ଶରୀରଭେଦ ଚଉତିଶା
ଲେଖକ/କବି: ଅଚ୍ୟୁତାନନ୍ଦ ଦାସ

(ରାଗ ରାମକେରୀ)

କର କୃଷ୍ଣନାମ ଭଜନ କହେ ଶ୍ରୀଚଇତନ
ଖିତିର ମଧ୍ୟରେ ଖେଳନ୍ତି ଅନାଦି ପୂର୍ଣ୍ଣବ୍ରହ୍ମ ।୧।
ଗଳି ଗଳି ମନ ଦେଖ ହୋ ଗୋଲା ହାଟ ଉପର
ଘେରି ବସିଛନ୍ତି ଗୋପିକା କୃଷ୍ଣଛନ୍ତି ମଧ୍ୟର ।୨।
ଉଦୟ ଭାନୁ ପରାୟେ ତାଙ୍କ ଦିଶଇ ଜ୍ୟୋତି
ଚିତ୍ତକୁ ନିଶ୍ଚଳେ ରଖିଲେ ଦେଖ ଦିବ୍ୟ ମୂରତି ।୩।
ଛନକା ନୁହ ତୁ ମନ ହୋ ଛାତି ଦମ୍ଭରେ ରହ
ଜଳ ପବନ ମଧ୍ୟରୁ ତାହାଙ୍କୁ ଆବୋରି ନିଅ ।୪।
ଝଳିଲା ସୁବର୍ଣ୍ଣ ପରାୟେ ତାଙ୍କ ଦିଶଇ ଜ୍ୟୋତି
ନିର୍ମଳ ହୃଦୟ ହୋଇଲେ ଦେଖ ଦିବ୍ୟ ମୂରତି ।୫।
ଟାଣ ତୁ ନକର ମନ ହୋ ଟେକ ମନପବନ
ଠିକ କର ଯାଇ ଶୂନ୍ୟରେ ବିଜେ ପରମବ୍ରହ୍ମ ।୬।
ଡକାଉଛି କାଳ ରହିଣ ଡଗରକୁ ଜଣାଅ
ଢଳ ଢଳ ବେନି ନୟନ ପଶ୍ଚିମକୁ ଫେରାଅ ।୭।
ଅଣହେଳା ଆଉ ନକର ଅଣ ଆତ୍ମାକୁ ଚିହ୍ନ
ତ୍ରିପୁରକୁ ଲୟେ ଲଗାଇ ତିନିପୁରକୁ ଜିଣ ।୮।
ଥୟ କର ମନପବନ ଥାନ ଅନାହତରେ
ଦୃଷ୍ଟି କି ନିଶ୍ଚଳେ ରଖିଲେ ଦେଖାଦେବେ ତତ୍କାଳେ ।୯।
ଧରୁ ଧରୁ ବଣା କରୁଛି ତାଙ୍କୁ ଧରିଣ ଥିବୁ
ନୟନ ପିତୁଳା ଦୁଇଙ୍କି କେବେ ହେଁ ନ ଢାଙ୍କିବୁ ।୧୦।
ପରମାନନ୍ଦ ହିଁ ପୂରିଛି ଅପ୍ରତେ ତୁ ନକର
ଫୁଣ୍ଟାବନ ପରାୟେ ତାହାଙ୍କୁ ତୋଳିଣ ଧର ।୧୧।
ବସିଥିବୁ ବଣା ନୋହିବୁ ବହୁ ବିଳମ୍ବ ସେହି
ଭୟ ଛାଡ଼ିହେଲେ ନିର୍ଭୟ ଆସି ପାଶେ ମିଳଇ ।୧୨।
ମତ୍ତ ଭଙ୍ଗି ପରି ଆପଣେ ଝୁଲି ଝୁଲି ଆସନ୍ତି
ଜଳପବନର ମଧ୍ୟରେ ରୂପ ପ୍ରକାଶ ହୋନ୍ତି ।୧୩।
ରଙ୍ଗ-ଅଧରଙ୍କୁ ଏଠାରେ କେହି ଦେଖିଛ ପୁଣ
ଲାବଣ୍ୟ ମୂରତି ହୁଅନ୍ତି ତାଙ୍କ ତେଜ ଘାତେଣ ।୧୪।
ବହିଗଲା ନଦୀ ପରାୟେ ବହିଯାଉ ଅଛନ୍ତି
ଶ୍ରୀଚରଣ ଆଣ୍ଟେ ଧଇଲେ ଚକିତରେ ରହନ୍ତି ।୧୫।
ଶେଷ ଅଙ୍ଗ କୃଷ୍ଣ ଅଙ୍ଗ ଯେ ସେ ତ ଅଭେଦ ଦୁଇ
ଶୂନ୍ୟରୂପୀ ହୋଇଅଛନ୍ତି ତହୁଁ ରସ ଗଡ଼ଇ ।୧୬।
ହଜ ଯାଇ ମନ ସେ ରସେ ରସ ଅପ୍ୟାନ କର
ଛାର ଅଧମ ଅଚ୍ୟୁତକୁ ଭବସାଗରୁ ତର ।୧୭।