ଶୂନ୍ୟ କୁଞ୍ଜରୁ ଏ ବାଜଇ ବୀଣା

ଶରୀରଭେଦ ଭଜନ ଲେଖକ/କବି: ଗୋବିନ୍ଦ
ଶୂନ୍ୟ କୁଞ୍ଜରୁ ଏ ବାଜଇ ବୀଣା

ଶୂନ୍ୟ କୁଞ୍ଜରୁ ଏ ବାଜଇ ବୀଣା । କେଉଁଠାରେ ଅଛି ଗୋପ ପାଟଣା ।
[ଗୋପ] ଧ୍ୟାନ ଲାଗିଛିରେ ଅନାହତ ଧ୍ୱନି-ଘରେ ।
ନିଶବଦ ଘରୁ ଶବଦ ହୋଇଲା ରାତ୍ର ତିନି ଘଡ଼ିଠାରେ । ଘୋଷା ।
ଉକାର ଶବଦ ଅକାରେ ରଖିଣ ମକାରେ ଫାନ୍ଦ ପାତିବୁ ।
ତିନି ଦିହୁଡ଼ିଯେ ବଙ୍କୁନାଳ ପରେ ଶବଦ ଭେଦ ପାଇବୁ ।
ଚନ୍ଦ୍ର ସୂର୍ଯ୍ୟ ବୋଲି ଯାହାକୁ ସେ କହି ଜୀବ ପରମଟି ସେହି ।
ପରମ ଘରେ ସେ ଜୀବକୁ ରଖିଲେ ଯମ ରାଜାଭେଟ ନାହିଁ ।
ଭ୍ରମର ଗୁମ୍ଫାରେ ପଶି କରି ତୁହି ସୁଷୁମୁନାକୁ ଭେଟିବୁ ।
ସୂତ୍ର କରି ତହିଁ ଧ୍ୱନି ଶୁଣୁଥିଲେ ନିଶ୍ଚେ ମୁକତି ପାଇବୁ ।
କହଇ ଗୋବିନ୍ଦ ଅନାହତେ ମିଶି ଗୋଲାହାଟପରେ ଯାଇ ।
ସୁସ୍ୱର ହୋଇ ସେ ଧ୍ୱନି ଶୁଭୁଅଛି ଗୁରୁସେବାକଲେ ପାଇ ।