ଭାରତୀୟ ସମ୍ବିଧାନ
ଭାରତ ସରକାର
ଭାଗ ୧ ସଙ୍ଗ ଏବଂ ଏହାର ରାଜକ୍ଷେତ୍ର
ଛାଞ୍ଚ:ଭାରତୀୟ ସମ୍ବିଧାନ

ଧାରା ୧ {ସଙ୍ଘର ନାମ ଓ ରାଜ୍ଯକ୍ଷେତ୍ର} ସମ୍ପାଦନା

  1. ଭାରତ, ଅର୍ଥାତ୍ ଇଣ୍ଡିଆ, ରାଜ୍ଯମାନଙ୍କର ଏକ ସଂଘ ହେବ ।
  2. ତାହାର ରାଜ୍ଯ ଓ ରାଜ୍ଯକ୍ଷେତ୍ର, ପ୍ରଥମ ଅନୁସୂଚିରେ ବିନିର୍ଦ୍ଦିଷ୍ଟମତେ ହେବ ।
  3. ଭାରତର ରାଜ୍ଯକ୍ଷେତ୍ରରେ —
    1. ରାଜ୍ୟମାନଙ୍କର ରାଜ୍ଯକ୍ଷେତ୍ର ;
    2. ପ୍ରଥମ ଅନୁସୂଚିରେ ବିନିର୍ଦ୍ଦିଷ୍ଟ ସଙ୍ଘ ରାଜ୍ୟକ୍ଷେତ୍ର ; ଏବଂ
    3. ଏପରି ଅନ୍ୟ ରାଜ୍ଯକ୍ଷେତ୍ର ଯାହାକି ଅର୍ଜିତ କରାଯାଇପାରେ,

ସମାବିଷ୍ଟ ହେବ ।

ଧାରା ୨ {ନୂତନ ରାଜ୍ଯମାନଙ୍କର ଗ୍ରହଣ ବା ସ୍ଥାପନ} ସମ୍ପାଦନା

ସଂସଦ ଯେପରି ଉଚିତ ବୋଲି ବିବେଚନା କରେ ସେପରି ନିବନ୍ଧନ ଓ ସର୍ତ୍ତ ଅନୁସାରେ ବିଧି ଦ୍ବାରା ନୂତନ ରାଜ୍ଯମାନ ସଙ୍ଘ ମଧ୍ଯରେ ଗ୍ରହଣ କରିପାରେ ବା ସ୍ଥାପନ କରିପାରେ ।

ଧାରା ୨କ {ସଙ୍ଘ ସହିତ ସିକ୍କିମର ସମ୍ବନ୍ଧନ} ସମ୍ପାଦନା

ସମ୍ବିଧାନ - ଛତିଶିତମ ସଂଶୋଧନ ଅଧିନିୟମ, ୧୯୭୫ ଦ୍ବାରା ପ୍ରତ୍ୟାହୃତ, ବିଭାଗ ୫, ୨୬-୦୪-୧୯୭୫ ଠାରୁ କାର୍ଯ୍ୟକାରୀ[୧]

ଧାରା ୩ {ନୂତନ ରାଜ୍ଯ ଗଠନ ଓ ବିଦ୍ୟମାନ ରାଜ୍ଯମାନଙ୍କର କ୍ଷେତ୍ର, ସୀମା ଓ ନାମ ପରିବର୍ତ୍ତନ} ସମ୍ପାଦନା

ସଂସଦ ବିଧି ଦ୍ବାରା -

  1. କୌଣସି ରାଜ୍ଯରୁ ତହିଁର ରାଜ୍ଯକ୍ଷେତ୍ରକୁ ପୃଥକ୍ କରି ଅଥବା ଦୁଇ ବା ତତୋଧିକ ରାଜ୍ଯକୁ ବା ରାଜ୍ଯର ଭାଗକୁ ମିଳିତ କରି ଅଥବା କୌଣସି ରାଜ୍ଯକ୍ଷେତ୍ରକୁ କୌଣସି ରାଜ୍ଯର ଭାଗ ସଙ୍ଗେ ମିଳିତ କରି ନୂତନ ରାଜ୍ଯ ଗଠନ କରିପାରେ ;
  2. କୌଣସି ରାଜ୍ଯର କ୍ଷେତ୍ରଫଳ ବୃଦ୍ଧି କରିପାରେ ;
  3. କୌଣସି ରାଜ୍ଯର କ୍ଷେତ୍ରଫଳ ହ୍ରାସ କରିପାରେ ;
  4. କୌଣସି ରାଜ୍ଯର ସୀମା ପରିବର୍ତ୍ତନ କରିପାରେ ;
  5. କୌଣସି ରାଜ୍ଯର ନାମ ପରିବର୍ତ୍ତନ କରିପାରେ ।

ପରନ୍ତୁ ଏହି ପ୍ରୟୋଜନାର୍ଥ କୌଣସି ବିଧେୟକ ରାଷ୍ଟ୍ରପତିଙ୍କ ବିନା ସୁପାରିଶରେ ଏବଂ ଯେଉଁଠାରେ ବିଧେୟକର ଅନ୍ତର୍ଗତ ପ୍ରସ୍ଥାପନାର ପ୍ରଭାବ କୌଣସି ରାଜ୍ଯର କ୍ଷେତ୍ର, ସୀମା ଅଥବା ନାମ ଉପରେ ପଡୁଥାଏ, ସେହି ବିଧେୟକ, ରାଷ୍ଟ୍ରପତିଙ୍କ ଦ୍ବାରା ସେହି ରାଜ୍ଯର ବିଧାନମଣ୍ଡଳକୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ବିନିର୍ଦ୍ଦିଷ୍ଟ ହୋଇଥିବା କାଳାବଧି ମଧ୍ଯରେ ଅଥବା ରାଷ୍ଟ୍ରପତି ଯେପରି ସମନୁଜ୍ଞାତ କରନ୍ତି, ସେପରି ଅଧିକ କାଳାବଧି ମଧ୍ଯରେ ତାହା ଉପରେ ଆପଣା ବିଚାର ପ୍ରକଟ କରିବା ନିମିତ୍ତ ନିର୍ଦ୍ଦେଶିତ କରାଯାଇ ନ ଥିଲେ, ତଥା ଏପରି ବିନିର୍ଦ୍ଦିଷ୍ଟ ବା ସମନୁଜ୍ଞାତ କାଳାବଧି ସମାପ୍ତ ହୋଇନଥିଲେ, ସଂସଦର କୌଣସି ସଦନରେ ପୁରଃସ୍ଥାପିତ କରାଯିବ ନାହିଁ ।

[ସ୍ପଷ୍ଟୀକରଣ ୧: ଏହି ଧାରାରେ ଖଣ୍ଡ (a) ଠାରୁ ଖଣ୍ଡ (e) ମଧ୍ଯରେ ସଙ୍ଘ ରାଜ୍ଯକ୍ଷେତ୍ର, "ରାଜ୍ଯ"ର ଅନ୍ତର୍ଗତ ଅଟେ, କିନ୍ତୁ ପରନ୍ତୁକରେ ସଙ୍ଘ ରାଜ୍ଯକ୍ଷେତ୍ର, ରାଜ୍ୟର ଅନ୍ତର୍ଗତ ନୁହେଁ ।]

[ସ୍ପଷ୍ଟୀକରଣ ୨: ଖଣ୍ଡ (a) ଦ୍ୱାରା ସଂସଦକୁ ପ୍ରଦତ୍ତ କ୍ଷମତା ମଧ୍ଯରେ କୌଣସି ରାଜ୍ଯ ବା ସଙ୍ଘ ରାଜ୍ଯକ୍ଷେତ୍ରର ଏକ ଭାଗକୁ ଅନ୍ୟ କୌଣସି ରାଜ୍ଯ ବା ସଙ୍ଘ ରାଜ୍ଯକ୍ଷେତ୍ର ସଙ୍ଗେ ଯୋଗକରି ନୂତନ ରାଜ୍ଯ ବା ସଙ୍ଘ ରାଜ୍ୟକ୍ଷେତ୍ର ଗଠନ କରିବାର କ୍ଷମତା ଅନ୍ତର୍ଗତ ଅଟେ ।]

ଧାରା ୪ {ପ୍ରଥମ ଓ ଚତୁର୍ଥ ଅନୁସୂଚୀର ସଂଶୋଧନ ନିମିତ୍ତ ଧାରା ୨ ଓ ୩ ଅଧୀନରେ ପ୍ରଣୀତ ବିଧି ଏବଂ ଅନୁପୂରକ, ଆନୁଷଙ୍ଗିକ ଓ ପାରିଣାମିକ ବିଷୟ} ସମ୍ପାଦନା

  1. ଧାରା ୨ ବା ୩ ରେ, ନିର୍ଦ୍ଦିଷ୍ଟ ବିଧିରେ ସେହି ବିଧିର ଉପବନ୍ଧମାନଙ୍କୁ ପ୍ରଭାବୀ କରିବା ପାଇଁ ପ୍ରଥମ ଅନୁସୂଚୀ ଓ ଚତୁର୍ଥ ଅନୁସୂଚୀର ସଂଶୋଧନ ନିମିତ୍ତ, ଆବଶ୍ଯକତାନୁସାରେ, ଉପବନ୍ଧମାନ ଅନ୍ତର୍ବିଷ୍ଟ ହେବ ଏବଂ ସଂସଦ, ଯେପରି ଆବଶ୍ଯକ ବୋଲି ବିବେଚନା କରେ (ସଂସଦରେ, ତଥା ଯେଉଁ ରାଜ୍ଯ ବା ରାଜ୍ଯମାନଙ୍କ ଉପରେ ଏହି ବିଧି ପ୍ରଭାବ ପକାଉ ଥାଏ ସେପରି ରାଜ୍ଯ ବା ରାଜ୍ଯମାନଙ୍କର ବିଧାନମଣ୍ଡଳମାନଙ୍କରେ, ପ୍ରତିନିଧିତ୍ବ ସମ୍ପର୍କୀୟ ଉପବନ୍ଧ ସମେତ), ସେପରି ଅନୁପୂରକ, ଆନୁଷଙ୍ଗିକ ଓ ପାରିଣାମିକ ଉପବନ୍ଧମାନ ମଧ୍ଯ ଅନ୍ତର୍ବିଷ୍ଟ ହେବ ।
  2. ଉପରୋକ୍ତ ପ୍ରକାରର ଏପରି କୌଣସି ବିଧି ଧାରା ୩୬୮ର ପ୍ରୟୋଜନାର୍ଥ, ଏହି ସମ୍ବିଧାନର ସଂଶୋଧନ ବୋଲି ବିବେଚିତ ହେବ ନାହିଁ ।

ଆଧାର ସମ୍ପାଦନା

  1. Gopal Sankaranarayanan (editor). The Constitution of India Lucknow: Eastern Book Company (2014) ଛାଞ୍ଚ:ISBN