ଭାରତୀୟ ସମ୍ବିଧାନ
ଭାରତ ସରକାର
ଭାଗ ୪ ରାଜ୍ଯ ନୀତିର ନିର୍ଦ୍ଦେଶକ ତତ୍ତ୍ବ
ଛାଞ୍ଚ:ଭାରତୀୟ ସମ୍ବିଧାନ

ଧାରା ୩୬ {ସଜ୍ଞା} ସମ୍ପାଦନା

ପ୍ରସଙ୍ଗ ଅନ୍ୟଥା ଆବଶ୍ଯକ କରୁନଥିଲେ, "ରାଜ୍ୟ"ର ଭାଗ ୩ରେ ଯେଉଁ ଅର୍ଥ ରହିଅଛି, ଏହି ଭାଗରେ ମଧ୍ଯ ସେହି ଅର୍ଥ ରହିବ ।

ଧାରା ୩୭ {ଏହି ଭାଗରେ ଅନ୍ତର୍ବିଷ୍ଟ ତତ୍ତ୍ବମାନର ପ୍ରୟୋଗ} ସମ୍ପାଦନା

ଏହି ଭାଗରେ ଅନ୍ତର୍ବିଷ୍ଟ ଉପବନ୍ଧମାନ କୌଣସି ନ୍ୟାୟାଳୟ ଦ୍ବାରା ପ୍ରବର୍ତ୍ତିନୀୟ ହେବ ନାହିଁ, କିନ୍ତୁ ଏଥିରେ ବର୍ଣ୍ଣିତ ତତ୍ତ୍ବମାନ ଦେଶର ଶାସନ ନିମିତ୍ତ ମୌଳିକ ଅଟେ ଏବଂ ବିଧି ପ୍ରଣୟନ କରିବାରେ ଏହି ତତ୍ତ୍ବାବଧାନ ଲାଗୁ କରିବା ରାଜ୍ଯର କର୍ତ୍ତବ୍ଯ ହେବ ।

ଧାରା ୩୮ {ଲୋକକଲ୍ୟାଣାର୍ଥ ଏକ ସାମାଜିକ ବ୍ୟବସ୍ଥାର ସ୍ଥାପନ ନିମନ୍ତେ ରାଜ୍ଯର ପ୍ରଚେଷ୍ଟା} ସମ୍ପାଦନା

  1. ଯେଉଁ ସାମାଜିକ ବ୍ୟବସ୍ଥାରେ ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ନ୍ୟାୟ ରାଷ୍ଟ୍ରୀୟ ଜୀବନର ସମସ୍ତ ସଂସ୍ଥାକୁ ଅନୁପ୍ରାଣିତ କରିବ, ରାଜ୍ୟ ସେପରି ସାମାଜିକ ବ୍ୟବସ୍ଥାକୁ ଯଥାସମ୍ଭବ ଫଳପ୍ରଦ ରୂପେ ସ୍ଥାପନା ଓ ସଂରକ୍ଷଣ କରି ଲୋକକଲ୍ୟାଣର ଉନ୍ନତି ସାଧନ ପାଇଁ ପ୍ରଯତ୍ନ କରିବ ।
  2. ରାଜ୍ଯ, ବିଶେଷତଃ, ବିଭିନ୍ନ ଅଞ୍ଚଳରେ ବାସକରୁଥିବା ବା ବିଭିନ୍ନ ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କ ମଧ୍ଯରେ ତଥା ବ୍ୟକ୍ତିବର୍ଗଙ୍କ ମଧ୍ଯରେ ଆୟର ଅସମାନତାକୁ ନ୍ୟୁନତମ ସ୍ତରରେ ରଖିବା ପାଇଁ ପ୍ରଯତ୍ନ କରିବ ଏବଂ ପ୍ରାସ୍ଥିତି, ସୁବିଧା ଓ ସୁଯୋଗରେ ଅସମାନତା ଦୂର କରିବା ପାଇଁ ପ୍ରୟାସ କରିବ ।

ଧାରା ୩୯ {ରାଜ୍ଯ ଦ୍ବାରା ଅନୁସରଣୀୟ କେତେକ ତତ୍ତ୍ବ} ସମ୍ପାଦନା

ରାଜ୍ଯ, ବିଶେଷତଃ, ନିଜର ନୀତିକୁ ନିମ୍ନୋକ୍ତ ବିଷୟମାନଙ୍କର ଅଭିପ୍ରାପ୍ତି ଦିଗରେ ଚାଳିତ କରିବ -

  1. ନର ବା ନାରୀ, ସମସ୍ତ ନାଗରିକଙ୍କ ଜୀବିକାର ପର୍ଯ୍ୟାପ୍ତ ସାଧନ ନିମିତ୍ତ ସମାନ ଭାବେ ଅଧିକାର ରହିବ ;
  2. ସମାଜର ଭୌତିକ ବିଭବର ସ୍ୱାମୀତ୍ୱ ଓ ନିୟନ୍ତ୍ରଣ ଏପରି ଭାବେ ବର୍ଣ୍ଣିତ ହେବ ଯାହାଦ୍ବାରାକି ସର୍ବୋତ୍ତମ ଭାବେ, ସମୂହ ଭାବେ ସମୂହ ହିତ ସାଧିତ ହେବ ;
  3. ଅର୍ଥନୀତିକ ବ୍ୟବସ୍ଥାର ଚାଳନାର ପରିଣାମରେ ଯେପରି ଧନ ଓ ଉତ୍ପାଦନର ସାଧନମାନ ସର୍ବସାଧାରଣଙ୍କ ନିମିତ୍ତ ଅହିତକର ହେବା ଭଳି କେନ୍ଦ୍ରୀଭୂତ ହେବ ନାହିଁ ;
  4. ନର ବା ନାରୀ, ଉଭୟଙ୍କର ସମାନ କାର୍ଯ୍ୟ ପାଇଁ ସମାନ ବେତନ ରହିବ ;
  5. ନର ହେଉ ବା ନାରୀ, ଶ୍ରମିକଙ୍କର ସ୍ୱାସ୍ଥ୍ୟ ଓ ସାମର୍ଥ୍ଯ ତଥା ପିଲାମାନଙ୍କର ସୁକୁମାର ବୟସର ଦୁରୁପଯୋଗ ହେବନାହିଁ ଏବଂ ଆର୍ଥିକ ଆବଶ୍ଯକତା ହେତୁ ବାଧ୍ଯ ହୋଇ ନାଗରିକମାନେ ବୟସ ବା ସାମର୍ଥ୍ଯର ଅନୁପଯୋଗୀ ବୃତ୍ତିବୃତ୍ତିରେ ପ୍ରବେଶ କରିବେ ନାହିଁ ;
  6. ପିଲାମାନେ ସୁସ୍ଥ ଭାବରେ ସ୍ୱାଧୀନ ଏବଂ ଗରିମାମୟ ବାତାବରଣରେ ଗଢି ଉଠିବାକୁ ସୁଯୋଗ ଓ ସୁବିଧା ଦିଆଯିବ ଏବଂ ପିଲାମାନଙ୍କୁ ଓ ଯୁବକମାନଙ୍କୁ ଶୋଷଣରୁ ଓ ନୈତିକ ତଥା ଭୌତିକ ପରିତ୍ୟଜନରୁ ରକ୍ଷା କରାଯିବ ।

ଧାରା ୩୯କ {ସମାନ ନ୍ୟାୟ ଏବଂ ମାଗଣା ବୈଧିକ ସହାୟତା} ସମ୍ପାଦନା

ରାଜ୍ଯ ଏହା ସୁନିଶ୍ଚିତ କରିବ ଯେ, ବିଧିବ୍ୟବସ୍ଥା ଏପରି କାର୍ଯ୍ୟକାରୀ ହେବ ଯେପରିକି ନ୍ୟାୟ ସମାନ ସୁଯୋଗର ଭିତ୍ତିରେ ସୁଲଭ ହେବ ଏବଂ ବିଶେଷ କରି କୌଣସି ନାଗରିକ ଆର୍ଥିକ ବା ଅନ୍ୟ ଅସାମର୍ଥ୍ୟ ହେତୁ ନ୍ୟାୟ ପାଇବାର ସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହା ସୁନିଶ୍ଚିତ କରାଇବା ନିମିତ୍ତ ଉପଯୁକ୍ତ ବିଧାନ ବା ପରିକଳ୍ପନା ଦ୍ବାରା ବା ଅନ୍ୟ ଭାବରେ ମାଗଣା ବୈଧିକ ସହାୟତାର ବ୍ୟବସ୍ଥା କରିବ ।

[୪୨ତମ ସଂଶୋଧନ ଦ୍ବାରା ପ୍ରବିଷ୍ଟ]

ଧାରା ୪୦ {ଗ୍ରାମପଞ୍ଚାୟତର ଗଠନ} ସମ୍ପାଦନା

ସ୍ୱୟଂଶାସନର ଏକକ ରୂପେ କାର୍ଯ୍ୟ କରିବା ପାଇଁ ଆବଶ୍ଯକ ସମସ୍ତ କ୍ଷମତା ଓ ଅଧିକାର ଦ୍ବାରା ଭୂଷିତ ଗ୍ରାମପଞ୍ଚାୟତର ଗଠନ ଓ ନିର୍ମାଣ ପାଇଁ, ରାଜ୍ଯ ଉପଯୁକ୍ତ ପଦକ୍ଷେପ ନେବ ।