ଶୂନ୍ୟ ବ୍ରହ୍ମକୁ ହେ

ଶୂନ୍ୟ ବ୍ରହ୍ମକୁ ହେ

ଭୀମ ଭୋଇ


ଶୂନ୍ୟ ବ୍ରହ୍ମକୁ ହେ, ଦେଖିବ ଯେମନ୍ତେ ଜ୍ଞାନ ଡୋଳେ । କଳ୍ପନାକୁ କାଟି ଜନ୍ମ ମୃତ୍ୟୁ ମେଣ୍ଟି ଏକ୍ୱୈଶ ପୁରକୁ ଜିଣିଗଲେ । ଘୋଷା ।

ଅନନ୍ତ ବାସୁକୀ ଅଷ୍ଚକୁଳା ନାଗ ସପତ ସିନ୍ଧୁକୁ ଡେଇଁଗଲେ । ଚଉଦ ବ୍ରହ୍ମାଣ୍ଡ ପୃଥ୍ୱୀ ନବଖଣ୍ଡ ଅନୁଭବ ସୂତ୍ରେ ବୁଝିଥିଲେ ।୧।

ତିନି ସତାଇଶ ଏକ୍ୱୈଶ ଭୁବନ ସେ ଜିଣି ପାରିବ ଏକାବେଳେ । କାଳିବାସୀ ନୁହେଁ ଏକ ବ୍ରହ୍ମପାଦ ସ୍ୱଦେହରେ ମିଳେ ତତକାଳେ ।୨।

ଦାରୁ ପ୍ରତିମା ମୂର୍ତ୍ତି ଦେବୀ ଦେବତା ସବୁଠାରୁ ଚିତ୍ତ ଛାଡିଦେଲେ । ମନ୍ତ୍ର ଯନ୍ତ୍ର ତନ୍ତ୍ର ଚାରିବେଦ ସବୁ ଏମାନଙ୍କୁ ଏଡି ଚାଲିଗଲେ ।୩।

ନବଲକ୍ଷ ତାରା ବିରାଟ ସୁରାଟ ମହାରାଟ ସବୁ ପଛ କଲେ । ପୃଥ୍ୱୀ ଆପ ତେଜ ବାୟୁ ଯେ ଆକାଶ ଏମାନଙ୍କୁ ଟିକେ ନ ଚାହିଁଲେ ।୪।

ପଡିଅଛି ବଜ୍ର କିଳଣୀ କବାଟ ସକାମ ନିଷ୍କାମ ଦୁଇ ମେଳେ । କାମନା କଳ୍ପନା ସେଠାରୁ ଛିଡିଛି ସକାମରେ ନ ପଡିଲେ ଭୋଳେ ।୫।

ଠୁଳ ଶୂନ୍ୟପରେ ଅମନ ମନ୍ଦିରେ ତହିଁକି ବଚନ ନାହିଁ ଚଳେ । ତର ତର ହୋଇ ବୋଲେ ଭୀମ ଭୋଇ ପଡି ଶ୍ରୀଗୁରୁଙ୍କ ପାଦ ତଳେ ।୬।