ଭଜନ ମାଳା/ଚାଲ ସଖୀ ଆମ୍ଭେ ଦର୍ଶନ କରିବା

                  ଚାଲ ସଖୀ ଆମ୍ଭେ ଦର୍ଶନ କରିବା
                  *********************** 


ଚାଲ ସଖୀ ଆମ୍ଭେ ଦର୍ଶନ କରିବା

               ନୀଳଗିରି କାଳିଆକୁ 

କେଉଁ ସୁରପତି ବେଶ କରିଅଛ

               ଗିରିବର ତୋଳିଆକୁ 

ସେ ଯେ ଶ୍ରୀମୁଖ ତୋରା

              ଶିରେ ସୁନାସୁତା କେରା କେରା         ||୧||

ଶ୍ୱେତ ପଦ୍ମ ଆଖି ଦେଖିଲେ ଗୋ ସଖୀ

                   ଚିତ୍ତ କି ବାହୁଡ଼ି ଆଉ 

କର୍ଣ୍ଣରେ କୁଣ୍ଡଳ ଦିଶେ ଝଲମଲ

                କଉସ୍ତୁଭ  ଦାଉ ଦାଉ 

ସେ ଯେ ହିଆ ବୃଷାନ

                 ମିଶାମିଶି ବରାନିଧି ଫଳ          ||୨||

ଶଙ୍ଖ ଚକ୍ର ଗଦା ପଦ୍ମ ମହାପ୍ରଭୁ

                  ଧରିଛନ୍ତି ଆଣ୍ଟ କରି 

ଦୁଃସହ ଦୁର୍ଗତି ଗ୍ରହ ପୀଡା ମାନେ

                 ଆଉ କି ପଶିବେ ଡରି 

ସେ ଯେ ଦୟା ସାଗର

               ତାଙ୍କ ପଦ୍ମ ପାଦେ ଲୟ କର         ||୩||

ଶ୍ରୀ ପୁରୁଷୋତ୍ତମ ରହଣି କରିବା

                 ଖାଇବା ଛଡା ତୁଳସୀ 

କହେ ସାଲବେଗ ସିଂହଦ୍ୱାରଠାରେ

                 ହୋଇଥିବା କ୍ଷେତ୍ରବାସୀ 

ସେ ଯେ ଆରତ ତ୍ରାଣ

                 କାଳଗଜକୁ ସିଂହପ୍ରୟାଣ  
                 ଚାଲ ଚାଲ ପଶିବା ଶରଣ         ||୪||