ଶ୍ରୀଜଗନ୍ନାଥ ଅଷ୍ଟକମ

ଶ୍ରୀମନ୍ ମହାପ୍ରଭୁଙ୍କର ଶ୍ରୀମୁଖୋଦ୍ଗୀର୍ଣ୍ଣ ‘ଶ୍ରୀଜଗନ୍ନାଥାଷ୍ଟକ’ର ପଦ୍ୟାନୁବାଦ

ସମ୍ପାଦନା

(ଶ୍ରୀଳ ଯତିଶେଖର ଭକ୍ତିକୁମୁଦ ପ୍ରଭୁଙ୍କ କୃତ)
 
କାଳିନ୍ଦୀ ତଟ ବିପିନେ ଭ୍ରମିଣ ଆନନ୍ଦ ମନେ

    ମୁରଲୀର ତାନେ ଗାନ କର ।

ଗୋପନାରୀ ମୁଖପଦ୍ମ ଆସ୍ୱାଦ ସୁଖର ସଦ୍ମ

    ମଧୁପାନ କର ମଧୁକର ।।

ଲକ୍ଷ୍ମୀ, ଇନ୍ଦ୍ର, ବ୍ରହ୍ମା, ଶିବ ଗଣନାଥ ଆଦି ଦେବ

    ଯେଉଁ ରୂପେ ବନ୍ଦନ୍ତି ପୟର ।

ଆହେ ଜଗତର ନାଥ ସେ ରୂପେ ରହି ସତତ

    ହୁଅ ମୋର ନୟନ ଗୋଚର ।।୧।।

ବେଣୁଧରି ବାମ କରେ ଶିଖିପୁଚ୍ଛ ଶୋଭେ ଶିରେ

    ପୀତବସ୍ତ୍ର କଟିତଟେ ଶୋଭେ ।

କଟାକ୍ଷ ଭଙ୍ଗିମା ସେ ଯେ ନୟନ କୋଣେ ବିରାଜେ

    ସହଚରୀଗଣ ମନ ଲୋଭେ ।

ସଦା ବୃନ୍ଦାବନ ଧାମେ ଯେଉଁ ରୂପେ ରହି ତୁମେ

    ନିଜ ଲୀଳା କରୁଛ ପ୍ରଚାର ।।

ମହୋଦଧି ତୀରେ ନୀଳ ଶୈଳ କନକ ରୁଚିର

ତହିଁ ମହା ମନ୍ଦିର ତୁମ୍ଭର ।

ସଙ୍ଗେ ନେଇ ଭ୍ରାତାବର ବଳଭଦ୍ର ନାମ ଯାର

     ମଧ୍ୟେ ସୁଭଦ୍ରା ସହ ବିହର ।।

ସକଳ ଦେବତା ଗଣେ ପଦସେବା ଅନୁକ୍ଷଣେ

    ଅବସର ତୁମେ ଦାନ କର ।

ଆହେ ଜଗତର ନାଥ ସେ ରୂପେ ରହି ସତତ

    ହୁଅ ମୋର ନୟନ ଗୋଚର ।।୩।।

କୃପାର ସାଗର ଆହେ ଜଳଦ କାନ୍ତି କି ବହେ

    ମୁଖପଦ୍ମ ତୁମ ସୁଶୋଭନ ।

ଲକ୍ଷ୍ମୀ ସରସ୍ୱତୀ ସହ ଭ୍ରମ ତୁମେ ଅହରହ

ଦେବଗଣ ନମନ୍ତି ପୟର ।।

ଶ୍ରୁତିଗଣ ଶିଖା ଯଥା କହେ ତବ ଗୀତ କଥା

ସୁଖେ ତହିଁ ଅଧିଷ୍ଠାନ କର ।

ଆହେ ଜଗତର ନାଥ ସେ ସୁଖେ ରହି ସତତ

ହୁଅ ମୋର ନୟନ ଗୋଚର ।।୪।।

ଆହେ କୃପା ପାରାବାର ବନ୍ଧୁ ବିଶ୍ୱ ଜଗତର

ଯେବେ ରଥେ କରି ଆରୋହଣ ।

ଗମନ କରିବା କାଳେ ଭୂଦେବ ଗଣ ସକଳେ

ସ୍ତୁତିରାଶି କରନ୍ତି ବର୍ଷଣ ।।

ଭ୍ରାତା ଭଗ୍ନୀ ସଙ୍ଗେ ଧରି ଶୁଣ ତୁମେ ଦୟା କରି

ତାହା ଶୁଣି ସୁଖେ ଯାତ୍ରା କର ।

ଆହେ ଜଗତର ନାଥ ସେ ସୁଖେ ରହି ସତତ

ହୁଅ ମୋର ନୟନ ଗୋଚର ।।୫।।

ପଦ୍ମ ପଳାଶ ଲୋଚନ ପୂର୍ଣ୍ଣ ବ୍ରହ୍ମ ସନାତନ

ପାଦରଖି ଅନନ୍ତର ଶିରେ ।

ରସରେ ଆନନ୍ଦ ଧନୀ ରାଧାରାଣୀ ଶିରୋମଣି

ବାନ୍ଧି ତୁମେ ଆଶ୍ଳେଷ ପାଶରେ।।

ନୀଳ ପରବତେ ରହି ରାଧା ରସେ ଅବଗାହି

ସୁଖ ତୁମେ ଆସ୍ୱାଦନ କର ।

ଆହେ ଜଗତର ନାଥ ସେ ସୁଖେ ରହି ସତତ

ହୁଅ ମୋର ନୟନ ଗୋଚର ।।୬।।

ଲୋଡ଼ା ନାହିଁ ରାଜ୍ୟସୁଖ କିମ୍ବା ମାଣିକ୍ୟ ବିଭବ

ସୁଖଭୋଗ ମାୟାର ସଂସାରେ ।

ନ ଚାହେଁ ସୁନ୍ଦରୀ ନାରୀ ବରବଧୂ ସୁଖକରୀ

କାମ୍ୟ ଯାହା ନିଖିଳ ବିଶ୍ୱରେ ।।

ଦେବ ଦେବ ମହାଦେବ କୀର୍ତ୍ତିତ ଚରିତ ତବ

ମହାସୁଖେ ହେଉଛ ବିଭୋର ।

ଆହେ ଜଗତର ନାଥ ସେ ସୁଖେ ରହି ସତତ

ହୁଅ ମୋର ନୟନ ଗୋଚର ।।୭।।

ଏହି ଅସାର ସଂସାରେ ହରେ ଯେହୁ ଦ୍ରୁତତରେ

ତୁମେ ପରା ସେହି ସୁରପତି ।

ହରିଣ ପାପ ସକଳ ବିସ୍ତାରେ ଯେ ପୁଣ୍ୟବଳ

ଅଟ ତୁମେ ସେହି ଯଦୁପତି ।।

ଆହେ ଦୀନ ଜନତ୍ରାତା ନିର୍ମଳ ଭକ୍ତିପ୍ରଦାତା

ସୁଖେ ତୁମେ ଭକ୍ତି ଦାନ କର ।

ଆହେ ଜଗତର ନାଥ ସେ ସୁଖେ ରହି ସତତ

ହୁଅ ମୋର ନୟନ ଗୋଚର ।।୮।।