ମେଘ ମାଳାକୁ ନିନ୍ଦେ କଳାକୁ

ମେଘ ମାଳାକୁ ନିନ୍ଦେ କଳାକୁ
ଲେଖକ/କବି: ହୃଦାନନ୍ଦ ଦାସ

ମେଘ ମାଳାକୁ ନିନ୍ଦେ କଳାକୁ

ମେଘମାଳାକୁ ନିନ୍ଦେ କଳାକୁ
ଚାହାଁ ବାରେ ମନ ଚକାଡ଼ୋଳାକୁ ।।

ଏ ଭବ ସରିତେ ତରିଗଲେ ଭକ୍ତି
ଆଶ୍ରେ କରି ଯାର ନାମ ଭେଳାକୁ ।
ସଦାଶିବ ହର ହୋଇଲେ ଅମର
କୋଳେ ଧରିଛନ୍ତି ଗିରିବାଳାକୁ ।
ଗୁନ୍ଥିମାଳାକୁ ପିନ୍ଧି ଗଳାକୁ
ନାମ ପଢ଼ୁଛନ୍ତି କଳାଧଳାକୁ ।୧।

ସତ୍ୟରେ ଶ୍ରୀପତି ସମୁଦ୍ରକୁ ମନ୍ଥି
ତହିଁରେ ଜାତ କଲେ କମଳାଙ୍କୁ ।
ଦେବାସୁର ଯୁଦ୍ଧେ ଅମୃତ ବିବାଦେ
ମୋହିନୀ ହୋଇଲେ ଦେବଛଳାକୁ ।
ରାହୁ ଗଳାକୁ ଛେଦି ହେଳାକୁ
ମୋହ କଲେ ମହାଦେବ ଭୋଳାକୁ ।୨।

ତ୍ରେତୟା ଯୁଗରେ ରାମ ଅବତାରେ
ଭଜ ମନ ବାରେ ରଘୁବଳାକୁ ।
ପାଇଁ ସୀତାଛଳ ଘେନି କପିବଳ
ସିନ୍ଧୁରେ ବାନ୍ଧିଲେ ଶିଳା ଭେଳାକୁ ।
ଜାତଖେଳାକୁ ରଣସ୍ଥଳାକୁ
ରଣେ ଛେଦିଲେ ବିଶ୍ରବାବଳାକୁ ।୩।

ଦ୍ୱାପର ଯୁଗରେ ଜନ୍ମି ଗୋପପୁରେ
ଓପାଡ଼ି ପକାଇଲେ ଯାମଳାକୁ ।
କାଳିନ୍ଦୀରେ ପଶି କାଳୀଦର୍ପ ଧ୍ୱଂସି
ନିବାରିଲେ ମହା ବିଷଜ୍ୱାଳାକୁ ।
ଯାଇ ମେଳାକୁ ରଙ୍ଗ ସ୍ଥଳାକୁ
କପଟେ ମାଇଲେ ସେ ମୁଉଳାକୁ ।୪।

ଏ କଳି ଯୁଗରେ କଳ୍ପବଟ ମୂଳେ
ମାଡ଼ି ବସିଛନ୍ତି ଲକ୍ଷେ ଶିଳାକୁ ।
ବିକାଇଲେ ଅନ୍ନ ନେଲେ ଜାତିଧର୍ମ
କେହି ନ ଖୋଜଇ କାହା ଧର୍ମକୁ ।
କ୍ଷେତ୍ରସ୍ଥଳକୁ ମୁକ୍ତି ଖଳାକୁ
ଭାବେ ହୃଦାନନ୍ଦ ସନ୍ଥମେଳାକୁ ।୫।