ମୁଖ୍ୟ ସୂଚୀ ଦେଖିବେ

ଉଇକିପାଠାଗାର β

ଏହି ନାମ ଥିବା ଅନ୍ୟ ରଚନାଗୁଡ଼ିକ ପାଇଁ ଶରତ୍ (ମଧୁସୂଦନ ରାଓ) ଆଉ ଶରତ୍ ଦେଖନ୍ତୁ ।
ଶରତ୍
ଲେଖକ/କବି: ମଧୁସୂଦନ ରାଓ

(ରାଗ-ମଙ୍ଗଳ)
ରୁଚିର ଶରଦକାଳ ବିରାଜିଲା ଆସି,
ହସିଲା ଧରଣୀରାଣୀ ଶୋଭା ପରକାଶି ।
କାଶତଣ୍ଡୀ ଫୁଲେ ମହୀଦିଶଇ ଧବଳ,
ସରୋବରେ ଫୁଟିଛନ୍ତି କୁମୁଦ କମଳ ।
ସୁନ୍ଦର ମାଳତୀ ଗଙ୍ଗ-ଶିଉଳୀ ଟଗରେ,
ଧବଳିତ ଉପବନ ଜନମନ ହରେ ।
ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ,
ଭାସଇ ବୋଇତ ଯଥାନୀଳ ସମୁଦ୍ରରେ ।
ରଜନୀରେ ନୀଳାକାଶେ ଚନ୍ଦ୍ରମା ଉଜ୍ଜ୍ବଳ,
ବିରାଜଇ ଦଶଦିଶ କରିଣ ଧବଳ ।
ଉଜ୍ଜ୍ବଳ ନକ୍ଷତ୍ରମାଳା ଚନ୍ଦ୍ର ସଙ୍ଗତରେ,
ଶୋଭନ୍ତି ପ୍ରଫୁଲ୍ଲ ପୁଷ୍ପ ପରାୟେ ଅମ୍ବରେ ।
ନଦୀ ପୁଷ୍କରିଣୀ ଜଳଏବେ ସୁନିର୍ମଳ,
କ୍ରୀଡ଼ନ୍ତି ହରଷେ ତହିଁ ଧଳା ହଂସଦଳ ।
ଧାନ୍ୟକ୍ଷେତ୍ରେ ପକ୍ବଶାଳି ଦିଶଇ ସୁନ୍ଦର,
ଦରଶନେ ଆନନ୍ଦିତ ମନ କୃଷକର ।
ସୁନୀଳ ଅପରାଜିତା ଫୁଟିଅଛି ବନେ,
ବଧୂଲୀ କୁସୁମ ରଙ୍ଗ ତୋଷଇ ଲୋଚନେ ।
ଧରିଛି ଅଗସ୍ତି ଦ୍ରୁମ କୁସୁମ-ମଞ୍ଜରୀ,
ବଙ୍କିମ ଦିଶଇ ଯାହା ବାଳ ଇନ୍ଦୁ ପରି ।
ପ୍ରଦୋଷେ ଫୁଟଇ ଜହ୍ନିଫୁଲ ଘରେ ଘରେ,
ବାଳକେ ତୋଳନ୍ତି ତାହା ମହା ଆନନ୍ଦରେ ।
ପ୍ରଫୁଲ୍ଲ କୁସୁମବନୁ ପୁଷ୍ପଗନ୍ଧ ହରି,
ଶୀତଳ ସୁରଭି ପଦ୍ମ-କାନନେ ସଞ୍ଚରି ।
ନଚାଇ ତରଙ୍ଗେ ନଦୀ-ସରୋବର-ନୀର,
ନଚାଇଣ ଶସ୍ୟାବଳୀ ବହଇ ସମୀର ।
ରଜନୀରେ କୁମାରୀଏ ମହା ଆନନ୍ଦରେ,
ମଣ୍ଡିଣ ସୁନୀଳ କେଶ ଶୁଭ୍ର କୁସୁମରେ ।
ତାରାବିମଣ୍ଡିତ ନୀଳ-ଗଗନକୁ ଚାହିଁ,
ହରନ୍ତି ମାନସ ନାନା-ରଙ୍ଗେ ଗୀତ ଗାଇ ।