ରସ ରତ୍ନାକର/ତୃତୀୟ ଛାନ୍ଦ
←ଦ୍ଵିତୀୟ ଛାନ୍ଦ | ରସ ରତ୍ନାକର ଲେଖକ/କବି: ତୃତୀୟ ଛାନ୍ଦ |
ଚତୁର୍ଥ ଛାନ୍ଦ→ |
ତୃତୀୟ ଛାନ୍ଦ
(ରାଗ - ରାମକେରୀ)
ରସବତୀ ଦିନେ ସଙ୍ଗତେ
ଘେନି ସଜନୀବର,
ରଙ୍ଗେ ଗଲା ବାମା ଆରାମେ
କରିବାକୁ ବିହାର ।
ରସାଳ ମୂଳରେ ମାଧବୀ
ଲତା-ମଣ୍ଡପ ସାର,
ରମଣୀ ରତନ ବସିଲା
ଯାଇ ତହିଁ ଉପର ।
ରଚିଲେ ସଖିଏ ବିବିଧ
ଫୁଲେ ବେଶ ବାମାର,
ରତି ରହିବ ଅପସରି
ଚାହିଁ ସେ ଶୋଭା ତାର ।
ରଚି କେ ଦିବ୍ୟ ମଲ୍ଲୀମାଳ
ଗଳେ ଦେଲା ବାମାର,
ରମ୍ୟ କି ସେ କୁଚ ଶମ୍ଭୁରେ
ସ୍ଵଚ୍ଛ ଜାହ୍ନବୀ ଧାର ।
ରଞ୍ଜିଲା କେ ନେଇ କେତକୀ
ଯୋଷା ଖୋଷା ଉପର,
ରସିକାମଣିର ସେ ଶୋଭା
ଚାହିଁ ହୁଏ ବିଚାର ।
ରସନା ପ୍ରସାରି ଆସେ କି
ଗଜ-ରିପୁ-କୁମର
ରଭସ କରିବାକୁ ଗ୍ରାସ
ମୁଖ ଅମୃତ କର ।
ରହି କିଛିକ୍ଷଣ ସେଠାରୁ,
ବାଳା ହେଲା ବାହାର,
ରସା ମଣ୍ଡି ଦେଇ ବିହିଲା
ଚାରୁପଦ ସଞ୍ଚାର ।
ରଣ ଝଣ ଶବ୍ଦ ଧିକ୍କାରି
କ୍ବଣ କଲା ନୂପୁର,
ରତି ପତି ରଥ ମଦନ
କି ସେ ହେଲା ପ୍ରଚାର ।
ରଖି ପାଶେ ଚିତ୍ରଲେଖାକୁ
ଦେଇ ତା ଅଙ୍ଗେ କର,
ରଚି ଗର୍ଭାଳସୀ ବରଟା–
ଗତି ଅତି ସୁନ୍ଦର ।
ରଙ୍କୁ ନେତ୍ରୀ ଉପବନରେ
ଭାବେ କଲା ବିହାର,
ରମ୍ଭା ଊର୍ବଶୀର ଶୋଭାକୁ
ହେଲେ ସେ ପଟାନ୍ତର ।
ରସ ରଙ୍ଗେ କରୁଁ ବିହାର
ଆସି ଏକ ଭ୍ରମର,
ରମଣୀ ମୁଖରେ ବସନ୍ତେ
ଝାଡି ଭାଷିଲା ଗୀର ।
ରଜଃପୂର୍ଣ୍ଣ-ଫୁଲ୍ଲ-ସରୋଜ
ମୁଁ ତ ନୁହେଁ ଭ୍ରମର
ରସ ଲୋଭେ ମତେ ବିଅର୍ଥେ
କିପାଁ କରୁ ଆତର ।
ରହସ୍ୟେ ସଖୀଏ ବୋଇଲା
ତୁ ତ ପଦ୍ମିନୀ ସାର,
ରସାସ୍ଵାଦୀ ଯେବେ ଚୁମ୍ବିଲା
ତହିଁ କି ଦୋଷ ତା'ର ।
ରହିଥିଲା ଆନ ସଜନୀ
ପୁଣି କହିଲା ଗୀର
ରମ୍ୟ ପୁଷ୍ପବତୀ ସୁବର୍ଣ୍ଣ–
ବଲ୍ଲୀ ସଖୀ ଆମ୍ଭର ।
ରଙ୍ଗେ କୌତୁକ କୁହାକୁହି
ଗଲେ ତଡାଗ ତୀର,
ରଙ୍ଗ ରାଜୀବ ଘେନି ଶୋଭା
ଦିଶେ ବିମଳ ନୀର ।
ରତି-ପତିର କି ସୁପ୍ରତି
ମୂର୍ତ୍ତି ସେ ସରୋବର,
ରହିଅଛି ଯେଣୁ ତାପରେ
ନୀରେ କୁସୁମ-ଶର ।
ରହିଣ ସଲୀଳେ ସଲିଳେ
ନାନା ଜାତି କିଷ୍କିର,
ରବନ୍ତି ଆନନ୍ଦେ ଦମ୍ପତ୍ତି
ପ୍ରେମେ ହୋଇ ବିଭୋର ।
ରକ୍ଷରାଜ-ସୁତା ତା ଦେଖି
ହେଲା ଚିତ୍ତ ବିକାର,
ରତିପତି ଶର ସନ୍ଧିଲା
ପାଇ ସୁ ଅବସର |
ରହି ନ ପାରି ତହିଁ ବାଳା
ବାହୁଡିଲା ମନ୍ଦିର,
ରବି ଏହି କାଳେ ଗମିଲେ
ଅସ୍ତ-ନଗ ଶିଖର ।
ରଜନୀ ପ୍ରବେଶେ ଉଦିତ
ହେଲେ ରଜନୀ-କର,
ରସାଦେବୀ ଉରେ ପକାଇ
ଶୁଭ୍ର ଅମୃତ କର
ରଣ ରଣ ଯେ ବାଛି ବାଣ
ବାଣ-ସୁତା ଉପର,
ରଦ କାମୋଡି ଯୋଖି ଯୋଖି
ବିନ୍ଧିଲା ବାରମ୍ବାର ।
ରମଣୀମଣି ପଞ୍ଚଶର
ଶରଘାତେ ଅସ୍ଥିର
ରଟିଲା ଦୁଃଖ ହରହର
କମ୍ପିଲା ଥରଥର |
ରଖି ନିକଟେ ଚିତ୍ରଲେଖା
ସିଦ୍ଧ-ଯୋଗିନୀବର,
ରଦୀ-ରଦନେ ପଲ୍ୟଙ୍କରେ
ନିଦ୍ରା ଗଲା ସତ୍ଵର |