ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୮ ବର୍ଣ୍ଣବୋଧ
ନବପ୍ରାଣ ଲଭି କ୍ଷଣକେ ଜାଗି ଉଠିଲେ ସର୍ବେ,
ଆକାଶ ପୃଥିବୀ ପୂରିଲା ମହା ଆନନ୍ଦରବେ ।
ବିହଙ୍ଗେ ଗାଇଲେ ସଙ୍ଗୀତ ଆହା କି ମନୋହର,
ସେ ଗୀତ ଶ୍ରବଣେ ହୃହୟ ନାଚି ଉଠେ ମୋହର ।
ବିହଙ୍ଗ ସଙ୍ଗତେ ବାଳକେ ଗାଅ ଆନନ୍ଦ ମନେ,
ହୃଦୟେ ସୁମରି ଜଗତ-ପିତା ସୃଷ୍ଟି କାରଣେ ।
ସନ୍ଧ୍ୟା ।
ପଶ୍ଚିମ ଦିଗରେ ବୁଡ଼ଇ ରବି,
ଆହା କି ସୁନ୍ଦର ଲୋହିତ ଛବି ।
ପଶ୍ଚିମ ଆକାଶ ସିନ୍ଦୂରମୟ,
ଦେଖିଲେ ପ୍ରଫୁଲ୍ଲ ହୁଏ ହୃଦୟ ।
କ୍ରମେ ଅନ୍ଧକାର ଆସଇ ଘୋଟି,
ଉଇଁଲେଣି ତାରା ଗୋଟିକି ଗୋଟି ।
ଚରା ସାରି ପକ୍ଷୀ ଆକାଶେ ଉଡ଼ି,
ବସାକୁ ଆନନ୍ଦେ ଗଲେ ବାହୁଡ଼ି ।
ହଳ କାମ ସାରି କୃଷକମାନେ,
ଫେରି ଯାଉଛନ୍ତି ଦିନାବସାନେ ।
ବାଳକେ ଆସିଲେ ପାଠଶାଳାରୁ,
ହସହସ ମୁଖ ଦିଶେ ସୁଚାରୁ ।
ଲଗାଇଲେ ସଞ୍ଜଦୀପ ଘରଣୀ,
ଅନ୍ଧକାରେ ବୁଡ଼ିଗଲା ଧରଣୀ ।