ମୁଖ୍ୟ ସୂଚୀ ଦେଖିବେ

ଉଇକିପାଠାଗାର β

ଅଷ୍ଟ୍ରେଲିଆର ଲୋକକଥାସମ୍ପାଦନ କରନ୍ତୁ

ସୃଷ୍ଟି ଆରମ୍ଭ ବେଳର କଥା। ସେତେବେଳେ ଚନ୍ଦ୍ର ଓ ସୂର୍ଯ୍ୟ ମାଟି ଉପରେ ଥିଲେ। ଆକାଶ ଲାଗିକି ରହିଥିଲା ମାଟି ସାଙ୍ଗରେ। ଏଥିପାଇଁ ପଶୁପକ୍ଷୀ ଓ ମଣିଷକୁ ଚଳପ୍ରଚଳ ହେବାରେ ଭାରି ଅସୁବିଧା ହେଉଥିଲା। ମଣିଷକୁ ସବୁଠାରୁ ବେଶି ସମସ୍ୟା ହେଉଥିଲେ ବି ସେ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିଲା। ଏକଥା ଦେଖି ଦିନେ ଚଢ଼େଇମାନେ କହିଲେ, 'କି ପ୍ରକାର ପ୍ରାଣୀ କିହୋ ତୁମେ, ଏତେ ଅସୁବିଧା ଭୋଗୁଛ, କିଛି ପ୍ରତିକାର କରୁନାହଁ?' ମଣିଷମାନେ କହିଲେ, 'କି ପ୍ରତିକାର କରିବୁ? ଆକାଶଟା ଏଡ଼େ ବଡ଼, ଆମେ କଣ ତାକୁ ଉପରକୁ ଉଠେଇ ପାରିବୁ?' ଚଢ଼େଇମାନେ ପରାମର୍ଶ ଦେଲେ, "ସମସ୍ତେ ଲାଗିପଡ଼ିଲେ ହେବନି? ମାତ୍ର ମଣିଷ ଏ କଥାରେ ଧ୍ୟାନ ଦେଲାନାହିଁ। ପରିସ୍ଥିତିକୁ ମାନିନେଇ ଗୁରୁଣ୍ଡି ଗୁରୁଣ୍ଡି ଚାଲିଲା। ମଣିଷର ଏ ପ୍ରକାର ଚଳେଇନେବା ମନୋବୃତ୍ତି ଦେଖି ଚଢ଼େଇ ଓ ପଶୁପକ୍ଷୀମାନେ ବିରକ୍ତ ହେଲେ। ସେମାନେ ତାଙ୍କ ତାଙ୍କ ଭିତରେ କଥାହୋଇ ଦିନେ କଅଣ କଲେନା, ସମସ୍ତେ ନିଜ ନିଜ ପାଟି ଓ ଥଣ୍ଟରେ ଖଣ୍ଡେ ଖଣ୍ଡେ କୁଟା, କାଠି ଓ ଡାଙ୍ଗ ଧରି ଆକାଶକୁ ଉପରକୁ ଠେଲିବା ପାଇଁ ଲାଗିଲେ। ଆକାଶ ସତେ କି ଏଇ ଜୀବଜନ୍ତୁଙ୍କର ସାମୂହିକ ଉଦ୍ୟମ ଲାଗି ପ୍ରସ୍ତୁତ ଥିଲା, ସାଙ୍ଗେ ସାଙ୍ଗେ ଉପରକୁ ଉଠିଗଲା। ଆକାସ ଉପରକୁ ଉଠିଯିବାକ୍ଷଣି ଚନ୍ଦ୍ର ସୂର୍ଯ୍ୟ ମଧ୍ୟ ଉପରକୁ ଯାଇ ଉଜ୍ୱଳି ଉଠିଲେ। ସମସ୍ତଙ୍କୁ ସୁବିଧା ହେଲା। ସବୁଠୁ ସୁବିଧାହେଲା ମଣିଷର ଯିଏ ଆଦୌ କିଛି କଷ୍ଟ କରି ନ ଥିଲା। ତେବେ ଏହା ପରେ ପରେ ଚଢ଼େଇମାନେ ଡେଣା ଝାଡ଼ି ଆକାଶକୁ ଉଡ଼ିଗଲେ, ପଶୁମାନେ ଚାଲିଗଲେ ବଣକୁ। ମଣିଷ ତାଙ୍କୁ ଡାକିଲା ଆସ, ସାଙ୍ଘୋଇ ରହିବା। କିନ୍ତୁ ଚଢ଼େଇମାନେ କହିଲେ, ଆମେ ତୁମ ପରି ପରିସ୍ଥିତିସହ ସନ୍ଧି କରିନେଉଥିବା ପ୍ରାଣୀଙ୍କ ସହ ଆଦୌ ରହିବୁ ନାହିଁ। ଆମେ ଆମ ରାସ୍ତାରେ ଚାଲିଲୁ।"


ନାଇଜେରିଆର ଲୋକକଥାସମ୍ପାଦନ କରନ୍ତୁ

ସୃଷ୍ଟି ଆରମ୍ଭରେ ସୂର୍ଯ୍ୟ ଓ ସମୁଦ୍ର ଏକାଠି ସାଙ୍ଗହୋଇ ପୃଥିବୀରେ ରହୁଥିଲେ। ସୂର୍ଯ୍ୟ ତ ସମୁଦ୍ର ଘରକୁ ମଝିରେ ମଝିରେ ବୁଲିଆସେ ମାତ୍ର ସମୁଦ୍ର କେବେ ସୂର୍ଯ୍ୟ ଘରକୁ ଯାଏ ନାହିଁ। ଏକଥା କହି ମନଦୁଃଖ କରେ ସୂର୍ଯ୍ୟ। ଦିନେ ସମୁଦ୍ର କହିଲା, 'ମୁଁ ତମଘରକୁ ଯାଅନ୍ତି ଯେ, ସେଇଠି କ'ଣ ମୋ ପରିବାରର ସଭିଙ୍କୁ ଜାଗା ହେବ?' ସୂର୍ଯ୍ୟ କହିଲା, 'ମୁଁ ଗୋଟେ ବଡ଼ ଘର ତିଆରି କରିଦେବି। ତୁମେ ଆସ, କିଛି ସମସ୍ୟା ହେବନାହିଁ।' ସୂର୍ଯ୍ୟ ଯାଇ ଗୋଟେ ବଡ଼ ଅତିଥିଶାଳା ତିଆରି କଲା। ତାହାର ସ୍ତ୍ରୀ ଚନ୍ଦ୍ର ତାକୁ ଏଥିରେ ସାହାଯ୍ୟ କଲା। ସମୁଦ୍ର ଆସିଲା। ପ୍ରଥମେ ସେ ଘର ଭିତରକୁ ପଶିବା ଆଗରୁ ପଚାରିଲା କିଛି ଅସୁବିଧା ହେବ ନାହିକ୍ଷ ତ? ସୂର୍ଯ୍ୟ କହିଲା, 'ନାଇଁ, ତୁମେ ଭିତରକୁ ଆସ।' ପାଣି ଭିତରକୁ ପଶିଲା। କ୍ରମେ ଘରେ କାନ୍ଥ ଓ ଛାତ ବୁଡ଼ିଗଲା। ସମୁଦ୍ର ପୁଣି ପଚାରିଲା, 'କିଛି ଅସୁବିଧା ହେଉନି ତ?' ସୂର୍ଯ୍ୟ କହିଲା ନା- ଶେଷକୁ ସମୁଦାୟ ଘର ବୁଡ଼ିଗଲା। ସୂର୍ଯ୍ୟ ଓ ଚନ୍ଦ୍ର ଯାଇ ବାଧ୍ୟହୋଇ ଆକାଶରେ ରହିଲେ। ସେହିଦିନୁ ସେମାନେ ସେଇଠି ଅଛନ୍ତି। ଆଉ ଲାଜରେ ତଳକୁ ଆସନ୍ତି ନାହିଁ।