନା କିଛି ବଦଳିଚି?” “ବଗିଚା ଆଉ ନାହିଁ । ସାମ୍ନା ପଟେ ତିନିଟା ଦୋକାନ ଘର । ସବୁଯାକ ଗୋଟେ ମଟରସାଇକେଲ କମ୍ପାନିର ସୋ’-ରୁମ୍ । ପଛଟା ୱାର୍କସପ । ବାକି ଘର ଯୋଉଠି ଥିଲା ସେଇଠି ଅଛି । ଯେମିତି ଥିଲା ସେମିତି ଅଛି । ଅଲଗା ଗେଟ । ଜାଣି ପାରିବ ।” “ତା’ମାନେ, ଗୋଲାପ ବଗିଚାଟା ଏବେ ସୋ ରୁମ୍? ବହୁତ ଆଲୁଅ ଜଳୁଥିବ ନା? ତମ ଘର ଅନ୍ଧାରିଆ ଲାଗୁଥିବ?” “ହଁ ।” “କଥା ବନ୍ଦ କରିବାକୁ ତରତର ହଉଚ କି?” “ନା । ଇଭିନିଙ୍ଗ କେତେବେଳେ ଆସିବ କହୁନା ଯେ?” “ଦେଖା ହବାକୁ ଇଚ୍ଛା ହଉଚି ନା? ମୋର ବି ।” “କାହିଁକି?” “ଇଚ୍ଛାର ପରିଧି ମାପିବା ମୁଁ ଶିଖିନି । ତେଣୁ ସବୁବେଳେ ହାରିଯାଏ ।” “ତମେ ହାରିଲ ତ, ଜିତିଲା କିଏ?” “ମୁଁ ନିଶ୍ଚୟ ଆସିବି । ତମ ଫ୍ରି ଟାଇମ କୁହ ।” “ଟିକେ ଛାଡ଼ି କହୁଚି”, କହି ଫୋନ ଛାଡ଼ିଲି । ମୁଁ ତା ନମ୍ବର ଲେଖି ନ ଥିଲି ବା ମୋ ‘ଫ୍ରି ଟାଇମ’ ଜାଣିବାକୁ ସେ ବି ଆଉ ଫୋନ କରି ନ ଥିଲା ।
ପ୍ରଥମ ପ୍ରେମ
ସମ୍ପାଦନାପ୍ରେମ ବୁଝେନା ଜାତି ଅଜାତି ରୂପ ଦରବ ଧନ । ମାନେନା ସିଏ ପାପ ଅ-ପାପ ବୁଝେନା ସନମାନ ନ ଜାଳି ବତି ଆଲୁଅ ଖୋଜେ, ବିଭୋରେ ଆଶା ଜାଳେ । ନଥାଇ ରତି ଗାଭିଲି ହୁଏ, ଗୋଟାକୁ ଦେଖେ ଫାଳେ କିସ ଶୁଣଇ ଭାବଇ କିସ ଆଉ ବା କିସ ବୁଝେ । ହଜେଇ ମନ ଗଙ୍ଗା ଜଳେ ଗଡ଼ିଆ କୂଳେ ଖୋଜେ ଫୁଲ କହିଲେ ବୁଝେଇ ହୁଏ, ବାସ୍ନା କିଏ ଜାଣେ? ଦେହ କହିଲେ ଦେଖେଇ ହୁଏ, ମନ ଯେ ଜାଣେ ଜଣେ
ଖବରକାଗଜରେ ଅନେକ ଅଣ-ସମ୍ବାଦ ପ୍ରକାଶ ପାଏ । କୃଷିବିଜ୍ଞାନ ଧର୍ମ ସମାଜ ଶିକ୍ଷା ସଂସ୍କୃତି ମନସ୍ତତ୍ତ୍ୱ ଯୌବନ ସ୍ୱାସ୍ଥ୍ୟ – ସୂଚନା ଓ ମହକ ଥାଏ ସେସବୁରେ । ସେଥିରେ ସୁଖ ଦୁଃଖ ଯାହା ଥାଉ ନା କାହିଁକି, ଅନ୍ତତଃ ନିରୋଳରେ ପାଠକ କିଛି ଭାବିବାକୁ ସୁଯୋଗ ପାଏ । ପ୍ରକାଶ ପାଉଥିବା ସବୁ କଥା ଯେ ବିଶ୍ୱାସଯୋଗ୍ୟ, ଏପରି ନୁହେଁ । କିଛି ଲେଖି ନିଜକୁ ଆବେଶରୁ ଟିକେ ମୁକ୍ତ କରିବା ଏବଂ ଆଉଜଣଙ୍କୁ ମାନସିକଭାବେ ଭାରାକ୍ରାନ୍ତ ବା ହରକତ କରିବା ଯେମିତି ସମ୍ଭବ, ଏକତରଫା ପ୍ରେମର ବିଫଳତା ଲୁଚାଇବା ବା ବେନାମୀ ଲେଖି ବଦନାମ କରିବା ମଧ୍ୟ ଏତଦ୍ଧ୍ୱାରା ଅସମ୍ଭବ ନୁହେଁ । ଏତେ କଥା ପ୍ରକାଶନ ପୂର୍ବରୁ ଯାଞ୍ଚ କରିବା କୌଣସି ସଂପାଦକଙ୍କ ପକ୍ଷେ ସହଜ ନୁହେଁ । ‘ପ୍ରଜାତନ୍ତ୍ର’ରେ ଏ ସ୍ତମ୍ଭଟି ଭଲ ଲାଗିବାର ଆଉ ଏକ କାରଣ ହେଲା, ପ୍ରେମୀମାନଙ୍କ ଭେରାଇଟି କଳ୍ପନା । ପ୍ରେମୀଙ୍କ ଆଚରଣରୁ ଲକ୍ଷଣ ବିଲକ୍ଷଣ ଠଉରେଇବା ପାଥୋଲୋଜିକାଲ୍ ଟେଷ୍ଟ ପରି ସମ୍ଭବ ବୋଲି ଅନେକ ଭାବନ୍ତି । ପ୍ରେମର ବିଶ୍ୱକୋଷ ଖୋଜିଲେ ବି ସବୁ ମିଳିବା ସମ୍ଭବ ନୁହେଁ । କାରଣ କେବଳ ଜ୍ଞାନକୁ ଛାଡ଼ିହେଲେ, ନୂଆନୂଆ ଆଚରଣର ସର୍ଜନା କେବଳ ପ୍ରେମରେ ହୁଏ । ତେଣୁ ମହଜୁଦ ସୂଚୀପତ୍ରରୁ ଖାସ କିଛି ମିଳେନି । ଏଥିସକାଶେ ଦେଖଣାହାରିଙ୍କ ସିଦ୍ଧାନ୍ତ ପ୍ରାୟତଃ ସମସ୍ୟାକୁ ଅଳିଆ କରିଦିଏ । ଦୁଇଟି ଧ୍ରୁବସତ୍ୟ । ପ୍ରେମରେ ଚରିତ୍ରଗୁଡ଼ିକ ହେଲେ ପ୍ରେମିକ ବା ପ୍ରେମିକା । ଏକ – ସଫଳମାନେ ସବାଆଗେ ପାହାଚ ପୋଛି ଚିହ୍ନ ହଜେଇଦିଅନ୍ତି । ଦୁଇ – କଳ୍ପନା ଓ ସ୍ପର୍ଶ ଯେମିତି, ପ୍ରେମ ଓ ସତ ସେମିତିକା ବେଯୋଡ଼ । ପ୍ରେମିକ/ପ୍ରେମିକା ପୃଥିବୀକୁ ଆଦୌ ସତ କହନ୍ତି ନାହିଁ ବା ଯଦି ବାଧ୍ୟ ହୁଅନ୍ତି, କଥାକୁ ଏମିତି ଓଲମବିଲମ କରନ୍ତି ଯେ ତାକୁ ଭରସା କରି ଢିଙ୍କି ଖୋଜୁଥିବା ଲୋକ ଢେଙ୍କାନାଳରେ ପହଞ୍ଚି ଯାଏ । ନିବିଷ୍ଟତା ମଗ୍ନ ମାନବଠାରୁ ସତ ଆଶା କରିବା ବୃଥା । ରୋଗ ଯଦି ମେଲେରିଆ, ଆଉ ଆପଣ ଓଷଦ ବତେଇବେ ଟାଇଫଏଡ୍ ପାଇଁ, ତା’ହେଲେ ମଳୁ ଭଲ ହେବ କେମିତି? ଏମିତି କାରଣ ଯୋଗୁ ପ୍ରେମ ବ୍ୟାପାରରେ ସଲିସିଟର ଜେନେରାଲଙ୍କ ଉପଦେଶ ବି ଫେଲ ହୁଏ ।
ପ୍ରେମ ପାଇଁ ସବୁଠୁଁ ଉଞ୍ଚା ଆବଶ୍ୟକତା ସୁନ୍ଦର/ସୁନ୍ଦରୀ ନିର୍ବାଚନ ଓ ଜଣେ ଅପରକୁ ଚିହ୍ନିବା ଏବଂ ବୁଝିବା । ଅନେକ ବିଚରା ଏଇଠି ମାଡ଼ ଖାଇ ଯାଆନ୍ତି । ଜଣଙ୍କ ସକାଶେ ସୁନ୍ଦରତାର ମାପ କ’ଣ? ଏତିକି ଜଣା ନାହିଁ ବୋଲି ସମସ୍ତେ ପାଗଳ । ଆହୁରି ବି, ପ୍ରେମର ଆରମ୍ଭ କେମିତି ହୁଏ, କାହିଁକି ହୁଏ ଓ କେବେ ହୁଏ ଏକଥା ଆଧ୍ୟାତ୍ମିକ ଧାରାର ବ୍ରହ୍ମ-ସନ୍ଧାନଠାରୁ ମଧ୍ୟ ଅଧିକ କ୍ଳିଷ୍ଟ । ଚିହ୍ନିବା କି ବୁଝିବା, ଏ ତ ସାରା ଜୀବନର ପ୍ରୟାସ । ପ୍ରେମ-ରସ ଦେହରୁ ମନକୁ ବା ମନରୁ ଦେହକୁ ଗ୍ରାସ କରେ । ଏବଂ ସତତ ସମ୍ଭବ ଯେ ପ୍ରେମରେ ସୁନ୍ଦର ସୁନ୍ଦରୀ ବାରିବାକୁ ମୋଟେ ଦୁଇଟି ଉପାୟ । କିଏ ଦେଖୁଦେଖୁ ଭଲ ଲାଗେ ବା ଆଉ କାହାକୁ ଭାବିଭାବି ସୁନ୍ଦର ବୋଲି ଆମେ ବିଚାରି ନେଉ । କାହାକୁ ଅସୁନ୍ଦର/ଅସୁନ୍ଦରୀ ଭାବିବସିଲେ ପ୍ରେମ ସମ୍ଭବ ହୁଏ ନାହିଁ ।
କେତେକ କହନ୍ତି – ଛି, ପ୍ରେମଫ୍ରେମ ଗୋଟେ କ’ଣ ମ? ସବୁ ମିଛ । ଜୀବନରେ କୁଆଡ଼େ ଆହୁରି ଅନେକ ଆଭିମୁଖ୍ୟ ଅଛି ସେସବୁକୁ ବି ପ୍ରେମ କରା ଯାଇପାରେ । ଯେମିତି କ୍ଲବ-ପ୍ରେମ, ଧର୍ମ-ପ୍ରେମ, ଦେଶ-ପ୍ରେମ କି ଜାତି-ପ୍ରେମ ଇତ୍ୟାଦି । ଏଗୁଡ଼ିକ ବସ୍ତୁତଃ ପ୍ରରୋଚନା । ଗୋଟିଗୋଟିକିଆ ଓ ଠିକ୍ଠିକ୍ ଶବ୍ଦ ନ ଥିବାରୁ ଆମେ ବୋଧେ ସବୁ କଥାକୁ ପ୍ରେମ ବୋଲି କହିଦେଉ । ପ୍ରରୋଚନାକୁ ଯେଉଁମାନେ ପ୍ରେମ କହି ପ୍ରଚାର କରନ୍ତି, ଆମ ମତରେ, ସେମାନେ ଅତି-ମାନବ କିମ୍ବା ଅ-ମାନବ । ପ୍ରେମର ବଳ ବା ଦୁର୍ବଳତା ସବୁବେଳେ ଜଣଜଣିକିଆ । ସେଥିପାଇଁ କାହାରି ଉଦ୍ବୋଧନ ସଂଗୀତ ଦରକାର ହୁଏନି । ପ୍ରେମର ଦୁର୍ବଳତା ଆମେ ଦିନ ଦେଖୁଚୁ । ପ୍ରତିକାର ପାଇଁ କ୍ରମିନାଲ୍ ଲ’ ସଂଶୋଧନ ହୋଇଛି । ମହିଳା କମିଶନ ତିଆରି ହୋଇଛି । କୋର୍ଟକଚିରିର ଉପଯୁକ୍ତ ରୁଲିଂ ଘନଘନ ପ୍ରଚାର କରାଯାଉଛି । ତଥାପି ପ୍ରେମକୁ ଆଶ୍ରା କରି ଚରିତ୍ରବାନ ହେବା ଉଦାହରଣ ଆମେ କ୍ୱଚିତ୍ ଦେଖିବାକୁ ପାଉ ।
ପ୍ରେମର ବଳ ସମ୍ବନ୍ଧରେ ଗୋଟିଏ ଘଟଣା ଶୁଣିବା । ଜଣେ ଯୁବକ ଗୋଟିଏ ଚିହ୍ନା ଝିଅକୁ ଏକତରଫା ପ୍ରେମ କରିବାକୁ ଚାହୁଁଥାଏ । ବହୁତ ମିଶୁଥିଲେ ମଧ୍ୟ ସେ ଉଚିତ ସଙ୍କେତ ମୋଟେ ଦେଇ ପାରୁ ନ ଥାଏ । ଦିନେ ଖବରକାଗଜରେ ସେ ପଢ଼ିବାକୁ ପାଇଲା ଯେ କେଉଁଠି କେଉଁ ଜଣେ ଯୁବକ ପ୍ରେମରେ ହତାଶ ହୋଇ ଆତ୍ମହତ୍ୟା କରିଛି । ନିଜ ମନର ପ୍ରତିବିମ୍ବ ଚିତ୍ରଟିଏ ବ୍ୟକ୍ତ କରିପାରିବ ଭାବି ଖବରଟିକୁ ଝିଅ ଆଗରେ ପଢ଼ିଲା ଏବଂ ଉତ୍ତରରେ ଶୁଣିଲା: ଭଲ ହେଇଚି । ଏମିତି ଚିକେନ୍ ହାର୍ଟ ଟୋକା ଅନ୍ତତଃ ପ୍ରେମ କରିବା ଉଚିତ ନ ଥିଲା । ଯୁବକ ମନରୁ ଆତ୍ମହତ୍ୟା ପ୍ରବୃତ୍ତି ଲୋପ । ଅନ୍ତତଃ ପ୍ରେମ ଓ ପ୍ରରୋଚନା ଭିତରେ ରହିଥିବା ବ୍ୟବଧାନକୁ ସମ୍ମାନ ଦେଇ ଯଦି ‘ଚରିତ୍ର’ ପରି ଶବ୍ଦଟିକୁ ଯୌନସଙ୍ଗମଠାରୁ ଅଲଗା କରିବା ଅଭ୍ୟାସ ଲୋକେ ହାସଲ କରି ପାରନ୍ତେ, ତେବେ ସେମାନେ ନିଜେ ଜାଣି ପାରନ୍ତେ ଯେ ଆଦୌ ରତି ନ କରି ମଧ୍ୟ ଏ ପୃଥ୍ୱୀରେ ଅନେକ ଅସତୀ ଅଛନ୍ତି । ଆହୁରି ବି, ଚରିତ୍ରହୀନଙ୍କ ଅପେକ୍ଷା ଚରିତ୍ରବାନମାନଙ୍କ ଯୋଗୁ ହିଁ ଜଗତର ଅଧିକ କ୍ଷତି ସାଧନ ହେଉଥାଏ ।
କୁନ୍ତ ମୁନରେ ମହୀ ହଲେ
ସମ୍ପାଦନାରାମା ଦଣ୍ଡାସି । ମୂଳ ବାସିନ୍ଦା – ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମ୍ । ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ବେଳେ ସେ କୌଣସି ଜର୍ମାନ କଣ୍ଟ୍ରାକ୍ଟର ଅଧୀନରେ କାମ କରୁଥିଲା ଏବଂ ପରେ ମୁକରିର ହେଲା କାରଖାନାରେ । ଆମର ସହକର୍ମୀ ହେଲା ଏବଂ ମୋର ଅଧସ୍ତନ । ଇଏ ସତୁରି ଦଶକର କଥା ।
ତା’ର ଅପଯଶ ହେଲା – ସେ ମଦୁଆଟେ । ଲମ୍ବା ନହକା ଚେହେରା । ବେଶ୍ ଖୁସ୍ମିଜାଜ୍ ଲୋକ । ମଦ ନ ପିଇ ବି ବକ୍ବକ୍ କରୁଥାଏ । ଲୁଚେଇ ପିଉଥିବା ଲୋକେ ବେଶି ଗପନ୍ତି ତା ନାଁରେ । କାମରେ ହେଳା କରେ କି? ନା । କାହାକୁ କିଛି ହରକତ କରେ କି? ନା । ଚୋରି ନାରୀ ଦାରୀ ଜୁଆଚୋରି? ନା । ନିଜ ସଂସାର ଠିକ୍ ଚଲାଏ ତ? ହଁ । ତା’ହେଲେ ତା ଦୋଷ କ’ଣ? ନା – ସେ ମଦ ପିଏ । ଏପରି ସାତ୍ତ୍ୱିକମାନଙ୍କ ମତ ଶୁଣିବାକୁ ମୁଁ ବାଧ୍ୟ ଏବଂ ବଶମ୍ବଦ ଥିଲି ।
ରାମାର ଯଶ ହେଲା – ଆମ ବିଭାଗର ସବୁଠୁଁ ବଡ଼ ଅଫିସର ପିଲ୍ଲାଇ ସାହାବ ତାକୁ ଭଲ ପାଆନ୍ତି । ସେ ଥିଲେ ଇଂଲିଶ୍ ବ୍ରାଣ୍ଡ୍ ଅଫିସର । ଶୃଙ୍ଖଳା ସହିତ ସାଲିସ କରିବା ବୋଧହୁଏ ସେ ଶିଖି ନଥିଲେ । କାରଖାନା କର୍ମସଂସ୍କୃତିରେ କର୍ମଚାରୀ ଅବହେଳା ବା ଦୋଷତୃଟି ଜାଣିବାକୁ କାଗଜ କଲମ ଦରକାର ହୁଏନା । ରାମା ଏତେ ତଳିଆ କର୍ମଚାରୀ ଯେ ପିଲ୍ଲାଇ ସାହାବଙ୍କ ସହିତ ତା’ର ଦେଖାହେବା ଅସମ୍ଭବ । କିନ୍ତୁ ସେ ୟାକୁ ଭଲ ପାଆନ୍ତି । ଏ ଯଶ ବି ତା ଲାଗି ଲୋକଙ୍କ ମନରେ ଅହନ୍ତା ଉପୁଜାଏ ।
ପ୍ଲାଣ୍ଟ ଅଫିସର । ଆଧି-ଆୟୋଜନସଂପନ୍ନ ଅଫିସଟିଏଲେଖା ଥାଏ ଯେ ହେଲେ ସେମାନେ ସେଠି କମ ବସନ୍ତି । ପିଲ୍ଲାଇ ସାହାବ ସେଠିକି ଦିନକୁ ମୋଟେ ତିନି ଥର ଆସନ୍ତି । ଥରେ, ସକାଳ ଆଠ । ଖୁବ୍ ବେଶିରେ ଅଧଘଣ୍ଟା ପାଇଁ । ନିଜ ବେକରୁ ଯୀଶୁଙ୍କ କ୍ରସ ଲକେଟ୍ କାଢ଼ି କ’ଣ ଟିକେ ଗୁଣୁଗୁଣୁ ହେବେ । ଶ୍ରମିକ, କର୍ମଚାରୀଙ୍କ ନାନାପ୍ରକାର ଦରଖାସ୍ତ ଏବଂ ଅଫିସ କାଗଜପତ୍ରରେ ଅର୍ଡର କରିବେ । ଆଉ ଥରେ ଦିନ ଗୋଟେ । ଖାଇବେ ଓ ଟିକେ ରେଷ୍ଟ୍ ନେବେ । ଶେଷ ଥର ପାଞ୍ଚଟାରେ, ଘରକୁ ବାହୁଡ଼ିବା ଆଗରୁ । ବିଲ୍ଡିଂରେ ସେ ଥିବେ ମାନେ, ତାଙ୍କ ଚକ୍ଚକ୍ କଳା ଫୋର୍ଡ କାର୍ଟା ବାହାରେ ଥୁଆ ହୋଇଥିବ । ସମସ୍ତେ ଜାଗତିଆର ହୋଇ ଥା’ନ୍ତି ।
ଦିନେ ରାମା ଅଭାବନୀୟ କାମଟେ କରିଦେଲା । ଏଲଟିସି ଏବଂ ଏଲଏଲଟିସି ବ୍ୟବସ୍ଥା ଆରମ୍ଭ ହୋଇଥାଏ । ନିୟମ ଅବଲମ୍ବନପୂର୍ବକ ପ୍ରଥମଟି ନିଜ ଘୋଷିତ ଗାଁକୁ ଓ ଆରଟି ଭାରତ ଭ୍ରମଣର ବାଟଖର୍ଚ୍ଚ । କମ୍ପାନି ଭରଣା କରିବ । ସାହାବ ରାଗିପାଚି ମତେ ଡକେଇଲେ ଓ ରାମାର ଏଲଏଲଟିସି ଦରଖାସ୍ତ ଖଣ୍ଡିକ ମୋ ଆଡ଼କୁ ପ୍ରାୟ ଫୋପାଡ଼ି ଦେଲେ । କଥା କ’ଣ? ସେ ଆଣ୍ଡାମାନ-ନିକୋବର ଯାଇଛି । ବିଲ୍ ତଦନୁରୂପ । ସାହାବ ତାକୁ ପଚାରିଛନ୍ତି - ଆରେ, ତୁ କେମିତି ଗଲୁ? ରାମା କୁଆଡ଼େ ତାଙ୍କୁ ନାଲଛେଇ ହୋଇ କହିଛି - ଦି’ ପୁଆ (ଅଧ ଲିଟର) ମାରିଦେଲି । ରାଉରକେଲା ଷ୍ଟେସନରେ ବସିଲି । ପାନପୋଷ ବ୍ରିଜ୍ ପାରି ହେଲାଯାଏଁ ମୋର ମନେ ଅଛି । ତା’ପରେ ଓହ୍ଲେଇଲାବେଳକୁ ପୋର୍ଟ-ବ୍ଲେୟାର । ସେଠିକି ଯେ ଉଡ଼ାଜାହାଜରେ ଯିବାକୁ ହୁଏ, ରାମା ସେକଥା ଜାଣେନା । ସାହାବ ପଚାରିଲେ, ଫେରିଲୁ କେମିତି? ସେଠିକା ମାଲ୍ ଆହୁରି ବଢ଼ିଆ । ପୂରା ବୋତଲଟେ ଟେକି ଦେଲି । ଆଉ ହୋସ ନଥାଏ । ଓହ୍ଲେଇଲାବେଳକୁ ରାଉରକେଲା । ଭାଗ୍ୟ ଭଲ, ମୁଁ ତା ବିଲ୍ରେ ଦସ୍ତଖତ କରି ନ ଥାଏ । ସାହାବ କହିଲେ – ତୁ ଟିକେ ଫରୱାର୍ଡ କରି ଦେ । ବଦମାସକୁ ମିଛ ବି କହି ଆସେନି । ଯମ ହାତରୁ ଜୀବନ ଛଡ଼େଇ ଆଣିବା ପରି ଏହା ଥିଲା ଏକ ଆଚମ୍ବିତ କଥା । ତା’ର କିଛି ହେଲାନି । ପିଲ୍ଲାଇ ସାହାବଙ୍କ ରିଟାଏର୍ଡ ପରେ ରହସ୍ୟ ଜଣା ପଡ଼ିଲା । କାରଖାନା ଭିତରେ ଚମକ୍ରାର କ୍ୟାଣ୍ଟିନ ବ୍ୟବସ୍ଥା ସତ୍ତ୍ୱେ ରାମା ଦିନ୍ ଏଗାରଟା ବେଳେ ଯାଏ ସାହାବଙ୍କ ଲାଗି ପଦାରୁ ଚା’ ଆଣିବାକୁ ଥର୍ମସ୍ଟେ ଧରି । ଚା ଆଣେନି । ଆଣେ ମଡର୍ଣ୍ଣ ଇଣ୍ଡିଆ ବସ୍ତିତଳ ମଙ୍ଗତ ସିଂହ ଢାବାରୁ ପୂରା ଗୋଟେ ବୋତଲ ମହୁଲୀ । ରୁମ୍ରେ ଥୋଇ ଦିଏ, ଚାଲିଆସେ । ଏଲଏଲଟିସି ବିଲ୍ ଗେଞ୍ଜି ଦେବା ତା ପାଇଁ ସହଜ ହୋଇଥିଲା ।
ଦିନେ ରାମା ଆଉ ଏକ ଅଭାବନୀୟ କାମ କଲା । ଯାହା ସାରା ଭାରତର ଇସ୍ପାତ କାରଖାନା କର୍ମଚାରୀଙ୍କ ଭାଗ୍ୟ ଓ ଭବିଷ୍ୟତ ବଦଳାଇ ଦେଲା । ଦୁର୍ଘଟଣା ଜନିତ ବା ଅନ୍ୟ କାରଣରୁ ଶ୍ରମିକ/କର୍ମଚାରୀଙ୍କର କାର୍ଯ୍ୟରେ ମୃତ୍ୟୁ ହେଲେ ପରିବାରର ନିର୍ଭରଶୀଳ ଆଉ ଜଣଙ୍କୁ ଅନୁକମ୍ପାମୂଳକ ଚାକିରି ଦେବା ବ୍ୟବସ୍ଥା ଆଗରୁ ଥିଲା ।
ସେ ରହୁଥାଏ କନ୍ଷ୍ଟ୍ରକସନ କଲୋନି ବା ଦକ୍ଷିଣ-ରାଉରକେଲା ଅଞ୍ଚଳରେ । ଦିନ ଗୋଟେରୁ ଦି’ଟା – ଲଞ୍ଚ-ଆୱାରରେ ସେ ଘରୁ ପ୍ଲାଣ୍ଟ ଆସୁଛି । ଦେଖିଲା, ଜଣେ ଲୋକ ଗୋଟେ କଲଭର୍ଟ ପାଖରେ ପଡ଼ିଛି । ମୁର୍ଗି ବେମାରି । ଫିଟ୍ସ । ଗୋଡ଼ହାତ ଛାଟୁଛି । ତା ପାଦରେ ସେଫ୍ଟି ବୁଟ୍ ଦେଖି ସେ ଯେ ଜଣେ କାରଖାନା କର୍ମଚାରୀ, ଏଥିପାଇଁ କାହାରି ମନରେ ଦ୍ୱିଧା ହେବା ଉଚିତ ନଥିଲା । କେତେଲୋକ ସେବାଟେ ଯାଉଥା’ନ୍ତି । ମଦୁଆଟେ ବେହାଲ ହୋଇ ପଡ଼ିଥିବ ବା ସମୟ ଅଭାବ ଯୋଗୁ କେହି ତା ଆଡ଼କୁ ନିଘା ଦେଉ ନଥା’ନ୍ତି । ରାମା ସେମିତି କରି ନଥିଲା । ତାକୁ ସାଷ୍ଟମ କରିବାକୁ ଚେଷ୍ଟା କଲା । ହେଲାନି । ସାଇକେଲ ରଡ଼୍ରେ ବସେଇ ଗୋଟିଏ ହାତରେ ତାକୁ ଭିଡ଼ି ଧରି ସେ ନେଇ ତାକୁ ପ୍ଲାଣ୍ଟ୍ ମେଡ଼ିକାଲ ୟୁନିଟ୍ – କାରଖାନା ଭିତରେ ଥିବା ଏକ ପୂର୍ଣ୍ଣାଙ୍ଗ ଡାକ୍ତରଖାନା – ରେ ଭର୍ତ୍ତି କରିଦେଲା । ତେଣିକି ସବୁକଥା ଅଟୋମେଟିକ୍ ହେଲା । ଅବସ୍ଥା ସଙ୍କଟାପନ୍ନ କହି ରୋଗୀକୁ ବଡ଼ ଡାକ୍ତରଖାନା (ଇସ୍ପାତ ଜେନେରାଲ ହସପିଟାଲ) ପଠାଗଲା ଏବଂ ସେଠାରେ ତା’ର ମୃତ୍ୟୁ ହେଲା ।
ସନ୍ଧ୍ୟାବେଳକୁ ରାମା ଆମ ଘରେ ହାଜର । ସବୁ କଥା କହିଲା । ତାକୁ ସାଙ୍ଗରେ ଧରି ମୁଁ ତତ୍କାଳୀନ ୟୁନିଅନ ନେତା ସ୍ୱର୍ଗତ ରାଜକିଶୋର ସାମନ୍ତରାୟଙ୍କ ପାଖରେ ହାଜର ହେଲି । ତା ପରର ଏନଜେସିଏସ ବୈଠକ (୧୯୭୬)ରେ ଅନୁକମ୍ପାର ସମୟସୀମା ପାଇଁ ଡିଉଟିର ପୂର୍ବ ଓ ପର ଘଣ୍ଟାଏଲେଖା ଯୋଡ଼ା ହେଲା ।
ମତେ ଦୁଃଖ ଲାଗେ ଯେ ସେଦିନ ମୁଁ ତା’ର ଅଧା ହାଜିରା କାଟି ଦେଇଥିଲି । ଜାଣିବା ପରେ ବି ତାହା ସଜାଡ଼ିବା ଅସମ୍ଭବ ଥିଲା । ବରଂ ସେ ନ ରାଗି କହିଲା – ମତେ ପାଞ୍ଚଟା ଟଙ୍କା ଦେ ନା । ମୁଁ ଦି’ ପୁଆ ମାରିଦେବି ।
ସଲାମ ଗଣତନ୍ତ୍ର
ସମ୍ପାଦନା୨୦୦୧ର ଘଟଣା । ଏକ ଡେଲିଗେସନରେ କାଠମାଣ୍ଡୁ ଯାଇଥାଏ । ଅଳ୍ପ ମିଡ଼ିଆ କାମ । ମୋ ଦାୟିତ୍ୱ । ଏହାର ଅର୍ଥ ହେଲା – ଦେଶର ‘ଇଜ୍ଜତ’ ପାଇଁ ପଦାଜାଗାରେ ସବୁ ସତ ବା ନିଜକୁ ଭଣ୍ଡୁଥିବା ପରି କଥା କହିବାର କଠୋର ପ୍ରତିଜ୍ଞା । ଏହା ଦୁରୁହ ଜାଣି ବି ହଁ ମାରିଲି । ତିନିଟା ଦିନର କାମ ତ, ଚଳେଇ ଦେବି । ଦ୍ୱିତୀୟ ଏବଂ ଇମ୍ପୋର୍ଟାଣ୍ଟ୍ କାରଣଟି ଥିଲା ଯେ ଅଳସୁଆମାନେ ଏମିତିକା କାମ କରିବାକୁ ପସନ୍ଦ କରନ୍ତି ।
ଫିଲ୍ମ ଅଭିନେତା ହ୍ରିତିକ ରୋଷନ ପୂର୍ବରୁ କ’ଣ ମନକଷ୍ଟ କଥାଟେ କହିଥିବାରୁ ସେଠି ଭାରତ ବିରୋଧୀ ଗୋଳମାଳ ହୋଇଥିଲା । ତହିଁର ଚିହ୍ନବର୍ଣ୍ଣ ନ ଥିଲେ ସୁଦ୍ଧା କାଠମାଣ୍ଡୁ ‘ପ୍ରହରୀ’ (ପୁଲିସ) ଆମକୁ ଘୋର ସୁରକ୍ଷା ଯୋଗାଉଥାଏ । ସେମାନଙ୍କ ଆଦର ସମ୍ମାନ ବେଶି ଯେ ହେଲେ ଅଖାଡ଼ୁଆ ଲାଗେ । ଧରନ୍ତୁ, ଟିକେ ନିରୋଳା ଦେଖି ଆପଣ ସି କରିବାକୁ ଗାଡ଼ି ଅଟକାଇବେ ଏବଂ ତତ୍କ୍ଷଣାତ ସାଙ୍ଗରେ ଚାଲୁଥିବା ପ୍ରହରୀ-ଯାନରୁ ତିନିଚାରି ଅସ୍ତ୍ରଶସ୍ତ୍ରଧାରୀ ଓହ୍ଲାଇ କେବଳ ଅସୁବିଧା ଦିଗଟିକୁ ଛାଡ଼ି ଆଉ ତିନି ପଟେ ସୁରକ୍ଷା ଯୋଗାଇବାକୁ ଘେରିଯିବେ । ଏତଦ୍ଧ୍ୱାରା ଜଣେ ସୁରକ୍ଷିତ ହୋଇପାରେ, କିନ୍ତୁ ସି ହେବା କଷ୍ଟ ।
ଦିନେ ମନ କଲି, ଏକା ଚାଲିଚାଲି ବୁଲିବି । ପ୍ରୋଗ୍ରାମ ଯାହା, ସହର ଆମକୁ ସମ୍ରାଟ ଦେଖେଇବେ । ନିଜ ଖୁସିରେ ଟିକେ ହାଟ ଦେଖିବି । ବାଟ ଦେଖିବି । ଯୋଉଠି ମନ ଚା’ କପେ ପିଇ ପାରିବି । ସିଗାରେଟ ଟାଣିବି । ବୁଲୁବୁଲୁ ଆଖିରେ ଯାହା ପଡ଼ିବ ଦେଖିବି । କାହା ସହିତ ଗପ ହେବା କି ମିଶିବାରେ କିଛି ବାରଣ ନଥିଲା । କିନ୍ତୁ ସାଙ୍ଗରେ ବାହାରିଲା ପ୍ରହରୀ-ଯାନ ଓ ମଣ୍ଡଳ । ଇସ୍, ଭାରତୀୟ ନେତାଙ୍କ ପରି କି ଜୋକର୍ ଦେଖାଯିବି! ଗଣତନ୍ତ୍ର, ନାଗରିକ-ମର୍ଯ୍ୟାଦା ଏମିତି କିଛି ୟାଡୁସ୍ୟାଡୁ କଥା କହି ଡିଉଟି ଅଫିସରଙ୍କୁ ପଟେଇଲି । ସେ ମୋଟେ ରାଜି ହେଲେନି । ପରେ ସ୍ୱଳ୍ପ ବିଶ୍ୱାସ କଲେ । ଯାନ ଗଲାନି, କେବଳ ଦୁଇଜଣ ସଶସ୍ତ୍ର ପ୍ରହରୀ ସାଙ୍ଗରେ ଗଲେ ।
ଗପସପ ବେଳେ ଅଫିସରଙ୍କ ମତ ଥିଲା – ଗଣତନ୍ତ୍ରରେ ଶାସନ ଅତି ଦୁର୍ବଳ । କେହି କାହାରିକି ମାନନ୍ତିନି । ଭୁଲ ସମସ୍ତେ କରିବେ । ଦୋଷ ହେବ ପୁଲିସର । ସେଠି ବୁଦ୍ଧିର ଖାତିରି ନାହିଁ । ଅତଏବ ଭାରତ ପୁଲିସ ଉଇକ୍ ଓ ଆମେ ଷ୍ଟ୍ରଙ୍ଗ୍ । ଏ ପଟାପଟି ପ୍ରାୟ ଦଶ ମିନିଟ ଚାଲିଥିଲା । ଗଣତନ୍ତ୍ରଠାରୁ ରାଜତନ୍ତ୍ର କାହିଁକି ଭଲ, ସେଥିପାଇଁ ସେ ଥରକୁଥର ଭାରତୀୟ ଉଦାହରଣ ଦେଉଥା’ନ୍ତି । ମନେମନେ ତାଙ୍କ କଥାରେ ରାଜି ହେଉଥିଲେ ବି, ଆମ ଗଣତନ୍ତ୍ର ଯେ ସବୁଠୁଁ ଭଲ – ଏ ପ୍ରତିଜ୍ଞାର ଦାୟରେ ବାତ୍ଫୁରସି ମାରୁଥିଲି ।
ମହାମାନ୍ୟ ଭାରତ ରାଷ୍ଟ୍ରଦୂତ ଦେବ ମୁଖାର୍ଜୀ ବଢ଼ିଆ ଆଟ୍-ହୋମ୍ ଭୋଜି ଦେଇଥିଲେ । ସେଥିରୁ ଅନେକ ଡିସ୍ କି ଡ୍ରିଙ୍କ୍ ନାଁ ଜାଣିନି । କିନ୍ତୁ ଆମେ ଖାଉଥିବା ବହୁପ୍ରକାର ମାଛର କିସମ କିସମ ବ୍ୟଞ୍ଜନ ଥିଲା । ସେଇଠି ରାଷ୍ଟ୍ରଦୂତ ଜଣେଇଲେ ଯେ ହିଜ୍ ହାଇନେସ୍ କ୍ରାଉନ୍ପ୍ରିନ୍ସ (ଅଭିଷିକ୍ତ ଯୁବରାଜ) ହନରେବ୍ଲ ଦୀପେନ୍ଦ୍ର ବୀରବିକ୍ରମ ଶାହ୍ (ଏବେ ସ୍ୱର୍ଗତ) ଡେଲିଗେଟଙ୍କୁ ‘ଅଡିଏନ୍ସ’ ଦେବାକୁ ସଦୟ ସମ୍ମତି ପ୍ରକାଶ କରିଛନ୍ତି । ଯୋଗାଯୋଗ ଦାୟିତ୍ୱ ଏମ୍ବାସି ପ୍ରେସ୍-ଏଟାଚିଙ୍କର । ସେ ମହାଶୟ ବି ସେଠି ଥିଲେ ।
ମୁଁ ମିଡ଼ିଆ ବୁଝୁଚି ଜାଣି ସେ ପଛରେ ପଡ଼ିଗଲେ । କହୁଥିଲେ ଅତି ସୁନ୍ଦର, ମାର୍ଜିତ ଓ ସରଳ ଭାଷାରେ । ଉଭୟ ଦେଶର ସଂପର୍କ କିପରି ଆହୁରି ଭଲ ହେବ ଏବଂ ସେଥିପାଇଁ ଯୁବରାଜ ଆମଠାରୁ ସ୍ୱଳ୍ପ ସମୟ ଭିତରେ କ’ଣସବୁ ଶୁଣିବା ଉଚିତ – ଏହିପରି ପ୍ରରୋଚନା ଉଦ୍ରେକକାରୀ କଥାଗୁଡ଼ିଏ । ଦୁଇ ଦେଶର ସଂପର୍କ ଏମିତି ସାଧାରଣଭାବେ ଭଲ, ତେଣୁ ଏଟାଚିଙ୍କ ମତ ଶୁଣି ଖୁସି ଲାଗୁଥିଲା । ଏସବୁ ଆୟୋଜନରେ ଖୁବ ବିଶ୍ୱାସ ନ ଥିଲେ ବି ତାଙ୍କୁ ଶୁଣି ମନ ହେଉଥିଲା, ଯୁବରାଜଙ୍କୁ ଭଲ କଥା ଦି’ ପଦ କହିହେବ ।
ତିନିଶହ ବର୍ଷର ଐତିହାସିକ ନାରାୟଣହିତି ପ୍ୟାଲେସରେ ଯୁବରାଜ ଅଡ଼ିଏନ୍ସ ଦେଲାବେଳେ ଆମର କି କି ଶିଷ୍ଟାଚରଣ ବା ଏଟିକେଟ୍ ଆବଶ୍ୟକ, ସେ କଥାଟି ସବା ପଛରେ କହିଲେ । ତାହା ହେଲା – ହିଜ୍ ହାଇନେସ୍ ହଲ୍ରେ ପ୍ରବେଶ କରି ନିଜ ଆସନ ଅଧିକାର କରିବା ପର୍ଯ୍ୟନ୍ତ ସମସ୍ତେ ନିଜ ଚେୟାର ସମ୍ନାରେ ୯୦୦ ଆଲମ୍ବିତ ରହିବେ ଏବଂ ଏ ପ୍ରଥମ ଅଧ୍ୟାୟର ଶେଷପର୍ବରେ ମୁଁ ନିଜ ଜୋତା ଖୋଲି ଖାଲିପାଦରେ ଯୁବରାଜଙ୍କ ପାଖକୁ ଯାଇ ଦୁଇ ହାତରେ ତାଙ୍କ ଜୋତା ଛୁଇଁ ନିଜ ହାତକୁ ଚୁମ୍ବନ କରିବି ଏବଂ ନଇଁନଇଁ ନିଜ ଆସନକୁ ଫେରିବି । ଦେହ ଭିତରଟା ଶିର୍ଶିର୍ ହେଉଥିଲା । ମୋ ଅକୁହା ଅବସାଦ ବୁଝିଲା ପରି ଏଟାଚି ସାହେବ କହୁଥିଲେ – କିଛି ବ୍ୟସ୍ତ ହୁଅନ୍ତୁନି । ମୁଁ ବି ସେଠି ଥିବି ଯେ! ମୁଁ ତ ନଇଁବି, ଇଏ କ’ଣ କରିବେ?
ବଳି ହାଣକୁ ଯିବା ସମୟ ଆସିଲା । ରିହର୍ସାଲ ପାଇଁ ଘଣ୍ଟାଏ ଆଗରୁ ବେଶ୍ ଆଦବକାଇଦାରେ ଆମକୁ ହଲ ଭିତରକୁ ନିଆଗଲା । ବିକଳ ହୋଇ ଠାକୁରଙ୍କୁ ଡାକିଥିଲି – ହେ ପ୍ରଭୁ, ଗଜକୁ ଉଦ୍ଧାର କଲ । ଦ୍ରୋପଦୀଙ୍କି ଲଙ୍ଗଳା କରେଇ ଦେଲନି । କିଛି କାର୍ନାମା ଦେଖା । ବୋଉ ରାଣ ପକୋଉଚି, ଆଉ ଅଜଣା ଓଲୁଅ ଖାଇବିନି । ଏଇ ଥରୁଟେ ମତେ ରକ୍ଷା କର ।
ଅଡିଏନ୍ସ ବିଳମ୍ବ ହେଉଥାଏ । ବ୍ୟତିବ୍ୟସ୍ତ ଏଟାଚି ସାହେବ ପ୍ୟାଲେସ ଅଫିସ ସହିତ ଯୋଗଯୋଗ କରୁଥା’ନ୍ତି । ଯାହାହେଉ, ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପରେ ଜାଣିଲୁ ଯେ ଯୁବରାଜ ସାମାନ୍ୟ ଅସୁସ୍ଥ ହୋଇ ପଡ଼ିବାରୁ ଏ କାର୍ଯ୍ୟକ୍ରମ ବାତିଲ କରାଗଲା । ପ୍ୟାଲେସ ପ୍ରଟୋକଲ ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି ।
ପରେ ଶୁଣିଲୁ, ଠିକ ସେତିକିବେଳେ ଯୁବରାଜ ମଦ ପିଇ ନିଜେ ଗାଡ଼ି ଚଲେଇ ପ୍ୟାଲେସ ମେନଗେଟରେ ଧକ୍କା ମାରିଥିଲେ । ତିନିଜଣ ପ୍ରହରୀଙ୍କର ମୃତ୍ୟୁ ହେଲା ଏବଂ ନିଶାସକ୍ତ ଯୁବରାଜଙ୍କର କିଛି ହୋଇ ନଥିଲା । ତାଙ୍କୁ ଷ୍ଟ୍ରେଚର ଓ ଆମ୍ବୁଲାନ୍ସରେ ଭିତରକୁ ନିଆ ଯାଇଥିଲା । ବଳିଆରଭୁଜ ସତେ ସିନା ଚକ୍ର ଉହାଡ଼ କଲେ ବୋଲି । ନ ହେଲେ ତ ଅଡ଼ିଏନ୍ସ ହୋଇଥା’ନ୍ତା? ଗଣତନ୍ତ୍ର ତମକୁ କ’ଣ ଦେଇଚି ବୋଲି କେହି ପ୍ରଶ୍ନ କଲେ ମୋ ମନକୁ ଏ କଥାଟି ଆପେଆପେ ଆସିଯାଏ ।
ଯୁବରାଜ ଦୀପେନ୍ଦ୍ର ଜୁନ ୧, ୨୦୦୧ ଦିନ ପିତା ମାତାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ଶୁଣିଲି ଭୁବନେଶ୍ୱରରେ । ନେପାଳରୁ ଫେରି ମୁଁ ଆହୁରି ରାଉରକେଲା ଘରେ ପହଞ୍ଚି ନଥାଏ ।