ଯଯାତି କେଶରୀ/ପ୍ରଥମ ସର୍ଗ

ଯଯାତି କେଶରୀ ଲେଖକ/କବି: ରାଧାନାଥ ରାୟ
ପ୍ରଥମ ସର୍ଗ


ପ୍ରଥମ ସର୍ଗ


ମଗଧ-ନିବାସୀ କ୍ଷତ୍ରବଂଶ-ଜାତ
ଯାମଳ ଭାଇ ଭଗିନୀ
ଯଯାତି ବିମଳା ପ୍ରବେଶିଲେ ଆସି
ବହେ ଯହିଁ ପ୍ରବାହିନୀ,
ଗୋନାସା-ପ୍ରଭବା ଶ୍ରୀବିରଜା ଦେବୀ
ଦେଉଳ ପାବଚ୍ଛ ଧୋଇ,
ତୀର ଘନ ବନ- ଲକ୍ଷ୍ମୀ ଛାମୁରେ କି
ମଣି ଦରପଣ ଥୋଇ ?
ଭବର ଭଙ୍ଗୁର- ବିଳାସକୁ ହସି
ଧବଳ ଫେନ-ନିବହେ
ଯା ଶାଶ୍ୱତ ସ୍ରୋତ ଶାଶ୍ୱତ ଶଇଳୁଁ
ଶାଶ୍ୱତ ସିନ୍ଧୁକୁ ବହେ,
ମାଳମାଳ ହୋଇ ନୀଳଦେହେ ଯାର
ରାଜହଂସେ କ୍ରୀଡୁଥାନ୍ତି,
ବ୍ୟୋମଚାରୀଙ୍କର ମନେ ଉପୁଜାଇ
ମଲ୍ଲିକାମାଳର ଭ୍ରାନ୍ତି,
ଯା ତୀରେ ମଧ୍ୟାହ୍ନ- ତାପେ ବିଞ୍ଚି ହୋଇ
ଅଙ୍ଗେ ଅଙ୍ଗ ଲୀଳାପଦ୍ମେ
ଖେଳୁଥାନ୍ତି ସୁର ବାଳା ଲତାଦୋଳେ
ରକ୍ତାଶୋକ-ଲତା-ସଦ୍ମେ,
ବନଦେବୀଙ୍କର ଅଭିସାର ଲୀଳା
ଚଳୁଥାଇ ଅବିରତେ
ଚନ୍ଦ୍ରାଲୋକେ ଯାର ଅଭ୍ର-ତାରକିତ
ବିଶାଳ ଶୁଭ୍ର ସୈକତେ,

ତରୁ ବ୍ରତତୀର ପ୍ରେମେ ବନ୍ଧାବନ୍ଧି,
ଛନ୍ଦାଛନ୍ଦି, ଘେନାଘେନି-
ଯୋଗୁଁ କୁଞ୍ଜପୁଞ୍ଜେ ଅନ୍ଧାରିତ ଯାର
ଠାବେ ଠାବେ ନୀର-ବେଣୀ,
ଦେବ-ଯଜ୍ଞଭୂମି ସ୍ରୋତ ଯାର ସପ୍ତ-
ମାତୃକା-ମାଜଣା ପୂତ
ସିକତିଳ ବକ୍ଷେ ଶ୍ରୀ ବରାହରୂପୀ
ବସନ୍ତି ଯାର ଅଚ୍ୟୁତ ।
ସରାଗେ ମୃଗୀଏ ବିହରୁଣ ଥାନ୍ତି
ତୀରେ ଯାର ଚରି ବୁଲି,
ପଦାଙ୍କ ତାଙ୍କର ପୂରି ଦେଉଥାଇ
ଚୂତ-ମୁକୁଳର ଧୂଳି
ଅନୁକ୍ଷଣେ ମଦ- ମତ୍ତ ପିକବଧୂ-
ବିଧୂନନେ ଭୂମେ ଝରି,
ପାଦଚିହ୍ନ ଅନୁ- ସାରୀ ନିଷାଦର
ଶଙ୍କା ନେଉଥାଏ ହରି ।
ଏବେ ଯା ନଗରୀ ଥିଲା ଆଗେ ତାହା
ମହା-ନିକାଞ୍ଚନ ସ୍ଥଳ,
ବିହଙ୍ଗ ସଙ୍ଗୀତେ ପୂର୍ଣ୍ଣ ନାନା ଜାତି
ତରୁଲତାରେ ଗହଳ ।

କଷ୍ଟଫେଡ-କଣ୍ଠ ତାନପୁରା ତହିଁ
ବାଜୁଥାଇ ଦିନଯାକ,
ଦିନ ଅନ୍ତେ ପୁଣି ଧରୁଥିଲେ ତାନ
ଚକ୍ରବାକୀ ଚକ୍ରବାକ,
ଭଦଭଦଳିଆ ମାଳେ ମାଳେ ନଭେ
ପ୍ରକାଶି ବିଚିତ୍ର ତନୁ
ରଚୁଥିଲେ ରଙ୍ଗେ ନବ-ଜୀମୂତର
ମୁହୂର୍ତ୍ତ-ମଣ୍ଡନ-ଧନୁ ।
ମେଘାଗମେ ଯହିଁ ପୁଷ୍ପିତ କଦମ୍ବେ
ଶିଖଣ୍ଡି-ତାଣ୍ଡବ ରଙ୍ଗ
ଦେଖି ଆସୁଥିଲା ପ୍ରତେ, ଇନ୍ଦ୍ରଜାଲ
ଭିଆଇଛି କି ଅନଙ୍ଗ !
ସାରୀ, ଶୁଆ, ଶ୍ୟାମା, ତୁତି, ଚଷାପୁଅ
ଦୟାଳୁ ପୁଣି ମୁନିଆ,
ନେତ୍ରୋତ୍ସବ, କର୍ଣ୍ଣୋତ୍ସବ ବିହୁଥିଲେ
ସେ ବନେ ହୋଇ କୁଣିଆ ।
ନୀଳବନ ବ୍ୟୋମ ନିକଷେ ହଳଦୀ-
ବସନ୍ତ ସୁକାନ୍ତି ସୁନା
ମୁହୁର୍ମୁହୁଃ କଷି କରୁଥାଇ ବାର-
ବାଣୀ-ସୁନା-ଦର୍ପ ଚୂନା ।
ନଦୀକୂଳ ବନ୍ଧୁ ସୁଖେ ବସା ବାନ୍ଧି
ନଦୀକୂଳ ତରୁଡାଳେ
ବିରଜା ଦେବୀଙ୍କ ବୈତାଳିକ ରୂପେ
ଖଟୁଥାଏ ଯଥାକାଳେ,
ଝଙ୍କାଳିଆ ଛାୟା- ତରୁ ମଞ୍ଜୁ କୁଞ୍ଜେ
ଶୁଭୁଥାଇ ଅନୁକ୍ଷଣ
ବନଦେବୀଙ୍କର ଝୁଣ୍ଟିଆ ପରାଏ
ଝିଙ୍କାରି ଝଙ୍କାର ସ୍ୱନ |

ମନ୍ଦ ଗନ୍ଧବହ ଦୋହଲାଉ ଥାଇ
ପଲ୍ଲବ-ପତ୍ର-ମୁକୁଳ,
ହେଉଥାଏ ପ୍ରତେ ନନ୍ଦନ କି ସତେ
ହୋଇଛି ଏ ବନେ ଠୁଳ,
କି ଅବା ମଞ୍ଚକୁ ଆସିଛି ଓହ୍ଲାଇ
ଅଳକାପୂରୁଁ ବୈଭ୍ରାଜ ?
ଅବା ଗନ୍ତାଘର ଗୁପତେ ରଖିଛି
ପୁଷ୍ପାକର ଋତୁରାଜ !
ଚମ୍ପା, ନାଗେଶ୍ୱର, ପାଟଳୀ, ବଉଳ
ମୁଚୁକୁନ୍ଦ, ତମାଳାଦି-
ତରୁଏ ପ୍ରସୂନ-ପଲ୍ଲବ ଗହଳେ
ସ୍ଥଳୀକି ଥିଲେ ଆଚ୍ଛାଦି,
ଅସଙ୍ଗତ ଯେବେ ନୁହନ୍ତା ମରତେ
କ୍ଷୁଦ୍ରର ତୁଳା ପ୍ରସଙ୍ଗ,
ଛୁରିଅନା ପୁଷ୍ପ- ପରାଗ ପିଶଙ୍ଗ
ଏକମାତ୍ର କାଇଜଙ୍ଗ- |
ସହିତେ ଏ ମର୍ତ୍ତ୍ୟ-ନନ୍ଦନର ଏକା
ହୁଅନ୍ତା ଏବେ ତୁଳନା,
ମାତ୍ର ଏ ତୁଳନା ଅଶୋଭନ ସିନା
ଯେସନେ ଶ୍ରୀଫଳେ ଚଣା ।
ଶ୍ରୀବିରଜାଦେବୀ- ମନ୍ଦିର ସନ୍ନିଧେ
ଯାମଳ ଭଉଣୀ ଭାଇ
ଅତି ନିକାଞ୍ଚନେ ଦିନନେଲେ ଶକ୍ତି-
ସେବନେ ମତି ବଳାଇ,
ଏକ ରୂପ ଏକ ବେଶ ବେନିଙ୍କର
ନ ଥିଲା ତିଳେ ବିଶେଷ,
ପୁଂସ ପ୍ରାୟେ ସଦା ବିମଳାର ବେଶ,
ପୁଂସ ପ୍ରାଏ ଥିଲା କେଶ |

ଶିକ୍ଷାଫଳେ ବେନି ବାଲ୍ୟେ ଲଭିଥିଲେ
ଅସ୍ତ୍ର ଚାଳନାରେ ସିଦ୍ଧି,
ଗମୁଥିଲେ ଦିନ ସେ ମହା ବିଜନ-
ବନେ ଆଚରି ପାରିଧି;
ଖେଳୁଥିଲା ନବ- ଲାବଣ୍ୟ ତରଙ୍ଗ
କିଶୋରୀ-କିଶୋର କାୟେ,
ପାରିଧିର ବେଶେ ଦିଶୁଥିଲେ କି ସେ
ଅଶ୍ୱିନୀ କୁମାର ପ୍ରାଏ,
ତରୁଣ ପୁନ୍ନାଗ ତରୁ ପ୍ରାଏ ତନୁ
ମସୃଣ ସ୍ନିଗ୍ଧ ଉଜ୍ଜ୍ୱଳ,
ଏକ ବୃନ୍ତେ ବେନି ପୁଷ୍ପ କି ସେ, ଏକ
ମୃଣାଳେ ବେନି କମଳ ?
ମାତୃହୀନ ବେନି, ଦାରୁଣ ସାବତ-
ମାତାର କ୍ରୂର ମନ୍ତ୍ରଣେ
ସିଂହାସନ-ଭାଗୀ ତାତ ହୋଇଥିଲେ
ଭଗାରି ତାଙ୍କ ଜୀବନେ,
ଯେଣୁ ନିଜ ଦେଶେ, ସେ ତେଣୁ ତରାସେ
ଆସିଣ ଥିଲେ ପଳାଇ,
ଭାଗ୍ୟକୁ ଆଦରି ପଡିଥିଲେ ତହିଁ
ଦେବୀ ପାଦପଦ୍ମ ଧ୍ୟାଇ ।
ଥିଲେ ଏହିକାଳେ କପାଳେଶ ଦୁର୍ଗେ
ହିରଣ୍ୟବର୍ମ ଭୂପତି,
ଉତ୍ତର କୋଶଳେ ଟେକାଇଲେ ଯେହୁ
ଯଶୋରୂପ ଶ୍ୱେତଛତି,
ଲଳିତା ରାଜାର ଏକମାତ୍ର ସୁତା
ରୂପେ ଗୁଣେ ଅନୁପମା;
ନାରାୟଣ ବକ୍ଷ ତେଜି ମଞ୍ଚପୁରେ
ଅବତୀର୍ଣ୍ଣ କିବା ରମା ?
ଅବା ମର୍ତ୍ତ୍ୟେ ବିଜେ ଅମର୍ତ୍ତ୍ୟ ଲାବଣ୍ୟ-
ନିଧିର ଅଧିଦେବତା,
ମଦନର ଜୈତ୍ର- ଅସ୍ତ୍ର ମଦାଳସା,
କିମ୍ବା ରୂପକଳ୍ପଲତା;

ରାଜାରାଣୀଙ୍କର ନୟନ ପିତୁଳା
ଥିଲା ସେ ରାଜଦୁଲଣା,
ପୂରୁଥିଲା ତାର ଉଇଁଲା ବେଳକୁ
ଯେବଣ ଯେବେ ବାସନା,
ସୁକୁମାର କଳା ସଙ୍ଗେ ଶସ୍ତ୍ର ବିଦ୍ୟା
ଶିଖିଥିଲା କଳାବତୀ
ମୃଗୟା ବିହାରେ ଅନୁକ୍ଷଣେ ତେଣୁ
ବଳାଉଣ ଥିଲା ମତି,
ମୃଗୟା ବିହାରେ ସଖୀ ସଙ୍ଗେ ଦିନେ
ବୈତରଣୀ ତୀର ବନେ
ପ୍ରବେଶି ସୁକେଶୀ ଦରଶନ ଲାଗି
ଗଲା ଦେବୀଙ୍କ ସଦନେ,
ପାରିଧି ସକାଶେ ବିମଳା ସେଦିନ
ଯାଇଥିଲା ବହୁଦୂରେ,
ପୁଷ୍ପ ତୋଳି, ହାର ଗୁନ୍ଥୁଥିଲା ବସି
ଯଯାତି ଦେବୀ ଛାମୁରେ,
ଫୁଲ ଗୁନ୍ଥୁ ଗୁନ୍ଥୁ ଚକିତେ ସହସା
ଦେଖିଲା ଯୁବା-ମଉଳି
ମୃଗୟାର ବେଶେ ଅଗ୍ରେ ଉଭା ଆସି
ଅପୂର୍ବ ଶୋଭା-ପିତୁଳି,
ବେଗେ ଲୁଚିଯାଇ ଦେଉଳର କୋଣେ
ସଙ୍ଗିନୀ ଦଳେ ବାଳୀକି
ଦେଖି, ସେହିକ୍ଷଣି ବିନାମୂଲ୍ୟେ ନିଜ
ହୃଦୟକୁ ଦେଲା ବିକି,
ଅସମ୍ଭାଳେ ତାର ମନ ଲାଖିଗଲା
ମୋହିନୀର ମୁଗ୍ଧାନନେ,
ଲୌହ ଯଥା ଆହା ଅୟସ୍କାନ୍ତମଣି
ଶଳାକାର ଆକର୍ଷଣେ,
ସବୁ ସୁନ୍ଦରୀଏ ସଜ ହୋଇଥିଲେ
ମୃଗୟାର ପରିଚ୍ଛଦେ,
ଅଙ୍ଗ ଦିଶେ ଯେହ୍ନେ ଅଳତା ବୋଳା କି
ହୋଇଛି ଦ୍ୱିରଦ-ରଦେ,

ରବିକର ପ୍ରାଏ ଜଳେ ଗଣ-ବଣା-
ଏଣୀ-ଦୃଶାଙ୍କର ଭୂଷା,
ରଙ୍ଗ-ଅଙ୍ଗତ୍ରାଣେ ଆବୃତ ସରବେ
ରଙ୍ଗ-ଘନେ ଯେହ୍ନେ ଉଷା;
କଣ୍ଟକେ ମୃଣାଳ ପ୍ରାୟେ ବରଭୁଜ-
ଯୁଗ୍ମ ଶୋହେ ଧନୁ-ତୀରେ,
ପୃଷ୍ଠେ ଦୋଳେ ବେଣୀ, ହେମ କଟିବନ୍ଧ
ଝଟକେ କୃଶ-କଟିରେ,
ଯୌବନର ମାଠେ ମଠା ହୋଇ ଅଙ୍ଗ-
ଯଷ୍ଟି କିବା ପଲ୍ଲବିତା !
ଶାରଦ-ଶିଶିର-ନୀରେ ସ୍ନାତ କି ସେ
ଲତିକା ଅପରାଜିତା !
ବସାଇଛି ହସ୍ତେ ବିହଙ୍ଗ-ସଂହାରୀ
ବାଜ ବଇରୀ କେ ନାରୀ,
ଚଳାପାଙ୍ଗତଟେ ସୁତୀକ୍ଷ୍ଣ କଟାକ୍ଷ
ମନ-ବିହଙ୍ଗ-ସଂହାରୀ,
ସୁରଭି ନିଃଶ୍ୱାସ-ବାସେ ଲୁବ୍ଧଚିତ୍ତ
ପ୍ରସୂନ ଛାଡି ମଧୁପେ,
ଯୂଥେ ଯୂଥେ ଉଡି ପଡୁଥିଲେ ଆସି
ସେ ରୁଦ୍ର-ସୁନ୍ଦର ରୂପେ,
ଅପ୍ସରୀ ନିନ୍ଦିତ ଏ ସୁନ୍ଦରୀ ବୃନ୍ଦେ
ଝଟକ-ହାଟକ-ଗୋରୀ
ଶୋଭା-ସ୍ୱର୍ଗ ପୁରନ୍ଦରୀ ପ୍ରାୟେ ରାଜେ
ଉତ୍କଳ ରାଜକିଶୋରୀ,
ବିକଶି ଥିଲେ ହେଁ କୋଟି କୋଟି ତାରା
ନିର୍ମଳ-ଶାରଦ ନଭେ
ପୁନର୍ବସୁ ସଙ୍ଗେ ଆନ କେହି କେବେ
ସରି କି ପ୍ରଭା-ବିଭବେ ?
ମଞ୍ଜୁ ମଧୁକାଳେ କୋଟି କୋଟି ଫୁଲ
ଥିଲେ ହେଁ ଫୁଟି ଉଦ୍ୟାନେ,
ଚୂତ ମୁକୁଳକୁ ମୁରୁଛି ମଧୂପ
ରସଇ କି କେବେ ଆନେ ?
ତେସନ ରସିଲା ଯଯାତିର ମନ
କିଶୋରୀ-ଶୋଭା-ସମ୍ଭାରେ;
ଶିକାରୀ ହୋଇ ସେ ପଡିଲା ଶିକାରି-
ଫୁଲଧନୁ-ବାଗୁରାରେ ।
ଦେବୀଙ୍କ ଛାମୁରେ ମଧ୍ୟେ ରାଜବାଳା
ବେନି ସଖୀ ବେନି ପାଶେ,
ତିନିମୂର୍ତ୍ତି ଏକ ରେଖାରେ ଦିଶଇ
ଇଲ୍ୱଳା ଯଥା ଆକାଶେ,
ମୋହିନୀକୁ ଅବା ପହଣ୍ଡ ମଣାଇ
ଆଣନ୍ତି ବେନି ଅପ୍ସରୀ,
ଲକ୍ଷ୍ମୀ ବେନିପାଶେ ସମୁତ୍ଥିତ କିବା
କ୍ଷୀରୋଦୁଁ କଳ୍ପ-ବଲ୍ଲରୀ,
ଠିକେ ବର୍ଣ୍ଣିବି ମୁଁ ଜେମା ରୂପ, ଜେମା-
ଚିକୁର-ଭାର ପରାଏ,
ଓହ୍ଲାଇ ଯାଉ ମୋ ଭାରତୀ ତା ଶିର-
କମଳୁଁ ପୟର ଯାଏ,
ସୁମୁଖୀ-ଚନ୍ଦ୍ରମା ମୁଖ ଦେଖି ମୁଗ୍ଧ-
ମାନସ ଏସନ ପାଞ୍ଚେ
ବିଶ୍ୱ-କାନ୍ତି-ସାର ଗୋଳି ଅବା ମାର
ଢାଳିଅଛି ପ୍ରେମ-ଛାଞ୍ଚେ,
ହେମାଙ୍ଗୀର ମାଙ୍ଗ ଭାଙ୍ଗେ ମଥାମଣି
ବିକିରଣ ଦିବ୍ୟପ୍ରଭା,
ମଳୟ ଶ୍ୱାସିନୀ ଦକ୍ଷିଣା-ଲଲାଟେ
ଅଗସ୍ତ୍ୟ ତାରା ସେ ଅବା !
ମୁକ୍ତକେଶୀ କେଶ, ଭାଲ ମଧ୍ୟେ ରତ୍ନ-
ଅଳକା କି ମନୋହାରୀ ?
ତାରକିତ ନିଶା ଦିବା ମଧ୍ୟେ ସନ୍ଧ୍ୟା-
ସୀମା କି ଦିଶଇ ବାରି ?


ବେନି କର୍ଣ୍ଣେ ସ୍ୱର୍ଣ୍ଣ ତାଟଙ୍କ କିବା ସେ
ରବି, ଶଶୀ ଏକାସ୍ଥଳେ ?
ନେତ୍ର ନୀଳାବ୍ଜ କି ଉଦିତ ମୁଦ୍ରିତ
ଭଜଇ ପଲକ ଛଳେ ?
ଲଲିତାର ସ୍ମିତ- ଲଲିତ ଅଧର
ଉପମାକୁ କରେ ଛି ଛି,
ଯୌବନ ପବନ-କ୍ଷୁଭିତ ନିକି ସେ
ରାଗ-ସାଗରର ବୀଚି ?
ଥୋପି ପଡୁଅଛି କି ରଙ୍ଗେ ରକ୍ତିମା
ସେ ରଙ୍ଗ ଓଷ୍ଠ ଅଧରେ
ଦନ୍ତପନ୍ତି ତହିଁ ମୋତିପନ୍ତି କି ସେ
ମାଣିକ୍ୟ-ପୁଟ କୁହରେ ?
ଭିଡା ହୋଇ ଉଚ୍ଚ ଘଞ୍ଚ ସ୍ତନ ଯୁଗ୍ମ
କାଞ୍ଚନ-କଞ୍ଚୁକେ ବଦ୍ଧ,
ବିକଚ କୁସୁମ ଶୀତାନ୍ତେ କି ପକ୍ୱ
ପାଣ୍ଡୁର ପର୍ଣ୍ଣେ ପିନଦ୍ଧ ?
ସ୍ତନ ଜଘନର ମଧ୍ୟେ କଟୀ କାମ-
ତୀର୍ଥ ପ୍ରାୟେ ପ୍ରତିଭାତ,
ତୀର୍ଥକାକ ପ୍ରାୟେ ଲାଖି ନେତ୍ର ଯହିଁ
ହେଉଥାଏ ଆତଯାତ,
ଘନଜଘନାର ଘନ ଜଘନ କି
କାମ-ବଣିଜର ଫନ୍ଦା ?
ଉରୁ ଯୁଗେ କାଞ୍ଚି-ଦାମେ ମତ୍ତକାମ-
କରୀ କି ହୋଇଛି ବନ୍ଧା ?
ଆହା, ସେ ବାମୋରୁ ! କାମ-ବୈଜୟନ୍ତ-
ତୋରଣ କନକ ସ୍ତମ୍ଭ !
କଳ୍ପନା ପଶଇ ଯହିଁରେ ନ ସହି
କବି-ବର୍ଣ୍ଣନା ବିଳମ୍ବ;
ଶାରଦ ପ୍ରଭାତେ ଶିଶିର-ମୁକ୍ତିତ
ଧିକ୍କାରି ସ୍ଥଳକମଳ |





ରକ୍ତିମା ଉଗାରି ବିରାଜଇ ରତ୍ନ-
ମଣ୍ଡିତ ପାଦଯୁଗଳ,
ଝଳି ଭାଲତଳେ ବଙ୍କିମ ଭ୍ରୂଲତା
ସରଜେ ଲୀଳା ତାଣ୍ଡବ,
ମନେ ଆସେ ପାଞ୍ଚ ଆଞ୍ଚି ଶାର୍ଙ୍ଗଧନୁ
ଚଜେ ଅବା ମନୋଭବ,
ରବି-କରେ ଦର- ଫୁଲ୍ଲ ଅରବିନ୍ଦେ
ଯେଉଁ ଆଭା କରେ କ୍ରୀଡା
ସେ ଆଭା ସଘନେ ବ୍ରୀଡାବତୀ ଗଣ୍ଡେ
ବୋଳି ଦେଉଥିଲା ବ୍ରୀଡା,
ସୁନ୍ଦରୀଙ୍କ ଗଣ୍ଡ ଉଦ୍ୟାନୁଁ ଏ ଫୁଲ
କମାଣେ ଯୋଖି ଆହ୍ଲାଦେ
ଫୁଲଶର ପଞ୍ଚ ଫୁଲଶର କାର୍ଯ୍ୟ
ଏକ ହିଁ ଶରେ ସମ୍ପାଦେ,
ଜଗୁଆଳି ସଦା ଜେମାର ଗହଣେ
ଅଲକ୍ଷିତେ ଫୁଲଶର,
ନିର୍ଭୟେ ସେ ଶରେ ବିନ୍ଧି ଯଯାତିର
ହୃଦୟ କଲା ଜର୍ଜ୍ଜର ।
ସୁନେତ୍ରା ଏକାଳେ ଯଯାତି ଆଡକୁ
ଅଜ୍ଞାନେ ଢାଳି ଚାହାଣି,
ସଂହାରି ନେଲା ତା କି ଛଟାରେ ଖେଳା
ଖଞ୍ଜନା ଲେଉଟ ଆଣି,
ତୁଳନା ଏକା ସେ ସେହି ତାର ସିନା
ହେଲା ଯେ ଶୋଭା ସେବେଳେ
ହର-ନେତ୍ରାନଳେ ଦଗ୍ଧ ମଦନକୁ
ଜୀଆଁଇଥାନ୍ତା ତା ହେଳେ,
କାମ-କାଣ୍ଡ ସଙ୍ଗେ ସେ କଟାକ୍ଷ ଗଲା
ଯଯାତି ମରମେ ପଶି,
ନବ-ପ୍ରେମ-ସ୍ରୋତ ଉଚ୍ଛ୍ୱାସେ ପଡିଲା
ଧୈର୍ଯ୍ୟତଟ-ମୂଳ ଧସି,






ତନୁ ଲୋମାଞ୍ଚିଲା, ସର୍ବାଙ୍ଗୁ ବହିଲା
ସ୍ୱେଦ-ନୀର ଦରଦରେ,
ନାସିକା ପୁଡାରୁ ବହିଲା ସଘନେ
ତପତ ଶ୍ୱାସ ପ୍ରଖରେ;
ସ୍ତମ୍ଭିତେ ରହିଲା ଯୁବାମଣି ବାଳା
ସେ କାଳ ଠାଣିକି ଧ୍ୟାୟି,
ମନୋନଦୀ ତାର ଉଚ୍ଛନ୍ନେ ସେ ଶୋଭା
ସିନ୍ଧୁରେ ମିଶିଲା ଯାଇ;
ଆଣ୍ଠୋଇ ଆୟୁଧ ଥୋଇ ଅବନୀରେ
ଓଳଗି ହେଲେ ଅବଳା,
କୋରକିତ କରି କରକୁ ଅବନୀ-
ଲମ୍ବିତ ଲମ୍ବକୁନ୍ତଳା;
ଶୋଭାର ତରଙ୍ଗେ ତରଙ୍ଗ ଉଠିଲା
ପୁଣି ସେ ସୁନ୍ଦରୀ କୁଳେ,
ଅମଳ କପୋଳେ ମଣିକର୍ଣ୍ଣପୂର
ଏକାଳେ ଦୋଳି ମୃଦୁଳେ;
ସହସା ଚନ୍ଦ୍ରମା-ହାଟ ଭାଙ୍ଗିଗଲା
ଦେବୀ-ଦରଶନ ସାରି,
ଦେଉଳୁଁ ବାହାରି, ଯେଝା ବାଜି ତହୁଁ
ଚଢ଼ିଲେ ଯେତେକ ନାରୀ;
ଉଭେଇ ଗଲେ ସେ ଗହନ-ଉଢ଼ାଳେ
ବିଦ୍ୟୁଲ୍ଲତା ଯଥା ଘନେ,
ମନୋମୋହକର ସ୍ୱପନ-ସମ୍ପଦ
କିମ୍ବା ଯଥା ଜାଗରଣେ;
ପଶ୍ଚିମାଦ୍ରି ପୃଷ୍ଠେ କୁଙ୍କୁମ ବରଣା
ଶାରଦ ସନ୍ଧ୍ୟାର ଲୀଳା,
ଅନୁକରି ସେହି ଜନଶୂନ୍ୟ ବନେ
ବିଲୀନ ହେଲେ ଛଇଳା;


ବିସ୍ମୟେ ସ୍ତମ୍ଭିତେ ଦେଖିଲେ ଯଯାତି
ପ୍ରସ୍ଥାନ ନୃପସୁତାର,
ନବପ୍ରେମେ ଭୋଳ ହୋଇ ବିଶ୍ୱ ତାକୁ
ଦିଶିଲା ଆନ ପ୍ରକାର;
ଫିଟିଗଲା ଯୁବା ନୟନ ଅଗ୍ରତେ
ନବପ୍ରେମ କାବ୍ୟଗ୍ରନ୍ଥ,
ପ୍ରେମଗୁରୁଠାରୁ ଶିଖିଲା ସେ ଆତ୍ମ-
ବିସ୍ମୃତିର ଆଦ୍ୟ ସନ୍ଥ;
ଅନାବିଳ କରି ଦେଲା ନବପ୍ରେମ
କାମନା-ସ୍ରୋତର ଧାରା,
କାମନା-ନଦୀର କଳୁଷ ଶୋଧନେ
ପ୍ରେମ ସେ ଅଗସ୍ତ୍ୟ ତାରା
ପ୍ରେମ ଗଦଗଦେ କିଶୋର-ତିଳକ
ଭାଳିଲା ମନେ ଏସନ,
"କଷ୍ଟ ସହିଥିଲି ବୋଲି ସିନା, ଆଜ
ଧନ୍ୟ ହେଲା ଏ ଜୀବନ;
ସହିଲାକୁ ସିନା ହୀରକ ଦାରୁଣ-
ଅୟୋଘନ-ଘାତ-ଦୁଃଖ
ଅବତଂସଚ୍ଛଳେ ଲଭଇ ସୁନ୍ଦରୀ-
କପୋଳ ଚୁମ୍ବନ ସୁଖ;
କଷ୍ଟଫଳେ ସିନା ଦେଖିଲି ପ୍ରବାସେ
ଆସି ଏ ମର୍ତ୍ତ୍ୟଚନ୍ଦ୍ରମା,
ବିଶ୍ୱସୀମନ୍ତିନୀ ଶିରୋମଣି-ରାମା,
ବିଶ୍ୱଶୋଭା-ତିଳୋତ୍ତମା;


ଧନ୍ୟ ଏ ଉତ୍କଳଭୂମି ଗର୍ଭେ ଧରି
ଥିଲା ଏ ଚନ୍ଦ୍ରମାମୁହିଁ !
ଚକ୍ଷୁ ଲଭି ଚକ୍ଷୁ-ଫଳ ଏତେ କାଳେ
ଅରଜିଲି ସିନା ମୁହିଁ;
ରଚିଥିଲେ ବିଶ୍ୱଶିଳ୍ପୀ ଏ ଶୋଭାଙ୍ଗୀ
କେତେ କଳ୍ପ ଏଥିଲାଗି,
ବିଶ୍ୱ-ଲୋଚନକୁ କବି ବଚନକୁ
ପବିତ୍ର କରିବା ଲାଗି ?
ଅନୁମାନେ ଆସେ ଆଗେ ବିଧି ସାଧି
ପଦ୍ମେ ଚନ୍ଦ୍ରେ ହାତବଳା,
ଅଭ୍ୟାସେ ପାଟବ ଅରଜି, ପଛକୁ
ଗଢିଲେ ଏଇ ଅବଳା ;
ଯେ ଯହିଁ ଶୋଭିବ ଉପମାର ଦ୍ରବ୍ୟ
ଏକତ୍ରେ ସକଳ ଲିହି,
ଏକଠାରେ ଶୋଭା ଦେଖିବାକୁ ଅବା
ଏ ରୂପ ବିହିଲେ ବିହି;
ସୁଷମାର ପୁଷ୍ପ ଉପବନ ପ୍ରାୟେ
ଆଭାସେ ଉତ୍କଳ-ଧରା,
ପୁଷ୍ପ ସୁକୁମାରୀ ଏ କୁମାରୀ ଏଥି
ସାରପୁଷ୍ପ ହେବ ପରା ?
ପୂଣ୍ୟଭୂମି ନୋହିଥିଲେ କି ଏ ବାଳା
ଜନମିଥାନ୍ତା ଉତ୍କଳେ,
ତ୍ରିଦଶ ସୁନ୍ଦରୀ ସୌଦାମିନୀ କେବେ
ସ୍ଫୁରେ କି ବସୁଧା ତଳେ ?
ଅନାଘ୍ରାତ-ଫୁଲ ଅନଙ୍ଗୁଳି-ଲୂନ-
କିଶଳୟ ପ୍ରାୟେ ତନୁ,
ଥାଉଁ ଏ ବାଳାର ଫୁଲଧନୁଭାର
ବହେ କିପାଁ ଫୁଲଧନୁ ?
ନରେ ସ୍ୱର୍ଗେ ଟେକି ଦେବାକୁ, ଅମରେ
ମର୍ତ୍ତ୍ୟେ ଆଣିବାକୁ ଝିଙ୍କି
ଭୁବନ ଲାବଣ୍ୟଲକ୍ଷ୍ମୀ ଏହି ସିନା
ଭାଜନ ଏକା ତହିଁକି !


ମଗଧେ, ମୈଥିଳେ, ଅଙ୍ଗେ ବଙ୍ଗେ, ପୁଣି
ଦେଖିଛି ଯେତେ ସୁନ୍ଦରୀ,
ଏ ଯୋଷା-ଚରଣ-ଘଷା ପଥରକୁ
ନୋହିବେଟି କେହି ସରି ?
ଆନ ନାରୀ ସିନା ମର୍ତ୍ତ୍ୟର ତଟିନୀ
ଏ ଯେ ମନ୍ଦାକିନୀ-ଧାରା !
ଆନ ନାରୀ ସିନା ମର୍ତ୍ତ୍ୟର କୁସୁମ
ଏ ତ ଗଗନର ତାରା ।
ମାତ୍ର, ଆହା, କାହିଁ ଅକିଞ୍ଚନ ମୁହିଁ,
କାହିଁ ଉତ୍କଳେଶ-ସୁତା ?
ନୋହିବା କଥାକୁ ମନେ ପୋଷି, ମନ
ଥୟ ଧରୁ ନାହିଁ ବୃଥା;
ଆକୁଳ ହେଉଛି ବାହୁଡି ନ ଜାଣି
ଶୋଭାଙ୍ଗୀ ଶୋଭା-ଅରଣ୍ୟୁଁ
ବାଳୁତ-ହୃଦୟ, କୁରୁକ୍ଷେତ୍ରେ ଯଥା
ଚକ୍ରବ୍ୟୂହୁଁ ଅଭିମନ୍ୟୁ;
ରାଜରକ୍ତ ଦେହେ, କ୍ଷତ୍ରବୀର୍ଯ୍ୟେ ହୃଦେ
ଧରି ଏଥି କେଉଁ ଫଳ ?
ନ ବିକାଏ ଦେହ, ସଂସାରେ, ବିକାଏ
ଅବସ୍ଥା ସିନା କେବଳ;
ଭାଗ୍ୟଧର-ଭାଗ୍ୟ-ଆକାଶେ ଫୁଟିବ
ତାରାରୂପେ ଏ ନବୀନା,
ମୋହ ପକ୍ଷେ ନୁହେଁ ଆଶାର ତାରା ଏ
ଦୁରାଶାର ଉଲ୍କା ସିନା !
ବାମନର ଚନ୍ଦ୍ର ପରାୟେ ମୋହର
ଦୁର୍ଲ୍ଲଭ ଏ ରାଜବାଳା,
କି ଶ୍ରେୟେ ଗୁନ୍ଥିବି ଦୁରାଶାର ସୂତ୍ରେ
ଆକାଶ-କୁସୁମ-ମାଳା ?
ବୃଥା ନ ବଳାଇ ମତିକି ଏ ବାଳା-
ମଉଳି-ରତନ-ଲାଭେ,
ନୟନ-ରଞ୍ଜନ-ନବ-ଇନ୍ଦୁ-କଳା
ଦେଖନ୍ତି ଜନେ ଯେ ଭାବେ,


ସେହି ଭାବେ ମୁହିଁ ଦୂରୁଁ ପ୍ରେମ ପୁଷ୍ପେ
ପୂଜିବି ଏ ରୂପରାଶି,
ଦିନେ ହେଲେ ହେବ ଶ୍ଳାଘ୍ୟ ଅଙ୍ଗ ବାଳା-
ଶ୍ରୀଅଙ୍ଗ ସେବାରେ ଆସି,
ଦିନ ନେଲା ଯୁବା ମଣି ଏହିରୂପେ
କିଶୋରୀ ଶୋଭାକୁ ଭାଳି,
କିଶୋରୀର ସ୍ମୃତି ଯଯାତିକୁ ହେଲା
ରଙ୍କକୁ ଯଥା ସଙ୍ଖାଳି;
ତା ନେତ୍ରେ ଲଳିତା ଦିଶିଲା କିବା ସେ
ବିଶ୍ୱଶୋଭା ରୁଣ୍ଡୀଭୂତ,
ଯହିଁ ଦେଖିଲା ସେ ଯେ ଶୋଭା, ମଣିଲା
ବାଳାମଣି-ଅଙ୍ଗୁଁ-ଚ୍ୟୁତ;

କାହୁଁ କାହିଁ ଯାଇଁ ପ୍ରଚ୍ଛନ୍ନେ ଭ୍ରମିଲା
ଠାବେ ଲବେ ନ ବରତି,
ନବ-ପ୍ରେମିକର ଅବିଦ୍ୟା-ନାଗରୀ-
ଶତଲିପି-କରୀମତି,
ଅନ୍ତରେ, ବାହାରେ, ଆଗେ, ପଛେ ସେହି
ସୁନେତ୍ରା-ନେତ୍ର-ଉତ୍ପଳ
ଚାପେ ଯୋଖି ମାର ବିନ୍ଧୁଥିଲା ତାର
ଅନ୍ତରରେ ଅନ୍ତଃସ୍ଥଳ;
ଧୈର୍ଯ୍ୟ-ଆବରଣେ ଘୋଡାଇ ପ୍ରେମକୁ
ପୋଷିଲା ସେ ଅନ୍ତର୍ଗତେ,
ଫଲ୍ଗୁ ଅନ୍ତଃସ୍ରୋତା ନୀରସ୍ରୋତ ଯଥା
ଘୋଡାଇ ରଖେ ସୈକତେ ।