ସରଳ ଭାଷାତତ୍ତ୍ୱ
ଲେଖକ/କବି: ଗିରିଜା ଶଙ୍କର ରାୟ

== ସରଳ ଭାଷାତତ୍ତ୍ବ ==

(A Primer of Oriya Philology)
ଲେଖକ—
ଶ୍ରୀ ଗିରିଜାଶଙ୍କର ରାୟ
ଅଧ୍ୟାପକ, ରେଭେନ୍ସା କଲେଜ, କଟକ
ପ୍ରକାଶକ—
ଶ୍ରୀ ଶଶାଙ୍କଶଙ୍କର ରାୟ
ଚୌଧୁରୀବଜାର, କଟକ ।


ପ୍ରଥମ ସଂସ୍କରଣ


Printed by P. Kar,
Utkal Sahitya Press,
CUTTACK.
1942
ମୂଲ୍ୟ — ଏକ ଟଙ୍କା ଆଠଅଣା ମାତ୍ର

==ଭୂମିକା==

କିଛିଦିନ ପୂର୍ବେ ମୋର କେତେକ ବନ୍ଧୁ ଓଡ଼ିଶାର ଗୋଟିଏ ଦେଶୀୟ ରାଜ୍ୟରେ ଏକତ୍ରିତ ହେବାର ସୁଯୋଗ ପାଇ ସମ୍ମିଳିତଭାବରେ ଓଡ଼ିଆ ସାହିତ୍ୟ ଓ ଭାଷାର ଇତିହାସ ରଚନା କରିବା ନିମନ୍ତେ ଗୋଟିଏ ଯୋଜନା ପ୍ରସ୍ତୁତ କରିଥିଲେ । ଦୁର୍ଭାଗ୍ୟବଶତଃ ବନ୍ଧୁମାନେ ନାନା ଦିଗରେ ବିକ୍ଷିପ୍ତ ହୋଇଯିବା ପରେ ଯୋଜନା କଳ୍ପନାମାତ୍ରରେ ପର୍ଯ୍ୟବସିତ ହେଲା । ସେହି ଯୋଜନା ଅନୁସାରେ ଓଡ଼ିଆ ନାଟ୍ୟସାହିତ୍ୟର ଇତିହାସ ଓ ଓଡ଼ିଆ ଶବ୍ଦମାନଙ୍କର ବିକୃତି ବିଷୟରେ ଲେଖିବାର ଭାର ମୋ ଉପରେ ନ୍ୟସ୍ତ ହୋଇଥିଲା । ଭଗବାନଙ୍କ ଅନୁଗ୍ରହରୁ ନାଟ୍ୟସାହିତ୍ୟର ଇତିହାସ ଲିଖିତ ହୋଇ ବର୍ତ୍ତମାନ ଯନ୍ତ୍ରସ୍ଥ । 'ନବଭାରତ'ରେ ଏ ପୁସ୍ତକର କେତେକ ଅଂଶ ଧାରାବାହିକଭାବରେ ପ୍ରକାଶିତ ହୋଇଥିଲା । ଶବ୍ଦମାନଙ୍କର ବିକୃତି ବିଷୟରେ ଅଧିକାଂଶ ତଥ୍ୟ ସଂଗୃହୀତ ହୋଇଅଛି ଓ ଅଳ୍ପଦିନ ମଧ୍ୟରେ ଏ ପୁସ୍ତକଟି ସମ୍ପୂର୍ଣ୍ଣ ହୋଇ ପାରିବ ବୋଲି ଆଶା ଅଛି । ଓଡ଼ିଆ ଶବ୍ଦର ବିକୃତି ଆଲୋଚନା କରିବା ସମୟରେ ସେମାନଙ୍କର ପ୍ରୟୋଗବିଧି ବିଷୟରେ କୌତୂହଳ ଜାଗ୍ରତ ହେବାରୁ ଶବ୍ଦମାନଙ୍କର ବ୍ୟାକରଣଗତ ପ୍ରୟୋଗ ବିଷୟରେ ଖଣ୍ତିଏ ପୁସ୍ତକ ପ୍ରଣୟନ କରିଥିଲି ଓ ତହିଁର କେତେକ ଅଂଶ 'ଭଞ୍ଜପ୍ରଦୀପ'ରେ ପ୍ରକାଶିତ ହୋଇଥିଲା । ଓଡ଼ିଶାର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ସମ୍ମୁଖରେ ଉକ୍ତ ପୁସ୍ତକର ପାଣ୍ତୁଲିପି ଉପସ୍ଥାପିତ ହୋଇ ଆଲୋଚିତ ମଧ୍ୟ ହୋଇଅଛି । କିନ୍ତୁ ଭାଷାତତ୍ତ୍ୱରେ ସାଧାରଣ ଜ୍ଞାନ ନ ଥିଲେ ଶବ୍ଦମାନଙ୍କର ବିକୃତିବିଷୟକ ଗ୍ରନ୍ଥ ପାଠକ ମାନଙ୍କର ଦୁର୍ବୋଧ ହେବାର ଆଶଙ୍କାରେ ସେହି ପୁସ୍ତକ ସଂକଳନ କରିବା ପୂର୍ବରୁ ଭାଷାତତ୍ତ୍ୱର ସାଧାରଣ ନିୟମମାନ ସରଳ ଓ ସାମାନ୍ୟ ଭାବରେ ବିବୃତ କରିବାର ଚେଷ୍ଟା କରି ଏ ଗ୍ରନ୍ଥଖଣ୍ତିକ ପ୍ରକାଶ କରିବାକୁ ସାହସୀ ହୋଇଅଛି । ବିଷୟର ଗୁରୁତ୍ୱ ଦୃଷ୍ଟିରେ ପୁସ୍ତକର ଆକୃତି ନିତାନ୍ତ କ୍ଷୁଦ୍ର ହେଲେହେଁ ବାସ୍ତବରେ ଏହା ଓଡ଼ିଆ ଭାଷାତତ୍ତ୍ୱବିଷୟକ ଗ୍ରନ୍ଥର ଉପକ୍ରମଣିକା ମାତ୍ର ବିବେଚିତ ହୋଇ ପାରିଲେ ଓ ଏହି କ୍ଷୁଦ୍ର ପୁସ୍ତିକା ଭାଷାପ୍ରେମୀମାନଙ୍କୁ ଓଡ଼ିଆ ଭାଷା ବିଷୟରେ ଜ୍ଞାନଲାଭ କରିବାରେ କିଞ୍ଚିତ୍ ସାହାଯ୍ୟ କରି ପାରିଲେ ଶ୍ରମ ସାର୍ଥକ ମନେ କରିବି । 'ଇ' ଓ 'ଉ' ସ୍ୱରବର୍ଣ୍ଣର ମାତ୍ରାମାନଙ୍କର ଓଡ଼ିଆ ଭାଷାରେ ବିଶୃଙ୍ଖଳ ବ୍ୟବହାର ଅନୁସରଣ କରି ଏ ପୁସ୍ତକର ବହୁ ସ୍ଥାନରେ ଭିନ୍ନ ଭିନ୍ନ ବନାନ ବ୍ୟବହୃତ ହୋଇଅଛି, ଯଥା - ଇଂରାଜି, ଇଂରାଜୀ; ଦ୍ରାବିଡ଼, ଦ୍ରାବୀଡ଼ ଇତ୍ୟାଦି । ପୁଣି 'ନ' ଓ 'ଣ' ଓ ଅନ୍ୟାନ୍ୟ ବର୍ଣ୍ଣମାନଙ୍କର ବିଶୃଙ୍ଖଳ ବ୍ୟବହାର ପ୍ରତି ମଧ୍ୟ ଇଙ୍ଗିତ କରାଯାଇଅଛି ।

ଏ ପୁସ୍ତକର ପ୍ରୁଫ୍ ସଂଶୋଧନ ନିମନ୍ତେ ଶ୍ରୀମାନ୍ ଆର୍ତ୍ତତ୍ରାଣ ପ୍ରହରାଜ ଓ ସହକର୍ମୀ ଶ୍ରୀ ରାମଚନ୍ଦ୍ର ମହାପାତ୍ର ବିଶେଷ ସାହାଯ୍ୟ କରିଥିବାରୁ ସେମାନଙ୍କ ନିକଟରେ ମୁଁ କୃତଜ୍ଞ ।


ଲେଖକ



ସରଳ ଭାଷାତତ୍ତ୍ୱ

ଭାଷାସୃଷ୍ଟିର ଇତିହାସ


ମନୁଷ୍ୟମାନେ ଆଦିମ ପଶୁ ଅବସ୍ଥାରୁ ନିଜକୁ ଉନ୍ନତ କରିବା ନିମନ୍ତେ ଯେଉଁ ଉପାୟମାନ ଉଦ୍ଭାବନ କରିଅଛନ୍ତି ସେମାନଙ୍କ ମଧ୍ୟରେ ଭାଷାର ବ୍ୟବହାର ଗୋଟିଏ । ଭାଷାର ପ୍ରୟୋଗ ଦ୍ୱାରା ମନୁଷ୍ୟମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସହଜସାଧ୍ୟ ହୋଇଅଛି, ଚିନ୍ତାର ଧାରା ସୁନିଶ୍ଚିତ ଓ ସୁବ୍ୟକ୍ତ ହୋଇ ପାରିଅଛି ଓ ପ୍ରତ୍ୟେକ ମନୁଷ୍ୟ ତାହାର ନିଜର ବୁଦ୍ଧିବୃତ୍ତି ଦ୍ୱାରା ଯାହା ଉଦ୍ଭାବନ କରୁଅଛି ତାହା ସୁସ୍ପଷ୍ଟ ଓ ଚିରସ୍ଥାୟୀଭାବରେ ଜଗତ୍ ସମ୍ମୁଖରେ ଉପସ୍ଥାପିତ କରିବାର ସୁଯୋଗ ଲାଭ କରୁଅଛି । ଏହିପରି ପ୍ରକାଶ ଦ୍ୱାରା ଓ ପ୍ରକାଶିତ ଭାବବସ୍ତୁମାନଙ୍କର ସମାଲୋଚନା ଦ୍ୱାରା ଜ୍ଞାନର ଉତ୍ତରୋତ୍ତର ଅଭିବୃଦ୍ଧି ସାଧିତ ହେଉଅଛି । ପ୍ରତ୍ୟେକ ମୁହୃର୍ତ୍ତରେ ଆମ୍ଭେମାନେ ଭାଷାର ଉପଯୋଗିତା ଓ ଉପକାରିତା ଅନୁଭବ କରୁଁ । କିନ୍ତୁ ପ୍ରଚଳିତ ଭାଷାର ସ୍ୱରୂପ ଓ ଉତ୍ପତ୍ତି ସମ୍ବନ୍ଧରେ ଆମ୍ଭେମାନେ ବିଶେଷ କିଛି ଜାଣୁ ନାହିଁ । ବରଂ ଭାଷାର ବ୍ୟବହାର ଏତେ ସୁପ୍ରଚଳିତ ଯେ ଭାଷା-ଜ୍ଞାନହୀନ ମନୁଷ୍ୟସମାଜର କଳ୍ପନା କରିବା ମଧ୍ୟ ଆମ୍ଭମାନଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇଥାଏ । ପଶୁମାନେ କେତେକ ଭାବ ପ୍ରକାଶିତ କରିପାରନ୍ତି, କୁକୁର ଭୟ ପ୍ରକାଶ କରିବା ନିମନ୍ତେ ନିଜର ଲାଞ୍ଜକୁ ଯାକିଦିଏ, ଗାଈ ନିଜ ବାଛୁରୀର ସାନ୍ନିଧ୍ୟ କାମନାକୁ ପ୍ରକାଶ କରିବା ନିମନ୍ତେ ରଡ଼ି ଛାଡ଼େ, ବାଘ କ୍ରୋଧର ଅଭିବ୍ୟକ୍ତି ନିମନ୍ତେ ଭୟାବହ ଗର୍ଜନ କରେ । ବାସ୍ତବରେ ଏଗୁଡ଼ିକ ଭାଷା, କାରଣ ନାନାପ୍ରକାର ବିଶେଷଧ୍ୱନି ବା ଅଙ୍ଗପ୍ରତ୍ୟଙ୍ଗର ବିଶେଷ ସଞ୍ଚାଳନ ଦ୍ୱାରା ବିଶେଷ ପ୍ରକାରର ମାନସିକ ଭାବ ଏସବୁରେ ପ୍ରକାଶିତ ହେଉଅଛି । ଏକ ସମୟରେ ମନୁଷ୍ୟମାନେ ମଧ୍ୟ ଏହି ପ୍ରକାର ଧ୍ୱନି ବା ଅଙ୍ଗପ୍ରତ୍ୟଙ୍ଗର ସଞ୍ଚାଳନ ମାତ୍ର ଦ୍ୱାରା ନିଜର ମନୋଭାବ ପ୍ରକାଶ କରିବାକୁ ଅକ୍ଷମ ଥିଲେ ଓ ପଶୁମାନଙ୍କ ପରି କେବଳ ମୂକଭାବରେ ଜୀବନ ଯାତ୍ରା ନିର୍ବାହ କରିପାରୁଥିଲେ । କ୍ରମଶଃ ନିଜର ବୁଦ୍ଧିବୃତ୍ତି ପରିଚାଳନ ଦ୍ୱାରା ମନୁଷ୍ୟମାନେ ଭାଷାର ସୃଷ୍ଟି କଲେ ଏବଂ ମାନସିକ ଆବେଗମାନଙ୍କୁ ସୁନ୍ଦର ଭାବରେ ପ୍ରକାଶ କରିବାକୁ କ୍ଷମ ହେଲେ । ତାହାପରେ ନିଜ ନିଜର ଚିନ୍ତାମାନଙ୍କୁ ଲିପିବଦ୍ଧ କରିବାର ଚେଷ୍ଟା ହେଲା । କ୍ରମଶଃ ସେମାନେ ଦୂରସ୍ଥିତ ବ୍ୟକ୍ତିମାନଙ୍କ ନିକଟକୁ ସମ୍ବାଦ ପ୍ରେରଣ କରିପାରିଲେ ଓ ନାନା ରୂପରେ ଧ୍ୱନି, ଲିପି ଓ ଅର୍ଥର ସାମଞ୍ଜସ୍ୟ ବିଧାନ କରି ସଙ୍ଘବଦ୍ଧ ଭାବରେ ଉନ୍ନତି ମାର୍ଗରେ ଗତି କରିବାର କ୍ଷମତା ଅର୍ଜନ କଲେ । ଭାଷାର ସୃଷ୍ଟି କରିବାପାଇଁ ସେମାନଙ୍କୁ ନାନପ୍ରକାର ବାଧା ବିଘ୍ନ ଅତିକ୍ରମ କରିବାକୁ ହୋଇଅଛି, ନାନା କୌଶଳ ଅବଲମ୍ବନ କରିବାକୁ ପଡ଼ିଅଛି, ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଅଛି । ଏହିପରି ଅନେକ ଯୁଗର ସାଧନାରେ, ସହସ୍ର ସହସ୍ର ବର୍ଷବ୍ୟାପୀ ପ୍ରଚେଷ୍ଟାର ଫଳସ୍ୱରୂପ ବର୍ତ୍ତମାନ ଜଗତରେ ନାନା ଭାଷା ପ୍ରଚଳିତ ହୋଇଅଛି । ବର୍ତ୍ତମାନ ଯାହା ଅତି ସ୍ୱାଭାବିକ ମନେ ହେଉଅଛି ଯାହା ଆୟତ୍ତ କରିବାକୁ ମାନବ ଶିଶୁକୁ ବର୍ଷେ ଦୁଇ ବର୍ଷ ଲାଗୁଅଛି, ଯାହାର ବ୍ୟବହାର ଆଜି ଅତି ସାଧାରଣ ବୋଲି ମନେ ହେଉଅଛି ତାହାର ଉଦ୍ଭାବନା ଓ ବିକାଶର ଇତିହାସ ଅତ୍ୟନ୍ତ ବିଚିତ୍ର ଓ ଏହି ବିଚିତ୍ର ଇତିହାସର କିୟଦଂଶ ହୃଦୟଙ୍ଗମ କରିବାହିଁ ଭାଷାତତ୍ତ୍ୱ ଆଲୋଚନାର ଉଦ୍ଦେଶ୍ୟ ।

ମନୁଷ୍ୟ ବହୁ ସହସ୍ର ବର୍ଷ ପୂର୍ବେ ପଶୁମାନଙ୍କ ପରି ଜୀବନ ଯାତ୍ରା ନିର୍ବାହ କରୁଥିଲା ଏବଂ ପଶୁମାନଙ୍କ ପରି କେବଳ ଅଙ୍ଗସଞ୍ଚାଳନ ଓ ବିଶେଷ ଧ୍ୱନିଦ୍ୱାରା ନିଜର ଆବେଗ ପ୍ରକାଶ କରିପାରୁଥିଲା । ବର୍ତ୍ତମାନ ମଧ୍ୟ ମନୁଷ୍ୟମାନେ ଦୁଃଖରେ କ୍ରନ୍ଦନ କରନ୍ତି, ଆନନ୍ଦରେ ହାସ୍ୟ କରନ୍ତି, କ୍ରୋଧରେ ଗର୍ଜନ କରନ୍ତି, କଷ୍ଟରେ ଗଁ ଗଁ କରନ୍ତି ଓ ନାନା ଆବେଗ ପ୍ରକାଶ କରିବା ନିମନ୍ତେ ନାନାପ୍ରକାର ଚିତ୍କାର କରନ୍ତି । ବର୍ତ୍ତମାନ ଭାଷାର ବ୍ୟବହାର ସୁପ୍ରଚଳିତ ହୋଇଥିଲେ ମଧ୍ୟ କ୍ଷୁଧା ବା କ୍ରୋଧର ଅନୁଭୂତି ବା ହର୍ଷ ଆଦି ଆବେଗ ପ୍ରକାଶ କରିବା ନିମନ୍ତେ ମନୁଷ୍ୟମାନେ ନାନା ପ୍ରକାରେ ଅଙ୍ଗସଞ୍ଚାଳନ କରିଥାନ୍ତି ଓ ପ୍ରଶ୍ନ ସୂଚାଇବା ନିମନ୍ତେ ଗଳାର ସ୍ୱରର ବିଶେଷ ପ୍ରକାରେ ବିକୃତି ସାଧନ କରିଥାନ୍ତି । ବର୍ତ୍ତମାନ ମଧ୍ୟ ଭାଷା ନାନା ପ୍ରକାର ସ୍ୱରର ବିକାର, ନାନା ପ୍ରକାର ଅଙ୍ଗସଞ୍ଚାଳନ, ନାନା ପ୍ରକାର ମାତ୍ରା ଚିହ୍ନ ଦ୍ୱାରା ପୁଷ୍ଟ ହେଉଅଛି । ଏ ସବୁର ବ୍ୟବହାର ଆଦିମ ଯୁଗରୁ ମଧ୍ୟ ଚାଲି ଆସୁଅଛି ।

ଭାଷାର ବ୍ୟବହାର ମନୁଷ୍ୟର ସହଜାତ ଅନୁକରଣ ପ୍ରବୃତ୍ତିର ପରିଣତି ମାତ୍ର । ମାନବଶିଶୁ ଯଦି ଅନୂକରଣ କରିବାକୁ ପ୍ରୟାସ ନ କରନ୍ତା ତେବେ ସେ କଦାପି ଭାଷାଶିକ୍ଷା କରିପାରନ୍ତା ନାହିଁ । ଆଦିମ ଯୁଗରେ ମନୂଷ୍ୟ ଯଦି ଚିତ୍ରାଙ୍କନ ଦ୍ୱାରା ରୂପର ଓ ଶବ୍ଦ ପ୍ରୟୋଗ ଦ୍ୱାରା ଧ୍ୱନିର ଅନୂକରଣ କରିବାକୁ ପ୍ରଯତ୍ନ ନ କରିଥାନ୍ତା ତେବେ ମଧ୍ୟ ଭାଷାର ସୃଷ୍ଟି ଅସମ୍ଭବ ହୋଇପଡ଼ନ୍ତା । ଆମ୍ଭେମାନେ ବର୍ତ୍ତମାନ ଭାଷା କହିଲେ ଯାହା ବୁଝୁଁ ତାହାର ଦୁଇଗୋଟି ବିଶିଷ୍ଟ ବିଭାଗ ଅଛି । ଗୋଟିଏ ଲିଖିତ ରୂପ ଓ ଅନ୍ୟଟି ଉଚ୍ଚାରିତ ଶବ୍ଦ । ଆମ୍ଭେମାନେ କେତେକ ଧ୍ୱନିସମାବେଶକୁ ଉଚ୍ଚାରିତ କରୁଁ ଓ କେତେକ ବିଶିଷ୍ଟ ରେଖାଚିତ୍ର ଦ୍ୱାରା ଉକ୍ତ ଧ୍ୱନିମାନଙ୍କୁ ଲିଖିତରୂପରେ ପ୍ରକାଶିତ କରୁଁ । ଆଦିମ ଯୁଗରେ ମନୁଷ୍ୟ ନିଜର ପାରିପାର୍ଶ୍ୱିକ ଆବେଷ୍ଟନୀ ମଧ୍ୟରେ ଯେଉଁସବୁ ପଦାର୍ଥ ଦେଖୁଥିଲା ଏବଂ ନିଜର ଅଙ୍ଗପ୍ରତ୍ୟଙ୍ଗ, ନିଜର ଗୃହପାଳିତ ପଶୁବର୍ଗ, ସୂର୍ଯ୍ୟ, ଚନ୍ଦ୍ର, ନଦୀ, ପର୍ବତ ପ୍ରଭୃତି ପ୍ରାକୃତିକ ଦୃଶ୍ୟାବଳୀ ପ୍ରଭୃତି ଯେଉଁ ପଦାର୍ଥମାନଙ୍କ ସହିତ ତାହାର ଅହରହ ପରିଚୟ ଘଟୁଥିଲା, ସେସମସ୍ତଙ୍କୁ ସେ ନିତ୍ୟ ଅଙ୍କିତ କରିବାକୁ ସଚେଷ୍ଟ ହେଉଥିଲା ଓ ଏହି ଅଙ୍କନର ପରିଣତିସ୍ୱରୂପ ବର୍ତ୍ତମାନ ଲିପିମାନଙ୍କର ଉଦ୍ଭବ ହୋଇଅଛି । ଏହିପରି ପ୍ରଜ୍ୱଳିତ ଅଗ୍ନି, ପ୍ରବାହମାନ ନଦୀ, ଗତିବେଗମୂଖର ବାୟୂ, ପତ୍ରରାଜିର ମର୍ମରଧ୍ୱନି, ଅସ୍ତ୍ରଶସ୍ତ୍ରର ଝଣତ୍କାର, ପ୍ରସ୍ତରମାନଙ୍କର ଘର୍ଷଣ ପ୍ରଭୃତି ଯେଉଁ ଧ୍ୱନିମାନଙ୍କ ସହିତ ତାହାର ଦୈନନ୍ଦିନ ପରିଚୟ ଘଟିଥିଲା ସେମାନଙ୍କର ଅନୁକରଣରୁ ବର୍ତ୍ତମାନ ଧ୍ୱନିମୟ ଶବ୍ଦରାଶି ଉତ୍ପନ୍ନ ହେବା ମଧ୍ୟ ସମ୍ଭବପର । ଆଦିମ ଯୁଗରେ କିପରିଭାବରେ ଭାଷାର ସୃଷ୍ଟି ହେଲା, ପ୍ରଥମରେ କିପରିଭାବରେ ଭାଷାଗତ ଶବ୍ଦମାନଙ୍କର ସାଙ୍କେତିକ ରୂପ, ଧ୍ୱନି ବା ଅର୍ଥ ନିୟନ୍ତ୍ରିତ ହେଲା, ଭାଷାର ବ୍ୟବହାର କିପରିଭାବରେ ଆରବ୍ଧ ହେଲା ଓ କିପରିଭାବରେ ପ୍ରସାର ଲାଭ କରି ବର୍ତ୍ତମାନ ଅବସ୍ଥାରେ ଉପନୀତ ହେଲା ସେ ବିଷୟରେ ଆମ୍ଭମାନଙ୍କର ଜ୍ଞାନ ବାସ୍ତବରେ ସୀମାବଦ୍ଧ ହେଲେହେଁ ମନୁଷ୍ୟର ଅନୂକରଣ ପ୍ରବୃତ୍ତିରୁ କାଳକ୍ରମେ ଭାଷାର ଉଦ୍ଭବ ଓ ବିକାଶ ଘଟିଥିବା ସମ୍ଭବ । କିନ୍ତୁ ଏହି ଆଦିମ ଯୁଗରେ ଅନୂସୃତ ପଦ୍ଧତି ଓ ଭାଷାର କ୍ରମବିକାଶ ବିଷୟରେ ଆମ୍ଭମାନଙ୍କର ଜ୍ଞାନ ଏତେ ସୀମାବଦ୍ଧ ଯେ କେତେକ ଅନିଶ୍ଚିତ ଅନୂମାନ ଭିନ୍ନ ଆଦିମ ଯୁଗର ଭାଷା ବିଷୟରେ କୌଣସି ସୁସ୍ପଷ୍ଟ ଧାରଣା କରିବା ଅସମ୍ଭବ ।

ଭାଷାତତ୍ତ୍ୱ ଅନୂଶୀଳନ କରିବାକୁ ହେଲେ ସେହି କାରଣରୁ ଆମ୍ଭେମାନେ ବର୍ତ୍ତମାନ ବ୍ୟବହୃତ ଭାଷାମାନଙ୍କର ବିଶ୍ଳେଷଣଦ୍ୱାରା କ୍ରମଶଃ ଅତୀତର ଯଥାଯଥ ଚିତ୍ର ପାଇବା ପାଇଁ ସଚେଷ୍ଟ ହେଉଁ । ବର୍ତ୍ତମାନ ବ୍ୟବହୃତ ଭାଷାମାନଙ୍କର ବିଭିନ୍ନତା, ସେମାନଙ୍କର ଧ୍ୱନି ଓ ରୂପଗତ ପାର୍ଥକ୍ୟ ପ୍ରଭୃତି ଆଲୋଚନା କରି ଧୀରେ ଧୀରେ ଅତୀତ ଆଡ଼କୁ ଅଗ୍ରସର ହେଲେ ଆମ୍ଭେମାନେ ନାନାପ୍ରକାର ତଥ୍ୟ ନିର୍ଣ୍ଣୟ କରି ପାରୁ ଓ ଏହି ତଥ୍ୟମାନଙ୍କୁ ବିଚାର କରି ଆମ୍ଭେମାନେ ଭାଷାର ଇତିହାସ ଓ କ୍ରମ ବିକାଶ ବିଷୟରେ ନିର୍ଭରଯୋଗ୍ୟ ବିବରଣମାନ ସଂଗ୍ରହ କରିପାରୁ । ଏହିପରି ବିଶ୍ଳେଷଣ ଦ୍ୱାରା ଭାଷାତତ୍ତ୍ୱ ବୈଜ୍ଞାନିକ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇ ପାରିଅଛି, ଏବଂ ଆମ୍ଭେମାନେ ନିଶ୍ଚିତ ଓ ସୁସମ୍ବନ୍ଧଭାବରେ ଭାଷାର ସ୍ୱରୂପ ଓ କ୍ରମ ବିକାଶ ବିଷୟରେ ଧାରଣା ଲାଭ କରିବାକୁ ସମର୍ଥ ହୋଇଅଛୁଁ ଓ ଭାଷାତତ୍ତ୍ୱ ବିଷୟରେ ଅନିଶ୍ଚିତ ଅନୁମାନର ଅବକାଶ ଅନେକ କ୍ଷେତ୍ରରେ ତିରୋହିତ ହୋଇ ଭାଷାର ବିକାଶ ଓ ବିକାର ବିଷୟରେ ସୁସ୍ପଷ୍ଟ ଓ ସୁନିଶ୍ଚିତ ନିୟମମାନ ଆବିଷ୍କୃତ ହୋଇ ପାରିଅଛି । ବର୍ତ୍ତମାନ ଭାଷାତତ୍ତ୍ୱ ଆଲୋଚନା କଲେ ଏହି ନିୟମମାନଙ୍କ ସହିତ ପରିଚିତ ହେବାକୁ ହେବ ଓ ଭାଷାର ବୈଜ୍ଞାନିକ କ୍ରମବିକାଶ ବିଷୟରେ ଅବହିତ ହେବାକୁ ହେବ । ଏହାଦ୍ୱାରା ବ୍ୟବହୃତ ଭାଷାର ବ୍ୟବହାରକ୍ରମ ବିଷୟରେ ସୁସମ୍ବନ୍ଧ ଜ୍ଞାନଲାଭ ମଧ୍ୟ କରାଯାଇପାରିବ ।

ବର୍ତ୍ତମାନ ମନୁଷ୍ୟ-ସମାଜରେ ଯେତେ ଭାଷା ବ୍ୟବହୃତ ହୁଏ ସେମାନଙ୍କୁ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ ସେମାନେ ପରସ୍ପରଠାରୁ ନାନାପ୍ରକାରେ ବିଭିନ୍ନ । ଦେଶ ଭେଦରେ ଭାଷା ମଧ୍ୟ ଭିନ୍ନ । ଓଡ଼ିଶାରେ ଯେଉଁ ଭାଷା ପ୍ରଚଳିତ ବଙ୍ଗଳାଭାଷା ତାହାଠାରୁ ଭିନ୍ନ, ତେଲୁଗୁ ବା ଇଂରାଜୀଭାଷା ତାହାଠାରୁ ବିଶେଷଭାବରେ ପୃଥକ୍ । ପୁଣି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟ ଏକପ୍ରକାର ଭାଷା ପ୍ରଚଳିତ ନୁହେଁ, ଓଡ଼ିଶାର ବିଭିନ୍ନ ଲୋକ ଠିକ୍ ଏକାପରି ଭାଷା ବ୍ୟବହାର କରନ୍ତି ନାହିଁ କିମ୍ବା ପ୍ରାୟ ଏକଶତ ବା ଦୁଇଶତବର୍ଷ ପୂର୍ବେ ଓଡ଼ିଶାରେ ଯେଉଁ ଭାଷା ବ୍ୟବହୃତ ହେଉଥିଲା ତାହା ସର୍ବତୋଭାବେ ବର୍ତ୍ତମାନ ବ୍ୟବହୃତ ଭାଷା ସହିତ ଏକ ନୁହେଁ । କାଳ ଭେଦରେ, ଦେଶ ଭେଦରେ, ପ୍ରଦେଶ ଭେଦରେ, ଲୋକ ଭେଦରେ ଭାଷାର ବିଭିନ୍ନତା ପ୍ରଥମରେ ଆମ୍ଭମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ ଓ ଏହି ପାର୍ଥକ୍ୟ ଏତେ ସୂଦୂରପ୍ରସାରୀ ଯେ ବିଭିନ୍ନ ଭାଷା ମଧ୍ୟରେ ଯେ କୌଣସି ଐକ୍ୟ ବା ସାମଞ୍ଜସ୍ୟ ଅଛି ତାହା ସ୍ୱତଃ ଆମ୍ଭମାନଙ୍କର ଦୃଷ୍ଟିପଥାରୂଢ଼ ହୁଏ ନାହିଁ । ନାନା ଭାଷାରେ ବ୍ୟବହୃତ ନାନା ଶବ୍ଦ, ବାକ୍ୟ ବିନ୍ୟାସ ରୀତି, ଭାବଦ୍ୟୋତନାର ବିଭିନ୍ନ ପଦ୍ଧତି ଦେଖି ଆମ୍ଭେମାନେ ବିସ୍ମିତ ଓ ହତବୁଦ୍ଧି ହୋଇପଡୁଁ ।

ଓଡ଼ିଆ ଭାଷା ସମ୍ପାଦନା

ଏହି କାରଣରୁ ଭାଷାତତ୍ତ୍ୱ ଆଲୋଚନା କରିବାକୁ ହେଲେ ଆମ୍ଭମାନଙ୍କୁ ଗୋଟିଏ ଭାଷାକୁ ମୂଳସ୍ୱରୂପ ଧରି ତାହାର ବିଶ୍ଳେଷଣ ଦ୍ୱାରା, ତାହାର କାଳଗତ ଓ ଦେଶଗତ ବିଭିନ୍ନତା ଅନୁଶୀଳନ କରିବାଦ୍ୱାରା ଓ ଅନ୍ୟାନ୍ୟ ଭାଷା ସହିତ ତାହାର ତୁଳନାମୂଳକ ଆଲୋଚନା କରିବାଦ୍ୱାରା ଆମ୍ଭେମାନେ ଭାଷାତତ୍ତ୍ୱର ସାଧାରଣ ନିୟମମାନଙ୍କ ବିଷୟରେ ସୁସ୍ପଷ୍ଟ ଜ୍ଞାନଲାଭ କରିପାରୁଁ । ଆମ୍ଭେମାନେ ଏ ଦେଶରେ ଯେଉଁ ଭାଷା ବ୍ୟବହାର କରୁଁ ତାହାର ନାମ ଓଡ଼ିଆଭାଷା । ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ତାହା ପ୍ରାୟ ଏକକୋଟି ଲୋକଙ୍କ ଦ୍ୱାରା କଥିତ । ଏହି ଭାଷାର ମୂଳଭିତ୍ତି କେତେକଗୁଡ଼ିଏ ଶବ୍ଦ । ଏହି ଶବ୍ଦମାନଙ୍କର ଉଚ୍ଚାରିତଧ୍ୱନି ଅଛି, ଲିଖିତରୂପ ଅଛି, ଅର୍ଥଦ୍ୟୋତନାଶକ୍ତି ଅଛି ଏବଂ ଏହି ଶବ୍ଦମାନଙ୍କର ଗଠନ ଓ ପରସ୍ପର ନିୟନ୍ତ୍ରଣ ନିମନ୍ତେ କେତେକ ରୀତି ପ୍ରଚଳିତ ଅଛି । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶବ୍ଦମାନଙ୍କର ରୂପଗତ ଓ ଅର୍ଥଗତ ବା ବ୍ୟବହାରଗତ କେତେକ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ଓଡ଼ିଶା ଯେଉଁସବୁ ପ୍ରଦେଶ ସହିତ ବା ଜାତି ସହିତ ବାଣିଜ୍ୟଗତ, ରାଜନୀତିଗତ ବା ଅବସ୍ଥାନର ନୈକଟ୍ୟଜନିତ ସମ୍ପର୍କରେ ଆସିଅଛି ସେମାନଙ୍କର ନାନା ପ୍ରଭାବ ମଧ୍ୟ ଏହି ଶବ୍ଦମାନଙ୍କ ଉପରେ ଲକ୍ଷିତ ହୁଏ । ଶବ୍ଦମାନଙ୍କର ରୂପ, ଅର୍ଥ ବା ଉଚ୍ଚାରଣର ପାର୍ଥକ୍ୟ ଅନୁଶୀଳନ କରି, ଓଡ଼ିଆଭାଷା ଉପରେ ଅନ୍ୟାନ୍ୟ ଭାଷାର ପ୍ରଭାବ ଆଲୋଚନା କରି ଓଡ଼ିଆ ଭାଷାର କ୍ରମ ବିକାଶ ଓ ବ୍ୟବହାରର କ୍ରମ ନିର୍ଦ୍ଦେଶ କରିବାହିଁ ଓଡ଼ିଆ ଭାଷାତତ୍ତ୍ୱ ବୋଲି ପରିଗଣିତ ହୋଇପାରେ ।

ପ୍ରତ୍ୟେକ ଭାଷାର ମୂଳରେ ଅଛି କେତେକ ଶବ୍ଦ ଓ ଏହି ଶବ୍ଦମାନ କେତେକଗୁଡିଏ ଧ୍ୱନି ବା ରୂପସମଷ୍ଟି ଭିନ୍ନ ଆଉ କିଛି ନୁହେଁ । 'ରାମ' ଏହା ଗୋଟିଏ ଶବ୍ଦ, ଏହାକୁ ବିଶ୍ଳେଷଣ କଲେ ଆମ୍ଭେମାନେ ଦୁଇ ବା ତତୋଽଧିକ ଧ୍ୱନି ଓ ରୂପର ସମାବେଶ ପାଇପାରୁଁ ଓ ଏହି ସମାବେଶ ଫଳରେ ଗୋଟିଏ ସୁସ୍ପଷ୍ଟ ଅର୍ଥ ସୂଚିତ ହୋଇଥାଏ । ଆମ୍ଭେମାନେ ଯଦି ଧ୍ୱନିଗତ ବା ରୂପଗତ ବିନ୍ୟାସର ଈଷତ୍ ପାର୍ଥକ୍ୟ ସାଧନ କରୁଁ ଅର୍ଥାତ୍ 'ରାମ' ଶବ୍ଦକୁ ମରା, ରମା, ମାରରେ ପରିବର୍ତ୍ତିତ କରୁଁ ତେବେ ଅର୍ଥ ମଧ୍ୟ ପରିବର୍ତ୍ତିତ ହୋଇଯିବ । ଏଣୁ ଶବ୍ଦରେ ଯେ କେବଳ ଧ୍ୱନି ଓ ରୂପଗତ ସମାବେଶ ଅଛି ତାହା ନୁହେଁ, ସେମାନଙ୍କର ବିନ୍ୟାସ ମଧ୍ୟ ଅଛି । ଯେଉଁ ଧ୍ୱନିଗତ ଓ ରୂପଗତ ସମାବେଶ ଓ ବିନ୍ୟାସଦ୍ୱାରା ନିର୍ଦ୍ଦିଷ୍ଟ ଅର୍ଥ ସୂଚିତ ହୁଏ ତାହାହିଁ ଶବ୍ଦ ଓ ଏହି ଶବ୍ଦ ଭାଷାର ମୂଳବସ୍ତୁ । ପ୍ରତ୍ୟେକ ଭାଷା ନାନା ପ୍ରକାର ଶବ୍ଦ ଦ୍ୱାରା ଗଠିତ, ନାନା ପୃଥକ୍ ଶବ୍ଦ ଦ୍ୱାରା ଅଳଂକୃତ, ଏଣୁ ଭାଷାତତ୍ତ୍ୱ ଆଲୋଚନା କରିବାକୁ ହେଲେ, ପ୍ରଥମରେ ଆମ୍ଭମାନଙ୍କୁ ଶବ୍ଦର ବିଶ୍ଳେଷଣ ଓ ଆଲୋଚନା କରିବାକୁ ହୋଇଥାଏ । ମାତ୍ର ଭାଷାତତ୍ତ୍ୱ କେବଳ ଶବ୍ଦାଲୋଚନାରେ ପର୍ଯ୍ୟବସିତ ନୁହେଁ, କାରଣ ଶବ୍ଦମାନଙ୍କର ବ୍ୟବହାରବିଧି ଓ ବାକ୍ୟ ମଧ୍ୟରେ ବିନ୍ୟାସର ଆଲୋଚନା ମଧ୍ୟ ଭାଷାତତ୍ତ୍ୱର ଅନ୍ତର୍ଗତ । ଶବ୍ଦ- ପ୍ରତ୍ୟେକ ଶବ୍ଦର ଗୋଟିଏ ଲିଖିତରୂପ, ଗୋଟିଏ ଉଚ୍ଚାରିତ ଧ୍ୱନି, ଗୋଟିଏ ଅର୍ଥଦ୍ୟୋତନା କରିବାର ଶକ୍ତି ଓ ଗୋଟିଏ ବ୍ୟବହାର ବିଧି ଅଛି । ଏସବୁ ଭିନ୍ନ ତାହାର ରୂପଗତ, ଧ୍ୱନିଗତ, ବ୍ୟବହାରଗତ ଓ ଅର୍ଥଗତ ଇତିହାସ ମଧ୍ୟ ଅଛି । ଏସମସ୍ତର ସମ୍ପୂର୍ଣ୍ଣ ଆଲୋଚନା ଭାଷାତତ୍ତ୍ୱର ଅନ୍ତର୍ଗତ ବୋଲି ସ୍ୱୀକୃତ ହୋଇଥାଏ ।

ଜଣେ ଲୋକର ପୂର୍ଣ୍ଣ ପରିଚୟ ପାଇବାକୁ ହେଲେ ଯେପରି ତାହାର ଆକୃତିପ୍ରକୃତିଗତ ବିଶେଷତ୍ୱ, ତାହାର ପିତା, ମାତା, ଆତ୍ମୀୟ, ବନ୍ଧୁବାନ୍ଧବମାନଙ୍କର ନାମ, ତାହାର ଜନ୍ମସ୍ଥାନ, ବାସସ୍ଥାନ, ବୟସ ପ୍ରଭୃତିର ବିବରଣ ଓ ତାହାର ବର୍ତ୍ତମାନ କାର୍ଯ୍ୟ ପ୍ରଭୃତି ବିଷୟରେ ଆମ୍ଭମାନଙ୍କୁ ଅବହିତ ହେବାକୁ ହୁଏ, ସେହିପରି ଗୋଟିଏ ଶବ୍ଦର ପୂର୍ଣ୍ଣ ପରିଚୟ ପାଇବାକୁ ହେଲେ ସେହି ଶବ୍ଦର ମୂଳଧ୍ୱନି ଓ ତାହାର ଉତ୍ପତ୍ତି, ତହିଁରେ ବ୍ୟବହୃତ ଅର୍ଥଗତ ପରିବର୍ତ୍ତନସୂଚକ ସାଙ୍କେତିକ ଧ୍ୱନିମାନଙ୍କର ବ୍ୟବହାର, ତାହାର ଉତ୍ପତ୍ତିସ୍ଥାନ ପ୍ରଭୃତି, ନାନା ଭାଷାରେ ବ୍ୟବହୃତ ତାହାର ସମ୍ପର୍କିତ ଶବ୍ଦମାନ ଓ ଶବ୍ଦଟିର ଅର୍ଥପ୍ରକାଶିକା ଶକ୍ତି,ବ୍ୟବହାର ପଦ୍ଧତି ବା ପ୍ରୟୋଗ ଗତ ବିଶେଷତ୍ୱ ପ୍ରଭୃତି ନାନା ବିଷୟରେ ମଧ୍ୟ ଆମ୍ଭମାନଙ୍କୁ ତଥ୍ୟ ସଂଗ୍ରହ କରିବାକୁ ହେବ । ଏହିପରି ତଥ୍ୟ ସଂଗୃହୀତ ହେଲେ ଶବ୍ଦଟିର ସମ୍ପୂର୍ଣ୍ଣ ପରିଚୟ ବିଷୟରେ ଜ୍ଞାନ ଲାଭ କରାଯାଇପାରିବ । ଓଡ଼ିଆରେ 'କୋଟ' ଶବ୍ଦ ପ୍ରଚଳିତ, ମାତ୍ର ଦୁଇ ଜଣ ବ୍ୟକ୍ତିର ନାମ 'ହରିଶ୍ଚନ୍ଦ୍ର' ହେଲେହେଁ ସେମାନେ ଯେପରି ଏକା ଲୋକ ନୁହନ୍ତି, ସେମାନଙ୍କର ପିତାର ନାମ, ନିବାସସ୍ଥାନ ଓ ବଂଶପରିଚୟ ପ୍ରଭୃତି ପୃଥକ୍ ହୋଇପାରେ, ସେହିପରି ଓଡ଼ିଆରେ ପ୍ରଚଳିତ ଗୋଟିଏ 'କୋଟ'ର ଅର୍ଥ 'ଗଡ଼', ଏହା ସଂସ୍କୃତ 'କୋଟ'ରୁ ଜାତ ଓ ଓଡ଼ିଆରେ ପ୍ରାୟ ସାତ ଶହ ବର୍ଷ ହେଲା ପ୍ରଚଳିତ । ଅନ୍ୟଟି ଯାହାର ଅର୍ଥ 'ଅଙ୍ଗାବରଣବିଶେଷ' ତାହା ଇଂରାଜୀରୁ ଗୃହୀତ ଓ ପ୍ରାୟ ଦେଢ଼ଶ ବର୍ଷ ହେଲା ବ୍ୟବହୃତ । ଅତଏବ ଏହି ଦୁଇଗୋଟି ଶବ୍ଦ ମଧ୍ୟରେ ଆକୃତିଗତ ସାମ୍ୟ ଥିଲେ ହେଁ ଏମାନେ ବାସ୍ତବରେ ଭିନ୍ନ ଶବ୍ଦ । ଏମାନଙ୍କର ଉତ୍ପତ୍ତି ସ୍ଥାନ ଭିନ୍ନ, ଏମାନଙ୍କର ଆତ୍ମୀୟ ବନ୍ଧୁବାନ୍ଧବ ମଧ୍ୟ ଭିନ୍ନ, କାରଣ ଗୋଟିକର ଆତ୍ମୀୟ କୋଡ଼ର, କୋଟି, କୁଡ଼ିଆ, କୁଟିଳ ପ୍ରଭୃତି ଓ ଅନ୍ୟଟିର ଆତ୍ମୀୟ cottage, cote, cot ପ୍ରଭୃତି ଓ ଏହି ଆତ୍ମୀୟ ପଦମାନଙ୍କ ମଧ୍ୟରେ ଆକୃତିଗତ ଓ ଅର୍ଥଗତ ସାଦୃଶ୍ୟ ବିଦ୍ୟମାନ ଥିଲେହେଁ ବାସ୍ତବରେ ଏମାନଙ୍କର କୌଣସି ସମ୍ପର୍କ ନାହିଁ । ପୁଣି ଏହି ଶବ୍ଦମାନଙ୍କର ବ୍ୟବହାର ପଦ୍ଧତି ଓ ସାଙ୍କେତିକ ଚିହ୍ନ ପ୍ରଭୃତିର ପ୍ରୟୋଗଦ୍ୱାରା ଏମାନଙ୍କର ଅର୍ଥପ୍ରକାଶ କ୍ଷମତା ମଧ୍ୟ ପୃଥକ୍ । ଶବ୍ଦମାନଙ୍କର ଅନୂଶୀଳନ କରିବା ସମୟରେ ଏହି ସବୁ କାରଣରୁ ଏ ଶବ୍ଦ ଦୁଇଟିକୁ ପୃଥକ୍ ପୃଥକ୍ ଭାବରେ ଆଲୋଚନା କରିବା ପ୍ରୟୋଜନ ହୋଇଥାଏ ।

ଶବ୍ଦର ସମ୍ୟକ୍ ପରିଚୟ ପାଇବା ଭାଷାତତ୍ତ୍ୱର ପ୍ରଧାନ ବିଚାର୍ଯ୍ୟ ବିଷୟ । ପରିଚୟ ପତ୍ର ଯେତେ ସମ୍ପୂର୍ଣ୍ଣ, ଯେତେ ବିଶଦ, ଯେତେ ପ୍ରାମାଣିକ ହେବ ଶବ୍ଦମାନଙ୍କର ଭାଷାତତ୍ତ୍ୱ ଦିଗରୁ ଆଲୋଚନା ମଧ୍ୟ ତେତେ ସମ୍ପୂର୍ଣ୍ଣ ବୋଲି ପରିଗଣିତ ହେବ । ଓଡ଼ିଆ ଭାଷାରେ ବ୍ୟବହୃତ ପ୍ରତ୍ୟେକ ପଦର ଉତ୍ପତ୍ତି, ପ୍ରୟୋଗବିଧି, ଅର୍ଥର କ୍ରମ ବିକାଶ ପ୍ରଭୃତି ବିଷୟରେ ଯଦି ଜ୍ଞାନଲାଭ କରିପାରୁଁ ତେବେ ଯାଇ ଓଡ଼ିଆ ଭଷାତତ୍ତ୍ୱ ଆମ୍ଭମାନଙ୍କର ଅଧିଗତ ବୋଲି ଆମ୍ଭେମାନେ କହିପାରୁଁ । ଭାଷାପ୍ରେମୀ ସମସ୍ତଙ୍କର ଏ ବିଷୟରେ କୌତୁହଳୀ ହେବା ସ୍ୱାଭାବିକ । ଅବଶ୍ୟ ଶବ୍ଦମାନଙ୍କର ପ୍ରୟୋଗ ସମୟରେ ଭାଷାତତ୍ତ୍ୱର ଜ୍ଞାନ ପ୍ରୟୋଜନ ହୁଏ ନାହିଁ । ଶବ୍ଦମାନଙ୍କରେ ସାଧାରଣ ବ୍ୟବହାର ପଦ୍ଧତି ବିଷୟରେ ଜ୍ଞାନ ଥିଲେ ଆମ୍ଭେମାନେ ନିଜର ମନୋଭାବର ପ୍ରକାଶ କରିପାରୁଁ କିନ୍ତୁ ସେ ପ୍ରକାର ଭାଷାଜ୍ଞାନ ଲାଭ କରିବା ଅତ୍ୟନ୍ତ ସହଜସାଧ୍ୟ ହେଲେହେଁ ଭାଷାତତ୍ତ୍ୱ ଅନୁସାରେ ଓଡ଼ିଆ ଶବ୍ଦମାନଙ୍କର ରୂପଗତ, ଅର୍ଥଗତ, ପ୍ରୟୋଗଗତ ଇତିହାସ ଅନୁସରଣ କରିବା ଅତ୍ୟନ୍ତ ଦୁରୂହ ବ୍ୟାପାର ।

ବର୍ଣ୍ଣ ଓ ଅକ୍ଷର:- କୌଣସି ଶବ୍ଦକୁ ବିଶ୍ଳେଷିତ କଲେ ଆମ୍ଭେମାନେ ସର୍ବାଦୌ ତହିଁରେ କେତେକ ଧ୍ୱନିଗତ ଓ ରୂପଗତ ପୃଥକ୍ ସତ୍ତାମାନଙ୍କର ସମାବେଶ ଓ ବିନ୍ୟାସ ବିଷୟରେ ଅବହିତ ହେଉଁ । ଏହି ମୂଳ ବସ୍ତୁମାନଙ୍କୁ 'ବର୍ଣ୍ଣ' ଆଖ୍ୟା ଦିଆଯାଇଥାଏ । 'ରାମ' ଏହି ଶବ୍ଦଟିରେ ର୍+ଆ+ମ୍+ଅ ଏହି ଚାରିଗୋଟି ବର୍ଣ୍ଣର ସମାବେଶ ଘଟିଅଛି । 'ର୍' ର ଗୋଟିଏ ଧ୍ୱନିସୂଚକ ଉଚ୍ଚାରଣ ଅଛି ଓ ତାହାର ଗୋଟିଏ ଲିଖନ ପଦ୍ଧତି ବା ଧ୍ୱନିର ସାଙ୍କେତିକ ରୂପ ମଧ୍ୟ ଅଛି । ଏହି ସାଙ୍କେତିକ ରୂପକୁ ସାଧାରଣତଃ ଅକ୍ଷର ବୋଲାଯାଏ ଏବଂ ଉଚ୍ଚାରଣ ଓ ଅକ୍ଷରର ସାମଞ୍ଜସ୍ୟସୂଚକ ସଂକେତକୁ ବର୍ଣ୍ଣ ବୋଲାଯାଇଥାଏ । ପ୍ରଥମେ ଧ୍ୱନିର ଅନୁକରଣ କରାଯାଇ ପରେ ଅକ୍ଷର ସୃଷ୍ଟ ହେଲା, କିମ୍ବା ପରିଚିତ ବସ୍ତୁ ବା ପ୍ରାଣୀମାନଙ୍କର ରୂପର ଅନୂକରଣ କରାଯାଇ ଶବ୍ଦ ସୃଷ୍ଟ ହେଲା, ସେ ବିଷୟରେ ବର୍ତ୍ତମାନ ମଧ୍ୟ କେତେକ ସ୍ଥଳରେ ସନ୍ଦେହର ଅବକାଶ ଅଛି । ମାତ୍ର ଅଧିକାଂଶ ଭାଷାରେ ପ୍ରଥମରେ ଉଚ୍ଚାରଣ ବା ଧ୍ୱନିମୂଳକ ଶବ୍ଦମାନଙ୍କର ବ୍ୟବହାର ପ୍ରଚଳିତ ହୋଇ ଅନେକ କାଳ ପରେ ରୂପମୂଳକ ଅକ୍ଷରମାଳାର ପ୍ରଚଳନ ହୋଇଥିଲା, ଅର୍ଥାତ୍ ଅନେକ ଭାଷାରେ 'ରାମ' ଶବ୍ଦଟିର ବ୍ୟବହାର ପ୍ରଥମରେ, ପରେ ତାହାର ଧ୍ୱନିମାନଙ୍କର ବିଶ୍ଳେଷଣ ଏବଂ ତାର ବହୁପରବର୍ତ୍ତୀ କାଳରେ ତାହାର ଅକ୍ଷର-ମାନଙ୍କର ଲିଖିତରୂପର ପ୍ରଚଳନ ହୋଇଥିଲା ବୋଲି ପଣ୍ତିତମାନଙ୍କର ମତ । କେତେକ ଭାଷାରେ ଏପର୍ଯ୍ୟନ୍ତ ଲିଖିତ ରୂପ ବା ଲିପି ପ୍ରଚଳିତ ହୋଇ ନାହିଁ । 'ବର୍ଣ୍ଣ' ଏହି ଶବ୍ଦଟି ବର୍ତ୍ତମାନ ଗୋଟିଏ ବ୍ୟାକରଣଗତ ସଂକେତ, ଏହାର ଅର୍ଥ ଲିପି ଓ ଉଚ୍ଚାରଣ ଯୁକ୍ତ ଶବ୍ଦର ସାଙ୍କେତିକ ବିଶ୍ଳିଷ୍ଟ ସତ୍ତା । ଅର୍ଥାତ୍ 'ର' ବର୍ଣ୍ଣ ଗୋଟିଏ ଧ୍ୱନିକୁ ପ୍ରକାଶିତ କରେ ଓ ଏହାର ଗୋଟିଏ ଲିଖିତ ରୂପ ମଧ୍ୟ ଅଛି । ମାତ୍ର ପ୍ରାଚୀନ କାଳରେ ବର୍ଣ୍ଣକୁ ଏପରି ଅର୍ଥରେ ବ୍ୟବହାର କରାଯାଉ ନଥିଲା । ସମ୍ଭବତଃ ଶବ୍ଦମାନଙ୍କର ଲିଖନ ପଦ୍ଧତି ଯେତେବେଳେ ପ୍ରଚଳିତ ହେଲା, ତେତେବେଳେ ପ୍ରଥମେ ସେମାନଙ୍କୁ ଚିତ୍ରିତ କରିବାର ପ୍ରକ୍ରିୟା ଉଦ୍ଭାବିତ ହୋଇଥିବ ଓ କାଠଫଳକ ବା ଅନ୍ୟ ସମଜାତୀୟ ପଦାର୍ଥରେ ଅଙ୍ଗାର ପ୍ରଭୃତି ଦ୍ୱାରା ରେଖାଙ୍କିତ କରିବାର ଚେଷ୍ଟା କରାଯାଇଥିବ ଓ ଏହି ରେଖାଙ୍କନ ଚେଷ୍ଟା ଓ ଚିତ୍ରଣ ବିଦ୍ୟାରେ ବ୍ୟବହୃତ ରଙ୍ଗର ସମାବେଶ ହେତୁରୁ ଏମାନଙ୍କୁ 'ବର୍ଣ୍ଣ' ଆଖ୍ୟା ଦିଆଯାଇଥିବ । 'ଲିପି' ଶବ୍ଦ ମଧ୍ୟ ଏହିପରି କ୍ରମ ବିକାଶକୁ ସମର୍ଥିତ କରୁଅଛି । କ୍ରମଶଃ ହତିଆରର ବ୍ୟବହାର ସୁପ୍ରଚଳିତ ହେବାରୁ ଓ ଲିପିମାନଙ୍କର ସ୍ଥାୟିତ୍ୱ ଆବଶ୍ୟକ ହେବାରୁ ପ୍ରସ୍ତରଫଳକରେ ବା କାଷ୍ଠଗାତ୍ରରେ ଅଥବା ଅନ୍ୟ ଧାତବ ପଦାର୍ଥରେ ଲିପିମାନଙ୍କୁ ଉତ୍କୀର୍ଣ୍ଣ କରିବାର ଚେଷ୍ଟା କରାଯାଇଥିଲା । ଏପରି ଉତ୍କୀର୍ଣ୍ଣ ଲିପିର ସ୍ଥାୟିତ୍ୱକୁ ଅବଲମ୍ବନ କରି ଏମାନଙ୍କୁ ଅକ୍ଷର ବୋଲାଯାଉଥିଲା, ଅର୍ଥାତ୍ ମୂଳତଃ ବର୍ଣ୍ଣ ଓ ଅକ୍ଷର ଏକ ପଦାର୍ଥ-ଗୋଟିଏ ଧ୍ୱନିର ଚିତ୍ରିତରୂପ ଓ ଅନ୍ୟଟି ତାହାର ଉତ୍କୀର୍ଣ୍ଣ ରୂପ । ବର୍ଣ୍ଣର ଏହି ଅର୍ଥ କିନ୍ତୁ ବର୍ତ୍ତମାନ ଲୁପ୍ତ ହୋଇ ଏହା ବର୍ତ୍ତମାନ ଗୋଟିଏ ସାଙ୍କେତିକ ଶବ୍ଦ ରୂପରେ ବ୍ୟବହୃତ ହେଉଅଛି । ବର୍ତ୍ତମାନ ଆମ୍ଭମାନଙ୍କୁ ଏହି କାରଣରୁ ବର୍ଣ୍ଣର ଉଚ୍ଚାରଣ ଓ ବର୍ଣ୍ଣମାନଙ୍କର ସ୍ୱର ଓ ବ୍ୟଞ୍ଜନ ଅନୁସାରେ ବିଭାଗ ବିଷୟ ପାଠ କରିବାକୁ ହୋଇଥାଏ ।

ବର୍ତ୍ତମାନ ଭାଷାରେ 'ବର୍ଣ୍ଣ'ର ଅର୍ଥ ଶବ୍ଦର ବିଶ୍ଳେଷିତ ମୂଳସତ୍ତା । ଉଚ୍ଚାରଣ ବର୍ଣ୍ଣର ଧ୍ୱନିଗତ ସତ୍ତା ଓ ଅକ୍ଷର ତାହାର ରୂପଗତ ସତ୍ତା ପ୍ରକାଶ କରିଥାଏ । ପ୍ରତ୍ୟେକ ବର୍ଣ୍ଣର ଉଚ୍ଚାରଣ ଓ ଅକ୍ଷର ବା ଲିପି ଭାଷାରେ ବ୍ୟବହୃତ ହୋଇଥାଏ । ବର୍ଣ୍ଣ ଯେ ଗୋଟିଏ ସାଙ୍କେତିକ ବସ୍ତୁ ତାହା ଅତି ସହଜରେ ପ୍ରମାଣିର ହୋଇପାରେ, କାରଣ ଅନେକ ଭାଷାରେ ଏକ ଉଚ୍ଚାରଣ ଥିଲେହେଁ ଲିଖନପ୍ରଣାଳୀ ଏକ ନୁହେଁ ଓ ଓଡ଼ିଆରେ 'ଠ' ଲେଖିଲେ ଯେଉଁ ଧ୍ୱନି ନିର୍ଦ୍ଦିଷ୍ଟ ହୁଏ ଇଂରାଜୀରେ ସେହି ଧ୍ୱନି ନିର୍ଦ୍ଦେଶିତ ହୁଏ ନାହିଁ ଓ ଲିପିର ଆକୃତିଗତ ସମତା ଥିଲେହେଁ ଧ୍ୱନିଗତ ପାର୍ଥକ୍ୟ ସୁପରିସ୍ଫୁଟ । ନାନା ଭାଷାରେ,ନାନା ଐତିହାସିକ କାରଣରୁ ନାନା ପ୍ରକାର ବର୍ଣ୍ଣ ପ୍ରଚଳିତ ହୋଇଅଛି ଓ ସେମାନଙ୍କର ଉଚ୍ଚାରଣ ଓ ଲିଖନପ୍ରଣାଳୀରେ ମଧ୍ୟ ନାନାପ୍ରକାର ବୈଷମ୍ୟ ଦେଖାଯାଉଅଛି ଓ ଅନେକ ଭାଷାର ଉତ୍ପତ୍ତି ଏକ ମୂଳ ଭାଷାରୁ ଅନୁସରଣ କରିବା ସମ୍ଭବପର ହେଲେହେଁ ସେମାନଙ୍କ ମଧ୍ୟରେ ଉଚ୍ଚାରଣଗତ ଓ ଲିପିଗତ ନାନା ପ୍ରକାର ପାର୍ଥକ୍ୟ ମନୁଷ୍ୟମନରେ ବିଭ୍ରମର ସୃଷ୍ଟି କରୁଅଛି ।

ଭାଷାର ମୂଳ ଉପାଦାନ 'ଶବ୍ଦ' :- ଆମ୍ଭେମାନେ ଭାଷା ଶିକ୍ଷା କରିବା ସମୟରେ ବର୍ଣ୍ଣରୁ ଆରମ୍ଭ କରୁଁ । ଭାଷା ଶିକ୍ଷାରେ ଅଗ୍ରସର ହେଲେ ପ୍ରତ୍ୟେକ ଶବ୍ଦର ଧାତୁର ସନ୍ଧାନ ପାଇବାପାଇଁ ଆଗ୍ରହ ପ୍ରକାଶ କରୁଁ, ଓ ମନେ କରୁଁ ଯେ, ଶବ୍ଦମାନଙ୍କର ଧାତୁଗତ ରୂପ ଓ ପ୍ରତ୍ୟୟ ଆଦି ବିଷୟରେ ସୂସ୍ପଷ୍ଟ ଧାରଣା ଜନ୍ମିଲେ ଆମ୍ଭେମାନେ ସେମାନଙ୍କର ଅର୍ଥ ସହଜରେ ନିରୂପଣ କରିପାରିବା । ମାତ୍ର ଏହା ବାସ୍ତବରେ ଭାଷାର କ୍ରମ ବିକାଶର ପରିଚାୟକ ନୁହେଁ । କାରଣ ଭାଷାର ମୂଳ ପଦାର୍ଥ ଶବ୍ଦ । ବର୍ଣ୍ଣ ବା ଧାତୁମାନ ଅନେକ ପରେ ସାଙ୍କେତିକଭାବରେ ଶବ୍ଦର ବିଶ୍ଳେଷଣରୁ କଳ୍ପିତ ହୋଇଅଛି । ପ୍ରଥମରେ ଲୋକମାନେ ଶବ୍ଦର ବ୍ୟବହାର କରିବାକୁ ଶିଖିଲେ । ପରେ ଶବ୍ଦର ଅର୍ଥଗତ ଓ ଉଚ୍ଚାରଣଗତ ରୂପକୁ ବିଶ୍ଳେଷିତ କରି ସେମାନେ ବର୍ଣ୍ଣର କଳ୍ପନା କରିଥିଲେ । ବ୍ୟାକରଣ ଗତ ଧାତୁ ପ୍ରଭୃତି ମୂଳ ରୂପର ମଧ୍ୟ କଳ୍ପନା ସେମାନେ କରିଥିଲେ ଓ ଧ୍ୱନିସାମ୍ୟର ପ୍ରୟୋଗଦ୍ୱାରା ନୂତନ ନୂତନ ଶବ୍ଦର ଉଦ୍ଭାବନ କରିବାକୁ ଚେଷ୍ଟା ମଧ୍ୟ କରିଥିଲେ । ଏଣୁ ଭାଷା ଶିକ୍ଷା ସମୟରେ ଆମ୍ଭେମାନେ ବର୍ଣ୍ଣରୁ ଆରମ୍ଭ କଲେହେଁ ବର୍ଣ୍ଣ ମାନଙ୍କର ସମାବେଶଦ୍ୱାରା ଜାତ ଶବ୍ଦମାନଙ୍କୁ ଅନୁଶୀଳନ କରିବା ଓ ସେମାନଙ୍କର ଇତିହାସ ଆଲୋଚନା କରିବା ଭାଷାତତ୍ତ୍ୱରେ ପ୍ରୟୋଜନ ହୋଇଥାଏ । ବର୍ଣ୍ଣମାନଙ୍କର ବ୍ୟବହାର ବା ପ୍ରୟୋଗଦ୍ୱାରା ଭାଷାର ଦ୍ରୁତ ଉନ୍ନତି ଓ ପରିପୁଷ୍ଟି ସାଧିତ ହୋଇଥିଲେହେଁ ଭାଷାର ଆରମ୍ଭ ଶବ୍ଦରୁ ଓ ଶବ୍ଦର ବ୍ୟବହାରରୁ, ବର୍ଣ୍ଣରୁ ନୁହେଁ, ଏହା ସର୍ବଦା ମନେ ରଖିବାକୁ ହେବ । ପୃଥିବୀରେ ବର୍ତ୍ତମାନ ଏପରି ଅନେକ ଆଦିମ ଭାଷା ଅଛି, ଯହିଁରେ ବର୍ଣ୍ଣର ବ୍ୟବହାର ନାହିଁ, ଲିପିର ପ୍ରଚଳନ ନାହିଁ; ମାତ୍ର ଶବ୍ଦର ବ୍ୟବହାର ଅଛି ଅର୍ଥାତ୍ ଧ୍ୱନିସମାବେଶଦ୍ୱାରା ଅର୍ଥ ପ୍ରକାଶିତ ହେଉଥିଲେହେଁ ଧ୍ୱନିର ବିଶ୍ଳେଷଣ କରିବାର ପ୍ରୟାସ ଆଦୌ ନାହିଁ । ଏପରି କି ଆମ୍ଭେମାନେ ଯେଉଁମାନଙ୍କୁ ଅଜ୍ଞ ବା ମୂର୍ଖ ବୋଲି ଅଭିହିତ କରୁ, ସେମାନେ ଧ୍ୱନିର ଉଚ୍ଚାରଣଦ୍ୱାରା ଶବ୍ଦ ଅର୍ଥଯୁକ୍ତଭାବରେ ବ୍ୟବହାର କରିବାକୁ ସମର୍ଥ; ମାତ୍ର ବର୍ଣ୍ଣ, ଅକ୍ଷର ବା ଲିପି ସହିତ ପରିଚିତ ନୁହନ୍ତି । ଏମାନେ ଓଡ଼ିଆ କହି ବୋଲି ପାରୁଥିଲେ ମଧ୍ୟ 'ଅ'ରୁ 'କ୍ଷ' ପର୍ଯ୍ୟନ୍ତ ବର୍ଣ୍ଣମାଳା ସହିତ ପରିଚିତ ନ ଥିବାରୁ ଏମାନଙ୍କୁ ମୂର୍ଖ ବୋଲାଯାଏ ।

ଶବ୍ଦର ଗଠନ:- ସମ୍ଭବତଃ ଆଦିମ ଯୁଗରେ ମନୁଷ୍ୟମାନେ ନିଜ ନିଜ ମଧ୍ୟରେ ଭାବର ଆଦାନପ୍ରଦାନ କରିବା ନିମନ୍ତେ ନାନାପ୍ରକାର ଧ୍ୱନି ଏକାକ୍ଷରୀ ଶବ୍ଦର ବ୍ୟବହାର କରୁଥିଲେ ଓ ଶବ୍ଦସ୍ଥିତ ଧ୍ୱନିମାନଙ୍କର ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ପରିଚିତ ଧ୍ୱନିମାନ ନାନାପ୍ରକାରେ ଅର୍ଥଦ୍ୟୋତକ ରୂପରେ ବ୍ୟବହୃତ ହେଉଥିଲା । ବର୍ତ୍ତମାନ ମଧ୍ୟ ଭାଷାରେ ନାନା ପ୍ରକାର ଧ୍ୱନ୍ୟନୁକରଣ ଶବ୍ଦ ପ୍ରଚଳିତ ଓ ସମ୍ଭବତଃ ଆଦିମ ଯୁଗର ଭାଷା ଏହିପରି ଧ୍ୱନ୍ୟନୁକରଣରେ ପର୍ଯ୍ୟବସିତ ଥିଲା । ପାରିପାର୍ଶ୍ୱିକ ଆବେଷ୍ଟନୀ ମଧ୍ୟରୁ କେତେକ ବିଶେଷ ଧ୍ୱନି କିମ୍ବା ଆବେଗସୂଚକ କେତେକ ବିଶେଷ ସ୍ୱର ସହିତ ହିଁ ମନୁଷ୍ୟମାନେ ପରିଚିତ ଥିଲେ ଓ ଏହି ଧ୍ୱନିମାନଙ୍କର ବିକାର ଆମ୍ଭେମାନେ ନାନା ଶବ୍ଦରେ ଦେଖିଥାଉଁ । Shire, Shirt, Skirt, Curt, କୁର୍ତ୍ତା, କରତ, କୃପାଣ, କରକଚା ପ୍ରଭୃତି ନାନା ଶବ୍ଦ ଯେ କୋମଳ ବସ୍ତୁ ଚିରିବା ସମୟରେ ହେଉଥିବା 'କର୍' ଧ୍ୱନିର ଅନୁସରଣରୁ ଜାତ ହୋଇଅଛନ୍ତି ଓ ଏମାନଙ୍କର ମୂଳ ଶବ୍ଦ ଯେ ଗୋଟିଏ, ସେଥିରେ ସନ୍ଦେହର ଅବକାଶ ନାହିଁ । ଆମ୍ଭେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ନାନା ଶ୍ରୈଣୀର ପ୍ରାଣୀମାନଙ୍କୁ ସେମାନଙ୍କର ଉଚ୍ଚାରିତ ଶବ୍ଦଦ୍ୱାରା ନିର୍ଦ୍ଦେଶିତ କରିଥାଉଁ । କାଉ, କୋଇଲି, କୋକି ପ୍ରଭୃତି ଭାଷାରେ ସୁପ୍ରଚଳିତ । ପୁଣି ସାନ ପିଲାମାନେ ଗାଈକୁ ହାମ୍ବା, ବିଲେଇକୁ ମେଉଁ, ଛେଳିକୁ ମେ ଇତ୍ୟାଦି ଆଖ୍ୟା ଦେଇଥାନ୍ତି ଓ ଗାଈ ଶବ୍ଦ ସହିତ ପରିଚିତ ହେବା ପୂର୍ବରୁ ସେମାନେ 'ହାମ୍ବା' ଶବ୍ଦର ଅନୁସରଣ କରିବାକୁ ଚେଷ୍ଟା କରିଥାନ୍ତି । ଆଦିମ ଭାଷାରେ ଏହି କାରଣରୁ ନାନା ଧ୍ୱନ୍ୟନୂକରଣ ଶବ୍ଦ ପ୍ରଚଳିତ ଥିଲା ଓ ଜଗତର ସର୍ବସ୍ଥାନରେ ଯେ ଏହି ରୀତି ପ୍ରଚଳିତ, ତାହାର ପରିଚୟ ମଧ୍ୟ ଆମ୍ଭେମାନେ ପାଇଥାଉଁ ।

ଇଂରାଜୀରେ cock, cuckoo ପ୍ରଭୃତି ଏହାର ଉଦାହରଣ । ଆବେଗଦ୍ୟୋତକ ବାଃ, ଛିଃ, ଓଃ ପ୍ରଭୃତି ଧ୍ୱନି ମଧ୍ୟ ଏହିପରି କ୍ରମଶଃ ଗୋଟିଏ ଗୋଟିଏ ବିଶିଷ୍ଟ ଅର୍ଥ ସହିତ ସଂଶ୍ଳିଷ୍ଟ ହୋଇ ବ୍ୟବହୃତ ହେଉଅଛନ୍ତି ଓ ଭାଷାରେ କ୍ରମଶଃ ଏମାନେ ଶବ୍ଦରୂପରେ ପରିଚିତ ଓ ସାଙ୍କେତିକ ଭାବରେ ବ୍ୟବହୃତ । ପବନର ଘୁ ଘୁ ଶବ୍ଦ, ନଦୀର କଳସ୍ୱନ, ପତ୍ରମାନଙ୍କର ମର୍ମର ଧ୍ୱନି, ବୃକ୍ଷମାନଙ୍କର ଘର୍ଷଣଜନିତ ଆରାବ ପ୍ରଭୃତି ମଧ୍ୟ କ୍ରମଶଃ ବିଶିଷ୍ଟ ଅର୍ଥ ସହିତ ସଂଶ୍ଳିଷ୍ଟ ହେଲା ଓ ଏମାନଙ୍କର ଅର୍ଥଦ୍ୟୋତନାଶକ୍ତିର ଅଭିବୃଦ୍ଧି ଦ୍ୱାରା କ୍ରମଶଃ ଭାଷା ସମୃଦ୍ଧ ହେବାକୁ ଲାଗିଲା। ପ୍ରଥମରେ ନିଶ୍ଚୟ ଏହି ଧ୍ୱନିଗୁଡିକ ଅସ୍ପଷ୍ଟ ଓ ଅନିଶ୍ଚିତ ଥିଲା ଓ ଘୁ ଘୁ ଶବ୍ଦ ଉଚ୍ଚାରଣ କଲେ ଝଞ୍ଜା ବା ଜଳପ୍ରପାତ ଉଭୟ ସୂଚିତ ହେବାର ଆଶଙ୍କା ଥିଲା । ମାତ୍ର କ୍ରମଶଃ ବ୍ୟବହାର ଦ୍ୱାରା ଏହି ଧ୍ୱନିମାନ ଗୋଟିଏ ବିଶେଷ ପଦାର୍ଥ ସହିତ ସଂଶ୍ଳିଷ୍ଟ ହେବାରୁ ବିଶେଷ ଅର୍ଥଦ୍ୟୋତନା କରିବାକୁ କ୍ଷମ ହୋଇଥିଲା ।

ଭାଷାର କ୍ରମବିକାଶର ଏହାହିଁ ପ୍ରଥମ ସୋପାନ, ଅର୍ଥାତ୍ ପ୍ରଥମେ ଧ୍ୱନି ସହିତ ପଦାର୍ଥର ସମ୍ବନ୍ଧର ନିଶ୍ଚିତତା ସ୍ଥାପନ କରାଯିବାରୁ ଭାଷାର ଅଭିବୃଦ୍ଧି ସମ୍ଭବ ହୋଇଥିଲା । କ୍ରମଶଃ ଅର୍ଥର ସମ୍ପ୍ରସାରଣ ଦ୍ୱାରା ଭାଷାର ଉନ୍ନତିର ଦ୍ୱିତୀୟ ସୋପାନ ଗଠିତ ହେଲା, ଅର୍ଥାତ ପ୍ରବହମାନ ନଦୀର କଳନାଦର ଅନୁକରଣରେ ଯେଉଁ ଶବ୍ଦ ରଚିତ ହେଲା, ତାହା କ୍ରମଶଃ ସମ୍ପ୍ରସାରିତ ହୋଇ ସବୁ ପ୍ରକାର ନାଦ ବା ଧ୍ୱନିକୁ ସୂଚିତ କଲା ଓ କ୍ରମଶଃ ଏହାର ମୂଳ ଧ୍ୱନିଗତ ଅର୍ଥ ବିସ୍ମୃତ ହେବାରୁ ଏହା ଏକ ଅର୍ଥଦ୍ୟୋତକ ମାତ୍ରା ରୂପରେ ବ୍ୟବହୃତ ହେବାକୁ ଲାଗିଲା । ଭାଷା ଯେତେବେଳେ କ୍ରମଶଃ ସମୃଦ୍ଧ ହେଲା ଓ ସାଧାରଣ ଲୋକେ ଭାବର ଆଦାନପ୍ରଦାନ ନିମନ୍ତେ ଭାଷାର ବ୍ୟବହାର କଲେ, ତେତେବେଳେ ଶବ୍ଦମାନଙ୍କର ମୌଳିକ ଧ୍ୱନିଗତ ଅର୍ଥ ବିସ୍ମୃତ ହୋଇଗଲା ଓ ବର୍ତ୍ତମାନ ଭାଷାତତ୍ତ୍ୱ ଆଲୋଚନା କରିବା ସମୟରେ ଆମ୍ଭେମାନେ ଏହି ପ୍ରାଚୀନ ଧ୍ୱନିଦ୍ୟୋତନାର ଉଲ୍ଲେଖ କଲେହେଁ ମୌଳିକ ଧ୍ୱନି ସହିତ ଭାଷାର ଶବ୍ଦମାନଙ୍କର ସାମଞ୍ଜସ୍ୟ ବର୍ତ୍ତମାନ ଅନୁସନ୍ଧାନ କରି ନିରୂପଣ କରିବା ସୁକଠିନ।

ଭାଷାରେ କୌଣସି ଶବ୍ଦ ମାତ୍ରାରୂପରେ ଅର୍ଥାତ୍ ମୂଳ ଧ୍ୱନି ସହିତ ବିଶ୍ଳିଷ୍ଟଭାବରେ ବ୍ୟବହୃତ ହେଲେ ସ୍ୱଭାବତଃ ଭାଷାରେ ଅନ୍ୟ ଅନୁକରଣ ଶବ୍ଦମାନଙ୍କର ଆବିର୍ଭାବ ହୋଇଥାଏ । କଳ ଶବ୍ଦ ସହିତ ନଦୀର କଳ ଧ୍ୱନିର ସମ୍ପର୍କ ବିସ୍ମୃତ ହେଲେ ସେହି ଧ୍ୱନିର ଅନୁକରଣରେ ଗଳ, ପଳ, ଖଳ, ହଳ, ବଳ, କର ପ୍ରଭୃତି ଶବ୍ଦ ମଧ୍ୟ ଗଠିତ ହେବା ସମ୍ଭବ ହୁଏ ଓ ଏହିପରି ନୂତନ ଅର୍ଥଦ୍ୟୋତକ ଶବ୍ଦମାନଙ୍କର ଗଠନଦ୍ୱାରା ଭାଷା ବିଶେଷଭାବରେ ସମୃଦ୍ଧ ହୁଏ । କେଉଁ ସମୟରେ କିପରିଭାବରେ ଭାଷା ଏହି ତିନି ଗୋଟି ସ୍ତର ଅତିକ୍ରମ କଲା, ସେ ବିଷୟରେ ଆମ୍ଭମାନଙ୍କର କୌଣସି ପ୍ରାକ୍-ଐତିହାସିକ ଯୁଗରେ ଏହା ସମ୍ଭବ ହୋଇଥିବ ଓ ଭାଷାର ଅଭିବୃଦ୍ଧି ଏହିପରି ଭାବରେ ନିୟନ୍ତ୍ରିତ ହୋଇଥିବ ଏପରି ଅନୁମାନ କରାଯାଇ ଥାଏ, କିନ୍ତୁ ସୁନିଶ୍ଚିତ ଭାବରେ କୌଣସି ଭାଷା ସମ୍ବନ୍ଧରେ ଏହି ସ୍ତର ଆଲୋଚନା କରିବା ନିମନ୍ତେ ଆମ୍ଭେମାନେ ଯଥେଷ୍ଟ ଉପାଦାନ ପାଉ ନାହିଁ, ଏଣୁ ଏହାର ବୈଜ୍ଞାନିକ ଆଲୋଚନା ମଧ୍ୟ ସମ୍ଭବ ହୁଏ ନାହିଁ। କିଏ ପ୍ରଥମରେ କିପରିଭାବରେ ଧ୍ୱନିର ବିଶ୍ଳେଷଣ ଓ ବିନ୍ୟାସରେ ରତ ହେଲା ଓ କିପରିଭାବରେ ନାନାପ୍ରକାର ଧ୍ୱନିକୁ ସୁବିନ୍ୟସ୍ତ କରି ଅର୍ଥଦ୍ୟୋତକ ପଦ ସୃଷ୍ଟି କଲା, ସେ ବିଷୟରେ ଇତିହାସ ନୀରବ । ଏକ ସମୟରେ ମନୁଷ୍ୟମାନଙ୍କ ମଧ୍ୟରେ ଭାଷାର ବ୍ୟବହାର ଅତ୍ୟନ୍ତ ସଂକୀର୍ଣ୍ଣ ଥିବ ଓ କୌଣସି ଅତିମାନବର ବୁଦ୍ଧିଦ୍ୱାରା ଭାଷାର ସାଙ୍କେତିକ ବ୍ୟବହାର ହୋଇଥିବ ଓ ଶବ୍ଦଗୁଡ଼ିକ ଅର୍ଥଦ୍ୟୋତକଭାବରେ ବ୍ୟବହୃତ ହୋଇଥିବ କିମ୍ବା ସହସ୍ର ସହସ୍ର ବର୍ଷର ବ୍ୟବହାରଫଳରେ ଶବ୍ଦଗୁଡ଼ିକ ମୂଳତଃ କଳ୍ପିତ ହୋଇ ପାରିଥିବ; ଏତିକି ମାତ୍ର ଆମ୍ଭେମାନେ ଅନୁମାନ କରି ପାରୁଁ । ପୃଥିବୀରେ ବ୍ୟବହୃତ ବିଭିନ୍ନ ଭାଷାର ବର୍ଣ୍ଣମାନଙ୍କର ଧ୍ୱନି ଓ ରୂପ ମଧ୍ୟରେ ଏତେ ପାର୍ଥକ୍ୟ ଦେଖାଯାଏ ଯେ, ସେମାନଙ୍କର ପର୍ଯ୍ୟାଲୋଚନାରୁ ବର୍ଣ୍ଣର ଉଦ୍ଭାବନର ପ୍ରଥମ ଅବସ୍ଥା ବିଷୟରେ ଆମ୍ଭେମାନେ କୌଣସି ସ୍ଥିରସମାଧାନରେ ଉପସ୍ଥିତ ହୋଇ ପାରୁ ନାହିଁ ।

ଧ୍ୱନି ଓ ଅକ୍ଷର: -ପୂର୍ବେ ବୋଲାଯାଇଅଛି ଯେ, ବର୍ଣ୍ଣ ଗୋଟିଏ ଧ୍ୱନିସୂଚକ ସାଙ୍କେତିକ ମାତ୍ରା ମାତ୍ର । ଏହା ଗୋଟିଏ ଚିହ୍ନ, ଏହାଦ୍ୱାରା ଗୋଟିଏ ଧ୍ୱନି ନିର୍ଦ୍ଧେଶିତ ହେଉଅଛି ଓ ଏହାର ଗୋଟିଏ ନିର୍ଦ୍ଦିଷ୍ଟ ରୂପ ଅଛି । ପ୍ରତ୍ୟେକ ଭାଷା ଅନ୍ୟଠାରୁ ଭିନ୍ନ ହେଲେହେଁ ସାଧାରଣତଃ ତହିଁରେ କେତେକ ଧ୍ୱନିସୂଚକ ବର୍ଣ୍ଣର ବ୍ୟବହାର ଦେଖାଯାଏ ଓ ଏହି କାରଣରୁ ଏକ ଭାଷାର ଶବ୍ଦମାନଙ୍କୁ ଅନ୍ୟ ଭାଷାରେ ଅନୁଲେଖ କରିବା ସମ୍ଭବପର ହୋଇଥାଏ । 'ଜିନ' ଏହି ଶବ୍ଦରେ ଯେତେଗୁଡ଼ିଏ ଧ୍ୱନି ଅଛି, ତାହା ଇଂରାଜୀ, ଓଡ଼ିଆ, ବଙ୍ଗଳା, ଆରବୀ, ଫାରସୀ, ରୁଷୀୟ, ଚୀନ ପ୍ରଭୃତି ସବୁ ଭାଷାରେ ଅନୁଲେଖ କରିବା ସମ୍ଭବପର । କାରଣ ସବୁ ଭାଷାରେ ଏହି ଶବ୍ଦରେ ଥିବା ଧ୍ୱନିମାନଙ୍କର ସାଙ୍କେତିକ ଅକ୍ଷରମାନଙ୍କର ବ୍ୟବହାର ଅଛି । ଯଦି ମନୁଷ୍ୟସମାଜରେ ବ୍ୟବହୃତ କୌଣସି ଭାଷା ସମ୍ପୂର୍ଣ୍ଣ ଓ ଆଦର୍ଶସ୍ଥାନୀୟ ହୋଇଥାନ୍ତା, ତେବେ ସେଥିରେ ସବୁପ୍ରକାର ଧ୍ୱନିକୁ ଯଥାଯଥଭାବରେ ଓ ପରସ୍ପରଠାରୁ ବିଭିନ୍ନ ରୂପରେ ପ୍ରକାଶ କରିବା ସମ୍ଭବପର ହୁଅନ୍ତା ଓ ସେଥିରେ କୌଣସି ଅନାବଶ୍ୟକ ବର୍ଣ୍ଣ ନ ଥାନ୍ତା । ଅର୍ଥାତ୍ ସେଥିରେ ଏକ ଧ୍ୱନିକୁ ସୂଚିତ କରିବା ନିମନ୍ତେ ଦୁଇ ଗୋଟି ବର୍ଣ୍ଣର ବ୍ୟବହାର ନଥାନ୍ତା କିମ୍ବା ଗୋଟିଏ ବର୍ଣ୍ଣଦ୍ୱାରା ଦୁଇ ଗୋଟି ଧ୍ୱନି ସୂଚିତ ହୋଇ ପାରନ୍ତା ନାହିଁ । ଇଂରାଜୀରେ ତ ଓ ଟ ଏହି ଦୁଇ ଗୋଟି ଧ୍ୱନିର ବିଭିନ୍ନତା ନିର୍ଦ୍ଦେଶିତ କରିବା ନିମନ୍ତେ ଦୁଇଗୋଟି ବର୍ଣ୍ଣ ନାହିଁ ଏବଂ 'ଥ' ଓ 'ଦ' ମଧ୍ୟ ପୃଥକ୍ ଭାବରେ ନିର୍ଦ୍ଦେଶିତ ହୋଇ ପାରିବ ନାହିଁ । ଅଥଚ ସେହି ଇଂରାଜୀରେ 'K', 'C', 'S' ଏହି ବର୍ଣ୍ଣମାନଙ୍କର ଧ୍ୱନି ସମ୍ବନ୍ଧରେ ନାନାପ୍ରକାର ବୈସାଦୃଶ୍ୟ ଲକ୍ଷିତ ହୋଇ ଥାଏ । 'Jin' ଓ 'Gin' ଏହି ଦୁଇ ଶବ୍ଦରେ 'J' ଓ 'G' ଦୁଇଗୋଟି ପୃଥକ୍ ବର୍ଣ୍ଣ ବ୍ୟବହୃତ ହେଉଥିଲେହେଁ ଏ ଦୁଇ ଅକ୍ଷରଦ୍ୱାରା ଏହି ଶବ୍ଦମାନଙ୍କରେ ଏକ ଧ୍ୱନି ସୂଚିତ ହେଉଅଛି । ଅନ୍ୟାନ୍ୟ ଭାଷା ଅପେକ୍ଷା ସଂସ୍କୃତ ଏ ଦିଗରେ ଉନ୍ନତ । ଧ୍ୱନିମାନଙ୍କର ଉଚ୍ଚାରଣସ୍ଥାନ ବା ଅନ୍ୟାନ୍ୟ ପାର୍ଥକ୍ୟ ଅନୁସାରେ ସଂସ୍କୃତରେ ବର୍ଣ୍ଣମାନଙ୍କୁ ନାନା ପ୍ରକାରେ ବିଭକ୍ତ କରାଯାଇଅଛି ଓ ଏହିପରି ଶ୍ରେଣୀବିଭାଗ ଦ୍ୱାରା ବର୍ଣ୍ଣମାନଙ୍କ ମଧ୍ୟରେ ଧ୍ୱନିଗତ ସାମଞ୍ଜସ୍ୟ ଓ ପାର୍ଥକ୍ୟ ଯଥାଯଥଭାବରେ ସୂଚିତ ହୋଇଅଛି । ବର୍ତ୍ତମାନ ଓଡ଼ିଆ, ବଙ୍ଗଳା ପ୍ରଭୃତି ଭାଷାରେ ଯେଉଁ ଧ୍ୱନିମାନଙ୍କର ବ୍ୟବହାର ଦେଖାଯାଏ, ତାହା ସଂସ୍କୃତ ଭାଷାରେ ସ୍ୱୀକୃତ ଧ୍ୱନିମାନଙ୍କର ଅନୁକୃତି ମାତ୍ର ।

ସ୍ୱର ଓ ବ୍ୟଞ୍ଜନ:- ସଂସ୍କୃତରେ ଧ୍ୱନିମାନଙ୍କୁ ସ୍ୱର ଓ ବ୍ୟଞ୍ଜନ ଏହି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଅଛି ଓ ଏମାନଙ୍କ ମଧ୍ୟରେ ପାର୍ଥକ୍ୟ ସୁବିଦିତ । ମାତ୍ର ଅନ୍ୟାନ୍ୟ ଅନେକ ଭାଷାରେ ଧ୍ୱନିମାନଙ୍କୁ ଏପରି ପୃଥକ୍ ପୃଥକ୍ ଭାବରେ ସନ୍ନିବେଶିତ କରିବାର ରୀତି ପ୍ରଚଳିତ ନାହିଁ ଏବଂ ଏହି ରୀତି ଯେ ବହୁ ପରବର୍ତ୍ତୀକାଳରେ ସଂସ୍କୃତ ଭାଷାରେ ପ୍ରବର୍ତ୍ତିତ ହୋଇଅଛି, ସେଥିରେ ସନ୍ଦେହ ନାହିଁ । ପୁଣି ସଂସ୍କୃତରେ ହ୍ରସ୍ୱ ଓ ଦୀର୍ଘ ସ୍ୱରକୁ ପୃଥକ୍ ଭାବରେ ନିର୍ଦ୍ଦେଶିତ କରିବାର ଯେପରି ରୀତି ପ୍ରଚଳିତ ଅଛି, ଇଂରାଜୀ ପ୍ରଭୃତି ଭାଷାରେ ତାହା ନାହିଁ । ଏପରି କି ସଂସ୍କୃତରୁ ଉତ୍ପନ୍ନ ପ୍ରାକୃତ ଭାଷାମାନଙ୍କରେ ମଧ୍ୟ ଏହି ପାର୍ଥକ୍ୟକୁ ଲୋପ କରାଯାଇ କେବଳ ହ୍ରସ୍ୱ ସ୍ୱରର ବ୍ୟବହାର ପ୍ରବର୍ତ୍ତିତ ହୋଇଥିଲା । କିନ୍ତୁ ସଂସ୍କୃତ ସ୍ୱରବର୍ଣ୍ଣମାନଙ୍କର ଧ୍ୱନିପ୍ରକାଶିକା ଶକ୍ତି ଆଲୋଚନା କଲେ, ଆମ୍ଭେମାନେ କେତେକ ଅସମ୍ପୂର୍ଣ୍ଣତା ଦେଖି ପାରୁଁ । ଇଂରାଜୀ not ଓ nut ରେ ଯେଉଁ ଦୁଇଗୋଟି ସ୍ୱର ବ୍ୟବହୃତ, ସଂସ୍କୃତରେ ସେମାନଙ୍କର ପାର୍ଥକ୍ୟ ନିର୍ଦ୍ଦେଶ କରିବା ଅସମ୍ଭବ; ପୁଣି gone ଓ gun ର ପାର୍ଥକ୍ୟ ମଧ୍ୟ ସୂଚିତ ହୋଇ ନ ପାରେ । ଅନୂଲେଖ ସମୟରେ father, air, unity, ram ପ୍ରଭୃତି ଶବ୍ଦର ଯଥାଯଥ ଅନୁଲେଖ କରିବା ସଂସ୍ଖୃତ ଭାଷାରେ ଅସମ୍ଭବ । ଭାଷାତତ୍ତ୍ୱବିତ୍‌ମାନଙ୍କ ମତରେ ସ୍ଥୂଳତଃ ୩୬ ଗୋଟି ସ୍ୱରବର୍ଣ୍ଣର ବ୍ୟବହାର ଭାଷାରେ ସମ୍ଭବ ଓ ସେମାନଙ୍କ ମଧ୍ୟରୁ କେବଳ ଦଶ ଗୋଟି ସ୍ୱରବର୍ଣ୍ଣର ବ୍ୟବହାର ସଂସ୍କୃତ ଭାଷାରେ ଥିଲା ଓ ସଂସ୍କୃତ ଭାଷାରୁ ଉତ୍ପନ୍ନ ଓଡ଼ିଆ ବଙ୍ଗଳା ପ୍ରଭୃତି ଭାଷାମାନଙ୍କରେ ମଧ୍ୟ ଏହି ଦଶଗୋଟି ସ୍ୱବରର ବ୍ୟବ ହାର ଦେଖାଯାଏ । ଏହି ଦଶଗୋଟି ସ୍ୱର ମଧ୍ୟରେ ଅବଶ୍ୟ ଅ(ହ୍ରସ୍ୱଆ)ଇ,ଉ ଏହି ତିନିଗୋଟି ମୂଳସ୍ୱର । ପ୍ରାୟ ପ୍ରତ୍ୟେକ ଭାଷାରେ ଏହି ତିନିଗୋଟି ସ୍ୱରବର୍ଣ୍ଣର ବ୍ୟବହାର ସୁପରିସ୍ଫୁଟ । ପୁଣି ଏହି ସ୍ୱରମାନଙ୍କ ମଧ୍ୟରେ 'ଅ' କଣ୍ଠରୁ ଉତ୍ପନ୍ନ ଓ 'ଇ' ଓ 'ଉ' ତାଳୁ ଓ ଓଷ୍ଠଦେଶ ସହିତ ସମ୍ପୃକ୍ତ । ଭାଷାରେ ବ୍ୟବହୃତ ଶବ୍ଦମାନଙ୍କ ବିକାର ଆଲୋଚନା କରିବା ସମୟରେ ସ୍ୱରମାନଙ୍କର ଏହି ପାର୍ଥକ୍ୟ ପ୍ରତି ଦୃଷ୍ଟି ଦେବା ପ୍ରୟୋଜନ ହୋଇଥାଏ । ସଂସ୍କୃତରେ ଓ ସଂସ୍କୃତରୁ ଉତ୍ପନ୍ନ ଭାଷାମାନଙ୍କରେ ପୁଣି ଅନୁସ୍ୱାର ଓ ଚନ୍ଦ୍ରବିନ୍ଦୁର ବ୍ୟବହାରଦ୍ୱାରା ସ୍ୱରମାନଙ୍କର ଅନୁନାସିକ ଅଭିବ୍ୟକ୍ତି ଯେପରି ସହଜ ହୋଇଅଛି, ଅନ୍ୟାନ୍ୟ ଭାଷାରେ ତାହା ଦେଖାଯାଏ ନାହିଁ ।

ସଂସ୍କୃତରେ 'ଋ', 'ୡ' ପ୍ରଭୃତିକୁ ସ୍ୱରବର୍ଣ୍ଣ ପର୍ଯ୍ୟାୟରେ ବର୍ତ୍ତମାନ ଗଣନା କରାଯାଏ, ମାତ୍ର ଏଗୁଡ଼ିକ ବାସ୍ତବରେ ସ୍ୱର ନୁହନ୍ତି । ସଂସ୍କୃତରେ 'ଋ' ର ଉଚ୍ଚାରଣ କିପରି ଥିଲା, ଏହା ଘେନି ଅନେକ ବିବାଦ ହୋଇଥାଏ । କାରଣ ଏକ ଦିଗରେ ଏହା ବଙ୍ଗଳାରେ 'ରି' ଓ ଅନ୍ୟ ଦିଗରେ ଓଡ଼ିଆରେ 'ରୁ' ରୂପରେ ଉଚ୍ଚାରିତ ହୁଏ ଓ 'ବୃଦ୍ଧ' ଶବ୍ଦରୁ 'ବୁଢ଼ା' ଓ 'ବୃଶ୍ଚିକ' ଶବ୍ଦରୁ 'ବିଛା' ଶବ୍ଦମାନ ଉତ୍ପନ୍ନ ହୋଇଥିବାରୁ ଏହାର ଉଚ୍ଚାରଣ ବିଷୟରେ ସନ୍ଦେହ ଜାତ ହେବା ସ୍ୱାଭାବିକ । ଅନେକଙ୍କ ମତରେ ସଂସ୍କୃତରେ ଏହାର ଉଚ୍ଚାରଣ 'ଉ' ଓ 'ଇ'ର ମଧ୍ୟବର୍ତ୍ତୀ ଧ୍ୱନି ଥିଲା, କିନ୍ତୁ ବର୍ତ୍ତମାନ ଏ ବିଷୟରେ ସ୍ଥିରନିଶ୍ଚୟ କରି କିଛି କହିବା ଅସମ୍ଭବ ।

ବ୍ୟଞ୍ଜନବର୍ଣ୍ଣ ଗୁଡ଼ିକୁ ମଧ୍ୟ ସଂସ୍କୃତରେ ଉଚ୍ଚାରଣସ୍ଥାନ ଘେନି ନାନା ଶ୍ରେଣୀରେ ବିଭକ୍ତ କରାଯାଇଅଛି ଓ ଏହି ବିଭାଗ ମଧ୍ୟ ଆଦିମ ନୁହେଁ, ଭାଷାର ପ୍ରଥମ ଅବସ୍ଥାରେ ବ୍ୟଞ୍ଜନବର୍ଣ୍ଣମାନ ଏହିପରି ସୁବିନ୍ୟସ୍ତଭାବରେ ବ୍ୟବହୃତ ହେଉ ନ ଥିଲେ କିମ୍ବା ଅନ୍ୟାନ୍ୟ ଭାଷାରେ ମଧ୍ୟ ଏହିପରି ସୁବିନ୍ୟସ୍ତ ଭାବରେ ପ୍ରଯୁକ୍ତ ହୁଅନ୍ତି ନାହିଁ । ଓଡ଼ିଆରେ ପ୍ରଚଳିତ ବର୍ଗ୍ୟ ବ୍ୟଞ୍ଜନବର୍ଣ୍ଣମାନଙ୍କର ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ସେମାନଙ୍କୁ ନିମ୍ନ ପ୍ରକାରେ ବିଭକ୍ତ କରାଯାଇପାରେ :

ଅଳ୍ପପ୍ରାଣ ମହାପ୍ରାଣ ଅଳ୍ପପ୍ରାଣ ମହାପ୍ରାଣ
କଣ୍ଠ୍ୟ -
ତାଲବ୍ୟ -
ମୂର୍ଦ୍ଧଣ୍ୟ -
ଦନ୍ତ୍ୟ -
ଓଷ୍ଠ୍ୟ -
କ୍ଷଣଧ୍ୱନି କ୍ଷଣଧ୍ୱନି ମଧ୍ୟଧ୍ୱନି ମଧ୍ୟଧ୍ୱନି ଅନୁନାସିକ

ଅର୍ଥାତ୍ କ ଖ ଗ ଘ ଙ ଏହି ବର୍ଣ୍ଣମାନଙ୍କର ଧ୍ୱନି କଣ୍ଠଦେଶରୁ ନିର୍ଗତ ହୁଏ ଓ ଏମାନଙ୍କର ଉଚ୍ଚାରଣ ସମୟରେ ଜିହ୍ୱାର ବିଶେଷ କୌଣସି କାର୍ଯ୍ୟ ନ ଥାଏ । ପୁଣି ଚ ଛ ଜ ଝ ଞ ର ଉଚ୍ଚାରଣ ସମୟରେ ଜିହ୍ୱା ତାଳୁକୁ ସ୍ପର୍ଶ କରେ, ଟ ଠ ଡ ଢ ଣ ର ଉଚ୍ଚାରଣ ସମୟରେ ଜିହ୍ୱା ମୂର୍ଦ୍ଧାକୁ ସ୍ପର୍ଶ କରେ, ତ ଥ ଦ ଧ ନ ର ଉଚ୍ଚାରଣ ସମୟରେ ଜିହ୍ୱା ଦନ୍ତ ସହିତ ସଂଶ୍ଳିଷ୍ଟ ହୁଏ ଓ ପ ଫ ବ ଭ ମ ଏଗୁଡ଼ିକର ଉଚ୍ଚାରଣ ସମୟରେ ଦୁଇଗୋଟି ଓଷ୍ଠ ସମ୍ମିଳିତ ହୁଏ । ପୁଣି କ ଚ ଟ ତ ପ ଓ ଗ ଜ ଡ଼ ଦ ବ ଏହି ଧ୍ୱନିଗୁଡ଼ିକ ଅଳ୍ପ ପ୍ରାଣ । କାରଣ ଏମାନଙ୍କ ସ ହିତ 'ହ' ଧ୍ୱନିଯୁକ୍ତ କରାଯାଇ ଖ ଛ ଠ ଥ ଫ ଓ ଘ ଝ ଢ଼ ଧ ଭ ଏହି ଧ୍ୱନିଗୁଡ଼ିକ ଉତ୍ପନ୍ନ ହୁଅନ୍ତି ଓ ଏହି 'ହ' ଧ୍ୱନି ଥିବାରୁ ଏମାନଙ୍କୁ ମହାପ୍ରାଣ ବୋଲାଯାଏ । ଏତଦ୍ଭିନ୍ନ କ ଚ ଟ ଢ଼ ପ ଓ ଖ ଛ ଠ ଥ ଫ ଏହି ଧ୍ୱନିମାନଙ୍କୁ କ୍ଷଣଧ୍ୱନି ବୋଲାଯାଏ । କାରଣ ଏମାନଙ୍କର ଧ୍ୱନି ବାସ୍ତବରେ ଗ ଜ ଡ଼ ଦ ବ ଓ ଘ ଝ ଢ଼ ଧ ଭ ଅପେକ୍ଷା ଅଳ୍ପକ୍ଷଣ ସ୍ଥାୟୀ ହୋଇଥାଏ ଓ ଏମାନଙ୍କର ଉଚ୍ଚାରଣରେ ଅଧିକ ପ୍ରୟାସର ପ୍ରୟୋଜନ ହୋଇଥାଏ । ଭାଷାତତ୍ତ୍ୱରେ ଧ୍ୱନିମାନଙ୍କର ବିକାର ଏକ ପ୍ରଧାନ ବିଚାର୍ଯ୍ୟ ବିଷୟ ଓ ଏହା ବିଚାର କରିବା ସମୟରେ ଧ୍ୱନିମାନଙ୍କର ଶ୍ରେଣୀବିଭାଗ ଓ ତହିଁ ସହିତ ସଂଶ୍ଳିଷ୍ଟ ବର୍ଣ୍ଣମାନଙ୍କର ବିଭାଗ ପ୍ରତି ସମ୍ୟକ୍ ଅବହିତ ହେବା ଏକାନ୍ତ ପ୍ରୟୋଜନ । ସଂସ୍କୃତରେ ଏସବୁ ଭିନ୍ନ କେତେକ ଅବର୍ଗ୍ୟ ବର୍ଣ୍ଣର ପ୍ରୟୋଗ ଦେଖାଯାଏ; ଯଥା - ଯ ର ଳ ବ ହ ଶ ଷ ସ ପ୍ରଭୃତି । ଏହି ଧ୍ୱନିମାନଙ୍କର ସମ୍ପୂର୍ଣ୍ଣ ପର୍ଯ୍ୟାୟଗତ ଅନ୍ୟ ଧ୍ୱନି ନ ଥିବାରୁ ଓ ଏମାନଙ୍କର ସମ୍ପୂର୍ଣ୍ଣ ଶ୍ରେଣୀବିଭାଗ ସମ୍ଭବପର ନ ଥିବାରୁ ଏମାନଙ୍କୁ ଅବର୍ଗ୍ୟ ବର୍ଣ୍ଣ ବୋଲାଯାଏ । ସଂସ୍କୃତରେ ବର୍ଣ୍ଣମାନଙ୍କର ଧ୍ୱନିଗତ ଶ୍ରେଣୀବିଭାଗ ହୋଇଥିବାରୁ ଓ ସେମାନଙ୍କର ସମ୍ପର୍କ ଯଥାଯଥଭାବରେ ସୂଚିତ ହୋଇଥିବାରୁ ଏହାର ବର୍ଣ୍ଣମାଳାର ଶ୍ରେଷ୍ଠତ୍ୱ ସର୍ବଦା ସ୍ୱୀକୃତ ହୁଏ ।

କିନ୍ତୁ ଧ୍ୱନିମାନଙ୍କର ଉଚ୍ଚାରଣ ସବୁ କ୍ଷେତ୍ରରେ ସ୍ଥିର ରହେ ନାହିଁ ଓ ଏହି ସବୁ କାରଣରୁ ଭାଷାରେ ବ୍ୟବହୃତ ପଦମାନଙ୍କର ଧ୍ୱନିଗତ ବିକୃତି ଲକ୍ଷିତ ହୋଇଥାଏ । ଓଡ଼ିଆରେ ସାଧାରଣତଃ ଅଜ୍ଞ ଲୋକମାନେ 'ନ' ଓ 'ଳ', 'ଲ' 'ଳ' ଓ 'ର' ମଧ୍ୟରେ ପାର୍ଥକ୍ୟ ଉପଲବ୍ଧି କରି ପାରନ୍ତି ନାହିଁ; ଏଣୁ 'ନବୀନ' ସ୍ଥାନରେ 'ଲବୀନ' ଉଚ୍ଚାରଣ କରନ୍ତି ଓ 'ଚାଉଳ' ବଦଳରେ 'ଚାଉର' କହନ୍ତି । ଅଜ୍ଞତାନିବନ୍ଧନ ଏହି ବିକାର ବର୍ତ୍ତମାନ ଭାଷାରେ ଅନେକ କ୍ଷେତ୍ରରେ ସ୍ଥାୟୀ ରୂପ ପାଇଅଛି ଏବଂ ସଂସ୍କୃତ 'ନବନୀତ' ଶବ୍ଦ ଓଡ଼ିଆରେ 'ଲହୁଣି' ଆକାରରେ ବ୍ୟବହୃତ ହେଉଅଛି । କିନ୍ତୁ ଅପର ପକ୍ଷରେ 'ଲବଣ' 'ନୂଣ'ରେ ପର୍ଯ୍ୟବସିତ ହୋଇଅଛି ।

ଏହା ଯେ କେବଳ ଓଡ଼ିଆରେ ହୋଇଅଛି, ତାହା ନୁହେଁ; ଇଂରାଜୀରେ ମଧ୍ୟ ଆମ୍ଭେମାନେ ଯେଉଁ 'lunch' ଶବ୍ଦ ବ୍ୟବହାର କରୁଁ, ତାହା 'Noon' ସହିତ ବିଶେଷଭାବରେ ସମ୍ପୃକ୍ତ । 'ନିଲାମ' ଏହି ପୋର୍ଟୁଗିଜ ଶବ୍ଦଟି ମୂଳତଃ 'ଲିଲାମ' ରୂପରେ ବ୍ୟବହୃତ ହେଉଥିଲା ଓ ଏହାର ମୂଳରେ ଆରବ 'ଇଲମ' ଶବ୍ଦ ବିଦ୍ୟମାନ । ଅର୍ଥାତ୍ ଏସବୁ ଶବ୍ଦରେ ମଧ୍ୟ 'ଲ' ଓ 'ନ' ମଧ୍ୟରେ ପାର୍ଥକ୍ୟ ରକ୍ଷିତ ହୋଇ ନାହିଁ ।

ଚୀନଦେଶର ଲୋକମାନେ 'ର' ଉଚ୍ଚାରଣ କରି ପାରୁ ନ ଥିଲେ ବୋଲି ଇଂରାଜୀରେ ଏକ ଶବ୍ଦରୁ ଜାତ ଦୁଇ ବିଭିନ୍ନ silk ଓ serge ଶବ୍ଦର ପ୍ରଚଳନ ଦେଖାଯାଏ । ଅର୍ଥାତ୍ ଚୀନମାନଙ୍କୁ ଗ୍ରୀକ୍ ଭାଷାରେ 'Seres' ନାମ ଦିଆଯାଇଥିଲା । ଏମାନଙ୍କ ମଧ୍ୟରେ ବହୁଳ ପ୍ରଚଳିତ ରେଶମ ଲୁଗାକୁ ଲାଟିନ ଭାଷାରେ Sericum ଏହି ଆଖ୍ୟା ଦିଆଯାଇଥିଲା, ଏହି ଶବ୍ଦରୁ ଇଂରାଜୀ serge ଶବ୍ଦ ଉତ୍ପନ୍ନ ହୋଇଅଛି । ପୁଣି ଚୀନ ଦେଶବାସୀମାନେ 'ର' ଉଚ୍ଚାରଣ କରି ପାରୁ ନ ଥିବାରୁ 'serge' ଶବ୍ଦ ସେମାନଙ୍କ ମୁଖରେ ବିକୃତ ହୋଇ silk ରେ ରୂପାନ୍ତରିତ ହୋଇଅଛି ଓ ଏହି ଶବ୍ଦ ଇଂରାଜୀ, ସ୍ୱିଡିଶ ଓ ଡାନିଶ ଭାଷାମାନଙ୍କରେ ପ୍ରଚଳିତ ହୋଇଅଛି । ଇଂରାଜୀରେ serge ଓ silk ଏହି ଦୁଇଗୋଟି ଶବ୍ଦ ପ୍ରଚଳିତ ହେବାରୁ କାଳକ୍ରମେ ସେମାନଙ୍କର ଅର୍ଥରେ ପ୍ରାର୍ଥକ୍ୟ ଘଟିଅଛି । ଉଭୟ ଶବ୍ଦ ଏକ ଶବ୍ଦରୁ ଜାତ ହୋଇଥିଲେହେଁ ବର୍ତ୍ତମାନ silk ଅର୍ଥ ଯାହା, serge ର ଅର୍ଥ ତାହାଠାରୁ ସମ୍ପୂର୍ଣ୍ଣରୂପେ ଭିନ୍ନ । ବର୍ତ୍ତମାନ ଭାଷାରେ ଯେଉଁସବୁ ଧ୍ୱନି ବ୍ୟବହୃତ ହେଉଅଛି, ଆଦିମ ଯୁଗରୁ ଯେ ସେ ସମସ୍ତ ଧ୍ୱନି ବ୍ୟବହୃତ ହେଉଥିଲା, ତାହା ମଧ୍ୟ ନୁହେଁ । ଓଡ଼ିଆରେ 'ଲ','ଳ' ମଧ୍ୟରେ ପାର୍ଥକ୍ୟ ଲକ୍ଷିତ ହୁଏ, 'ଡ଼' ଓ 'ଢ଼' ର ବ୍ୟବହାର ଦେଖାଯାଏ । ଅନେକ ଭାଷାତତ୍ତ୍ୱବିଦଙ୍କ ମତରେ ପ୍ରାଚୀନ ସଂସ୍କୃତରେ ଏହି ଧ୍ୱନିମାନଙ୍କର ବିଭିନ୍ନତାସୂଚକ କୌଣସି ବର୍ଣ୍ଣର ବ୍ୟବହାର ନ ଥିଲା ଓ ବୌଦିକ ସଂସ୍କତର ପୂର୍ବବର୍ତ୍ତୀ କାଳରେ 'ଶ' ଓ 'ଷ'ର ବ୍ୟବହାର ମଧ୍ୟ ଭାଷାରେ ପ୍ରଚଳିତ ନ ଥିଲା, ଏହି ଧ୍ୱନିଗୁଡ଼ିକ ପରବର୍ତ୍ତୀ କାଳରେ ଦ୍ରାବିଡ଼ ଓ ଅନ୍ୟାନ୍ୟ ଭାଷାର ପ୍ରଭାବରୁ ସଂସ୍କୃତ ଭାଷାରେ ସ୍ୱୀକୃତ ହୋଇଅଛି । ଭାଷାତତ୍ତ୍ୱ ଏ ବିଷୟରେ ମଧ୍ୟ ଅନୁମାନ ଉପରେ ପ୍ରତିଷ୍ଠିତ । ଏହାର ବିଶଦ ଆଲୋଚନା ଏଠାରେ ସମ୍ଭବ ନୁହେଁ । ଧ୍ୱନିମାନଙ୍କର ବିକାର ସାଧାରଣତଃ ସ୍ୱାଧୀନଭାବରେ ସାଧିତ ନ ହୋଇ ଅନେକ ସମୟରେ ଅନ୍ୟାନ୍ୟ ଧ୍ୱନିର ଅପେକ୍ଷା ରଖୁଥିବାରୁ ଏହାର ସଂକ୍ଷିପ୍ତ ଆଲୋଚନା ଶବ୍ଦର ରୂପଗତ ବିକାର ଆଲୋଚନା ସମୟରେ କରାଯିବ ।

ଅକ୍ଷରମାନଙ୍କର ନିର୍ଦ୍ଦିଷ୍ଟ ଧ୍ୱନି ଥିଲେହେଁ ଅନେକ କ୍ଷେତ୍ରରେ ବ୍ୟବହାର ପଦ୍ଧତିଦ୍ୱାରା ସେଥିର ବିକାର ସାଧିତ ହୋଇଥାଏ । ଓଡ଼ିଆରେ କ୍ଷ ଓ ହ୍ୟ ଏଥିର ପ୍ରକୃଷ୍ଟ ଉଦାହରଣ । ଦକ୍ଷିଣ ପ୍ରଦେଶରେ 'କ୍ଷ' କୁ 'କ୍‌ଷ' ରୂପେ ଉଚ୍ଚାରଣ କରାଯାଉଥଲେ ମଧ୍ୟ ଓଡ଼ିଆରେ ଏହାର ଧ୍ୱନି 'ଖ୍ୟ' ଓ 'ହ୍ୟ'ର ଧ୍ୱନି 'ଝ୍ୟ' । ଏହିପରି ଆମ୍ଭେମାନେ 'ଉଦ୍ୟୋଗ'କୁ 'ଉଯ୍ଯୋଗ' ଉଚ୍ଚାରଣ କରିଥାଉଁ, 'ଉତ୍ସବ'କୁ 'ଉଚ୍ଛବ'ରେ ପରିଣତ କରିଥାଉଁ ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ଏପ୍ରକାର ଉଚ୍ଚାରଣ ଏତେ ପରିଚିତ ଯେ, ଲିଖିତ ବର୍ଣ୍ଣ ଓ ଉଚ୍ଚାରିତ ଧ୍ୱନି ମଧ୍ୟରେ ନାନା ପାର୍ଥକ୍ୟ ଭାଷାରେ ଅହରହ ଦୃଷ୍ଟିଗୋଚର ହୋଇଥାଏ । ଏହି ପାର୍ଥକ୍ୟ ଅନୁସରଣ କରି ଲିଖିତ ଭାଷାରେ 'ଆଜ୍ଞା' ସ୍ଥଳରେ 'ଆଗ୍ୟାଁ' ମଧ୍ୟ ଲେଖା ହୋଇଥାଏ ।

ଏହି ଉଚ୍ଚାରଣ ଗତ ଭ୍ରାନ୍ତି ଯେ କେବଳ ଆଧୂନିକ ଅଜ୍ଞତା ବା ଆଳସ୍ୟର ଫଳ ତାହା ନୁହେଁ, ପ୍ରାଚୀନ ସଂସ୍କୃତରେ ମଧ୍ୟ ଏହାର ଉଦାହରଣ ଦେଖାଯାଇଥାଏ । ଏହି କାରଣରୁ 'ଦ୍ୟୁତି' ଶବ୍ଦର ବିକୃତ ରୂପ 'ଜ୍ୟୁତି' ଶବ୍ଦ ବେଦରେ ବ୍ୟବହୃତ ଅର୍ଥାତ୍ ବୈଦିକ ଯୁଗରେ ମଧ୍ୟ 'ଦ୍ୟ' କୁ 'ଜ୍ୟ' ରୂପରେ ଉଚ୍ଚାରଣ କରିବାର ରୀତି ପ୍ରଚଳିତ ହୋଇଥିଲା ।

କେତେକ ବର୍ଣ୍ଣର ଉଚ୍ଚାରଣ ସହଜ, କେତେକର ଉଚ୍ଚାରଣ ଅପେକ୍ଷାକୃତ କଷ୍ଟକର ଓ ଅଧିକ ପ୍ରୟାସସାପେକ୍ଷ, ପୁଣି କେତେଗୁଡ଼ିଏ ବର୍ଣ୍ଣର ଉଚ୍ଚାରଣରୁ ପରବର୍ତ୍ତୀ ବର୍ଣ୍ଣର ଉଚ୍ଚାରଣକୁ ଗତି କରିବା ସମୟରେ ଅଧିକ ପ୍ରୟାସର ପ୍ରୟୋଜନ ହୋଇଥାଏ । ସାଧାରଣତଃ କ୍ଷଣଧ୍ୱନି ଶବ୍ଦମାନଙ୍କର ଉଚ୍ଚାରଣ ଅଧିକ ପ୍ରୟାସସାପେକ୍ଷ, ପୁଣି ମହାପ୍ରାଣ ବର୍ଣ୍ଣମାନଙ୍କର ଉଚ୍ଚାରଣରେ ଅଧିକ ଶକ୍ତିର ପ୍ରୟୋଜନ ହୋଇଥାଏ, ଏଣୁ ଏହିସବୁ ବର୍ଣ୍ଣମାନଙ୍କର ଉଚ୍ଚାରଣରେ ବିକୃତି ଘଟିବା ସ୍ୱାଭାବିକ । ଅନୂନାସିକ ମ ଓ ନ ପରେ ର, ଳ ପ୍ରଭୃତି ଧ୍ୱନି ଉଚ୍ଚାରିତ ହେଲେ ସାଧାରଣତଃ ଆମ୍ଭେମାନେ ଅନ୍ୟ ଗୋଟିଏ ବର୍ଣ୍ଣର (ଯଥା ତ ବ ପ୍ରଭୃତିର) ଆଶ୍ରୟ ନେଇଥାଉଁ ଓ ଏହାଦ୍ୱାରା ଉଚ୍ଚାରଣ ସହଜସାଧ୍ୟ ମଧ୍ୟ ହୋଇଥାଏ । ସାଧାରଣ ଲୋକମାନଙ୍କର ଉଚ୍ଚାରଣ ବିକୃତି, ଆଳସ୍ୟ, ଶବ୍ଦମାନଙ୍କୁ ସହଜଭାବରେ ଉଚ୍ଚାରଣ କରିବାର ପ୍ରୟାସ, ପରବର୍ତ୍ତୀ ବର୍ଣ୍ଣର ଧ୍ୱନିର ପ୍ରଭାବ ଅନ୍ୟାନ୍ୟ ଭାଷାର ଶବ୍ଦମାନଙ୍କର ଉଚ୍ଚାରଣ ତାରତମ୍ୟ ପ୍ରଭୃତି ନାନା କାରଣରୁ ବର୍ଣ୍ଣମାନଙ୍କର ଧ୍ୱନିଗତ ରୂପର ବିକୃତି ଘଟିଥାଏ ଓ ଏହି ବିକୃତି ଯୋଗୁଁ ଭାଷା ନାନା ଭାବରେ ପରିବର୍ତ୍ତିତ ହୋଇଥାଏ । ଭାଷା ସର୍ବଦା ଗତିଶୀଳ ଓ ପ୍ରତ୍ୟେକ ଜୀବନ୍ତ ଭାଷାରେ ନାନା ପରିବର୍ତ୍ତନ ଅହରହଃ ସାଧିତ ହେଉଅଛି । ତେବେ ଆଦିମ ଯୁଗରେ ଏହି ପରିବର୍ତ୍ତନ ଯେତେ ସୁଦୂରପ୍ରସାରୀ, ଯେତେ ଦ୍ରୁତ, ଯେତେ ବ୍ୟାପକଭାବରେ ସଂଘଟିର ହେଉଥିଲା, ଆଧୂନିକ ଭାଷାମାନଙ୍କରେ ବିକୃତି ଏତେ ବ୍ୟାପକ ନୁହେଁ । ଛାପାଖାନାମାନ ପ୍ରତିଷ୍ଠିତ ହେବା ଦିନରୁ ଭାଷାର ବିସ୍ତୃତି ଘଟୁଅଛି, ଲିଖନ ଓ ପଠନକ୍ଷମ ବ୍ୟକ୍ତିମାନଙ୍କର ସଂଖ୍ୟା ବୃଦ୍ଧି ପାଉଅଛି, ଭୁଲ ଲେଖା ବା ଭୁଲ ଉଚ୍ଚାରଣ ଉନ୍ନତ ସମାଜରେ ଉପ ହସିତ ହେଉଅଛି ଓ ଅଭିଧାନ ଗ୍ରନ୍ଥମାନ ପ୍ରଣୀତ ହେବାଦ୍ୱାରା ଭାଷାର ମାନ ନିର୍ଦ୍ଧିଷ୍ଟ ଓ ନିୟନ୍ତ୍ରିତ ହେଉଅଛି । ତେଣୁ ବର୍ତ୍ତମାନ ପରିବର୍ତ୍ତନ ଓ ବିକାରର ଅବସର ଥିଲେ ମଧ୍ୟ ତାହାର ଗତି ଅତି କ୍ଷୀଣ ଓ କେବଳ ଅନୂସନ୍ଧିତ୍ସୁ ପାଠକମାନେ ଏହି ବିକୃତିକୁ ଯଥାଯଥ ଭାବରେ ଉପଲବ୍ଧି କରି ପାରିବେ ।

ଲିପି ବା ଅକ୍ଷର :- ଉପସ୍ଥିତ ଲୋକ ସହିତ କଥାବାର୍ତ୍ତା କରିବା ନିମନ୍ତେ ଧ୍ୱନିର ଅର୍ଥସୂଚକ ବ୍ୟବହାର ଅତି ପୂରାତନ କାଳରୁ ପ୍ରଚଳିତ ହୋଇଥିଲା, କିନ୍ତୁ ଭାଷାର ବ୍ୟବହାର କ୍ରମଶଃ ପ୍ରସାର ଲାଭ କରିବାରୁ ଓ ଦୂରସ୍ଥିତ ଲୋକମାନଙ୍କ ସହିତ ଭାବର ଆଦାନପ୍ରଦାନ ସହଜସାଧ୍ୟ କରିବା ନିମନ୍ତେ ଲିପି ବା ଅକ୍ଷରର ପ୍ରୟୋଜନ ଅନୂଭୂତ ହୋଇଥିଲା ଓ ବିଭିନ୍ନ ଦେଶରେ ବିଭିନ୍ନ ସମୟରେ ବିଭିନ୍ନ ଅକ୍ଷର ସୃଷ୍ଟ ହୋଇ ବର୍ଣ୍ଣ ମାନଙ୍କର ରୂପ ନିର୍ଦ୍ଧିଷ୍ଟ କରାଯାଇ ଭାଷାରେ ଲିଖନପ୍ରଣାଳୀ ଉଦ୍ଭାବିତ ହୋଇଥିଲା । କେତେକ ଭାଷାରେ (ଯଥା ଇଜିପ୍ଟ ଦେଶର)ଲେଖା ଧ୍ୱନିର ପ୍ରାୟ ସମକାଳୀନ, ଅନ୍ୟ ଅଧିକାଂଶ ଭାଷାରେ ଧ୍ୱନିଯୁକ୍ତ ଶବ୍ଦ ବ୍ୟବହାରର ବହୁ ପରବର୍ତ୍ତୀକାଳରେ ଅକ୍ଷର ବା ଲିପିର ପ୍ରଚଳନ ହୋଇଥିଲା, ପୁଣି ଆଧୁନିକ କେତେକ ଅନୁନ୍ନତ ଭାଷାରେ ଲିପିର ପ୍ରଚଳନ ଆଦୌ ନାହିଁ । ଲିପି ନ ଥାଇ କେବଳ ଧ୍ୱନି ସମଷ୍ଟିଯୁକ୍ତ ଭାଷାର ପ୍ରଚଳନ ବର୍ତ୍ତମାନ ମଧ୍ୟ ଦେଖାଗଲେହେଁ, ଧ୍ୱନି ନ ଥାଇ କେବଳ ଲିପିଗତ ଭାଷାର ପ୍ରଚଳନ ଆଦୌ ନାହିଁ । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇ ପାରେ ଯେ, ଭାଷାରେ ଧ୍ୱନିହିଁ ମୂଳ ପଦାର୍ଥ, ଲିପି ଧ୍ୱନିର ଦ୍ୟୋତକ ସଙ୍କେତ ମାତ୍ର । ଏଣୁ ଭାଷାର ଆରମ୍ଭ ଧ୍ୱନିରୁ ଓ ଲିପି କେବଳ ଧ୍ୱନିମାନଙ୍କର ରୂପକୁ ପ୍ରକାଶିତ କରିବା ନିମନ୍ତେ ପରବର୍ତ୍ତୀକାଳର ବ୍ୟବହୃତ ରୀତି ମାତ୍ର । ଆଜିକାଲି ଯେତେ ଭାଷା ସାଧାରଣତଃ ବ୍ୟବହୃତ ହୁଏ, ସେମାନଙ୍କର ଲିପିଗତ ବୈଷମ୍ୟ ଧ୍ୱନିଗତ ବୈଷମ୍ୟ ଅପେକ୍ଷା ଅନେକ ଅଧିକ ଓ ସେହି କାରଣରୁ ଦୁଇଗୋଟି ଭାଷା ମଧ୍ୟରେ ନାନା ପ୍ରକାର ସାମଞ୍ଜସ୍ୟ ଥିଲେହେଁ ଲିପିର ଅନୈକ୍ୟ ହେତୁରୁ ଭାଷା ଶିକ୍ଷା କରିବା ଅସମ୍ଭବ ହୋଇପଡ଼େ । ଯଦି ପୃଥିବୀରେ ଏକପ୍ରକାର ଲିପି ପ୍ରଚଳିତ ଥାନ୍ତା, ତେବେ ବିଭିନ୍ନ ଭାଷା ଆୟତ୍ତ କରିବା ସହଜସାଧ୍ୟ ହୋଇଥାନ୍ତା; କିନ୍ତୁ ପ୍ରତ୍ୟେକ ଭାଷାଭାଷୀ ଜାତି ନିଜର ଲିପି ବିଷୟରେ ସଜାଗ, ଏଣୁ ଏକ ଭାଷାର ପ୍ରବର୍ତ୍ତନ ଅସମ୍ଭବ ।

ଅବଶ୍ୟ କୌଣସି ଭାଷାର ଲିପି ଆଦର୍ଶସ୍ଥାନୀୟ ନୂହେଁ । ଲିପିର କାର୍ଯ୍ୟ ଧ୍ୱନିର ପାର୍ଥକ୍ୟକୁ ରୂପ ଦେବା, ଏଣୁ ପ୍ରତ୍ୟେକ ବର୍ଣ୍ଣର ପୃଥକ୍ ଧ୍ୱନିକୁ ସୁସ୍ପଷ୍ଟଭାବରେ ପ୍ରକାଶିତ କରିବା ନିମନ୍ତେ ପୃଥକ୍ ଅକ୍ଷରର ପ୍ରୟୋଜନ ହୋଇଥାଏ । ମାତ୍ର ଓଡ଼ିଆରେ ଜ ଓ ଯ ର ଉଚ୍ଚାରଣ ଏକ ହେଲେହେଁ ଦୁଇଗୋଟି ଅକ୍ଷର ବ୍ୟବହୃତ ହେଉଅଛି ଓ 'ଶ' 'ଷ' 'ସ' ମଧ୍ୟରେ ଧ୍ୱନିଗତ କୌଣସି ପାର୍ଥକ୍ୟ ଭାଷାର ବ୍ୟବହାର ସମୟରେ ଅନୁଭୂତ ନ ହେଉଥିଲେହେଁ ଏହି ତିନି ଅକ୍ଷର ଭାଷାରେ ସୁପ୍ରଚଳିତ । ବଙ୍ଗଳା ଭାଷାରେ ଏହିପରି ନ ଓ ଣ ର ଲିପିଗତ ପାର୍ଥକ୍ୟ ଥିଲେହେଁ ଧ୍ୱନିଗତ ପାର୍ଥକ୍ୟ ନାହିଁ ଓ ଇଂରାଜୀରେ J ଓ G, C ଓ K ପ୍ରଭୃତି ବର୍ଣ୍ଣମାନଙ୍କର ଉଚ୍ଚାରଣ ଅନେକ କ୍ଷେତ୍ରରେ ଏକାପରି ହେଲେହେଁ ଦୁଇଗୋଟି ପୃଥକ୍ ଅକ୍ଷର ବ୍ୟବହୃତ ହୋଇଥାଏ । ବୈଜ୍ଞାନିକଭାବରେ 'g' ର ଗ ଓ ଜ ଦୁଇ ପ୍ରକାର ଧ୍ୱନି ସୂଚନା କରିବା ଅସମ୍ଭବ ଓ C ଅକ୍ଷର କ ଓ ସ ଉଭୟ ଧ୍ୱନି ପ୍ରକାଶ କରିବା ନିମନ୍ତେ ସ୍ଥାନବିଶେଷରେ ବ୍ୟବହୃତ ହେଉଥିବାରୁ ଭାଷା ବ୍ୟବହାରରେ ବିଶୃଙ୍ଖଳା ଅବଶ୍ୟମ୍ଭାବୀ ।

ଆଦର୍ଶ ଲିପିର କେତେଗୁଡ଼ିଏ ଗୁଣ ଥିବା ଆବଶ୍ୟକ । ପ୍ରତ୍ୟେକ ଲିପି ଗୋଟିଏ ନିର୍ଦ୍ଦିଷ୍ଟ ଓ ସୁସ୍ପଷ୍ଟ ଧ୍ୱନି ପ୍ରକାଶିତ କରୁଥିବ, ପ୍ରତ୍ୟେକ ଲିପିର ଗୋଟିଏ ସୁସ୍ପଷ୍ଟ ଓ ଅନ୍ୟ ଲିପିମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ରୂପରେଖ ଥିବ, ପ୍ରତ୍ୟେକ ଲିପି ଦ୍ରୁତଲିଖନର ଉପ ଯୋଗୀ ଥିବ ଓ ଲେଖା ବା ଛାପା ହେବା ସମୟରେ ଅଧିକ ପ୍ରୟାସ ବା ଯତ୍ନ ଆବଶ୍ୟକ କରୁ ନ ଥିବ । ଏହି ଦୃଷ୍ଟିରୁ ଦେଖିଲେ ପୃଥିବୀର କୌଣସି ଲିପି ଆଦର୍ଶସ୍ଥାନୀୟ ନୁହେଁ । ଆଜିକାଲି ରୋମକ ଲିପି (a b c d ପ୍ରଭୃତି)ର ବ୍ୟବହାର ଅନେକ ଭାଷାତତ୍ତ୍ୱବିତ୍ ଅନୂମୋଦନ କରୁଅଛନ୍ତି, ସେମାନଙ୍କ ମତରେ ଏହି ଲିପିରେ ଯୁକ୍ତାକ୍ଷର ନ ଥିବାରୁ, ଅକ୍ଷରଗୁଡ଼ିକ ଲେଖିବା ସମୟରେ ପରସ୍ପର ସହିତ ସଂଲଗ୍ନ କରିବାର ସୁବିଧା ଥିବାରୁ, ଅକ୍ଷରର ସଂଖ୍ୟା ଅଳ୍ପ ଥିବାରୁ ଓ ମାତ୍ରା ଆଦିର ବ୍ୟବହାର ନ ଥିବାରୁ ଏହି ଅକ୍ଷର କଳଲେଖା, ଦ୍ରୂତଲେଖା, ଛାପା ପ୍ରଭୃତିର ବିଶେଷ ଉପଯୋଗୀ ଓ ସେମାନଙ୍କ ମତରେ ଭାଷା ପୃଥକ୍ ହେଲେହେଁ ସବୁ ଭାଷା ରୋମକ ଲିପିରେ ଲେଖା ହେବା ଉଚିତ । ଏହି ମତବାଦର ବଶବର୍ତ୍ତୀ ହୋଇ ତୁରସ୍କ ଦେଶରେ ରୋମକ ଲିପି, ପ୍ରବର୍ତ୍ତିତ ହୋଇଅଛି ଓ ଚୀନ ମହାଦେଶରେ ମଧ୍ୟ ଏହି ଲିପିର ବ୍ୟବହାର ବିଷୟରେ ଅନୂକୂଳ ଆନ୍ଦୋଳନ ଦେଖା ଦେଇଅଛି । ଜର୍ମାନ, ଋଷୀୟ ପ୍ରଭୃତି ଭାଷାରେ ଏହି ଲିପି ଜାତୀୟ ଲିପିର ବିକଳ୍ପରେ ବ୍ୟବହୃତ ହେଉଅଛି । ଅବଶ୍ୟ ଓଡ଼ିଆ ଲିପି ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଓଡ଼ିଆରେ ଅକ୍ଷରମାନଙ୍କର ସଂଖ୍ୟା ଅତ୍ୟଧିକ, ପୁଣି ସଂଯୁକ୍ତ ବର୍ଣ୍ଣ, ଫଳା ବା ମାତ୍ରାର ବ୍ୟବହାର ଦ୍ୱାରା ଲିପିଗୁଡ଼ିକ ନାନାଭାବରେ ଜଟିଳ ହୋଇଅଛି ଓ ଛାପା ସମୟରେ ବା ଦ୍ରୁତଲିଖନରେ ନାନାପ୍ରକାର ଅସୁବିଧା ଅନୂଭୂତ ହେଉଅଛି । ଏହି ଲିପିର ଆଉ ଗୋଟିଏ ଦୋଷ ଏହି ଯେ ଏଥିରେ ଲିପିର ମୂଳଭାଗ ଅପେକ୍ଷା ତାହାର ମଣ୍ତଳୀ ବା ବେଷ୍ଟନୀ ଆକାରରେ ବଡ଼ ଓ ଏହି କାରଣରୁ ଭ ଓ ଉ, ତ ଓ ଢ, ଧ ଓ ଥ, ପ ଓ ଯ ପ୍ରଭୃତି ଲିପିମାନଙ୍କ ମଧ୍ୟରେ ପାର୍ଥକ୍ୟ ଦ୍ରୁତଲିଖନ ସମୟରେ ଗୌଣ ହୋଇପଡ଼େ ଏବଂ ଫ ଲେଖିଲେ ପ ସହିତ ଅନୁସ୍ୱାର ଯୁକ୍ତ ହୋଇଅଛି କିମ୍ବା 'ପ'ର ମହାପ୍ରାଣ ବର୍ଣ୍ଣ ଫ (Ph) ଲିଖିତ ହୋଇଅଛି, ଏ ବିଷୟରେ ଘୋର ସନ୍ଦେହ ଜାତ ହୋଇଥାଏ । କିନ୍ତୁ ଏ ଲିପିର ସୁବିଧା ମଧ୍ୟରେ ଏଥିରେ ପ୍ରତ୍ୟେକ ଅକ୍ଷର ଗୋଟିଏ ଧ୍ୱନିସତ୍ତା ପ୍ରକାଶ କରେ ଅର୍ଥାତ୍ 'ଥି' ଏହି ଧ୍ୱନିକୁ ଗୋଟିଏ ସତ୍ତା ବୋଲି ଗଣନା କରାଯାଇ 'ଥ' ସହିତ 'ଇ'ର ମାତ୍ରା ଯୁକ୍ତ କରାଯାଇ ଗୋଟିଏ ଲିପି ବୋଲି କଳ୍ପିତ ହୋଇଥାତ । ଇଂରାଜୀରେ 'ଥି' ଗୋଟିଏ syllable ଅଥବା ଧ୍ୱନି ସମଷ୍ଟି । ଏହାକୁ ପ୍ରକାଶ କରିବା ନିମନ୍ତେ T.H.I, ଏହି ତିନିଗୋଟି ପୃଥକ୍ ବର୍ଣ୍ଣର ପ୍ରୟୋଜନ ହୋଇଥାଏ । ଓଡ଼ିଆରେ ବାସ୍ତବିକ ଯାହା ଗୋଟିଏ ଅକ୍ଷର ଇଂରାଜୀରେ ତାହା ଗୋଟିଏ syllable ବା ଅକ୍ଷର ସମଷ୍ଟି । ଏଣୁ ରୋମକ ଲିପି ବ୍ୟବହାରରେ ଅଧିକ ଅକ୍ଷର ଲେଖିବାର ଆବଶ୍ୟକ ହୋଇଥାଏ, କିନ୍ତୁ ରୋମକ ଲିପିରେ ଅକ୍ଷରଗୁଡ଼ିକୁ ପରସ୍ପର ବିଚ୍ଛିନ୍ନଭାବରେ ଲେଖିବାର ରୀତି ପ୍ରଚଳିତ ଥିବାରୁ ତାହା ଅପେକ୍ଷାକୃତ ଦ୍ରୁତଭାବରେ ଲେଖାଯାଇ ପାରେ । ବାସ୍ତବରେ ବର୍ଣ୍ଣମାନଙ୍କର ଧ୍ୱନି ଯେପରି ବୈଜ୍ଞାନିକ ଭିତ୍ତି ଉପରେ ପ୍ରତିଷ୍ଠିତ ନୁହେଁ, ସେମାନଙ୍କର ରୂପ ମଧ୍ୟ କୌଣସି ବୈଜ୍ଞାନିକ ଭିତ୍ତି ଉପରେ ପ୍ରତିଷ୍ଠିତ ନୁହେଁ ।

ମାତ୍ର ବର୍ଣ୍ଣମାନଙ୍କର ଧ୍ୱନି ଓ ରୂପର ବୈଜ୍ଞାନିକ କାରଣ ଓ ଇତିହାସ ଅଛି । ଏହି ଇତିହାସକୁ ଅନୁଶୀଳନ କଲେ ଆମ୍ଭେମାନେ ନାନା ତଥ୍ୟ ଜାଣିପାରୁଁ । ଭାରତରେ ଅନୁନ୍ନତ ଜାତିମାନଙ୍କ ମଧ୍ୟରେ ଘାସ ବା ସୂତାର ଗଣ୍ଠିଦ୍ୱାରା ମିଳିତ ହେବାର ଇଙ୍ଗିତ ଦିଆଯାଏ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୀତି ପ୍ରତି ଭାଷାର 'ଗଣ୍ଠି ଫେରାଇବା' ପଦର ବ୍ୟବହାରଦ୍ୱାରା ଇଙ୍ଗିତ କରାଯାଇଅଛି । ପ୍ରାଚୀନ ଚୀନମାନଙ୍କ ମଧ୍ୟରେ ଓ ଦକ୍ଷିଣ ଆମେରିକାର ପେରୁଦେଶବାସୀ ଇନକାମାନଙ୍କ (Inca) ମଧ୍ୟରେ ଏହି ରୀତି ପ୍ରଚଳିତ ଥିଲା । ଗ୍ରନ୍ଥିର ବନ୍ଧନଭଙ୍ଗୀ, ସୂତାର ରଙ୍ଗ, ଗ୍ରନ୍ଥିର ସଂଖ୍ୟା ପ୍ରଭୃତି ଦ୍ୱାରା ନାନା ବିଭିନ୍ନ ଭାବ ପ୍ରକାଶ କରାଯାଉଥିଲା । ଏହି 'ଗ୍ରନ୍ଥିଲେଖା'ରେ ଜଡ଼ ପଦାର୍ଥର ସମନ୍ୱୟଦ୍ୱାରା ଭାବପ୍ରକାଶର ଉଦାହରଣ ଆମ୍ଭେମାନେ ପାଇଥାଉଁ ଓ ବାସ୍ତବରେ ଏଗୁଡ଼ିକ ଲିପି ନ ହେଲେହେଁ ବା ସେଥିରୁ ଲିପିର ଉଦ୍ଭବ ସମ୍ଭବପର ନ ହେଲେହେଁ, ଭାବର ଆଦାନପ୍ରଦାନ ବିଷୟକ କୃତ୍ରିମତା ଏହି ରୀତିରେ ଅନୂସୃତ ହୋଇଅଛି । ସେହି କୃତ୍ରିମତା ଲିପିର ବ୍ୟବହାରରେ ସୁସ୍ପଷ୍ଟ । ବାସ୍ତବିକ ପ୍ରତ୍ୟେକ ଲିପି କୌଣସି ଧ୍ୱନିର ସାଙ୍କେତିକ ଚିହ୍ନ । ରୂପଦ୍ୱାରା ଧ୍ୱନି ନିର୍ଦ୍ଦେଶ କରିବା ଏହିତ କୃତ୍ରିମ ସଙ୍କେତମାନଙ୍କର ଉଦ୍ଦେଶ୍ୟ ।

ଅକ୍ଷର ବା ଲିପିମାଳାର ସୃଷ୍ଟି ଅତ୍ୟନ୍ତ ରହସ୍ୟମୟ ଓ ସଂସ୍କୃତ ଅକ୍ଷରମାନଙ୍କର ଇତିହାସ ଏପର୍ଯ୍ୟନ୍ତ ସମ୍ୟକ୍ ଭାବରେ ଆଲୋଚିତ ହୋଇ ନାହିଁ । ଅତି ପୁରାତନକାଳରେ ଯେପରି ପାରିପାର୍ଶ୍ୱିକ ନାନା ପ୍ରାକୃତିକ ଧ୍ୱନିକୁ ଅବଲମ୍ବନ କରି ଅର୍ଥଦ୍ୟୋତକ ଶବ୍ଦ ଗଠିତ ହୋଇଥିଲା, ସେହିପରି ନିଜର ଆବେଷ୍ଟନୀ ମଧ୍ୟସ୍ଥ ପଦାର୍ଥମାନଙ୍କର ରୂପକୁ ଅନୁସରଣ କରି ଲିପି ଗଠିତ ହୋଇଥିବା ସମ୍ଭବ । ଆଦିମ ଯୁଗରେ ଚିତ୍ରଲେଖା ରୀତି ପ୍ରଚଳିତ ଥିଲା ଅର୍ଥାତ୍ ଇଜିପ୍ଟ ପ୍ରଭୃତି ଦେଶରେ ଚିତ୍ରାଙ୍କନ ଦ୍ୱାରା ଅନ୍ୟକୁ ନିଜର ମନୋଭାବ ଜ୍ଞାପିତ କରିବାର ରୀତି ଅନୂସୃତ ହୋଇଥିଲା । ନିଜର ବାସଗୃହ, ନିଜର ଅଙ୍ଗପ୍ରତ୍ୟଙ୍ଗ, ନିଜର ଗୃହପାଳିତ ପଶୁ; ସୂର୍ଯ୍ୟ, ଚନ୍ଦ୍ର, ନଦୀ, ପର୍ବତ ପ୍ରଭୃତି ପ୍ରାକୃତିକ ଦୃଶ୍ୟ ଇତ୍ୟାଦି ନାନା ପଦାର୍ଥର ଛବି ଅଙ୍କିତ କରି ଦୂରସ୍ଥିତ ବ୍ୟକ୍ତିକୁ କୌଣସି ବିଷୟ ଜ୍ଞାପିତ କରାଯିବାର ରୀତି ପ୍ରଚଳିତ ହୋଇଥିଲା । ଆଦିମ ଅବସ୍ଥାରେ ପ୍ରତ୍ୟେକ ବସ୍ତୁକୁ ଯଥାଯଥଭାବରେ ଚିତ୍ରିତ କରିବାର ପ୍ରୟାସ କରାଯାଉଥିଲା, କିନ୍ତୁ ପରେ ଦ୍ରୁତ ଅଙ୍କନ କରିବାର ପ୍ରୟାସରୁ ଓ ସମସ୍ତଙ୍କର ଅଙ୍କନ କରିବାର ଅପାରଗତା ହେତୁରୁ ଚିତ୍ରଗୁଡ଼ିକ ସଙ୍କେତରେ ପର୍ଯ୍ୟବସିତ ହୋଇଥିଲା । ପ୍ରଥମରେ ମନୁଷ୍ୟର ସମ୍ପୂର୍ଣ୍ଣ ଚିତ୍ର ଅଙ୍କିତ କରିବାର ରୀତି ଥିଲା, ମାତ୍ର ପରେ କ୍ରମଶଃ ଅନ୍ୟାନ୍ୟ ଇତର ପ୍ରାଣୀମାନଙ୍କଠାରୁ ମନୁଷ୍ୟର ବିଭିନ୍ନତାସୂଚକ 'ଦ୍ୱିପଦ' ଗୁଣକୁ ଆଶ୍ରୟ କରି ⅄ ଏହି ଚିତ୍ର ସାଙ୍କେତିକଭାବରେ ମନୁଷ୍ୟ ଅର୍ଥରେ ବ୍ୟବହୃତ ହେବା ସମ୍ଭବପର । ଏହିପରି ମହିଷ ବା ଗାଈର ପୂର୍ଣ୍ଣ ଚିତ୍ର ପରିବର୍ତ୍ତରେ କେବଳ ଶୃଙ୍ଗଦ୍ୱୟ ସହିତ ତ୍ରିକୋଣୀକୃତି ମୁଖ (∀), ଗୃହର ପୂର୍ଣ୍ଣ ଏବଂ ଚିତ୍ର ପରିବର୍ତ୍ତରେ କେବଳ ଘର ଚାଳର ଚିତ୍ର (M) ଅଙ୍କିତ ହେବା ସ୍ୱାଭାବିକ । ନାନା ଭାଷାର ଆଦିମ ଅବସ୍ଥାରେ ଏହିପରି ସାଙ୍କେତିକ ଚିତ୍ରର ଅଙ୍କନରୀତି ପ୍ରଚଳିତ ଥିଲା ବୋଲି ଧାରଣା କରାଯାଇ ପାରେ ।

ଇଜିପ୍ଟ ଦେଶର ଚିତ୍ରାଙ୍କନପଦ୍ଧତି ଓ ଚିତ୍ରଲିପିର ଯେଉଁ ଉଦାହରଣମାନ ଆଜିପର୍ଯ୍ୟନ୍ତ ବିଦ୍ୟମାନ ଅଛି, ସେଥିରୁ ଏହି ଚିତ୍ରମାନଙ୍କ ବିଷୟରେ ଆମ୍ଭେମାନେ କେତେକ ଜ୍ଞାନ ଲାଭ କରି ପାରୁଁ ଓ ଏହି ଇଜିପ୍ଟ ଦେଶୀୟ ରୀତି କାଳକ୍ରମେ ନାନା ଦେଶୀୟ ଭାଷାର ଲିପିରେ ପରିଣତ ହୋଇଥିଲା ବୋଲି ଭାଷାତତ୍ତ୍ୱବିତ୍‌ମାନଙ୍କର ମତ । ଭାରତୀୟ ଦେବନାଗରୀ ଲିପିମାଳା ଯେ ଏହି ଚିତ୍ରାଙ୍କନରୀତିରୁ ଫିନିସୀୟମାନଙ୍କଦ୍ୱାରା ଭାରତରେ ପ୍ରଚଳିତ ହୋଇଥିଲା ଓ ସେମାନଙ୍କ ସହିତ ସଂସ୍ପର୍ଶରେ ଆସିଥିବା ଭାରତୀୟ ମନୀଷୀମାନଙ୍କଦ୍ୱାରା କଳ୍ପିତ ହୋଇଥିଲା, ସେଥିରେ ସନ୍ଦେହ ନାହିଁ । ମାତ୍ର ଠିକ୍ କେଉଁ ସମୟରେ ଲିପିମାନ ଏପରିଭାବରେ ପ୍ରଚଳିତ ହେଲା, ସେ ବିଷୟରେ ନାନା ମତବାଦ ଦେଖାଯାଇଥାଏ ।

ଏହି ଚିତ୍ରଗୁଡ଼ିକ ସଙ୍କେତ ହେଉ ବା ପୂର୍ଣ୍ଣ ଚିତ୍ର ହେଉ, ତାହା ଗୋଟିଏ ସମ୍ପୂର୍ଣ୍ଣ ଭାବ ବା ଶବ୍ଦର ଦ୍ୟୋତକ ବୋଲି ମନେ କରାଯାଇପାରେ । ଅର୍ଥାତ୍ ଏଗୁଡ଼ିକ ଅକ୍ଷର ବା ବର୍ଣ୍ଣ ସହିତ ସମ୍ପୃକ୍ତ ନୁହନ୍ତି, ଭାବ ବା ବସ୍ତୁ ସହିତ ପ୍ରତ୍ୟକ୍ଷଭାବରେ ସମ୍ପୃକ୍ତ; ଯେପରି ⅄ ଲେଖିଲେ 'ମ' କିମ୍ବା ସେହିପରି ଧ୍ୱନି ସଙ୍କେତକୁ ନ ବୁଝାଇ 'ମନୁଷ୍ୟ' ଏହି ଭାବବସ୍ତୁକୁ ବୁଝାଉଥିଲା । ମୂଳତଃ ପ୍ରତ୍ୟେକ ଚିତ୍ର ଗୋଟିଏ ସମ୍ପୂର୍ଣ୍ଣ ଅର୍ଥଦ୍ୟୋତକ ପଦ ଓ ତାହା କୌଣସି ବସ୍ତୁର ପ୍ରତିଛବି । ଏଣୁ ଏହି ରୀତି ଯଦି ଅନୁସୃତ ହୋଇଥାନ୍ତା, ତେବେ ପୃଥିବୀର ପ୍ରତ୍ୟେକ ଲୋକ ଅନ୍ୟ ଲୋକର ଭାବକୁ ବୁଝି ପାରନ୍ତା । ଗାଈର ଗୋଟିଏ ଛବି ଆଙ୍କିଲେ ତାହା ପୃଥିବୀର ସମସ୍ତ ଲୋକ 'ଗାଈ' ବୋଲି ଧାରଣା କରି ପାରିବେ ଓ ସେହି ଧାରଣା ସବୁଠାରେ ସମାନ ହେବ । କୌଣସି ଭାଷାରେ ଗାଈର ନିର୍ଦ୍ଦେଶକ ବିଶିଷ୍ଟ ଶବ୍ଦ ନ ଥିଲେ ମଧ୍ୟ ସେହି ଭାଷାଭାଷୀ ବ୍ୟକ୍ତିମାନେ ନିର୍ଦ୍ଦେଶିତ ପ୍ରାଣୀବିଷୟରେ ଧାରଣା କରି ପାରିବେ । ଏଣୁ ଚିତ୍ର ବା ଚିତ୍ରଲିପିକୁ ସାର୍ବଜନୀନ ଭାଷା ବୋଲାଯାଇ ପାରେ । ବର୍ତ୍ତମାନ ମଧ୍ୟ ବିଦେଶରେ ନିଜର ମନୋଭାବ ବ୍ୟକ୍ତ କରିବା ନିମନ୍ତେ ଲୋକେ ଚିତ୍ର ବା ଅଙ୍ଗବିକ୍ଷେପର ଆଶ୍ରୟ ନେଇଥାନ୍ତି । କ୍ରମଶଃ ଚିତ୍ରଗୁଡ଼ିକ ସାଙ୍କେତିକ ରୂପରେ ପରିଣତ ହେଲା । ଆସ୍ତେ ଆସ୍ତେ ବସ୍ତୁ ନିରପେକ୍ଷ ଭାବକୁ ପ୍ରକାଶିତ କରିବା ନିମନ୍ତେ ନାନା ପ୍ରକାର ଚିତ୍ରସଙ୍କେତ ପ୍ରଚଳିତ ହେଲା । କ୍ରମଶଃ ଧ୍ୱନିକୁ ବିଶ୍ଳିଷ୍ଟ କରି ବର୍ଣ୍ଣର ଉଦ୍ଭାବନା ରୀତିରେ ଚିତ୍ରକୁ ବିଶ୍ଳିଷ୍ଟ କରି ଧ୍ୱନି ସହିତ ସମ୍ପୃକ୍ତ କରିବାର ରୀତି ପ୍ରଚଳିତ ହେଲା ଓ ଏହି କାରଣରୁ ବିଭିନ୍ନ ଭାଷାରେ ବିଭିନ୍ନ ଲିପିର ପ୍ରଚଳନ କରାଯାଇଥିଲା । ଚୀନ ଭାଷାରେ ଏହିପରି ପାଞ୍ଚଶତ ଗୋଟି ବିଭିନ୍ନ ଲିପି ପ୍ରଚଳିତ ଓ ପ୍ରତ୍ୟେକ ଲିପି ଗୋଟିଏ ପୂର୍ଣ୍ଣ ଧ୍ୱନି ବା ଧ୍ୱନିସମଷ୍ଟିର ସୂଚକ । ଇଂରାଜୀ ଲିପିମାନଙ୍କୁ ବିଶ୍ଳେଷଣ କରି ସେମାନଙ୍କର ଇତିହାସ ନିର୍ଦ୍ଦେଶ କରାଯାଇଅଛି ଓ ଏଥିରୁ ଆମ୍ଭେମାନେ ନାନା ବର୍ଣ୍ଣର ଲିପିରୂପର ଉଦ୍ଭବ ଓ ପରିଣତି ବିଷୟରେ ନାନା କୌତୂହଳୋଦ୍ଦୀପକ ତଥ୍ୟ ପାଇଥାଉଁ । ଇଂରାଜୀ А ଅକ୍ଷରଟି ପୂର୍ବୋକ୍ତ ମହିଷ ବା ଗାଈସୂଚକ ଚିତ୍ରଲେଖାରୁ ଉଦ୍ଭୁତ । ∀ ଏହି ଚିତ୍ରଦ୍ୱାରା ଗାଈ ସୂଚିତ ହେଉଥିଲା । ଗାଈର ପୂର୍ବନାମ ଫିନିସୀୟ ଦେଶରେ 'Аleph', ଏହି ∀ ଚିତ୍ର ପରିବର୍ତ୍ତିତ ହୋଇ କ୍ରମଶଃ Αରେ ପରିଣତ ହେଲା ଓ 'Аleph'ର ପ୍ରଥମ ଧ୍ୱନି 'ଆ'ର ଦ୍ୟୋତକରୂପରେ ବ୍ୟବହୃତ ହେଲା, ଏହିପରି Κ ଅକ୍ଷରଟି ହାତର ʞ ପ୍ରତିଚ୍ଛବିରୁ ଗୃହୀତ । ଏହି ଛବିର ଆଦିମ ଧ୍ୱନିରୂପ କାଫ, ବର୍ତ୍ତମାନ କେତେକ ଭାଷାରେ 'କାଫ' ହାତ ଅର୍ଥରେ ପ୍ରଚଳିତ ଓ ଏହି ଧ୍ୱନିରୁ Κ ଅକ୍ଷର 'କ' ଧ୍ୱନି ସହିତ ସଂଶ୍ଳିଷ୍ଟ ହୋଇ ବର୍ତ୍ତମାନ ବ୍ୟବହୃତ ହେଉଅଛି । 'c' ଅକ୍ଷରଟି ଏହିପରି ଶୋଇଥିବା ଓଟର ଚିତ୍ରର ସାଙ୍କେତିକ ପରିଣତି, Μ ଅକ୍ଷର ଜଳତରଙ୍ଗର ଅନୁକୃତି, R ଅକ୍ଷର ମସ୍ତକର ପାର୍ଶ୍ୱଦେଶ ଚିତ୍ରରୁ ଉତ୍ପନ୍ନ (q) ଓ D ତମ୍ବୁର ତ୍ରକୋଣାକଟରି ଦ୍ୱାରଦେଶ (Δ)ର ଅନୁକୃତିରୁ ଜାତ । ଏହିପରି ପ୍ରତ୍ୟେକ ଇଂରାଜୀ ଅକ୍ଷରର ଉତ୍ପତ୍ତିରହସ୍ୟ, କ୍ରମ ବିକାଶ ଓ ପରିଣତି ସମ୍ବନ୍ଧରେ ଆମ୍ଭମାନଙ୍କର ପୂର୍ଣ୍ଣ ଜ୍ଞାନ ଭାଷାତତ୍ତ୍ୱବିଦ୍‌ମାନଙ୍କର ଅକ୍ଳାନ୍ତ ପରିଶ୍ରମରୁ ସମ୍ଭବପର ହୋଇଅଛି । ଗୋଟିଏ ଗୋଟିଏ ଅକ୍ଷରର ପୂର୍ଣ୍ଣ ପରିଣତି ପଛରେ ସହସ୍ର ସହସ୍ର ବର୍ଷର ଇତିହାସ ନିହିତ । ଏହି ଇତିହାସ ଅନୂଶୀଳନ କରିବା ଭାଷାତତ୍ତ୍ୱ ଜିଜ୍ଞାସୁମାନଙ୍କର ଅବଶ୍ୟ କର୍ତ୍ତବ୍ୟ ।

ଓଡ଼ିଆ ଲିପିର ସୃଷ୍ଟି: - ଆମ୍ଭମାନଙ୍କର ଓଡ଼ିଆ ଲିପି ସଂସ୍କୃତରେ ବ୍ୟବହୃତ ଲିପିରୁ ଓ ମୂଳତଃ ବ୍ରାହ୍ମୀ ଲିପିରୁ ଜାତ ହୋଇଅଛି । ଏହି ବ୍ରାହ୍ମୀ ଅକ୍ଷର ମଧ୍ୟ ଚିତ୍ରଲେଖାରୁ ଉଦ୍ଭୁତ ହୋଇଅଛି । ପ୍ରାଚୀନ ତାମ୍ରଲିପି ଓ ପ୍ରସ୍ତର ଗାତ୍ରରେ ଉତ୍କୀର୍ଣ୍ଣ ଲିପିମାନଙ୍କର ଅନୁଶୀଳନ କଲେ ଆମ୍ଭେମାନେ ଏହି ଚିତ୍ରଲେଖାର କିଞ୍ଚିତ୍ ପରିଚୟ ପାଇଥାଉଁ, ମାତ୍ର ତାହା ଅତି ସାମାନ୍ୟ । ବ୍ରାହ୍ମୀ ଲିପି କେଉଁ ସମୟରେ ଉଦ୍ଭାବିତ ହୋଇଥିଲା ଏବଂ ଚିତ୍ରରୁ ସାଙ୍କେତିକ ଅକ୍ଷରରେ ପରିଣତ ହୋଇ କିପରିଭାବରେ କ୍ରମ ବିକାଶ ବା ବିବର୍ତ୍ତନ ମଧ୍ୟ ଦେଇ ବର୍ତ୍ତମାନ ଲିପିମାନଙ୍କରେ ପର୍ଯ୍ୟବସିତ ହୋଇଅଛି, ସେସବୁର ପୂର୍ଣ୍ଣ ବିବରଣ ପାଇବା ବର୍ତ୍ତମାନ ସମ୍ଭବପର ନୁହେଁ । ମହାମହୋପାଧ୍ୟାୟ ଶାମଶାସ୍ତ୍ରୀଙ୍କ ମତରେ ଦେବତାମାନଙ୍କର ପୂଜା ପ୍ରଭୃତିରେ ବ୍ୟବହୃତ ହେଉଥିବା ନାନାପ୍ରକାର ଉପକରଣକୁ ଅନୁକରଣ କରି ପୂର୍ବେ ବ୍ରାହ୍ମୀ ଲିପିର ବିକାଶ ସାଧିତ ହୋଇଥିଲା । ପୁଣି କେତେକ ଭାଷାତତ୍ତ୍ୱବିତ୍ ପଣ୍ତିତଙ୍କ ମତରେ ମୂଳ ଫିନିସୀୟ ଲିପିରୁ ବ୍ରାହ୍ମୀ ଲିପି ଓ ଜଗତର ପ୍ରାୟ ଅନ୍ୟାନ୍ୟ ସମସ୍ତ ଲିପିର ଉଦ୍ଭବ ହୋଇଅଛି । ଇଉରୋପୀୟ ଭାଷାତତ୍ତ୍ୱବିତ୍‌ମାନଙ୍କ ମତରେ ଇଜିପ୍ଟଦେଶୀୟ ଚିତ୍ରଲେଖା ପଦ୍ଧତିରୁ ଏକ ଦିଗରେ ଫନିସୀୟ ଲିପି ଓ ତହିଁରୁ ଗ୍ରୀକ୍, ଲାଟିନ ପ୍ରଭୃତିରେ ବ୍ୟବହୃତ ରୋମକ ଲିପିମାଳା ଓ ଅନ୍ୟ ଦିଗରେ ଆର୍ମାନୀୟ ଲିପି ଓ ତହିଁରୁ ହିବ୍ରୁ, ପାରସିକ, ଭାରତୀୟ ବ୍ରାହ୍ମୀ ବା ଦେବନାଗରୀ ଲିପି ଓ ଚୀନ ଦେଶରେ ବ୍ୟବହୃତ ମୋଙ୍ଗଳ ଓ ମାନ୍‌ଚୁ ଲିପିମାନ ଉଦ୍ଭୂତ ହୋଇଅଛି । ଫିନିସୀୟ ଓ ଆର୍ମାନୀୟ ଲିପି ମଧ୍ୟରେ ପ୍ରଧାନ ପାର୍ଥକ୍ୟ ଏହି ଯେ ଫିନିସୀୟ ଲିପିମାନଙ୍କରେ ସ୍ୱରବର୍ଣ୍ଣର ମାତ୍ରାଚିହ୍ନ (ା,ି,ୁ ପ୍ରଭୃତି) ବ୍ୟବହୃତ ହୁଏ ନାହିଁ, କିନ୍ତୁ ପ୍ରାଚ୍ୟ ସମସ୍ତ ଭାଷାମାନଙ୍କରେ ଆର୍ମାନୀୟ ଭାଷାକୁ ଅନୂସରଣ କରି ମାତ୍ରାଚିହ୍ନମାନ ବ୍ୟବହୃତ ହୁଏ । ପୁଣି ସଂସ୍କୃତରେ ଯେପରି ମାତ୍ରାଚିହ୍ନ ବ୍ୟବହୃତ ହୁଏ, ଜାପାନୀ ଭାଷାରେ ମଧ୍ୟ ସେହିପରି ମାତ୍ରାଚିହ୍ନର ବ୍ୟବହାର ସୁପ୍ରଚଳିତ । ଏହି ଭାଷାର ଲିପି ମୂଳତଃ ଚୀନ ଲିପିମାଳାର ଅନୂକରଣରେ ରଚିତ ହୋଇଥିଲେହେଁ କେବୋତାଇଷି ନାମକ ଜଣେ ଜାପାନ ଦେଶବାସୀ ଭାଷାତତ୍ତ୍ୱବିତ୍ ସଂସ୍କୃତ ଚର୍ଚ୍ଚା କରି ଲିପିମାଳାର ବ୍ୟବହାର ପ୍ରବର୍ତ୍ତନ କରିବାରେ ବ୍ରତୀ ହୋଇଥିବାରୁ ଚୀନ ଭାଷାରେ ଅବ୍ୟବହୃତ ମାତ୍ରାଚିହ୍ନମାନ ଜାପାନରେ ସୁପ୍ରଚଳିତ ହୋଇଅଛି । ଯାହାହେଉ, ବ୍ରାହ୍ମୀ ଲିପିର ଉଦ୍ଭବ ବିଷୂରେ ମତାନ୍ତର ଥିଲେହେଁ ଏହି ଲିପିକୁ ଅବଲମ୍ବନ କରି ଓଡ଼ିଆ, ବଙ୍ଗଳା, ହିନ୍ଦୀ ପ୍ରଭୃତି ଭାଷାର ଲିପି ଯେ ପ୍ରଚଳିତ ହୋଇଅଛି ଏଥିରେ ସନ୍ଦେହ ନାହିଁ । ଅଶୋକଙ୍କ ସମୟରେ ʞ ଦ୍ୱାରା 'ଅ', ∴ ଦ୍ୱାରା 'ଇ', L ଦ୍ୱାରା 'ଉ', + ଦ୍ୱାରା 'କ', Λ ‌‌ଦ୍ୱାରା 'ଗ', ď ଦ୍ୱାରା 'ଚ', Ε ବା ϵ ଦ୍ୱାରା 'ଜ', ⅄ ଦ୍ୱାରା 'ତ', ┴ ଦ୍ୱାରା 'ନ', ଓ । ଦ୍ୱାରା 'ର', ଧ୍ୱନି ସୂଚିତ ହେଉଥିଲା ଓ ଏହି ଅକ୍ଷରମାନଙ୍କ ମଧ୍ୟରୁ ଅନେକ ଗୁଡ଼ିଏ ଇଂରାଜୀ ରୋମକ ଲିପିର ମୂଳସ୍ଥାନୀୟ ଫନିସୀୟ ଲିପି ସହିତ ଅନେକାଂଶରେ ସମାନ । ମାତ୍ର ଫନିସୀୟ + ଚିହ୍ନ ଦ୍ୱାରା ଟ ଧ୍ୱନି ସୂଚିତ ହେଉଥିବା ସ୍ଥଳେ ଏହି ଚିହ୍ନଦ୍ୱାରା ଅଶୋକଙ୍କ ଲିପିରେ 'କ' ଧ୍ୱନି ସୂଚିତ ହେଉଅଛି ଓ ଫନିସୀୟ ʞ ଦ୍ୱାରା 'କ' ଧ୍ୱନି ସୂଚିତ ହେଉଥିବା ସ୍ଥଳେ ଏହି ଚିହ୍ନଦ୍ୱାରା ଅଶୋକଙ୍କ ଲିପିରେ 'ଅ' ଧ୍ୱନି ସୂଚିତ ହେଉଅଛି ଓ ଅନ୍ୟାନ୍ୟ ଲିପିମାନଙ୍କରେ ମଧ୍ୟ ଏହିପରି ପାର୍ଥକ୍ୟ ସୁପରିସ୍ଫୁଟ । ଅବଶ୍ୟ ଅଶୋକଙ୍କ ଲିପି ଯେଉଁ ସମୟରେ ବ୍ୟବହୃତ ହୋଇଥିଲା, ସେ ସମୟରେ ବୈଦିକ ଭାଷା ଅତ୍ୟନ୍ତ ଉନ୍ନତିଲାଭ କରିଥିଲା ଓ ସେଥିରୁ ପାଲି, ପ୍ରାକୃତ ପ୍ରଭୃତି ଉପଭାଷାମାନଙ୍କର ଉତ୍ପତ୍ତି ସାଧିତ ହୋଇଥିଲା; ଏଣୁ ଏହି ଲିପି ଯେ ପ୍ରାଚୀନତମ, ଏହା ବୋଲାଯାଇ ନ ପାରେ । ପ୍ରାଚୀନତମ ଭାରତୀୟ ଲିପି ବିଷୟରେ ବର୍ତ୍ତମାନ ମଧ୍ୟ ଗବେଷଣାର ଅବକାଶ ଅଛି; ମାତ୍ର ଅଶୋକଙ୍କ ପୂର୍ବବର୍ତ୍ତୀକାଳର କୌଣସି ସମ୍ପୂର୍ଣ୍ଣ ଭାରତୀୟ ଲିପି ଆଜିପର୍ଯ୍ୟନ୍ତ ଆବିଷ୍କୃତ ହୋଇ ନ ଥିବା ସ୍ଥଳେ ଗିରିନାର ଚଟାଣରେ ଲିଖିତ ଲିପିକୁ ଆମ୍ଭେମାନେ ଅତି ପ୍ରାଚୀନ ବୋଲି ମନେ କରିଥାଉଁ । କିନ୍ତୁ ଏହି ଲିପି ବ୍ୟବହାରରେ ଅନ୍ତତଃ ତିନି ହଜାର ବର୍ଷ ପୂର୍ବେ ଭାରତୀୟ ସଭ୍ୟତାର ଯେଉଁ ନମୁମାମାନ ବର୍ତ୍ତମାନ ଆବିଷ୍କୃତ ହେଉଅଛି ଓ ଭାରତୀୟ ସାହିତ୍ୟର ଯେଉଁ ଉନ୍ନତି ଓ ପ୍ରସାର ଆମ୍ଭମାନଙ୍କର ନୟନଗୋଚର ହୁଏ, ସେଥିରୁ ଏହି ଲିପି ବ୍ୟବହାରର ବହୁ ଶତାବ୍ଦୀ ପୂର୍ବେ ଅନ୍ୟ ପ୍ରକାର ଲିପି ପ୍ରଚଳିତ ଥିବା ସମ୍ଭବ । ଏହି ପ୍ରାଚୀନତମ ଲିପିର ସ୍ୱରୂପ ଆମ୍ଭମାନଙ୍କୁ ଜଣା ନାହିଁ । ବୋଧ ହୁଏ, ଏହି ପ୍ରାଚୀନତମ ଲିପିରେ ସ୍ୱର ଓ ବ୍ୟଞ୍ଜନ ବର୍ଣ୍ଣମାନ ପୃଥକ୍ ପୃଥକ୍ ଭାବରେ ଚିହ୍ନିତ ହୋଇ ନ ଥିଲା । ବୋଧ ହୁଏ ସ୍ୱରବର୍ଣ୍ଣର ଦୀର୍ଘତାସୂଚକ ପୃଥକ୍ ଲିପିର ବ୍ୟବହାର ନ ଥିଲା ଏବଂ ସ୍ୱରବର୍ଣ୍ଣମାନଙ୍କର ମାତ୍ରାଚିହ୍ନ ମଧ୍ୟ ବ୍ୟବହୃତ ହେଉ ନ ଥିଲା । ମାତ୍ର ଏସମସ୍ତ କେବଳ ଅନୁମାନ । ଏଗୁଡିକର କୌଣସି ଐତିହାସିକ ଭିତ୍ତି ନାହିଁ । ଗିରିନାର ଲିପିରେ ମାତ୍ରାର ବ୍ୟବହାର ଥିବାରୁ ତାହାର ପ୍ରାଚୀନତା ବିଷୟରେ ସନ୍ଦେହ ମଧ୍ୟ ଅନୁମାନ ଉପରେ ପ୍ରତିଷ୍ଠିତ । ଯାହାହେଉ, ବର୍ତ୍ତମାନ ଓଡ଼ିଆ ଲିପିମାନ ଯେ ପୁରାତନ ଗିରନାର ଲିପି ବା ବ୍ରାହ୍ମୀ ଲିପିରୁ ଉଦ୍ଭୂତ ଏଥିରେ ସନ୍ଦେହ ନାହିଁ । ଏହି ଲିପିର କ୍ରମବିବର୍ତ୍ତନ ଆଲୋଚନା କଲେ ଆମ୍ଭେମାନେ ଭିନ୍ନ ଭିନ୍ନ ସମୟରେ ଓଡ଼ିଆ ଲିପିର ଆକୃତି ବିଷୟରେ ସ୍ଥିରସିଦ୍ଧାନ୍ତରେ ଉପନୀତ ହୋଇ ପାରିବା । ଓଡ଼ିଆ 'ଗ' ଧ୍ୱନିସୂଚକ 'ଗ' ଅକ୍ଷରର ମୂଳ ଆକାର Λ, ପରେ ଏହି ସାଙ୍କେତିକ ଚିହ୍ନଟି କ୍ରମଶଃ ବିବର୍ତ୍ତିତ ହୋଇ ଗ ରେ ପରିଣତ ହୋଇଅଛି; ଏହିପରି + ଚିହ୍ନ କ୍ରମଶଃ क କ ରେ ପରିଣତ ହୋଇଅଛି । ଦ୍ରୁତ ଉଚ୍ଚାରଣ ବା ଆଳସ୍ୟନିବନ୍ଧନ ଯେପରି ଧ୍ୱନିର ନାନା ବିକାର ବା ବିପର୍ଯ୍ୟୟ ଘଟେ, ସେହିପରି ଦ୍ରୁତ ଲିଖନ ପ୍ରୟାସରୁ ଲିପିମାନଙ୍କର ନାନା ବିବର୍ତ୍ତନ ଘଟିଅଛି, ପୁଣି ଦ୍ରାବିଡ଼ ଭାଷାର ପ୍ରଭାବରୁ ତାଳପତ୍ର ଲେଖନଦ୍ୱାରା ରେଖାଙ୍କନ ହେତୁରୁ ଓଡ଼ିଆ ଅକ୍ଷରମାନଙ୍କର ମଣ୍ତଳୀ ବ୍ୟବହାର ପ୍ରଚଳିତ ହୋଇଅଛି । ଏଣୁ ମୂଳତଃ ଏହି ଲିପି ବଙ୍ଗଳା, ହିନ୍ଦୀ ଓ ଅନ୍ୟାନ୍ୟ ଲିପି ସହିତ ଏକ ଜ୍ଞାତିଭୁକ୍ତ ହେଲେହେଁ ବର୍ତ୍ତମାନ ଓଡ଼ିଆ ଲିପି ଗୋଟିଏ ସୁସ୍ପଷ୍ଟ ଭିନ୍ନ ରୂପ ଧାରଣ କରିଅଛି ।

ପାଞ୍ଚ ସହସ୍ର ବର୍ଷ ମଧ୍ୟରେ ବ୍ରାହ୍ମୀ ଲିପିଗୁଡ଼ିକ ନାନା ପ୍ରକାରରେ ବିକୃତ ହୋଇ ଆଧୁନିକ ଓଡ଼ିଆ ଲିପିରେ ପରିଣତ ହୋଇଅଛି । ଛାପା ଅକ୍ଷର ପ୍ରବର୍ତ୍ତନପୂର୍ବରୁ ଏହି ଲିପିଗୁଡ଼ିକ ପୁଣି ଦ୍ରୁତଲିଖନ ପ୍ରୟାସରେ କରଣି ଅକ୍ଷରରେ ପରିଣତ ହେଉଥିଲା, ମାତ୍ର ଛାପାଲିପିର ବ୍ୟବହାର ସମୟରୁ କରଣି ଅକ୍ଷରମାନଙ୍କର ବ୍ୟବହାର କ୍ରମଶଃ କମିଯାଉଅଛି । କେତେକ ବିଶେଷ କ୍ଷେତ୍ରରେ ପୁଣି ଅତି ଆଧୁନିକ ସମୟରେ ଛାପା ଅକ୍ଷରର ପରିବର୍ତ୍ତନ ସାଧିତ ହୋଇଅଛି ଓ ବ୍ୟବହାର କ୍ରମରେ ନୂତନ ଅକ୍ଷରର ପ୍ରବର୍ତ୍ତନ ମଧ୍ୟ ଘଟୁଅଛି । ପ୍ରୟୋଜନ ଅନୁରୋଧରୁ ଭାଷାକୋଷରେ ୱ ଅକ୍ଷର ବ୍ୟବହୃତ ହୋଇଅଛି ଓ ସତ୍ୟବାଦୀରେ ଅନୁନାସିକ ଯୁକ୍ତାକ୍ଷର ପରିବର୍ତ୍ତରେ ଅନୁସ୍ୱାର ବ୍ୟବହାର କରିବାର ପ୍ରୟାସ ମଧ୍ୟ ହୋଇଅଛି । ଓଡ଼ିଶାର ବିଭିନ୍ନାଞ୍ଚଳରେ କେତେକ ବିଶେଷ ଲିଖନପ୍ରଣାଳୀ ବ୍ୟବହୃତ ହେଉଥିଲେହେଁ ମୂଳତଃ ଛାପା ବହିର ପ୍ରଭାବରୁ ଓଡ଼ିଆ ଲିପିର ନିରିଖ ସ୍ଥାପିତ ହୋଇଅଛି ଓ ଏହି ଲିପି ସହିତ ପ୍ରତ୍ୟେକ ଓଡ଼ିଆ ଭାଷାଭାଷୀ ସୁପରିଚିତ ।

ଓଡ଼ିଆ ଲିପି ସହିତ ଯେଉଁ ଗୋଲାକୃତି ମଣ୍ତଳ ବ୍ୟବହୃତ ହୋଇଅଛି, ତାହା ଦ୍ରାବିଡ଼ ଭାଷା ସହିତ ସଂଶ୍ରବର ଫଳ ଅଥବା ତାହା ସ୍ୱତନ୍ତ୍ରଭାବରେ ଓଡ଼ିଆ ଭାଷାରେ ଉଦ୍ଭୂତ ହୋଇଥିଲା, ତାହା ନିଶ୍ଚିତଭାବରେ ଜାଣିବାର ସୁବିଧା ବର୍ତ୍ତମାନ ନାହିଁ । ଅନେକଙ୍କ ମତରେ ଓଡ଼ିଆ ଲିପିଗୁଡ଼ିକ ତାଳପତ୍ର ଓ ଲୌହ ଲେଖନର ବ୍ୟବହାର ହେତୁରୁ ଗୋଲାକୃତି ଧାରଣା କରିଅଛି, ପୁଣି ଅନ୍ୟ କେତେକଙ୍କ ମତରେ ଓଡ଼ିଆ ଲିପିମାନ ପୂର୍ବରେ ବଙ୍ଗଳା ଲିପି ପରି ତ୍ରିକୋଣାକୃତି ଥିଲା; ମାତ୍ର ଦ୍ରାବିଡ଼ ଭାଷାରେ ସଂସ୍ପର୍ଶରେ ଆସି ଏହା ଗୋଲାକୃତି ଧାରଣା କରିଅଛି । ଅନେକାଂଶରେ ଓଡ଼ିଆ ଲିପି ବଙ୍ଗଳା ଲିପି ଅପେକ୍ଷା ପ୍ରାଚୀନତର ଓ ଉଭୟ ଲିପିର କ୍ରମ ବିକାଶ ଆଲୋଚନା କଲେ ଦେଖାଯାଏ ଯେ, ଥ, ଧ, ଖ, ଗ, ଘ, ଠ, ପ, ଶ ଏହି ଲିପିମାନଙ୍କର ଓଡ଼ିଆ ଲିଖନଭଙ୍ଗୀ ବଙ୍ଗଳା ଭାଷାରେ ବ୍ୟବହୃତ ରୂପ ଅପେକ୍ଷା ମୂଳ ଲିପିର ଅନୁବର୍ତ୍ତୀ । ଆହୁରି ମଧ୍ୟ କେତେକ ବଙ୍ଗଳା ଶିଳାଲିପିମାନଙ୍କରେ ଓଡ଼ିଆ ଅକ୍ଷରର ଅନୁରୂପ ଲିପିର ବ୍ୟବହାର ଦେଖାଯାଇଥାଏ । ଅନ୍ୟ ଦିଗରେ ବଙ୍ଗଳା କ, ଛ, ଟ, ନ, ବ ପ୍ରଭୃତି ଲିପି ଅନୁରୂପ ଓଡ଼ିଆ ଲିପି ଅପେକ୍ଷା ପ୍ରାଚୀନତର ବୋଲି କାହାରି କାହାରି ମତ । ମାତ୍ର ବାସ୍ତବରେ ଲିପିମାନଙ୍କର କ୍ରମବିକାଶର ସୁସମ୍ବନ୍ଧ ଓ ସୁନିଶ୍ଚିତ ଇତିହାସ ନ ଥିବା ସ୍ଥଳେ ଆମ୍ଭେମାନେ କେବଳ ଅନୁମାନ ଉପରେ ନିର୍ଭର କରି ସେମାନଙ୍କ ପ୍ରାଚୀନତା ବିଷୟରେ କିଛି ସ୍ଥିର କରି ନ ପାରୁ । ଅନେକ ପ୍ରାଚୀନ ଲେଖାରେ ଯେଉଁ ଭାଷା ବ୍ୟବହୃତ ହୋଇଅଛି, ତାହା ଓଡ଼ିଆ କି ବଙ୍ଗଳା ଏ ବିଷୟରେ ମଧ୍ୟ ସନ୍ଦେହର ଅବକାଶ ଅଛି । ଉଭୟ ଦେଶର ସୁଧୀମାନଙ୍କ ମଧ୍ୟରେ ଏ ବିଷୟରେ ପ୍ରବଳ ମତଦ୍ୱୈଧ ଲକ୍ଷିତ ହେଉଥିବା ସ୍ଥଳେ ଅନୁମାନ ଉପରେ ନିର୍ଭର କରି କୌଣସି ଲିପି ବା ଭାଷାକୁ ପ୍ରାଚୀନତର ବୋଲି କହିବା ସମୀଚୀନ ହେବ ନାହିଁ । ପ୍ରାୟ ଏକ ସହସ୍ର ବର୍ଷ ପୂର୍ବେ ଓଡ଼ିଆ ଲିପିମାନ ଯେ ସୁସ୍ପଷ୍ଟ ଆକାର ଧାରଣ କରିଥିଲା, ତାହା ଏକାଦଶ, ଦ୍ୱାଦଶ ଶତାବ୍ଦୀରେ ବ୍ୟବହୃତ ଓଡ଼ିଆ ଶିଳାଲିପି ଓ ତାମ୍ରଲିପିମାନଙ୍କରୁ ସ୍ପଷ୍ଟ ପ୍ରତୀୟମାନ ହୁଏ । ଶିଳାଲିପିରେ ବ୍ୟବହୃତ ହେବାର ଅନ୍ତତଃ ପାଞ୍ଚଶତ ବର୍ଷ ପୂର୍ବରୁ ଏ ଦେଶରେ ଲିପିମାଳା ପ୍ରଚଳିତ ଥିବା କଥା ଅନୂମାନ କରିବା ଅନୂଚିତ ହେବ ନାହିଁ ।

ଭାଷାରେ ଲିପିମାଳାର ବ୍ୟବହାର ଆରମ୍ଭ ହେବା ସମୟରେ ଅକ୍ଷରସମାବେଶ ରୀତି ମଧ୍ୟ ନାନ ଭାବରେ ପରିବର୍ତ୍ତିତ ହୋଇଅଛି । ଅତି ପ୍ରାଚୀନ କାଳରେ ଫିନିସୀୟ ବା ପ୍ରାଚୀନ ଗ୍ରୀକ୍ ଭାଷା ଆଧୂନିକ ପାରସିକ ଓ ଆରବଦେଶୀୟ ଭାଷା ପରି ଦକ୍ଷିଣରୁ ବାମକୁ ଲିଖିତ ହେଉଥିଲା । ଅନେକଦିନ ପର୍ଯ୍ୟନ୍ତ ତାହାହିଁ ଲିଖନରୀତି ଥିଲା । ଇଜିପ୍‌ଟଦେଶୀୟ ଚିତ୍ରଲେଖାରେ ବାମରୁ ଦକ୍ଷିଣକୁ ଲେଖିବାର ରୀତି ପ୍ରଚଳିତ ଥିଲା । କ୍ରମଶଃ ପ୍ରାଚୀନ ଗ୍ରୀକ୍ ଭାଷାରେ ଦକ୍ଷିଣରୁ ବାମ ଓ ବାମରୁ ଦକ୍ଷିଣ ଏହି ଉଭୟ ପ୍ରକାର ରୀତି ପ୍ରଚଳିତ ହେଲା, ପ୍ରଥମ ଛତ୍ରଟି ଦକ୍ଷିଣରୁ ବାମ ଓ ଦ୍ୱିତୀୟଟି ବାମରୁ ଦକ୍ଷିଣ, ପୁଣି ତୃତୀୟଟି ଦକ୍ଷିଣରୁ ବାମ ଓ ଚତୁର୍ଥ ବାମରୁ ଦକ୍ଷିଣ ଏହିପରି ରୀତିରେ ଲେଖାଯାଉଥିଲା । ଚାଷ କରିବା ସମୟରେ ବଳଦ ଯେପରି କ୍ଷେତ୍ରର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଯାଏ ଓ ପୁନରାୟ ସେହି ପ୍ରାନ୍ତରୁ ପୂର୍ବ ପ୍ରାନ୍ତକୁ ଫେରି ଆସେ ଓ ପୁଣି ସେହି ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଗତି କରେ, ସେହିପରି ଚାଷ ପ୍ରକ୍ରିୟାର ଅନୁକରଣରେ ଲେଖା ଦକ୍ଷିଣରୁ ବାମ ଓ ବାମରୁ ଦକ୍ଷିଣକୁ ଗତି କରୁଥିଲା । ଏହି ଲିଖନଭଙ୍ଗୀ କେତେକ କାଳ ଧରି ପ୍ରଚଳିତ ଥିଲା । ପ୍ରାୟ ୨୫୦୦ ବର୍ଷ ପୂର୍ବେ ବର୍ତ୍ତମାନ ଲିଖନପ୍ରଣାଳୀ ଅନୂଯାୟୀ ବାମରୁ ଦକ୍ଷିଣକୁ ଲେଖିବାର ରୀତି ଗ୍ରୀକ୍ ଦେଶରେ ପ୍ରଚଳିତ ହେଲା । ଭାରତରେ ବ୍ରାହ୍ମୀ ଲିପିର ଲିଖନପ୍ରଣାଳୀ ବାମରୁ ଦକ୍ଷିଣକୁ ଓ ଏହି ଲିପିର ପ୍ରଥମ ଆବିଷ୍କୃତ ଲେଖା ପ୍ରାୟ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଅଥବା ଆଜିକୁ ପ୍ରାୟ ୨୩୦୦ ବର୍ଷ ପୂର୍ବରେ ପ୍ରଚଳିତ ହୋଇଥିବାରୁ ଭାରତରେ କୌଣସି ସମୟରେ ଡାହାଣରୁ ବାମକୁ ଲେଖିବାର ରୀତି ପ୍ରଚଳିତ ଥିଲା କି ନାହିଁ ତାହା ଜାଣିବାର କୌଣସି ଉପାୟ ନାହିଁ । ଅଶୋକଙ୍କ ଶିଳାଲିପି ପୂର୍ବରୁ ଭାରତୀୟ ଲିପିର କୌଣସି ପ୍ରାମାଣିକ ନିଦର୍ଶନ ନ ମିଳିବା ପର୍ଯ୍ୟନ୍ତ ଏ ବିଷୟରେ କୌଣସି ସ୍ଥିରସିଦ୍ଧାନ୍ତରେ ପହଞ୍ଚିବା ଅସମ୍ଭବ । କିନ୍ତୁ ଆରବ, ପାରସିକ ପ୍ରଭୃତି ଭାଷାରେ ପ୍ରାଚୀନକାଳରୁ ଡାହାଣରୁ ବାମକୁ ଲେଖିବା ରୀତି ଆଜି ପର୍ଯ୍ୟନ୍ତ ପ୍ରଚଳିତ ଓ ଅତି ଆଧୁନିକ ଉର୍ଦ୍ଦୁ ଭାଷାରେ ମଧ୍ୟ ଏହି ରୀତି ଅନୁସୃତ । ଚୀନ ଦେଶରେ ଉପରୁ ତଳକୁ ଲେଖିବା ରୀତି ପ୍ରଚଳିତ ଅଛି ଓ କେତେକ ଜାପାନୀ ଲେଖାରେ ମଧ୍ୟ ପୂର୍ବେ ଏହି ରୀତି ଅନୂସୃତ ହୋଇଥିଲା । ମାତ୍ର ଏ ରୀତି ସାଧାରଣତଃ ଅନ୍ୟ ଭାଷାମାନଙ୍କରେ ଦେଖାଯାଏ ନାହିଁ ।

ବାସ୍ତବରେ କୌଣସି ଲିପି ସମ୍ପୂର୍ଣ୍ଣ ବା ଆଦର୍ଶସ୍ଥାନୀୟ ନୂହେଁ । ନାନାଭାଷାରେ ବ୍ୟବହୃତ ଲିପିମାନଙ୍କରେ ନାନାପ୍ରକାର ତ୍ରୂଟି ଲକ୍ଷିତ ହୋଇଥାଏ । ଅଭ୍ୟାସବଶତଃ ଆମ୍ଭେମାନେ ଏହି ସବୁ ତ୍ରୁଟି ପ୍ରତି ଅବହିତ ହେଉନାହିଁ, କିନ୍ତୁ ଅନ୍ୟ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ଅନୁଲେଖ ସମୟରେ ଏହି ସବୁ ତ୍ରୁଟି ଆମ୍ଭମାନଙ୍କର ନୟନଗୋଚର ହୋଇଥାଏ । ଯେଉଁମାନେ ଆରବୀ ଭାଷାର ଶବ୍ଦମାନଙ୍କୁ ଓଡ଼ିଆରେ ଅନୂଲିଖିତ କରିବାର ପ୍ରୟାସ କରିଥିବେ, ସେମାନେ ଏହାର ସତ୍ୟତା ଉପଲବ୍ଧି କରି ପାରିବେ । ଆଜିକାଲି ସେହି କାରଣରୁ ଏକ ଆନ୍ତର୍ଜାତିକ ଧ୍ୱନିମୂଳକ ଲିପିମାଳା ପ୍ରବର୍ତ୍ତିତ କରିବାର ଚେଷ୍ଟା କରାଯାଉଅଛି, ମାତ୍ର ତାହା ଏତେ ଜଟିଳ ଓ ସୂକ୍ଷ୍ମ ଧ୍ୱନିମାନଙ୍କର ସାଙ୍କେତିକ ରୂପରେ ପୂର୍ଣ୍ଣ ଯେ ସାଧାରଣରେ ତାହାର ପ୍ରଚଳନ ଅସମ୍ଭବ । ସେଥିରେ ପୁଣି ଲୋମକ ଲିପି ବ୍ୟବହୃତ ହୋଇଥିବାରୁ ତାହା ସାରା ପୃଥିବୀରେ ସୁପ୍ରଚଳିତ ହେବା କଷ୍ଟକର ହେବ । ରୋମକ ଲିପି ଅପେକ୍ଷାକୃତ ସହଜସାଧ୍ୟ ବୋଲି ଅନେକ ଦେଶରେ ଏହି ଲିପିର ବ୍ୟବହାର ପ୍ରତି ଲୋକମାନଙ୍କର ଆଗ୍ରହ ଦେଖା ଯାଉଅଛି, ଏପରି କି ରବୀନ୍ଦ୍ରନାଥଙ୍କର କେତେ ଗୋଟି କବିତା ରୋମକ ଲିପିରେ ଅନୁଲିଖିତ ହୋଇ ପ୍ରଚାରିତ ହୋଇଅଛି । ଧ୍ୱନି ଓ ଲିପି ମଧ୍ୟରେ ସାମଞ୍ଜସ୍ୟ ବିଧାନ କରିବା ଏକ ବିରାଟ ବ୍ୟାପାର ଓ ସାଧାରଣ ଭାଷା ବ୍ୟବହାରରେ ଏହାର ପ୍ରୟୋଜନ ଦେଖାଯାଉ ନ ଥିବାରୁ ଏହା ପ୍ରତି ଲୋକମାନଙ୍କର ଦୃଷ୍ଟି ଆକୃଷ୍ଟ ହୋଇ ନାହିଁ ।

ବର୍ଣ୍ଣମାନଙ୍କର ସଂଯୋଗରୁ ନାନପ୍ରକାର ଶବ୍ଦ ଅର୍ଥଦ୍ୟୋତକଭାବରେ ଭାଷାରେ ବ୍ୟବହୃତ ହୁଏ । ଶବ୍ଦହିଁ ଭାଷାର ମୂଳ ବସ୍ତୁ । ପ୍ରତ୍ୟେକ ଶବ୍ଦ ଏକ ବା ଏକାଧିକ ବର୍ଣ୍ଣମାନଙ୍କର ସମନ୍ୱୟରେ ଗଠିତ । ପ୍ରତ୍ୟେକ ବର୍ଣ୍ଣର ଗୋଟିଏ ଧ୍ୱନିଗତ ଓ ଆକୃତିଗତ ରୂପ ଥିବାରୁ ପ୍ରତ୍ୟେକ ଶବ୍ଦର ମଧ୍ୟ ଗୋଟିଏ ଉଚ୍ଚାରଣ ଓ ଲିଖନବିଧି ବା ବନାନ ପ୍ରଚଳିତ । 'ରାମ' ଏହି ଶବ୍ଦରେ ବାସ୍ତବରେ ଚାରିଗୋଟି ବର୍ଣ୍ଣ ବ୍ୟବହୃତ ଓ ଏହି ଶବ୍ଦର ଗୋଟିଏ ଉଚ୍ଚାରଣ ଓ ବନାନ ଅଛି । ଏଥିରେ ବ୍ୟବହୃତ ବର୍ଣ୍ଣମାନଙ୍କର ବିନ୍ୟାସରେ ବିପର୍ଯ୍ୟୟ ଉପସ୍ଥିତ ହେଲେ ତାହାଦ୍ୱାରା ଏହାର ଉଚ୍ଚାରଣ ଓ ବନାନ ଉଭୟ ପରିବର୍ତ୍ତିତ ହୋଇଯିବ ଓ ଶବ୍ଦଟିର ଅର୍ଥ ମଧ୍ୟ ପରିବର୍ତ୍ତିର ହେବ । ଶବ୍ଦରେ ବ୍ୟବହୃତ ବର୍ଣ୍ଣମାନଙ୍କର ଉଚ୍ଚାରଣ ଓ ବନାନ ପରସ୍ପରର ଅପେକ୍ଷା ରଖେ ଓ ଏକ ଅନ୍ୟଟିର ଅନୁବର୍ତ୍ତୀ ହେବା ସ୍ୱାଭାବିକ । ମାତ୍ର ଏ ବିଷୟରେ ମଧ୍ୟ ଅନେକ ରୀତି ନାନା ଭାଷାରେ ପ୍ରଚଳିତ ଅଛି । ଇଂରାଜୀରେ ଆମ୍ଭେମାନେ କଲେଜକୁ college ବୋଲି ଲେଖୁଁ । ଏହି ଶବ୍ଦରେ 'C' ର ଉଚ୍ଚାରଣ 'କ', ମାତ୍ର ଅନ୍ୟ ଅନେକ ଶବ୍ଦରେ 'C' ର ଉଚ୍ଚାରଣ'ସ' । 'O' ର ଉଚ୍ଚାରଣ note, roll ପ୍ରଭୃତି ଶବ୍ଦରେ ବ୍ୟବହୃତ 'o' ର ଉଚ୍ଚାରଣ ଠାରୁ ଭିନ୍ନ, ଦୁଇଗୋଟି 'l' ବ୍ୟବହୃତ ହୋଇଥିଲେହେଁ ଉଚ୍ଚାରଣ ସମୟରେ କେବଳ ଗୋଟିଏ 'l' ଉଚ୍ଚାରିତ ହୁଏ ଓ ଏଥି ସକାଶେ ଓଡ଼ିଆ ଅନୁଲେଖ ସମୟରେ କେବଳ ଗୋଟିଏ 'ଲ' ଲିଖିତ ହୁଏ । ଇଂରାଜିରେ 'g' ର ଗ ଓ ଜ ଉଭୟ ଉଚ୍ଚାରଣ ପ୍ରଚଳିତ; ଏଣୁ ଏହି ଶବ୍ଦରେ ଏହି ବର୍ଣ୍ଣର ବ୍ୟବହାରରୁ ଉଚ୍ଚାରଣଗତ ଭ୍ରାନ୍ତି ଜାତ ହେବା ସ୍ୱାଭାବିକ । ପୁଣି ଶବ୍ଦର ଅନ୍ତରେ ଗୋଟିଏ ସ୍ୱରବର୍ଣ୍ଣର ବ୍ୟବହାର ଥିଲେହେଁ ଏହାର ବାସ୍ତବିକ କୌଣସି ଉଚ୍ଚାରଣ ନାହିଁ ଓ ଶବ୍ଦଟି ସ୍ୱରାନ୍ତ ନ ହୋଇ ହସନ୍ତ ରୂପରେ ଉଚ୍ଚାରିତ ହୋଇଥାଏ । ଅର୍ଥାତ୍ ଶବ୍ଦଟିର ବନାନ college ହେଲେହେଁ ଏହାର ଉଚ୍ଚାରଣ 'kolej' ବୋଲି ମନେ କରାଯାଇ ପାରେ । ଅବଶ୍ୟ ଏହି 'kolej' ମଧ୍ୟ ଠିକଭାବରେ ଶବ୍ଦଟିର ଉଚ୍ଚାରଣ ପ୍ରକାଶ କରୁ ନାହିଁ; ଏଣୁ ଭାଷାତତ୍ତ୍ୱବିଦ୍‌ମାନେ ପୁଣି କେତେକ ମାତ୍ରା ବ୍ୟବହାରଦ୍ୱାରା ସ୍ୱରବର୍ଣ୍ଣମାନଙ୍କର ଉଚ୍ଚାରଣକୁ ନିର୍ଦ୍ଦେଶିତ କରିବାକୁ ଚେଷ୍ଟା କରନ୍ତି । ଓଡ଼ିଆ ଭାଷା ଏ ବିଷୟରେ ଅନେକ ପରିମାଣରେ ଉନ୍ନତ, କିନ୍ତୁ ଏଥିରେ ମଧ୍ୟ 'କଲେଜ'କୁ ସ୍ୱରାନ୍ତ ବୋଲି ଲେଖା ହେଲେହେଁ ହସନ୍ତ ବୋଲି ପଢ଼ାଯାଏ । ଓଡ଼ିଆରେ ଦୀର୍ଘସ୍ୱର ଓ ହ୍ରସ୍ୱସ୍ୱର ମଧ୍ୟରେ ପାର୍ଥକ୍ୟ, ତିନିଗୋଟି 'ଶ' 'ଷ' 'ସ'ର ପୃଥକ୍ ଉଚ୍ଚାରଣ, ଜ ଓ ଯର ବ୍ୟବହାର ଘେନି ଦ୍ୱନ୍ଦ ଓ ବର୍ଗ୍ୟ ଓ ଅବର୍ଗ୍ୟ ବ ର ବ୍ୟବହାରରେ ଅନିଶ୍ଚୟତା ଘେନି ଭାଷାରେ ଶବ୍ଦମାନଙ୍କର ଲିଖିତ ରୂପ ଓ ଉଚ୍ଚାରିତ ଧ୍ୱନି ମଧ୍ୟରେ ଅନେକ ସ୍ଥାନରେ ସାମଞ୍ଜସ୍ୟ ରହି ପାରେ ନାହିଁ ଓ ଏହା ଦ୍ୱାରା ଭାଷାର ବ୍ୟବହାରରେ ବିଶୃଙ୍ଖଳା ଜାତ ହେବା ସ୍ୱାଭାବିକ । ଅନେକ କ୍ଷେତ୍ରରେ ଅବଶ୍ୟ ଧ୍ୱନିକୁ ଅନୁସରଣ କରି ବନାନ ପ୍ରବର୍ତ୍ତିତ ହୋଇଅଛି ଓ ଅଜ୍ଞଲୋକଙ୍କ ମୁଖରେ 'ବିମଳା ବାବୁ' ସ୍ଥାନରେ 'ବିମ୍ବଳା ବାବୁ' ଉଚ୍ଚାରିତ ହେଉଥିବାରୁ ସେମାନଙ୍କୁ ଉପହାସ କରିବା ନିମନ୍ତେ ଆମ୍ଭେମାନେ ନାଟକାଦିରେ ବିମ୍ବଳା ବାବୁ ବୋଲି ଲେଖିଥାଉଁ । କିନ୍ତୁ 'ଅମ୍ଳ' ସ୍ଥାନରେ ଆମ୍ଭିଳାର ବ୍ୟବହାର ସୁପ୍ରଚଳିତ ଓ ଏଥିରେ ଉପହାସର ଉପାଦାନ ନାହିଁ ।

ଶବ୍ଦର ବନାନ :- ଶବ୍ଦର ବନାନ ବାସ୍ତବରେ ତାହାର ଉଚ୍ଚାରଣ ଉପରେ ନିର୍ଭର କରେ । ଏହି କାରଣରୁ ଆମ୍ଭେମାନେ କୂପର ବିକୃତିରେ କୁଅ ଲେଖୁଁ ଅର୍ଥାତ୍ କୂପରେ ବ୍ୟବହୃତ ଦୀର୍ଘସ୍ୱର ପ୍ରାକୃତ ଭାଷାରେ ଅପ୍ରଚଳିତ ହୋଇ ହ୍ରସ୍ୱ ହୋଇଯିବାରୁ ଶବ୍ଦଟିର ବନାନରେ ମଧ୍ୟ ପରିବର୍ତ୍ତନ ଘଟିଅଛି । ମାତ୍ର 'ଗାଈ' ଶବ୍ଦକୁ କେହି ଲେଖନ୍ତି 'ଗାଇ', କେହି ଲେଖନ୍ତି 'ଗାଈ' । କାରଣ ସେମାନେ ଶବ୍ଦଟିର ଉଚ୍ଚାରଣ ଅପେକ୍ଷା ଏହାର ମୂଳ ଶବ୍ଦ ସହିତ ସାମଞ୍ଜସ୍ୟ ଉପରେ ଅଧିକ ଗୁରୁତ୍ୱ ଆରୋପ କରିଥାନ୍ତି । ଏହି କାରଣରୁ ଅଭିଧାନରେ ଉଭୟ ରୂପ ପ୍ରଚଳିତ ବୋଲି ନିର୍ଦ୍ଧିଷ୍ଟ ହୋଇଅଛି । 'ପଳାସୀ ଯୁଦ୍ଧ' ଉଚ୍ଚାରଣରେ ହ୍ରସ୍ୱ 'ଇ' କାର ବ୍ୟବହୃତ ହେଉଥିଲେହେଁ ଅଧିକାଂଶଙ୍କ ମତରେ ଏଠାରେ ଦୀର୍ଘ ଈ ବ୍ୟବହାର କରିବା ସମୀଚୀନ; କାରଣ ଏହାର ସଂସ୍କୃତ ରୂପରେ ଦୀର୍ଘ ଈ ବ୍ୟବହୃତ । 'ସ୍ତ୍ରୀଲୋକ' ଶବ୍ଦରେ ଦୀର୍ଘ 'ଈ' ର ବ୍ୟବହାର ଥିଲେହେଁ ହ୍ରସ୍ୱ 'ଇ' ର ଧ୍ୱନି ସୁସ୍ପଷ୍ଟ; ଏପରି କି 'କୂପ' ଶବ୍ଦର ଉଚ୍ଚାରଣରେ ଅନେକ ସମୟରେ ଆମ୍ଭେମାନେ ହ୍ରସ୍ୱ 'ଉ'ଉଚ୍ଚାରଣ କରିଥାଉଁ । ବାସ୍ତବରେ ବନାନ ଶବ୍ଦର ଉତ୍ପତ୍ତି ଓ ଇତିହାସକୁ ଅନୁସରଣ କରିବ କିମ୍ବା ଉଚ୍ଚାରଣକୁ ଅନୁସରଣ କରିବ, ଏ ବିଷୟରେ ମତଦ୍ୱୈଧ ଦେଖା ଯାଏ ଓ ବିଭିନ୍ନ ପଣ୍ତିତମାନେ ଏ ବିଷୟରେ ବିଭିନ୍ନ ମତ ପୋଷଣ କରନ୍ତି; କିନ୍ତୁ କ୍ରମଶଃ ଅଭିଧାନ ଗ୍ରନ୍ଥମାନଙ୍କର ବ୍ୟବହାର ଯୋଗୁଁ ଓ ପ୍ରାମାଣିକ ଲେଖକମାନଙ୍କର ଲେଖାଦ୍ୱାରା ଶବ୍ଦର ବନାନ ସ୍ଥିରୀକୃତ ହୋଇଯାଉଅଛି ଓ ଏହି ସ୍ଥିରୀକୃତ ବନାନର ବ୍ୟତିକ୍ରମକୁ ଆମ୍ଭେମାନେ ଭ୍ରାନ୍ତ ବା ଦୃଷ୍ଟ ବୋଲି କହିଥାଉଁ ।

ଓଡ଼ିଆରେ ସାଧାରଣତଃ ଶବ୍ଦମାନଙ୍କର ବନାନ ଅନୁଯାୟୀ ଉଚ୍ଚାରଣ ଓ ଉଚ୍ଚାରଣ ଅନୁଯାୟୀ ବନାନ । କିନ୍ତୁ ହ୍ରସ୍ୱ-ଦୀର୍ଘ ବ୍ୟବହାରରେ, ହସନ୍ତ ବୈଦେଶିକ ପଦମାନଙ୍କର ବ୍ୟବହାରରେ ଓ କେତେଗୋଟି ବିଶେଷ ଉଚ୍ଚାରଣକ୍ଷେତ୍ରରେ (ଯଥା ହ୍ୟ ସ୍ଥାନରେ ଝ୍ୟ) ଏହାର ବ୍ୟତିକ୍ରମ ଦେଖାଯାଏ । ପୁଣି ବୈଦେଶିକ ଶବ୍ଦମାନଙ୍କର ଅନୁଲେଖ ସମୟରେ ମଧ୍ୟ ନାନାପ୍ରକାର ବିକୃତି ଘଟିବା ସ୍ୱାଭାବିକ । ଆମ୍ଭେମାନେ ଇଂରାଜୀ Station, Stationary ପ୍ରଭୃତି ଶବ୍ଦମାନଙ୍କର ଅନୁଲେଖ କରିବା ସମୟରେ 'ଷ୍ଟେ' ଅକ୍ଷର ବ୍ୟବହାର କରିଥାଉଁ । ମାତ୍ର ବାସ୍ତବିକ ଏ ଶବ୍ଦମାନଙ୍କର ଧ୍ୱନିରେ 'ସ' ସହିତ 'ଟ' ଯୁକ୍ତ ହେଲେ 'ଷ୍ଟ' ସବୁ କ୍ଷେତ୍ରରେ ଲିଖିତ ଓ ଉଚ୍ଚାରିତ ହେବାର ବିଧି ପ୍ରଚଳିତ ଥିବାରୁ ଏହିତ ରୀତିର ଅନୁଲେଖରେ କେବଳ 'ଷ୍ଟ' ଓଡ଼ିଆରେ ବ୍ୟବହୃତ ହୁଏ ଓ 'st'ର ଅନୁଲେଖ ସମୟରେ ସବୁ କ୍ଷେତ୍ରରେ 'ଷ୍ଟ' ବ୍ୟବହୃତ ହୋଇଥାଏ । ଏହିପରି 'nd' ର ଅନୁଲେଖ ସମୟରେ 'ନ'ର ଧ୍ୱନି ସୁସ୍ପଷ୍ଟ ଥିଲେହେଁ 'ଣ' ବ୍ୟବହୃତ ହୋଇଥାଏ ଓ Sand, Land, Band ପ୍ରଭୃତି ଶବ୍ଦର ଅନୁଲେଖରେ 'ଣ୍ତ' (ଣ + ଡ) ସର୍ବଦା ପ୍ରଚଳିତ । ଅନୁରୂପ କାରଣରୁ ଆମ୍ଭମାନଙ୍କର ଭାଷାରେ 'ନବାବ', 'ଜବାବ' ପ୍ରଭୃତି ଶବ୍ଦ ବ୍ୟବହୃତ ହୁଏ, କାରଣ 'ୱ'ର ଧ୍ୱନି ସୂଚିତ କରିବା ନିମନ୍ତେ ଓଡ଼ିଆ ଭାଷାରେ କୌଣସି ବର୍ଣ୍ଣର ପ୍ରଚଳନ ନାହିଁ । ପୁଣି ଇଂରାଜୀରେ ଯେଉଁ ସ୍ଥାନରେ 'Z' ବା 'S' ର ଝ ଧ୍ୱନି ସୂଚିତ ହୁଏ, ସେଠାରେ ଅନେକ ସମୟରେ ଅନୁଲେଖ କରିବା ସମୟରେ 'ଜ' ବ୍ୟବହୃତ ହୋଇଥାଏ; ଯଥା - ରିଭାଇଜ, ଏକ୍‌ସରସାଇଜ୍, ପ୍ରାଇଜ୍ ଇତ୍ୟାଦି । ଏସବୁ କ୍ଷେତ୍ରରେ ଓଡ଼ିଆରେ ବାସ୍ତବିକ 'Z' ଧ୍ୱନିର ପ୍ରକାଶକ ବର୍ଣ୍ଣର ଅଭାବ ହିଁ ଏହି ବ୍ୟବହାରପଦ୍ଧତିର ମୂଳରେ ରହିଅଛି ।

ଇଂରାଜୀରେ ଯେପରି ଅନେକ ଶବ୍ଦର ବନାନ ଉତ୍ପତ୍ତିମୂଳକ ହୋଇଥିବାରୁ ଉଚ୍ଚାରଣ ସହିତ ବନାନର ପାର୍ଥକ୍ୟ ଦେଖାଯାଏ (ଯଥା debt, women, receipt ପ୍ରଭୃତି) ଓଡ଼ିଆରେ ସେପରି ପାର୍ଥକ୍ୟର ଉଦାହରଣ ନାହିଁ । ଯେଉଁ ସ୍ଥାନରେ ଶବ୍ଦର ଉଚ୍ଚାରଣ ପରିବର୍ତ୍ତିତ ହୋଇଅଛି; ସେଠାରେ ସାଧାରଣତଃ ବନାନ ମଧ୍ୟ ପରିବର୍ତ୍ତିତ ହୋଇଅଛି । ଏହାଦ୍ୱାରା ଓଡ଼ିଆ ଭାଷାରେ ଏକ ଶବ୍ଦର ବହୁବିଧ ରୂପ ମଧ୍ୟ ପ୍ରଚଳିତ ହୋଇଅଛି । 'ଏଇଛୁଣି' ଶବ୍ଦର ପନ୍ଦର, ଷୋଳ ପ୍ରକାର ବିଭିନ୍ନ ରୂପ ଭାଷାକୋଷରେ ଦିଆଯାଇଅଛି । ଏହା ଯେ କେବଳ ସଂସ୍କୃତମୂଳକ ଶବ୍ଦମାନଙ୍କର ବିକୃତ ରୂପ ପକ୍ଷରେ ପ୍ରଯୁଜ୍ୟ, ତାହା ନୁହେଁ; ଅନ୍ୟାନ୍ୟ ନାନା ଶବ୍ଦରେ ମଧ୍ୟ ଏହି ରୀତି ଅନୂସୃତ । ଇଂରାଜୀ magistrate ଶବ୍ଦ ଓଡ଼ିଆରେ ଉଚ୍ଚାରଣ ଭେଦରେ 'ମେଜେଷ୍ଟର', 'ମେଜେଷ୍ଟ୍ରେଟ' 'ମାଜିଷ୍ଟର' ପ୍ରଭୃତି ନାନା ରୂପରେ ପ୍ରଚଳିତ । ଉଚ୍ଚାରଣର ବିଭିନ୍ନତା ଅନୁସାରେ ଶବ୍ଦମାନଙ୍କର ବନାନ ନିୟନ୍ତ୍ରିତ ହେଉଥିବାରୁ ଓଡ଼ିଆ ଭାଷାର ଶବ୍ଦଭଣ୍ତାରକୁ ଅଯଥା ବଢ଼ାଇଦେବା ସହଜସାଧ୍ୟ ହୋଇଅଛି ।

ଶବ୍ଦର ଉପତ୍ତି:- ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ସମ୍ୟକ୍ ପରିଚୟ ପାଇବା ଭାଷାତତ୍ତ୍ୱବିଦ୍ ମାନଙ୍କର ପ୍ରଥମ କର୍ତ୍ତବ୍ୟ ଓ ଏହି ପରିଚୟ ନାନା ପ୍ରକାରେ ମିଳିଥାଏ । ଜଣେ ଲୋକର ପରିଚୟ ପାଇବା ନିମନ୍ତେ ଯେପରି ଆମ୍ଭେମାନେ ତାଙ୍କର ପିତା-ମାତାଙ୍କ ନାମ, ଜନ୍ମସ୍ଥାନ, ଆକୃତିଗତ ବୈଶିଷ୍ଟ୍ୟ, ପେଶା, ସନ୍ତାନ-ସନ୍ତତି ବା ଆତ୍ମୀୟ-ପରିଜନ ପ୍ରଭୃତିଙ୍କ ନାମ ଧାମ ପ୍ରଭୃତି ଜାଣିବାକୁ ଚାହୁଁ, ସେହିପରି ଗୋଟିଏ ଶବ୍ଦର ପରିଚୟ ଆମ୍ଭେମାନେ ନାନା ଦିଗରୁ ପାଇବାର ପ୍ରୟାସ କରିଥାଉଁ । ପ୍ରତ୍ୟେକ ଶବ୍ଦର ଗୋଟିଏ ଆକୃତି ଅଛି । ଆକୃତି ଯେତେବେଳେ ଧ୍ୱନି-ମୂଳାକ ହୁଏ, ତାହାକୁ ଉଚ୍ଚାରଣ ଏବଂ ଯେତେବେଳେ ରୂପମୂଳକ ହୁଏ, ତାହାକୁ ବନାନ କହନ୍ତି । ଏହି ଉଚ୍ଚାରଣ ଓ ବନାନ ଶବ୍ଦର ସାଧାରଣ ପରିଚୟ । ଶବ୍ଦ ଶିକ୍ଷା କରିବା ସମୟରେ ଲୋକେ ଶବ୍ଦମାନଙ୍କର ଏହି ସାଧାରଣ ପରିଚୟ ପାଇ ସନ୍ତୁଷ୍ଟ ରହନ୍ତି । ଏହି ସାଧାରଣ ପରିଚୟ ଭିନ୍ନ ଶବ୍ଦମାନଙ୍କର ଅର୍ଥ ସେମାନେ ଜାଣିବାକୁ ଚେଷ୍ଟା କରନ୍ତି ଓ ଶବ୍ଦମାନଙ୍କର ଅବସ୍ଥାନଦ୍ୱାରା ବା ବିନ୍ୟାସଦ୍ୱାରା ବା ସାମାନ୍ୟ ରୂପଗତ ବା ଅର୍ଥଗତ ପରିବର୍ତ୍ତନ ଦ୍ୱାରା ସେମାନେ ନିଜ ନିଜର ମନୋଭାବ ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତ କରି ପାରନ୍ତି । କିନ୍ତୁ ଏହା ଶବ୍ଦମାନଙ୍କର ସମ୍ପୂର୍ଣ୍ଣ ପରିଚୟ ନୁହେଁ । କୌଣସି ଶବ୍ଦ ବିଷୟରେ ସମ୍ପୂର୍ଣ୍ଣ ପରିଚୟ ପାଇବାକୁ ହେଲେ ଆମ୍ଭମାନଙ୍କୁ ପ୍ରଥମରେ ଶବ୍ଦର ଉତ୍ପତ୍ତି ବିଷୟରେ ଅବହିତ ହୋଇ ଶବ୍ଦର ଉତ୍ପତ୍ତିରୁ କ୍ରମଶଃ ତାହାର ରୂପଗତ, ଅର୍ଥଗତ, ବ୍ୟବହାରଗତ ବିକୃତି ବିଷୟରେ ଜ୍ଞାନ ଲାଭକରି ଶବ୍ଦର ଆତ୍ମୀୟମାନଙ୍କ ସହିତ ତାହାର ସମ୍ପର୍କ ନିରୂପଣ କରିବାକୁ ହେବ । ପ୍ରତ୍ୟେକ ଶବ୍ଦର ଗୋଟିଏ ଇତିହାସ ଅଛି ଓ ଏହି ଇତିହାସକୁ ଅନୁସରଣ କରି ପ୍ରତ୍ୟେକ ଶବ୍ଦକୁ ମୂଳ ରୂପଠାରୁ ଆଧୁନିକତମ ବିକୃତି ପର୍ଯ୍ୟନ୍ତ ଅନୁଶୀଳନ କରାଯାଇପାରେ । ଏପରି ଇତିହାସର ଆଲୋଚନା ଭାଷାତତ୍ତ୍ୱରେ ଗୋଟିଏ ପ୍ରଧାନ କଥା ।

ଶବ୍ଦର ଉତ୍ପତ୍ତି ଓ ଇତିହାସ :- ଶବ୍ଦର ଉତ୍ପତ୍ତି ବିଷୟରେ ଗୋଟିଏ ଭ୍ରମାତ୍ମକ ଧାରଣାର ଏଠାରେ ନିରାକରଣ କରିବା ପ୍ରୟୋଜନ । ସଂସ୍କୃତରେ ଯେତେ ଶବ୍ଦର ପ୍ରୟୋଗ ଥିଲା, ସେମାନଙ୍କର ଉତ୍ପତ୍ତି କେତେକ ଧାତୁ ସହ କେତେକ ପ୍ରତ୍ୟୟର ସଂଯୋଗରେ ଘଟିଅଛି ବୋଲି ବୈୟାକରଣମାନେ ସ୍ଥିର କରିଅଛନ୍ତି, ଅର୍ଥାତ୍ ସଂସ୍କୃତ ଭାଷାର ପ୍ରତ୍ୟେକ ଶବ୍ଦ ଧାତୁ ଓ ପ୍ରତ୍ୟୟର ସମନ୍ୱୟରେ ନିଷ୍ପନ୍ନ ବୋଲି କଳ୍ପିତ । ସଂସ୍କୃତରେ ପ୍ରତ୍ୟେକ ଶବ୍ଦର ମୂଳରେ ଗୋଟିଏ ଧାତୁ ଓ ସେହି ଧାତୁରୁ ଶବ୍ଦଟି ଜାତ ବୋଲି ମନେ କରାଯାଉଥିବାରୁ ଶବ୍ଦର ଇତିହାସ ବିଷୟରେ ସଂସ୍କୃତରେ ଆଉ ଅଧିକ ଚର୍ଚ୍ଚା ନାହିଁ । କିନ୍ତୁ ବାସ୍ତବରେ ଧାତୁ ପ୍ରତ୍ୟୟ ବା ପ୍ରକୃତି ପ୍ରତ୍ୟୟ (ଅର୍ଥାତ Derivation) ଶବ୍ଦର ଉତ୍ପତ୍ତି ଓ ଇତିହାସ (Etymology)ରୁ ସମ୍ପୂର୍ଣ୍ଣ ରୂପେ ପୃଥକ୍ । ପ୍ରଥମତଃ ମନେ ରଖିବାକୁ ହେବ ଯେ, ଶବ୍ଦର ପଚଳନ ଭାଷାରେ ମୂଳରୁ ହୋଇଅଛି । ଶବ୍ଦର ଧାତୁ ବା ପ୍ରତ୍ୟୟ ନିରୂପଣ କରିବା ଗୋଟିଏ ବ୍ୟବହାରରୀତିର ବ୍ୟାପାର ଓ ବୈୟାକରଣମାନଙ୍କର କଳ୍ପିତ ପଦ୍ଧତି ମାତ୍ର । ସଂସ୍କୃତରେ ଧାତୁର ଅର୍ଥ ମୂଳ ବୀଜ ଧ୍ୱନି । ଏହି ଶବ୍ଦ ସହିତ ନାନାପ୍ରକାର ପ୍ରତ୍ୟୟ ଯୁକ୍ତ ହୋଇ ନାନା ଶବ୍ଦ ଗଠିତ ହୋଇଥିବାର ଅନୁମାନ କରାଯାଏ । ଅର୍ଥାତ୍ ଗତି, ଗମ୍ୟ, ଦୁର୍ଗମ, ଗନ୍ତା, ଗମନ ପ୍ରଭୃତି ଶବ୍ଦମାନଙ୍କୁ ବିଶ୍ଳେଷଣ କରି ବୈୟାକରଣମାନେ 'ଗମ୍' ଧାତୁ ନିରୂପଣ କରିଅଛନ୍ତି ଓ 'ଗମ୍' ଧାତୁ ସହିତ ନାନାପ୍ରକାର ପ୍ରତ୍ୟୟ ଓ ଉପସର୍ଗ ଯୁକ୍ତ ହୋଇ ନାନା ନୂତନ ପଦ ସୃଷ୍ଟ ହୋଇଅଛି । ଏହି ରୀତିର ଅନୁକରଣରେ ମତି, ମନନ, ସୁମନ, ମତ ପ୍ରଭୃତି ଶବ୍ଦମାନଙ୍କର ମଧ୍ୟ 'ମନ୍' ଧାତୁରୁ ଉତ୍ପତ୍ତି ନିର୍ଦ୍ଦେଶିତ ହୋଇଅଛି । କିନ୍ତୁ ବାସ୍ତବରେ ସଂସ୍କୃତ ଶବ୍ଦ ଦୁଇ ପ୍ରକାର । କେତେଗୁଡ଼ିଏ ଶବ୍ଦ ବୈଦିକ ଭାଷା ବା ଆନୁସଙ୍ଗିକ ଅନ୍ୟ ଭାଷାରୁ ସଂସ୍କୃତରେ ବ୍ୟବହୃତ, କେତେଗୁଡ଼ିଏ ଶବ୍ଦ ପୁଣି ବୈଦିକ ଭାଷାର ବହୁ ପରେ ସଂସ୍କୃତରେ ପ୍ରଚଳିତ । ଏହି ଦ୍ୱିତୀୟ ପ୍ରକାର ଶବ୍ଦମାନଙ୍କ ମଧ୍ୟରୁ କେତେକଶବ୍ଦ ଦ୍ରାବିଡ଼, ଆରବୀ ଓ ଅନ୍ୟାନ୍ୟ ବୈଦେଶିକ ଭାଷାରୁ ଗୃହୀତ, ଅନ୍ୟ କେତେଗୁଡିଏ ଶବ୍ଦ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରଚଳିତ ଅଥବା ସୁଧୀ ଲେଖକବୃନ୍ଦଙ୍କ ଦ୍ୱାରା ବିଶେଷ ଅର୍ଥରେ ବ୍ୟବହୃତ । ବୈଦିକ ଭାଷାରେ ଯେଉଁ ଶବ୍ଦମାନଙ୍କର ବ୍ୟବହାର ଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ସଂସ୍କୃତରେ ପ୍ରଚଳିତ ହେଲେହେଁ କେତେକ ଶବ୍ଦ ଅପ୍ରଚଳିତ ଓ ଅନ୍ୟ କେତେକ ବିକୃତଭାବରେ ବ୍ୟବହୃତ । ସଂସ୍କୃତ ବ୍ୟାକରଣକାରମାନେ ବୈଦେଶିକ, ଦେଶଜ, ବିକୃତ, ଅବିକୃତ ପ୍ରଭୃତି ସବୁ ପ୍ରକାର ଶବ୍ଦମାନଙ୍କୁ ଆଲୋଚନା କରି ସେମାନଙ୍କର ଉତ୍ପତ୍ତିମୂଳକ, ଅର୍ଥଦ୍ୟୋତକ ଧାତୁ କଳ୍ପନା କରିଅଛନ୍ତି ଓ ଏହା ସଂସ୍କୃତ ବ୍ୟାକରଣର ଏକ ବିଶେଷ ଅଙ୍ଗ ବୋଲି ପରିଗଣିତ ହେଉଅଛି । କିନ୍ତୁ ବାସ୍ତବରେ ଅନେକଗୁଡ଼ିଏ ଧାତୁ କଳ୍ପିତ ଓ ଶବ୍ଦଗୁଡ଼ିକ ସେହି ଧାତୁରୁ ବାସ୍ତବରେ ଉତ୍ପନ୍ନ ନୁହନ୍ତି । ପ୍ରକୃତରେ ପ୍ରଥମେ ଶବ୍ଦର ବ୍ୟବହାର ପରେ ଶବ୍ଦର ବିଶ୍ଳେଷଣରୁ ଧାତୁର କଳ୍ପନା ଓ ପୁଣି ଏକ ଧାତୁରୁ ନୂତନ ଧାତୁର ଅନୁକୃତି ଓ ନାନା ନୂତନ ଶବ୍ଦ ଗଠନର ପ୍ରୟାସ - ଏହାହିଁ ସଂସ୍କୃତ ଶବ୍ଦର ଇତିହାସ; ମାତ୍ର ଏହି ଇତିହାସକୁ ଭୁଲିଯାଇ ପଣ୍ତିତମାନେ କେବଳ ଧାତୁକୁ ଶବ୍ଦ ଉତ୍ପତ୍ତିର ମୂଳରେ ଥିବାର ସ୍ୱୀକାର କରିଥାନ୍ତି । ଶବ୍ଦର ଅନ୍ୟ ପ୍ରକାର ଇତିହାସ ବିଷୟରେ ସେମାନେ ଅଜ୍ଞ ।

ଶବ୍ଦର ଧାତୁ ପ୍ରତ୍ୟୟ ଓ ଶବ୍ଦର ଇତିହାସ ଦୁଇଗୋଟି ଭିନ୍ନ ପଦାର୍ଥ । ଓଡ଼ିଆ ଭାଷାରେ ପ୍ରତ୍ୟେକ ଶବ୍ଦର ଧାତୁ-ପ୍ରତ୍ୟୟ କଳ୍ପନା କରିବା ଅସମ୍ଭବ ଥିବାରୁ ଓ ନାନା ବୈଦେଶିକ ଶବ୍ଦଦ୍ୱାରା ଓଡ଼ିଆ ଭାଷା ପୁଷ୍ଟ ହୋଇଥିଲେହେଁ ସଂସ୍କୃତର ଅନୁକରଣରେ ବୈଦେଶିକ ଶବ୍ଦମାନଙ୍କୁ ସ୍ୱୀକାର କରି ସେମାନଙ୍କର ଧାତୁ-ପ୍ରତ୍ୟୟ ଆଦି ନିରୂପଣ କରିବାର ଚେଷ୍ଟା ନ ହୋଇଥିବାରୁ ଓଡ଼ିଆ ଶବ୍ଦମାନଙ୍କର ଧାତୁ-ପ୍ରତ୍ୟୟ ଶିକ୍ଷା ନ କରି ଆମ୍ଭମାନଙ୍କୁ ସେମାନଙ୍କର ଇତିହାସ ବିଷୟରେ ଜ୍ଞାନଲାଭ କରିବାକୁ ହେବ । ଓଡ଼ିଆ 'ଗଡ଼' ଶବ୍ଦ ବାସ୍ତବରେ କୌଣସି ଧାତୁ ସହିତ କୌଣସି ପ୍ରତ୍ୟୟର ସଂଯୋଗଦ୍ୱାରା ଉତ୍ପନ୍ନ ନୁହେଁ । ଏପରି କି 'ମତି' ଶବ୍ଦ ପୂର୍ଣ୍ଣଭାବରେ ସଂସ୍କୃତ 'ମତି' ଶବ୍ଦରୁ ଗୃହୀତ ହେଲେହେଁ ଏହାର ପ୍ରତ୍ୟୟ ବିଷୟରେ ଜ୍ଞାନଲାଭ କରିବାର ଆବଶ୍ୟକତା ଅଳ୍ପ । କାରଣ ଓଡ଼ିଆରେ 'ମନ୍'+'ତି'ର ବିଶ୍ଳେଷଣ ଦ୍ୱାରା ଶବ୍ଦଟିକୁ ପୂର୍ଣ୍ଣଭାବରେ ବ୍ୟାଖ୍ୟା କରିବା ସମ୍ଭବପର ନୁହେ; କାରଣ 'ନ୍'ର ଲୋପ କେବଳ 'ତି' ପ୍ରତ୍ୟୟଦ୍ୱାରା ସମ୍ଭବପର ନୁହେଁ । ପତି, ପଂକ୍ତି, ମୁକ୍ତି, କମତି, ଚଳତି ପ୍ରଭୃତି ଅନେକ ଶବ୍ଦରେ 'ତି' ପ୍ରତ୍ୟୟ ବିଦ୍ୟମାନ; କିନ୍ତୁ ଶବ୍ଦମାନଙ୍କର ପୂର୍ଣ୍ଣରୂପରେ ଧାତୁର ଯେଉଁ ବିକାର ସାଧିତ ହୋଇଅଛି, ତାହା କେବଳ 'ତି' ପ୍ରତ୍ୟୟଦ୍ୱାରା ବ୍ୟାଖ୍ୟା କରାଯାଇ ନ ପାରେ । ପୁଣି ମୌଜା, ମୋଚି, ମଖନ, ରଫା, କାଜ ପ୍ରଭୃତି ଶବ୍ଦମାନଙ୍କର ଧାତୁ-ପ୍ରତ୍ୟୟ ନିରୂପଣ କରିବା ଅସମ୍ଭବ ଓ ଏମାନଙ୍କୁ ତଦ୍ଭବ ବା ବୈଦେଶିକ ବୋଲି ବାଦ୍ ଦେଲେ ଧାତୁ-ପ୍ରତ୍ୟୟ ଜାଣିବାର ସାର୍ଥକତା ମଧ୍ୟ ରହିଲା ନାହିଁ । ସଂସ୍କୃତରେ ପ୍ରତ୍ୟେକ ଶବ୍ଦର ଧାତୁ ପ୍ରତ୍ୟୟ ନିରୂପିତ ହୋଇଥିବାରୁ, ମୂଳ ଧାତୁର ପ୍ରତ୍ୟେକ ପ୍ରକାର ବିକାରର ବ୍ୟାଖ୍ୟା ଦିଆଯାଇଥିବାରୁ, ସଂସ୍କୃତରେ ସ୍ୱୀକୃତ ପ୍ରତ୍ୟେକ ବୈଦେଶିକ ଶବ୍ଦର (ଯଥା:-ଲବଣ, ବଣିକ, ବିଲ, ଶିବ ପ୍ରଭୃତି) ଧାତୁ ପ୍ରତ୍ୟୟ ନିର୍ଦ୍ଦେଶିତ ହୋଇଥିବାରୁ ଓ ଅନ୍ୟ ଭାଷାରେ ପ୍ରଚଳିତ ପ୍ରାୟ ପ୍ରତ୍ୟେକ ଶବ୍ଦର ଧାତୁ ପ୍ରତ୍ୟୟଗତ ବିଶ୍ଳେଷଣ ସମ୍ଭବପର ଥିବାରୁ ଏଥିରେ ଧାତୁ ପ୍ରତ୍ୟୟର ଯେଉଁ ସାର୍ଥକତା ଥିଲା, ଓଡ଼ିଆ ଭାଷା ଶିକ୍ଷାରେ ସେପ୍ରକାର ପୂର୍ଣ୍ଣ ସାର୍ଥକତା କଳ୍ପିତ ହୋଇ ନ ପାରେ । ଅବଶ୍ୟ ଧାତୁ ପ୍ରତ୍ୟୟ ଶିକ୍ଷା କରିବା ଅଯୌକ୍ତିକ ନୁହେଁ, ମାତ୍ର ତାହାଦ୍ୱାରା ଶବ୍ଦ ସମ୍ବନ୍ଧରେ ପୂର୍ଣ୍ଣ ଜ୍ଞାନଲାଭ କରାଯାଇ ନ ପାରେ ।

ଶବ୍ଦର ଧାତୁ-ପ୍ରତ୍ୟୟଗତ ବିଶ୍ଳେଷଣ ଓ ଶବ୍ଦର ଇତିହାସ ଦୁଇଗୋଟି ବିଭିନ୍ନ ପଦାର୍ଥ । ଗୋଟିଏ କଳ୍ପିତ, ଅନ୍ୟଟି ବାସ୍ତବ; ଗୋଟିଏ ବ୍ୟାକରଣଗତ ସଂକେତ, ଅନ୍ୟଟି ଭାଷାତତ୍ତ୍ୱାନୁମୋଦିତ ରୂପର କ୍ରମ ବିକାଶ; କିନ୍ତୁ ମନେ ରଖିବାକୁ ହେବ ଯେ, ପ୍ରାଚୀନତମ ମୂଳ ଆର୍ଯ୍ୟ ଭାଷାରେ ମଧ୍ୟ ଏହିପରି ଧାତୁ ଓ ପ୍ରତ୍ୟୟ କଳ୍ପିତ ହୋଇଥିଲା, ମାତ୍ର ତାହା ଶବ୍ଦ ପ୍ରୟୋଗର ବହୁ ପରେ ଘଟିଥିବାହିଁ ସମ୍ଭବ । ମୂଳ ସେମିଟିକ ଭାଷାରେ (ଅର୍ଥାତ୍ ଯେଉଁ ଭାଷାରୁ ଆରବୀଭାଷା ଉତ୍ପନ୍ନ ହୋଇଅଛି) ସେଥିରେ ମଧ୍ୟ ଏହିପରି ଧାତୁ କଳ୍ପିତ ହୋଇଥିଲା; ମାତ୍ର ସେମିଟିକ ଧାତୁ ଓ ଆର୍ଯ୍ୟ ଧାତୁମାନଙ୍କ ମଧ୍ୟରେ ଆକୃତିଗତ ଓ ଅର୍ଥପ୍ରକାଶିକ; ଶକ୍ତିଗତ ପାର୍ଥକ୍ୟ ପରିଷ୍ଫୁଟ । ସେ ଯାହାହେଉ, ଶବ୍ଦର ରୂପଗତ ଓ ଅର୍ଥଗତ ବିକାର, ତାହାର ଭାଷାତତ୍ତ୍ୱାନୁମୋଦିତ ଇତିହାସ, ତାହାର ବ୍ୟାକରଣ ଗତ ସାଙ୍କେତିକ ବିଶ୍ଳେଷଣ ଓ ତାହାର ଧାତୁ ପ୍ରତ୍ୟୟ ଏହା ମନେ ରଖି ଓଡ଼ିଆ ଭାଷା ଶିକ୍ଷା କରିବାକୁ ହେବ । କେତେଗୋଟି ଉଦାହରଣଦ୍ୱାରା ଶବ୍ଦର ଇତିହାସ ଓ ପ୍ରକୃତି ପ୍ରତ୍ୟୟଠାରୁ ତାହାର ପାର୍ଥକ୍ୟ ବିଷୟରେ ଆମ୍ଭେମାନେ ସୁସ୍ପଷ୍ଟ ଧାରଣା କରି ପାରୁଁ । ଓଡ଼ିଆରେ ହଳଦି, ହରିଦ୍ରା, ହରିତ୍, ହିରଣ୍ୟ ପ୍ରଭୃତି ଶବ୍ଦ ବ୍ୟବହୃତ ହୁଏ । ଏହି ଶବ୍ଦମାନଙ୍କର ଅର୍ଥ ଭିନ୍ନ ହେଲେହେଁ ଏମାନଙ୍କର 'ଧାତୁ' ଏକ୍, ମାତ୍ର 'ହରିତ୍' ଶବ୍ଦ ଯେଉଁ ରଙ୍ଗର ସୂଚନା ଦେଉଅଛି, ହରିଦ୍ରା ଶବ୍ଦରେ ତହିଁରୁ ସମ୍ପୂର୍ଣ୍ଣ ପୃଥକ୍ ରଙ୍ଗର ଅସ୍ତିତ୍ୱ ଦେଖାଯାଉଥିବାରୁ ଏ ବିଷୟରେ ଆମ୍ଭମାନଙ୍କର କୌତୂହଳ ଜାତ ହେବା ସ୍ୱାଭାବିକ । ବାସ୍ତବରେ ଦୁଇଗୋଟି କଠିନ ପଦାର୍ଥର ଘର୍ଷଣ ସମୟରେ ଯେଉଁ 'ଘର୍' 'ଘର୍' ଧ୍ୱନି ଜାତ ହୁଏ, ସେହି ଧ୍ୱନିକୁ ମୂଳ କରି ସେଥିରୁ କେତେଗୋଟି ଶବ୍ଦ ପ୍ରାଚୀନ ଆର୍ଯ୍ୟ ଭାଷାରେ ପ୍ରଚଳିତ ହୋଇଥିଲା ଓ କଠିନ ପଦାର୍ଥମାନଙ୍କର ଘର୍ଷଣଦ୍ୱାରା ସେମାନଙ୍କର ଔଜ୍ଜ୍ୱଲ୍ୟ ଜାତ ହେଉଥିବାରୁ 'ଘର୍' ଶବ୍ଦ 'ଉଜ୍ଜ୍ୱଳତା'କୁ ସୂଚାଇବା ନିମନ୍ତେ ବ୍ୟବହୃତ ହେଉଥିଲା । ଏହି ଶବ୍ଦରୁ କାଳକ୍ରମେ ହରିଦ୍ରା, ହଳଦୀ, ହରିତ୍, gold, yellow, glow ପ୍ରଭୃତି ଶବ୍ଦମାନ ଜାତ ହୋଇ ନାନା ଭାଷାରେ ବ୍ୟବହୃତ ହେଉଅଛି । ଅର୍ଥାର୍ ରଙ୍ଗର ଉଜ୍ଜ୍ୱଳତାସୂଚକ ଶବ୍ଦ ବିଭିନ୍ନ ରଙ୍ଗ ଅର୍ଥରେ ଓ ଉଜ୍ଜ୍ୱଳତାସୂଚକ ଅନ୍ୟାନ୍ୟ ଅର୍ଥରେ ଯଥା glass, gloss, glint, glad ପ୍ରଭୃତି ଶବ୍ଦରେ ଇଂରାଜୀ ଭାଷାରେ ବ୍ୟବହୃତ ହେଉଅଛି । ପୁଣି ଦୁଇଗୋଟି କଠିନ ପଦାର୍ଥର ଘର୍ଷଣର ଆଉ ଗୋଟିଏ ଫଳ ଉତ୍ତାପ; ଏଣୁ ଏହି 'ଘର୍' ଶବ୍ଦରୁ ମଧ୍ୟ କାଳକ୍ରମେ ଉତ୍ତାପ ସହିତ ସମ୍ପୃକ୍ତ hot, glow, ଘର୍ମ, warm, ଗରମ ପ୍ରଭୃତି ଶବ୍ଦ ଜାତ ହୋଇଅଛି ।

ଶବ୍ଦର ଇତିହାସ ଅନୁସରଣ କଲେ ଆମ୍ଭେମାନେ ସେମାନଙ୍କର ନାନା ଅବସ୍ଥାର ବିକୃତି ବିଷୟରେ ପୂର୍ଣ୍ଣଜ୍ଞାନ ଲାଭ କରି ପାରୁଁ । ଓଡ଼ିଆରେ 'କୋଇଲା' ଶବ୍ଦ ପ୍ରଚଳିତ ଓ ଏହି ଶବ୍ଦ ଇଂରାଜୀ coal ଶବ୍ଦର ବିକୃତି; ଏଥିରେ ସନ୍ଦେହ ନାହିଁ । ମାତ୍ର coal ଶବ୍ଦର ଇତିହାସକୁ ଅନୁସରଣ କଲେ ଆମ୍ଭେମାନେ ଦେଖଁ ଯେ, Anglo-Saxon ଭାଷାରେ ତାହାର ରୂପ ଥିଲା 'col' ଓ ପ୍ରାଚୀନ ଜର୍ମାନ ଭାଷାରେ ରୂପ ଥିଲା chol । ଏହି ଶବ୍ଦଟି ଭାଷାବିକୃତିର ସାଧାରଣ ନିୟମ ଅନୁସାରେ ସଂସ୍କୃତ 'ଜ୍ୱଳ୍' ଧାତୁ ସହିତ ସମ୍ପୃକ୍ତ, ଅର୍ଥାତ୍ କୋଇଲା ଓ ଜଳିବା ଏହି ଦୁଇ ଶବ୍ଦ ଏକ ମୂଳ ଶବ୍ଦରୁ ବିଭନ୍ନ କ୍ରମରେ ଉତ୍ପନ୍ନ, ଏହିପରି 'ଗିଲାସ' ଶବ୍ଦର ବର୍ତ୍ତମାନ ଅର୍ଥ ଜଳପାନ କରିବା ପାତ୍ର । ଇଂରାଜିରେ 'glass' ଶବ୍ଦର ଅର୍ଥ କାଚ, ମଦ୍ୟପାନ ନିମନ୍ତେ କାଚପାତ୍ର ବ୍ୟବହୃତ ହେଉଥିବାରୁ କାଳକ୍ରମେ 'glass'ର ଅର୍ଥ ପାନପାତ୍ରରେ ପରିଣତ ହେଲା ଓ କ୍ରମେ 'କାଚ' ଓ ପାନପାତ୍ର' ମଧ୍ୟରେ ସମ୍ପର୍କ ଭୁଲିଯାଇ ବର୍ତ୍ତମାନ ଆମ୍ଭେମାନେ କଂସା ଗିଲାସ, ମାଟି ଗିଲାସ ପ୍ରଭୃତି ଶବ୍ଦ ମଧ୍ୟ ପ୍ରୟୋଗ କରିଥାଉଁ । ମୂଳତଃ ଏହି 'glass' ଶବ୍ଦ ପୁଣି ଯାହା ଦେଖିବାକୁ 'ଉଜ୍ଜ୍ୱଳ' ଏହି ଅର୍ଥରେ ଟିଉଟନିକ 'gal' ଶବ୍ଦରୁ ଜାତ ଓ 'ଗଳ' ଶବ୍ଦର ବିକୃତି ଓ ଏହି 'ଘର୍' ଶବ୍ଦରୁ ନାନା ଅର୍ଥରେ ନାନା ଶବ୍ଦ ଜାତ ହୋଇଥିବା ଉପରେ ଲେଖାଯାଇଅଛି । ଏଣୁ 'ଗିଲାସ' ଶବ୍ଦ ସହିତ 'ହଳଦି' ଶବ୍ଦର ଐତିହାସିକ ସମ୍ପର୍କ ମଧ୍ୟ ସହ ଜରେ ଅନୁମିତ ହୋଇପାରେ ।

ଶବ୍ଦର ଇତିହାସ ଅନୂସରଣ କଲେ ଆମ୍ଭେମାନେ ବିଭନ୍ନ ଭାଷାରେ ଥିବା ଶବ୍ଦମାନଙ୍କ ମଧ୍ୟରେ ସମୀକରଣ କରିବାର ପ୍ରୟାସ କରିପାରୁଁ; ଏପରି କି ଏକ ଭାଷାରେ ଥିବା ବିଭିନ୍ନ ଶବ୍ଦମାନଙ୍କ ମଧ୍ୟରେ ସମୀକରଣ ମଧ୍ୟ କରି ପାରୁଁ । ମାତ୍ର କେବଳ ଧାତୁ ପ୍ରତ୍ୟୟକୁ ଅବଲମ୍ବନ କଲେ ଏହିପରି ସମୀକରଣ କରିବା ଅସମ୍ଭବ । ଓଡ଼ିଆରେ 'ପିତା' ଓ 'ପାଦରି' ଉଭୟ ଶବ୍ଦ ପ୍ରଚଳିତ, ଏମାନଙ୍କର ସମୀକରଣ କରିବାକୁ ହେଲେ ଗୋଟିଏ ଶବ୍ଦର ସଂସ୍କୃତ 'ପିତୃ' (ପିତା) ବୈଦିକ ପିତୃ, ମୃଳ ଆର୍ଯ୍ୟ ଶବ୍ଦ 'ପା'ରୁ କ୍ରମଶଃ ଜାତ ହୋଇଥିବା ଓ ଅନ୍ୟ ଶବ୍ଦଟି ସେହି ମଳ 'ପା' ଶବ୍ଦରୁ ଲାଟିନ 'pater', ପୋର୍ଟଗୀଜ 'padre' ଶବ୍ଦର ମଧ୍ୟ ଦେଇ ଓଡ଼ିଆରେ ପ୍ରଚଳିତ ହୋଇଥିବା ସୁସ୍ପଷ୍ଟ । ଏ ସବୁ ଶବ୍ଦ ସହିତ ଇଂରାଜି father ଶବ୍ଦର ସମୀକରଣ କରାଯାଇ ପାରେ । ଶବ୍ଦର ସମୀକରଣ ସମୟରେ ତାହାର ରୂପଗତ ଓ ଅର୍ଥଗତ କ୍ରମବିବର୍ତ୍ତନର ସମ୍ପୂର୍ଣ୍ଣ ଇତିହାସ ପାଇବା ପ୍ରୟୋଜନ ହୁଏ । ଏଭଳି ଇତିହାସ ନ ପାଇଲେ କେବଳ ଅନୁମାନ ଉପରେ ନିର୍ଭର କରି ସମୀକରଣର ଚେଷ୍ଟା କରିବା ବୃଥା ।

ଶବ୍ଦର ଇତିହାସକୁ ଅନୁସରଣ କଲେ ଅନେକ ସମୟରେ ଅତ୍ୟନ୍ତ କୌତୂହଳୋଦ୍ଦୀପକ ତଥ୍ୟମାନ ଆମ୍ଭେମାନ ଜାଣି ପାରୁଁ । ଆମ୍ଭେମାନେ ବର୍ତ୍ତମାନ 'ଚେକ' କନାରେ କୋଟ ତିଆରି କରୁଁ ଓ ବ୍ୟାଙ୍କରେ ଟଙ୍କା ଥିଲେ 'ଚେକ୍' ଦ୍ୱାରା ଟଙ୍କା ଦେଉଁ । ଏ ଦୁଇଟି ଶବ୍ଦର ରୂପ ଓଡ଼ିଆରେ ଏକ ହେଲେହେଁ ଇଂରାଜିରେ ଗୋଟିଏ ଶବ୍ଦର ମୂଳଶବ୍ଦ Check ଓ ଅନ୍ୟଟିର Cheque; ମାତ୍ର ତାହା ହେଲେହେଁ ଉଭୟ ଶବ୍ଦ ଏକ ମୂଳ ଶବ୍ଦରୁ ଜାତ । ଏହି Check ଶବ୍ଦର ମୂଳ ରୂପ 'Chek' ଏହାର ଅର୍ଥ 'ରାଜା' ଓ ଏହା ପାରସିକ 'shah' ଶବ୍ଦ ସହିତ ସମ୍ପୃକ୍ତ । ସତରଞ୍ଜ ଖେଳରେ 'ରାଜା' ଗୋଟିଏ ପ୍ରଧାନ 'ଦାନ' ଥିବାରୁ ଏହି ଖେଳକୁ 'Ches' ଖେଳ ବୋଲି କୁହାଯାଉଅଛି ଓ ଏହି ଖେଳରେ ବ୍ୟବହୃତ ବିଭିନ୍ନ ରଙ୍ଗ ସମଚତୁଷ୍କୋଣ 'ଘର'କୁ ଲକ୍ଷ୍ୟ କରି ଏକ ଦିଗରେ ସେହିପରି ଡୋରିକଟା ଲୁଗାକୁ 'ଚେକ୍' କନା ବୋଲାଯାଇଥାଏ ଓ ଅନ୍ୟ ଦିଗରେ ସେହିପରି ଚିତ୍ରିତ କାଗଜ ବ୍ୟବହୃତ ହେଉଥିବାରୁ ବ୍ୟାଙ୍କର 'ଚେକ୍' ଶବ୍ଦ ମଧ୍ୟ ପ୍ରଚଳିତ । ମୂଳ 'ଶାହ'ର ଅର୍ଥ କିପରି ଭାବରେ ବିକୃତ ହୋଇ ବର୍ତ୍ତମାନ ବିଭନ୍ନ ପଦାର୍ଥମାନଙ୍କୁ ସୂଚିତ କରୁଅଛି, ତାହା ଏହି ଉଦାହରଣରୁ ସ୍ପଷ୍ଟ ଦେଖାଯାଇ ପାରେ । ଏହିପରି ଇଂରାଜୀ whiskey ଓଡ଼ିଆରେ 'ହୁଇସ୍କି' ବୋଲି ଲିଖିତ ହୋଇଥାଏ ଓ ମଦ ବୋଲି ଲୋକେ ଏହାକୁ ଘୃଣା କରିଥାନ୍ତି; ମାତ୍ର ଏହି ଶବ୍ଦ ବାସ୍ତବରେ ଗେଲିକ ଭାଷାର uisge ସହିତ ସମ୍ପୃକ୍ତ ଓ ମୂଳତଃ ପ୍ରାଚୀନ ଆର୍ଯ୍ୟ ୱଦ୍ ଶବ୍ଦରୁ ଜାତ । ଏହି ୱଦ୍ ଶବ୍ଦରୁ ଏକ ଦିଗରେ ଇଂରାଜୀ undulating, ଲିଥୁନିଅ udra (ଓଧୁଅ), ଇଂରାଜୀ Otter ଓ ଅନ୍ୟ ଦିଗରେ ସଂସ୍କୃତ 'ଉଦକ', ଓଡ଼ିଆ 'ଓଧୂଅ' ପ୍ରଭୃତି ନାନା ଶବ୍ଦ ଜାତ ହୋଇଅଛି; ଅର୍ଥାତ୍ ହୁଇସ୍କି ଓ ଓଧୂଅ ମଧ୍ୟରେ ଅର୍ଥଗତ ବା ରୂପଗତ କୌଣସି ସାମଞ୍ଜସ୍ୟ ନ ଥିଲେହେଁ ଉଭୟ ଶବ୍ଦ ଜଳସୂଚକ ଏକ ମୂଳ ପ୍ରାଚୀନ ଆର୍ଯ୍ୟ ଶବ୍ଦରୁ ଭିନ୍ନ କ୍ରମରେ ଜାତ । ଏହିପରି 'ବକ୍‌ସିସ୍' ଶବ୍ଦ ପାରସିକ ଭାଷାରୁ ଓଡ଼ିଆରେ ଗୃହୀତ ହୋଇଥିଲେହେଁ ମୂଳତଃ ଏହି ଶବ୍ଦ ପ୍ରାଚୀନ ପାରସିକ 'ବକ୍ସ୍' ଶବ୍ଦରୁ ଜାତ ଓ ଏହି ଶବ୍ଦର ଅର୍ଥ ବିଭକ୍ତ କରିବା । ଏହି ପ୍ରାଚୀନ ପାରସିକ 'ବକ୍ସ୍' ଶବ୍ଦଟି ଯେ ସଂସ୍କୃତ 'ଭଜ୍' (ବିଭାଗ କରିବା) ସହିତ ସମ୍ପୃକ୍ତ ଓ ମୂଳ ପ୍ରାଚୀନ ଆର୍ଯ୍ୟ ଭାଷାରେ ବ୍ୟବହୃତ 'ଭଗ୍' ଶବ୍ଦରୁ ଏ ସବୁ ଶବ୍ଦ ଜାତ, ଏଥିରେ କିଛି ମାତ୍ର ସନ୍ଦେହ ନାହିଁ । ମାତ୍ର ଭାଷାତତ୍ତ୍ୱ ଅନୁସାରେ ଶବ୍ଦର ଇତିହାସକୁ ଅନୁସରଣ ନ କଲେ 'ବକ୍ସିସ୍' ଓ ' ବିଭାଗ' ମଧ୍ୟରେ ଯେ କିଛି ମାତ୍ର ସମ୍ପର୍କ ବିଦ୍ୟମାନ ଅଛି, ତାହା ଆମ୍ଭେମାନେ କହି ନ ପାରୁଁ । ଏହିସବୁ କାରଣରୁ ଶବ୍ଦର ଧାତୁ-ପ୍ରତ୍ୟୟ ମାତ୍ର ଜାଣିବା ଠାରୁ ତାହାର ଇତିହାସ ଜାଣିବା ଏତେ ଅଧିକ ପ୍ରୟୋଜନ ।

ସାଧାରଣ ଭାଷାରେ ବ୍ୟବହୃତ ଶବ୍ଦମାନ ବାସ୍ତବରେ ଧାତୁରୁ ଉତ୍ପନ୍ନ ନୁହନ୍ତି, ଏମାନେ ଅନ୍ୟ ଶବ୍ଦରୁ ଉତ୍ପନ୍ନ, ଏମାନଙ୍କର ଧାତୁ ନିର୍ଦ୍ଦେଶ ବ୍ୟାକରଣକାରମାନଙ୍କର କଳ୍ପନା ମାତ୍ର । ଓଡ଼ିଆରେ ବ୍ୟବହୃତ ହେଉଥିବା ଅନେକ ଶବ୍ଦ ପ୍ରାକୃତ ଭାଷାରୁ ଗୃହୀତ । ପ୍ରାକୃତ ଭାଷା ବାସ୍ତବରେ ବୈଦିକଭାଷାର ବିକୃତ । ସଂସ୍କୃତ ଶବ୍ଦମାନଙ୍କରୁ ଅଧିକାଂଶ ବୈଦିକ ଭାଷାରୁ ଗୃହୀତ । ଏହି ବୈଦିକ ଭାଷାର ଉତ୍ପତ୍ତି ନିରୂପଣ କଲେ ସହସ୍ର ସହସ୍ର ବର୍ଷ ପୂର୍ବରେ ବ୍ୟବହୃତ ଏକ ଆଦିମ ଆର୍ଯ୍ୟ ଭାଷାର ପରିଚୟ ଆମ୍ଭେମାନେ ପାଇଥାଉଁ । ଏହି ଆଦିମ ଆର୍ଯ୍ୟ ଭାଷାର ପ୍ରଥମାବସ୍ଥାରେ ଯେଉଁ ମୂଳ ଶବ୍ଦମାନ ବ୍ୟବହୃତ ହେଉଥିଲା, କେବଳ ସେହିମାନଙ୍କୁ ହିଁ ଧାତୁ ବା ମୂଳ ଶବ୍ଦ ଆଖ୍ୟା ଦିଆଯାଇ ପାରେ । ମାତ୍ର ଧାତୁଗୁଡ଼ିକ ମଧ୍ୟ ଶବ୍ଦ ବ୍ୟବହାରର ବହୁକାଳ ପରେ କଳ୍ପିତ ଏବଂ କୃତ୍ରିମ ବୋଲି ବ୍ୟବହୃତ ଓ ସ୍ୱୀକୃତ ହୋଇଥିବା ସ୍ଥିର ନିଶ୍ଚିତ ଭାବରେ ଜଣାଯାଉଅଛି । ଶବ୍ଦମାନ ବ୍ୟବହୃତ ହେବାର ବହୁକାଳ ପରେ କୃତ୍ରିମ ଉପାୟରେ ଶବ୍ଦର ବିଶ୍ଳେଷଣ ଦ୍ୱାରା ତାହାର ମୂଳ ଅଂଶ କଳ୍ପନା କରାଯାଇ ତାକୁ ଧାତୁ ଆଖ୍ୟା ଦିଆଯାଇଥିବା ନିଶ୍ଚିତ । ସଂସ୍କୃତରେ ବ୍ୟବହୃତ ଅନେକ ଧାତୁର ଏହି ମୂଳ ଧାତୁମାନଙ୍କ ସହିତ ଧ୍ୱନିଗତ ଓ ରୂପଗତ ଓ ସାମଞ୍ଜସ୍ୟ ଅଛି । ମାତ୍ର ଅନ୍ୟ ଅନେକ ଧାତୁ କଳ୍ପିତ । ସଂସ୍କୃତ ବ୍ୟାକରଣର ଆଲୋଚନାଦ୍ୱାରା ଓଡ଼ିଆ ଭାଷାର ଶବ୍ଦମାନ ନିୟନ୍ତ୍ରିତ ହେଉଥିବାରୁ ଆମ୍ଭେମାନେ ଶବ୍ଦର ଇତିହାସ ପ୍ରତି ଅବହିତ ନ ହୋଇ କେବଳ ତାହାର ଧାତୁ-ପ୍ରତ୍ୟୟ ଜାଣିବା ନିମନ୍ତେ ସଚେଷ୍ଟ ହୋଇଥାଉଁ ।

ମୂଳ ଆର୍ଯ୍ୟ ଭାଷାର ସ୍ୱରୂପ ବିଷୟରେ ଆମ୍ଭମାନଙ୍କର ସୁସ୍ପଷ୍ଟ ଜ୍ଞାନ ନାହିଁ । କିମ୍ବା ବର୍ତ୍ତମାନ ସେ ଭାଷା ବ୍ୟବହୃତ ହେଉ ନ ଥିବା ସ୍ଥଳେ ତାହାର ସମ୍ୟକ୍ ପରିଚୟ ପାଇବା ମଧ୍ୟ ସମ୍ଭବପର ନୁହେଁ । କେବଳ ଆମ୍ଭେମାନେ ଗ୍ରୀକ୍, ଲାଟିନ୍, ସଂସ୍କତ, ପାରସିକ, ଇଂରାଜୀ, ଫରାସୀ, ଓଡ଼ିଆ, ବଙ୍ଗଳା, ପ୍ରଭୃତି ଭାଷାମାନଙ୍କର ଅନୁଶୀଳନଦ୍ୱାରା ଏ ବିଷୟରେ କିଞ୍ଚିତ୍ ଅନୁମାନ କରି ପାରୁଁ । ଅନୁମାନ ଦ୍ୱାରା ପ୍ରାଚୀନ ଆର୍ଯ୍ୟ ଭାଷାରେ ବ୍ୟବହୃତ ହେଉଥିବା ମୂଳ ଶବ୍ଦ ବା ଧାତୁମାନଙ୍କ ବିଷୟରେ ଜ୍ଞାନଲାଭ କରିବା ସମ୍ଭବ । ଏପ୍ରକାର ଅନୁମାନ ଭାଷାତତ୍ତ୍ୱର ମୂଳ ନିୟମମାନଙ୍କ ଉପରେ ପ୍ରତିଷ୍ଠିତ ଥିଲେ ଏମାନଙ୍କର ଯାଥାର୍ଥ୍ୟ ବିଷୟରେ ବିଶେଷ ସନ୍ଦେହର ଅବକାଶ ନ ଥାଏ । ଏହି ମୂଳ ଆର୍ଯ୍ୟ ଭାଷାରେ ବ୍ୟବହୃତ ମୂଳ ଶବ୍ଦମାନଙ୍କୁ ବାସ୍ତବରେ ଧାତୁ ଆଖ୍ୟା ଦିଆଯାଇ ପାରେ । କଳ୍ପିତ ଓ କୃତ୍ରିମ ଉପାୟରେ ବ୍ୟବହୃତ ଧାତୁମାନଙ୍କରୁ ପରବର୍ତ୍ତୀ କାଳରେ ନାନା ଶବ୍ଦ ଉତ୍ପନ୍ନ ହୋଇ ନାନା ଭାଷାରେ ନାନା ପ୍ରକାର ବ୍ୟବହୃତ ହେଉଅଛି ଓ ସେହି ସେହି ଭାଷାରେ ବାସ୍ତବରେ ଧାତୁ-ପ୍ରତ୍ୟୟ ବୋଲି ଯାହା ବ୍ୟାକରଣରେ ପ୍ରଚଳିତ, ତାହା କଳ୍ପନା ଉପରେ ପ୍ରତିଷ୍ଠିତ । କେତେଗୁଡ଼ିଏ ଉଦାହରଣଦ୍ୱାରା ଏହା ସ୍ପଷ୍ଟ ଉପଲବ୍ଧି କରାଯାଇ ପାରିବ । ଇଂରାଜୀରେ 'god' ଶବ୍ଦର ଅର୍ଥ ଭଗବାନ ଓ ଏହି ଅର୍ଥରେ ଡଚ୍ ଭାଷାରେ god ଆଇସଲାଣ୍ତିକ ଭାଷାରେ guth ଓ ଜର୍ମାନ ଭାଷାରେ gott ଶବ୍ଦମାନ ପ୍ରଚଳିତ । ଏହି ସମସ୍ତ ଶବ୍ଦର ପ୍ରାଚୀନ ଟିଉଟନିକ ମୂଳ ଶବ୍ଦ gutha ଓ ଏହି gutha ଶବ୍ଦ ଭାଷାତତ୍ତ୍ୱର ନିୟମ ଅନୁଯାୟୀ ମୂଳ ଆର୍ଯ୍ୟ 'ଘୂତ' ଶବ୍ଦରୁ ଉତ୍ପନ୍ନ ବୋଲି ଅନୁମାନ କରାଯାଇ ପାରେ । 'ଘୂତ' ଶବ୍ଦର ମୂଳ ଶବ୍ଦ 'ଘୂ' ଓ ଏହାର ଅର୍ଥ ପ୍ରାଚୀନ ମୂଳ ଆର୍ଯ୍ୟଭାଷାରେ 'ଢାଳିବା'; ପାଣି ଢାଳିବାର ଧ୍ୱନି ଅନୁକରଣରେ ଏହି ଶବ୍ଦଟି ଗଠିତ ହୋଇଥିବା ସମ୍ଭବ ଓ ଯାହାଙ୍କ ସକାଶରେ ଅଗ୍ନିରେ 'ଘୂତ' ଢଳାଯାଏ ଏହି ଅର୍ଥରେ 'ଘୂତ' ଶବ୍ଦର ଅର୍ଥ 'ଭଗବାନ' । ସଂସ୍କୃତରେ ଏହି 'ଘୂତ' ଶବ୍ଦ 'ହୂତ' ଆକାରରେ ପରିଣତ ହେବାରୁ ସଂସ୍କୃତ ବୈୟାକରଣମାନେ ଏହି 'ହୂତ' ଶବ୍ଦକୁ ବିଶ୍ଳେଷଣ କରି 'ହୁ' ଧାତୁରୁ ନିଷ୍ପନ୍ନ ବୋଲି କଳ୍ପନା କରିଥିଲେ । ଏହି ଧାତୁ ଯେ ସଂସ୍କୃତରେ ବ୍ୟବହୃତ 'ଘୂ', 'ହ୍ୱେ' ପ୍ରଭୃତି ଧାତୁ ସହିତ ସମ୍ପୃକ୍ତ ଏହା ସହଜରେ ଅନୁମାନ କରାଯାଇ ପାରେ । 'ହ୍ୱେ' ଧାତୁରୁ ଉତ୍ପନ୍ନ ଅନେକଗୁଡ଼ିଏ ପଦର 'ହୁ' ଧାତୁରୁ ଉତ୍ପନ୍ନ ପଦମାନଙ୍କ ସହିତ ସାମଞ୍ଜସ୍ୟ ରହିଅଛି, କିନ୍ତୁ ପ୍ରାଚୀନ ଆର୍ଯ୍ୟଭାଷା ଅପ୍ରଚଳିତ ହୋଇ ଯାଇଥିବା ସ୍ଥଳେ 'ହୁ' ଧାତୁର କାଳ୍ପନିକତା ଲୋକମାନେ ସହଜରେ ଉପଲବ୍ଧି କରି ପାରନ୍ତି ନାହିଁ ଓ ଏହି ଧାତୁକୁ ସାଧାରଣତଃ ପ୍ରାଚୀନ ଆର୍ଯ୍ୟ 'ଧୂ' ଧାତୁ ସହିତ ସଂପୃକ୍ତ ବୋଲି ଅନୂମାନ କରାଯାଇତାଏ । ଏହି ମୂଳ 'ଘୂ' ଶବ୍ଦରୁ ଏକ ଦିଗରେ ଇଂରାଜୀ fountain, refute, chemistry, confuse, ingot, futile ପ୍ରଭୃତି ଶବ୍ଦମାନ ନିଷ୍ପନ୍ନ; ଅନ୍ୟ ଦିଗରେ ('ଘୂ' ର ସମ୍ପ୍ରସାରିତ ରୂପ) ଘୂଟ, ଶବ୍ଦରୁ ଘୋଟିବା, ଘୁଣ୍ଟିବା, ଘାଣ୍ଟିବା; ଘୂଣ୍ ଶବ୍ଦରୁ ଘୁଣ, ଘୁର ଶବ୍ଦରୁ ଘୋର, ଘୁ ଶବ୍ଦରୁ ଘୋଷ ପ୍ରଭୃତି ନାନା ଶବ୍ଦ ଓଡ଼ିଆ, ସଂସ୍କୃତ ଆଦି ଭାଷାମାନଙ୍କରେ ପ୍ରଚଳିତ । 'ଧୂ' ମୂଳ ଆର୍ଯ୍ୟ ଧାତୁ ଓ ଏହି ଧାତୁରୁ ଇଂରାଜିରେ ଏକ ଦିଗରେ dust, fume, door, forum ପ୍ରଭୃତି ଶବ୍ଦ ଅନ୍ୟ ଦିଗରେ ଓଡ଼ିଆ ସଂସ୍କୃତ ପ୍ରଭୃତି ଭାଷାରେ ଧୂଳି, ଧୂପ, ଧୂମ, ଧୂନି, ଦ୍ୱାର ପ୍ରଭୃତି ଶବ୍ଦ ନିଷ୍ପନ୍ନ । କିନ୍ତୁ ପରବର୍ତ୍ତୀକାଳରେ 'ଦ୍ୱାର'ର ବାସ୍ତବିକ ମୂଳ ଶବ୍ଦର ଅଜ୍ଞେୟତା ହେତୁରୁ ତାହାକୁ 'ନୃ' ଧାତୁରୁ ନିଷ୍ପନ୍ନ କରାଯିବାର ଚେଷ୍ଟା କରାଯାଇଅଛି ଓ ଧୂମ ଶବ୍ଦର ଉତ୍ପତ୍ତି 'ଧ୍ମା', ଧାତୁ ବୋଲି କଳ୍ପିର ହୋଇଅଛି । ସଂସ୍କୃତ ବ୍ୟାକରଣକାରମାନଙ୍କର ଗୌରବ ଏହି ଯେ ସଂସ୍କୃତରେ ପ୍ରଚଳିତ ପ୍ରତ୍ୟେକ ଶବ୍ଦ ସକାଶେ ସେମାନେ ଧାତୁର କଳ୍ପନା କରି ପାରିଥିଲେ ଓ ପ୍ରତ୍ୟୟଦ୍ୱାରା ଧାତୁର ପ୍ରତ୍ୟେକ ପ୍ରକାର ବିକାରର ପୂର୍ଣ୍ଣ ଓ ଯଥାଯଥ ବ୍ୟାଖ୍ୟା ମଧ୍ୟ ଦେଇ ପାରିଥିଲେ । ଏହି ଧାତୁମାନଙ୍କରୁ ପ୍ରତ୍ୟେକ ଆଧୁନିକ ଭାଷାର ପ୍ରାୟ ପ୍ରତ୍ୟେକ ଶବ୍ଦ ନିଷ୍ପନ୍ନ କରାଯିବାର ସମ୍ଭାବନା ଅଛି । ଏପରି କି ଯେଉଁ ଶବ୍ଦମାନ ସ୍ପଷ୍ଟ ବୈଦେଶିକ, ସେମାନଙ୍କର ମଧ୍ୟ ସଂସ୍କୃତ ଧାତୁ ପ୍ରତ୍ୟୟଦ୍ୱାରା ଅର୍ଥ ନିର୍ଣ୍ଣୟ କରିବା ସମ୍ଭବ । ଅନ୍ୟ କୌଣସି ଭାଷାରେ ବ୍ୟାକରଣର ଏହି କାଳ୍ପନିକ ଭିତ୍ତି ଏତେ ସୁଦୃଢ଼ ଓ ବହୁବ୍ୟାପକଭାବରେ କଳ୍ପିତ ଓ ପ୍ରତିଷ୍ଠିତ ହୋଇପାରି ନାହିଁ ।

'ପୁସ୍ତକ' ଶବ୍ଦର ଉତ୍ପତ୍ତି ଆଲୋଚନା କଲେ ମଧ୍ୟ ସ୍ପଷ୍ଟ ପ୍ରତୀୟମାନ ହେବ ଯେ, ଶବ୍ଦର ବ୍ୟବହାର ହେବାର ବହୁପରବର୍ତ୍ତୀକାଳରେ ଏହି ଶବ୍ଦଟିର ଧାତୁଗତ ଉତ୍ପତ୍ତି ନିରୂପିତ ହୋଇଥିଲା । ଲୋକେ ପ୍ରଥମରେ ପର୍ବତକନ୍ଦରରେ ବାସ କରିବା ଅବସ୍ଥାରେ ସେଥିରେ ନାନା ପ୍ରକାର ଚିତ୍ର ଅଙ୍କନ କରୁଥିଲେ, ଅନେକକାଳ ପରେ ହଠାତ୍ କେହି କୌଣସି ଗଛର ପତ୍ରରେ ଲେଖିବାର ଚେଷ୍ଟା କଲା ଓ ଏହି ପ୍ରକାର ଲିଖନପଦ୍ଧତି ଇଜିପ୍ଟ ଦେଶରେ ପ୍ରଚଳିତ ହେଲା । Papyrus ନାମକ ଗଛର ପତ୍ର ଏପ୍ରକାର ଲେଖାର ବିଶେଷ ଉପଯୋଗୀ ବୋଲି ବିବେଚିତ ହେବାରୁ ସାଧାରଣତଃ ଏହା ଏହି କାର୍ଯ୍ୟରେ ବ୍ୟବହୃତ ହେଉଥିଲା । ଲୋକେ ପେପିରସ ପତ୍ରକୁ ଯୋଡ଼ି ତହିଁରେ ଲେଖିବାର ଚେଷ୍ଟା କରୁଥିଲେ । ବହୁକାଳ ପରେ ଖ୍ରୀଷ୍ଟଜନ୍ମର ପ୍ରାୟ ଦୁଇଶତ ବର୍ଷ ପୂର୍ବେ ଆରବ ନିକଟସ୍ଥ Perganum ଦେଶରେ ଇଉମେନେସ ନାମକ ରାଜାଙ୍କର ରାଜତ୍ୱ ସମୟରେ ରାଜା ଇଜିପ୍ଟ ହେଶର ଗ୍ରନ୍ଥାଗାରର ପ୍ରତିଦ୍ୱନ୍ଦୀ ଗୋଟିଏ ବିରାଟ ଗ୍ରନ୍ଥାଗାର perganumରେ ପ୍ରତିଷ୍ଠା କରିବା ନିମନ୍ତେ ଇଚ୍ଛୁକ ହୋଇଥିଲେ । ଏଥିସକାଶେ ସେ ବହୁ ଲୋକ ନିଯୁକ୍ତ କରି ଥିଲେ, ମାତ୍ର ଇଜିପ୍ଟର ରାଜାଙ୍କ ସହିତ ତାଙ୍କର ଅସଦ୍ଭାବ ଥିବାରୁ ଓ ଇଜିପ୍ଟର ରାଜା ସ୍ୱଦେଶର ଗ୍ରନ୍ଥାଗାରର ଗୌରବ କ୍ଷୂଣ୍ଣ ହୋଇଯିବାର ଆଶଙ୍କା କରି ପେପିରସ ପତ୍ରର ଚାଲାଣ ବନ୍ଦ କରି ଦେଇଥିଲେ । କିଛିକାଳ ପର୍ଯ୍ୟନ୍ତ ଏହି ପତ୍ରର ଅଭାବରୁ Perganumରେ ଗ୍ରନ୍ଥାଗାର ପ୍ରତିଷ୍ଠାର ପରିକଳ୍ପନା ବ୍ୟର୍ଥ ହୋଇଥିଲା । ଇଉମେନେସ୍ ଏଥିବୂର୍ବରୁ ପ୍ରଚଳିତ ଚମ ଉପରେ ଲେଖିବାର ରୀତିକୁ ଉନ୍ନତ କରାଇ ନିଜର ଗ୍ରନ୍ଥାଗାର ସ୍ଥାପନର ପରିକଳ୍ପନା ସଫଳ କରି ପାରିଥିଲେ । ପ୍ରାୟ ଦୁଇ ଲକ୍ଷ ଗ୍ରନ୍ଥ ଏହିପରି ଭାବରେ ଲିଖିତ ହୋଇ ତାଙ୍କର ଗ୍ରନ୍ଥାଗାରରେ ରକ୍ଷିତ ହୋଇଥିଲା । ପରଗାନମରେ ବ୍ୟବହୃତ ଏହି ଚମର ନାମ 'ପୁସ୍ତ' ଓ ଏହି ଚମରେ ବହି ଲେଖାଯାଉଥିବାରୁ କାଳକ୍ରମେ 'ପୁସ୍ତକ' ଶବ୍ଦ ବହି ଅର୍ଥରେ ପ୍ରଚଳିତ ହୋଇଅଛି । ସଂସ୍କୃତରେ ଏହି ଶବ୍ଦଟି ବୈଦେଶିକ ଭାଷାମାନଙ୍କରୁ ଆହୃତ ହୋଇଥିଲେହେଁ ପଣ୍ତିତମାନେ ଏହାର ଧାତୁ 'ପୁସ୍ତ୍' ଓ ସେହି ଧାତୁର ଅର୍ଥ 'ଆଚ୍ଛାଦନ କରିବା' ବୋଲି କଳ୍ପନା କରିଥିଲେ । କିନ୍ତୁ ଏସମସ୍ତ ବାସ୍ତବରେ ଅନୁମାନ ମାତ୍ର, କାରଣ ବେଦରେ ପୁସ୍ତକ ଲେଖି ଜୀବିକା ଅର୍ଜନକାରୀର ଏକ ନାମ 'ପୁସ୍ତବାର୍ତ୍ତ' ଓ ଏହି ଶବ୍ଦର ବ୍ୟବହାର ଥିବା ସ୍ଥଳେ ଶବ୍ଦଟିର ପ୍ରାଚୀନତ୍ୱ ମଧ୍ୟ ସ୍ୱୀକୃତ ହୋଇ ପାରେ । ମାତ୍ର ମୂଳ ଆର୍ଯ୍ୟ ଭାଷାରେ 'ପୁସ୍ତ' ବୋଲି କୌଣସି ଧାତୁ ବ୍ୟବହୃତ ହୋଇ ନଥିଲା ଓ ଏହି ଧାତୁରୁ ଉତ୍ପନ୍ନ କୌଣସି ପଦ ଅନ୍ୟାନ୍ୟ ଆର୍ଯ୍ୟ ଭାଷାରେ ବ୍ୟବହୃତ ନ ହେଉଥିବାରୁ ଏହି ଶବ୍ଦଟି ବୈଦେଶିକ ବୋଲି ପରିଗଣିତ ହେଉଅଛି । ବେଦରେ ଏହା ଅନାର୍ଯ୍ୟ ଭାଷାରୁ ଆହୃତ ବୋଲି ମେକଡୋନାଲ୍ଡ ସାହେବଙ୍କର ମତ । ଏହିପରି 'ଲବଣ' ଶବ୍ଦଟି ବେଦରେ ବ୍ୟବହୃତ ହେଲେହେଁ (?) ଏହା ବୈଦେଶିକ ଶବ୍ଦ ବୋଲି ମାକଡୋନାଲ୍ଡଙ୍କର ମତ । ଏହି ଶବ୍ଦଟି ପ୍ରଚଳିତ ହେବା ପରେ ଏହାର ଖାଦ୍ୟ ପରିପାକଶକ୍ତିକୁ ଉପଲକ୍ଷ୍ୟ କରି ପ୍ରାଚୀନ ଆର୍ଯ୍ୟ ମୂଳ ଭାଷାରେ ପ୍ରଚଳିତ 'ଲ' ଧାତୁରୁ ଏହି ଶବ୍ଦକୁ ନିଷ୍ପନ୍ନ କରିବାର ପ୍ରୟାସ କରାଯାଇଥିଲା । ଏହି ମୂଳ 'ଲୂ' ଧାତୁ ସହିତ ଏକ ଦିଗରେ ଇଂରାଜି lose, lust, solve ପ୍ରଭୃତି ସଂପୃକ୍ତ ଓ ଅନ୍ୟ ଦିଗରେ ଏଥିରୁ ନାନା ସଂସ୍କୃତ ଶବ୍ଦ ମଧ୍ୟ ଉଦ୍ଭୂତ ।

ଭାଷାତତ୍ତ୍ୱ ଆଲୋଚନା କରିବା ସମୟରେ ଏହି କାରଣରୁ ଆମ୍ଭେମାନେ ଧାତୁ ପ୍ରତ୍ୟୟର ଅନୁଶୀଳନ ନ କରି ଶବ୍ଦର ଇତିହାସ ଆଲୋଚନା କରିବାରେ ପ୍ରବୃତ୍ତ ହେଉଁ । ଏହି ଆଲୋଚନାଦ୍ୱାରା ଆମ୍ଭେମାନେ ମୂଳଶବ୍ଦ ଓ ତହିଁର ଆକୃତିଗତ, ଅର୍ଥଗତ, ବ୍ୟବହାରଗତ ବିକୃତ ସ୍ପଷ୍ଟ ଉପଲବ୍ଧି କରି ପାରୁଁ ଏବଂ ଗୋଟିଏ ଶବ୍ଦ ସହିତ ଅନ୍ୟାନ୍ୟ ଶବ୍ଦର ସମ୍ପର୍କ ମଧ୍ୟ ନିର୍ଦ୍ଦେଶିତ କରିପାରୁଁ । ଶବ୍ଦମାନଙ୍କର କେବଳ ଧାତୁ ପ୍ରତ୍ୟୟ ନିରୂପଣ କରିବା ଯଥେଷ୍ଟ ନୁହେ, ସର୍ବାଦୌ ସେମାନଙ୍କର ଇତିହାସ ଅନୁଶୀଳନ କରିବା ବାଞ୍ଛନୀୟ । ପ୍ରତ୍ୟେକ ଭାଷାରେ ଅନେକ ଶବ୍ଦ ବହୁ ପୁରାତନ ଯୁଗରୁ ଅନ୍ୟାନ୍ୟ ଭାଷାରୁ ସଂଗୃହୀତ ହୋଇ ବ୍ୟବହୃତ ହେଉଅଛି । ପୁଣି ଅହରହଃ ନୂତନ ଶବ୍ଦମାନଙ୍କର ସୃଷ୍ଟି ମଧ୍ୟ ହେଉଅଛି । ଓଡ଼ିଆ ଭାଷାରେ ରାତ୍ରି, ଛତା, ପର୍ବତ, ଗଛ, ଅସ୍ଥି, ନଗର ପ୍ରଭୃତି ବହୁ ଶବ୍ଦ ସଂସ୍କୃତରୁ ଗୃହୀତ; ଷ୍ଟେସନ, ଜଜ, କିଲଟର, ମିଉନିସିପାଲିଟି ପ୍ରଭୃତି ବହୁତ ଶବ୍ଦ ଇଂରାଜିରୁ ଗୃହୀତ; ଆବାଜ, ଆମଦାନୀ, କାରଖାନା, ଖାନସମା, ଖୋରାକ ପ୍ରଭୃତି ଶବ୍ଦ ଫାରସୀ ଭାଷାରୁ ଗୃହୀତ; ଫତୁର, ଫସଲ, ମଜବୁତ,ମଜୂଦ, ମୁନାଫା ପ୍ରଭୃତି ଶବ୍ଦ ଆରବୀ ଭାଷାରୁ ଗୃହୀତ; ଆତ, ଗାମଲା, ଗୀର୍ଜା, ଚାବି ପ୍ରଭୃତି ଶବ୍ଦ ପୋର୍ଟୁଗୀଜ୍ ଭାଷାରୁ ଗୃହୀତ; ଇସ୍କାପାନ, ରୂଇତନ, ତୁରୁପ୍ ପ୍ରଭୃତି ଶବ୍ଦ ଡଚ୍ ଭାଷାରୁ ଗୃହୀତ ଓ ଅନ୍ୟାନ୍ୟ ଅନେକ ଶବ୍ଦ ହିନ୍ଦୀ, ଉର୍ଦ୍ଦୁ, ବଙ୍ଗଳା, ମରହଟ୍ଟି, ତେଲୁଗୁ ପ୍ରଭୃତି ନାନା ଭାଷାରୁ ସଂଗୃହୀତ ହୋଇଅଛି । ପୁଣି ଅନ୍ତରୀଣ, ଧୂଆଁକଳ, ପିଟୁଣି (punitive ର ଅପଭ୍ରଂଶ) ପ୍ରଭୃତି ନାନା ଶବ୍ଦ ନୂତନ ଭାବରେ ସୃଷ୍ଟ ଓ ବ୍ୟବହୃତ ହୋଇ କ୍ରମଶଃ ଭାଷାରେ ପ୍ରଚଳିତ ହେଉଅଛି । ପ୍ରୟୋଜନ ହେଲେ କେବଳ ଯେ ନୂତନ ଶବ୍ଦର ସୃଷ୍ଟି ହୋଇଥାଏ, ତାହା ନୁହେଁ; ଦୁଇ ତିନିଗୋଟି ପଦର ସମଷ୍ଟିଦ୍ୱାରା ବିଶେଷ ଅର୍ଥ ମଧ୍ୟ ପ୍ରକାଶିତ ହୋଇଥାଏ । 'ସମାଜ'ରେ ବ୍ୟବହୃତ 'ଜାହାଜମେଣ୍ଟ' ଏହିପରି ଗୋଟିଏ ପଦସମଷ୍ଟି । ଯୁଦ୍ଧ କାଳୀନ convoy ଶବ୍ଦର ଅନୁବାଦ କରିବା ନିମନ୍ତେ ଏହି ଶବ୍ଦଟି ଭାଷାରେ ପ୍ରଚଳିତ ହୋଇଅଛି ।

ଶବ୍ଦମାନଙ୍କର ଶ୍ରେଣୀବିଭାଗ ଓ ଆଲୋଚନା - ଭାଷାରେ ପ୍ରଚଳିତ ଶବ୍ଦମାନଙ୍କୁ ମୁଖ୍ୟତଃ ନାନା ଭାଗରେ ବିଭକ୍ତ କରାଯାଇ ପାରେ । କେତେଗୁଡ଼ିଏ ଶବ୍ଦ କେବଳ ଧ୍ୱନ୍ୟନୁକରଣ, ଅନ୍ୟ ଅଧିକାଂଶ ଶବ୍ଦ ବର୍ତ୍ତମାନ କେବଳ ସାଙ୍କେତିକ ଅର୍ଥାତ୍ ପୂର୍ବେ ଏହି ଶବ୍ଦମାନଙ୍କ ମଧ୍ୟରୁ କେତେକଙ୍କ ମୂଳରେ ଧ୍ୱନ୍ୟନୁକରଣ ଥିଲେହେଁ ବର୍ତ୍ତମାନ ସେଗୁଡ଼ିକ କେବଳ ବିଶିଷ୍ଟ ଅର୍ଥ ପ୍ରକାଶ କରିବା ନିମନ୍ତେ ବ୍ୟବହୃତ ହେଉଅଛନ୍ତି ଓ ସେମାନଙ୍କର ଅର୍ଥ ମଧ୍ୟ ନାନା ପ୍ରକରେ ବିପର୍ଯ୍ୟସ୍ତ ହୋଇଅଛି । କେତେଗୁଡ଼ିଏ ଶବ୍ଦ ଅନ୍ୟ ଭାଷାରୁ ଗୃହୀତ, ଅନ୍ୟ କେତେକ ଶବ୍ଦ ଦେଶରେ ବହୁକାଳରୁ ପ୍ରଚଳିତ ଅଥବା ନୂତନ ହୋଇ ସୃଷ୍ଟ । ଯେଉଁ ଶବ୍ଦଗୁଡ଼ିକ ଅପର ଭାଷାରୁ ଗୃହୀତ, ସେମାନଙ୍କର ବ୍ୟବହାରଗତ, ଅର୍ଥଗତ, ଧ୍ୱନିଗତ ବିକୃତି ସାଧିତ ହୋଇ ପାରେ ବା ସେଗୁଡ଼ିକ ଅବିକୃତ ଭାବରେ ଭାଷାରେ ବ୍ୟବହୃତ ହୋଇ ପାରନ୍ତି । ପୁଣି ଯେଉଁ ଶବ୍ଦଗୁଡ଼ିକ ନୂତନ ସୃଷ୍ଟ ହୋଇଅଛି ବା ପୂର୍ବରୁ ଭାଷାରେ ବ୍ୟବହୃତ ହେଉଅଛି, ସେ ସବୁର ମଧ୍ୟ ବିକୃତି ସାଧିତ ହୋଇ ପାରେ କିମ୍ବା ସେଗୁଡ଼ିକ ଉପରେ ମଧ୍ୟ ଅନ୍ୟ ଭାଷାର ପ୍ରଭାବ ପଡ଼ିପାରେ ଅଥବା ଅନ୍ୟ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ଅନୁକରଣରେ ସେହି ଶବ୍ଦମାନ ସୃଷ୍ଟ ହୋଇ ଥାଇ ପାରନ୍ତି । ଭାଷାତତ୍ତ୍ୱ ବିଚାର କରିବା ସମୟରେ ଏସବୁର ତନ୍ନ ତନ୍ନ ବିଚାର କରିବା ପ୍ରୟୋଜନ ହୁଏ ।

ପୂର୍ବେ ବୋଲାଯାଇଅଛି ଯେ ଶବ୍ଦମାନଙ୍କର ରୂପଗତ, ଅର୍ଥଗତ ଓ ବ୍ୟବହାରଗତ ବୈଶିଷ୍ଟ୍ୟ ଅଛି । ଏହି ବୈଶିଷ୍ଟ୍ୟକୁ ଅନୁଶୀଳନ କଲେ ଆମ୍ଭେମାନେ ଶବ୍ଦର ପ୍ରକୃତ ପରିଚୟ ପାଇଥାଉଁ । ଏଣୁ ଶବ୍ଦର ପରିଚୟ ପାଇବାକୁ ହେଲେ ଶବ୍ଦର ଉତ୍ପତ୍ତି ନିରୂପଣ କରି ତାହାର ରୂପଗତ, ଅର୍ଥଗତ ଓ ବ୍ୟବହାରଗତ ବିକୃତିର ପୂର୍ଣ୍ଣ ଓ ଯଥାକ୍ରମ ବିବରଣ ଦେଇ ତାହାର ଆତ୍ମୀୟ ଓ ଜ୍ଞାତିମାନଙ୍କର ପରିଚୟ ଦେବାକୁ ହୁଏ । ଶବ୍ଦର କ୍ରମ ବିକାଶର ବିଚାରକୁ ଭାଷାତତ୍ତ୍ୱ ଦିଗରୁ ଶବ୍ଦର ଆଲୋଚନା କୁହାଯାଏ ।

ଧ୍ୱନ୍ୟନୁକରଣ ଓ ସାଙ୍କେତିକ ଶବ୍ଦ - ମୂଳତଃ ପ୍ରାୟ ପ୍ରତ୍ୟେକ ଶବ୍ଦର ଧାତୁ ଧ୍ୱନ୍ୟନୁକରଣ ବୋଲି ସ୍ୱୀକାର କରାଗଲେହେଁ ବର୍ତ୍ତମାନ ଭାଷାରେ ବ୍ୟବହୃତ ଶବ୍ଦମାନାଙ୍କର ଅଧିକାଂଶ କେବଳ ସାଙ୍କେତିକ ଅର୍ଥାତ୍ ଏମାନଙ୍କର ଅର୍ଥ ସହିତ ଧ୍ୱନିର କୌଣସି ସମ୍ପର୍କ ନାହିଁ । ଯଦି ଭାଷାର ଶବ୍ଦମାନ କେବଳ ଧ୍ୱନ୍ୟନୁକରଣରେ ସୀମାବଦ୍ଧ ଥାଆନ୍ତା, ତେବେ ଭାବବାଚକ ଶବ୍ଦ, ଗୁଣବାଚକ ଶବ୍ଦ, ସମ୍ବନ୍ଧଜ୍ଞାପକ ଶବ୍ଦ ପ୍ରଭୃତି ନାନା ପ୍ରକାର ଶବ୍ଦ ଭାଷାରେ ଆଦୌ ପ୍ରଚଳିତ ହୋଇ ପାରି ନ ଥାନ୍ତା ଓ ଆମ୍ଭେମାନେ କେବଳ କେତେକ ସୀମାବଦ୍ଧ ଭାବ ଭିନ୍ନ ଅନ୍ୟ ଭାବମାନଙ୍କୁ ପ୍ରକାଶ କରିବାକୁ କ୍ଷମ ହୁଅନ୍ତୁ ନାହିଁ । ପ୍ରାଣୀମାନଙ୍କର ଉଚ୍ଚାରିତ ଧ୍ୱନିଦ୍ୱାରା ସେମାନଙ୍କର ନାମକରଣ ହୋଇ ପାରେ କିମ୍ବା କେତେକ ବିଶେଷ ଗତିଶୀଳ ବସ୍ତୁମାନଙ୍କର ଧ୍ୱନିଦ୍ୱାରା ସେମାନଙ୍କୁ ନିର୍ଦ୍ଦେଶିତ କରାଯାଇପାରେ; କିନ୍ତୁ ସାଧାରଣ ବ୍ୟବହୃତ ନାନା ପଦାର୍ଥର ନାମକରଣ କରିବା ଅସମ୍ଭବ ହୁଅନ୍ତା । ବାସ୍ତବିକ ପୃଥିବୀର ପ୍ରାୟ ପ୍ରତ୍ୟେକ ଭାଷାରେ ବହୁପ୍ରକାର ଧ୍ୱନ୍ୟନୁକରଣ ଶବ୍ଦ ଥିଲେହେଁ ଭାଷା ମଧ୍ୟରେ ସାଙ୍କେତିକ ଶବ୍ଦମାନଙ୍କର ବ୍ୟବହାର ଅତ୍ୟଧିକ । ସୁନା, ଘର, ଚୌକି, ପିଲା, ପାଣି, ନଈ ପ୍ରଭୃତି ସାଙ୍କେତିକ ଶବ୍ଦ, ଅନ୍ୟ ଦିଗରେ ବହୁ ପ୍ରାଚୀନ କାଳରୁ ବ୍ୟବହୃତ ହମ୍ବା, କାଉ, ତିତ୍ତିର ପ୍ରଭୃତି ଶବ୍ଦ ଧ୍ୱନ୍ୟନୁକରଣ; ପୁଣି ଘର୍ଷଣ, କୁର୍ତ୍ତା, ଘର୍ମ, ଗରମ, ପତ୍ର, ଧୂଳି ପ୍ରଭୃତି ଶବ୍ଦ ବର୍ତ୍ତମାନ ସାଙ୍କେତିକ ବୋଲି ମନେ ହେଲେହେଁ ବାସ୍ତବରେ ଏଗୁଡିକ ମୂଳତଃ ଧ୍ୱନ୍ୟନୁକରଣରୁ ଜାତ ହୋଇଥିଲେହେଁ କ୍ରମଶଃ ସେମାନଙ୍କ ଅନୂକରଣରେ ବିଭିନ୍ନ ଶବ୍ଦ ଗଠିତ ହୋଇଅଛି ଓ ପ୍ରାଚୀନ ଆର୍ଯ୍ୟଭାଷା ଏହିସବୁ କୃତ୍ରିମ ଶବ୍ଦ ଦ୍ୱାରା ପୁଷ୍ଟ ଓ ସମୃଦ୍ଧ ହୋଇଅଛି । ବର୍ତ୍ତମାନ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ଅନୁଶୀଳନ କଲେ ଆମ୍ଭେମାନେ କେତେକ କ୍ଷେତ୍ରରେ ଏହି ମୂଳ ଧ୍ୱନ୍ୟନୁକରଣ ସହିତ ପରିଚିତ ହୋଇ ପାରୁଁ ଓ ଭାଷାର କ୍ରମବିକାଶ ମଧ୍ୟ ସହଜରେ ଉପଲବ୍ଧି କରି ପାରୁଁ । ଏକ ମୂଳ ଧ୍ୱନ୍ୟନୁକରଣରୁ କିପରିଭାବରେ ନାନା ଭାଷାରେ ନାନା ଶବ୍ଦର ଉଦ୍ଭବ ହୋଇଅଛି, ତାହାର ଗୋଟିଏ ଉଦାହରଣ ଏଠାରେ ଦିଆଯାଇ ପାରେ । କୌଣସି ପକ୍ଷୀ ହଠାତ୍ ଉଡ଼ିବା ସମୟରେ 'ପତ୍' 'ପତ୍' ଧ୍ୱନି ଜାତ ହୋଇଥାଏ ଓ ଏହି ଧ୍ୱନିରୁ ଏକ ଦିଗରେ ପର, ପତ୍ର, ପତାକା, ପତଙ୍ଗ, ପତନ ପ୍ରଭୃତି ଶବ୍ଦ, ଅନ୍ୟ ଦିଗରେ pennant, feather, symptom, impetus, appetite, pen, compete ପ୍ରଭୃତି ନାନା ଇଂରାଜୀ ଶବ୍ଦ ମଧ୍ୟ ଜାତ ହୋଇଅଛି । ଏହି ସବୁ ଶବ୍ଦ ମଧ୍ୟରେ ବର୍ତ୍ତମାନ କୌଣସି ସମ୍ପର୍କ ଥିବାର ଜଣା ଯାଉ ନ ଥିଲେହେଁ ଏକ ସମୟରେ ବହୁ ପ୍ରାଚୀନ କାଳରେ ଗୋଟିଏ ଧ୍ୱନିର ଅନୁକରଣରୁ ଉତ୍ପନ୍ନ ମୂଳ ଶବ୍ଦରୁ ଯେ ଏମାନେ ଜାତ ହୋଇଅଛନ୍ତି, ସେଥିରେ ସନ୍ଦେହ ନାହିଁ ।

ପ୍ରତ୍ୟେକ ଭାଷାରେ ଧ୍ୱନ୍ୟନୁକରଣ ଶବ୍ଦ ବ୍ୟବହାରରେ ନାନାପ୍ରକାର ରୀତି ଦେଖାଯାଏ । ଓଡ଼ିଆରେ ଝକ୍ ଓ ଚକ୍, ଫୁଟ ଓ ଫାଟ, ଧଡ଼ ଓ ଧଡ଼ାସ୍ ପ୍ରଭୃତି ଶବ୍ଦମାନଙ୍କର ବ୍ୟବହାରଗତ ପାର୍ଥକ୍ୟ ଭାଷାକୁ ସମୃଦ୍ଧ କରୁଅଛି ଓ ଭାବର ଯଥାଯଥ ପ୍ରକାଶରେ ସାହାଯ୍ୟ ମଧ୍ୟ କରୁଅଛି । ଏହିପରି ରୀତି ଅନ୍ୟ ଭାଷାମାନଙ୍କରେ ମଧ୍ୟ ଦେଖାଯାଏ । ମାତ୍ର ଶବ୍ଦର ରୀତିଗତ ବ୍ୟବହାରର ଆଲୋଚନା ବ୍ୟାକରଣର ଅନ୍ତର୍ଗତ, ଭାଷାତତ୍ତ୍ୱରେ ଏପରି ଆଲୋଚନା କରିବା କଠିନ ।

ବୈଦେଶିକ ଓ ଦେଶଜ ଶବ୍ଦ - ଭାଷାରେ ବ୍ୟହହୃତ ଶବ୍ଦମାନଙ୍କୁ ସାଧାରଣତଃ ବୈଦେଶିକ ଓ ଦେଶଜ ଏହି ଦୁଇ ମୁଖ୍ୟ ବିଭାଗରେ ବିଭକ୍ତ କରାଯାଇଥାଏ । ଓଡ଼ିଆରେ ଚଷମା, ଆଲମାରି, ଟେବୁଲ, ସୁଲତାନ, ଫଏସଲ, ପରାତ, ତୁରୁପ ପ୍ରଭୃତି ବିଦେଶୀ ଶବ୍ଦ ବୋଲି ଚିହ୍ନିତ ହୋଇଥାନ୍ତି, ଅର୍ଥାତ୍ ସଂସ୍କୃତରୁ ବିକୃତ ଓ ଅବିକୃତ ରୂପରେ ଯେଉଁ ଶବ୍ଦଗୁଡ଼ିକ ଗୃହୀତ ହୋଇଥାଏ, ସେଗୁଡ଼ିକ ଆମ୍ଭେମାନେ ଦେଶୀ ଶବ୍ଦ ଓ ଇଂରାଜୀ, ଆରବୀ, ଫାରସୀ ତେଲଗୁ, ତାମିଲ ପ୍ରଭୃତି ଅନ୍ୟାନ୍ୟ ଭାଷାରୁ ଯେଉଁ ଶବ୍ଦମାନ ଗୃହୀତ ହୋଇଅଛି, ସେଗୁଡ଼ିକୁ ବିଦେଶୀ ଶବ୍ଦ ବୋଲି ନିର୍ଦ୍ଦେଶିତ କରିଥାଉଁ । ସଂସ୍କୃତ ଶବ୍ଦର ପ୍ରୟୋଗ ସାଧୁ ଓ ବିଦେଶୀ ଶବ୍ଦର ପ୍ରୟୋଗ ଅସାଧୁ ବୋଲି ପଣ୍ତିତମାନଙ୍କର ମତ । କିନ୍ତୁ ଭାଷାତତ୍ତ୍ୱ ଅନୁସାରେ ଏପରି ଶ୍ରେଣୀବିଭାଗ ଭ୍ରମାତ୍ମକ । ଭାଷାରେ ବ୍ୟବହୃତ ଓ ସ୍ୱୀକୃତ ପ୍ରତ୍ୟେକ ଶବ୍ଦ ତାହାର ନିଜସ୍ୱ ଅର୍ଥାତ୍ ଇଂରାଜୀ, ଆରବୀ, ଫାରସୀ ପ୍ରଭୃତି ଭାଷାରୁ ଯେଉଁ ଶବ୍ଦମାନ ଓଡ଼ିଆରେ ଅବାଧରେ ପ୍ରଚଳିତ, ସେମାନେ ସମସ୍ତେ ଓଡ଼ିଆ ଶବ୍ଦ ଓ ଏ ଦିଗରୁ ଟେବୁଲ ଓ ରାତ୍ରି ମଧ୍ୟରେ କୌଣସି ପାର୍ଥକ୍ୟ ସ୍ୱୀକାର କରିବା ସମୀଚୀନ ନୁହେଁ । ଅବଶ୍ୟ କେତେକ ବୈଦେଶିକ ଶବ୍ଦ ଭାଷାରେ ପୂର୍ଣ୍ଣଭାବରେ ସ୍ୱୀକୃତ, ଅନ୍ୟଗୁଡ଼ିକ ସାଧାରଣରେ ସ୍ୱୀକୃତ ହୋଇ ନାହିଁ; ଏଣୁ ସେମାନଙ୍କର ବହୁଳ ପ୍ରୟୋଗ ଯେ ଅନୁଚିତ ଏ ବିଷୟରେ ସନ୍ଦେହ ନାହିଁ । ଅର୍ଥାତ୍ 'ସେ ଟେବୁଲରେ ବସି ଖାନା ଖାଆନ୍ତି' ଭାଷାରେ ପ୍ରଚଳିତ, କିନ୍ତୁ 'ସେ ପେନ ନେଇ ପେପର ଉପରେ ଲେଖେ' ଏହା ପ୍ରଚଳିତ ନୁହେଁ । 'ରାୟ' ପ୍ରଚଳିତ, କିନ୍ତୁ 'ଜଜ୍‌ମେଣ୍ଟ୍' ପ୍ରଚଳିତ ନୁହେଁ । 'କଲମ' ପ୍ରଚଳିତ, କିନ୍ତୁ 'ପେନ୍' ପ୍ରଚଳିତ ନୁହେଁ । 'ୱାରସ' ପ୍ରଚଳିତ, କିନ୍ତୁ heir ପ୍ରଚଳିତ ନୁହେଁ । ଯେଉଁ ଶବ୍ଦମାନ ଓଡ଼ିଆ ଭାଷାରେ ସ୍ୱୀକୃତ, ସାହିତ୍ୟରେ ବ୍ୟବହୃତ, ଜନସାଧାରଣଦ୍ୱାରା ପ୍ରଯୁକ୍ତ ଓ ଲୋକମୁଖରେ ଅବାଧରେ ପ୍ରଚଳିତ, ସେ ସମସ୍ତ ଓଡ଼ିଆ ଶବ୍ଦ, ସେମାନଙ୍କର ବ୍ୟବହାରଗତ ଓ ପ୍ରୟୋଗଗତ ବିଶେଷ ରୀତି ପ୍ରଚଳିତ ଥିଲେହେଁ ସେମାନଙ୍କ ମଧ୍ୟରେ ତାରତମ୍ୟ କରିବା ଅନୁଚିତ । କେବଳ ସେମାନଙ୍କର ଉତ୍ପତ୍ତି ଘେନି ସେମାନଙ୍କର ଶ୍ରେଣୀ ବିଭାଗ କରାଯାଇ ପାରେ । ସାଧାରଣତଃ ଓଡ଼ିଆ ଭାଷାରେ ଶବ୍ଦମାନଙ୍କୁ ତତ୍‌ସମ, ତଦ୍ଭବ,ଦେଶଜ ଓ ବୈଦେଶିକ ଏହି ଚାରି ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ଏହି ଶ୍ରେଣୀ ବିଭାଗର ନିରିଖ ସଂସ୍କୃତ ଭାଷା, ଓଡ଼ିଆ ଭାଷା ନୁହେଁ । ଯେଉଁସବୁ ସଂସ୍କୃତ ଶବ୍ଦ ଓଡ଼ିଆରେ ଅବିକୃତଭାବରେ ବ୍ୟବହୃତ, ସେଗୁଡ଼ିକୁ 'ତତ୍‌ସମ',ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ବିକୃତଭାବରେ ବ୍ୟବହୃତ ସେମାନଙ୍କୁ 'ତଦ୍ଭବ', ଯେଉଁ ଶବ୍ଦମାନ ବୈଦେଶିକ ଭାଷାରୁ ଗୃହୀତ ସେମାନଙ୍କୁ 'ବୈଦେଶିକ' ଓ ଯେଉଁ ଶବ୍ଦମାନଙ୍କ ଉତ୍ପତ୍ତି ଅଜ୍ଞାତ ବା ଆଦିମକାଳରୁ ଭାଷାରେ ବ୍ୟବହୃତ ବୋଲି ସ୍ୱୀକୃତ ସେମାନଙ୍କୁ 'ଦେଶଜ' ଏହି ଆଖ୍ୟା ଦିଆଯାଇଥାଏ । ମାତ୍ର ଏପରି ଶ୍ରୈଣୀବିଭାଗ କରିବା ଯେ ଭୁଲ ତାହା ସହଜରେ ଅନୁମିତ ହୋଇ ପାରେ; କାରଣ (୧) ବୈଦେଶିକ ଅନେକ ଶବ୍ଦ ମୂଳତଃ ଆର୍ଯ୍ୟ ଭାଷାରୁ ଗୃହୀତ; 'କୋଇଲା' ଏହାର ପ୍ରକୃଷ୍ଟ ଉଦାହରଣ । କାରଣ ଏହି ଶବ୍ଦ ଯେଉଁ ମୂଳ ଆର୍ଯ୍ୟ ଶବ୍ଦରୁ ଉତ୍ପନ୍ନ, ସଂସ୍କୃତ 'ଜ୍ୱଳ୍' ଶବ୍ଦ ମଧ୍ୟ ସେହି ମୂଳ ଶବ୍ଦରୁ ଉତ୍ପନ୍ନ; ଅତଏବ ଏହା ବାସ୍ତବରେ ତଦ୍ଭବ । ଏହିପରି ପାଲକି, ଫଟୋ, ଫିଟନ, ଫିଷ୍ଟ, ମାର୍ବୁଲ, ଇସ୍କୁଲ ପ୍ରଭୃତି ଶବ୍ଦ ମଧ୍ୟ ସଂସ୍କୃତ ସହିତ ସମ୍ପୃକ୍ତ । (୨) ତୋଟା, ପିଲା, ଅଟେଇ, ପାଟି ପ୍ରଭୃତି ଶବ୍ଦ ଦ୍ରାବିଡ଼ ଭାଷାରୁ ଗୃହୀତ, ଏଣୁ ଓଡ଼ିଆ ଭାଷାରେ ବୈଦେଶିକ ବୋଲି ନିର୍ଦ୍ଦେଶିତ ହେଉଥିଲେହେଁ ଯେଉଁ ସବୁ ଦ୍ରାବିଡ଼ ଶବ୍ଦ ପୂର୍ବେ ସଂସ୍କୃତ ଭାଷାରେ ସ୍ୱୀକୃତ ହୋଇଥିଲା (ଯଥା -ପଟ୍ଟ, କପି, କାଳ, ଫଳ, ରାତ୍ରି, ବିଲ, ବୀଜ, ତଣ୍ତୁଳ, ପୁଷ୍ପ, ଶବ ପ୍ରଭୃତି) ସେଗୁଡ଼ିକ ବାସ୍ତବରେ ବୈଦେଶିକ ବୋଲି ଭାଷାରେ ସ୍ୱୀକୃତ ହେବା ଉଚିତ । (୩) ସୁଡ଼ଙ୍ଗ, ବଣିକ, ପୁସ୍ତକ ପ୍ରଭୃତି ନାନା ସଂସ୍କୃତ ଶବ୍ଦ ଅନ୍ୟ ଭାଷାରୁ ଗୃହୀତ ହୋଇଥିବା ସ୍ଥଳେ ଏଗୁଡ଼ିକ ମଧ୍ୟ ବୈଦେଶିକ ବୋଲି ନିର୍ଦ୍ଦେଶିତ ହେବା ଉଚିତ । (୪) ସଂସ୍କୃତରୁ ଓଡ଼ିଆରେ ଗୃହୀତ ଅନେକ ଶବ୍ଦ ବାସ୍ତବରେ ଭାଷାରେ ସ୍ୱୀକୃତ ନ ହୋଇଥିବା ସ୍ଥଳେ ସେଗୁଡ଼ିକ ମଧ୍ୟ ଓଡ଼ିଆ ପକ୍ଷରେ ବୈଦେଶିକ ଶବ୍ଦ । ଅର୍ଥାତ୍ 'pen' ଶବ୍ଦ ଯେପରି ଭାଷାରେ ଅବାଧରେ ସ୍ୱୀକୃତ ହୋଇ ନାହିଁ, 'ଇରମ୍ମଦ' ମଧ୍ୟ ସେହିପରି ସ୍ୱୀକୃତ ହୋଇ ନାହିଁ । ଏହିପରି କଳ୍ମଷ, ଅଧିବକ୍ତ୍ର, ଅଭିମର ପ୍ରଭୃତି ନାନା ସଂସ୍କୃତ ଶବ୍ଦ ମଧ୍ୟ ସ୍ଥାନେ ସ୍ଥାନେ ଓଡ଼ିଆ ଭାଷାରେ ବ୍ୟବହୃତ ହୋଇଥିଲେହେଁ ଏଗୁଡିକ ଓଡ଼ିଆ ଭାଷା ପକ୍ଷରେ ବୈଦେଶିକ । (୫) ସଂସ୍କୃତରେ ଅନୁକରଣରେ ଓଡ଼ିଆରେ ଯେଉଁ ଶବ୍ଦମାନ ରଚିତ ହୋଇଅଛି (ଯଥା -ମର୍ମନ୍ତୁଦ; ବନାନୀ; ରାଜନୈତିକ ପ୍ରଭୃତି) ସେଗୁଡ଼ିକ ସଂସ୍କୃତ ନୁହନ୍ତି କିମ୍ବା ସଂସ୍କୃତରୁ ଉଦ୍ଭୂତ ମଧ୍ୟ ନୁହନ୍ତି । ଏମାନଙ୍କୁ ତତ୍‌ସମ ବା ତଦ୍ଭବ କୌଣସି ବିଭାଗରେ ସ୍ଥାନ ଦେବା ସମୀଚୀନ ହେବ ନାହିଁ । (୬) ଦେଶଜ ବୋଲି ଗୋଟିଏ ଶ୍ରେଣୀବିଭାଗ କରି ସେଥିରେ ଅଜ୍ଞାତକୁଳଶୀଳ ସବୁ ଶବ୍ଦମାନଙ୍କୁ ଏକତ୍ର କରିବା ବାସ୍ତବରେ ଯୁକ୍ତିଯୁକ୍ତ ନୁହେଁ, କାରଣ ଦେଶଜର ଯେଉଁ ସଂଜ୍ଞା ଆମ୍ଭେମାନେ ପୂର୍ବ ପୁସ୍ତକମାନଙ୍କରେ ପାଉଁ, ସେଥିରେ ଅନେକ ତଦ୍ଭବ ଶବ୍ଦକୁ ମଧ୍ୟ ଦେଶଜ ଶ୍ରେଣୀ ମଧ୍ୟରେ ସ୍ଥାନ ଦିଆଯାଇ ପାରେ; ଯଥା - କୃଷକ । (୭) ଓଡ଼ିଶାରେ ବ୍ୟବହୃତ ପ୍ରାଚୀନ ଭାଷା କୋଳ ଓ ଦ୍ରାବିଡ ଭାଷାର ଅପଭ୍ରଂଶ ଥିବା ସ୍ଥଳେ ବାସ୍ତବରେ ସେହି ଭାଷାମାନଙ୍କରୁ ଗୃହୀତ ଶବ୍ଦହିଁ ଦେଶଜ, ତଦ୍ଭିନ୍ନ ଇଂରାଜୀ, ସଂସ୍କୃତ ପ୍ରଭୃତି ଅନ୍ୟ ସମସ୍ତ ଭାଷାର ଶବ୍ଦ ବୈଦେଶିକ ।

ବାସ୍ତବରେ ଗୋଟିଏ ଭାଷାରେ ବ୍ୟବହୃତ ବା ସ୍ୱୀକୃତ ଶବ୍ଦ ଅନ୍ୟ ଭାଷାର ନିରିଖ ନେଇ ଶ୍ରେଣୀବିଭାଗ କରିବା ଅନ୍ୟାୟ ଓ ଓଡ଼ିଆ ଶବ୍ଦମାନଙ୍କୁ ସଂସ୍କୃତ ଶବ୍ଦ ସହିତ ତୁଳନା କରିବା ଭ୍ରମାତ୍ମକ; କାରଣ ସଂସ୍କୃତ କିଛି ମୂଳ ଭାଷା ନୁହେଁ, ଆର୍ଯ୍ୟ ଭାଷା ସହସ୍ର ସହସ୍ର ବର୍ଷ ବ୍ୟବହୃତ ହେବା ପରେ ବିକୃତ ହୋଇ ସଂସ୍କୃତରେ ପରିଣତ ହୋଇଅଛି । ଏଣୁ ଶବ୍ଦମାନଙ୍କର ଇତିହାସ ଆଲୋଚନା କଲେ ସଂସ୍କୃତଠାରେ ନ ଅଟକି ମୂଳ ଭାଷା ପର୍ଯ୍ୟନ୍ତ ସେମାନଙ୍କର ବିଚାର କରିବାକୁ ହୋଇଥାଏ । ଭାଷାତତ୍ତ୍ୱରେ ଶବ୍ଦର ପୂର୍ଣ୍ଣ ପରିଚୟ ଏବଂ ଶବ୍ଦର ଇତିହାସ ଆଲୋଚିତ ହେବା ପ୍ରୟୋଜନ; କେବଳ ଶବ୍ଦମାନଙ୍କର ସ୍ଥୂଳ ଶ୍ରେଣୀବିଭାଗ ଉଚିତ ନୁହେଁ । ଏପରି କରିବାଦ୍ୱାରା ସଂସ୍କୃତପ୍ରେମର ପରିଚୟ ମିଳିପାରେ; କିନ୍ତୁ ଓଡ଼ିଆ ଭାଷାତତ୍ତ୍ୱ ବିଷୟରେ ଜ୍ଞାନର ପରିଚୟ ମିଳେ ନାହିଁ ।

ଭାଷାତତ୍ତ୍ୱ ଦିଗରୁ ଆଲୋଚନା କଲେ ଓଡ଼ିଆରେ ବ୍ୟବହୃତ ଓ ସ୍ୱୀକୃତ ପ୍ରତ୍ୟେକ ଶବ୍ଦକୁ ଓଡ଼ିଆ ଶବ୍ଦ ବୋଲି ଜ୍ଞାନ କରିବାକୁ ହେବ ଏବଂ ଏହି ଶବ୍ଦ ମାନଙ୍କର ଉତ୍ପତ୍ତି, ମୂଳ ଶବ୍ଦ ଓ ଇତିହାସ ନିର୍ଣ୍ଣୟ କରିବାକୁ ହେବ ଓ ପ୍ରତ୍ୟେକ ଅବସ୍ଥାରେ ତାହାର ବିକୃତିର କାରଣ ନିର୍ଦ୍ଦେଶ କରିବାକୁ ହେବ । ଦୁଇଗୋଟି ଉଦାହରଣ ଦେଲେ ଏ ବିଷୟ ସ୍ପଷ୍ଟ ହୋଇ ପାରେ । ଓଡ଼ିଆ 'ଟେବୁଲ' ଶବ୍ଦ ଇଂରାଜୀ table ଶବ୍ଦରୁ ଜାତ ଓ ଇଂରାଜୀ ଶବ୍ଦର ଉଚ୍ଚାରଣକୁ ସରଳ କରିବା ନିମନ୍ତେ 'ଇ' ବା 'ଉ' ସ୍ୱରର ଆଗମ ସ୍ୱାଭାବିକ, ଏଣୁ ଓଡ଼ିଆରେ ଟେବିଲ ବା ଟେବୁଲ ଉଚ୍ଚାରିତ ହୋଇଥାଏ । ଇଂରାଜୀ Table ଶବ୍ଦ କିନ୍ତୁ ଲାଟିନ Tabula ଶବ୍ଦରୁ ଜାତ ଓ ଲାଟିନ ଭାଷାରୁ ଫରାସୀ ଭାଷାର ମଧ୍ୟଦେଇ ଏହି ଶବ୍ଦଟି ଇଂରାଜୀରେ ପ୍ରଚଳିତ ହୋଇଥିବାରୁ ଫରାସୀ ଶବ୍ଦର ରୂପ table ଇଂରାଜୀରେ ଅନୁକୃତ । ଲାଟିନ Tabula ଶବ୍ଦ ପୁଣି ମୂଳ ଆର୍ଯ୍ୟ 'ତନ୍' ଶବ୍ଦରୁ ଜାତ । 'ତନ୍' ଶବ୍ଦର ଅର୍ଥ ବିସ୍ତୃତ ହେବା ଓ ଏହି ଶବ୍ଦରୁ ସଂସ୍କୃତ ତନ୍ତୁ, ତନୁ ପ୍ରଭୃତି ଶବ୍ଦ, ଇଂରାଜୀ thin, tender ପ୍ରଭୃତି ଶବ୍ଦମାନ ମଧ୍ୟ ଉତ୍ପନ୍ନ; ଏଣୁ ଟେବୁଲ ଶବ୍ଦ ସହିତ ଏସବୁ ଶବ୍ଦ ମଧ୍ୟ ସମ୍ପୃକ୍ତ ଓ ଏସବୁ ଏକ ମୂଳ ପ୍ରାଚୀନ ଆର୍ଯ୍ୟ ଶବ୍ଦରୁ ବିଭିନ୍ନ ସମୟରେ ଜାତ । ଭାଷାତତ୍ତ୍ୱର ସାଧାରଣ ନିୟମ ଅନୂସାରେ ମୂଳ ଆର୍ଯ୍ୟ 'ତ' ଇଂରାଜୀରେ 'ଥ', ଲାଟିନର 'ତ' ବା 'ଟ' ସଂସ୍କୃତରେ 'ତ' ରେ ପରିଣତ ହୋଇଥାଏ; ଏଣୁ 'ତନ୍' ଶବ୍ଦ ଇଂରାଜୀ thin ରେ ପରିଣତ ହେବା ସ୍ୱାଭାବିକ ଓ table ରେ 'ଟ' ଧ୍ୱନି ଅବିକୃତ ଥିବାରୁ ତାହା ନିଶ୍ଚୟ ମୂଳ ଆର୍ଯ୍ୟ ଭାଷାରୁ ଲାଟିନର ମଧ୍ୟ ଦେଇ ଇଂରାଜୀରେ ଗୃହୀତ ହୋଇଥିବାର ଅନୂମାନ କରାଯାଇ ପାରେ । ଏହିପରି ଓଡ଼ିଆ 'ପଶୁ' ଶବ୍ଦ ସଂସ୍କୃତ 'ପଶୁ' ଶବ୍ଦରୁ ଗୃହୀତ; ମାତ୍ର ଏହି ଶବ୍ଦ ମୂଳ ଆର୍ଯ୍ୟ 'ପଶ୍' (ବା ପକ୍)ଶବ୍ଦରୁ ଜାତ । ମୂଳ ଶବ୍ଦର ଅର୍ଥ ଥିଲା ବାନ୍ଧିବା ଅର୍ଥାତ୍ ପଶୁ ଶବ୍ଦର ମୂଳ ଅର୍ଥ ଯାହା ବନ୍ଧାଯାଏ ଓ ଏହି ଶବ୍ଦ ସଂସ୍କୃତ ପାଶ ଓ ଓଡ଼ିଆ ପାଶ, ଫାଶ ଶବ୍ଦ ସହିତ ମଧ୍ୟ ସମ୍ପୃକ୍ତ । ପୁଣି ଲାଟିନରେ ଏହାର ରୂପ peen ଓ ଗବାଦି ପଶୁହିଁ ପୂର୍ବେ ଲୋକମାନଙ୍କର ଧନସ୍ୱରୂପ ଥିବାରୁ ଲାଟିନରେ ଏହାର ଅର୍ଥ ଧନ ଓ ଇଂରାଜୀ pecuniary ଶବ୍ଦରେ ଏହି ଅର୍ଥ ସ୍ୱୀକୃତ ହୋଇଅଛି । ଭାଷାତତ୍ତ୍ୱର ନିୟମ ଅନୁସାରେ ଆର୍ଯ୍ୟ 'ପ' ଇଂରାଜୀରେ 'ଫ' ଓ ଆର୍ଯ୍ୟ 'କ' ଇଂରାଜୀରେ 'ହା' ରେ ପରିଣତ ହେବା ସ୍ୱାଭାବିକ; ଏଣୁ ପଶୁ ଶବ୍ଦ ସହିତ ଇଂରାଜୀ fee ଓ ଓଡ଼ିଆ 'ଫିସ୍' ଶବ୍ଦ ମଧ୍ୟ ସମ୍ପୃକ୍ତ । 'ପଶ୍' ଶବ୍ଦର ମୂଳ 'ବାନ୍ଧିବା' ଅର୍ଥ Cambro Brittanic fasgu ଓ ଇଟାଲୀୟ fascist ଶବ୍ଦରେ ପ୍ରଚଳିତ ଓ ଲାଟିନ pactum (ଏଥିରୁ ଇଂରାଜୀ pact) ଶବ୍ଦରେ ମଧ୍ୟ ଏହି ଅର୍ଥ ଦୃଷ୍ଟ । ପୁଣି ଓଡ଼ିଆରେ 'ପେଜ' (ଇଂରାଜୀ page ରୁ ଗୃହୀତ) ଶବ୍ଦ ମଧ୍ୟ ମୂଳତଃ ଏହି ଧାତୁ ସହିତ ସମ୍ପୃକ୍ତ ଓ ଏକ ସମୟରେ ପାପିରସ ଗଛର ପତ୍ରକୁ ଛୋଟ ଛୋଟ ଫାଳ କରି ଏକତ୍ର ବନ୍ଧାଯାଉଥିବାରୁ ବା ସିଲାଇ କରାଯାଇ ଗୋଟିଏ ପତ୍ର କରାଯାଉଥିବାରୁ ବାନ୍ଧିବା ଅର୍ଥକୁ ମୂଳ କରି ଏହାକୁ page ବୋଲା ଯାଉଥିଲା ଅର୍ଥାତ୍ ପେଜ, ଫାଶ, ପଶୁ, ଫିସ୍ ପ୍ରଭୃତି ନାନା ଓଡ଼ିଆ ଶବ୍ଦ ଏକ ମୂଳ ଆର୍ଯ୍ୟ ଶବ୍ଦରୁ ଉଦ୍ଭୃତ ଓ ନାନା ଭାଷାର ମଧ୍ୟ ଦେଇ ଓଡ଼ିଆ ଭାଷାରେ ଏମାନଙ୍କର ପ୍ରଚଳନ ହୋଇଅଛି । ପ୍ରତ୍ୟେକ ଶବ୍ଦର ଏହିପରି ଏକ ବିରାଟ-ଇତିହାସ ଅଛି ଓ ଏହି ଇତିହାସର ଆଲୋଚନା ପୂର୍ଣ୍ଣଭାବରେ କରି ପାରିଲେ ଶବ୍ଦର ସମ୍ପୂର୍ଣ୍ଣ ପରିଚୟ ଲାଭ କରାଯାଇ ପାରେ । କେବଳ ଗତାନୁଗତିକଭାବରେ ଧାତୁ-ପ୍ରତ୍ୟୟ ନିରୂପଣ ବା ଦେଶକ, ବୈଦେଶିକ ପ୍ରଭୃତି ବିଭାଗ ନିର୍ଦ୍ଦେଶ ଭାଷାତତ୍ତ୍ୱ ଅନୁସାରେ ଶୁଦ୍ଧ ନୁହେଁ ।

ଦେଶ-ବିଦେଶ ସହିତ ରାଜନୀତିଗତ, ବ୍ୟବସାୟଗତ ବା କୃଷ୍ଟିଗତ ସମ୍ପର୍କ ସ୍ଥାପିତ ହୋଇଥିବାରୁ ନାନା ବୈଦେଶିକ ଶବ୍ଦ ଭାଷାରେ ପ୍ରଚଳିତ ହେବା ସ୍ୱାଭାବିକ । ଏହିପରି ସମ୍ପର୍କ ହେତୁରୁ ଅନୁବାଦ ଓ ଅନୁକରଣଦ୍ୱାରା ମଧ୍ୟ ଭାଷା ସମୃଦ୍ଧ ହେବା ସ୍ୱାଭାବିକ । ଓଡ଼ିଆରେ ଅନେକ ଇଂରାଜୀ ଶବ୍ଦ ସ୍ୱୀକୃତ ହୋଇଅଛି (ଯଥା - ଡାକ୍ତର, ଟେବୁଲ, ଇସ୍କୁଲ, ବେଞ୍ଚ, ମାଷ୍ଟର ପ୍ରଭୃତି) ପୁଣି ଅନେକ କ୍ଷେତ୍ରରେ ଶବ୍ଦମାନଙ୍କର ଅନୁବାଦ କରିବାର ଚେଷ୍ଟା ମଧ୍ୟ ହୋଇଅଛି । ସେହି ଅନୁବାଦ ଭ୍ରମାତ୍ମକ ହେଲେହେଁ କେତେକ ସ୍ଥଳରେ ସୁପ୍ରଚଳିତ ହୋଇଅଛି । (ଯଥା novel = ଉପନ୍ୟାସ, culture = କୃଷ୍ଟି, editor = ସମ୍ପାଦକ, secretary = ସମ୍ପାଦକ, motor car = ହାୱାଗାଡି, principal = ଅଧ୍ୟକ୍ଷ ପ୍ରଭୃତି) । ମାତ୍ର ଅନ୍ୟ ସ୍ଥଳରେ ଠିକ୍ ଅନୁବାଦର ପ୍ରୟାସ ବ୍ୟର୍ଥ ମଧ୍ୟ ହୋଇଅଛି । (ଯଥା railway = ବାଷ୍ପୀୟ ଶକଟ, ବର୍ତ୍ତମାନ ସାଧାରଣ ଲୋକମାନେ ମଧ୍ୟ ରେଲବାଇ, ରେଲଗାଡ଼ି, ଟ୍ରେନ ପ୍ରଭୃତି ଶବ୍ଦ ବ୍ୟବହାର କରିଥାନ୍ତି, museum = କୌତୁକାଗାର, ଯାଦୁଘର ନିର୍ଭୁଲ ଅନୁବାଦ ନ ହେଲେହେଁ ସୁପ୍ରଚଳିତ; hospital = ଆରୋଗ୍ୟନିକେତନ, zoo = ପଶୁଶାଳା, ଏହି ଅର୍ଥରେ ଚିଡ଼ିଆଖାନା ଶବ୍ଦ ପ୍ରଚଳିତ, ଏହାର କାରଣ ପୂର୍ବେ ଧନୀ ଲୋକମାନେ ସାଧାରଣତଃ ନାନା ପ୍ରକାର ପକ୍ଷୀ ପାଳନ କରୁଥିଲେ, ବ୍ୟାଘ୍ର ଆଦି ପାଳନ କରିବାର ପ୍ରଥା ପ୍ରଚଳିତ ନ ଥିଲା; municipality = ନାଗରିକ ସମିତି ପ୍ରଭୃତି) । ଅନ୍ୟ କେତେକ ସ୍ଥାନରେ ଇଂରାଜୀ ଶିକ୍ଷାର ବ୍ୟାପକତା ହେତୁରୁ ଅନୂଦିତ ଶବ୍ଦ କ୍ରମଶଃ ଅବ୍ୟବହୃତ ହେଉଅଛି ଓ କାଳକ୍ରମେ ଇଂରାଜୀ ଶବ୍ଦ ବହୁଳ ପ୍ରଚାର ହେବା ସମ୍ଭବ (ଯଥା - competition = ପ୍ରତିଯୋଗିତା, trench = ଆଶ୍ରୟସ୍ଥଳ, university = ବିଶ୍ୱବିଦ୍ୟାଳୟ, Gymnasium = ବ୍ୟାୟାମାଗାର, tutor = ଗୃହଶିକ୍ଷକ ପ୍ରଭୃତି)। ବୈଦେଶିକ ଶବ୍ଦ ଦ୍ୱାରା ଅର୍ଥର ନାନା ପ୍ରକାର ବିଭିନ୍ନତା ପ୍ରକାଶ କରିବା ଯେ ସହଜସାଧ୍ୟ ହୋଇଅଛି, ତାହା କହିବା ବାହୁଲ୍ୟମାତ୍ର ।

ଶବ୍ଦର ରୂପଗତ ବିକୃତି ସମ୍ପାଦନା

ଯେଉଁ ଶବ୍ଦଗୁଡିକ ସ୍ପଷ୍ଟ ଧ୍ୱନ୍ୟନୂକରଣ ଅଥବା ଯେଉଁଗୁଡ଼ିକ ଅତି ଆଧୁନିକ ଯୁଗରେ ସୃଷ୍ଟ, ସେମାନଙ୍କର ସହଜରେ ବିକୃତି ଘଟେ ନାହିଁ । ପୁଣି ଯେଉଁ ଶବ୍ଦ ମାନ ବିଶେଷ ଅପ୍ରଚଳିତ କିମ୍ବା କେବଳ ବିଦ୍ୱତ୍ ସମାଜରେ ପ୍ରଚଳିତ, ସେମାନଙ୍କର ମଧ୍ୟ ବିକୃତି ସାଧାରଣତଃ ଦେଖାଯାଏ ନାହିଁ । ଯେଉଁ ଶବ୍ଦ ଯେତେ ଅଧିକ ପ୍ରଚଳିତ, ସେହି ସବୁ ଶବ୍ଦରେ ଅର୍ଥଗତ ଓ ରୂପଗତ ବିକୃତି ତେତେ ଅଧିକ; ଏହି ବିକୃତି ହେତୁରୁ କାଳକ୍ରମେ ନୂତନ ଭାଷାମାନଙ୍କର ସୃଷ୍ଟି ହେବା ମଧ୍ୟ ଅସମ୍ଭବ ନୁହେଁ । ଶବ୍ଦର ପ୍ରତ୍ୟେକ ବିକୃତି ମୂଳତଃ ଭ୍ରମାତ୍ମକ, ମାତ୍ର ଲୋକସମାଜରେ ପ୍ରଚଳିତ ହେବାରୁ କ୍ରମଶଃ ଶବ୍ଦମାନଙ୍କର ବ୍ୟବହାରରେ ପରିବର୍ତ୍ତନ ଘଟିଅଛି ଓ ଭାଷା ଏହିପରି ପରିବର୍ତ୍ତନ ଦ୍ୱାରା ନାନା ଭାବରେ ସମୃଦ୍ଧ ହେଉଅଛି । ବାସ୍ତବରେ ଭାଷାର ସମୃଦ୍ଧି ଅନେକାଂଶରେ ଭ୍ରମ ଉପରେ ପ୍ରତିଷ୍ଠିର, କିନ୍ତୁ କ୍ରମଶଃ ଅଭିଧାନ ଗ୍ରନ୍ଥ ପ୍ରଭୃତିର ପ୍ରଚଳନ ଯୋଗୁଁ ଆଜିକାଲି ଆଉ ଭ୍ରମର ଅବକାଶ ରହୁ ନାହିଁ ଓ ଭାଷାକୁ ସମୃଦ୍ଧ କରିବା ନିମନ୍ତେ ଅନ୍ୟାନ୍ୟ ଭାଷାରୁ ଶବ୍ଦ ଚୟନ କରିବା ପ୍ରୟୋଜନ ହେଉଅଛି ।

ବିକୃତିର କାରଣ:- ଶବ୍ଦମାନଙ୍କର ରୂପଗତ ବିକୃତି ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଏହାର ମୂଳରେ ଭ୍ରମ, ପ୍ରକୃତିଗତ ଆଳସ୍ୟ, ଅଜ୍ଞତା ପ୍ରଭୃତି ବିଦ୍ୟମାନ । ଓଡ଼ିଆରେ 'ତିସି' ସବ୍ଦ ସଂସ୍କୃତ 'ଅତସି' ଶବ୍ଦରୁ ଉତ୍ପନ୍ନ; ବୋଧହୁଏ ପ୍ରାଚୀନ ସଂସ୍କୃତରେ 'ଅତିସି' ଶବ୍ଦର ପ୍ରଚଳନ ଥିଲା । ପରେ ସଂସ୍କୃତରେ ଅତସି ଶବ୍ଦ ପ୍ରଚଳିତ ହୋଇଅଛି । ଏହି ଶବ୍ଦ ସହିତ ଯେ ଓଡ଼ିଆ 'ତିସି' ଶବ୍ଦର ସମ୍ପର୍କ ଅଛି, ଏଥିରେ ସନ୍ଦେହ ନାହିଁ । ମାତ୍ର ବଙ୍ଗଳାରେ ମଧ୍ୟ 'ତିସି' ଶବ୍ଦର ବ୍ୟବହାର ଥିବାରୁ ଏ ଉଭୟ (ଓଡ଼ିଆ,ବଙ୍ଗଳା) ପ୍ରାକୃତ 'ତିସି' ଶବ୍ଦରୁ ଉତ୍ପନ୍ନ ବୋଲି ଧାରଣା କରାଯାଇପାରେ ଓ ପ୍ରାକୃତରେ 'ତିସି' ରୂପ ପ୍ରଚଳିତ ଥିବାରୁ ଏହାର ମୂଳ ଶବ୍ଦ 'ଅତିସି' ବୋଲି ଅନୁମାନ କରାଯାଏ । ପ୍ରାଚୀନ 'ଅତିସି'ରୁ 'ତିସି' ର ଉଦ୍ଭବ ଆଳସ୍ୟଜନିତ ବୋଲି କୁହାଯାଇ ପାରେ । ଏହିପରି ଅଭ୍ୟନ୍ତରର ବିକୃତିଦ୍ୱାରା 'ଭିତର', 'ଉଦୁମ୍ବର'ରୁ, 'ଡିମିରି', 'ଶିଥିଳ'ରୁ 'ଢିଲା' ପ୍ରଭୃତି ଶବ୍ଦ ଉତ୍ପନ୍ନ ହୋଇଅଛି । ଏହି ଶିଥିଳ ଶବ୍ଦ ପୁଣି ମିଳ ଶବ୍ଦ ନୁହେଁ, କାରଣ ବେଦରେ 'ଶିଥିଳ'ଶବ୍ଦର ବ୍ୟବହାର (ଦାନାର୍ଥଂ ପ୍ରସାରିତଂ ଇତି ଶାୟନାଚାର୍ଯ୍ୟଃ) ଥିଲେହେଁ ଏହି ଶବ୍ଦଟିର ମୂଳ ଶବ୍ଦ 'ଶୃଥିଳ' ଓ ଏହି ଶବ୍ଦଟି ପୁଣି ମୂଳ 'ସୃ' ଧାତୁ ସହିତ ସମ୍ପୃକ୍ତ ବୋଲି ଅନେକଙ୍କର ମତ । ଏହିପରି ଆଳସ୍ୟଜନିତ ଶ୍ଳଥ ଉଚ୍ଚାରଣରୁ ଏକ ସମୟରେ 'ଜଗତ୍' ସ୍ଥାନରେ 'ଜଗ' ପ୍ରଚଳିତ ହୋଇଥିଲା । ଏହି କାରଣରୁ 'କୋକିଳ' ସ୍ଥାନରେ 'କୋଇଲି' ଓ ମାରିଲା ସ୍ଥାନରେ 'ମାଇଲା' ଓଡ଼ିଆ ଭାଷାରେ ବ୍ୟବହୃତ ହେଉଅଛି । ଷୋଳଣା, ପାଁଜଣ, ପସୁରି, ଭାଇନା, ଆଠଣା ପ୍ରଭୃତି ଶବ୍ଦମାନଙ୍କର ମଧ୍ୟ ଏହିପରି ଧ୍ୱନିର ଲୋପ ସାଧିତ ହୋଇଅଛି ।

ଏହି ଆଳସ୍ୟରୁ ଓ ଉଚ୍ଚାରଣ ପ୍ରୟାସକୁ ସୁକର କରିବା ନିମନ୍ତେ ଧ୍ୱନିମାନଙ୍କର ନାନାପ୍ରକାର ବିକୃତି ଘଟିଥାଏ । ଏଥିପୂର୍ବେ ଦେଖା ଯାଇଅଛି ଯେ, କ ଚ ଟ ତ ପ, ଖ ଛ ଠ ଥ ଫ ର ଉଚ୍ଚାରଣରେ ଅପେକ୍ଷାକୃତ ଅଧିକ ପ୍ରୟାସର ପ୍ରୟୋଜନ ହୁଏ । ଏଣୁ ଏହି ଧ୍ୱନିମାନଙ୍କୁ ଯଥାକ୍ରମେ ଗ ଜ ଡ଼ ଦ ବ ଓ ଘ ଝ ଢ଼ ଧ ଭ ରେ ପରିଣତ କରିବାର ରୀତି ଆଳସ୍ୟପ୍ରସୂତ । ଓଡିଆରେ 'ଶକଟ' ସ୍ଥାନରେ 'ଶଗଡ଼' ବ୍ୟବହୃତ ହୁଏ ଓ 'ଶାକ' ସ୍ଥାନରେ 'ଶାଗ', 'ପାକ' ସ୍ଥାନରେ 'ପାଗ', 'ଘଟ' ସ୍ଥାନରେ 'ଘଡ଼ି' ମଧ୍ୟ ପ୍ରଚଳିତ । ଏ ସ୍ଥାନରେ ଲକ୍ଷ୍ୟ କରିବାକୁ ହେବ ଯେ, ଏହି ପରିବର୍ତ୍ତନମାନଙ୍କର ଅଧିକାଂଶ ଓଡ଼ିଆ ଭାଷାର ଆରମ୍ଭ ପୂର୍ବରୁ ପ୍ରାକୃତ ଭାଷାରେ ପ୍ରବର୍ତ୍ତିତ ହୋଇଥିଲା ଓ ଏହା ଭାଷାତତ୍ତ୍ୱର ଏକ ସାଧାରଣ ବିଧାନ । ଭାଷାରେ ଏହି ପରିବର୍ତ୍ତନରୁ ଓଡ଼ିଆ ଭାଷାରେ ଏକ ଅଦ୍ଭୂତ ରୀତି ପ୍ରଚଳିତ ହୋଇଅଛି । ଅନେକ ଗୁଡ଼ିଏ ଶବ୍ଦର ବିଶେଷ୍ୟ ପଦକୁ କ୍ରିୟାରୂପରେ ବ୍ୟବହାର କଲେ ସେମାନଙ୍କର ସାଧାରଣ ଓ ଣିଜନ୍ତ ଅର୍ଥର ପାର୍ଥକ୍ୟ ଏହାଦ୍ୱାରା ସୂଚିତ ହୋଇଥାଏ । ଫାଟରୁ ଫାଟିବା ଓ ଫାଡ଼ିବା; ଫୁଟରୁ ଫୁଟିବା, ଫୋଡିବା; ଲୁଟିରୁ ଲୁଟିବା, ଲୋଡ଼ିବା ପ୍ରଭୃତି ଭାଷାରେ ଭିନ୍ନାର୍ଥରେ ବ୍ୟବହୃତ; ମାତ୍ର ଏମାନଙ୍କର ଉତ୍ପତ୍ତି ଓ ବ୍ୟାକରଣଗତ ରୂପ ଏକ । ପ୍ରଥମରେ ଯାହା ଉଚ୍ଚାରଣର ସୁବିଧାରୁ ଜାତ ହୋଇଥିଲା, କ୍ରମଶଃ ତାହା ଭାଷାକୁ ସମୃଦ୍ଧ କରିବା ନିମନ୍ତେ ବିଭିନ୍ନ ଅର୍ଥରେ ବ୍ୟବହୃତ ହେଲା ଓ ଏହି ପ୍ରକାରେ ଶବ୍ଦମାନଙ୍କୁ ଭିନ୍ନାର୍ଥରେ ନିୟୋଗ କରିବା ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପରିଦୃଷ୍ଟ ହୋଇଥାଏ ।

ସମୟ ସମୟରେ ଏହାର ବିରୁଦ୍ଧ ପ୍ରକାର ବିକୃତି ମଧ୍ୟ ଭାଷାରେ ଦେଖାଯାଏ । ସଂସ୍କୃତ 'ବୀଜନ'(ବ୍ୟଜନ)ସ୍ଥାନରେ ଆମ୍ଭେମାନେ ଓଡ଼ିଆରେ 'ବିଚଣା' ବ୍ୟବହାର କରିଥାଉଁ ଓ 'ସ୍ଥଗିତ' ସ୍ଥାନରେ 'ଥକା' ମଧ୍ୟ ବ୍ୟବହୃତ ହୁଏ । ଏଗୁଡ଼ିକ ପୂର୍ବୋକ୍ତ ପ୍ରକ୍ରିୟାର ବିରୁଦ୍ଧ ହେଲେହେଁ ଅନ୍ୟ ଅନେକ ଭାଷାରେ ଏପରି ପରିବର୍ତ୍ତନର ଉଦାହରଣ ଆମ୍ଭେମାନେ ପାଇଥାଉଁ । ଅନେକ ସମୟରେ ଏହି ବିକୃତିମାନଙ୍କର ଭିନ୍ନ କାରଣ ନିର୍ଦ୍ଦେଶିତ କରାଯାଇ ପାରେ; ଯଥା- 'ଛାଦ'ରୁ 'ଛାତ'ର ପରିଣତ ଏକ ଦିଗରେ କ୍ଷଣଧ୍ୱନି 'ଛ'ର ନୈକଟ୍ୟ ଓ ଅନ୍ୟ ଦିଗରେ 'ଛତା'ର ପ୍ରଭାବ ବୋଲି ମନେ କରାଯାଇ ପାରେ । 'ସ୍ତବକ'ରୁ 'ଥୋପା'ର ରୂପାନ୍ତର ମଧ୍ୟରେ ମଧ୍ୟ କ୍ଷଣଧ୍ୱନିର ନୈକଟ୍ୟ ପରିଲକ୍ଷିତ ହୋଇ ପାରେ । ସେହିପରି 'ବାଳ'ରୁ 'ପିଲା'ର ବିବର୍ତ୍ତନ ଦ୍ରାବିଡ଼ ଭାଷାରେ ବ୍ୟବହୃତ 'ପିଲା' ପ୍ରଭାବରୁ ଘଟିଅଛି ବୋଲି ଅନୁମାନ କରାଯାଇ ପାରେ । ବାସ୍ତବରେ କ୍ଷଣଧ୍ୱନି ବର୍ଣ୍ଣମାନଙ୍କର ମଧ୍ୟମଧ୍ୱନିରେ ପରିବର୍ତ୍ତନ ହେବା ଭାଷାରେ ସାଧାରଣ ରୀତି; କିନ୍ତୁ ନାନା କାରଣରୁ ମଧ୍ୟମଧ୍ୱନି ବର୍ଣ୍ଣମାନଙ୍କର କ୍ଷଣଧ୍ୱନିରେ ପରିଣତ ହେବାର ଦୃଷ୍ଟାନ୍ତ ମଧ୍ୟ ବିରଳ ନୁହେଁ ।

ଉଚ୍ଚାରଣର ଆଳସ୍ୟ ହେତୁରୁ ମହାପ୍ରାଣ ବର୍ଣ୍ଣର ଅଳ୍ପ ପ୍ରାଣ ବର୍ଣ୍ଣରେ ପରିଣତି, ମହାପ୍ରାଣ ବର୍ଣ୍ଣମାନଙ୍କ ସ୍ଥାନରେ କେବଳ 'ହ' ର ଧ୍ୱନି, ସଂଯୁକ୍ତ ବର୍ଣ୍ଣମାନଙ୍କ ସ୍ଥାନରେ କେବଳ ଗୋଟିଏ ବର୍ଣ୍ଣର ଅବସ୍ଥିତି ଓ ଅନୁନାସିକ ବର୍ଣ୍ଣମାନଙ୍କ ସ୍ଥାନରେ କେବଳ ଅନୁସ୍ୱାର, ଚନ୍ଦ୍ରବିନ୍ଦୁ ପ୍ରଭୃତି ଆନୁନାସିକ ମାତ୍ରାର ବ୍ୟବହାର ମଧ୍ୟ ଓଡ଼ିଆ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କରେ ଦେଖାଯାଇଥାଏ । ଓଡ଼ିଆରେ ଆମ୍ଭେମାନେ 'ନାଭି' ସ୍ଥାନରେ 'ନାହି'; 'ମଧୂ' ପରିବର୍ତ୍ତରେ 'ମହୁ'; ଓ 'ଦଧି' ପରିବର୍ତ୍ତରେ 'ଦହି' ବ୍ୟବହାର କରିଥାଉଁ । ପୁଣି 'ମହାର୍ଘ' ସ୍ଥାନରେ 'ମହରଗ' ଓ 'ଲୁଣ୍ଠନ' ସ୍ଥାନରେ 'ଲୁଟି' ମଧ୍ୟ ପ୍ରଚଳିତ । ଓଡ଼ିଆରେ 'ଦିଶୁଅଛି', 'କରୁଅଛି', 'ଯାଉଅଛି', 'ଦେଉଅଛି' ପ୍ରଭୃତି ସ୍ଥାନରେ 'ଦିଶୁଚି', 'କରୁଚି', 'ଯାଉଚି', 'ଦେଉଚି' ପ୍ରଭୃତି ଶବ୍ଦ ନିତ୍ୟ ବ୍ୟବହୃତ ହୋଇଥାଏ । ଏସବୁ ମଧ୍ୟ ଆଳସ୍ୟ ଜନିତ ଉଚ୍ଚାରଣବିକୃତିର ଫଳ ବୋଲି ସହଜରେ ଅନୁମାନ କରାଯାଇ ପାରେ ।

କେତେକ ଧ୍ୱନି ମଧ୍ୟରେ ସମତା ଥିବାରୁ ଅର୍ଥାତ୍ ସେମାନଙ୍କର ଉଚ୍ଚାରଣସ୍ଥାନର ପରସ୍ପର ସହିତ ସମ୍ବନ୍ଧ ଥିବାରୁ ଅନେକ ସମୟରେ ସେହିସବୁ ଧ୍ୱନି ମଧ୍ୟରେ ଭ୍ରମ ଜାତ ହେବା ସ୍ୱାଭାବିକ । ଓଡ଼ିଆରେ ର, ଳ, ଡ଼ ର ଉଚ୍ଚାରଣରେ ଏହିପରି ବିପର୍ଯ୍ୟୟ ଆମ୍ଭେମାନେ ଅନେକ କ୍ଷେତ୍ରରେ ଦେଖିଥାଉଁ । ଏହି କାରଣରୁ ମଧ୍ୟ ଭାଷାରେ ବିଭିନ୍ନ ଶବ୍ଦର ବ୍ୟବହାର ଦେଖାଯାଏ । ସଂସ୍କୃତ ଯୁଗଳ ଶବ୍ଦରୁ ଏକ ଦିଗରେ ଯାଆଁଳା, ଯୁଆଳି ପ୍ରଭୃତି ଶବ୍ଦରୁ ଉଦ୍ଭବ ହୋଇଅଛି ଓ ଅନ୍ୟ ଦିଗରେ ଯୋଡ଼, ଯୋଡ଼ା ପ୍ରଭୃତି ଶବ୍ଦ ମଧ୍ୟ ଜାତ ହୋଇଅଛି । ଏହି ଶବ୍ଦମାନଙ୍କର ଆକୃତିଗତ ପାର୍ଥକ୍ୟ ଥିବାରୁ ଏମାନଙ୍କୁ ବିଭିନ୍ନ ଅର୍ଥରେ ବ୍ୟବହାର କରାଯାଉଅଛି । ଅବଶ୍ୟ ଏ ସମୁଦାୟ ଶବ୍ଦର ବିକୃତ ରୂପ ଯେ କେବଳ ଓଡ଼ିଆରେ ଉଦ୍ଭୂତ ହୋଇଅଛି ତାହା ନୁହେଁ, କେତେଗୁଡ଼ିଏ ଶବ୍ଦ ଓଡ଼ିଆରେ ଭିନ୍ନ ଭାବରେ ବିକୃତ ହୋଇଥିଲେହେଁ ଅନ୍ୟ ଶବ୍ଦମାନଙ୍କର ବିକୃତ ରୂପ ଅନ୍ୟ ଭାଷାରୁ ଓଡ଼ିଆରେ ଅନୂକୃତ । ଶବ୍ଦମାନଙ୍କର ବ୍ୟବହାରରେ ଏହିପରି ଧ୍ୱନି ବିପର୍ଯ୍ୟୟର ପ୍ରକୃଷ୍ଟ ଉଦାହରଣ 'ନ' ଓ 'ଳ' ଧ୍ୱନିମାନଙ୍କରେ ଦେଖାଯାଏ ଓ ଏହିପରି ବିପର୍ଯ୍ୟୟ ହେତୁରୁ ଓଡ଼ିଆରେ ନଙ୍ଗଳା, ଲଙ୍ଗଳା; ନଉଡ଼ି, ଲଉଡ଼ି; ନଇଁବା, ଲଇଁବା ପ୍ରଭୃତି ଶବ୍ଦର ବ୍ୟବହାର ଆମ୍ଭେମାନେ ଅହରହଃ ଦେଖିଥାଉଁ ।

ଶବ୍ଦମାନଙ୍କର ବିକୃତିର ଅନ୍ୟ ନାନା କାରଣ ମଧ୍ୟ ଥାଇପାରେ । ଅନ୍ୟ ଭାଷାର ଶବ୍ଦ ସହିତ ସଂଶ୍ରବରେ ଶବ୍ଦର ବିକୃତି ସାଧିତ ହୋଇ ପାରେ । ଏହାର ଉଦାହରଣ ଆମ୍ଭେମାନେ 'ପିଲା' ଶବ୍ଦର ବିକାରରେ ସ୍ପଷ୍ଟ ଦେଖିଅଛୁଁ । ଅନେକ ସମୟରେ ପୁଣି ଭାଷାରେ ପ୍ରଚଳିତ ଅନ୍ୟ ଶବ୍ଦର ପ୍ରଭାବରୁ ଶବ୍ଦର ବିକୃତି ସାଧିତ ହୋଇଥାଏ କିମ୍ବା ନୂତନ ଶବ୍ଦ ମଧ୍ୟ ଗଠିତ ହୋଇଥାଏ । ଓଡ଼ିଆରେ 'ପିଟିବା' ଶବ୍ଦ ପ୍ରଚଳିତ ଥିଲା, ଏହି କାରଣରୁ punitive ପୁଲିଶ ଦ୍ୱାରା ଲୋକଙ୍କୁ ଆଘାତ ଦେବା ବା ଶାସ୍ତିଦେବା ଅର୍ଥ ପ୍ରକାଶ କରିବା ନିମନ୍ତେ punitive ଶବ୍ଦକୁ ଓଡ଼ିଆରେ 'ପିଟୁଣି ପୁଲିସ' ବୋଲି ଲେଖାଯାଇଥାଏ । 'ଅନ୍ତର' ଶବ୍ଦ ଆଗରୁ ପ୍ରଚଳିତ । ଇଂରାଜୀ intern ଶବ୍ଦ ଦ୍ୱାରା କୌଣସି ଲୋକକୁ ନଜରବନ୍ଦୀରେ ରଖିବା ଅଥବା ଅନ୍ୟ ଲୋକର ଚକ୍ଷୁର ଅନ୍ତରାଳରେ ରଖିବାର ଅର୍ଥ ପ୍ରକାଶିତ ହେଉ ଥିବାରୁ 'ଅନ୍ତରୀଣ' ଶବ୍ଦର ଉଦ୍ଭବ ହୋଇଅଛି । ବାସ୍ତବିକ ଅନ୍ତରୀଣ ଓ ପିଟୁଣି ଏହି ଉଭୟ ଶବ୍ଦ ଇଂରାଜୀରେ ବ୍ୟବହୃତ ଶବ୍ଦମାନଙ୍କର ବିକୃତି ଓ ଏହି ବିକୃତିର ଅନ୍ତରାଳରେ ଓଡ଼ିଆରେ ପୂର୍ବରୁ ବ୍ୟବହୃତ ଶବ୍ଦମାନଙ୍କର ପ୍ରଭାବ ସୁସ୍ପଷ୍ଟ ।

ଉଚ୍ଚାରଣରେ ଆଳସ୍ୟବଶତଃ ଶବ୍ଦର ବିକୃତି ସାଧିତ ହେବା ସ୍ୱାଭାବିକ ହେଲେହେଁ ଅନେକ ସମୟରେ ଉଚ୍ଚାରଣର ସୁବିଧା ନିମନ୍ତେ ବର୍ଣ୍ଣର ଆଗମ ମଧ୍ୟ ଅନେକ ଶବ୍ଦରେ ଘଟିଥାଏ । ଆମ୍ଭେମାନେ 'ଅମ୍ଳ' ପରିବର୍ତ୍ତରେ ଯେତେବେଳେ 'ଆମ୍ବିଳା' ବ୍ୟବହାର କରୁଁ, 'ବିମଳା' ପରିବର୍ତ୍ତରେ 'ବିମ୍ବଳା' ଲେଖୁଁ, station ପରିବର୍ତ୍ତରେ 'ଇଷ୍ଟିସନ' ଉଚ୍ଚାରଣ କରୁଁ, ସେତେବେଳେ ଉଚ୍ଚାରଣ ଗତ ସୁବିଧାହିଁ ଏହି ଶବ୍ଦମାନଙ୍କ ବିକୃତିର କାରଣ ବୋଲି ସ୍ପଷ୍ଟ ପ୍ରତୀୟମାନ ହୁଏ । ଆମ୍ଭେମାନେ 'ଇସ୍କୁଲ' କୁ ଯାଉଁ, 'ଅସ୍ତାବଲ'ରେ ଘୋଡ଼ା ରଖୁଁ,'ଇଷ୍ଟୁପିଡ୍' ବୋଲି ଅନ୍ୟକୁ ଗାଳି ଦେଉଁ, 'ଇସ୍କୃପ୍' ଦ୍ୱାରା କାଠକୁ ଅନ୍ୟ କାଠ ସହିତ ସଂଯୁକ୍ତ କରୁଁ ଏବଂ 'ଇସ୍‌ପିସଲ' ନମ୍ବରଦ୍ୱାରା ଲାଖରାଜ ଜମିକୁ ଚିହ୍ନିତ କରୁଁ । ଏସବୁ କ୍ଷେତ୍ରରେ ଶବ୍ଦରେ ଗୋଟିଏ ନୂତନ ବର୍ଣ୍ଣର ଆଗମ ଘଟିଅଛି ଓ ଏହା ଯେ ଉଚ୍ଚାରଣର ସୁବିଧା ସକାଶେ ଘଟିଅଛି, ତାହା ସହଜରେ ଅନୁମେୟ । ଏପରି ଭାବରେ ବର୍ଣ୍ଣର ଆଗମ ଅନ୍ୟ ଅନେକ ଭାଷାରେ ମଧ୍ୟ ଘଟିଅଛି । ଇଂରାଜୀରେ number numerous, humble humility, gender generous ପ୍ରଭୃତି ଶବ୍ଦମାନଙ୍କର ବ୍ୟବହାରରେ ଆମ୍ଭେମାନେ ଏହାର ସ୍ପଷ୍ଟ ଉଦାହରଣ ପାଉଁ ଅର୍ଥାତ୍ ମ ଓ ଳ ବା ମ ଓ ର ମଧ୍ୟରେ ବ ଧ୍ୱନିର ଆବିର୍ଭାବ ଏବଂ ନ ଓ ର ବା ନ ଓ ଳ ମଧ୍ୟରେ ଡ ଧ୍ୱନିର ପ୍ରୟୋଗ ଗୋଟିଏ ସ୍ୱାଭାବିକ ବିକୃତି ଓ ଏହାର ଉଦାହରଣ ଅନ୍ୟାନ୍ୟ ଭାଷାରେ ମଧ୍ୟ ଦେଖାଯାଏ । ପାଲିରେ 'ତାମ୍ର' ସ୍ଥାନରେ 'ତମ୍ବ' 'ଆମ୍ର' ସ୍ଥାନରେ 'ଅମ୍ବ' ମଧ୍ୟ ଏହି ରୀତି ଅନୁସରଣ କରି ଘଟିଥିଲା ଓ ଏହି ଶବ୍ଦମାନଙ୍କରୁ 'ତମ୍ବା' ଓ 'ଆମ୍ବ' ଶବ୍ଦମାନ ଓଡ଼ିଆରେ ପ୍ରଚଳିତ ହୋଇଅଛି । ଏଠାରେ ଲକ୍ଷ୍ୟ କରିବାକୁ ହେବ, ଶବ୍ଦର ବିକୃତି ପ୍ରଥମେ ଓଡ଼ିଆ ଭାଷାରେ ଘଟିଅଛି କିମ୍ବା ଅନ୍ୟ ଭାଷାରେ ଘଟି ସେହି ବିକୃତ ରୂପ ଓଡ଼ିଆରେ ପ୍ରଚଳିତ ହୋଇଅଛି, ଏହା ଭାଷାତତ୍ତ୍ୱରେ ଆଲୋଚନା କରିବାର ବିଷୟ । ଅର୍ଥାତ୍ ଆମ୍ବରେ ଯେପରି 'ବ'ର ଆଗମ ପାଲି ଭାଷାରେ ଘଟି 'ଆମ୍ବ' ଶବ୍ଦଟି ଅଳ୍ପ ବିକୃତ ଭାବରେ ପାଲିରୁ ଓଡ଼ିଆରେ ପ୍ରଚଳିତ ହୋଇଅଛି ସେହିପରି stable ଶବ୍ଦର 'ଅସ୍ତାବଲ' ରୂପବିକୃତ ଅନ୍ୟ ଭାଷାରେ (Portugese)ଘଟି ସେହି ବିକୃତ ପଦଟି ଅବିକୃତ ଭାବରେ ଓଡ଼ିଆରେ ବ୍ୟବହୃତ ହେଉଅଛି । ଅଜ୍ଞ ଲୋକମାନେ ପୁଣି ଭିନ୍ନ ଦେଶୀୟ ଭାଷାରେ ଶବ୍ଦକୁ ଇଚ୍ଛାନୁସାରେ ନିଜ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କ ସହିତ ସମ୍ପୃକ୍ତ କରିଥାନ୍ତି । Lantern କୁ 'ଲାଲଟିଣ' Municipality କୁ 'ମୁନ୍ସିପାଲଟି' ଉଚ୍ଚାରଣ କରିବାଦ୍ୱାରା ଶବ୍ଦମାନଙ୍କୁ ବିକୃତ କରିଥାନ୍ତି । ଅଜ୍ଞାତ ଭାଷାର ଶବ୍ଦମାନଙ୍କୁ ପରିଚିତ ଶବ୍ଦମାନଙ୍କ ସହିତ ସମୀକରଣ କରିବାର ଚେଷ୍ଟା ଅନ୍ୟ ଭାଷାରେ ମଧ୍ୟ ଦେଖାଯାଏ ।

ଆର୍ଯ୍ୟଭାଷାର ଶବ୍ଦମାନଙ୍କର ସମୀକରଣ - ଭାଷାତତ୍ତ୍ୱ ଆଲୋଚନା କରି ଦେଖାଯାଇଅଛି ଯେ, ଆର୍ଯ୍ୟ ଭାଷାଗୋଷ୍ଠୀର ଅନ୍ତର୍ଗତ ଶବ୍ଦମାନଙ୍କର କେତେଗୁଡ଼ିଏ ସାଧାରଣ ବିକୃତି ହୋଇଥାଏ ଓ ଏହି ବିକୃତିମାନଙ୍କ ବିଷୟରେ କେତେକଗୁଡ଼ିଏ ସାଧାରଣ ନିୟମ ମଧ୍ୟ ଆବିଷ୍କୃତ ହୋଇଅଛି । ଏକ ଦିଗରେ ଓଡ଼ିଆ ଶବ୍ଦ ଓ ଅନ୍ୟ ଦିଗରେ ଇଂରାଜୀ ଶବ୍ଦମାନଙ୍କର ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଓଡ଼ିଆରେ ଯେଉଁ ଶବ୍ଦମାନଙ୍କର ଘ ଝ ଢ଼ ଧ ଭ ଧ୍ୱନିମାନ ଅଛି, ଅନୁରୂପ ଶବ୍ଦମାନଙ୍କରେ ଇଂରାଜୀରେ ଗ ଜ ଡ଼ ଦ ବ ଧ୍ୱନିମାନ ସାଧାରଣତଃ ମିଳିଥାଏ । ପୁଣି ଓଡ଼ିଆରେ ଯେଉଁ ଯେଉଁ ସ୍ଥାନରେ ଗ ଜ ଡ ଦ ବ ଧ୍ୱନି ଥାଏ, ଇଂରାଜୀରେ ଅନୁରୂପ କ୍ଷେତ୍ରରେ କ ଚ ଟ ତ ପ ଧ୍ୱନିମାନ ମିଳେ ଓ ଓଡ଼ିଆରେ ଯେଉଁ ଯେଉଁ ସ୍ଥାନରେ କ (ସ) ଚ ଟ ତ ପ ଧ୍ୱନିମାନ ଥାଏ, ଇଂରାଜୀରେ ଅନୁରୂପ ସ୍ଥାନରେ ଖ (ହ) ଛ ଠ ଥ ଫ ଧ୍ୱନିମାନ ମିଳିବାର ଦେଖାଯାଏ । ଭାଷାତତ୍ତ୍ୱର ଏହି ନିୟମ ଅତି ବ୍ୟାପକଭାବରେ ଆର୍ଯ୍ୟଭାଷାମାନଙ୍କରେ ଦେଖାଯାଏ । ମୂଳ ଆର୍ଯ୍ୟଭାଷାର ଧ୍ୱନିମାନ ସାଧାରଣତଃ ଅବିକୃତଭାବରେ ସଂସ୍କୃତର ମଧ୍ୟ ଦେଇ ଓଡ଼ିଆରେ ପ୍ରଚଳିତ ଓ ଇଂରାଜୀ ପ୍ରଭୃତି ଯେଉଁ ଭାଷାମାନ ଟିଉଟନିକର ମଧ୍ୟ ଦେଇ ଜାତ, ସେଥିରେ ମୂଳ ଆର୍ଯ୍ୟ ଭାଷାର ଧ୍ୱନିମାନ ବିକୃତ ହୋଇଥିବାରୁ ଉଭୟ ଭାଷାର ଶବ୍ଦମାନଙ୍କ ମଧ୍ୟରେ ଉପର୍ଯ୍ୟୁକ୍ତ ପ୍ରକାରେ ପାର୍ଥକ୍ୟ ଦେଖାଯାଏ । ମାତ୍ର ଲାଟିନ୍ ବା ଗ୍ରୀକ୍ ଭାଷାରେ କେତେକ ବିଶେଷ ସ୍ଥଳ ଭିନ୍ନ ଅନ୍ୟତ୍ର କୌଣସି ବିକୃତି ଦେଖାଯାଏ ନାହିଁ । ଓଡ଼ିଆ ପତ୍ର ସହିତ ଇଂରାଜୀ feather, ଦାନ୍ତ ସହିତ tooth, ଦାରୁ ସହିତ tree, ଜାନୁ ସହିତ knee, ଦମନ ସହିତ tame, ପଦ ସହିତ foot, ଭାଜ(ନ) ସହିତ book, ମର୍ଦ(ନ) ସହିତ Melt, ରୁଧିର ସହିତ red, ruddy, ଅର୍ଜ(ନ) ସହିତ rich, ଋଜୁ ସହିତ rake, ଉଦକ ସହିତ water, ଶାଳା ସହିତ hall, ହୃଦୟ ସହିତ heart, ଅନ୍ତର ସହିତ other, ତୃଷା ସହିତ thirst ପ୍ରଭୃତି ଶବ୍ଦର ସମୀକରଣ କରିବା ସମ୍ଭବପର ହୁଏ । ଭାଷାତତ୍ତ୍ୱର ଏହି ନିୟମର କେତେକ ବ୍ୟତିକ୍ରମ ଅଛି, ମାତ୍ର ସାଧାରଣତଃ କୌଣସି ବ୍ୟତିକ୍ରମ ଦେଖାଗଲେ ତାହାର କାରଣ ମଧ୍ୟ ନିର୍ଦ୍ଦେଶିତ ହୋଇପାରେ । ଓଡ଼ିଆରେ ତାପ ସହିତ ଇଂରାଜୀ tepid ର ରୂପ ଓ ଅର୍ଥଗତ ସାମ୍ୟ ଦେଖି ଉଭୟ ଶବ୍ଦ ମଧ୍ୟରେ ସମ୍ପର୍କ ଅନୁମାନ କରାଯାଇପାରେ, ମାତ୍ର ଯଦି ଏହି ଶବ୍ଦଟି ଟିଉଟନିକ ଭାଷାର ମଧ୍ୟ ଦେଇ ଇଂରାଜୀକୁ ଆସିଥାନ୍ତା, ତେବେ ତ ସ୍ଥାନରେ ଥ ଓ ପ ସ୍ଥାନରେ ଫ ହୋଇଥାନ୍ତା ଓ ଏପରି ନ ହୋଇ ଥିବାରୁ ସନ୍ଦେହ କରିବାକୁ ହେବ ଯେ, ହୁଏ ତ ଏ ଶବ୍ଦମାନଙ୍କ ମଧ୍ୟରେ ସମ୍ପର୍କ ନାହିଁ କିମ୍ବା tepid ଶବ୍ଦଟି ଲାଟିନ୍ ଭାଷାର ମଧ୍ୟ ଦେଇ ଇଂରାଜୀକୁ ଆସିଅଛି ଓ ଲାଟିନ୍‌ରେ କୌଣସି ବିକୃତି ନ ହୋଇଥିବା ସ୍ଥଳେ ଇଂରାଜୀରେ ମଧ୍ୟ ବିକୃତି ହୋଇ ନାହିଁ । ବାସ୍ତବରେ ଏହି ଶବ୍ଦଟି ମୂଳ ଆର୍ଯ୍ୟ 'ତପ' ଶବ୍ଦର ଲାଟିନ୍ ରୂପ tepere ରୁ ଇଂରାଜୀକୁ ଆସିଅଛି । ଏହିପରି 'ତନ୍ତୁ' ଓ 'tender' ମଧ୍ୟରେ ଆଦ୍ୟ ଅକ୍ଷରର ପରିବର୍ତ୍ତନ ଦେଖା ନ ଯିବାରୁ ଇଂରାଜୀ tender ଶବ୍ଦ ଲାଟିନ୍ ଭାଷାର ଶବ୍ଦରୁ ଗୃହୀତ ବୋଲି ସହଜରେ ଅନୁମାନ କରାଯାଇ ପାରେ । ଅନ୍ୟ ଦିଗରେ ଓଡ଼ିଆ 'ପଥ' ଓ ଇଂରାଜୀ 'path' ମଧ୍ୟରେ ଅର୍ଥଗତ ଓ ରୂପଗତ ସମତା ଥିବାରୁ ଏମାନଙ୍କ ମଧ୍ୟରେ ସମ୍ପର୍କ ଅନୁମାନ କରାଯାଇ ପାରେ, ମାତ୍ର ସାଧାରଣ ନିୟମ ଅନୁସାରେ ଓଡ଼ିଆ ପ ସ୍ଥାନରେ ଇଂରାଜୀରେ ଫ ଧ୍ୱନି ହେବା ଉଚିତ । ଏହି ଇଂରାଜୀ ଶବ୍ଦ କୌଣସି ଲାଟିନ୍ ଶବ୍ଦରୁ ଗୃହୀତ ହୋଇ ନ ଥିବା ସ୍ଥଳେ ବିକୃତିର ସାଧାରଣ ନିୟମ ଏଠାରେ ବ୍ୟାହତ ହୋଇଅଛି ବୋଲି ମନେ ହୋଇ ପାରେ, ମାତ୍ର ଏହି ଶବ୍ଦମାନଙ୍କୁ ଅନୁଶୀଳନ କଲେ ଆମ୍ଭେମାନେ ଦେଖୁଁ ଯେ, ଓଡ଼ିଆ 'ପଥ' ଶବ୍ଦ ସଂସ୍କୃତ 'ପନ୍ଥା'ରୁ ଉତ୍ପନ୍ନ ହେଲେହେଁ ମୂଳ ଆର୍ଯ୍ୟ ଭାଷାରେ 'ପ' ସ୍ଥାନରେ 'ସ୍ପ' ଥିଲା । ସ୍ପ ର ଅର୍ଥ ବିସ୍ତୃତି ଓ ଏହି 'ସ୍ପ'ରୁ ସ୍ପନ, ସ୍ଫା ପ୍ରଭୃତି ଶବ୍ଦ ଜାତ ହୋଇଥିଲା । ସଂସ୍କୃତ ପନ୍ଥା ଏହି 'ସ୍ପନ' ଶବ୍ଦରୁ ମୂଳତଃ ଜାତ ଓ ଏହି ଶବ୍ଦରୁ ପୁଣି ଅନ୍ୟ ଦିଗରେ spin, spindle ପ୍ରଭୃତି ଇଂରାଜୀ ଶବ୍ଦ ଉଦ୍ଭୂତ । 'ସ' ସହିତ 'ପ' ଯୁକ୍ତ ଥିଲେ ପୂର୍ବୋକ୍ତ ସାଧାରଣ ନିୟମ ଅନୁସାରେ 'ପ' ସ୍ଥାନରେ 'ଫ' ହୁଏ ନାହିଁ ଓ ଏହା ପୂର୍ବୋକ୍ତ ନିୟମର ଏକ ସାଧାରଣ ବ୍ୟତିକ୍ରମ (Grasman's Law) ଓ ଏହି ବ୍ୟତିକ୍ରମ 'ସ୍ତ' 'ଷ୍ଟ' 'ସ୍ଫ' ପ୍ରଭୃତିରେ ମଧ୍ୟ ଦେଖାଯାଏ । ଏହି କାରଣରୁ ଓଡ଼ିଆ 'ତେଜ' (ମୂଳ ଆର୍ଯ୍ୟ 'ସ୍ତିଜ') ସହିତ ଇଂରାଜୀ stick, ଓଡ଼ିଆ (ବି)'ସ୍ତୃ'(ତ) ସହିତ ଇଂରାଜୀ straw, strew, star ପ୍ରଭୃତି ଓ ଓଡ଼ିଆ 'ସ୍ତମ୍ଭ' ସହିତ ଇଂରାଜୀ staple, step, stamp ପ୍ରଭୃତି ଶବ୍ଦମାନଙ୍କର ମଧ୍ୟ ସମ୍ପର୍କ ସହଜରେ ପ୍ରତିଷ୍ଠିତ କରାଯାଇ ପାରେ । ଉଚ୍ଚାରଣ ଗତ ଅନ୍ୟ କେତେକ କାରଣରୁ କେତେକ ବିଶେଷ କ୍ଷେତ୍ରରେ ଓଡ଼ିଆ କ ଚ ଟ ତ ପ ଧ୍ୱନି ସ୍ଥାନରେ ଇଂରାଜୀରେ ଗ ଜ ଡ଼ ଦ ବ ଧ୍ୱନିମାନ ମିଳେ (Verner's Law) ଓ ଏହାର ଉଦାହରଣ ଆମ୍ଭେମାନେ ସ୍ତୁପ ଓ ଇଂରାଜୀ 'stub' ଶବ୍ଦର ଆଲୋଚନା କଲେ ଦେଖିଥାଉଁ । ପୁଣି ଓଡ଼ିଆ 'ସର୍ପ' ଶବ୍ଦର ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଏହା ବୈଦିକ 'ସର୍ପିଃ' ଶବ୍ଦ ସହିତ ସମ୍ପୃକ୍ତ ଓ ଏହାର ମୂଳ ଅର୍ଥ 'ପିଚ୍ଛିଳତା' ଅଥବା 'ଯାହା ପିଚ୍ଛିଳ' । ଏହି ଶବ୍ଦ ଜର୍ମାନ salbe ଶବ୍ଦର ମଧ୍ୟଦେଇ ଇଂରାଜୀରେ salve ରେ ପରିଣତ ହୋଇଅଛି ଅର୍ଥାତ୍ salve ମୂଳ ଅର୍ଥ 'ପିଚ୍ଛିଳ ପଦାର୍ଥବିଶେଷ' (ମଲମ) । ଏହି ସର୍ପ ଶବ୍ଦ ପୁଣି ଇଂରାଜୀ slip, serpent, slope, sleeve ପ୍ରଭୃତି ଶବ୍ଦମାନଙ୍କ ସହିତ ସମ୍ପୃକ୍ତ ।

ଶବ୍ଦମାନଙ୍କର ଏହିପରି ସମ୍ପର୍କ ଯେ କେବଳ ଅନୁମାନ ଉପରେ ପ୍ରତିଷ୍ଠିତ, ତାହା ନୁହେଁ । ଭାଷାତତ୍ତ୍ୱର ନିୟମମାନଙ୍କ ଦ୍ୱାରା ଏମାନଙ୍କର ପ୍ରତ୍ୟେକ ଅଂଶର ସମୀକରଣ କରିବା ସମ୍ଭବ ଅର୍ଥାତ୍ ଭାଷାତତ୍ତ୍ୱର ନିୟମ ଅନୁସାରେ 'ସର୍ପ' ଓ sleeve ସମୀକରଣ କରିବାକୁ ହେଲେ 'ର' ର 'ଲ' ରେ ପରିଣତି 'ଅ'ର 'ଈ'ରେ ପରିଣତି ଓ 'ପ' ର 'ଭ'ରେ ପରିଣତିର କାରଣ ଯଥାଯଥଭାବରେ ନିର୍ଦ୍ଦେଶିତ କରିବାକୁ ହେବ ଓ ମୂଳ ଶବ୍ଦରୁ ଏକ ଦିଗରେ ବୈଦିକ, ସଂସ୍କୃତ, ପ୍ରାକୃତ ଓ ଓଡ଼ିଆ, ଅନ୍ୟ ଦିଗରେ ଟିଉଟନିକ, ଜର୍ମାନ୍, ପ୍ରାଚୀନ ଇଂରାଜୀ ଓ ଆଧୁନିକ ଇଂରାଜୀ ରୂପମାନଙ୍କର ମଧ୍ୟ ପରିଚୟ ଓ ବ୍ୟାଖ୍ୟା ଏବଂ କ୍ରମ ବିକାଶର କାରଣ ଓ କାଳ ମଧ୍ୟ ନିର୍ଦ୍ଦେଶ କରିବାକୁ ହେବ । କେବଳ ପିତା = father କିମ୍ବା ପନ୍ଥା = path ବୋଲି କହିଲେ ତାହା ଭାଷାତତ୍ତ୍ୱର ଜ୍ଞାନ ବିଷୟରେ ପରିଚୟ ଦେବ ନାହିଁ । ଓଡ଼ିଆ 'ଦ୍ୱାର' ଓ ଇଂରାଜୀ door ମଧ୍ୟରେ ସମତା ଦେଖି ସେମାନଙ୍କର ସମ୍ପର୍କ ଅନୁମାନ କରାଯାଇ ଦ୍ୱାର ଶବ୍ଦକୁ ବୈଦିକ 'ଦ୍ୱାର' ଓ ମୂଳ ଆର୍ଯ୍ୟ 'ଧ୍ୱାର'(ଧୂ = କମ୍ପନର ସମ୍ପ୍ରସାରିତ ରୂପ ଅର୍ଥାତ୍ ଗୃହର ଯେଉଁ ଅଂଶ ପବନରେ କମ୍ପିତ ହୁଏ) କୁ ନେବାକୁ ହେବ ଓ ଏହି ମୂଳ 'ଧ୍ୱାର' ଶବ୍ଦରୁ ଭାଷାତତ୍ତ୍ୱର ନିୟମ ଅନୁସାରେ ଗଥିକ daur ପ୍ରାଚୀନ ଇଂରାଜି duru ଓ ଆଧୁନିକ ଇଂରାଜି door ଶବ୍ଦ ନିଷ୍ପନ୍ନ କରିବାକୁ ହେବ । ଏହିପରି ଭାବରେ ସଂସ୍କୃତରୁ ଆଗତ ପ୍ରତ୍ୟେକ ଓଡ଼ିଆ ଶବ୍ଦର ଇତିହାସ ଅନୁସରଣ କରି ଅନ୍ୟାନ୍ୟ ଆର୍ଯ୍ୟ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କ ସହିତ ସେମାନଙ୍କର ସମୀକରଣ କରାଯାଇ ପାରେ । ଏହି ସମୀକରଣ ପ୍ରକ୍ରିୟାଦ୍ୱାରା ଓଡ଼ିଆ 'ନାଗ' ଶବ୍ଦକୁ ପ୍ରାଚୀନ ଆର୍ଯ୍ୟ 'ସୃପ' ଶବ୍ଦରୁ ଉତ୍ପନ୍ନ (ସଂସ୍କୃତ 'ନାଦ' ଶବ୍ଦ) ବୋଲି ଧରାଯାଇ ପାରେ ଓ ଇଂରାଜି snake ଶବ୍ଦ ସହିତ ତାହାର ସମ୍ପର୍କ ପ୍ରତିଷ୍ଠିତ ହୋଇ ପାରେ ଏବଂ ଏପରି ଆଲୋଚନାଦ୍ୱାରା ଓଡ଼ିଆ 'ଅଶ୍ରୁ' ସହିତ ଇଂରାଜି tear ଶବ୍ଦର ସମ୍ପର୍କ ମଧ୍ୟ ପ୍ରତିଷ୍ଠିତ ହୁଏ । ସମୀକରଣ ପ୍ରକ୍ରିୟା ନ ଜାଣିଲେ ବିଭିନ୍ନ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ସମ୍ପର୍କ ନିରୂପଣ କରିବା ଅସମ୍ଭବ ହେବ ।

ଶବ୍ଦର ଇତିହାସ:- ଭାଷାତତ୍ତ୍ୱ ଆଲୋଚନା କରିବା ସମୟରେ ଆମ୍ଭମାନଙ୍କୁ କେବଳ ଶବ୍ଦର ବିକୃତ ପ୍ରତି ଲକ୍ଷ୍ୟ ନ ରଖି ଶବ୍ଦର ଇତିହାସ ପ୍ରତି ଲକ୍ଷ୍ୟ ରଖିବାକୁ ହେବ । ପ୍ରତ୍ୟେକ ଶବ୍ଦର ଗୋଟିଏ ଉତ୍ପତ୍ତିସ୍ଥାନ ଅଛି, ପ୍ରତ୍ୟେକ ଶବ୍ଦ ଉତ୍ପନ୍ନ ହୋଇ ବିକୃତ ବା ଅବିକୃତଭାବରେ କୌଣସି ଭାଷାରେ ପ୍ରଚଳିତ ହୋଇଅଛି ଓ ଏହି ବିକୃତିର ସ୍ତର ମଧ୍ୟ ଅଛି । କେବଳ ସଂସ୍କୃତ 'ଆମ୍ର' ଶବ୍ଦରୁ ଓଡ଼ିଆ 'ଆମ୍ବ' ଶବ୍ଦ ଉତ୍ପନ୍ନ ହୋଇଅଛି ଏହା କହିବା ଯଥେଷ୍ଟ ନୁହେ, କାରଣ ବାସ୍ତବରେ ଓଡ଼ିଆ 'ଆମ୍ବ' ଶବ୍ଦ ସଂସ୍କୃତ ଆମ୍ର ଶବ୍ଦର ବିକୃତି ନୁହେ । ଏହା ପାଲି 'ଅମ୍ବ' ଶବ୍ଦର ବିକୃତ ବ୍ୟବହାର ଅର୍ଥାତ୍ ସଂସ୍କୃତ 'ଆମ୍ର' ଶବ୍ଦ ପାଲିରେ 'ଅମ୍ବ' ଶବ୍ଦରେ ପରିଣତ ହୋଇଥିଲା ଓ ଏହି 'ଅମ୍ବ' ଶବ୍ଦ ପୁନର୍ବାର ବିକୃତ ହୋଇ ଓଡ଼ିଆରେ 'ଆମ୍ବ' ଶବ୍ଦରେ ପରିଣତ ହୋଇଅଛି । ସଂସ୍କୃତ ଆମ୍ର ଯଦି ବାସ୍ତବରେ ମୂଳତଃ ଆର୍ଯ୍ୟଭାଷାର ଅନ୍ତର୍ଗତ ହୋଇଥାନ୍ତା, ତେବେ ତାହାର ନିଦର୍ଶନ ଆମ୍ଭେମାନେ ଅନ୍ୟ ଆର୍ଯ୍ୟଭାଷାରେ ପାଇଥାନ୍ତୁ । କିନ୍ତୁ ଅନ୍ୟାନ୍ୟ ଆର୍ଯ୍ୟଭାଷାରେ ଏହି ଶବ୍ଦର ଅନୁରୂପ ଶବ୍ଦ ଅନୁରୂପ ଅର୍ଥରେ ବ୍ୟବହୃତ ହେଉ ନ ଥିବାରୁ ଏହାର ମୂଳ ରୂପ ବାସ୍ତବରେ ଅଜ୍ଞାତ ବୋଲି ଅନୁମାନ କରାଯାଏ ଓ ଏହା ସଂସ୍କୃତରେ ପ୍ରଥମ ପ୍ରଚଳିତ କିମ୍ବା ଅନ୍ୟ ଭାଷାରୁ ସଂସ୍କୃତରେ ଗୃହୀତ ବୋଲି ମନେ କରିବାକୁ ହେବ । ବାସ୍ତବରେ ସଂସ୍କୃତ ଭାଷାରେ ବ୍ୟବହୃତ ହେବା ପୂର୍ବରୁ ଏହି ଶବ୍ଦର କୌଣସି ଇତିହାସ ଆମ୍ଭେମାନେ ଜାଣୁ ନାହିଁ, କିନ୍ତୁ ସଂସ୍କୃତରେ ବ୍ୟବହାରର ପରବର୍ତ୍ତୀ ଯୁଗରେ ଏହା ପାଲିରେ 'ଅମ୍ବ'ରେ ବିକୃତ ହୋଇଅଛି ଓ ଏହି ବିକୃତ ରୂପ ହିନ୍ଦିରେ 'ଆଁବ', ବଙ୍ଗଳାରେ 'ଆମ୍', ମରଠୀରେ 'ଆମ୍ବ' ଓ ଓଡ଼ିଆରେ 'ଆମ୍ବ' ଶବ୍ଦରେ ପରିଣତ ହୋଇଅଛି । ପୁନରାୟ ବିଚାର କରିବାକୁ ହେବ ଯେ ଓଡ଼ିଆ 'ଆମ୍ବ' ଶବ୍ଦ ବାସ୍ତବରେ ପାଲିରୁ ଜାତ ହୋଇଅଛି କିମ୍ବା ପ୍ରାକୃତରୁ ଉତ୍ପନ୍ନ ଅନ୍ୟ ପ୍ରାଦେଶିକ (ଯଥା ବଙ୍ଗଳା, ହିନ୍ଦୀ ପ୍ରଭୃତି) ଭାଷାର ପ୍ରଭାବରୁ ବିକୃତ ହୋଇଅଛି । ଏ ବିଷୟର ସୂକ୍ଷ୍ମ ଆଲୋଚନା ଅତି କଠିନ ବ୍ୟାପାର, ମାତ୍ର ଭାଷାତତ୍ତ୍ୱରେ ଏଭଳି ଆଲୋଚନା ଏକାନ୍ତ ପ୍ରୟୋଜନ । ମନେ ରଖିବାକୁ ହେବ ଯେ, ପ୍ରାଚୀନ ଓଡ଼ିଆରେ ମଧ୍ୟ 'ଆମ୍ବ' ଶବ୍ଦ ବ୍ୟବହୃତ ଓ ଅନ୍ୟ କୌଣସି ପ୍ରାଦେଶିକ ଭାଷାର ଶବ୍ଦ ସହିତ ତାହାର ରୂପଗତ ସାଦୃଶ୍ୟ ସମ୍ପୂର୍ଣ୍ଣ ନୁହେଁ । ଏଣୁ ଏହି ଶବ୍ଦ ପ୍ରାକୃତରୁ ଓଡ଼ିଆକୁ ପ୍ରତ୍ୟକ୍ଷ ଆସିଥିବା ସମ୍ଭବ ଓ ହିନ୍ଦୀରେ 'ଆଁବ' ଓ ପ୍ରାଚୀନ ବଙ୍ଗଳାରେ 'ଆଁବ' (ଚର୍ଯ୍ୟାପଦ ନାମକ ପ୍ରାଚୀନ ଗ୍ରନ୍ଥରେ 'ତମା' ସ୍ଥାନରେ 'ତାଁବୋଳ'ର ବ୍ୟବହାର ତୁଳନୀୟ) ପ୍ରଭୃତି ରୂପ ବ୍ୟବହୃତ ହେଉଥିବାରୁ ବୋଧହୁଏ, ପ୍ରାକୃତ ବା ପାଲି ଶବ୍ଦ ପ୍ରଥମେ 'ଆଁବ'ରେ ପରିଣତ ହୋଇ ପରେ ଆନୁନାସିକଟି ପରବର୍ତ୍ତୀ ବର୍ଣ୍ଣ ସହିତ ଯୁକ୍ତ ହୋଇ ଓଡ଼ିଆରେ 'ଆମ୍ବ' ଶବ୍ଦର ଉତ୍ପତ୍ତି ଘଟାଇ ଅଛି । ଏ ବିଷୟରେ ସୂକ୍ଷ୍ମ ଗବେଷଣାର ଅଭାବରୁ ଅନେକ କ୍ଷେତ୍ରରେ ଆମ୍ଭମାନଙ୍କ ଅନୁମାନର ଆଶ୍ରୟ ନେବାକୁ ହୁଏ । ମାତ୍ର ସଂସ୍କୃତଜ୍ଞ ପଣ୍ତିତମାନଙ୍କର ଶବ୍ଦର ଇତିହାସ ବିଷୟରେ ଔଦାସୀନ୍ୟ ଓ ଅଜ୍ଞତା ଏବଂ ସଂସ୍କୃତରେ ପ୍ରତ୍ୟେକ ଶବ୍ଦର ଧାତୁ ପ୍ରତ୍ୟୟ ନିର୍ଣ୍ଣୟଦ୍ୱାରା ରୂପର ବ୍ୟାଖ୍ୟା ପଦ୍ଧତି ଏପରି ଗବେଷଣାର ପରିପନ୍ଥୀ ଓ ଭାଷାତତ୍ତ୍ୱ ବିଷୟରେ ସାଧାରଣ ଅଜ୍ଞତା ଏହାର ଫଳ ।

ଶବ୍ଦର ଇତିହାସ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଉଚ୍ଚାରଣର ସୁବିଧା ନିମନ୍ତେ 'ମ' ଓ 'ର' ମଧ୍ୟରେ 'ବ' ଧ୍ୱବନିର ଆଗମ କରାଯାଇ ଥିଲେହେଁ ମୂଳତଃ ଯେଉଁ ସବୁ ଶବ୍ଦରେ ମ ଓ ବ ଯୁକ୍ତ ହୋଇ ବ୍ୟବହୃତ ହୋଇଥିଲା, ସେଥିରେ ଅନେକ ସ୍ଥାନରେ 'ବ' ଲୁପ୍ତ ହୋଇଅଛି । ସଂସ୍କୃତରେ 'ଜମ୍ବୂକ' ସ୍ଥାନରେ ଓଡ଼ିଆରେ 'ଜାମୁ', 'ନିମ୍ବକ' ସ୍ଥାନରେ 'ନିମ' ପ୍ରଭୃତି ଶବ୍ଦ ଉଦ୍ଭୂତ ହୋଇଅଛି । ହିନ୍ଦୀ, ବଙ୍ଗଳା ପ୍ରଭୃତି ସବୁ ପ୍ରାଦେଶିକ ଭାଷାରେ 'ବ' ଲୁପ୍ତ ହୋଇଥିବାରୁ ଏ ସମସ୍ତ ପଦ ଭିନ୍ନ ଭିନ୍ନ ଭାବରେ ଏକ ମୂଳ ପ୍ରାକୃତ ଶବ୍ଦରୁ ଉତ୍ପନ୍ନ ବୋଲି ମନେ କରାଯାଇପାରେ । ସାଧାରଣତଃ ଲୋକେ ମନେ କରନ୍ତି ଯେ, ଓଡ଼ିଆ 'ଲେମ୍ବୁ' ଶବ୍ଦ ଇଂରାଜୀ lemon ଶବ୍ଦରୁ ଉତ୍ପନ୍ନ ଅର୍ଥାତ୍ ଆମ୍ବ, ତମ୍ବା ପ୍ରଭୃତି ଶବ୍ଦରେ ଯେପରି 'ମ' ସହିତ 'ବ' ସମ୍ପୃକ୍ତ, ସେହି କାରଣରୁ lemon ଲେମ୍ବୁରେ ରୂପାନ୍ତରିତ ହୋଇଅଛି । ମାତ୍ର ଶବ୍ଦଟିର ଇତିହାସ ତାହା ନୁହେଁ । 'ଲେମ୍ବୁ' ଶବ୍ଦର ବାସ୍ତବିକ ମୂଳ ଶବ୍ଦ ସଂସ୍କୃତ 'ନିମ୍ବୁକ', ଏହି ନିମ୍ବୁକ ଶବ୍ଦରୁ ଆରବ ଦେଶୀୟ 'ଲାଇମୁନ' ଶବ୍ଦ ଉତ୍ପନ୍ନ ହୋଇ ତୁର୍କି ଭାଷାରେ 'ଲିମୁନ' ରୂପରେ ପ୍ରଚଳିତ ହୋଇଥିଲା । ଆରବ ଭାଷାରୁ ପାରସିକ 'ଲିମୁନ' ବା 'ଲିମୁନା' ଶବ୍ଦ ପ୍ରଚଳିତ ହୋଇ ତହିଁରୁ ଏକ ଦିଗରେ ଫ୍ରେଞ୍ଚ୍ limon, ପୁରାତନ ଇଂରାଜୀ limon ଓ ଆଧୁନିକ ଇଂରାଜୀ lemon ଉଦ୍ଭୂତ ହୋଇଅଛି; ଅନ୍ୟ ଦିଗରେ ହିନ୍ଦୁସ୍ଥାନୀରେ 'ଲେମୁଁ' ଶବ୍ଦ ପ୍ରଚଳିତ ହୋଇଅଛି । ଏହି 'ଲେମୁଁ' ଶବ୍ଦରୁ ବଙ୍ଗଳା 'ନେବୁ', ଓଡିଆ 'ଲେମ୍ବୁ' ପ୍ରଭୃତି ଶବ୍ଦ ଉତ୍ପନ୍ନ ହୋଇଅଛି; ଅର୍ଥାତ୍ ସଂସ୍କୃତ 'ନିମ୍ବୁକ' ଶବ୍ଦଟି ପ୍ରାକୃତ ଭାଷାର ମଧ୍ୟ ଦେଇ ଓଡ଼ିଆକୁ ଆସି ନାହିଁ । ବାସ୍ତବରେ ସଂସ୍କୃତରୁ ଆରବ ଭାଷା, ତହିଁରୁ ପାରସିକ ଓ ପାରସିକରୁ ହିନ୍ଦୀ ଭାଷାର ମଧ୍ୟ ଦେଇ ଓଡ଼ିଆରେ ପ୍ରଚଳିତ ହୋଇଅଛି । ଏଠାରେ ଆଉ ଗୋଟିଏ ବିଷୟ ପ୍ରତି ମଧ୍ୟ ଲକ୍ଷ୍ୟ ରଖିବାକୁ ହେବ । ଓଡ଼ିଆରେ 'ଲେମ୍ବୁ' ଓ 'ନେମ୍ବୁ' ଉଭୟ ରୂପ ପ୍ରଚଳିତ ଓ ଏହି ପ୍ରଚଳନ 'ଳ' ଓ 'ନ' ମଧ୍ୟରେ ଧ୍ୱନିର ସାଧାରଣ ବିଶୃଙ୍ଖଳାର ଫଳ ମାତ୍ର ଏହା ସମ୍ଭବ ଯେ, 'ଲେମ୍ବୁ' ଶବ୍ଦଟି ବ୍ୟବହୃତ ହେବାର ପରବର୍ତ୍ତୀକାଳରେ ସଂସ୍କୃତ 'ନିମ୍ବୁକ' ଶବ୍ଦରୁ ପ୍ରତ୍ୟକ୍ଷ ଭାବରେ 'ନେମ୍ବୁ' ଶବ୍ଦ ମଧ୍ୟ ଉଦ୍ଭୂତ ହୋଇ ପାରିଥିବ ଏବଂ ଉଭୟ ଶବ୍ଦ ଓଡ଼ିଆରେ ପ୍ରଚଳିତ ହୋଇଥିବ । ପ୍ରାଚୀନ ଓଡ଼ିଆ ଗ୍ରନ୍ଥରେ ଏହି ଶବ୍ଦର ରୂପ କଅଣ, ସେ ବିଷୟରେ ସ୍ଥିରନିଶ୍ଚିତ ଧାରଣା ନ କଲେ ଆମ୍ଭେମାନେ ଏ ଶବ୍ଦଟିର ଇତିହାସ ବ୍ୟାଖ୍ୟା କରିବାକୁ ଅକ୍ଷମ । କିନ୍ତୁ ତାଚ୍ଛିଲ୍ୟ ଅର୍ଥରେ 'ଲେମ୍ବୁ' ପରିବର୍ତ୍ତରେ 'ନେମ୍ବୁ' ର ବ୍ୟବହାର ଅଧିକ ଥିବାରୁ 'ନେମ୍ବୁ' ଶବ୍ଦ ଯେ ପରବର୍ତ୍ତୀ, ଏହା ଅନୁମାନ କରାଯାଇ ପାରେ; ମାତ୍ର ଲ ଓ ନ ମଧ୍ୟରେ ବିଶୃଙ୍ଖଳ ବ୍ୟବ ହାର ଅନ୍ୟ ଅନେକ ଶବ୍ଦରେ ଦେଖାଯା ଉ ଥିବାରୁ ଏପରି ଅନୁମାନ ମଧ୍ୟ ଅନିଶ୍ଚିତ । ପୁଣି ଏହି ସଂସ୍କୃତ 'ନିମ୍ବୁକ' ଶବ୍ଦ ମଧ୍ୟ ବାସ୍ତବରେ ମୂଳ ଶବ୍ଦ ନୁହେଁ । କାରଣ ଏହି ଶବ୍ଦଟି ପୁରାତନ ସଂସ୍କୃତ 'ନିସ‌୍‌ବୂ' ଶବ୍ଦରୁ ଉତ୍ପନ୍ନ ବୋଲି ଅନେକଙ୍କର ମତ । ଏହି 'ନିସ୍‌ବୂ' ଶବ୍ଦର ମୂଳରେ 'ନିଷ୍' ଶବ୍ଦ ଥିବା ମଧ୍ୟ ସମ୍ଭବ ଓ 'ଯେଉଁଥିରୁ ରସ କ୍ଷରିତ ହୁଏ' ଏହାହିଁ ଏହି ଶବ୍ଦର ମୂଳ ଅର୍ଥ ବୋଲି ଅନୁମାନ କରାଯାଏ ।

ଓଡ଼ିଆରେ କୌଣସି ଶବ୍ଦକୁ କେବଳ ତତ୍‌ସମ ବୋଲି ନିର୍ଦ୍ଦେଶିତ କରିବାରେ ମଧ୍ୟ ଯଥେଷ୍ଟ ବିପଦ ଅଛି, କାରଣ ସଂସ୍କୃତ ଶବ୍ଦଟି ବିକୃତ ହୋଇଥାଇ ପାରେ । ଓଡ଼ିଆ 'ଶୂଦ୍ର' ଶବ୍ଦ ଏଥିର ପ୍ରକୃଷ୍ଟ ଉଦାହରଣ । ଏହି ଶବ୍ଦଟି ବୈଦିକ ଭାଷାରେ ପ୍ରଚଳିତ ଓ ରୁକ୍ ବେଦରେ ବ୍ୟବହୃତ ହୋଇଥିବାରୁ ଏହାର ପ୍ରାଚୀନତ୍ୱ ବିଷୟରେ ମଧ୍ୟ ସନ୍ଦେହ ନାହିଁ । ମାତ୍ର ଶବ୍ଦର ଇତିହାସଟି ବିସ୍ମୃତ ହୋଇଥିବାରୁ ପ୍ରାଚୀନ ଯୁଗରେ ପଣ୍ତିତମାନଙ୍କୁ ଏହାର ଅର୍ଥ ନିର୍ଣ୍ଣୟ କରିବା ନିମନ୍ତେ ନାନା କଷ୍ଟକଳ୍ପନାର ଆଶ୍ରୟ ଗ୍ରହଣ କରିବାକୁ ହୋଇଅଛି । ବାଦରାୟଣ ବ୍ରହ୍ମସୂତ୍ରରେ ଏହି ଶବ୍ଦଟିକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିବାରୁ ଶଙ୍କରାଚାର୍ଯ୍ୟ ଏହି ଶବ୍ଦର ତିନିଗୋଟି ବ୍ୟାଖ୍ୟା ଦେଇଅଛନ୍ତି, ଯଥା- ଯେ ଶୋକ ପ୍ରତି ଦ୍ରୁତ ଧାବିତ ହୁଏ ବା ଶୋକ ଯାହା ପ୍ରତି ଦ୍ରୁତ ଧାବିତ ହୁଏ ଅଥବା ଶୋକରେ ଯେ ଦ୍ରୁତଧାବିତ ହୁଏ; ମାତ୍ର ଏହିପ୍ରକାର ତିନିଗୋଟି ବ୍ୟାଖ୍ୟା ଦେବାର ଅର୍ଥ ଯେ ଶବ୍ଦଟିର ଉତ୍ପତ୍ତି ଅଜ୍ଞାତ ତାହା କହିବା ବାହୁଲ୍ୟ । ଉଣାଦିସୂତ୍ରରେ ମଧ୍ୟ 'ଶୁର' ଧାତୁ ସହିତ 'ର' ପ୍ରତ୍ୟୟ ଯୋଗ କରାଯାଇ ଏହି ଶବ୍ଦଟିର ଉତ୍ପତ୍ତି ବ୍ୟାଖ୍ୟାତ ହୋଇଅଛି, ମାତ୍ର ଏହା ମଧ୍ୟ କଳ୍ପିତ; କାରଣ ବାସ୍ତବରେ 'ଶୋକ' ସହିତ ଏ ଶବ୍ଦଟିର କୌଣସି ମୌଳିକ ସମ୍ବନ୍ଧ ନାହିଁ । ପ୍ରକୃତରେ ଏହା ବୈଦିକ ଯୁଗରେ ପ୍ରଚଳିତ 'କ୍ଷୁଦ୍ର' ଶବ୍ଦର ଅପଭ୍ରଂଶ ଓ ପାଲିଗ୍ରନ୍ଥରେ 'କ୍ଷୁଦ୍ରାଚାର' ଅର୍ଥାତ୍ ନୀଚ ଆଚାର ଯୁକ୍ତ ବୋଲି କେତେକ ଲୋକଙ୍କୁ ଶୂଦ୍ର ବୋଲାଯାଏ ବୋଲି ଲିଖିତ ଅଛି । ମହାବ୍ୟୁତ୍ପତ୍ତି ଗ୍ରନ୍ଥରେ ମଧ୍ୟ ଶୂଦ୍ର ଓ କ୍ଷୁଦ୍ରକୁ ଏକତ୍ର ଏକ ଅର୍ଥରେ ବ୍ୟବହାର କରାଯାଇଅଛି । ଏଣୁ ସ୍ୱତଃ ସନ୍ଦେହ ହୋଇ ପାରେ ଯେ, କ୍ଷୂଦ୍ର ଶବ୍ଦର କାଳକ୍ରମେ ଅପଭ୍ରଂଶ ହୋଇ 'ଶୂଦ୍ର' ଶବ୍ଦ ନିଷ୍ପନ୍ନ ହୋଇଥିଲା ଓ ଉଭୟ ଶବ୍ଦ ବୈଦିକ ଯୁଗରେ ପ୍ରଚଳିତ ହୋଇଥିଲା । 'ବିକଟ' ଶବ୍ଦ ଏହିପରି ବୈଦିକ ଯୁଗର ଅପଭ୍ରଂଶର ଆଉ ଗୋଟିଏ ଉଦାହରଣ । କାରଣ 'ବିକୃତ' ଓ 'ବିକଟ' ଏକ ଶବ୍ଦ ଏବଂ ଉଭୟ ଶବ୍ଦ ବୈଦିକ ଭାଷାରେ ବ୍ୟବହୃତ ।

ଶବ୍ଦର ଇତିହାସ ବାସ୍ତବରେ ଅତି ବିଚିତ୍ର । ଓଡ଼ିଆରେ 'ହିଂସା' ଶବ୍ଦ ପ୍ରଚଳିତ ଅଛି । ଏହି ଶବ୍ଦଟି ଯେ ସଂସ୍କୃତ 'ହିଂସ୍' ଧାତୁରୁ ଉତ୍ପନ୍ନ, ସେଥିରେ କୌଣସି ସନ୍ଦେହ ନାହିଁ । ମାତ୍ର ଏହି 'ହିଂସ୍' ଶବ୍ଦ ମୂଳତଃ ପ୍ରାଚୀନ ଆର୍ଯ୍ୟ 'ଘସ' ଶବ୍ଦ ସହିତ ସମ୍ପୃକ୍ତ ଓ ଏହି 'ଘସ୍'ର ମୂଳ ଅର୍ଥ 'ଆଘାତ କରିବା'; ଏହି 'ଘସ୍' ଶବ୍ଦରୁ ଲାଟିନ୍ ଭାଷାର ମଧ୍ୟ ଦେଇ ଇଂରାଜୀ hostel ପ୍ରଭୃତି ଶବ୍ଦ ଓ ଗଥିକ ଭାଷାର ମଧ୍ୟ ଦେଇ yard (ଯାହାଦ୍ୱାରା ଆଘାତ କରାଯାଏ) ପ୍ରଭୃତି ଶବ୍ଦ ଇଂରାଜୀରେ ପ୍ରଚଳିତ ହୋଇଅଛି । 'ଘସ୍' ଶବ୍ଦର ଆଘାତ କରିବା ଅର୍ଥ ସମ୍ପ୍ରସାରିତ ହୋଇ 'ଖାଇବା' ଅର୍ଥରେ ପ୍ରଯୁକ୍ତ ହେଉଥିବାରୁ ଏକ ଦିଗରେ ଏଥିରୁ ସଂସ୍କୃତ 'ଘସ୍' ଧାତୁ (ଖାଇବା ଅର୍ଥରେ ଯଥା 'ଜଘାସ') ଓ ସେଥିରୁ ହଂସ ପ୍ରଭୃତି ଶବ୍ଦ ଏବଂ ଅନ୍ୟ ଦିଗରେ ଲାଟିନର ମଧ୍ୟ ଦେଇ hostel, hotel, hospital, hospitality ଶବ୍ଦ ଉତ୍ପନ୍ନ; ପୁଣି ଏହି 'ମୂଳ 'ଘସ୍' ଧାତୁରୁ ପରବର୍ତ୍ତୀକାଳରେ ସଂସ୍କୃତ 'ହସ୍' ଧାତୁ ନିଷ୍ପନ୍ନ କରାଯାଇ ସେଥିରୁ ହାସ୍ୟ ପ୍ରଭୃତି ଶବ୍ଦ ମଧ୍ୟ ଉତ୍ପନ୍ନ ହୋଇଥିବା ସମ୍ଭବ, କିନ୍ତୁ ହସ୍ତ ଶବ୍ଦ ଯେ ଏହି 'ଘସ୍' ଧାତୁରୁ ଉତ୍ପନ୍ନ 'ହସ୍' ଶବ୍ଦ ସହିତ ସମ୍ପୃକ୍ତ, ଏଥିରେ ସନ୍ଦେହର ଅବକାଶ ନାହିଁ ଅର୍ଥାତ୍ ହସ୍ତର ମୂଳ ଅର୍ଥ ଯାହାଦ୍ୱାରା ଆଘାତ କରାଯାଏ । ଏହି 'ହସ୍ତ' ଶବ୍ଦ ସହିତ ଇଂରାଜୀ 'yard' ଶବ୍ଦର ସମୀକରଣ କରାଯାଇ ପାରେ ।

ଶବ୍ଦର ଇତିହାସ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ବାସ୍ତବରେ ଅନେକ ସ୍ଥାନରେ ଆମ୍ଭମାନଙ୍କୁ ଅନୁମାନ ଉପରେ ନିର୍ଭର କରିବାକୁ ହୁଏ, କାରଣ ଶବ୍ଦମାନଙ୍କର ବିକୃତି ଅତି ଧୀରେ ଧୀରେ ସାଧିତ ହୋଇଥାଏ । ଏହି ବିକୃତିର ପ୍ରତ୍ୟେକ ସ୍ତରର ପ୍ରାମାଣିକ ପରିଚୟ ନ ମିଳିଲେ ଭାଷାତତ୍ତ୍ୱ ଅନୁସାରେ ଶବ୍ଦଟିର ସମ୍ପୂର୍ଣ୍ଣ ଭାଷ୍ୟ ମିଳି ନ ପାରେ । ଇଂରାଜିରେ ପ୍ରତ୍ୟେକ ଶବ୍ଦର ଇତିହାସ ଯଥାଯଥଭାବରେ ଆଲୋଚିତ ହୋଇ ପ୍ରମାଣ ସହିତ ଲିଖିତ ହୋଇଅଛି । ମାତ୍ର ଓଡ଼ିଆ ପ୍ରଭୃତି ଅନେକ ଭାଷାରେ ଏପରି ପ୍ରାମାଣିକ ଗ୍ରନ୍ଥର ଏକାନ୍ତ ଅଭାବ ପରିଲକ୍ଷିତ ହୁଏ । ଯେଉଁମାନେ ଓଡ଼ିଆ ଭାଷାର ଆଲୋଚନା କରନ୍ତି, ସେମାନେ ପ୍ରାୟ ସମସ୍ତେ ତତ୍‌ସମ, ତଦ୍‌ଭବ ଓ ଦେଶଜ ଏହି ତିନି ଶ୍ରେଣୀରେ ଶବ୍ଦମାନଙ୍କୁ ଶ୍ରେଣୀବଦ୍ଧ କରିଦେଇ ଭାଷାବିଚାର କାର୍ଯ୍ୟ ସାଙ୍ଗ କରି ଦେଇଥାନ୍ତି । ଏପରି କି ଅନେକ କ୍ଷେତ୍ରରେ ଶବ୍ଦର ପୂର୍ଣ୍ଣ ଇତିହାସ ଆବିଷ୍କୃତ ହୋଇଥିବା ସ୍ଥଳେ ତାହା ପ୍ରତି ମଧ୍ୟ ସମସ୍ତେ ଅବହିତ ହୁଅନ୍ତି ନାହିଁ । ଓଡ଼ିଆ 'ତମାଖୁ' ଶବ୍ଦ ସଂସ୍କୃତରେ 'ତାମ୍ରକୂଟ'ରୁ ଉତ୍ପନ୍ନ ବୋଲି ଅନେକଙ୍କର ମତ, ମାତ୍ର ବାସ୍ତବିକ ଏହି ଶବ୍ଦଟି ସଂସ୍କୃତରେ ପରବର୍ତ୍ତୀକାଳରେ ଅନ୍ୟ ଭାଷାରୁ ଅନୁକୃତ । ସ୍ପେନ ଦେଶୀୟ ଲୋକମାନେ ଯେତେବେଳେ ଆମେରିକା ମହାଦେଶରେ ରାଜତ୍ୱ କରୁଥିଲେ, ସେ ସମୟରେ ୟୁକାତନ ପ୍ରଦେଶର ଟାବାକୋ ନାମକ ସ୍ଥାନ କିମ୍ବା ତତ୍‌ସଂଲଗ୍ନ 'ଟେବାଗୋ' ନାମକ ଦ୍ୱୀପରେ ଉତ୍ପନ୍ନ ପତ୍ରବହୁଳ କ୍ଷୁଦ୍ରବୃକ୍ଷ (ଚାରାଗଛ)କୁ ଲକ୍ଷ୍ୟ କରି ଏହାର ନାମ tabaco ଦେଇଥିଲେ । ସ୍ପେନୀୟ ଭାଷାରୁ ଏହା କ୍ରମଶଃ ଫରାସୀ ଓ ଇଟାଲୀୟ ଭାଷାରେ ପ୍ରବର୍ତ୍ତିତ ହୋଇଥିଲା । ପରେ ଉର୍ଦ୍ଦୁ ଭାଷାରେ 'ତାମ୍ବାକୁ' ରୂପରେ ପରିଣତ ହୋଇଥିଲା ଓ ଉର୍ଦ୍ଦୁଭାଷାରୁ ଏହା କ୍ରମଶଃ ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ଭାଷାମାନଙ୍କରେ ପ୍ରଚଳିତ ହୋଇଅଛି । ସମ୍ଭବତଃ ଉର୍ଦ୍ଦୁ 'ତମ୍ବାକୁ' ଶବ୍ଦ ହିନ୍ଦୀ ତମାଖୁରେ ପରିବର୍ତ୍ତିତ ହୋଇଥିଲା ଓ ଏହି ହିନ୍ଦୀ ଶବ୍ଦରୁ ଏକ ଦିଗରେ ବଙ୍ଗଳା 'ତାମାକ୍' ଓ ଅନ୍ୟ ଦିଗରେ ଓଡ଼ିଆ 'ତମାଖୁ' ଶବ୍ଦ ଉଦ୍ଭୁତ ହୋଇଥାଇ ପାରେ । ସଂସ୍କୃତ 'ତାମ୍ରକୂଟ' ସହିତ ଓଡ଼ିଆ ଶବ୍ଦର କିଛିମାତ୍ର ସମ୍ପର୍କ ନାହିଁ । ଏହିପରି 'ଯୋଲାପ' ଶବ୍ଦ ପଛରେ ମଧ୍ୟ ଗୋଟିଏ ଇତିହାସ ନିହିତ ଅଛି । ଓଡ଼ିଆ 'ଜୋଲାପ' ଶବ୍ଦ ହିନ୍ଦୀ 'ଜଲ୍ଲାବ' ଶବ୍ଦରୁ ଉତ୍ପନ୍ନ । ସାଧାରଣତଃ ଏହା ପାରସିକ 'ଗୁଲ୍' ଓ 'ଆବ୍' (ପାଣି) ଏହି ଦୁଇ ଶବ୍ଦର ସମ୍ମିଶ୍ରଣରେ ଜାତ ବୋଲି ଅନୁମାନ କରାଯାଇପାରେ । 'ଗୁଲ' ଶବ୍ଦର ଅର୍ଥ 'rose' (ଗୋଲାପ) । ଭାରତରେ ମୋଗଲଯୁଗରେ ଫୁଲରୁ ଅତର ବା ବାସପାଣି ପ୍ରସ୍ତୁତ ହେଉଥିବାରୁ ଭ୍ରମରେ ଫୁଲଟିର ନାମ 'ଗୋଲାପ'ରେ ପର୍ଯ୍ୟବସିତ ହୋଇଅଛି । ମାତ୍ର ସେ ଯାହାହେଉ, ଗୋଲାପ ପାଣି ବିରେଚକ ରୂପରେ ବ୍ୟବହୃତ ହେଉ ନ ଥିଲା । ଅଥଚ ହିନ୍ଦୀ 'ଜଲ୍ଲାବ' ଶବ୍ଦର ଅର୍ଥ ମୂଳତଃ ବିରେଚକ; ଏଣୁ ଶବ୍ଦଟିର ବିଶଦ ଆଲୋଚନା ପ୍ରୟୋଜନ ହେଲା । ପରେ ଦେଖାଗଲା ଯେ, ମେକ୍‌ସିକୋ ଦେଶର 'ଜଲାପ' ନାମକ ସ୍ଥାନରେ ଏକପ୍ରକାର ଗଛର ମୂଳ ବିରେଚକରୂପରେ ବ୍ୟବହୃତ ହେଉଥିଲା । ଏହି ସ୍ଥାନ ସହିତ ସମ୍ପୃକ୍ତ ଥିବାରୁ ସେହି ଗଛର ନାମ ମଧ୍ୟ 'ଜଲାପ' ଦିଆଯାଇଥିଲା । ଏହି ଗଛଟି ବିରେଚକ ବୋଲି ସାଧାରଣତଃ ପର୍ତ୍ତୁଗୀଜ୍ ଭାଷାରେ 'ଜଲାପ' ଶବ୍ଦ ବିରେଚକ ଅର୍ଥରେ ପ୍ରଯୁକ୍ତ ହେଲା । ପର୍ତ୍ତୁଗୀଜ୍ ମାନେ ଭାରତରେ ସ୍ୱୀୟ ପ୍ରଭାବ ବିସ୍ତାର କରିବା ପରେ ଏହି ଶବ୍ଦ 'ବିରେଚକ' ଅର୍ଥରେ ହିନ୍ଦୀରେ ପ୍ରଯୁକ୍ତ ହୋଇ ଅନ୍ୟାନ୍ୟ ପ୍ରାଦେଶିକ ଭାଷାମାନଙ୍କରେ ପ୍ରଚଳିତ ହୋଇଅଛି । ବାସ୍ତବରେ ଗୋଲାପଫୁଲ ସହିତ 'ଯୋଲାପ'ର ସମ୍ପର୍କ ଅତି ଅଳ୍ପ । ମାତ୍ର ହାକିମୀ ଔଷଧମାନଙ୍କରେ ଗୋଲାପଫୁଲର ପାଖୁଡ଼ା ମୃଦୁ ବିରେଚକରୂପରେ ବ୍ୟବହୃତ ହେଉଥିବାରୁ ଶବ୍ଦମାନଙ୍କର ଅର୍ଥଗତ ଓ ରୂପଗତ ବିଶୃଙ୍ଖଳା ସହଜରେ ସାଧିତ ହୋଇଅଛି ଓ ଆମ୍ଭେମାନେ ଏହାର ପ୍ରକୃତ ସ୍ୱରୂପ ବର୍ତ୍ତମାନ ବିସ୍ମୃତ ହୋଇଅଛୁଁ ।

ଶବ୍ଦର ଇତିହାସର ଏହିପରି ପୁଙ୍ଖୀନୁପୁଙ୍ଖ ଆଲୋଚନା କଲେ ଆମ୍ଭେମାନେ ନାନା ନୂତନ ତଥ୍ୟ ଜାଣି ପାରୁଁ । ଭାଷାର ସମ୍ପୂର୍ଣ୍ଣ ଶିକ୍ଷା ନିମନ୍ତେ ଏପ୍ରକାର ଆଲୋଚନା ମଧ୍ୟ ଅତ୍ୟନ୍ତ ପ୍ରୟୋଜନ । ଏହି ପ୍ରକାର ଆଲୋଚନାରୁ ଆମ୍ଭେମାନେ ବୁଝିପାରୁଁ ଯେ 'ଇଟା' ଶବ୍ଦ ବାସ୍ତବରେ ସଂସ୍କୃତ 'ଇଷ୍ଟକ' ଶବ୍ଦରୁ ପ୍ରାକୃତ ମଧ୍ୟ ଦେଇ ସାକ୍ଷାତଭାବରେ ଓଡ଼ିଆରେ ବ୍ୟବହୃତ ହୋଇ ନାହିଁ । କାରଣ ଏହାର ପାଲିରୂପ 'ଇଟ୍ଟକ' । ଏହି ଶବ୍ଦରୁ ହିନ୍ଦୀ 'ଇଟା' ଶବ୍ଦ ଜାତ ହୋଇ ଓଡ଼ିଆରେ ଅବିକୃତଭାବରେ ବ୍ୟବହୃତ ହୋଇଅଛି । ଏହିପରି 'ଛବି' ଶବ୍ଦ କେବଳ ସଂସ୍କୃତ 'ଛବି' ସହିତ ସମ୍ପୃକ୍ତ ନୁହେ । କାରଣ ଆରବ ଭାଷାର 'ତସବୀର' ଶବ୍ଦ 'ତଛବିର'ରେ ପରିଣତ ହୋଇ ଉର୍ଦ୍ଦୁରେ 'ଛବି' ଆକାର ଧାରଣ କରିଅଛି ଓ ଏହି ଛବି ଶବ୍ଦ ସଂସ୍କୃତ ଛବି ସହିତ ରୂପଗତ ସମତା ହେତୁରୁ ଅର୍ଥ ବିପର୍ଯ୍ୟୟ ଘଟାଇଅଛି । 'ଛବିଳ ଉତ୍କଳେ ତୋ ଛବି ଅତୁଳ' ଏହି ପଦ୍ୟାଂଶଟିରେ ଉଭୟ 'ଛବି' ଶବ୍ଦର ଅର୍ଥଗତ ବିଭିନ୍ନତା ସୁସ୍ପଷ୍ଟ ରକ୍ଷିତ ହୋଇଅଛି । ଓଡ଼ିଆ ଭାଷାରେ ଅନେକ ଶବ୍ଦ ସଂସ୍କୃତରୁ ନିଆ ଯାଇଅଛି ସତ୍ୟ, ମାତ୍ର ସେମାନଙ୍କ ବିକୃତି ପଛରେ ନାନା ଜାତିର ସମ୍ପର୍କ ଓ ନାନା ଭାଷାର ସଂସ୍ପର୍ଶ ଏପରି ଭାବରେ ରହିଅଛି ଯେ ସେମାନଙ୍କର ଆଲୋଚନା କଠିନ । 'ଟେରି' ଶବ୍ଦର ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଏହା ହିନ୍ଦୀ 'ତେଡ଼ି'ରୁ ଉତ୍ପନ୍ନ । ଏହି 'ତେଡ଼ି' ଶବ୍ଦ ସଂସ୍କୃତ, 'ତିର୍ଯ୍ୟକ୍' ଶବ୍ଦରୁ ଜାତ ଅର୍ଥାତ୍ ଏହାର ମୂଳ ଅର୍ଥ ଯାହା ମୁଣ୍ତରେ ବଙ୍କାଭାବରେ ଅଙ୍କିତ ହୋଇଥାଏ । ଏହି 'ତିର୍ଯ୍ୟକ୍' ଶବ୍ଦରୁ 'ତେଢ଼ା', 'ଟେରା' ପ୍ରଭୃତି ଶବ୍ଦ ଉତ୍ପନ୍ନ ହୋଇଅଛି । ଏକ ଦିଗରେ ପାଲି 'ତିରଚ୍ଛା'ରୁ 'ତେରଚ୍ଛା' ଶବ୍ଦ ଜାତ ହୋଇଅଛି, ଅନ୍ୟ ଦିଗରେ ହିନ୍ଦୀ ଭାଷାର ଅନୁକରଣରେ 'ଟେର୍' ଶବ୍ଦ ମଧ୍ୟ ବ୍ୟବହୃତ ହେଉଅଛି, ଅର୍ଥାତ୍ 'ଟେର' ପାଇବାର ପ୍ରକୃତ ଅର୍ଥ ସିଧା ସଳଖ ଭାବରେ କୌଣସି ବସ୍ତୁର ଜ୍ଞାନଲାଭ ନ କରି ବକ୍ର ବା ଅସମ୍ପୂର୍ଣ୍ଣ ବା ଅସମୀଚୀନ ଭାବରେ କୌଣସି ବିଷୟ ଜାଣିବା । କେତେକ କ୍ଷେତ୍ରରେ ଦୁଇଗୋଟି ଭିନ୍ନ ଭାଷାରେ ପ୍ରଚଳିତ ଶବ୍ଦମାନଙ୍କର ପୁଣି ରୂପଗତ ସମତା ନ ଥିଲେ ମଧ୍ୟ ସେମାନଙ୍କର ଇତିହାସ ଆଲୋଚନା କରି ସେମାନଙ୍କର ସମୀକରଣ କରିବା ସମ୍ଭବପର ହୁଏ । ଓଡ଼ିଆ 'ଅଶ୍ରୁ' ସହିତ ଇଂରାଜୀ tear ଶବ୍ଦର କୌଣସି ସମତା ନାହିଁ, ମାତ୍ର ବାସ୍ତବରେ ଅଶ୍ରୁ ଶବ୍ଦଟିର ମୂଳ ଆର୍ଯ୍ୟ ଭାଷାରେ 'ଦଶ୍ରୁ' ରୂପ ଥିଲା ଓ ଏହା 'ଦଂଶ' ଶବ୍ଦ ସହିତ ସମ୍ପୃକ୍ତ । ଦ ସ୍ଥାନରେ ତ (ଟ) ହେବା ଭାଷାତତ୍ତ୍ୱର ସାଧାରଣ ନିୟମ ଓ ଆର୍ଯ୍ୟ 'ଦଶ୍ରୁ' ଶବ୍ଦରୁ ଏକ ଦିଗରେ ସଂସ୍କୃତ ଅଶ୍ରୁ, ଅନ୍ୟ ଦିଗରେ ଲାଟିନ lachrymo ଇଂରାଜୀ tear ପ୍ରଭୃତି ସ୍ୱାଭାବିକ ଭାବରେ ଜାତ ହୋଇଅଛି । ଏହିପରି ଭାବରେ ହଂସ ସହିତ goose ଶବ୍ଦର ରୂପଗତ ସମତା ନ ଥିଲେହେଁ ଉଭୟ ଶବ୍ଦ ମୂଳତଃ ଏକ; କାରଣ 'ହସଂ'ର ପ୍ରାଚୀନ ଆର୍ଯ୍ୟ ଭାଷାରେ ରୂପ 'ଘଂସ' ଓ 'ଘ' ସ୍ଥାନରେ 'ଗ' ହେବା ସ୍ୱାଭାବିକ । ଅବଶ୍ୟ ସମୀକରଣ ସମୟରେ ଏହି ସବୁ ଶବ୍ଦର ପ୍ରତ୍ୟେକ ଅଂଶର ପରିବର୍ତ୍ତନର କାରଣ ଓ ବ୍ୟାଖ୍ୟା ଦେବା ପ୍ରୟୋଜନ । କେବଳ ଅଂଶ ବିଶେଷର ବ୍ୟାଖ୍ୟା ଦେଲେ ଯଥେଷ୍ଟ ହୁଏ ନାହିଁ । ଶବ୍ଦର ଇତିହାସକୁ ଏହିପରି ଭାବରେ ଅନୁଶୀଳନ ନ କରି କେବଳ ସେମାନଙ୍କୁ ଦେଶଜ ବୋଲି ନିର୍ଦ୍ଦେଶିତ କରିବା କିମ୍ବା ସଂସ୍କୃତ ଧାତୁ ପ୍ରତ୍ୟୟ ମାତ୍ର ପ୍ରଦର୍ଶନ କରିବାଦ୍ୱାରା ଭାଷାରେ ସମ୍ପୂର୍ଣ୍ଣ ଜ୍ଞାନଲାଭ କରିବା ଅସମ୍ଭବ ।

ରୂପଗତ ବିକୃତି - ଶବ୍ଦମାନଙ୍କର ଆକୃତିଗତ ଓ ଧ୍ୱନିଗତ ଯେଉଁ ବିକୃତି ଘଟେ, ତାହା ଆଲୋଚନା କରି ଭାଷାତତ୍ତ୍ୱବିଦ୍ ମାନେ ଦେଖି ଅଛନ୍ତି ଯେ, ବିକୃତିକୁ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ :-

(୧) ମୂଳ ଶବ୍ଦର ସ୍ୱର ବା ବ୍ୟଞ୍ଜନ ବର୍ଣ୍ଣମାନଙ୍କର ଲୋପ, (୨) ସ୍ୱର ବା ବ୍ୟଞ୍ଜନ ବର୍ଣ୍ଣମାନଙ୍କର ଆଗମ, (୩) ସ୍ୱର ବା ବ୍ୟଞ୍ଜନ ବର୍ଣ୍ଣ ମାନଙ୍କର ବିକୃତି ବା ବିପର୍ଯ୍ୟୟ । କାହିଁକି ଗୋଟିଏ ଶବ୍ଦର ବିକୃତି ସାଧିତ ହେଲା, ଅନ୍ୟ ସମ ବର୍ଣ୍ଣର ବିକୃତି ଅନ୍ୟ ଶବ୍ଦରେ ସାଧିତ ହେଲା ନାହିଁ, ଏ ବିଷୟରେ କିଛି ସ୍ଥିରସିଦ୍ଧାନ୍ତ କରି କହି ହୁଏ ନାହିଁ । ଆମ୍ଭେମାନେ କେବଳ ବିକୃତିର ଗତି ଓ କାଳ ସୂକ୍ଷ୍ମ ଗବେଷଣାଦ୍ୱାରା ନିର୍ଦ୍ଦେଶିତ କରି ପାରୁଁ । ଓଡ଼ିଆରେ ଇଂରାଜୀ 'causeway' ପରିବର୍ତ୍ତରେ 'କାଜ' ଶବ୍ଦ ବ୍ୟବହୃତ ହୁଏ । Small Cause Court ପରିବର୍ତ୍ତରେ 'କାଜକୋଟ' ବ୍ୟବହୃତ ହୁଏ, ମାତ୍ର 'Cause list'କୁ ସବୁବେଳେ 'କଜ୍ ଲିଷ୍ଟ' ବୋଲି ଉଚ୍ଚାରଣ କରାଯାଏ । ଏହି ତିନିଗୋଟି ଶବ୍ଦକୁ ଅନୁଶୀଳନ କଲେ ଆମ୍ଭେମାନେ ଦେଖିବୁଁ ଯେ 'cause way' ଏହି ଶବ୍ଦଟି ଇଂରାଜୀ ଅନଭିଜ୍ଞ 'କାନତରାଟି' (contractor) ମାନଙ୍କଦ୍ୱାରା ପ୍ରବର୍ତ୍ତିତ ହୋଇ ଭାଷାରେ ପ୍ରଚଳିତ ହୋଇଅଛି ଓ 'କାଜି' ଶବ୍ଦ ସହିତ ସମ୍ପୃକ୍ତ ଏହି ଭ୍ରମର ଅବକାଶ ଥିବାରୁ 'Cause Court' ସାଧାରଣତଃ 'କାଜିକୋଟ' ବା 'କାଜକୋଟ' ରୂପରେ ବ୍ୟବହୃତ ହୋଇଅଛି । କିନ୍ତୁ Cause list ଶବ୍ଦଟି ଇଂରାଜୀ ଜାଣୁଥିବା ଶିକ୍ଷିତ ଓକିଲ ଶ୍ରେଣୀର ଲୋକମାନଙ୍କଦ୍ୱାରା ବ୍ୟବହୃତ ହେଉଥିବାରୁ ଏଥିରେ କୌଣସି ପରିବର୍ତ୍ତନ ସାଧିତ ହୋଇ ପାରିନାହିଁ । ଏହିପରି ଆରବ ମକ୍ତବ, ମୋଫତ୍ ପ୍ରଭୃତି ଶବ୍ଦ ସାଧାରଣରେ ପ୍ରଚଳିତ ନ ଥିବାରୁ ସେମାନଙ୍କର କୌଣସି ବିକୃତି ସାଧିତ ହୋଇ ନାହିଁ, ମାତ୍ର ସେହି ଭାଷାରୁ ଗୃହୀତ 'ରିଫୁ' ଶବ୍ଦ ସହିତ ସଂସ୍କୃତ 'ରିପୁ' ଶବ୍ଦର ଧ୍ୱନିଗତ ସାମଞ୍ଜସ୍ୟ ଥିବାରୁ ଆରବ 'ରିଫୁ' ଶବ୍ଦ, ସାଧାରଣତଃ 'ରିପୁ'ରେ ପରିଣତ ହୋଇଅଛି । ପୁଣି ଇଂରାଜୀ 'decree' ଶବ୍ଦ 'ଡିଗ୍ରୀ'ରେ ପରିଣତ ହୋଇଅଛି ଅର୍ଥାତ୍ ଓଡ଼ିଆ 'ଡିଗ୍ରୀ' ଶବ୍ଦ ଇଂରାଜୀ decree ଓ degree ଉଭୟ ଶବ୍ଦର ପ୍ରତୀକଭାବରେ ବ୍ୟବହୃତ । ମାତ୍ର ଅନୁରୂପ ଧ୍ୱନିଯୁକ୍ତ 'ବିକ୍ରୀ ଶବ୍ଦର କୌଣସି ପରିବର୍ତ୍ତନ ସାଧିତ ହୋଇ ନାହିଁ । ଠିକ୍ ଏହିପରି ଭାବରେ ଇଂରାଜୀ 'tile' 'ଟାହିଲି'ରେ ପରିଣତ ହୋଇଅଛି କିନ୍ତୁ ଫାଇଲ ଶବ୍ଦ ମଧ୍ୟରେ 'ହ'ର ଆବିର୍ଭାବ ଆଦୌ ଦେଖାଯାଏ ନାହିଁ । ଶବ୍ଦର ବିକୃତି ଅନେକ ସମୟରେ ଇଚ୍ଛାକୃତ, ଅନେକ ସମୟରେ ଅନିଚ୍ଛାକୃତ । ଇଚ୍ଛାକୃତ ବିକୃତିର ଉଦାହରଣ ଆମ୍ଭେମାନେ ବ୍ୟାକରଣ ଗତ ବିକୃତିରେ ସଚରାଚର ଦେଖିଥାଉଁ । 'ଇଉରୋପ' ପଦର ଅର୍ଥ ଯାହା ତାହା ସହିତ ସମ୍ପୃକ୍ତ ଅନ୍ୟ ଅର୍ଥ ନିର୍ଦ୍ଦେଶିତ କରିବା ନିମନ୍ତେ ଆମ୍ଭେମାନେ ଇଉରୋପୀୟ ଶବ୍ଦ ବ୍ୟବହାର କରୁଁ । 'ଇଉରୋପୀୟ' ଶବ୍ଦ ବାସ୍ତବରେ 'ଇଉରୋପ' ଶବ୍ଦର ବିକାର, ସେହିପରି 'ପାଲୁଣି' 'ପାଣ' ଶବ୍ଦର ବିକାର ଓ 'ଚଳତି' 'ଚଳ' ଶବ୍ଦର ବିକାର । ଏହି ଇଚ୍ଛାକୃତ ବିକାରର ନାନା ନିୟମ ପ୍ରଚଳିତ ଅଛି ଏବଂ ଏସବୁ ବିକାରଦ୍ୱାରା ଶବ୍ଦର ଅର୍ଥପ୍ରକାଶିତ ଶକ୍ତି ନାନାଭାବରେ ବର୍ଦ୍ଧିତ ହୋଇଅଛି । ମାତ୍ର ଅନିଚ୍ଛାକୃତ ବିକୃତିର କୌଣସି ନିୟମ ନାହିଁ, କିମ୍ବା ସେ ବିଷୟରେ କିଛି ସ୍ଥିର କରି କୁହାଯାଇ ନ ପାରେ । କିନ୍ତୁ ଏହି ବିକୃତିମାନଙ୍କୁ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଭାଷାରେ ଶବ୍ଦମାନଙ୍କର ତିନି ପ୍ରକାର ବିକୃତି ସାଧିତ ହୋଇଥାଏ - (୧) ଶବ୍ଦମାନଙ୍କର ଏକ ଧ୍ୱନିର ବିକୃତି ଅନେକ ସମୟରେ ପରବର୍ତ୍ତୀ ବା ନିକଟବର୍ତ୍ତୀ ଧ୍ୱନିର ପ୍ରଭାବରେ ଘଟିଥାଏ, (୨) ଅନେକ ସମୟରେ ଏହା ଭାଷାସ୍ଥିତ ଅନ୍ୟ ଶବ୍ଦମାନଙ୍କର ଅନୁକରଣରେ ଘଟିଥାଏ, ପୁଣି (୩) ଅଧିକାଂଶ ସମୟରେ ଏଭଳି ବିକୃତି କୌଣସି କାରଣ ବା ପ୍ରଭାବର ଅପେକ୍ଷା ନ ରଖି ସ୍ୱତଃ ଅଥବା ସ୍ୱଭାବଜ ଆଳସ୍ୟରୁ ମଧ୍ୟ ଘଟିଥାଇ ପାରେ ।

୧ - ଓଡ଼ିଆରେ କରାଇବା, ଦେଖାଇବା, ରଖାଇବା, ଲେଖାଇବା ପ୍ରଭୃତି ଶବ୍ଦ କରେଇବା, ଦେଖେଇବା, ଚଖେଇବା, ଲେଖେଇବା ଇତ୍ୟାଦିରେ ପରିଣତ ହୋଇଅଛି, ଅର୍ଥାତ୍ ଏହିସବୁ ପଦମାନଙ୍କରେ ପରବର୍ତ୍ତୀ 'ଇ' ଧ୍ୱନିର ପ୍ରଭାବରୁ ପୂର୍ବବର୍ତ୍ତୀ 'ଆ' ଧ୍ୱନି 'ଏ'ରେ ପରିଣତ ହୋଇଅଛି । ଏହିପରି କରାଉଚି, ଦେଖାଉଚି, ଚଖାଉଚି ଲେଖା ଉଚି ପ୍ରଭୃତି ପଦମାନ କରୋଉଚି, ଦେଖୋଉଚି, ଚଖୋଉଚି, ଲେଖୋଉଚି ପ୍ରଭୃତି ପଦମାନଙ୍କରେ ପରିଣତ ହୁଏ । ଅର୍ଥାତ୍ ପରବର୍ତ୍ତୀ 'ଉ'ର ପ୍ରଭାବରୁ ଶବ୍ଦ ମଧ୍ୟରେ ଥିବା 'ଆ' ଧ୍ୱନି 'ଓ' ଧ୍ୱନିରେ ପରିଣତ ହୋଇଅଛି । ଏହି ବିକୃତି ଭାଷାତତ୍ତ୍ୱର ଅତି ସାଧାରଣ ନିୟମଦ୍ୱାରା ସାଧିତ ହୋଇଅଛି ଓ ଇଂରାଜୀ ପ୍ରଭୃତି ଅନ୍ୟାନ୍ୟ ଭାଷାରେ ଏହାର ଉଦାହରଣ ମିଳେ । ଓଡ଼ିଆରେ ଏହିପରି ନିକଟବର୍ତ୍ତୀ 'ର' ଧ୍ୱନିର ପ୍ରଭାବରୁ 'ତ' 'ଡ଼'ରେ ପରିଣତ ହୋଇଥାଏ ଓ ସଂସ୍କୃତ ହରିତକୀ, ପ୍ରତିବାସୀ, ପ୍ରତିହାରୀ ପ୍ରଭୃତି ଶବ୍ଦ ଓଡିଆରେ ଯଥାକ୍ରମେ ହରିଡା, ପଡ଼ୋସୀ, ପଡ଼ିହାରୀ (ପରେ ଡ଼ ଓ ହ ଯୁକ୍ତ ହୋଇ ପଢ଼ିହାରୀ) ପ୍ରଭୃତି ପଦରେ ପରିଣତ ହୋଇଅଛି । ୨- ଅନୁକରଣପ୍ରବୃତ୍ତିରୁ ଅଥବା ଶବ୍ଦର ଉତ୍ପତ୍ତି ବିଷୟରେ ଅଜ୍ଞତା ହେତୁରୁ ଯେଉଁ ବିକୃତିମାନ ସାଧିତ ହୁଏ, ସେମାନଙ୍କ ବିଷୟରେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ । ଆମ୍ଭେମାନେ ପୂର୍ବରେ ଦେଖିଅଛୁଁ ଯେ 'ତମାଖୁ' ଶବ୍ଦ ଅନୁକରଣ ପ୍ରକିୟାଦ୍ୱାରା 'ତାମ୍ରକୂଟ'ରେ ରୂପାନ୍ତରିତ କରାଯାଇଥିଲା । ଏହିପରି ଗ୍ରୀକ୍ ଭାଷାରେ ପ୍ରଚଳିତ 'ଓପୋସ' (opos) ଶବ୍ଦ 'ରସ୍' ଅର୍ଥରେ ବ୍ୟବହୃତ ହେଉଥିବାରୁ ଏହି ଶବ୍ଦକୁ ସଂସ୍କୃତରେ ବିଷବତ୍ କ୍ରିୟାନିର୍ଦ୍ଦେଶକ 'ଅହିଫେନ' ଶବ୍ଦରେ ପରିବର୍ତ୍ତିତ କରାଯାଇଥିଲା । ଅର୍ଥାତ୍ ଅହି ଓ ଫେନ ଉଭୟ ଶବ୍ଦ ସଂସ୍କୃତରେ ପ୍ରଚଳିତ ଥିବାରୁ ଓ ଏମାନଙ୍କ ଧ୍ୱନି ସହିତ ଗ୍ରୀକ ଶବ୍ଦର ଧ୍ୱନିର ସାମଞ୍ଜସ୍ୟ ଓ ଅର୍ଥଗତ ସମ୍ପର୍କ ମଧ୍ୟ ଥିବାରୁ ଏହି ଶବ୍ଦକୁ ସଂସ୍କୃତରେ 'ଅହିଫେନ' ଶବ୍ଦରେ ରୂପାନ୍ତରିତ କରାଯାଇଥିଲା । ଯେଉଁ ପ୍ରକ୍ରିୟାଦ୍ୱାରା ଏପରି ରୂପାନ୍ତର ଘଟିଥିଲା, ଠିକ୍ ସେହି ପ୍ରକ୍ରିୟାଦ୍ୱାରା ଓଡ଼ିଆରେ Recruiter ଶବ୍ଦର ପରିବର୍ତ୍ତରେ 'ଆଡ଼କାଠି' ଶବ୍ଦ ପ୍ରଚଳିତ ହୋଇଅଛି ଓ orderly ଶବ୍ଦ ମଧ୍ୟ 'ଅରଦଳି'ରେ ରୂପାନ୍ତରିତ ହୋଇଅଛି ଏବଂ bomber ଶବ୍ଦକୁ ବୋମାରୁ ରୂପରେ ଭାଷାରେ ପରିବର୍ତ୍ତିତ କରାଯାଉଅଛି । ଆରବଦେଶରେ 'ତୟଫା'ର ଅର୍ଥ 'ନାଚବାଲୀ', ଯବନମାନଙ୍କ ସମୟରେ ମଜଲିସ ପ୍ରଭୃତି ପ୍ରଚଳିତ ଥିବାରୁ ଏହି ଶବ୍ଦର ବ୍ୟବହାର ଆରମ୍ଭ ହୋଇଥିଲା । ସେହି ଯୁଗର ଠିକ୍ ପରିବର୍ତ୍ତୀ ଯୁଗରେ ଇଂରାଜୀ ଭାଷା ସଭ୍ୟସମାଜରେ ପ୍ରଚଳିତ ହେବାରୁ 'ତୟଫା' ଶବ୍ଦ ଇଂରାଜି type ଶବ୍ଦ ସହିତ ବିମିଶ୍ରିତ ହୋଇ 'ଟାଇପା'ରେ ପରିଣତ ହୋଇଅଛି ଓ ଆଜିକାଲି 'ଏକଟାଇପା ନାଚ' ଏପରି ବ୍ୟବହାର ମଧ୍ୟ ଭାଷାରେ ଦେଖାଯାଉଅଛି ।

ଅନୁକରଣ ପ୍ରୟାସରୁ ଭାଷାରେ ଯେ କେବଳ ଶବ୍ଦମାନଙ୍କର ବିକୃତି ହୁଏ ତାହା ନୁହେଁ, ଅନେକ ସମୟରେ ନାନା ନୂତନ ଶବ୍ଦ ମଧ୍ୟ ଅନୁକୃତିର ଫଳରେ ଜାତ ହୋଇଥାଏ । ଓଡ଼ିଆରେ ଆମ୍ଭେମାନେ ଏପରି ସଂସ୍କୃତ (?) ଶବ୍ଦ ବ୍ୟବହାର କରୁଁ, ଯାହାର ଅସ୍ତିତ୍ୱ ସଂସ୍କୃତ ଭାଷାରେ ନାହିଁ । ତତ୍ରାଚ, ମାତ୍ର, ମର୍ମନ୍ତୁଦ (ଅରୁନ୍ତୂଦର ଅନୁକରଣରେ), ବନାନୀ (ଅରଣ୍ୟାନୀର ଅନୁକରଣରେ), ସାମ୍ରାଜ୍ଞୀ ପ୍ରଭୃତି ନାନା ଶବ୍ଦ ସଂସ୍କୃତ ଭାଷାରେ ଶବ୍ଦ ବୋଲି ଆମ୍ଭମାନଙ୍କର ଭ୍ରମ ହେବା ସ୍ୱାଭାବିକ । ପୁଣି ନାଗେଶ୍ୱର, ଅନ୍ନକୋଟ, ଜାମ୍ବୁବାନ, ବାସରଘର ପ୍ରଭୃତି ନାନା ଶବ୍ଦ ଯେ ପ୍ରଚଳିତ ଅନ୍ୟ ଶବ୍ଦର ଅନୁକରଣଦ୍ୱାରା ପ୍ରଭାବିତ ହୋଇଅଛି, ଏଥିରେ କିଛି ସନ୍ଦେହ ଥାଇ ନ ପାରେ । ଓଡ଼ିଆରେ ବ୍ୟବହୃତ ମାନବିକ, ସଚକିତ, ଏକତ୍ରିତ, ଏକତ୍ରୀକୃତ ପ୍ରଭୃତି ମଧ୍ୟ ଅନ୍ୟ ଶବ୍ଦମାନଙ୍କର ଅନୂକରଣରେ ଗଠିତ ଏହି ୬୪ ପୃଷ୍ଠାର ତଥ୍ୟ ପୂର୍ବରୁ ଅଛି ।
ସରଳ ଭାଷାତତ୍ତ୍ୱ

୨-ଅନୁକରଣପ୍ରବୃତ୍ତିରୁ ଅଥବା ଶବ୍ଦର ଉତ୍ପତ୍ତିବିଷୟରେ ଅଜ୍ଞତା ହେତୁରୁ ଯେଉଁ ବିବୃତିମାନ ସାଧିତ ହୁଏ, ସେମାନଙ୍କ ବିଷୟରେ ମଧୀୟ କୌଣସି ନିଧିଷ୍ଟ ନିୟମ ନାହିଁ । ଆମ୍ଭେମାନେ ପୂର୍ବରେ ଦେଖିଅଛୁ ଯେ 'ତମାଖୁ'ଶଦ୍ଦ ଅନୁକରଣ ପ୍ରକ୍ରିୟା ଦ୍ୱାର'ତାମ୍ରକୂଟ'ରେ ରୂପାନ୍ତରିତ କରା ଯାଇଥିଲା। ଏହିପରି ଗ୍ରୀକ୍ ଭାଷା ରେ ପ୍ରଚଳିତ'ଓପୋସ'(opos) ଶଦ୍ଦ'ରସ'ଅର୍ଥରେ ଵ୍ୟବହୃତ ହେଉଥିବାରୁ ଏହି ଶଦ୍ଦକୁ ସଂସ୍କୃତରେ ବିଷଵତ୍ କ୍ରିୟା ନିଦ୍ଦେଶକ 'ଅହିଫେନ' ଶବ୍ଦରେ ପରିଵତ୍ତ୍ରିତ କରାଯାଇଥିଲା । ଅର୍ଥତ ଅହି ଓ ଫେନ ଉଭୟ ଶଦ୍ଦ ସସ୍କୃତ ରେ ପ୍ରଚଳିତ ଥିବାରୁ ଓ ଏମାନଙ୍କ ଧ୍ୱନି ସହିତ ଗ୍ରୀକ୍ ଶବ୍ଦର ଧ୍ୱନିର ସାମଞସ୍ୟ ଓ ଅର୍ଥଗତ ସମ୍ପକ ମଧ୍ୟ ଥିବାରୁ ଏହି ଶଦ୍ଦକୁ ସଂସ୍କୁତରେ'ଅହିଫେନ'ଶଦ୍ଦରେ ରୂପାନ୍ତରିତ କରାଯାଇଥିଲା। ଯେଉଁ ପ୍ରକ୍ରିୟାଦ୍ୱାରା ଏପରି ରୂପାନ୍ତରିତ ଘଟିଥିଲା, ଠିକ୍ ସେହି ପ୍ରକ୍ରିୟା ଦ୍ୱାରା ଓଡ଼ିଆରେ Recruiter ଶବ୍ଦର ପରିଵତ୍ତରେ 'ଆଡକାଠି' ଶବ୍ଦ ପ୍ରଚଳିତ ହୋଇଅଛି ଓ orderly ଶଦ୍ଦ ମଧ୍ୟ 'ଅରଦଳି'ରେ ରୂପାନ୍ତରିତ ହୋଇଅଛି ଏବଂ bomber ଶଦ୍ଦକୁ ବୋମାରୁ ରୂପରେ ଭାଷାରେ ପରିଵତ୍ତିତ କରା ଯାଉଅଛି । ଆରବ ଦେଶରେ'ତୟଫ'ଶଦ୍ଦ ଇରାଜି type ଶଦ୍ଦ ସହିତ ବିମିଶ୍ରିତ ହୋଇ 'ଟାଇପା'ରେ ପରିଣତ ହୋଇଅଛି ଓ ଆଜିକାଲି 'ଏକଟାଇପା ନାଚ' ଏପରି ଵ୍ୟଵହାର ମଧ ଭାଷାରେ ଦେଖାଯାଉଅଛି ।
ଅନୁକରଣପ୍ରୟାସରୁ ଭାଷାରେ ସେ କେଵଳ ଶବ୍ଦମାନଙ୍କର ବିକୃତି ହୁଏ ତାହା ନୁହେଁ , ଅନେକ ସମୟରେ ନାନା ନୂତନ ଶବ୍ଦ ମଧ ଅନୁକୃତ୍ତିର ଫଳରେ ଜାତ ହୋଇଥାଏ । ଓଡ଼ିଆରେ ଆମ୍ଭେମାନେ ଏପରି ସଂସ୍କୃତ(?) ଶବ୍ଦ ବ୍ୟଵହାର କରୁ , ଯାହାର Hଅସ୍ତିତ୍ୱ ସଂସ୍କୃତ ଭାଷାରେ ନାହିଁ । ତନ୍ତ୍ରାଚ, ମାତ୍ର,ମମନ୍ନ୍ତୁଦ(ଅରୁନ୍ତୁଦ ଅନୁକରଣରେ),ଵନାନି(ଅରଣ୍ୟାନୀର ଅନୁକରଣରେ),ସାମ୍ରାୟି ପ୍ରଭୄତି ନାନା ଶବ୍ଦ ସଂସ୍କୃତି ଭାଷାର ଶବ୍ଦ ବୋଲି ଆମ୍ଭମାନଙ୍କର ଭ୍ରମ ହେବା ସ୍ୱାଭାବିକ । ପୁଣି ନାଗେଶ୍ୱର,ଅନ୍ନକୋଟ,ଜାମ୍ବୁବାନ, ବାସରଘର ପ୍ରଭୄତି ନାନା ଶବ୍ଦ ଯେ ପ୍ରଚଳିତ ଅନ୍ୟ ଶବ୍ଦର ଅନୁକରଣଦ୍ୱାରା ପ୍ରଭାବିତ ହୋଇଅଛି, ଏଥିରେ କିଛି ସନ୍ଦେହ ଥାଇ ନପାରେ । ଓଡ଼ିଆରେ ଵ୍ୟବହୃତ ମାନବିକ,ସଚକିତ,ଏକତ୍ରିତ,ଏକତ୍ରିକୃତ ପ୍ରଭୃତି ମଧ୍ୟ ଅନ୍ୟ ଶବ୍ଦ ମାନଂକର ଅନୁକରଣରେ ଗଠିତ

ହୋଇଅଛି ଓ ଏମାନେ ବାସ୍ତବିକ ସଂସ୍କୃତ ବ୍ୟାକରଣର ନିୟମାଦିଦ୍ୱାରା ଅଶୁଦ୍ଧ ହେଲେହେଁ ଓଡ଼ିଆ ଭାଷାରେ ସୁପ୍ରଚଳିତ । ଏହିପରି ଅନୁକରଣ ଯେ କେବଳ ଆଜିକାଲି ଓଡ଼ିଆ ଭାଷାରେ ହେଉଅଛି ତାହା ନୁହେଁ, ପୂର୍ବେ ସଂସ୍କୃତ ଭାଷାରେ ମଧ୍ୟ ଏପରି ଅନୁକରଣଦ୍ୱାରା ନାନା ଶବ୍ଦ ଗଠିତ ଓ ବିକୃତ ହୋଇଥିବାର ପ୍ରମାଣ ଭାଷାତତ୍ତ୍ୱବିଦ୍ ମାନେ ପାଇଅଛନ୍ତି । 'ମନୋରଥ' ଶବ୍ଦଟି ଏହିପରି ଅନୁକରଣର ଗୋଟିଏ ପ୍ରକୃଷ୍ଟ ଉଦାହରଣ । କାରଣ ବାସ୍ତବରେ ଏହି ଶବ୍ଦଟି 'ମନୋର୍ଥ' ଶବ୍ଦର ବିକୃତି ଓ ସଂସ୍କୃତରେ 'ମନସ୍' ଓ 'ରଥ' ଉଭୟ ଶବ୍ଦ ପ୍ରଚଳିତ ଥିବାରୁ ଓ ମନର ଗତି ରଥର ଗତିବେଗ ସହିତ ତୁଳିତ ହେଉଥିବାରୁ ଏଭଳି ଅନୁକରଣ ସହଜସାଧ୍ୟ ହୋଇଅଛି; କିନ୍ତୁ 'ମନୋରଥାଃ ମେ ବହୁଳୀଭବନ୍ତି' ଏପରି ବ୍ୟବହାରରେ ଏହାର ପୂର୍ବରୂପ ଓ ଅର୍ଥର ମଧ୍ୟ ସ୍ପଷ୍ଟ ଇଙ୍ଗିତ ରହିଅଛି । ଏହିପରି ବୈଦିକ ଭାଷାରେ 'ସୁର' ଓ 'ଅସୁର' ଉଭୟ ଶବ୍ଦର ଦେବତା ଅର୍ଥରେ ବ୍ୟବହାର ଦେଖାଯାଏ । ତତ୍ ପୂର୍ବବର୍ତ୍ତୀ ପାରସିକ ଭାଷାରେ 'ଆହୁର' ଶବ୍ଦ କେବଳ ଦେବତା ଅର୍ଥରେ ପ୍ରଯୁକ୍ତ । ଏହି ଶବ୍ଦ ପ୍ରାଚୀନ ଆର୍ଯ୍ୟ 'ଅସ୍' ଧାତୁରୁ ଉତ୍ପନ୍ନ ଓ 'ପ୍ରାଣ ଯୁକ୍ତ' ଏହି ଅର୍ଥରେ ବ୍ୟବହୃତ । ପରେ ସଂସ୍କୃତ ଭାଷାରେ ଅନ୍ୟାନ୍ୟ ନଞ୍ଜ ଶବ୍ଦର ଅନୁକରଣରେ 'ସୁର' ଶବ୍ଦଟିକୁ ଦେବତା ଅର୍ଥରେ ବ୍ୟବହାର କରାଯାଇ 'ଅସୁର' ଶବ୍ଦକୁ ଦୈତ୍ୟ ଅର୍ଥରେ ବ୍ୟବହାର କରାଯାଇଥିଲା । ଏହି ବ୍ୟବହାରରୀତି ଅଦ୍ୟାବଧି ପ୍ରଚଳିତ ଓ ଏହାଦ୍ୱାରା 'ଅସୁର' ଶବ୍ଦ ମୂଳ ଅର୍ଥର ସମ୍ପୂର୍ଣ୍ଣ ବିପରୀତ ଅର୍ଥ ପ୍ରକାଶ କରୁଅଛି । ଏହିପରି ବୈଦିକ ଭାଷାରେ 'ଗ୍ନା' ଶବ୍ଦ 'ସମ୍ମାନିତା ମହିଳା' ବା 'ଦେବପତ୍ନୀ' ଅର୍ଥରେ ପ୍ରଯୁକ୍ତ ହେଉଥିଲା । ଯେଉଁମାନେ 'ଗ୍ନା' ହୋଇ ପାରିବେ ନାହିଁ ସେମାନଙ୍କୁ 'ନ-ଗ୍ନା' ଅର୍ଥାତ୍ 'ବେଶ୍ୟା' ବୋଲାଯାଉଥିଲା । କାଳକ୍ରମେ ବେଶ୍ୟାମାନଙ୍କର ନିର୍ଲ୍ଲଜ ବ୍ୟବହାରର ଇଙ୍ଗିତରେ 'ନଗ୍ନା', ଲଜ୍ଜାହୀନା' ଓ ପରେ 'ବିବସ୍ତ୍ରା' ଅର୍ଥରେ ବ୍ୟବହୃତ ହେଲା । ବହୁକାଳ ପରେ ଏହି ଶବ୍ଦର ପୁଂଲିଙ୍ଗବାଚକ 'ନଗ୍ନ' ଶବ୍ଦର ବ୍ୟବହାର ମଧ୍ୟ ପ୍ରଚଳିତ ହେଲା । ଲୋକେ ଏହାର ପୂର୍ବ ଅର୍ଥ ବିସ୍ମୃତ ହୋଇ ଏହାକୁ ପ୍ରାଚୀମ ଆର୍ଯ୍ୟ ନଜ୍ (ସଂସ୍କୃତ ନଜ୍ ବା ଲଜ୍) ଧାତୁରୁ ଉତ୍ପନ୍ନ ବୋଲି ମନେ କଲେ । ଏହି ପ୍ରାଚୀନ ଧାତୁରୁ ଉତ୍ପନ୍ନ ଇଂରାଜି 'naked' ଶବ୍ଦ ମଧ୍ୟ ଏହି ଅର୍ଥରେ ବ୍ୟବହୃତ ହେଉଥିବାରୁ ଆଜିକାଲି ଏହି ଶବ୍ଦଟିର ଉତ୍ପତ୍ତି ବିଷୟରେ ବିଶେଷ ମତଦ୍ୱୈଧ ଦେଖାଯାଏ ଓ ଏହି ପଦଟି 'ନଜ୍' ଧାତୁ ସହିତ ବା 'ଜନ୍' ଧାତୁ ସହିତ ସଂପୃକ୍ତ, ଏ ବିଷୟରେ ତୁମୁଳ ବିତଣ୍ତା ମଧ୍ୟ ହୋଇଥାଏ । ଯାହାହେଉ, ଅନୁକରଣ ପ୍ରୟାସରୁ ନୂତନ ଶବ୍ଦମାନଙ୍କର ଉତ୍ପତ୍ତି ବିଷୟରେ ଆଉ ଅଧିକ ଉଦାହରଣ ଦେବାର ପ୍ରୟୋଜନ ନାହିଁ । ବସ୍ତୁତଃ ଆମ୍ଭେମାନେ ସଦା ସର୍ବଦା ଅନୁକରଣଶୀଳ ଓ ଅନୁକରଣ କରିବା ଆମ୍ଭମାନଙ୍କର ମଜ୍ଜାଗତ ଧର୍ମ । ଏଣୁ ଭାଷାରାଜ୍ୟରେ ମଧ୍ୟ ଏହାର ନାନା ଉଦାହରଣ ସ୍ୱଭାବତଃ ଦେଖାଯାଇଥାଏ ।

୩ - ଅନେକ ଶବ୍ଦର ବିକୃତିର କୌଣସି କାରଣ ନିର୍ଦ୍ଦେଶ କରିବା ସମ୍ଭବ ନୁହେ । ଅମ୍ଭେମାନେ 'ନିର୍ଲଜ୍ଜ' ସ୍ଥାନରେ 'ନିଲଠା' ବ୍ୟବହାର କରିଥାଉଁ ଓ 'ସ୍ତମ୍ଭ' ସ୍ଥାନରେ 'ଖମ୍ବ' ବ୍ୟବହାର କରୁଁ । ଏସବୁ ସ୍ଥାନରେ କେଉଁ କାରଣରୁ ଶବ୍ଦର ବିକୃତି ଘଟିଲା, ତାହା କହିବା ଦୁଷ୍କର । ଓଡ଼ିଆ 'ଅପା' ଶବ୍ଦ ମଧ୍ୟ ଏହିପରି ଗୋଟିଏ ବିକୃତି । ମାତ୍ର ଏହି ବିକୃତିରେ ଭାଷାତତ୍ତ୍ୱଗତ ନାନା ରହସ୍ୟ ନିହିତ ଅଛି । ସଂସ୍କୃତ 'ଆତ୍ମନ୍' ଶବ୍ଦ ପ୍ରାକୃତରେ 'ଅପପ୍‌ଣ', 'ଅପ୍‌ପନ'ରେ ପରିଣତ ହୋଇଥିଲା । ଏହି ପରିବର୍ତ୍ତନରୁ ଆମ୍ଭେମାନେ ଆପେ, ଆପଣ ପ୍ରଭୃତି ପଦମାନ ଓଡ଼ିଆ ଭାଷାରେ ପାଇଥିବା ସମ୍ଭବ । ଏହିପରି ସଂସ୍କୃତ 'ଆତ୍ମୀୟ' ଶବ୍ଦ 'ଅପା'ରେ ପରିବର୍ତ୍ତିତ ହୋଇଥିବ ଓ ଏହାର ମୂଳ ଅର୍ଥ 'ନିକଟ ଆତ୍ମୀୟା' ହୋଇଥିବା ସମ୍ଭବପର । ସହସ୍ର ବର୍ଷର ପୁରାତନ ବୌଦ୍ଧଗାନ ଓ ଦୋହାରେ 'ଆତ୍ମା' ଶବ୍ଦ ସ୍ଥାନରେ 'ଅପା'ର ବ୍ୟବହାର ଦେଖାଯାଏ । (ଯଥା:- ନ ଜନମି ଅପା କହିଁଗଇ ପଇଠା) ଏହି ଅପା ପରବର୍ତ୍ତୀକାଳରେ ଆତ୍ମୀୟାର ସୂଚକରୂପେ ବ୍ୟବହୃତ ହୋଇଥିବ । ମାତ୍ର ପଦଟି କେବଳ ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥିବା ସ୍ଥଳେ ଏହାର ଉତ୍ପତ୍ତି ଓ ବିକୃତିର କାରଣ ପ୍ରଭୃତି ବିଷୟରେ ସମ୍ୟକ୍ ଜ୍ଞାନଲାଭ କରିବା ଅସମ୍ଭବ । ଯେଉଁ ବିକୃତିଗୁଡ଼ିକ ନିରପେକ୍ଷ ଓ ଯେଉଁମାନଙ୍କର ଇତିହାସ ନିର୍ଦ୍ଦେଶ କରିବା ମଧ୍ୟ ସହଜ ନୁହେ, ସେ ବିଷୟରେ ଆଲୋଚନା କଲେ ସେମାନଙ୍କ ବିକାରର କାରଣ ମଧ୍ୟ ଯଥାଯଥ ଭାବରେ ପ୍ରଦର୍ଶିତ ହୋଇପାରେ ନାହିଁ । କେବଳ ଆମ୍ଭେମାନେ ଅନୁମାନ ଦ୍ୱାରା ବିକୃତିର ଇତିହାସ ବା କାଳକ୍ରମେ ବିଷୟରେ କିଛି ଜ୍ଞାନଲାଭ କରିପାଉଁ ।

ପୁଣି ଅନେକ ସ୍ଥଳରେ ଶବ୍ଦର ବିକୃତି ପଛରେ ଶବ୍ଦଟିର ଦେଶାନ୍ତର ଗମନର ଇତିହାସ ମଧ୍ୟ ଥାଇ ପାରେ । 'ପଲଙ୍କ' ଓ 'ପାଲ୍‌କି' ଏକା ଶବ୍ଦରୁ ଜାତ, ଉଭୟଙ୍କର ଉତ୍ପତ୍ତି ସଂସ୍କୃତ ପର୍ଯ୍ୟଙ୍କ ଶବ୍ଦରୁ, ମାତ୍ର ଏମାନଙ୍କ ମଧ୍ୟରୁ ଗୋଟିଏ ଶବ୍ଦ ସଂସ୍କୃତରୁ ପ୍ରାକୃତର ମଧ୍ୟ ଦେଇ ଓଡ଼ିଆକୁ ଆସିଅଛି । ଅନ୍ୟଟି ପାରସିକ ଭାଷାର ମଧ୍ୟ ଦେଇ ପାର୍ଟୁଗିଜ ଓ ସେଥିରୁ ହିନ୍ଦୀ ଦେଇ ଓଡ଼ିଆକୁ ଆସିଅଛି । ସଂସ୍କୃତ 'ପର୍ଯ୍ୟଙ୍କ' ଶବ୍ଦର ମୂଳ ପରି+ଅଙ୍କ ଓ ଏହି'ପରି' ସହିତ ଗ୍ରୀକ୍ peri (ପେରି ଓ ଅଙ୍କ ସହିତ ଲାଟିନ୍ uncus ବା ସଂସ୍କୃତ 'ଆଙ୍କୁଶ'ର ସମ୍ପର୍କ ରହିଅଛି । 'ପର୍ଯ୍ୟଙ୍କ' ଶବ୍ଦ ପ୍ରାକୃତରେ 'ପଲ୍ଲଙ୍କ'ରେ ପରିବର୍ତ୍ତିତ ହେଲା । ପାଲୀ ଭାଷାରେ 'ପଲଙ୍କି' ଶବ୍ଦର ବ୍ୟବହାର ପ୍ରଚଳିତ ଥିଲା, ଏହି ଶବ୍ଦମାନଙ୍କରୁ ଏକ ଦିଗରେ ଓଡ଼ିଆ ପଲଙ୍କ, ଅନ୍ୟ ଦିଗରେ ପାରସିକ ପଲଙ୍କ, ପୋର୍ଟୁଗିଜ palanquin ଓ ହିନ୍ଦୀ ପାଲକି ଉଦ୍ଭୂତ ହୋଇଅଛି । ଏହି ଶେଷ ଶବ୍ଦରୁ ଓଡ଼ିଆରେ 'ପାଲକି' ଶବ୍ଦ ପ୍ରଚଳିତ ହୋଇଅଛି । ଶବ୍ଦଟିର ଦୁଇଗୋଟି ବିଭିନ୍ନ ରୂପ ଦୁଇଗୋଟି ବିଭିନ୍ନ ଅର୍ଥରେ ପ୍ରଚଳିତ ହୋଇ ଭାଷାକୁ ସମୃଦ୍ଧ କରୁଅଛି । ଏହିପରି 'ଟୋପି' ଶବ୍ଦ ମଧ୍ୟ ମୂଳତଃ ସଂସ୍କୃତ 'ସ୍ତୂପ' ଶବ୍ଦରୁ ଉଦ୍ଭୂତ । ଏହି ଶବ୍ଦଟି ପାଲୀ ଭାଷାରେ 'ଟୋପ' ଆକାର ଧାରଣ କରିଅଛି ଓ ଓଡ଼ିଆ 'ଟୋପର' ଶବ୍ଦ ଏଥିରୁ ଜାତ ହୋଇଅଛି, ମାତ୍ର 'ଟୋପି' ଶବ୍ଦ ହିନ୍ଦୀ ଓ ଉର୍ଦ୍ଦୁ ଶବ୍ଦର ଅନୁକରଣରେ ଓଡ଼ିଆରେ ପ୍ରଚଳିତ ଓ ବର୍ତ୍ତମାନ ଟୋପର, ଟୋପ ପ୍ରଭୃତି ଶବ୍ଦମାନଙ୍କରେ ଅର୍ଥଗତ ପାର୍ଥକ୍ୟ ଲକ୍ଷିତ ହୋଇଥାଏ । ଓଡ଼ିଆ 'ଝୋଟ' ଶବ୍ଦ ମୂଳତଃ ସଂସ୍କୃତ 'ଜଟ' ଶବ୍ଦରୁ ଜାତ ଓ ସଂସ୍କୃତରେ 'ଜଟା' ଶବ୍ଦର 'ଜୁଟ' ଓ 'ଜୂଟ' ଆକୃତି ମଧ୍ୟ ପ୍ରଚଳିତ ଥିଲା । ଏହି ଶବ୍ଦମାନଙ୍କରୁ ଓଡ଼ିଆରେ 'ଜୂଡ଼ା' ଶବ୍ଦ ଉତ୍ପନ୍ନ ହୋଇଅଛି । ଅନ୍ୟ ଦିଗରେ ଏହି ଶବ୍ଦ ବଙ୍ଗଦେଶରୁ ୧୭୯୫ ଖ୍ରୀଷ୍ଟାବ୍ଦରେ ଇଂରାଜୀ ଭାଷାରେ ଗୃହୀତ ହେଲା । ବଙ୍ଗଦେଶରେ ଏହି ଶବ୍ଦ ପରିବର୍ତ୍ତରେ 'ଚଟ୍' ଓ 'ପାଟ' ଶବ୍ଦ ବ୍ୟବହୃତ ହେଉଥିଲେହେଁ ଇଂରାଜୀରେ 'jute' ଶବ୍ଦର ବ୍ୟବହାର ଦେଖାଯାଏ । ଏହି jute ଶବ୍ଦ ହିନ୍ଦୀ ଭାଷା ଦେଇ ଓଡ଼ିଆରେ 'ଝୋଟ' ଆକାରରେ ବ୍ୟବହୃତ ହେଉଅଛି । ଅର୍ଥାତ୍ ଯାହା ମୂଳତଃ ଗୋଟିଏ ସଂସ୍କୃତ ଶବ୍ଦ, ତାହା କ୍ରମଶଃ ଏ ଦେଶରୁ ବିଲାତ ଓ ବିଲାତରୁ ଏ ଦେଶକୁ ଆସି ନୂତନ ଆକାରରେ ଭାଷାରେ ବ୍ୟବହୃତ ହେଉଅଛି । ଅନେକଙ୍କ ମତରେ 'ଆୟା' ଶବ୍ଦରେ ମଧ୍ୟ ଏହିପରି ଶବ୍ଦର ଦେଶାନ୍ତରଗତି ଦେଖାଯାଇଥାଏ ଓ ଏହି ଶବ୍ଦଟି ମୂଳତଃ ସଂସ୍କୃତ 'ଆୟ' ଶବ୍ଦରୁ ଜାତ ହେଲେହେଁ (ଆୟ - keeper of the woman's apartments) ଏହା ପର୍ଟୁଗିଜ ଭାଷାରୁ 'ଆୟା' ରୂପେ ଓଡ଼ିଆରେ ପ୍ରଚଳିତ । ବସ୍ତରରେ ଏହା 'ମାତା' ଅର୍ଥରେ ବ୍ୟବହୃତ, ଅର୍ଥାତ୍ ସଂସ୍କୃତ 'ଆର୍ଯ୍ୟା' ଶବ୍ଦର ବିକୃତିରୂପେ ସ୍ୱୀକୃତ । ଶବ୍ଦମାନଙ୍କର ଆକୃତି ବା ଧ୍ୱନି ପ୍ରଭୃତି ଏହିପରି ନାନା ଦେଶର ପାରିପାର୍ଶ୍ୱିକ ଅବସ୍ଥାଦ୍ୱାରା ନାନା ପ୍ରକାରରେ ପ୍ରଭାବିତ ହୋଇଅଛି । ଏହି ସବୁ ପ୍ରଭାବର ଆଲୋଚନା ଭାଷାତତ୍ତ୍ୱବିଦ୍ ପକ୍ଷରେ ଅତ୍ୟନ୍ତ ପ୍ରୟୋଜନୀୟ । ଓଡ଼ିଆ 'ଚିନି' ଶବ୍ଦର ମଧ୍ୟ ଏହିପରି ଗୋଟିଏ ବିରାଟ ଇତିହାସ ଅଛି । ଏହି ଶବ୍ଦଟି ମୂଳତଃ ସଂସ୍କୃତ 'ଶର୍କରା' ଶବ୍ଦରୁ ଜାତ । ଏହି 'ଶର୍କରା' ଶବ୍ଦରୁ ଓଡ଼ିଆରେ 'ଶାକର' ପ୍ରଭୃତି ଶବ୍ଦ ଜାତ ହୋଇଅଛି । 'ଶର୍କରା'ର ପାରସିକ ଭାଷାରେ ରୂପ 'ଶକର' (ଏହି ଶବ୍ଦ 'ଶକରକନ୍ଦ' ଶବ୍ଦରେ ପରିଚିତ) । ଏହି ପାରସିକ ରୂପରୁ ପୁଣି ଆରବରେ 'ଶକ୍କର', ଆରବରୁ ସ୍ପେନୀୟ ଭାଷାରେ 'ଆଜୂକର' (azucar), ସ୍ପେନୀୟ ଭାଷାରୁ ଫରାସୀ ଭାଷାରେ 'sucre' ଓ ସେଥିରୁ ଇଂରାଜୀରେ 'sugar' ଶବ୍ଦ ଜାତ ହୋଇଅଛି । ଅନ୍ୟ ଦିଗରେ ପାରସିକ ଶକର ଶବ୍ଦର ବିଶେଷଣରେ ଶକ୍‌ରନ୍ ଶବ୍ଦ ହୋଇଅଛି; ଅର୍ଥାତ୍ ଯାହା ମିଷ୍ଟ ବା ଶର୍କରାଯୁକ୍ତ ତାହାହିଁ ଶକ୍‌ରନ୍ । ଏହି ଶକ୍‌ରନ୍ ଶବ୍ଦର ବିକୃତିରେ ଶିରା, ଶିରଣୀ ପ୍ରଭୃତି ଶବ୍ଦ ଜାତ ହୋଇଅଛି ଓ ହିନ୍ଦୀ ଶିର୍ଣ୍ଣି ଶବ୍ଦ ଶିନ୍ନିରେ ରୂପାନ୍ତରିତ ହୋଇ ସେଥିରୁ 'ଚିନି' ଶବ୍ଦ ଓଡ଼ିଆରେ ବ୍ୟବହୃତ ହୋଇଅଛି ଓ ଚୀନ ଦେଶରୁ ମୂଳତଃ ଆମଦାନି କରାଯାଉ ଥିବାରୁ ଏହାର ଏହି ରୂପ ସୁପ୍ରତିଷ୍ଠିତ ହୋଇଅଛି । ବର୍ତ୍ତମାନ ଏହି ଶବ୍ଦର ରୂପ ସହିତ ମୂଳ ଶର୍କରା ଶବ୍ଦର କୌଣସି ସମ୍ବନ୍ଧ ଥିବାର ଅନୁମାନ କରିବା ଅସମ୍ଭବ । 'ଚିନିବାଟି' (enamel ବାଟି) ଶବ୍ଦରେ ବ୍ୟବହୃତ ଚିନି ଶବ୍ଦ ବାସ୍ତବରେ ଚୀନ ଦେଶ ସହିତ ସମ୍ପୃକ୍ତ, କାରଣ ପ୍ରଥମତଃ ଚୀନ ଦେଶରୁ ଆମଦାନୀ କରା ହୋଇଥିବା ମାଟିରେ ଏପରି ଶ୍ୱେତବର୍ଣ୍ଣ ବାସନ ତିଆରି କରାଯାଉଥିଲା । ଚିନାବାଦାମ ପ୍ରଭୃତି ଶବ୍ଦରେ ମଧ୍ୟ ଚୀନ ଦେଶ ସହିତ ସମ୍ପର୍କ ସୁସ୍ପଷ୍ଟ ।

ଭାଷାତତ୍ତ୍ୱ ଆଲୋଚନା କରିବା ସମୟରେ ମନେ ରଖିବାକୁ ହେବ ଯେ, କେବଳ ଶବ୍ଦର ଆକୃତି ବା ଅର୍ଥ ଧରି ସେମାନଙ୍କର ମୂଳ ଶବ୍ଦ ନିରୂପଣ କରିବା ଅନ୍ୟାୟ । ଇଂରାଜୀ Juice ଶବ୍ଦର ଅର୍ଥ ଓ ରୂପ ସହିତ ସଂସ୍କୃତ ଜୁଷ୍ ଧାତୁର ଅର୍ଥ ଓ ରୂପର ସମତା ସୁସ୍ପଷ୍ଟ, ଅଥଚ ଏମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଏହିପରି ସଂସ୍କୃତ ଚପ୍ ଧାତୁର ଅର୍ଥ ଚୂର୍ଣ୍ଣ କରିବା ବା ଖଣ୍ତ ଖଣ୍ତ କରିବା ଓ ଇଂରାଜୀ chop ଶବ୍ଦରେ ମାଂସକୁ ଖଣ୍ତ ଖଣ୍ତ କରିବାର ଅର୍ଥ ନିହିତ ଥିଲେହେଁ ଏ ଦୁଇ ପଦ ମଧ୍ୟରେ କୌଣସି ପ୍ରକାର ସମ୍ପର୍କ ନାହିଁ । ଇଂରାଜୀ cough ଓ ସଂସ୍କୃତ କଫ; ଇଂରାଜୀ Jump ଓ ସଂସ୍କୃତ ଝମ୍ପ ପ୍ରଭୃତି ଶବ୍ଦରେ ମଧ୍ୟ କୌଣସି ପ୍ରକାର ସମ୍ପର୍କ ନାହିଁ ଓ ଓଡ଼ିଆ ବାଇକ୍ ଶବ୍ଦକୁ ସଂସ୍କୃତ 'ବା' ଧାତୁ (ଗମନ କରିବା ଅର୍ଥରେ) ସହିତ ଇକ୍ ପ୍ରତ୍ୟୟ କରି ନିଷ୍ପନ୍ନ କରିବା ସମ୍ଭବ ହେଲେହେଁ ବାସ୍ତବରେ ଏହି ଶବ୍ଦଟି ଇଂରାଜୀ bicycle ଶବ୍ଦର ବିକୃତି । ଏହିପରି ଭାଷାରେ ଗୋଟିଏ ଶବ୍ଦ ପ୍ରଚଳିତ ଥିଲେହେଁ ସେହି ରୂପଧାରୀ ଶବ୍ଦ ଅନ୍ୟ ଅର୍ଥରେ ଅନ୍ୟ ଭାଷାରୁ ଗୃହୀତ ହୋଇଥାଇ ପାରେ । କୋଟ ସଂସ୍କୃତ ଶବ୍ଦ (ମରୀଚ କୋଟ ପ୍ରଭୃତି) ମାର୍ତ ଆମ୍ଭେମାନେ ଯେଉଁ କୋଟ୍ ପିନ୍ଧୁ, ତାହା ଏହି କୋଟ ଠାରୁ ଭିନ୍ନ । ପୁଣି 'କଲି' ସଂସ୍କୃତ ଶବ୍ଦ, ମାତ୍ର ଆମ୍ଭେମାନେ ଘରେ ଯେତେବେଳେ 'କଲି ଫେରାଇବା' କାର୍ଯ୍ୟ ଆରମ୍ଭ କରୁ, ତେତେବେଳେ ଆରବୀ ଭାଷାରୁ ଉତ୍ପନ୍ନ ଶବ୍ଦର ବ୍ୟବହାର କରିଥାଉଁ । ପୁଣି କୌଣସି ଶବ୍ଦ ବିଦେଶୀ ଭାଷାରୁ ଗୃହୀତ ହୋଇଅଛି ବୋଲି କହିବା ମଧ୍ୟ ଭାଷାତତ୍ତ୍ୱ ଆଲୋଚନା କରିବା ସମୟରେ ଯଥେଷ୍ଟ ନୁହେଁ, କାରଣ ଦେଖିବାକୁ ହେବ ଯେ, ଶବ୍ଦଟି କେଉଁ କାରଣରୁ ଓ କି ପରିସ୍ଥିତିରେ ବିଦେଶରୁ ଗୃହୀତ ହୋଇଅଛି । ଯଦି ଦେଖାଯାଏ ଯେ, କୌଣସି ଶବ୍ଦ ପ୍ରାଚୀନ ଓଡ଼ିଆରେ ବ୍ୟବହୃତ ହୋଇଅଛି, ତେବେ ତାହା ଯେ ଇଂରାଜୀ ପ୍ରଭୃତି ଭାଷାରୁ ଗୃହୀତ ନୁହେ ତାହା ଅନୁମାନ କରିବାକୁ ହେବ । ଦେଶମାନଙ୍କ ମଧ୍ୟରେ ସାମାଜିକ, ରାଜନୈତିକ ବା ଅର୍ଥନୈତିକ ସମ୍ପର୍କ ସ୍ଥାପିତ ହେଲେ ଏକ ଦେଶର ଶବ୍ଦ ଅନ୍ୟ ଭାଷାରେ ପ୍ରଚଳିତ ହୁଏ ଓ ଏହି ସମ୍ପର୍କର କାଳ ନିର୍ଣ୍ଣୟ କରି ଶବ୍ଦମାନଙ୍କର ବ୍ୟବହାର ନିର୍ଦ୍ଦେଶିତ କରିବାକୁ ହୁଏ । ପୁଣି ଗୋଟିଏ ଶବ୍ଦ ନାନା ବୈଦେଶିକ ଭାଷାରେ ପ୍ରଚଳିତ ଥିବାରୁ ତାହା ପ୍ରଥମେ କେଉଁ ଭାଷାରୁ କିପରି ଭାବରେ ଆସିଅଛି, ତାହାର ମଧ୍ୟ ଆଲୋଚନା କରିବାକୁ ହୋଇଥାଏ । ଓଡ଼ିଆରେ 'ଇସ୍‌କୃପ୍' ଶବ୍ଦ ପ୍ରଚଳିତ । ଇଂରାଜୀ screw ଶବ୍ଦ ସହିତ ଏହାର ରୂପଗତ ଓ ଅର୍ଥଗତ ସାଦୃଶ୍ୟ ସୁସ୍ପଷ୍ଟ, ମାତ୍ର ବାସ୍ତବରେ ଏହି ଶବ୍ଦଟି ଇଂରାଜୀ ଶବ୍ଦରୁ ଭାରତରେ ବ୍ୟବହୃତ ହୋଇ ନାହିଁ । ଏହି ଶବ୍ଦଟି ମୂଳ ଆର୍ଯ୍ୟ ଧାତୁ ସ୍କର୍ଭ (କାଟିବା ଅର୍ଥରେ)ରୁ ଉତ୍ପନ୍ନ ହୋଇ ଟିଉଟନିକ skru ମଧ୍ୟ ଦେଇ ଡଚ schroef ଓ ପର୍ଟୁଗିଜ ଇସ୍କୃପ୍ ରେ ପରିଣତ ହୋଇଥିଲା । ଶବ୍ଦଟିର ଏହି ରୂପ ଓଡ଼ିଆରେ ପ୍ରଚଳିତ ହୋଇଅଛି । କୌଣସି ଶବ୍ଦ ହିନ୍ଦୀରେ ଓ ଓଡ଼ିଆରେ ଏକ ପ୍ରକାରର ଥିଲେ ଯେ ଓଡ଼ିଆ ଶବ୍ଦଟି ନିଶ୍ଚିତଭାବରେ ହିନ୍ଦୀରୁ ଗୃହୀତ, ତାହା ହୋଇ ନ ପାରେ । ଓଡ଼ିଆରେ ଶବ୍ଦଟିର ବ୍ୟବହାର ପ୍ରାଚୀନତର ହୋଇ ପାରିଥାଏ କିମ୍ବା ଉଭୟ ଭାଷାରେ ଏକ ମୂଳ ପ୍ରାକୃତ ରୂପରୁ ଶବ୍ଦଟି ଭିନ୍ନ ଭିନ୍ନ ସମୟରେ ଗୃହୀତ ହୋଇ ପାରିଥାଏ । ଏସବୁର ସୂକ୍ଷ୍ମ ଆଲୋଚନା ଭାଷାତତ୍ତ୍ୱ ଅନୁଶୀଳନ କରିବା ସମୟରେ ଅବଶ୍ୟମ୍ଭାବୀ ଓ ଭାଷାଜ୍ଞାନ ଲାଭ କରିବାକୁ ହେଲେ ଏ ବିଷୟରେ ଗବେଷଣା କରିବା ନିତାନ୍ତ ପ୍ରୟୋଜନ ।

ଶବ୍ଦର ଅର୍ଥଗତ ବିକୃତି

ଶବ୍ଦମାନଙ୍କର ଅର୍ଥଗତ ବିକୃତି ଓ ଇତିହାସ ମଧ୍ୟ ଆମ୍ଭମାନଙ୍କୁ ଆଲୋଚନା କରିବାକୁ ହେବ । କେବଳ କେତେଗୁଡ଼ିଏ ଶବ୍ଦ ସଂସ୍କୃତ ବା ଇଂରାଜୀରୁ ଆସିଅଛି ଅଥବା ବର୍ତ୍ତମାନ କୌଣସି ବିଶେଷ ଅର୍ଥରେ ବ୍ୟବହୃତ ହେଉଅଛି, ଏତିକି ନିର୍ଦ୍ଦେଶିତ ହେଲେ ଯଥେଷ୍ଟ ହେବ ନାହିଁ । ପ୍ରତ୍ୟେକ ଶବ୍ଦର ଅର୍ଥଗତ ଇତିହାସ ଆଲୋଚନା କରି କେଉଁ ଶବ୍ଦର ଅର୍ଥ କେଉଁ ସମୟରେ କିପରି ଭାବରେ ପରିବର୍ତ୍ତିତ ହୋଇଅଛି, ଏହାର ନିର୍ଦ୍ଦିଷ୍ଟ ଜ୍ଞାନଲାଭ କରିବାକୁ ହେବ । ଶବ୍ଦର ପ୍ରଥମ ସୃଷ୍ଟି ସମୟରେ ତାହାର ନିଶ୍ଚୟ ଗୋଟିଏ ବିଶେଷ ଅର୍ଥ ଥିବ । କାରଣ ଶବ୍ଦଗୁଡ଼ିକ ବାସ୍ତବିକ ଅର୍ଥର ସାଙ୍କେତିକ ଚିହ୍ନ ଏବଂ ସଙ୍କେତ ବିଷୟରେ ନିଶ୍ଚିତ ଓ ନିର୍ଦ୍ଦିଷ୍ଟ ଇଙ୍ଗିତ ସମସ୍ତେ କାମନା କରିଥାନ୍ତି । ମାତ୍ର ବର୍ତ୍ତମାନ ଦେଖାଯାଉଅଛି ଯେ ପ୍ରତ୍ୟେକ ଶବ୍ଦର ନାନାବିଧ ଅର୍ଥ ଅଛି, ବ୍ୟବହାର ସମୟରେ ପୁଣି ଶବ୍ଦଗୁଡ଼ିକ ନାନା ବିଶେଷ ଅର୍ଥରେ ବ୍ୟବହୃତ ହୋଇଥାଏ ଏବଂ ସମୟ ସମୟରେ କୌଣସି ବିଶେଷ ଅର୍ଥ ମଧ୍ୟ ପ୍ରକାଶ କରିଥାଏ । ଏହି ଅର୍ଥବିପର୍ଯ୍ୟୟର କାରଣ ନିର୍ଦ୍ଦେଶ କରିବା ଓ ତାହାର ଇତିହାସ ଲିପିବଦ୍ଧ କରିବା ଭାଷାତତ୍ତ୍ୱରେ ପ୍ରୟୋଜନ ହୁଏ ।

ଶବ୍ଦର ଅର୍ଥ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଅର୍ଥ ମୂଳତଃ ଶବ୍ଦର ଉତ୍ପତ୍ତି ସହିତ ସମ୍ପୃକ୍ତ ଓ ବିଭିନ୍ନ ଭାଷାରୁ ଏକ ଧ୍ୱନିଯୁକ୍ତ ଶବ୍ଦ ସଂଗୃହୀତ ହୋଇଥିଲେ ତାହାର ଅର୍ଥ ମଧ୍ୟ ଭିନ୍ନ ହେବା ସ୍ୱାଭାବିକ । ସଂସ୍କୃତ 'ଅସ୍ତି' ଶବ୍ଦର ରୂପାନ୍ତରରୂପେ ଯେଉଁ 'ଅଛି' ଶବ୍ଦ ଭାଷାରେ ବ୍ୟବହୃତ ହେଉଅଛି, ତାହାର ଅର୍ଥ ଆରବ ଭାଷାରୁ ଗୃହୀତ 'ଅଛି' ଶବ୍ଦର ଅର୍ଥଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସଂସ୍କୃତ ଶବ୍ଦରୁ ବିକୃତ 'ଅରଖ' ଶବ୍ଦର ଅର୍ଥ ଆରବ ଭାଷାରୁ ଗୃହୀତ 'ଅରଖ' ଶବ୍ଦର ଅର୍ଥ ସହିତ ଆଦୌ ସମ୍ପୃକ୍ତ ନୁହେ । ଏହିପରି ପାରସିକ ଶବ୍ଦରୁ ଉତ୍ପନ୍ନ ଜିନ ଶବ୍ଦର ଅର୍ଥ ଘୋଡ଼ା ଉପରେ ଦିଆଯାଇଥିବା ସାଜ, ଆରବ ଭାଷାରୁ ଗୃହୀତ 'ଜିନ' ଶବ୍ଦର ଅର୍ଥ 'ଦୈତ୍ୟ' ଓ ସଂସ୍କୃତରେ ବ୍ୟବହୃତ ଜିନ ଶବ୍ଦ (ଯେଉଁଥିରୁ ଜୈନ, ଜିନବନ୍ଧ ପ୍ରଭୃତି ଶବ୍ଦ ନିଷ୍ପନ୍ନ ହୋଇଅଛି)ର ଅର୍ଥ 'ବିଜେତା' ବା 'ଜୟଶୀଳ' । ଶବ୍ଦମାନଙ୍କର ଉତ୍ପତ୍ତି ଅନୁସାରେ ଯେ ସେମାନଙ୍କ ଅର୍ଥର ପାର୍ଥକ୍ୟ ହେବ, ତାହା ସହଜରେ ଅନୁମେୟ । କାରଣ ପ୍ରତ୍ୟେକ ଭାଷା ଅନ୍ୟ ଭାଷାଠାରୁ ମୂଳତଃ ଭିନ୍ନ, ଏଣୁ ସେଥିରେ ବ୍ୟବହୃତ ଶବ୍ଦମାନଙ୍କର ଅର୍ଥ ମଧ୍ୟ ବିଭିନ୍ନ । ପୁଣି ଏକ ଭାଷାର ବିଭିନ୍ନ ଶବ୍ଦରୁ ଏକ ଧ୍ୱନିଯୁକ୍ତ ଶବ୍ଦ ଗୃହୀତ ହୋଇଥିଲେହେଁ ସେମାନଙ୍କର ଉତ୍ପତ୍ତି ଅନୁସାରେ ଅର୍ଥର ପାର୍ଥକ୍ୟ ମଧ୍ୟ ଘଟି ପାରେ । ଓଡ଼ିଆରେ ଛତ୍ର ଶବ୍ଦ ବ୍ୟବହୃତ ହୁଏ; ଏହି ଶବ୍ଦଟି ଏକ ଦିଗରେ ସଂସ୍କୃତ 'ସତ୍ର' ଶବ୍ଦର ବିକୃତ ରୂପ ଅନ୍ୟ ଦିଗରେ 'ଛତ୍ର' ଶବ୍ଦର ମଧ୍ୟ ଅବିକୃତ ରୂପ । ଏଣୁ ଏହାର ଅର୍ଥ ମଧ୍ୟ ଓଡ଼ିଆରେ ବହୁବିଧ । ଆମ୍ଭେମାନେ ବିଭା, ଶାଳି, ଅଭ୍ର ପ୍ରଭୃତି ଶବ୍ଦରେ ମଧ୍ୟ ଏହିପରି ଅର୍ଥ ବୈଷମ୍ୟ ଦେଖିଥାଉଁ କାରଣ ଅଭ୍ର ଏକ ଦିଗରେ ଅଭ୍ରକ (ଏ ଶବ୍ଦଟି ମଧ୍ୟ ଓଡ଼ିଆରେ ପ୍ରଚଳିତ) ଶବ୍ଦର ବିକୃତ ରୂପ ଓ ଅନ୍ୟ ଦିଗରେ ଅଭ୍ର (ଆକାଶ ଅର୍ଥରେ, ଯଥା 'ଅଭ୍ରଙ୍କଷ') ଶବ୍ଦର ଅବିକୃତ ରୂପ । ବିଭା ଶବ୍ଦ ଏକ ଦିଗରେ ସଂସ୍କୃତ 'ବିବାହ' ଶବ୍ଦର ରୂପାନ୍ତର ଅନ୍ୟ ଦିଗରେ 'ବିଭା' (ତେଜ) ଶବ୍ଦର ଅବିକୃତ ରୂପ । ଓଡ଼ିଆ 'କଲି' ଶବ୍ଦ ଏପରି ଅର୍ଥ ବୈସାଦୃଶ୍ୟର ପ୍ରକୃଷ୍ଟ ଉଦାହରଣ, କାରଣ, ଆମ୍ଭେମାନେ କଲିକୁ 'କୃ' ଧାତୁର ବିକୃତ ରୂପ ରୂପରେ ଓ ଫୁଲର କଲି ଅର୍ଥରେ ବ୍ୟବହାର କରିଥାଉଁ । ଉଭୟ ଶବ୍ଦ ସଂସ୍କୃତରୁ ଉତ୍ପନ୍ନ ହେଲେହେଁ ଏମାନଙ୍କର ଅର୍ଥଗତ ପାର୍ଥକ୍ୟ ସୁସ୍ପଷ୍ଟ ।

ଶବ୍ଦର ବିଭିନ୍ନ ଅର୍ଥ:- ଶବ୍ଦର ବ୍ୟବହାର ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ତାହାର ଅର୍ଥ ନାନା ପ୍ରକାରରେ ପରିବର୍ତ୍ତିତ ହୋଇଥାଏ । ଏହାର ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ପ୍ରତ୍ୟେକ ଶବ୍ଦ ଗୋଟିଏ ମୂଳ ଅର୍ଥ ଓ ନାନା ସଂପ୍ରସାରିତ ଅର୍ଥରେ ବ୍ୟବହୃତ ହୋଇଥାଏ ଓ ବାକ୍ୟର ଅର୍ଥସଙ୍ଗତି ଘେନି ପ୍ରତ୍ୟେକ ଶବ୍ଦର ଅର୍ଥ ନିରୂପଣ କରାଯାଏ । 'ତା ଗୋଡ଼ରେ କଣ୍ଟା ଫୁଟିଗଲା' ଓ 'ରାମ ବେରାମ ହୋଇ କଣ୍ଟା ହୋଇଗଲା' - ଏ ଉଭୟ ବାକ୍ୟରେ ବ୍ୟବହୃତ 'କଣ୍ଟା' ଶବ୍ଦ ଏକ 'କଣ୍ଟକ' ଶବ୍ଦରୁ ଉତ୍ପନ୍ନ ହେଲେହେଁ ଏହି ଶବ୍ଦର ଅର୍ଥ ପୃଥକ୍ । ଗୋଟିଏ ବାକ୍ୟରେ ଏହା ସ୍ୱରୂପ ଅର୍ଥରେ ଓ ଅନ୍ୟଟିରେ ଲକ୍ଷଣା ଅର୍ଥରେ ବ୍ୟବହୃତ ହୋଇଅଛି । ପୁଣି ସେ ମୋ ବେକରେ କଣ୍ଟା' କହିଲେ କଣ୍ଟାର ଅନ୍ୟ ଲକ୍ଷଣା ଅର୍ଥରେ ବ୍ୟବହାର ସୁସ୍ପଷ୍ଟ ହୋଇଥାଏ । ପ୍ରତ୍ୟେକ ଶବ୍ଦର ଏହିପରି ଗୋଟିଏ ମୂଳ ଅର୍ଥ ଓ ନାନା ଲକ୍ଷଣା ଅର୍ଥ ଥିବା ସ୍ୱାଭାବିକ ଓ ଆମ୍ଭେମାନେ ଶବ୍ଦଟିକୁ ବ୍ୟବହାର କରିବା ସମୟରେ ଏହି ମୂଳ ଅର୍ଥ ପ୍ରତି ଅବହିତ ହୋଇ ଲକ୍ଷଣା ଅର୍ଥଗୁଡ଼ିକର ସ୍ୱରୂପ ନିର୍ଣ୍ଣୟ କରିଥାଉଁ । କ୍ରମଶଃ ଶବ୍ଦର ଲକ୍ଷଣା ଅର୍ଥ ପୁଣି ବ୍ୟବହାରକ୍ରମରେ ମୂଳ ଅର୍ଥରେ ପରିଣତ ହୋଇଥିବାର ଶତ ଶତ ଦୃଷ୍ଟାନ୍ତ ଆମ୍ଭେମାନେ ପାଇଥାଉଁ । ସଂସ୍କୃତ 'ଶିଖା' ଶବ୍ଦ ଏହିପରି ମୂଳତଃ ଯେଉଁ ଅର୍ଥରେ ବ୍ୟବହୃତ ହେଉଥିଲା, ଲକ୍ଷଣାଦ୍ୱାରା ଏହାର ରୂପ ପରିବର୍ତ୍ତିତ ହୋଇ ପୁଣି ଅନ୍ୟ ଅର୍ଥରେ ବ୍ୟବହୃତ ହେଲା । କାଳକ୍ରମେ ଏହି ଲକ୍ଷଣା ଅର୍ଥ ମୂଳ ଅର୍ଥ ରୂପରେ ବ୍ୟବହୃତ ହୋଇ ଏଥିରୁ ପୁଣି ନୂତନ ନୂତନ ଲକ୍ଷଣା ଅର୍ଥମାନ ଭାଷାରେ ସ୍ୱୀକୃତ ହେବାକୁ ଲାଗିଲା । ବର୍ତ୍ତମାନ ଏହି ଶବ୍ଦର ନାନାବିଧ ଅର୍ଥଗତ ବ୍ୟବହାର ଆମ୍ଭେମାନେ ନିତ୍ୟ ଦେଖିଥାଉଁ । ଓଡ଼ିଆରେ 'କଟକ' ଶବ୍ଦର ମଧ୍ୟ ଏହିପରି ଅର୍ଥ ବିକୃତ ଘଟିଅଛି । ସଂସ୍କୃତରେ 'କଟକ' ଶବ୍ଦର ଲକ୍ଷଣା ଅର୍ଥରେ ଓଡ଼ିଆରେ କଟକ ନଗରୀର ନାମକରଣ ହୋଇଥିଲେହେଁ ଓ ଏହି ମୂଳ ଅର୍ଥ ଉପେନ୍ଦ୍ରଭଞ୍ଜଙ୍କର "ବ୍ୟାପ୍ତ ଦିବ୍ୟ କଟକରେ ନେଇ କରି, ବସାନିବାସେ ନେଇ ଜନକ ଠାରି" ପଦ୍ୟାଂଶମାନଙ୍କରେ ବ୍ୟବହୃତ ହେଉଥିଲେହେଁ ବର୍ତ୍ତମାନ 'କଟକ'ର ଅର୍ଥ ଏହି ମୂଳ ଅର୍ଥରୁ ପୃଥକ୍ ଓ କଟକ ନଗରୀକୁ ମୂଳ ଅର୍ଥ ଧରି ସେଥିରୁ ମଧ୍ୟ ନାନା ଲକ୍ଷଣା ଅର୍ଥ ଉତ୍ପନ୍ନ ହୋଇଅଛି (ଯଥା - ମୁଁ ପୁରିଆ ଭେଣ୍ତା, ମତେ କଟକିଆ କରି ପାଇଲୁ କି ରେ?) । ସାଧାରଣରେ ବ୍ୟବହୃତ 'ବାଇ' ଶବ୍ଦରେ ମଧ୍ୟ ଏହିପରି ଅର୍ଥ ବୈସାଦୃଶ୍ୟ ଘଟିଅଛି । ଯାହା ଏକ ସମୟରେ 'ବାୟୁ' ଅର୍ଥରେ ପ୍ରଯୁକ୍ତ ହେଉଥିଲା, ତାହା ବର୍ତ୍ତମାନ ବାୟୁପ୍ରକୋପଜନିତ ଉନ୍ମତ୍ତତା ଅର୍ଥରେ ପ୍ରଯୁକ୍ତ ହେଉଅଛି । ମଦ, ଭାତ, ବାହୁଙ୍ଗା, ରସ, ଦଣ୍ତ ପ୍ରଭୃତି ନାନା ଶବ୍ଦରେ ଏହିପରି ଅର୍ଥଗତ ବିପର୍ଯ୍ୟୟ ଆମ୍ଭମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ ଓ ଅତି ପ୍ରଚଳିତ ଶବ୍ଦମାନଙ୍କରେ ମଧ୍ୟ ଏହାର ଭୂରି ଭୂରି ଉଦାହରଣ ଦେଖାଯାଏ ।

କେତେକ ସମୟରେ ଇଚ୍ଛାକୃତଭାବରେ ଆମ୍ଭେମାନେ ଅର୍ଥର ପାର୍ଥକ୍ୟ ନିର୍ଦ୍ଦେଶ କରିଥାଉଁ । ସାଧାରଣତଃ ବ୍ୟାକରଣ ଗତ ପ୍ରତ୍ୟୟ ଆଦିଦ୍ୱାରା ଏହା ସାଧିତ ହୋଇଥାଏ । ଓଡ଼ିଆ 'ଚକ' ଓ 'ଚକତି' ବାସ୍ତବରେ ଏକ ଶବ୍ଦରୁ ଉତ୍ପନ୍ନ, ମାତ୍ର ବର୍ତ୍ତମାନ ଏମାନେ ଭିନ୍ନ ଅର୍ଥରେ ବ୍ୟବହୃତ । ଅର୍ଥର ଏହି ପାର୍ଥକ୍ୟ ଗୋଟିଏ ଶବ୍ଦରେ 'ତି'ର ସଂଯୋଗଦ୍ୱାରା ସୂଚିତ ହୋଇଅଛି ଏବଂ ଆମ୍ଭେମାନେ ଚକିତଦ୍ୱାରା 'କ୍ଷୁଦ୍ର ଆୟତନବିଶିଷ୍ଟ ଚକ' ଏହି ଅର୍ଥ ପାଇଥାଉଁ ଓ କ୍ଷୁଦ୍ରତାସୂଚକ 'ତି' ବା 'ଇ'ର ବ୍ୟବହାର ଆମ୍ଭେମାନେ 'ତକତି' ଶବ୍ଦରେ ମଧ୍ୟ ଦେଖିଥାଉଁ । ଏହିପରି ଖଟ ଓ ଖଟୁଲି, କନ୍ଥା ଓ କାନ୍ଥୁଡି, କାଠ ଓ କାଠି, ଗୋଲା ଓ ଗୁଲି, ବଡ଼ା ଓ ବଡ଼ି ମଧ୍ୟରେ ଅର୍ଥଗତ ଯେଉଁ ପାର୍ଥକ୍ୟ ଦେଖାଯାଏ, ତାହା ମୂଳତଃ ଗୋଟିଏ ପ୍ରତ୍ୟୟ ଯୋଗରୁ ଘଟିଅଛି । ଏଗୁଡ଼ିକ ଇଚ୍ଛାକୃତ ଓ ଗୋଟିଏ ପ୍ରୟୋଗର ଅନୁକରଣରେ ଅନ୍ୟ ଗୁଡିକ ପ୍ରଯୁକ୍ତ । ବ୍ୟାକରଣ ଗତ ପ୍ରତ୍ୟେକ ପ୍ରତ୍ୟୟ, ପ୍ରତ୍ୟେକ ପୂର୍ବ ପ୍ରୟୋଗ, ପ୍ରତ୍ୟେକ ଉପପଦ ଓ ପ୍ରତ୍ୟେକ ଉପସର୍ଗ ମଧ୍ୟ ଏହିପରି ଭାବରେ ଶବ୍ଦର ଅର୍ଥକୁ ନାନା, ପ୍ରକାରରେ ନିୟନ୍ତ୍ରିତ କରେ । ଏହି ନିୟନ୍ତ୍ରଣଦ୍ୱାରା ଭାଷା ସମୃଦ୍ଧ ହେଉଅଛି ଓ ଶବ୍ଦମାନଙ୍କ ପ୍ରୟୋଗରେ ସୁବିଧା ମଧ୍ୟ ଘଟୁଅଛି । ଅନୁକରଣ ଦ୍ୱାରା ଓ ଅର୍ଥଗତ ବିକାରଦ୍ୱାରା ଭାଷାର ଶବ୍ଦସମ୍ଭାର ଓ ଅର୍ଥପ୍ରକାଶିକା ଶକ୍ତି ମଧ୍ୟ ଯଥେଷ୍ଟ ବୃଦ୍ଧି ପାଉଅଛି ।

ଅନେକ ସମୟରେ ଆମ୍ଭେମାନେ ଶବ୍ଦ ଅର୍ଥକୁ କୌଣସି ଗୋଟିଏ ସ୍ତରରେ ପ୍ରଯୁକ୍ତ ଶବ୍ଦରୁ ଗ୍ରହଣ କରିଥାଉଁ । ଓଡ଼ିଆରେ ଆମ୍ଭେମାନେ ଯେଉଁ 'ଫିଟିନ୍ ଗାଡ଼ି' ପ୍ରୟୋଗ କରିଥାଉଁ, ସେହି ଶବ୍ଦର ଅର୍ଥ ଗୋଟିଏ ପ୍ରକାର ଘୋଡାଗାଡି । ଏ ଶବ୍ଦଟି ବାସ୍ତବିକ ଇଂରାଜୀ phaeton ଶବ୍ଦରୁ ଗୃହୀତ । ମାତ୍ର phaeton ଶବ୍ଦର ବିଶଦ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଏହି ଶବ୍ଦଟି ମୂଳ ଆର୍ଯ୍ୟ ଭାଷାର 'ଭା' ଧାତୁ ସହିତ ସମ୍ପୃକ୍ତ ଓ 'ଭା' ଧାତୁର ଅର୍ଥ ଦୀପ୍ତିମାନ୍ ଓ ଏହି 'ଭା' ଧାତୁ ସହିତ photo, fancy ପ୍ରଭୃତି ଶବ୍ଦଗୁଡ଼ିକ ମଧ୍ୟ ସମ୍ପୃକ୍ତ । ଗ୍ରୀକ୍ ଭାଷାରେ ଏହି 'ଭା' ଧାତୁରୁ phaethon ଶବ୍ଦ ଉତ୍ପନ୍ନ ହୋଇଥିଲା ଓ ଏହି phaethon ସୂର୍ଯ୍ୟଙ୍କର ସାରଥି ରୂପରେ କଳ୍ପିତ ହୋଇ ଭାଷାରେ ଲୋକବିଶେଷର ନାମରୂପେ ବ୍ୟବହୃତ ହେବାକୁ ଲାଗିଲା । ଦୈବକ୍ରମେ ଏହି ନାମଧାରୀ ଜଣେ ବ୍ୟକ୍ତି ବିଶେଷ ପ୍ରକାରର ଗାଡ଼ି ଉଦ୍ଭାବନ କରିଥିବାରୁ ଆମ୍ଭେମାନେ ଏହି ଶବ୍ଦର ମୂଳ ଧାତୁ ପ୍ରଭୃତି ବିସ୍ମୃତ ହୋଇ ବର୍ତ୍ତମାନ ଗୋଟିଏ ବିଶେଷ ଅର୍ଥରେ ଏହାକୁ ବ୍ୟବହାର କରୁଅଛୁଁ । ଏହି ଶବ୍ଦଟି ଯେପରି ଉଦ୍ଭୂତ ହୋଇ ଯେଉଁ ସବୁ ସ୍ତର ମଧ୍ୟ ଦେଇ ଗତି କରିଅଛି, ତାହାର ଗୋଟିଏ ସ୍ତର ସହିତ ବର୍ତ୍ତମାନ ଏହାର ଅର୍ଥଗତ ସମ୍ପର୍କ ସ୍ଥାପିତ ହୋଇଅଛି । ଏହିପରି 'ପାଲକି' ଶବ୍ଦରେ ମଧ୍ୟ ମୂଳ 'ପର୍ଯ୍ୟଙ୍କ' ଶବ୍ଦର ଅର୍ଥ ଦ୍ୟୋତିତ ହେଉଥିଲେହେଁ ପୋର୍ଟୁଗିଜ ଶବ୍ଦରୁ ଉଦ୍ଭୂତ ହିନ୍ଦୀ ଶବ୍ଦ ସହିତ ଏହାର ଅର୍ଥଗତ ସମ୍ପର୍କ ରହିଅଛି ଓ ସେହି ସ୍ତରରୁ ଏହାର ଅର୍ଥଗତ ଉତ୍ପତ୍ତି ସୂଚିତ କରିବାକୁ ହେବ ।

ଏଠାରେ ଆମ୍ଭେମାନେ ଲକ୍ଷ୍ୟ କରିପାରୁ ଯେ, ମୂଳ ସଂସ୍କୃତ ଶବ୍ଦ ଓ ତହିଁର ବିକୃତ ରୂପ ଉଭୟେ ଓଡ଼ିଆ ଭାଷାରେ ପ୍ରଚଳିତ ଥିଲେହେଁ ବିକୃତ ଶବ୍ଦର କେତେକ ବିଶେଷ ଅର୍ଥରେ ପ୍ରୟୋଗ ଦେଖାଯାଏ । ବତି ଶବ୍ଦ ବର୍ତ୍ତିରୁ ଉତ୍ପନ୍ନ, ମାତ୍ର ବର୍ତ୍ତମାନ ପ୍ରଧାନତଃ ମହମବତି ଅର୍ଥରେ ସାଧାରଣରେ ବ୍ୟବହୃତ, ପୁଣି ସଞ୍ଜ ଶବ୍ଦ ସନ୍ଧ୍ୟା ଶବ୍ଦରୁ ଉତ୍ପନ୍ନ, ମାତ୍ର ସଞ୍ଜ ଦେବା ଏକ ବିଶେଷ ଅର୍ଥରେ ପ୍ରଚଳିତ । ପୁଣି ଶବ୍ଦର ଉତ୍ପତ୍ତି ବିଷୟରେ ଅଜ୍ଞତା ମଧ୍ୟ କେତେକ କ୍ଷେତ୍ରରେ ତାହାର ଅର୍ଥ ବିପର୍ଯ୍ୟୟର କାରଣ ହୋଇଅଛି । 'କୃଷ୍ଟି' ଏହାର ପ୍ରକୃଷ୍ଟ ଉଦାହରଣ । ସଂସ୍କୃତରେ 'କୃଷ୍ଟି' ଶବ୍ଦର ଅର୍ଥ ପଣ୍ତିତ ବ୍ୟକ୍ତି । ମାତ୍ର ଏହି ଅର୍ଥରେ ଏ ଶବ୍ଦଟି ପ୍ରଚଳିତ ନ ଥିବାରୁ ଓ କୌଣସି ଉଚ୍ଚକୋଟିର ଲେଖକଙ୍କଦ୍ୱାରା ଏହା culture ଶବ୍ଦର ଅନୁବାଦ ରୂପରେ ପ୍ରଯୁକ୍ତ ହୋଇଥିବାରୁ ବର୍ତ୍ତମାନ ଏହାର ଅର୍ଥ ପରିବର୍ତ୍ତିତ ହୋଇଅଛି । ଏହାର ବ୍ୟବହାର ଘେନି ନାନା ବିତଣ୍ତା ହେଉଥିଲେହେଁ ଶବ୍ଦଟି culture ର ଅନୁବାଦରୂପରେ ପ୍ରଚଳିତ ହୋଇଅଛି । 'ଅର୍ବାଚୀନ' ଶବ୍ଦର ଅର୍ଥ ମଧ୍ୟ ଏହିପରି ଅତି ଆଧୁନିକ କାଳରେ ପରିବର୍ତ୍ତିତ ହୋଇଅଛି ଓ ଏହା ସଂସ୍କୃତଠାରୁ ଭିନ୍ନ ଅର୍ଥରେ ବର୍ତ୍ତମାନ ବ୍ୟବହୃତ ହେଉଅଛି । ମାତ୍ର ଏହାର ବ୍ୟବହାରଜନିତ ବିବାଦ ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ ।

ଅନେକ ସମୟରେ ଦୁଇଗୋଟି ଭିନ୍ନ ଭିନ୍ନ ଭାଷାରୁ ଆଗତ ଶବ୍ଦମାନଙ୍କର ବିଶୃଙ୍ଖଳା ହେତୁରୁ ଶବ୍ଦରୁ ଅର୍ଥ ପ୍ରଭାବିତ ହୋଇଥାଏ । ଆରବ ଭାଷାରେ 'ଚିକନ୍'ର ଅର୍ଥ ସଂସ୍କୃତ 'ଚିକ୍କଣ'ରୁ ଉତ୍ପନ୍ନ 'ଚିକଣ'ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମାତ୍ର ବର୍ତ୍ତମାନ ଆମ୍ଭେମାନେ ଏ ଉଭୟ ଶବ୍ଦର ଅର୍ଥକୁ ଅନେକ ସମୟରେ ଗୋଳମାଳ କରି ଉଭୟ ଶବ୍ଦ ପରସ୍ପର ସହିତ ସମ୍ପୃକ୍ତରୂପେ ବ୍ୟବହାର କରିଥାଉଁ । ବ୍ୟବହାର ସମୟରେ ଅର୍ଥଗତ ବୈସାଦୃଶ୍ୟ ମଧ୍ୟ ରହିବା ସ୍ୱାଭାବିକ । ଏହିପରି 'ବାଲି' ଶବ୍ଦର ଅର୍ଥ ବାଲୁକା ଥିବାରୁ ବାଲିନାମକ ସ୍ଥାନରେ ପ୍ରସ୍ତୁତ କାଗଜକୁ ଆମ୍ଭେମାନେ ବାଲୁକାକଣା ପରି ଅକୋମଳ ଓ କର୍କଶ କାଗଜର ନାମ ବୋଲି ଭ୍ରମ କରିଥାଉଁ । ଇଂରାଜୀ barley ଶବ୍ଦରୁ ଉତ୍ପନ୍ନ ବାଲି ଶବ୍ଦକୁ କ୍ଷୁଦ୍ର ବାଲୁକାକଣାର ଆକୃତି ସହିତ ସମ୍ପୃକ୍ତ କରିଥାଉଁ । ଅର୍ଥଗତ ଭ୍ରମ ଓ ବିଶୃଙ୍ଖଳା ଏତେ ସାଧାରଣ ଯେ, ଏ ବିଷୟରେ ଉଦାହରଣ ପ୍ରାୟ ପ୍ରତ୍ୟେକ ଲେଖାରେ ଆମ୍ଭେମାନେ ପାଉଁ । ଓଡ଼ିଆରେ ବ୍ୟବହୃତ 'ଟମଟମ' ଶବ୍ଦ ଇଂରାଜୀ tandem ରୁ ଉତ୍ପନ୍ନ, ଏହାର ମୂଳ ଅର୍ଥ ଯେଉଁ ଗାଡ଼ିରେ ଗୋଟିକ ପରେ ଗୋଟିଏ ଏହିପରି ଦୁଇ ବା ତତୋଧିକ ଘୋଡ଼ା ଲାଗେ, ଏହିପରି ଗାଡ଼ିଗୁଡ଼ାକ ଦ୍ୱିଚକ୍ର ଯୁକ୍ତ ଥିବାରୁ ଟମଟମ ଗାଡ଼ିଗୁଡ଼ିକୁ ଦ୍ୱିଚକ୍ର ଯୁକ୍ତ ଗାଡ଼ି ବୋଲି ଭ୍ରମ କରାଯାଇଥାଏ । ଦ୍ୱିଚକ୍ର ଗାଡ଼ିଗୁଡ଼ିକ ସହଜରେ ଭାରକେନ୍ଦ୍ର ଠିକ୍ ରଖି ପାରୁନଥିବାରୁ ସମଧ୍ୱନିଯୁକ୍ତ 'ଟମଟମ' ବା 'ତମତମ' ଶବ୍ଦ ମଧ୍ୟ 'ବିଚଳିତ ହେବା' ଅର୍ଥରେ ବ୍ୟବହୃତ ହୋଇଥାଏ; ଅର୍ଥାତ୍ ଏହି ପଦମାନଙ୍କର ମୂଳ ଅର୍ଥରେ ବିଚଳିତ ହେବାର ଦ୍ୟୋତନା ନ ଥିଲେ ମଧ୍ୟ ବର୍ତ୍ତମାନ ଏହି ଅର୍ଥ ସହିତ ସମ୍ପର୍କ ଘଟିଅଛି ।

ଶବ୍ଦର ଅର୍ଥଗତ ପରିବର୍ତ୍ତନ ଏତେ ସ୍ୱାଭାବିକ ଯେ, ଆମ୍ଭେମାନେ ସ୍ୱରୂପ ଅର୍ଥ ପ୍ରତି ଅବହିତ ନ ଥାଇ ଶବ୍ଦଗୁଡ଼ିକୁ ନାନାଭାବରେ ବ୍ୟବହାର କରିଥାଉଁ । 'ସନ୍ଦେଶ'ର ମୂଳ ଅର୍ଥ 'ସଂବାଦ' । ମାତ୍ର ଏହି ଅର୍ଥ ବର୍ତ୍ତମାନ ପ୍ରାୟ ଅପ୍ରଚଳିତ । ଓଡ଼ିଆରେ 'ସନ୍ଦେଶ'ର ଅର୍ଥ ଏକପ୍ରକାର ମିଷ୍ଟାନ୍ନ । ଖୁବ୍ ସମ୍ଭବ ପୂର୍ବେ କୌଣସି ବ୍ୟକ୍ତିର ସମ୍ବାଦ ନେବାକୁ ହେଲେ ତାହା ନିକଟକୁ ମିଷ୍ଟାନ୍ନ ସହ ଲୋକ ପଠାଇବାର ବିଧି ପ୍ରଚଳିତ ଥିଲା । ସେହି ଉଦ୍ଦେଶ୍ୟରେ ବର୍ତ୍ତମାନର ସନ୍ଦେଶ ଭଳି ମିଷ୍ଟାନ୍ନ ସାଧାରଣତଃ ପଠାଯାଉଥିବା ଅନୁମାନ କରାଯାଏ, ତେଣୁ ଏହି ଶବ୍ଦ ବର୍ତ୍ତମାନ ମିଷ୍ଟାନ୍ନ ଅର୍ଥରେ ବ୍ୟବହୃତ ହୋଇଅଛି । ଏହାର ଅର୍ଥବିକୃତିର ଅନ୍ତରାଳରେ ଏକ ସାମାଜିକ ପ୍ରଥାର ଇଙ୍ଗିତ ସୁସ୍ପଷ୍ଟଭାବରେ ରହିଅଛି । ଏହିପରି 'ଅହିଅ' ଶବ୍ଦର ମୂଳ ଅର୍ଥ ଆୟୂଷ୍ମତୀ ଅର୍ଥାତ୍ 'ଦୀର୍ଘଜୀବୀ' । ଏହି ଶବ୍ଦଟିର ବର୍ତ୍ତମାନ ଅର୍ଥ 'ସଧବା ନାରୀ' । ଏହି ଶବ୍ଦର ଅର୍ଥବିକୃତି ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ସହମରଣପ୍ରଥା ପ୍ରବର୍ତ୍ତିତ ହେବା ପରେ କେବଳ ସଧବା ସ୍ତ୍ରୀଲୋକମାନଙ୍କର ଦୀର୍ଘଜୀବନର ସମ୍ଭାବନା ଥିବାରୁ ଆଶୀର୍ବାଦ ରୂପରେ ଏହି ଶବ୍ଦଟିର ବ୍ୟବହାର ହେଉଥିଲା । ସେହି ବ୍ୟବହାରରୁ କ୍ରମଶଃ ଏହା 'ସଧବା' ଅର୍ଥରେ ବ୍ୟବହୃତ ହେଉଅଛି । ଏଠାରେ ମଧ୍ୟ ଗୋଟିଏ ସାମାଜିକ ପ୍ରଥାର ସ୍ପଷ୍ଟ ଇଙ୍ଗିତ ଆମ୍ଭେମାନେ ପାଇଥାଉଁ । ଆମ୍ଭେମାନେ ଯେଉଁ 'ଲେଡିକେନି' ଶବ୍ଦ ମିଷ୍ଟାନ୍ନ ଅର୍ଥରେ ବ୍ୟବହାର କରୁଁ, ତାହାର ଅର୍ଥ ପଛରେ ମଧ୍ୟ ଗୋଟିଏ ଐତିହାସିକ ଘଟଣା ବିଦ୍ୟମାନ । ୧୮୬୧ ଖ୍ରୀଷ୍ଟାବ୍ଦରେ Lady Canning ଙ୍କର କଲିକତାଠାରେ ମୃତ୍ୟୁ ହେବାରୁ ସେହି ଘଟଣାକୁ ସ୍ମରଣ କରି କଲିକତାର ଜଣେ ମିଷ୍ଟାନ୍ନ ବିକ୍ରେତା ଗୋଟିଏ ନୂତନ ପ୍ରକାରର ମିଷ୍ଟାନ୍ନର ଏହି ନାମକରଣ କରିଥିଲା; ତେଣୁ ଏହା ଏହି ନାମରେ ଓ ଅର୍ଥରେ ବର୍ତ୍ତମାନ ସୁଦ୍ଧା ପ୍ରଚଳିତ ହେଉଅଛି । Lady Canning ଙ୍କର ମୂଳ ଅର୍ଥ ସହିତ ଏହାର ବର୍ତ୍ତମାନ ଆଉ କିଛି ସମ୍ପର୍କ ନାହିଁ । ସେହିପରି Ashraf Khan ବାଦସାହା ନୂତନ ପ୍ରକାରର ସ୍ୱର୍ଣ୍ଣମୁଦ୍ରା ପ୍ରଚଳିତ କରିଥିବାରୁ ତାଙ୍କ ନାମ ଅନୁସାରେ 'ଆଶରଫି' ଶବ୍ଦ ପ୍ରଚଳିତ ହୋଇଥିଲା । ଏହି ଶବ୍ଦ ଓଡ଼ିଆରେ 'ଅସର୍ପି' ବୋଲି ବ୍ୟବହୃତ । ଓଡ଼ିଆରେ ନଅଙ୍କ, ପାଁଶାଲା ପ୍ରଭୃତି ଶବ୍ଦର ଅର୍ଥ ସହିତ ମଧ୍ୟ ଏହିପରି ଐତିହାସିକ ଘଟଣାମାନଙ୍କର ସମ୍ପର୍କ ରହିଅଛି ଓ ଯାତ୍ରା, ସୁଆଙ୍ଗ ପ୍ରଭୃତି ଶବ୍ଦ ସହିତ ସାମାଜିକ ପ୍ରଥାର ସମ୍ବନ୍ଧ ରହିଅଛି ।

ଶବ୍ଦମାନଙ୍କର ଅର୍ଥକୁ ଅନୁଶୀଳନ କରିବାର ରୀତି ସଂସ୍କୃତରେ ମଧ୍ୟ ପ୍ରଚଳିତ ଥିଲା । ଶବ୍ଦମାନଙ୍କର ରୂଢ଼ି, ଯୌଗିକ ଅର୍ଥ ପ୍ରଭୃତିର ବିଚାର ସଂସ୍ମୃତ ବ୍ୟାକରଣର ଏକ ଅଙ୍ଗ ବୋଲି ସ୍ୱୀକୃତ । 'ପଙ୍କଜ' ଶବ୍ଦର ଅର୍ଥ ଯେ କାରଣରୁ କେବଳ ପଦ୍ମରେ ନିବଦ୍ଧ, ଓଡ଼ିଆ 'ପାନ୍ତୁଆ' ଶବ୍ଦର ଅର୍ଥ ମଧ୍ୟ ଅନୁରୂପ କାରଣରୁ କେବଳ ଗୋଟିଏ ପ୍ରକାର ମିଷ୍ଟାନ୍ନରେ ପର୍ଯ୍ୟବସିତ; କାରଣ ଏହାର ମୂଳ ଅର୍ଥ ଯାହା ରସରେ ଡୁବି କରେଇର ତଳଦେଶରେ ଥାଏ, [ହିନ୍ଦୀ ପାନି = ଚିନିର ରସ (ଲକ୍ଷଣା ଅର୍ଥରେ) ଓ ପାରସିକ ତବା (ଏଥିରୁ ତୁଆର ଉତ୍ପତ୍ତି) =ତଳ; ଅର୍ଥାତ୍ ଯାହା କରେଇର ତଳଦେଶ ରସରେ ଡୁବି ରହେ] ମାତ୍ର ଏହି ଶବ୍ଦଟି ବର୍ତ୍ତମାନ ଏକ ବଶେଷ ପ୍ରକାର ମିଷ୍ଟାନ୍ନକୁ ସୂଚିତ କରୁଅଛି । ମିଷ୍ଟାନ୍ନ, ପଲାଉ ପ୍ରଭୃତିରେ ମଧ୍ୟ ଏହିପରି ଅର୍ଥର ଦ୍ୟୋତନା ବିଶେଷଭାବରେ ପରିବର୍ତ୍ତିତ ହୋଇଅଛି ଓ ମାଂସବିହୀନ ପଲାଉ ବା ଅନ୍ନବିହୀନ ମିଷ୍ଟାନ୍ନ ବର୍ତ୍ତମାନ ସୁପ୍ରଚଳିତ । ଆମ୍ଭେମାନେ ସୀମା ନିର୍ଦ୍ଦେଶ କରିବା ସମୟରେ 'ପିଲପାହିଆ'ର ବ୍ୟବହାର କରୁଁ । ଏହାର ଅର୍ଥ 'କ୍ଷୁଦ୍ର ସ୍ତମ୍ଭ'; ମାତ୍ର ଏହାର ମୂଳ ଅର୍ଥ 'ହାତୀର ଗୋଡ଼' ଓ ଆରବ 'ପିଲ'ରୁ ପାରସିକ 'ପିଲ' (ଯଥା - ପିଲଖାନା = ଯହିଁରେ ହାତୀ ବନ୍ଧା ଯାଏ)ର ଉତ୍ପତ୍ତି ହୋଇଅଛି, ତହିଁରୁ ହିନ୍ଦୀ 'ପିଲ' ଶବ୍ଦ ଉତ୍ପନ୍ନ ହୋଇଅଛି ଓ ଏହି 'ପିଲ' ଶବ୍ଦ ସହିତ ଗୋଡ଼ର ଅର୍ଥସୂଚକ 'ପାହିଆ' ଶବ୍ଦ ସଂଯୁକ୍ତ ହୋଇ ଏହି ଶବ୍ଦଟି ଗଠିତ ହୋଇଅଛି । ମାତ୍ର କ୍ଷୁଦ୍ର ଗୋଲାକୃତି ସ୍ତମ୍ଭ ସହିତ ହାତୀର ଗୋଡ଼ର ସାଦୃଶ୍ୟ ଥିବାରୁ ଏହି ଶବ୍ଦଟି ଗଠିତ ହୋଇଥିଲେହେଁ, ବର୍ତ୍ତମାନ ଏହି ଶବ୍ଦଟି ଭିନ୍ନ ଅର୍ଥରେ ଭାଷାରେ ସ୍ୱୀକୃତ ଓ ସୀମାନିର୍ଦ୍ଦେଶକ ପ୍ରତ୍ୟେକ ସ୍ତମ୍ଭକୁ ସୂଚିତ କରିଥାଏ । ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ଅର୍ଥବିକୃତି ଆଲୋଚନା କରି ପଣ୍ତିତମାନେ ସ୍ଥିର କରିଅଛନ୍ତି ଯେ, ଅର୍ଥର ବିକୃତି ପାଞ୍ଚ ପ୍ରକାରରେ ହୋଇଥାଏ; ଯଥା:- ୧: ସଂପ୍ରସାରଣ, ୨: ସଂକୋଚନ, ୩: ଆଳଙ୍କାରିକ ପରିବର୍ତ୍ତନ, ୪: ଉନ୍ନୟନ ଓ ୫: ଅବନମନ । ଏହି ପ୍ରକ୍ରିୟାର ନାନାବିଧ କାରଣ ମଧ୍ୟ ଥାଏ । ପ୍ରାୟ ପ୍ରତ୍ୟେକ ଭାଷାରେ ଆମ୍ଭେମାନେ ଏହି ପାଞ୍ଚ ପ୍ରକାରର ଅର୍ଥବିକୃତିର ଉଦାହରଣ ପାଇଥାଉଁ । ଏସବୁ ପ୍ରକ୍ରିୟାର ପ୍ରତ୍ୟେକଟିର ବିଶଦ ଆଲୋଚନା କରିବା ଉଚିତ । ମାତ୍ର ଏସବୁ ଛଡ଼ା ଅନ୍ୟ କେତେଗୁଡ଼ିଏ ଅର୍ଥବିକୃତିକୁ କୌଣସି ବିଶେଷ ଶ୍ରେଣୀରେ ବିଭକ୍ତ କରିବା ସମ୍ଭବପର ହୁଏ ନାହିଁ । ଓଡ଼ିଆ 'ପ୍ରଶସ୍ତ' ଶବ୍ଦ ଯେଉଁ ଅର୍ଥରେ ବ୍ୟବହୃତ, ସଂସ୍କୃତରେ ସେ ଅର୍ଥ ଆଦୌ ନଥିଲା ଓ ଅର୍ଥଗତ ପରିବର୍ତ୍ତନର କାରଣ ମଧ୍ୟ ନିର୍ଦ୍ଦେଶ କରିବା ବର୍ତ୍ତମାନ ସମ୍ଭବ ନୁହେ । ଶବ୍ଦମାନଙ୍କର ଅର୍ଥଗତ ପରିବର୍ତ୍ତନର କେବଳ କାରଣଟିକୁ ନିର୍ଦ୍ଦେଶ କରିଦେଲେ ଯେ ଯଥେଷ୍ଟ ହେଲା, ତାହା ନୁହେ । ଏହାର କାଳ ମଧ୍ୟ ଭାଷାତତ୍ତ୍ୱବିଦ୍ ମାନେ ଆଲୋଚନା କରିଥାନ୍ତି ଅର୍ଥାତ୍ କେଉଁ ସମୟରେ କିପରିଭାବରେ ଅର୍ଥଗତ ବିକୃତି ସାଧିତ ହେଲା, ତାହାର ଇତିହାସ ମଧ୍ୟ ଜାଣିବା ପ୍ରୟୋଜନ । ଭାଷାତତ୍ତ୍ୱର ଅନୁଶୀଳନ କରିବାକୁ ହେଲେ ପ୍ରତ୍ୟେକ ଶବ୍ଦର ଅର୍ଥବିକୃତିର ସ୍ୱରୂପ, ଇତିହାସ ଓ କାଳକ୍ରମ ସ୍ଥିରଭାବରେ ଜାଣିବା ଦରକାର । ଏହା କରିବାକୁ ହେଲେ ଅଧ୍ୟବସାୟ ସହିତ ବହୁକାଳ ବହୁ ବ୍ୟକ୍ତିଙ୍କର ଏକାନ୍ତ ସାଧନା ଓ ଅକ୍ଳାନ୍ତ ଗବେଷଣା ସର୍ବଥା ଆବଶ୍ୟକ ।

୧| ଅର୍ଥ ସଂପ୍ରସାରଣ:- ପୂର୍ବେ ଗୋଟିଏ ଶବ୍ଦର ଅର୍ଥଦ୍ୱାରା ଯେଉଁ ପଦାର୍ଥମାନଙ୍କୁ ନିର୍ଦ୍ଦେଶ କରାଯାଉଥିଲା, ବର୍ତ୍ତମାନ ତାହାର ଅର୍ଥଦ୍ୱାରା ଅଧିକ ପଦାର୍ଥକୁ ନିର୍ଦ୍ଦେଶ କରାଯାଇ ପାରିଲେ ଅର୍ଥର ସଂପ୍ରସାରଣ ହୋଇଅଛି ବୋଲି ମଣିବାକୁ ହେବ । ପ୍ରତ୍ୟେକ ଶବ୍ଦର ଅର୍ଥଦ୍ୱାରା ବସ୍ତୁ ଓ ଗୁଣ ନିର୍ଦ୍ଦେଶିତ ହୋଇଥାଏ । ନିର୍ଦ୍ଦେଶିତ ଗୁଣର ସଂକୋଚଦ୍ୱାରା ନିର୍ଦ୍ଦେଶିତ ବସ୍ତୁର ସଂଖ୍ୟାର ଆଧିକ୍ୟ ନିର୍ଦ୍ଦେଶିତ ହେଲେ ଅର୍ଥର ସଂପ୍ରସାରଣ ହୋଇଅଛି ବୋଲି ମନେ କରିବାକୁ ହେବ ଓ ଗୁଣର ଆଧିକ୍ୟଦ୍ୱାରା ବସ୍ତୁର ସଂଖ୍ୟାର ହ୍ରାସ ସାଧିତ ହେଲେ ଅର୍ଥର ସଂକୋଚନ ହୋଇଅଛି ବୋଲି ମନେ କରିବାକୁ ହେବ । ଓଡ଼ିଆରେ ବ୍ୟବହୃତ ଅନେକ ଶବ୍ଦର ଅର୍ଥର ସଂପ୍ରସାରଣ ଘଟିଅଛି । 'ଖଦି' ଏହିପରି ଗୋଟିଏ ଶବ୍ଦ । ଏହାର ମୂଳ ହେଉଛି, ସଂସ୍କୃତ 'କ୍ଷୁଦ୍ର' ଶବ୍ଦ ଅର୍ଥାତ୍ ସାନ ଲୁଗାକୁ ପ୍ରଧାନତଃ ଖଦି ବୋଲାଯାଉଥିଲା । ମାତ୍ର ଏହି ଶବ୍ଦଟି ଗୁଜରାଟୀ ଭାଷାର ଖଦ୍ଦର ଶବ୍ଦ ସହିତ ସମ୍ପୃକ୍ତ ହୋଇ ଅସହଯୋଗ ଆନ୍ଦୋଳନ ସମୟରେ ଓଡ଼ିଆରେ ପ୍ରଯୁକ୍ତ ହୋଇଥିଲା । ସେତେବେଳେ ଏହା ହାତକଟା ସୂତାରେ ତିଆରି ବସ୍ତୁମାନଙ୍କୁ ସୂଚିତ କରିବା ନିମନ୍ତେ ବ୍ୟବହୃତ ହୋଇଥିବାରୁ ଏହାର ଅର୍ଥ ସଂପ୍ରସାରିତ ହୋଇ ବର୍ତ୍ତମାନ ଯେ କୌଣସି ହାତକଟା ସୂତାରେ ପ୍ରସ୍ତୁତ ଲୁଗାକୁ ସୂଚିତ କରୁଅଛି । ଏହିପରି ଓଡ଼ିଆରେ 'ଗଛ' ଶବ୍ଦର ଅର୍ଥ ସଂପ୍ରସାରିତ ହୋଇ ଏକ ଗଛ ଆତସବାଜି, 'ଗଛବାଣ' ପ୍ରଭୃତି ପ୍ରଯୁକ୍ତ ହେଉଅଛି । 'ଫୁଲ' ଶବ୍ଦର ଅର୍ଥ ମଧ୍ୟ କେବଳ 'କୁସୁମ'ରେ ଆବଦ୍ଧ ନ ଥାଇ 'ଗାଈର ଫୁଲ ପଡ଼ିବା', 'ବାହା ଫୁଲ ଫୁଟିବା', 'କାନଫୁଲ' ପ୍ରଭୃତି ପ୍ରୟୋଗରେ ସଂପ୍ରସାରିତ ହୋଇ ବ୍ୟବହୃତ ହେଉଅଛି । ସଂଖ୍ୟାବାଚକ 'ବାର' ଶବ୍ଦର 'ନାନା' ଅର୍ଥରେ ପ୍ରୟୋଗ ମଧ୍ୟ ଏହିପରି ସଂପ୍ରସାରଣର ଉଦାହରଣ; ଯଥା ବାରଦୁଆର, ବାର ଭାଇ, ବାର ହିନସ୍ତା । 'ସତରଫଳା'ରେ ସତର ଅପେକ୍ଷା ଅଧିକ ସଂଖ୍ୟାର ବ୍ୟବହାର ଥିବାରୁ ଓ 'ସତର ହଇରାଣ' ପ୍ରଭୃତିର ପ୍ରୟୋଗ ଥିବାରୁ ସତରର ଅର୍ଥ ମଧ୍ୟ ସଂପ୍ରସାରିତ ହୋଇଅଛି ବୋଲି ମନେ କରିବାକୁ ହେବ । ଆମ୍ଭେମାନେ 'ସମୟ' ଅର୍ଥରେ 'କାଳ'ର ବ୍ୟବହାର କରୁଁ; ତେଣୁ ସମୟ ଅନୁସାରେ ସବୁ ପଦାର୍ଥ ନଷ୍ଟ ହୋଇଯିବ; ଏହା ସ୍ମରଣ କରି 'କାଳ'କୁ ସଂହାରକର୍ତ୍ତା ବୋଲି ମନେ କରିଥାଉଁ, ତାହା ମଧ୍ୟ 'କାଳ'ର ଅର୍ଥଗତ ସଂପ୍ରସାରଣ ବୋଲି ମନେ କରିବାକୁ ହେବ । ସଂସ୍କୃତରେ 'ମୃଗ' ଶବ୍ଦ ଏହିପରି ଏକ ସମୟରେ ସଂପ୍ରସାରିତ ହୋଇ ସବୁପ୍ରକାର ପଶୁକୁ ସୂଚିତ କରୁଥିଲା । ଏହି ସଂପ୍ରସାରିତ ଅର୍ଥ ବର୍ତ୍ତମାନପର୍ଯ୍ୟନ୍ତ 'ମୃଗୟା' ଶବ୍ଦରେ ସ୍ପଷ୍ଟ ଦେଖାଯାଏ । କାରଣ ମୃଗୟା କେବଳ ମୃଗବଧରେ ଆବଦ୍ଧ ନୁହେ - ସବୁପ୍ରକାର ପଶୁ ଶିକାର ଏହାର ଅର୍ଥର ଅନ୍ତର୍ଗତ । ଯେତେବେଳେ ଆମ୍ଭେମାନେ କୌଣସି ଲୋକର ନାଆଁ ଗାଆଁ ନ ଜାଣିଥିବାର କହୁଁ, ତେତେବେଳେ ଗାଆଁ ଶବ୍ଦ ଦ୍ୱାରା ତାହାର ବାସସ୍ଥାନର ଇଙ୍ଗିତ ପ୍ରକାଶ କରିଥାଉଁ । ଏହା ମଧ୍ୟ ଗାଆଁର ସଂପ୍ରସାରିତ ଅର୍ଥ ମାତ୍ର ।

୨। ସଂକୋଚନ:- ଅନେକ ଶବ୍ଦ ପୁଣି ସଂକୀର୍ଣ୍ଣଭାବରେ ଭାଷାରେ ବ୍ୟବହୃତ ହୋଇଥାଏ । ପୂର୍ବେ ସେହି ସବୁ ଶବ୍ଦ ଦ୍ୱାରା ଯେତେଗୁଡ଼ିଏ ପଦାର୍ଥ ପ୍ରକାଶିତ ହେଉଥିଲା, ବର୍ତ୍ତମାନ ତାହା ଅପେକ୍ଷା ସଂକୀର୍ଣ୍ଣତର ଅର୍ଥ ପ୍ରକାଶିତ ହେଉଅଛି । ଓଡ଼ିଆରେ 'ନଡ଼ା' ଶବ୍ଦ ସଂସ୍କୃତ 'ନଳ' ଶବ୍ଦରୁ ଉତ୍ପନ୍ନ । ଏହାର ମୂଳ ଅର୍ଥ ଯେ କୌଣସି ପ୍ରକାର ଘାସ, କିନ୍ତୁ ବର୍ତ୍ତମାନ ଏହା କେବଳ ଧାନର ଶୁଖିଲା କାଣ୍ତ ଅର୍ଥରେ ଓଡ଼ିଆରେ ବ୍ୟବହୃତ । ଅର୍ଥାତ୍ ଯାହାର ଅର୍ଥ ସୁପ୍ରସାରିତ ଥିଲା, ତାହା ବର୍ତ୍ତମାନ ସଂକୀର୍ଣ୍ଣ ଭାବରେ ଭାଷାରେ ବ୍ୟବହୃତ ହେଉଅଛି । ଏହିପରି କୋଳଥ 'ପଣ୍ତା' ହୋଇଗଲା । ଏହି ପ୍ରୟୋଗରେ 'ପଣ୍ତା' ଶବ୍ଦର ବ୍ୟବହାରରେ ସଂକୀର୍ଣ୍ଣତା ଦେଖାଯାଉଅଛି । ମୂଳତଃ ଏହି ଶବ୍ଦ ସଂସ୍କୃତ 'ପଣ୍ତ' ଶବ୍ଦରୁ (ପଣ୍) ଉତ୍ପନ୍ନ ଓ ଏହାର ମୌଳିକ ଅର୍ଥ 'ନପୁଂସକ'; ମାତ୍ର ଏହା ଗୋଟିଏ ବିଶେଷ କ୍ଷେତ୍ରରେ ଫଳହୀନତା ସୂଚିତ କରିବାପାଇଁ ବ୍ୟବହୃତ ହେଉଅଛି । 'ମାନ୍ୟ' ସୂଚକ 'ସାହେବ' ଶବ୍ଦ ଏହିପରି କିଛିଦିନ ପୂର୍ବେ କେବଳ ଇଉରୋପୀୟ ପରିଚ୍ଛଦଧାରୀ ବିଦେଶୀ ବ୍ୟକ୍ତିମାନଙ୍କ ପ୍ରତି ପ୍ରଯୁକ୍ତ ହେଉଥିଲା; କାରଣ କେବଳ ସେହିମାନେ ଉଚ୍ଚ ରାଜପଦମାନଙ୍କରେ ଅଧିଷ୍ଠିତ ଥିବାରୁ ସେମାନଙ୍କୁ ସାଧାରଣତଃ 'ସାହେବ' ବୋଲାଯାଉଥିଲା । ମାତ୍ର ବର୍ତ୍ତମାନ ପୁଣି ଏ ଦେଶୀୟ ଲୋକମାନେ ଉଚ୍ଚପଦ ପାଇବାରୁ ଆମ୍ଭେମାନେ ଦାଶ ସାହେବ, ତ୍ରିପାଠୀ ସାହେବ ପ୍ରଭୃତି ଶବ୍ଦ ବ୍ୟବହାର କରୁଅଛୁଁ, ଅର୍ଥାତ୍ ଶବ୍ଦଟିର ଅର୍ଥ ସଂକୁଚିତ ହୋଇଥିଲା, ମାତ୍ର ବର୍ତ୍ତମାନ ପୁଣି ସଂପ୍ରସାରିତ ହେଉଅଛି । 'ବିଲାତ' ଶବ୍ଦର ଅର୍ଥ ଏହିପରି ଭାବରେ ପରିବର୍ତ୍ତିତ ହୋଇଅଛି । 'ବିଲାତ'ର ମୌଳିକ ଅର୍ଥ ବାଦଶାହଙ୍କର ନିଜ ଦେଶ । ବାଦଶାହ ବିଦେଶରୁ ଆସି ଭାରତରେ ଅଧିଷ୍ଠିତ ଥିବାରୁ 'ବିଲାତ'ର ଅର୍ଥ ଭାରତବାସୀମାନଙ୍କ ପକ୍ଷରେ ଥିଲା ବିଦେଶ । ବର୍ତ୍ତମାନ ଆମ୍ଭମାନଙ୍କର ରଜା ଇଂଲଣ୍ତୀୟ ଥିବାରୁ ବିଲାତର ବର୍ତ୍ତମାନ ଅର୍ଥ ସଂକୁଚିତ ହୋଇ କେବଳ ଇଂଲଣ୍ତକୁ ସୂଚିତ କରୁଅଛି । ଏଣୁ 'ସେ ବିଲାତ ଯାଇଛି' କହିଲେ ଆମ୍ଭେମାନେ ବୁଝୁଁ ଯେ, ସେ ଇଂଲଣ୍ତ ଯାଇଅଛି; କିନ୍ତୁ 'ବିଲାତି କୁକୁର', ବିଲାତି ଆଳୁ', 'ବିଲାତି ବାଇଗଣ' ପ୍ରଭୃତି ବ୍ୟବହାରରେ 'ବିଲାତ'ର 'ବିଦେଶୀ' ଅର୍ଥ ଅବ୍ୟାହତ ରହିଅଛି । ଓଡ଼ିଶାରେ କିଛିଦିନ ପୂର୍ବେ Mr. Das ବା ମଧୁବାବୁ କହିଲେ କେବଳ କୁଳବୃଦ୍ଧ ଶ୍ରୀ ମଧୁସୂଦନ ଦାସଙ୍କୁ ସୂଚିତ କରୁଥିଲା । ଏଣୁ ଏହି ଶବ୍ଦମାନଙ୍କର ଅର୍ଥ ସଂକୁଚିତ ହୋଇ ଲୋକମୁଖରେ ବ୍ୟବହୃତ ହେଉଥିଲା, କାରଣ ସେହି ସମୟରେ ଓଡ଼ିଶାରେ ଅନ୍ୟ ଅନେକ ମଧୁସୂଦନ ଦାସ ଥିଲେ ମଧ୍ୟ ସେହି ଶବ୍ଦ ଦ୍ୱାରା ଗୋଟିଏ ବିଶେଷ ଲୋକକୁ ସୂଚିତ କରାଯାଉଥିଲା । 'କ୍ଷୁର' ଓ 'ଛୁରି' ବାସ୍ତବରେ ଏକ ସଂସ୍କୃତ ମୂଳ ଶବ୍ଦରୁ ଉତ୍ପନ୍ନ । ମାତ୍ର କ୍ରମଶଃ ବ୍ୟବହାରକ୍ରମରେ ଏମାନଙ୍କର ଅର୍ଥଗତ ସଂକୋଚନ ସାଧିତ ହୋଇଅଛି; ବର୍ତ୍ତମାନ ଏ ଦୁଇଗୋଟି ଶବ୍ଦ ଦୁଇଗୋଟି ବିଭିନ୍ନ ବସ୍ତୁକୁ ନିର୍ଦ୍ଦେଶିତ କରୁଅଛି । ଏହିପରି ଏକ ଭାଷାରୁ ଦୁଇଗୋଟି ବିଭିନ୍ନ ପଦ କିମ୍ବା ଦୁଇଗୋଟି ଭିନ୍ନ ଭାଷାରୁ ଏକାର୍ଥକ ଦୁଇଗୋଟି ଶବ୍ଦ ପ୍ରଚଳିତ ହେଲେ କାଳକ୍ରମେ ସେମାନଙ୍କ ଅର୍ଥର ସଂକୋଚନ ସାଧିତ ହେବା ସ୍ୱାଭାବିକ । ଓଡ଼ିଆ 'ଛିଟ' ଶବ୍ଦ ସଂସ୍କୃତ 'ଚିତ୍ର' ଶବ୍ଦରୁ ଉତ୍ପନ୍ନ; ମାତ୍ର ଛିଟ କହିଲେ ବର୍ତ୍ତମାନ ଏକ ବିଶେଷ ପ୍ରକାରର ଚିତ୍ରିତ ଲୁଗା ବୁଝାଇଥାଏ । ଏଣୁ ଶବ୍ଦଟିର ଅର୍ଥ 'ଚିତ୍ର' ଶବ୍ଦ ଅପେକ୍ଷା ସଂକୀର୍ଣ୍ଣ । 'ମାର୍କିନ' ଶବ୍ଦ 'ଆମେରିକାନ୍'ର ଅପଭ୍ରଷ୍ଟ । କିନ୍ତୁ ଆମେରିକା ମହାଦେଶରୁ ବର୍ତ୍ତମାନ ଅନ୍ୟ ଯେ କୌଣସି ପଦାର୍ଥ ଆସୁନା କାହିଁକି, 'ମାର୍କିନ'ର ଅର୍ଥ ଏକ ବିଶେଷ ପ୍ରକାରର ଲୁଗା । ପାରସିକ 'ଗଞ୍ଜା' ଶବ୍ଦର ଅର୍ଥ 'ପୁଂ କୁକ୍କୁଟ' । ମାତ୍ର ଏହି ଅର୍ଥରେ 'ମୋରଗ' ଶବ୍ଦର ମଧ୍ୟ ପ୍ରଚଳନ ଥିବାରୁ କ୍ରମେ 'ଗଞ୍ଜା'ର ଅର୍ଥ ସଂକୁଚିତ ହୋଇ ବର୍ତ୍ତମାନ କେବଳ ଖାସୁ ହୋଇଥିବା କୁକ୍କୁଟକୁ ସୂଚିତ କରୁଅଛି । ଏହିପରି ସଂସ୍କୃତ 'ବସ୍ତା' ଶବ୍ଦର ଅର୍ଥ 'ଛାଗ', ମାତ୍ର ସେହି ଶବ୍ଦରୁ ଉତ୍ପନ୍ନ ଓଡ଼ିଆ 'ବୋଦା' ଶବ୍ଦ କେବଳ 'ପୁଂ ଛାଗ' ରୂପେ ସଂକୁଚିତ ଅର୍ଥରେ ବ୍ୟବହୃତ ହୋଇଥାଏ । ପୁଂ ଛାଗମାନଙ୍କୁ ବଳି ଦେବାର ପ୍ରଥା ପ୍ରଚଳିତ ଥିବାରୁ 'ବୋଦା ପଡ଼ିବା' ପ୍ରଭୃତିର ପ୍ରୟୋଗ ପ୍ରଚଳିତ ହୋଇଅଛି । (ବୋଦା ଶବ୍ଦ ସଂସ୍କୃତ 'ବଧ୍ୟ' ସହିତ ସମ୍ପୃକ୍ତ ବୋଲି କାହାରି କାହାରି ମତ) । ଓଡ଼ିଆରେ ଆମ୍ଭେମାନେ ଯେଉଁ 'ଚାକୁ' ଶବ୍ଦ ବ୍ୟବହାର କରୁଁ, ତାହା ତୁର୍କି ଭାଷାରୁ ଜାତ । ଏହାର ଅର୍ଥ ଯେ କୌଣସି ଛୁରି । ଓଡ଼ିଆରେ ଛୁରି, ଛୋରା ପ୍ରଭୃତି ଶବ୍ଦ ପ୍ରଚଳିତ ଥିବାରୁ ବର୍ତ୍ତମାନ ଚାକୁ 'କ୍ଷୁଦ୍ର ଛୁରି', ଏହି ସଂକୁଚିତ ଅର୍ଥରେ ବ୍ୟବହୃତ ହେଉଅଛି । 'ଅଘି' ଶବ୍ଦ 'ଅଗ୍ନିରୁ' ଜାତ, ମାତ୍ର ଏହା ବର୍ତ୍ତମାନ ଓଡ଼ିଆରେ ଏକ ବିଶେଷ ଅଗ୍ୟୁତ୍ସବ ଦିନ ପ୍ରତି ପ୍ରଯୁକ୍ତ ହୋଇଥାଏ । ଅନ୍ୟ ଅର୍ଥରେ ଏହାର ବ୍ୟବହାର ନାହିଁ । 'ଖୁରି' ଶବ୍ଦ ପାରସିକ 'ଖୋରାକ' ସହିତ ସମ୍ପୃକ୍ତ । ଏହାର ମୂଳ ଅର୍ଥ ଯେଉଁଥିରେ ଆହାର୍ଯ୍ୟ ଦିଆଯାଏ । ଏହାର ଅନ୍ତ୍ୟ 'ଇ' କାର କ୍ଷୁଦ୍ରତା ବ୍ୟଞ୍ଜକ (ତୁଳନୀୟ ଆବଖୋରା = ଯହିଁରେ ପାଣି ଖିଆଯାଏ) ମାତ୍ର ବର୍ତ୍ତମାନ ଏହି ଶବ୍ଦଟିର ଅର୍ଥ ସଂକୁଚିତ ହୋଇ ଏହା ଏକ ବିଶେଷ ପ୍ରକାରର ମୃଣ୍ମୟପାତ୍ର କ୍ଷେତ୍ରରେ ପ୍ରଯୁକ୍ତ ହେଉଅଛି । ପ୍ରାକୃତ 'ଖଡ଼' ଶବ୍ଦର ଅର୍ଥ 'କ୍ଷୁଦ୍ର ତୃଣ' । ଏହି ଶବ୍ଦଟି ବଙ୍ଗଳା ଭାଷାରେ ପ୍ରଚଳିତ ଥାଇ ଓଡ଼ିଆରେ ଲୁପ୍ତ ହୋଇ ଯାଇଅଛି, ମାତ୍ର ଖଡ଼ ଓ କାଠି (କ୍ଷୁଦ୍ର କାଠ) ର ସଂଯୋଗରେ ଉତ୍ପନ୍ନ 'ଖଡ଼ିକା' ଶବ୍ଦ ବର୍ତ୍ତମାନ କେବଳ ନଡ଼ିଆ ପତ୍ରରେ ଥିବା ଶକ୍ତ ଅଂଶ ମଝିଶିରା ପ୍ରତି ପ୍ରଯୁକ୍ତ ହେଉଅଛି । ଏହି ଅର୍ଥ ସଂକୋଚନ ଓଡ଼ିଶାରେ ନଡ଼ିଆ ପତ୍ର ପ୍ରଭୃତିର ବିଶେଷ ବ୍ୟବହାରର ପରିଣାମ । ହିନ୍ଦୀରେ 'ଫାଟକ' ଶବ୍ଦର ଅର୍ଥ ବହିର୍ଦ୍ୱାର । କୌଣସି ଲୋକକୁ ଜେଲ ଦେବା ସହିତ ଓ ଜେଲ ଗୃହର ଆକୃତି ସହିତ 'ବହିର୍ଦ୍ୱାର'ର ଅର୍ଥଗତ ସମ୍ପର୍କ ଥିବାରୁ 'ଫାଟକ' ଶବ୍ଦର ଅର୍ଥ ସଂକୁଚିତ ହୋଇ ବର୍ତ୍ତମାନ ଅନେକ କ୍ଷେତ୍ରରେ 'ଜେଲ' ଅର୍ଥରେ ବ୍ୟବହୃତ ହେଉଅଛି । ଦେୱାନିଫାଟକ ଶବ୍ଦରେ ଏହି ସଂକୋଚନ ସୁସ୍ପଷ୍ଟ । ଆଳଙ୍କାରିକ* ପରିବର୍ତ୍ତନ:- ଶବ୍ଦମାନଙ୍କର ଅର୍ଥଗତ ଆଳଙ୍କାରିକ ପରିବର୍ତ୍ତନର ଉଦାହରଣ ମଧ୍ୟ ଆମ୍ଭେମାନେ ଓଡ଼ିଆ ଭାଷାରେ ପାଇଥାଉଁ । ମାତ୍ର ଆଳଙ୍କାରିକ ପରିବର୍ତ୍ତନକୁ ଶ୍ରେଣୀବଦ୍ଧ କରିବା ବିଶେଷ କଷ୍ଟକର ବ୍ୟାପାର । ପ୍ରଧାନତଃ ରୂପକର ବ୍ୟବହାରଦ୍ୱାରା ଅର୍ଥର ବୈସାଦୃଶ୍ୟ ଘଟିଥାଏ । (ଏଠାରେ ରୂପକକୁ ସଂସ୍କୃତ ଅଳଙ୍କାରଶାସ୍ତ୍ରର ରୂପକ ବୋଲି ମନେ ନ କରି ଇଂରାଜୀ metaphor ଶବ୍ଦର ଅନୁବାଦ ବୋଲି ମନେ କରିବାକୁ ହେବ ।) ଓଡ଼ିଆରେ 'ମୁହଁ ଆମ୍ବିଳା' କରିବାର ପ୍ରୟୋଗ ଅଛି । ଏଠାରେ ଆମ୍ବିଳା ପଦାର୍ଥ ଖାଇଲେ ମୁଖର ଯେପରି ବିକୃତି ହୁଏ, ତାହାର ଅନୁରୂପ ମୁଖବିକୃତି ଓ ତହିଁରୁ ଅନୁମିତ ବିରକ୍ତି ସୂଚିତ ହେଉଅଛି । ଜୀବନଟା 'ପାଣିଫୋଟକା' କହିଲେ 'ଫୋଟକା' ଯେପରି କ୍ଷଣସ୍ଥାୟୀ, ଜୀବନ ସେହିପରି କ୍ଷଣସ୍ଥାୟୀ, ଏହି ଲକ୍ଷଣା ଅର୍ଥ ରୂପକ ଦ୍ୱାରା ସୂଚିତ ହେଉଅଛି । 'ମୁଁ କାମ କରି କରି ନାକେଦମ୍ ହେଲିଣି' କହିଲେ ଏହିପରି ଅତ୍ୟନ୍ତ କ୍ଳାନ୍ତ ହେଲିଣି (କ୍ଳାନ୍ତ ହେଲେ ଯେପରି ନାକବାଟେ ଜୋର୍‌ରେ ନିଶ୍ୱାସ ବା ଦମ୍ ଯାଏ) ଏହି ଅର୍ଥ ସୂଚିତ ହୋଇଥାଏ । 'ତାର ଅଣଞ୍ଚାସ ବୋହିଲାଣି କହିଲେ ତାହାର ମୃତ୍ୟୁର ଆଉ ଅଳ୍ପ ବିଳମ୍ବ ଅଛି, ଏହି ଅର୍ଥ ସୂଚିତ ହୁଏ । ଏସବୁ ମଧ୍ୟ ରୂପକଗତ ଅର୍ଥବିପର୍ଯ୍ୟୟର ଉଦାହରଣ । ଏହିପରି 'ବୁଝିବାକୁ ଖମ୍ବ ଆଳୁ'ର ପ୍ରୟୋଗରେ ରୂପକ ସୁସ୍ପଷ୍ଟ । 'ଓଲୁ' ଶବ୍ଦ ମୂଳତଃ ସଂସ୍କୃତ 'ଉଲ୍ଲୂକ' (ପେଚା), ହିନ୍ଦୀ ଉଲ୍ଲୁ (କାଳିଆ ପେଚା) ଶବ୍ଦରୁ ଉତ୍ପନ୍ନ । ପେଚକର ମୁଖଶ୍ରୀରେ ବୁଦ୍ଧିହୀନତା ସୁସ୍ପଷ୍ଟ ଥିବାରୁ ରୂପକଦ୍ୱାରା ଏହି ଶବ୍ଦର ଅର୍ଥବିକୃତି ଘଟିଅଛି । ଓଡ଼ିଆ 'କାଙ୍ଗାଳି' ଶବ୍ଦ ମଧ୍ୟ ଏହିପରି ସଂସ୍କୃତ 'କଙ୍ଗାଳ' ଶବ୍ଦର ଅର୍ଥବିକୃତି ଦେଖାଯାଉଅଛି । କାରଣ ଯେଉଁମାନଙ୍କର ଖାଦ୍ୟ ଅଭାବରୁ କଙ୍କାଳମାତ୍ର ଅବଶିଷ୍ଟ ଥାଏ ଓ ଯେଉଁମାନେ ଏପରି ଅଭାବବଶତଃ ମାଗି ଯାଚି ବୁଲନ୍ତି, ସେହିମାନଙ୍କୁ ହିନ୍ଦୀରେ କଙ୍ଗାଳ ଓ ତହିଁରୁ ଉତ୍ପନ୍ନ ଓଡ଼ିଆ 'କାଙ୍ଗାଳି' ଶବ୍ଦରେ ସୂଚିତ କରାଯାଏ ।

ଅର୍ଥର ଆଳଙ୍କାରିକ ପରିବର୍ତ୍ତନ ମଧ୍ୟରେ ରୂପକଗତ ପରିବର୍ତ୍ତନହିଁ ପ୍ରଧାନ, ମାତ୍ର ଅନ୍ୟାନ୍ୟ କେତେକ ପରିବର୍ତ୍ତନର ମଧ୍ୟ ଉଦାହରଣ ଦିଆଯାଇ ପାରେ । ଝାଡ଼ା ଫେରିବା ସହିତ ପୋଖରୀ ବା ମଇଦାନ (ପଡ଼ିଆର ବିଶେଷ ସମ୍ବନ୍ଧ ଥିବାରୁ 'ପୋଖରୀ' ଝାଡ଼ା ଅର୍ଥରେ ବ୍ୟବହୃତ ହୋଇଥାଏ ଓ 'ମଇଦାନ' ମଧ୍ୟ ଏହି ଅର୍ଥରେ ବ୍ୟବହୃତ ହୁଏ । ଏହିପରି ବଜାରରେ କିଣାବିକା ହୁଏ ବୋଲି 'ବଜାରକୁ

‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌----

*ଏଠାରେ ଓ ପରବର୍ତ୍ତୀ ପୃଷ୍ଠାମାନଙ୍କରେ ଅଳଙ୍କାର ଶବ୍ଦ Greek ଅଳଙ୍କାରଶାସ୍ତ୍ରର ଅନୁରୂପରେ ବ୍ୟବହୃତ ହୋଇଅଛି । ଯାଇଛି' ପଦମାନ କୌଣସି ଦ୍ରବ୍ୟକ୍ରୟ କରିବାକୁ (ବା ବିକ୍ରୟ କରିବାକୁ) ଯାଇଛି ବୋଲି ସୂଚାଇଥାଏ । ପୂର୍ବକାଳରେ ବଡ଼ ବଡ଼ ରାସ୍ତାମାନଙ୍କର ଚତୁଷ୍କୋଣାକୃତି ସଂଯୋଗ ସ୍ଥଳରେ ପୁଲିସ ଥାନା ପ୍ରଭୃତି ସ୍ଥାପିତ ହୋଇଥିବାରୁ ବର୍ତ୍ତମାନ 'ଚଉକି'ର ଏକ ଅର୍ଥ ଥାନା ଓ ଅନ୍ୟ ଅର୍ଥ ଥାନାରେ ଥିବା ପୁଲିସଙ୍କ ଜଗୁଆଳି କାମ । ଯଥା:- ସେ ଚଉକି ଦେବାକୁ ଯାଇଛି । 'ଚତ୍ୱର' ନିକଟରେ ସାଧାରଣତଃ ତୁଳସୀମଞ୍ଚ ଥିବାରୁ ତୁଳସୀମଞ୍ଚକୁ 'ଚଉରା' ବୋଲାଯାଇଥାଏ । ଅର୍ଥାତ୍ ଚତ୍ୱର ଓ ମଞ୍ଚର ସ୍ଥାନ ଗତ ନୈକଟ୍ୟ ହେତୁରୁ ଅର୍ଥ ମଧ୍ୟ ଆଳଙ୍କାରିକ ରୀତିରେ ପରିବର୍ତ୍ତିତ ହୋଇଅଛି । କଟକରେ 'ଗଙ୍ଗାମନ୍ଦିର' କହିଲେ ବର୍ତ୍ତମାନ ଗୋଟିଏ ବୃହତ୍ ପୋଖରୀକୁ ସୂଚାଉଅଛି । ତାହାର କାରଣ, ସେହି ପୋଖରୀ ସନ୍ନିକଟରେ ଗଙ୍ଗାଙ୍କ ନାମରେ ଗୋଟିଏ ବୃହତ୍ ମନ୍ଦିର ଥିଲା, କାଳକ୍ରମେ ମନ୍ଦିରଟି ନଷ୍ଟ ହୋଇଯିବାରୁ ତତ୍‌ସନ୍ନିକଟସ୍ଥ ପୁଷ୍କରିଣୀକୁ ବର୍ତ୍ତମାନ ସ୍ଥାନଗତ ସାନ୍ନିଧ୍ୟ ହେତୁରୁ 'ଗଙ୍ଗାମନ୍ଦିର' ଆଖ୍ୟା ଦିଆଯାଇଅଛି । 'ଗଙ୍ଗାମନ୍ଦିର' ଶବ୍ଦ ଦ୍ୱାରା କଟକର ସମସ୍ତେ ଏହି ପୋଖରୀଟିକୁ ଚିହ୍ନିତ କରିଥାନ୍ତି । ଏହା ମଧ୍ୟ ସାନ୍ନିଧ୍ୟ ହେତୁରୁ ଅର୍ଥର ଆଳଙ୍କାରିକ (metonymy) ପରିବର୍ତ୍ତନର ଉଦାହରଣ ।

ପୁଣି ଅଂଶବିଶେଷର ଉଲ୍ଲେଖଦ୍ୱାରା ସମଗ୍ର ଅର୍ଥ ବା ସମଗ୍ରସୂଚକ ପଦର ବ୍ୟବହାରଦ୍ୱାରା କେବଳ ଅଂଶବିଶେଷକୁ ମଧ୍ୟ ଲକ୍ଷିତ କରାଯାଇ ପାରେ । ଏହି ଅର୍ଥଗତ ପରିବର୍ତ୍ତନ ମଧ୍ୟ ଆଳଙ୍କାରିକ (Synecdoche) ପରିବର୍ତ୍ତନ ବୋଲି ପରିଗଣିତ ହୋଇଥାଏ । 'ଚଉକି' କହିଲେ ଚାରୋଟି ଗୋଡ଼ବିଶିଷ୍ଟ କାଷ୍ଠାସନ ଅର୍ଥ ସୂଚିତ ହୁଏ । ମାତ୍ର ସେହି ଶବ୍ଦ ଦ୍ୱାରା କେବଳ ଆସନର ଗୋଡ଼କୁ ଲକ୍ଷ୍ୟ କରାଯା ଉଥିଲେହେଁ ଏହାର ଅର୍ଥ ସମଗ୍ର ଆସନ । ଏହିପରି 'ଜଳଖିଆ' ଶବ୍ଦଦ୍ୱାରା ପାନ ଭୋଜନର ସମସ୍ତ ଆନୁଷଙ୍ଗିକ ପଦାର୍ଥକୁ ସୂଚିତ କରାଯାଏ, ମାତ୍ର କେବଳ ସେ ସମସ୍ତର ଏକ ଅଙ୍ଗ 'ଜଳ'କୁ ଅବଲମ୍ବନ କରି ଶବ୍ଦଟି ଗଠିତ । 'ପାନ ଖର୍ଚ୍ଚ' 'ଖଜାଖିଆ' 'ଦନ୍ତା' ମଧ୍ୟ ଏହିପରି ଅଂଶବିଶେଷକୁ ଲକ୍ଷ୍ୟ କରି ଗଠିତ ଓ ପୁରୁଷ ମାଙ୍କଡ଼ର ହାତୀ ପରି ଦାନ୍ତ ନ ଥିଲେ ମଧ୍ୟ ସେ 'ଦନ୍ତା' ବୋଲି ପରିଚିତ । ଏହିପରି 'ପାଳ'ର ଅର୍ଥ 'ସମଗ୍ର ନଡ଼ାଗଦା' । ମାତ୍ର କ୍ରମଶଃ ଏହା ନଡ଼ାର ଏକ ବିଶେଷ ଅଂଶ ସୂଚିତ କରିବା ନିମନ୍ତେ ବ୍ୟବହୃତ ହୋଇ ଆସିଅଛି । ଏହିପରି 'ପଳଖା' ଶବ୍ଦ 'ପଲାଳ'ରୁ ଉତ୍ପନ୍ନ ଓ ଏହାର ମୂଳ ଅର୍ଥ 'ସବୁ ପ୍ରକାର ଶୀଘ୍ର ବିନାଶଶୀଳ କୋମଳ ଅଂଶ' । ମାତ୍ର ଏହା ବର୍ତ୍ତମାନ କେବଳ ବଡ଼ ବଡ଼ କାଠର ବାହାରର ଆବରକ ଅଂଶବିଶେଷ ପ୍ରତି ପ୍ରଯୁକ୍ତ । ଏହାର ଅନ୍ୟ ସବୁ ଅର୍ଥ ଲୁପ୍ତ ହୋଇ ଯାଇଅଛି । ଏପରି ପରିବର୍ତ୍ତନ ବାସ୍ତବିକ ଅର୍ଥର ସଂକୋଚନ ନୁହେଁ, ଏହା ଅର୍ଥର ଆଳଙ୍କାରିକ ବିକାର ।

ଅର୍ଥର ଉନ୍ନୟନ ଓ ଅବନମନ :- ଶବ୍ଦର ଓ ଅର୍ଥର ଅନେକ ସମୟରେ ଉନ୍ନୟନ ଓ ଅବନମନ ହୋଇଥାଏ, ଅର୍ଥାତ୍ ପୂର୍ବରେ ଯାହା ମନ୍ଦ ଅର୍ଥରେ ବ୍ୟବହୃତ ହେଉଥିଲା, ତାହା ଭଲ ଅର୍ଥରେ ଅଥବା ପୂର୍ବରେ ଯାହା ଭଲ ଅର୍ଥରେ ବ୍ୟବହୃତ ହେଉଥିଲା, ତାହା କ୍ରମଶଃ ମନ୍ଦ ଅର୍ଥରେ ବ୍ୟବହୃତ ହୋଇପାରେ । ଏହି ପ୍ରକାର ଅର୍ଥଗତ ବିକୃତିର ଉଦାହରଣ ଭାଷାରେ ସଚରାଚର ଦେଖାଯାଏ । ଆରବ ଭାଷାରେ ଫାଜିଲ ଶବ୍ଦର ଅର୍ଥ 'ବିଦ୍ୱାନ୍' । ଏହି ଶବ୍ଦଟି ମୂଳ ଆର୍ଯ୍ୟ ଧାତୁ 'ଭା' ସହିତ ସମ୍ପୃକ୍ତ ବୋଲି କାହାରି କାହାରି ମତ । ମାତ୍ର ବର୍ତ୍ତମାନ 'ଫାଜିଲ ଶବ୍ଦ ମନ୍ଦ ଅର୍ଥରେ ବ୍ୟବହୃତ ହେଉଅଛି । ଏହିପରି 'ଫିକରବାଜ' (ବୁଦ୍ଧିଯୁକ୍ତ, କୌଶଳୀ) ଶବ୍ଦରୁ ଉତ୍ପନ୍ନ 'ଫକଡ଼୍' ଶବ୍ଦ ହିନ୍ଦୀ ଶବ୍ଦର ଅର୍ଥର ଅନୁକୃତିରେ ମନ୍ଦ ଅର୍ଥରେ ବ୍ୟବହୃତ ହେଉଅଛି । ପାରସିକ ଭାଷାର 'ଜାହାନବାଜ' ଶବ୍ଦର ଅର୍ଥ ମଧ୍ୟ ଏହିପରି ଭାବରେ ବିକୃତ ହୋଇଅଛି ଓ ପୂର୍ବରେ ଯାହା ଉତ୍କଷ୍ଟ ଅର୍ଥରେ ବ୍ୟବହୃତ ହେଉଥିଲା, ତାହା ବର୍ତ୍ତମାନ 'ଠକ, ପ୍ରତାରକ' ଅର୍ଥରେ ବ୍ୟବହୃତ ହେଉଅଛି । ସଂସ୍କୃତ ପଲ୍ଲ ଶବ୍ଦର ଅର୍ଥ 'ବୃହତ୍ ଗୃହ', ମାତ୍ର ଏହି ଶବ୍ଦରୁ ଓଡ଼ିଆ 'ପଲା' ଶବ୍ଦ ଜାତ ହୋଇଥିଲେହେଁ ବର୍ତ୍ତମାନ ଏହାର ଅର୍ଥ କ୍ଷୁଦ୍ର କୁଟୀର' ଓ କ୍ଷୁଦ୍ର କୁଟୀରର ଅର୍ଥକୁ ଅନୁସରଣ କରି ବର୍ତ୍ତମାନ ଏହାକୁ ପଲଳ (ତୃଣ) ଶବ୍ଦରୁ ନିଷ୍ପନ୍ନ କରିବାର ଚେଷ୍ଟା କରାଯାଉଅଛି । ଅଟ୍ଟ (ବୃହତ୍ ଗୃହ: ଯଥା- ଅଟ୍ଟାଳିକା) ଶବ୍ଦରୁ ଉତ୍ପନ୍ନ 'ଅଡ଼ା' ଶବ୍ଦର ଅର୍ଥ ମଧ୍ୟ ଏହିପରି ଭାବରେ ବିକୃତ ହୋଇଅଛି । 'ଅଡ଼ା' ଶବ୍ଦ ଏହି 'ଅଟ୍ଟ' ଶବ୍ଦରୁ ଜାତ ହୋଇଥିଲେହେଁ ଏହାକୁ 'ଅର୍ଗଳ' ଶବ୍ଦ ସହିତ ସମ୍ପୃକ୍ତ କରିବାର ପ୍ରୟାସ ହେଉଅଛି । ଆମ୍ଭେମାନେ 'ଅମଣିଷ' କହିଲେ ଖରାପ ମଣିଷ ବୁଝୁଁ । କିନ୍ତୁ 'ଅମାନୁଷୀ' ଦୟା କହିଲେ ଅତ୍ୟୁତ୍ତମ ବା ମନୁଷ୍ୟ ପକ୍ଷରେ ଅସମ୍ଭବ ଦୟା ଅର୍ଥ ଗ୍ରହଣ କରିଥାଉଁ । ଅର୍ଥାତ୍ ଏଠାରେ ଅବିକୃତ ସଂସ୍କୃତ ଶବ୍ଦ ସହିତ ଉଚ୍ଚତର ଅର୍ଥଟି ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୃକ୍ତ ଥିଲେହେଁ ତହିଁରୁ ବିକୃତ ଓଡ଼ିଆ ପ୍ରୟୋଗ ସହିତ ମନ୍ଦ ଅର୍ଥ ଯୁକ୍ତ ହୋଇଅଛି । 'ଛକଡ଼' ଗାଡ଼ି ଶକଟରୁ ଉତ୍ପନ୍ନ ହେଲେହେଁ ବର୍ତ୍ତମାନ ଏହାର ଅର୍ଥ ନିତାନ୍ତ ଜୀର୍ଣ୍ଣ ଓ ଭଗ୍ନ ଯାନ ବିଶେଷ । ଏହିପରି 'ଇତର' ଶବ୍ଦର ଅର୍ଥ ମଧ୍ୟ ପରିବର୍ତ୍ତିତ ହୋଇଅଛି । ଏହା ସଂସ୍କୃତରେ 'ଅନ୍ୟ' ବା 'ଅପର' ଅର୍ଥରେ ବ୍ୟହହୃତ ହେଉଥିଲା । କିନ୍ତୁ ଓଡ଼ିଆରେ ବର୍ତ୍ତମାନ ଖରାପ ବା ନୀଚ ଅର୍ଥରେ ବ୍ୟବହୃତ ହେଉଅଛି । 'ନାଗର', 'ନଟବର' ପ୍ରଭୃତି ଶବ୍ଦରେ ମଧ୍ୟ ଏହିପରି ଅର୍ଥର ବିକାର ସାଧିତ ହୋଇଅଛି । ଆମ୍ଭେମାନେ ୮୪

ସରଳ ଭାଷାତ‌ତ୍ତ୍ୱ

ଅନ୍ୟ ଦିଗରେ ଅନେକ ଶବ୍ଦରେ ଅର୍ଥର ଉନ୍ନୟନ ମଧ୍ୟ ଦେଖିଥାଉଁ । ଏଥିର ପ୍ରକୃଷ୍ଟ ଉଦାହରଣ ଓଡ଼ିଆ ଷଣ୍ତା । ଏହି ଶବ୍ଦଟି ପୂର୍ବେ ଗାଳିରୂପେ ବ୍ୟବହୃତ ହେଉଥିଲା ଓ ଏହାର ମୂଳ ଅର୍ଥ ସପୁଂସକ । ଏହି ଅର୍ଥ ସଂସ୍କୃତରେ ମଧ୍ୟ ପ୍ରଚଳିତ, ମାତ୍ର କାଳକ୍ରମେ ଷଣ୍ଢର ଅର୍ଥ କେବଳ ଅଣ୍ତିରା ଗୋରୁ ଅର୍ଥରେ ପ୍ରଚଳିତ ହେବାରୁ ଏହା ବର୍ତ୍ତମାନ ଆଉ ତେତେ ନୀଚତାବାଚକ ଶବ୍ଦରୂପେ ପରିଗଣିତ ନ ହୋଇ ବୃହଦାକାର ଓ ହୃଷ୍ଟପୁଷ୍ଟ ଅର୍ଥ ସୂଚିତ କରୁଅଛି । ବର୍ତ୍ତମାନ ଓଡ଼ିଆରେ ବ୍ୟବହୃତ 'ଇତିକଥା' ଶବ୍ଦରେ ମଧ୍ୟ ଏହିପରି ଅର୍ଥର ଉନ୍ନତି ସାଧିତ ହୋଇଅଛି, କାରଣ ସଂସ୍କୃତରେ ଏହାର ଅର୍ଥ 'ଅଳୀକ କଥା' ବା ମିଥ୍ୟା କଥା, କିନ୍ତୁ ବର୍ତ୍ତମାନ ଓଡ଼ିଆରେ ଏହା 'ଇତିହାସ' ଓ ସତ୍ୟବର୍ଣ୍ଣନା' ଅର୍ଥରେ ବ୍ୟବହୃତ । ସଂସ୍କୃତରେ 'ଭୋଗ' ଓ 'ବେଦନା' ଶବ୍ଦର ଭଲ ଓ ମନ୍ଦ ଉଭୟ ଅର୍ଥ ପ୍ରଚଳିତ; ଓଡ଼ିଆରେ ମଧ୍ୟ ଉଭୟବିଧ ଅର୍ଥ ପ୍ରୟୋଗ ଥିଲେହେଁ ଅନେକ ସମୟରେ ମନ୍ଦ ଅର୍ଥଟି ଅଧିକ ପ୍ରଯୁକ୍ତ ଓ ବ୍ୟବହୃତ ।

ଶବ୍ଦମାନଙ୍କର ଏପରି ଅର୍ଥଗତ ପରିବର୍ତ୍ତନ ଭାଷାରେ ଅତି ସାଧାରଣ ପଦାର୍ଥ । ଭାଷାକୁ ଏ ଦିଗରୁ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ନାନାପ୍ରକାର ପରିବର୍ତ୍ତନ ଯୋଗୁଁ ଭାଷା ନାନା ଭାବରେ ସମୃଦ୍ଧ ହୋଇଅଛି । ଅନେକ ସମୟରେ ଶବ୍ଦଗୁଡିକ ଏପରି ଭାବରେ ବିକୃତ ହୋଇ ଯାଇଥାଏ ଯେ, ମୂଳ ଅର୍ଥ ଖୋଜି ପାଇବା ଏକ ଦୁରୂହ ବ୍ୟାପାର ହୁଏ । "ଆଣ୍ଠୁକୁଡ଼ା' ଏହାର ପ୍ରକୃଷ୍ଟ ଉଦାହରଣ । ଏ ଶବ୍ଦଟି ଦେଖିଲେ ଏହା ଓଡ଼ିଆ ଆଣ୍ଠୁ ସହିତ ସମ୍ପୃକ୍ତ ବୋଲି ଭ୍ରମ ଜାତ ହେବା ସ୍ୱାଭାବିକ । ମାତ୍ର ବାସ୍ତବରେ ଏହା ଏ ଶବ୍ଦ ସହିତ ସମ୍ପୃକ୍ତ ନୁହେ । ପିଲାପିଲି ଅଭାବରୁ ଆଣ୍ଠୁ କୁଣ୍ଢାଇ ବସିବା ସହିତ ଏ ଶବ୍ଦର କୌଣସି ନିକଟ ସମ୍ବନ୍ଧ ନାହିଁ । ବାସ୍ତବରେ ଏ ଶବ୍ଦଟି ସଂସ୍କୃତ ଆତ୍ତ କୁଳରୁ ଗୃହୀତ (କାଳଦ୍ୱାରା ଗୃହୀତ ବା ନଷ୍ଟ ହୋଇଅଛି କୁଳ ବା ବଂଶ ଯାହାର) । ଏହି ଅର୍ଥଟି ସଙ୍ଗତ, ମାତ୍ର ଶବ୍ଦର ରୂପ ଏପରିଭାବରେ ପରିବର୍ତ୍ତିତ ହୋଇଅଛି ଯେ, ବର୍ତ୍ତମାନ ଏହାର ଅର୍ଥ ଓ ଉତ୍ପତ୍ତି ବିଷୟରେ ନାନା ସନ୍ଦେହ ଜାତ ହେବା ସ୍ୱାଭାବିକ । 'ଶିଶା' ଶବ୍ଦର ରୂପ ଓ ଅର୍ଥରେ ଏହିପରି ବିଶୃଙ୍ଖଳା ଦୃଷ୍ଟ ହୋଇଥାଏ । ସଂସ୍କୃତରେ 'ସୀସକ' ଶବ୍ଦ ପ୍ରଚଳିତ ଓ ଏହି ଶବ୍ଦରୁ ଓଡ଼ିଆ ଶିଶା ଶବ୍ଦ ଉତ୍ପନ୍ନ; ମାତ୍ର ଅନ୍ୟ ଦିଗରେ ପାରସିକ ଭାଷାରେ ଶୀଶ୍ ଶବ୍ଦର ଅର୍ଥ କାଚ ଓ ଏହି ଶବ୍ଦରୁ ଓଡ଼ିଆ 'ଶିଶି' ଶବ୍ଦ ବ୍ୟବ ହୃତ । ଏହି କାରଣରୁ ଓ ସୀସକ ଶବ୍ଦ ବର୍ତ୍ତମାନ 'ଶିଶା'ରେ ପରିଣତ ହୋଇଥିବାରୁ ଆମ୍ଭେମାନେ 'ଶିଶି'ର ମୂଳ ଅର୍ଥ ବିଷୟରେ ସନ୍ଦିହାନ ହୋଇଥାଉଁ । 'ନିଟ୍' (net) ଶବ୍ଦ ଏହିପରି ସଂସ୍କୃତ 'ନିଷ୍ଠା' ସହିତ ସମ୍ପୃକ୍ତ । ୮୫

ସରଳ ଭାଷାତ‌ତ୍ତ୍ୱ

ଓଡ଼ିଆରେ 'ନିଷ୍ଠା ଦାମ କେତେ?' ଏଭଳି ବ୍ୟବହାର ମଧ୍ୟ ଅପ୍ରଚଳିତ ନୁହେଁ । ମାତ୍ର 'ନିଟ୍' ଶବ୍ଦ ପୁଣି ଏକ ଦିଗରେ ଇଂରାଜୀ net (net price) ଓ ଅନ୍ୟ ଦିଗରେ neat ଶବ୍ଦ ସହିତ ସମ୍ପୃକ୍ତ ଥିବାରୁ ଏହାର ଅର୍ଥ ବିଷୟରେ ଗୋଳମାଳ ଜାତ ହେବା ସ୍ୱାଭାବିକ । 'ବାବୁରି' ଏପରି ବିଶୃଙ୍ଖଳାର ଆଉ ଏକ ଉଦାହରଣ । ଏହି ଶବ୍ଦଟି ଏକ ଦିଗରେ ଆରବ 'ବବ୍ବର' (ସିଂହ) ଅନ୍ୟ ଦିଗରେ ସଂସ୍କୃତ 'ବର୍ବର' ସହିତ ସମ୍ପୃକ୍ତ ବୋଲି ଧାରଣା କରାଯାଇ ପାରେ । ମାତ୍ର 'ବାବୁ' ଶବ୍ଦ ସହିତ ଏହାର ଧ୍ୱନିଗତ ସାମଞ୍ଜସ୍ୟ ଘଟିଥିବାରୁ ଲୋକେ ଏହାର ଅର୍ଥକୁ ବୁଝି ନ ପାରି ଏହା ବାବୁମାନଙ୍କ ରୀତିର ଅଙ୍ଗସ୍ୱରୂପ ବୋଲି ମନେ କରିଥିଲେ ଏବଂ 'ବାବୁରି'ବାଳ ରଖିବା ଏକ ସମୟରେ ବହୁ ପ୍ରଚଳିତ ଓ ବାବୁତ୍ତ୍ୱସୂଚକ ରୀତି ହୋଇଥିଲା । ପୁଣି ବର୍ତ୍ତମାନ ଯେଉଁ ଶବ୍ଦମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ଥିବା ଆମ୍ଭେମାନେ ଅନୁଭବ କରୁ ନାହିଁ, ସେମାନଙ୍କ ମଧ୍ୟରେ ମଧ୍ୟ ଅର୍ଥଗତ ସମ୍ବନ୍ଧ ଥାଇ ପାରେ । ଚିତଳ ଓ ଫଳି ଦୁଇଟି ଶବ୍ଦ ଓଡ଼ିଆରେ ପ୍ରଚଳିତ । ଦୁଇଟିଯାକ ଶବ୍ଦ ମାଛର ନାମ ହେଲେହେଁ ଏମାନଙ୍କ ମଧ୍ୟରେ ଯେ କିଛି ସାଦୃଶ୍ୟ ଅଛି ତାହା କହି ହେବ ନାହିଁ । କିନ୍ତୁ ବାସ୍ତବରେ 'ଫଳି' ମାଛର ନାମ ସଂସ୍କୃତ 'ଫଳି' ଶବ୍ଦରୁ ଗୃହୀତ ଓ 'ଚିତଳ' ଶବ୍ଦ ସଂସ୍କୃତ 'ଚିତ୍ରଫଳି' ଶବ୍ଦରୁ ଉତ୍ପନ୍ନ । 'ଚିତ୍ରଫଳି'ର ଅର୍ଥ ବୃହତ୍ ଫଳି । ଚିତଳ ଓ ଫଳିମାଛର ଆକୃତିଗତ ସାଦୃଶ୍ୟରୁ ଏହି ଦୁଇଗୋଟି ଶବ୍ଦ ଭାଷାରେ ପ୍ରଚଳିତ । ଅନେକ ସମୟରେ ଶବ୍ଦର ଅର୍ଥରେ ପୂର୍ବ ଇତିହାସର ଇଙ୍ଗିତ ଥାଏ । ଏପରି ଇତିହାସ ଆମ୍ଭେମାନେ 'ଥାନ'ରେ ପାଇ ଥାଉଁ । ଥାନଲୁଗାରେ ଧଡ଼ି ନ ଥାଏ ଓ ପୂର୍ବେ ଏହା ବାସ୍ତବିକ ବୃହତ୍ ଥାନରୁ କଟାଯାଇ ପରିମାଣାନୁସାରେ ବ୍ୟବହୃତ ହେଉଥିଲା । ଓଡ଼ିଆ 'ବାଲେଶ୍ୱରୀ' ଶବ୍ଦରେ ମଧ୍ୟ ଏହିପରି ଇତିହାସ ଅଛି । ପୂର୍ବେ ବାଲେଶ୍ୱରଠାରେ ବନ୍ଦର ଥିବାରୁ ଓ ଏହି ବନ୍ଦର ବାଟେ ନାନା ପଦାର୍ଥ ବିଶେଷତଃ ମେଦିନୀପୁର ଜିଲାରେ ଉତ୍ପନ୍ନ ଧୂଆଁପତ୍ର ଓଡ଼ିଶାକୁ ଆସୁଥିବାରୁ ଏହାକୁ ବାଲେଶ୍ୱରୀ କୁହାଯାଉଥିଲା । ପ୍ରତ୍ୟେକ ଶବ୍ଦର ଏହିପରି ଅର୍ଥଗତ ଇତିହାସ ଅଛି ଓ ଏହି ଇତିହାସ ସମ୍ୟକ ଆଲୋଚିତ ନ ହୋଇ ପାରିଲେ ଭାଷା ସମ୍ବନ୍ଧରେ ପୂର୍ଣ୍ଣ ଜ୍ଞାନଲାଭ କରିବା ସମ୍ଭବ ହେବ ନାହିଁ ।

ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ଅର୍ଥ ପରିବର୍ତ୍ତନର ଆଉ କେତୋଟି ଗୌଣ କାରଣ ଅଛି । ଯଥା:- ବକ୍ତାର ଆଶୟ, କହିବାର ଭଙ୍ଗୀ, ଧର୍ମଗତ ପ୍ରଭୃତି । ସ୍କୁଲରେ ବା କର୍ମକ୍ଷେତ୍ରରେ 'ଚାରିଟା ବାଜିଲାଣି' କହିବା ଦ୍ୱାରା ବକ୍ତାର ଘରକୁ ଯିବାର ଆଗ୍ରହ, କର୍ମ ବିରତିରେ ଆନନ୍ଦ, କ୍ଳାନ୍ତିର ଆଭାସ ପ୍ରଭୃତି ନାନା ୮୬

ସରଳ ଭାଷାତ‌ତ୍ୱ

ଭାବ ବ୍ୟକ୍ତ ହୋଇ ପାରେ । କହିବାର ଭଙ୍ଗୀ ବା କାକୁଦ୍ୱାରା ପ୍ରଶ୍ନ, ବିସ୍ମୟ, ଆନନ୍ଦ ମଧ୍ୟ ସୂଚିତ ହୋଇ ପାରେ । ଯଥା:- 'ସେ ଆସିଲାଣି' ଏହାକୁ ସାଧାରଣ ଭାବରେ କହିଲେ ଜଣେ ବିଶେଷ ଲୋକର ଆସିବା ବୁଝାଏ । କିନ୍ତୁ ବକ୍ତା କହିବାର ସ୍ୱର ବଦଳାଇ କହିଲେ ଏହାଦ୍ୱାରା ପ୍ରଶ୍ନ ଓ ବିସ୍ମୟ ମଧ୍ୟ ସୂଚିତ ହୋଇ ପାରେ । ଏଗୁଡ଼ିକର ସୂକ୍ଷ୍ମ ଆଲୋଚନା କରିବା ଅସମ୍ଭବ । ମାତ୍ର ଲିଖିତ ଭାଷାରେ ମାତ୍ରାଚିହ୍ନ‌ଦ୍ୱାରା ଓ କଥିତ ଭାଷାରେ ଉଚ୍ଚାରଣର ପାର୍ଥକ୍ୟଦ୍ୱାରା ଏହିପରି ଅର୍ଥର ପରିବର୍ତ୍ତନ ଆମ୍ଭେମାନେ ସଚରାଚର ଦେଖିଥାଉଁ । ପୁଣି ସେ 'ଆଲ୍ଲା ଭଜିଲେଣି' ଏହି ବାକ୍ୟ ଉଚ୍ଚାରଣ ଦ୍ବାରା କୌଣସି ହିନ୍ଦୁ ଅପର ହିନ୍ଦୁର ବିପଦରେ ପଡ଼ିବା ବା କିଂକର୍ତ୍ତବ୍ୟବିମୂଢ଼ ହେବାର ଉଲ୍ଲେଖ କରିପାରେ । ଏପରି ବ୍ୟବହାର ବକ୍ତାର ଧର୍ମମତଦ୍ୱାରା ଓ ମୁସଲମାନ ରାଜତ୍ତ୍ୱ ସମୟରେ ବିପଦ୍‌ଗ୍ରସ୍ତ ଲୋକଙ୍କର ମୁସଲମାନ ଧର୍ମ ଗ୍ରହଣ ପ୍ରଚେଷ୍ଟାଦ୍ୱାରା ପ୍ରଭାବିତ ହୋଇଥିବା ସମ୍ଭବ । ମାତ୍ର ଏସବୁ ବ୍ୟବହାରର ନିଶ୍ଚୟତା ଓ ନିର୍ଦ୍ଦିଷ୍ଟତା ନ ଥିବାରୁ ଭାଷାତତ୍ତ୍ବ ଆଲୋଚନା ସମୟରେ ଏସବୁ ବିଷୟରେ କୌଣସି ସୁସ୍ପଷ୍ଟ ଇଙ୍ଗିତ ଦେବା ସମ୍ଭବପର ହୁଏ ନାହିଁ । ଓଡ଼ିଆ ଭାଷାର ଅଧିକାଂଶ ଶବ୍ଦ ସଂସ୍କୃତରୁ ଉତ୍ପନ୍ନ, ଏଥିରେ ସନ୍ଦେହ ନାହିଁ । ମାତ୍ର ଅନେକ ଓଡ଼ିଆ ଶବ୍ଦ ଅବିକୃତଭାବରେ ସଂସ୍କୃତରୁ ଗୃହୀତ ହୋଇଥିଲେହେଁ ସେମାନେ ଓଡ଼ିଆରେ ଭିନ୍ନ ଅର୍ଥରେ ବ୍ୟବ‌ହୃତ ହେଉଅଛନ୍ତି । ଏମାନଙ୍କୁ ବର୍ତ୍ତମାନ 'ତତ୍ ସମ' ଶବ୍ଦ ବୋଲି ନିର୍ଦ୍ଦେଶିତ କରିବାରେ ଆଦୌ ସାର୍ଥକତା ନାହିଁ । ଅତି ସାଧାରଣ ସଂଯୋଜକ ଅବ୍ୟୟ 'ଏବଂ' ବର୍ତ୍ତମାନ ଓଡ଼ିଆ ବା ବଙ୍ଗଳା ଭାଷାରେ ଯେ ଅର୍ଥରେ ବ୍ୟବହୃତ ହୁଏ, ସଂସ୍କୃତରେ ତାହାର ସେ ଅର୍ଥ ନ ଥିଲା । ସଂସ୍କୃତରେ 'ଅପରୂପ'ର ଅର୍ଥ କୁତ୍ସିତ; କିନ୍ତୁ ଓଡ଼ିଆରେ ଏହା ବିସ୍ମୟକର ବା ସୁନ୍ଦର ଅର୍ଥରେ ବ୍ୟବହୃତ । ସମ୍ଭବତଃ 'ଅପୂର୍ବ' ସହିତ ରୂପଗତ ସାମ୍ୟରୁ ଏପରି ଅର୍ଥବିକୃତି ଘଟିଅଛି । 'ଇତିକଥା'ର ସଂସ୍କତରେ ଅର୍ଥ ମିଥ୍ୟା କଥା, କିନ୍ତୁ ଓଡ଼ିଆରେ 'ଇତିହାସ' ସହିତ ଗୋଳମାଳ ହେତୁରୁ ଏହା ଭିନ୍ନ ଅର୍ଥରେ ବ୍ୟବହୃତ । 'ଚୁମ୍ବକ' ଓଡ଼ିଆରେ ସଂକ୍ଷିପ୍ତ ଅର୍ଥରେ ବହୁ ପ୍ରଚଳିତ (ଚୁମ୍ବକ ନକଲ, ଚୁମ୍ବକ ନକ୍ସା ଇତ୍ୟାଦି) କିନ୍ତୁ ଏ ଶବ୍ଦଟିର ସଂସ୍କୃତରେ ଅର୍ଥ ଯେଉଁ ଲୋକ ବହୁ ଗ୍ରନ୍ଥ ଅଧ୍ୟୟନ କରିଅଛି । 'ଅର୍ବାଚୀନ' ଶବ୍ଦର ସଂସ୍କୃତରେ ଅର୍ଥ ନୂତନ, ଓଡ଼ିଆରେ ଏ ଶବ୍ଦଟି ମୂର୍ଖ ଅର୍ଥରେ ବ୍ୟବହୃତ । 'ରାଷ୍ଟ୍ର' ସଂସ୍କୃତରେ 'ଦେଶ' ଅର୍ଥରେ ବ୍ୟବହୃତ, ଓଡ଼ିଆରେ 'ଜଣାଜଣି' ହେବା ଅର୍ଥ ମଧ୍ୟ ପ୍ରଚଳିତ । ଅବଶ୍ୟ ଏ ଦୁଇ ଅର୍ଥର ସମ୍ପର୍କ ସୁସ୍ପଷ୍ଟ । ଭାସ୍କର୍ଯ୍ୟ, ମର୍ମର, ଭାସମାନ ପ୍ରଭୃତି ଶବ୍ଦ ଯେଉଁ ଅର୍ଥରେ ଓଡ଼ିଆରେ ବ୍ୟବହୃତ, ସଂସ୍କୃତରେ ସେହି ଅର୍ଥ ସୂଚିତ କରେ ନାହିଁ ଓ ବିଭ୍ରାଟ, ରହସ୍ୟ, ଶ୍ଳେଷ ପ୍ରଭୃତି ଶବ୍ଦ ମଧ୍ୟ ଓଡ଼ିଆରେ ଯେପରି ଅର୍ଥରେ ବ୍ୟବ‌ହୃତ ସଂସ୍କୃତରେ ସେପରି ଅର୍ଥ ପ୍ରଚଳିତ ନୁହେଁ । ସଂସ୍କୃତରେ 'ସେନାନୀ'ର ଅର୍ଥ ସେନାପତି, ଓଡ଼ିଆରେ ଏହି ଶବ୍ଦର ଅର୍ଥ 'ସୈନ୍ୟମାନେ'। 'ଉପନ୍ୟାସ' ଶବ୍ଦ ଓଡ଼ିଆରେ 'novel'ର ଅନୁବାଦରୂପେ ପ୍ରଚଳିତ, ମାତ୍ର ଶବ୍ଦଟି ସଂସ୍କୃତ ଭାଷାରୁ ଗୃହୀତ ହେଲେହେଁ, ଏହି ଅର୍ଥ ସଂସ୍କୃତ ଭାଷାରେ ନାହିଁ । ଏହିପରି ଶତ ଶତ ସଂସ୍କୃତ ଶବ୍ଦ ଓଡ଼ିଆ ଭାଷାରେ ସ୍ୱୀକୃତ ହୋଇଥିଲେହେଁ ସେମାନଙ୍କର ଅର୍ଥଗତ ବିକୃତି ସାଧିତ ହୋଇଅଛି ।

ଶବ୍ଦର ରୂପଗତ ବିକୃତିରେ ଯେପରି, ଅର୍ଥଗତ ବିକୃତିରେ ମଧ୍ୟ ସେହିପରି ବିକୃତିର କ୍ରମ ଓ ସ୍ତର ବିଷୟରେ ସୁସ୍ପଷ୍ଟଭାବରେ ନିର୍ଦ୍ଦେଶ ଦେବାକୁ ହେବ । ପ୍ରତ୍ୟେକ ବିକୃତି ଆସ୍ତେ ଆସ୍ତେ ଭାଷାରେ ପ୍ରବେଶ ଲାଭ କରିଅଛି, ପ୍ରତ୍ୟେକ ବିକୃତିର ଇତିହାସ ଅଛି । ସଂସ୍କୃତ 'ଏବଂ' ବା 'ପ୍ରଶସ୍ତ' ଶବ୍ଦର ଅର୍ଥ ସ‌ହିତ ଓଡ଼ିଆ 'ପ୍ରଶସ୍ତ' ବା 'ଏବଂ' ଶବ୍ଦର ଅର୍ଥର ପାର୍ଥକ୍ୟ ନିର୍ଦ୍ଦେଶ କଲେ ଓ ବିକାରର ସ୍ୱରୂପ ମାତ୍ର ଦେଖାଇଦେଲେ ଭାଷାତତ୍ତ୍ୱ ପକ୍ଷରେ ଯଥେଷ୍ଟ ହେଲା ନାହିଁ । କେଉଁ ସ୍ତରରେ କିପରି କ୍ରମରେ କେଉଁ ଲେଖାରେ କିପରି ପରିସ୍ଥିତିରେ ଏପରି ବିକାର ସାଧିତ ହୋଇଅଛି, ତାହାର ଯଥାଯଥ ଓ ପ୍ରାମାଣିକ ସମ୍ବାଦ ସଂଗ୍ରହ କରିବା ଏକାନ୍ତ ଆବଶ୍ୟକ ଓ ଏପରି ଆଲୋଚନା ନ କରି କେବଳ ଅନୁମାନ ଉପରେ ନିର୍ଭର କରି ଭାଷା ବିଷୟରେ କୌଣସି ଗବେଷଣା କରିବା ଅସମ୍ଭବ ।

ଶବ୍ଦର ବ୍ୟାକରଣ ଗତ ପ୍ରୟୋଗବିଧି ଶବ୍ଦର ଧ୍ୱନିଗତ ଓ ଅର୍ଥଗତ ରୂପ ଛଡ଼ା ଗୋଟିଏ ବ୍ୟବହାରଗତ ରୂପ ଅଛି ଓ ଏହି ରୂପ ବ୍ୟାକରଣ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଶବ୍ଦର ପ୍ରୟୋଗଗତ ବିକୃତି ବା ବାକ୍ୟ ମଧ୍ୟରେ ଅବସ୍ଥାନ ଦ୍ୱାରା ଅର୍ଥରେ ଯେଉଁ ପରିବର୍ତ୍ତନ ସାଧିତ ହୁଏ, ତାହାହିଁ ବ୍ୟାକରଣର ଆଲୋଚ୍ୟ ବସ୍ତୁ । ଏକ ଦିଗରେ ବ୍ୟାକରଣ ଶବ୍ଦର ଅର୍ଥକୁ ସୁଷ୍ପଷ୍ଟ ଓ ନିର୍ଦ୍ଦିଷ୍ଟ କରେ, ଅନ୍ୟ ଦିଗରେ ସାମାନ୍ୟ ପରିବର୍ତ୍ତନର ଇଙ୍ଗିତ ଦେବା ନିମନ୍ତେ ବିଶେଷ ସଙ୍କେତର ବ୍ୟବହାରକୁ ନିୟନ୍ତ୍ରିତ କରେ, ଏଣୁ ବ୍ୟାକରଣଦ୍ୱାରା ଶବ୍ଦର ଅର୍ଥପ୍ରକାଶିକା ଶକ୍ତି ସ୍ଥିରଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥାଏ । ଭାଷା ମୂଳତଃ ଶବ୍ଦ ଉପରେ ପ୍ରତିଷ୍ଠିତ ହେଲେହେଁ ଶବ୍ଦ ସମଷ୍ଟିଜାତ ବାକ୍ୟହିଁ ତାହାର ମୂଳ ବସ୍ତୁ ଓ ସୁସଙ୍ଗତଭାବରେ ଅର୍ଥ ପ୍ରକାଶିତ କରିବାକୁ ହେଲେ ଶବ୍ଦମାନଙ୍କ ମଧ୍ୟରେ ପରସ୍ପର ସମ୍ବନ୍ଧ ନିର୍ଣ୍ଣୟ କରିବାକୁ ହୁଏ ଓ ସେମାନଙ୍କର ରୂପଗତ ବିକୃତିଦ୍ୱାରା ଅର୍ଥର ମଧ୍ୟ ସାମାନ୍ୟ ପରିବର୍ତ୍ତନ କରିବା ଓ କାଳ ବା ବଚନ ବିଷୟରେ ଇଙ୍ଗିତ ଦେବା ପ୍ରୟୋଜନ ହୋଇଥାଏ । ଆମ୍ଭେମାନେ କେବଳ 'ମନୁଷ୍ୟ' ଓ 'ଯା' ଦ୍ୱାରା ସମ୍ପୂର୍ଣ୍ଣ ଭାବ ପ୍ରକାଶ କରି ପାରୁ ନାହିଁ, ମାତ୍ର ମନୁଷ୍ୟର ସଂଖ୍ୟା ଓ ପ୍ରକାର, ଯିବାର କାଳ ଓ ଗନ୍ତବ୍ୟ ସ୍ଥାନ ପ୍ରଭୃତିର ଉଲ୍ଲେଖ କରିବାଦ୍ବାରା ପୂର୍ଣ୍ଣଭାବକୁ ପ୍ରକାଶ କରିଥାଉଁ । ଶବ୍ଦମାନଙ୍କର ପ୍ରୟୋଗଗତ ଓ ବ୍ୟବହାରଗତ ବିକୃତି ବା ବାକ୍ୟ ମଧ୍ୟରେ ଅବସ୍ଥାନ ପ୍ରଭୃତିର ନିୟମମାନ ଓ ସେମାନଙ୍କର କ୍ରମ ପ୍ରଭୃତି ମଧ୍ୟ ଭାଷାତତ୍ତ୍ବର ଆଲୋଚ୍ୟ ବିଷୟ । ଭାଷାର ପ୍ରଥମ ବ୍ୟବହାର ସମୟରେ ଅବଶ୍ୟ ଅର୍ଥର ନିୟାମକ ବ୍ୟାକରଣଗତ ପଦ୍ଧତିମାନ ପ୍ରଚଳିତ ନ ଥିଲା ଓ ସଙ୍କେତମାନ ମଧ୍ୟ ଆବିଷ୍କୃତ ହୋଇ ନ ଥିଲା । ମାତ୍ର କ୍ରମଶଃ ବ୍ୟବହାରଦ୍ବାରା ବର୍ତ୍ତମାନ ଭାଷାରେ ନାନା କୃତ୍ରିମ ପ୍ରକ୍ରିୟାଦ୍ୱାରା ଅର୍ଥର ନିୟନ୍ତ୍ରଣ ଓ ସମ୍ୟକ୍ ପ୍ରକାଶ କରିବା ସମ୍ଭବପର ହେଉଅଛି । ବ୍ୟାକରଣଗତ ନିୟମମାନ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ, ବାକ୍ୟ ମଧ୍ୟରେ ଶବ୍ଦର ସ୍ଥାନ ନିରୂପଣ, ଶବ୍ଦର ଦ୍ୱିରୁକ୍ତି, ଶବ୍ଦ ସହିତ ସାଙ୍କେତିକ ଧ୍ୱନି ବା ଅନ୍ୱୟୀ ଶବ୍ଦମାନଙ୍କର ସଂଯୋଗ ଓ ଶବ୍ଦମାନଙ୍କର ସାମାନ୍ୟ ବିକୃତିଦ୍ୱାରା ବକ୍ତାର ମନୋଭାବ ସମ୍ପୂର୍ଣ୍ଣରୂପେ ପ୍ରକାଶିତ ହୋଇଥାଏ । 'ଗାଡ଼ି କଲେଜ ଗଲା'ର ଅର୍ଥ ଯାହା,'କଲେଜଗାଡ଼ି ଗଲା'ର ଅର୍ଥ ତାହା ନୁହେଁ ଓ 'ସେ କାମ ଭଲ କଲା'ର ଅର୍ଥ ଯାହା,'ସେ ଭଲକାମ କଲା'ର ଅର୍ଥ ମଧ୍ୟ ତାହା ନୁହେଁ; ପୁଣି 'ସେ ଭଲ କାମ କଲା'ର ଅର୍ଥ ଯାହା 'ସେ ଭଲ ଭଲ କାମ କଲା' ବା 'ସେମାନେ ଭଲ କାମ କଲେ' ବା 'ସେ ଭଲ କାମ କରିବ'ର ଅର୍ଥ ମଧ୍ୟ ତାହା ନୁହେଁ । 'ସେ କଲେଜକୁ ଗଲା' ଓ 'ସେ କଲେଜରୁ ଗଲା' ଏହି ଦୁଇ ବାକ୍ୟରେ ଅତି ସାମାନ୍ୟ ସାଙ୍କେତିକ ବିଭିନ୍ନତାଦ୍ୱାରା ଅର୍ଥର ବିଶେଷ ପାର୍ଥକ୍ୟ ସାଧିତ ହେଉଅଛି । ବାକ୍ୟରେ ଶବ୍ଦମାନଙ୍କର ପ୍ରୟୋଗକୁ ନିୟନ୍ତ୍ରଣ କରିବା ବ୍ୟାକରଣର କାର୍ଯ୍ୟ ଓ ଏହି କାରଣରୁ ବ୍ୟାକରଣର ସମ୍ୟକ୍ ଆଲୋଚନା ଭାଷାତତ୍ତ୍ୱରେ ପ୍ରୟୋଜନ ହୋଇଥାଏ । ଅବଶ୍ୟ ପ୍ରାୟ ପ୍ରତ୍ୟେକ ଭାଷାର ବ୍ୟାକରଣଗତ ନିୟମ ଅନ୍ୟ ଭାଷାର ନିୟମଠାରୁ ପୃଥକ୍; ଏଣୁ କୌଣସି ଗୋଟିଏ ଭାଷାର ନିୟମ ଆଲୋଚନା କରିବା ଯଥେଷ୍ଟ ହୋଇ ପାରେ, ମାତ୍ର ଏକ ଗୋଷ୍ଠୀଭୁକ୍ତ ଭାଷାର ବ୍ୟାକରଣ ମଧ୍ୟରେ ସାମଞ୍ଜସ୍ୟ ଥିବାରୁ ଭାଷାମାନଙ୍କର ବ୍ୟାକରଣଗତ ନିୟମଗୁଡ଼ିକର ଆଲୋଚନାଦ୍ୱାରା ସେମାନଙ୍କ ମଧ୍ୟରେ ସମ୍ପର୍କ ସ୍ୱୀକୃତ ହୋଇ ପାରେ ଓ ବ୍ୟାକରଣଗତ ପାର୍ଥକ୍ୟର କାଳ ବା କାରଣ ମଧ୍ୟ ନିର୍ଦ୍ଦିଷ୍ଟ ହୋଇ ପାରେ । ଓଡ଼ିଆ ଭାଷାରେ ପ୍ରଚଳିତ ବ୍ୟାକରଣଗତ ନିୟମମାନ ସଂସ୍କୃତ ଭାଷାର ନିୟମଠାରୁ ଅନେକାଂଶରେ ପୃଥକ୍, ମାତ୍ର ଏହି କାରଣରୁ ଓଡ଼ିଆକୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଭାଷା ବୋଲି ସ୍ୱୀକାର କରାଯାଇ ନ ପାରେ, ପୁଣି ସଂସ୍କୃତ ବ୍ୟାକରଣଗତ ନିୟମଦ୍ୱାରା ଓଡ଼ିଆ ଭାଷାର ପ୍ରୟୋଗବିଧିକୁ ସର୍ବଦା ନିୟନ୍ତ୍ରିତ ମଧ୍ୟ କରାଯାଇ ନ ପାରେ । ଭାଷାର ବ୍ୟାକରଣଗତ କ୍ରମ ବିକାଶଦ୍ୱାରା ଉଭୟ ଭାଷା ମଧ୍ୟରେ ସମ୍ପର୍କ ସୂଚିତ କରିବାହିଁ ଯଥେଷ୍ଟ ।

ଭାଷାମାନଙ୍କର ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଭାଷା ବ୍ୟବହାରର ବହୁ ପରବର୍ତ୍ତୀ କାଳରେ ବ୍ୟାକରଣଗତ ନିୟମମାନ ଭାଷାରେ ପ୍ରଯୁକ୍ତ ହୋଇଅଛି, ପ୍ରୟୋଗବିଧିର ନାନାସ୍ତର ମଧ୍ୟ ଆବିଷ୍କୃତ ହୋଇଅଛି । ଭାଷାର ପ୍ରଥମ ଅବସ୍ଥାରେ ନିଶ୍ଚୟ କେବଳ କେତେକ ଦୃଶ୍ୟମାନ ବାସ୍ତବ ପଦାର୍ଥ ବା ଶ୍ରୁତିଗୋଚର ସୁସ୍ପଷ୍ଟ ଧ୍ବନି ମାତ୍ରହିଁ ଭାଷାର ସମ୍ବଳ ଥିଲା ଓ ନାନା ଇଙ୍ଗିତ ବା ହସ୍ତପଦାଦିର ସଞ୍ଚାଳନ ଅଥବା ସଙ୍କେତ ଆଦିଦ୍ୱାରା ଭାବ ପ୍ରକାଶ କରିବାର ଚେଷ୍ଟା କରାଯାଉଥିଲା । ପରବର୍ତ୍ତୀ ଯୁଗରେ କେତେକ ଦୃଶ୍ୟମାନ କାର୍ଯ୍ୟ ସହିତ ଧ୍ୱନିର ସାମଞ୍ଜସ୍ୟ ଲକ୍ଷ୍ୟ କରାଯାଇ କୃତ୍ରିମ ଶବ୍ଦ ଦ୍ବାରା ପଦାର୍ଥମାନଙ୍କର ଗତି, ସ୍ଥିତି ଓ ପରିଣତି ପ୍ରଭୃତିର ବିବରଣ ଦେବାର ପ୍ରୟାସ ହୋଇଥିବା ସମ୍ଭବ । ମାତ୍ର ବହୁଦିନ ପର୍ଯ୍ୟନ୍ତ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ବିଚ୍ଛିନ୍ନ ଅବିକୃତ ବ୍ୟବହାର ମାତ୍ରହିଁ ଭାଷାରେ ପ୍ରଚଳିତ ଥିଲା । ଅର୍ଥାତ୍ ମଣିଷ, ଗାଈ, ଶୋଇବା, ଖାଇବା, ମାଛ, ଘର ପ୍ରଭୃତି କେତେକ ଶବ୍ଦ ମାତ୍ର ଭାଷାର ଏକମାତ୍ର ସମ୍ବଳ ଥିଲା ଓ ଏହି ଶବ୍ଦମାନ କୃତ୍ରିମ ହେଲେହେଁ ଏମାନଙ୍କର ପ୍ରୟୋଜନ ଗତ କୌଣସି କୃତ୍ରିମ ନିୟମ ଆବିଷ୍କୃତ ବା ସ୍ୱୀକୃତ ହେଉ ନ ଥିଲା ।

ମଣିଷର ଭଲ ମନ୍ଦ ଗୁଣ, ଶୋଇବାର ଗାଢ଼ତ୍ୱ, ଖାଇବାର ଦ୍ରୁତତା ପ୍ରଭୃତି ନିର୍ଦ୍ଦେଶିତ କରିବାର କୌଣସି ଉପାୟ ତାତ୍କାଳୀନ ଭାଷାରେ ନ ଥିଲା । ଏହା ସମ୍ଭବ ଯେ, ପ୍ରଥମେ ଶବ୍ଦର ଅବସ୍ଥାନ‌ଦ୍ୱାରା ଲୋକେ ଅର୍ଥର ପରିବର୍ତ୍ତନ ବିଷୟରେ ସଚେତ ହେଲେ ଅର୍ଥାତ୍ 'ମାଛ ମଣିଷ ଖାଇଲା'ର ଅର୍ଥ ଯେ 'ମଣିଷ ମାଛ ଖାଇଲା' ବାକ୍ୟର ଅର୍ଥଠାରୁ ପୃଥକ୍, ଏହା ପ୍ରଥମେ ଜାଣି ପାରିଲେ । ବାକ୍ୟ ମଧ୍ୟରେ ପ୍ରଧାନ ବ୍ୟକ୍ତି ବା ପଦାର୍ଥକୁ ଏକ ବିଶେଷ ସ୍ଥାନ ଦେବାର ପଦ୍ଧତି କ୍ରମେ କ୍ରମେ ପ୍ରଚଳିତ ହେଲା । କ୍ରମଶଃ ସମ୍ବନ୍ଧ ସୂଚିତ କରିବା ନିମନ୍ତେ ଶବ୍ଦମାନଙ୍କର ସାନ୍ନିଧ୍ୟ ବା ପୂର୍ବାପର ଅବସ୍ଥିତି ମଧ୍ୟ ବ୍ୟବହାରରୀତି ମଧ୍ୟରେ ପରିଗଣିତ ହେଲା । ସମ୍ବନ୍ଧ ନିରୂପଣ କରିବା ନିମନ୍ତେ ପ୍ରଧାନ ଅପ୍ରଧାନ ବସ୍ତୁର ନିର୍ଦ୍ଦେଶ ଦେବା ରୀତି କ୍ରମଶଃ ପ୍ରଚଳିତ ହେଲା । ଅର୍ଥାତ୍ ଘର ଓ ଗାଈ ଏହି ଦୁଇ ପଦ ମଧ୍ୟରେ ନିକଟ ସମ୍ବନ୍ଧ ଥିଲେ ସେମାନଙ୍କର ଏକତ୍ର ବ୍ୟବ‌ହାର କରାଗଲା ଏବଂ 'ଗାଈ ଘର' ଓ 'ଘର ଗାଈ' ମଧ୍ୟରେ ପାର୍ଥକ୍ୟ ମଧ୍ୟ ସୂଚିତ ହେଲା ଅର୍ଥାତ୍ ଦୁଇଟି ପଦ ମଧ୍ୟରେ ଯେଉଁଟି ପ୍ରଧାନ ତାହା ପ୍ରତି ଦୃଷ୍ଟି ଆକୃଷ୍ଟ କରିବା ନିମନ୍ତେ ତାହାକୁ ପରବର୍ତ୍ତୀ ସ୍ଥାନ ଦିଆଗଲା । କ୍ରମଶଃ ଗୁଣସୂଚକ ଶବ୍ଦମାନଙ୍କର ବ୍ୟବହାର, ବାକ୍ୟ ମଧ୍ୟରେ କର୍ତ୍ତା, କର୍ମ ପ୍ରଭୃତିର ବିଭେଦ ଜ୍ଞାନ, ନାନାପ୍ରକାର ବାକ୍ୟରୀତି ଓ ପଦ୍ଧତିର ଅନୁସରଣଦ୍ୱାରା ଶବ୍ଦମାନଙ୍କର ବାକ୍ୟରେ ଅବସ୍ଥାନ ବିଷୟରେ ବର୍ତ୍ତମାନ ବ୍ୟାକରଣର ନାନା ନିୟମ ପ୍ରଚଳିତ ହେବା ସହଜରେ ଅନୁମେୟ । ଅତି ପ୍ରାଚୀନ‌କାଳରେ ଶବ୍ଦର ଅବସ୍ଥାନହିଁ ଏକମାତ୍ର ବ୍ୟବହାରଗତ କୃତ୍ରିମତାର ନିଦର୍ଶନ ବୋଲି ପରିଗଣିତ ହୋଇଥିଲା । ବର୍ତ୍ତମାନ ଚୀନ ଭାଷାରେ ଶବ୍ଦର ଅବସ୍ଥାନ ଶବ୍ଦ ସମ୍ବନ୍ଧ ନିରୂପଣ ବା ଅର୍ଥ ଗ୍ରହଣର ଏକମାତ୍ର ଉପାୟ । ଏପରି କି ବ୍ୟାକରଣଗତ ନାନା ପ୍ରକ୍ରିୟାଦ୍ୱାରା ପୁଷ୍ଟ ବୈଦିକ ଭାଷାରେ ମଧ୍ୟ ଭବତି ଭିକ୍ଷାଂ ଦଦାତୁ ଓ ଭିକ୍ଷାଂ ଦଦାତୁ ଭବତି ଅଥବା ଭିକ୍ଷାଂ ଭବତି ଦଦାତୁ ମଧ୍ୟରେ କୃତ୍ରିମ ପାର୍ଥକ୍ୟ ସୂଚିତ ହେଉଥିଲା; କିନ୍ତୁ ଭାଷାର ଏହି ସ୍ତର ବିଷୟରେ ଆମ୍ଭମାନଙ୍କର ଜ୍ଞାନ ଯତ୍ ସାମାନ୍ୟ ।

ଭାଷାର ଦ୍ୱିତୀୟ ସ୍ତରରେ ଶବ୍ଦର ଦ୍ୱିରୁକ୍ତି ନିଶ୍ଚୟ ଦେଖା ଦେଇଥିବ, ଅର୍ଥାତ୍ ବହୁତ ଲୋକ ନିର୍ଦ୍ଦେଶିତ କରିବା ନିମନ୍ତେ 'ଲୋକଲୋକ' ଏହିପରି ବ୍ୟବହାର ପ୍ରଚଳିତ ହୋଇଥିବା ସମ୍ଭବ । କ୍ରମଶଃ ଗତ କାର୍ଯ୍ୟର ନିଶ୍ଚୟତା ସୂଚିତ କରିବା ନିମନ୍ତେ ମଧ୍ୟ ଏହିପରି ଦ୍ୱିରୁକ୍ତି ବ୍ୟବହୃତ ହୋଇଥିବ ଅର୍ଥାତ୍ ଗମନ କରିବା କାର୍ଯ୍ୟ ବିଷୟରେ ସ୍ଥିରନିଶ୍ଚୟତା ଓ ତାହାର ସମ୍ପନ୍ନ ହୋଇଥିବା ଅର୍ଥ ପ୍ରକାଶିତ କରିବା ନିମନ୍ତେ 'ଗମ ଗମ'(ପରେ ଜଗାମ) ଏହିପରି ବ୍ୟବହାର ପ୍ରଚଳିତ ହୋଇଥିବା ସମ୍ଭବ । କ୍ରମଶଃ ଆଧିକ୍ୟ, ନିଶ୍ଚୟତା ପ୍ରଭୃତି ସୂଚିତ କରିବା ନିମନ୍ତେ ଏହିପରି ଦ୍ୱିରୁକ୍ତି ଭାଷାରେ ବ୍ୟବହୃତ ହୋଇଥାଇ ପାରେ ଓ ଏପରି ବ୍ୟବହାରର ନିଦର୍ଶନ ଆମ୍ଭେମାନେ ଓଡ଼ିଆ ଦଧି, ଦରିଦ୍ର, ଦଦ୍ରୁ (ଯାଦୁର ସଂସ୍କୃତ ରୂପ) ପ୍ରଭୃତି ଶବ୍ଦରେ ନିତ୍ୟ ଦେଖିଥାଉଁ । ଏପରି କି ନାନା, ପିମ୍ପୁଡ଼ି ପ୍ରଭୃତି ଶବ୍ଦରେ ମଧ୍ୟ ଏହିପରି ଦ୍ୱିରୁକ୍ତିର ପ୍ରଭାବ ବର୍ତ୍ତମାନ । ଦ୍ୱିରୁକ୍ତିଦ୍ୱାରା ଅର୍ଥ ନିୟନ୍ତ୍ରିତ କରିବାର ଚେଷ୍ଟା ବହୁ ପ୍ରାଚୀନ ଓ ବର୍ତ୍ତମାନ ଓଡ଼ିଆ ଭାଷାରେ ଦ୍ୱିରୁକ୍ତିର ନାନା ଉଦାହରଣ ମଧ୍ୟ ଦେଖାଯାଇଥାଏ । 'ସେ ବଡ଼ ବଡ଼ ବହି ପଢ଼ିଲାଣି' କହିଲେ ଆମ୍ଭେମାନେ ଅନେକ ବଡ଼ ବହି ( ଅର୍ଥାତ୍ ସଂଖ୍ୟାର ବହୁତ୍ୱ) ବୁଝୁଁ, 'ଗରମ ଗରମ ଲୁଚି ଆଣ' କହିଲେ ଅନେକ ମାତ୍ର ପ୍ରତ୍ୟେକଟି ଗରମ ଏହି ଅର୍ଥର ଇଙ୍ଗିତ ପାଉଁ; 'ଭାତ ମିଠା ମିଠା ଲାଗୁଛି' କହିଲେ ଦ୍ୱିରୁକ୍ତିଦ୍ବାରା ମିଠାର ଅଳ୍ପତ୍ୱ ସୂଚିତ ହୋଇଥାଏ, ପୁଣି 'ଶୀଘ୍ର ଶୀଘ୍ର ଆସ'ରେ ଦ୍ୱିରୁକ୍ତିଦ୍ୱାରା 'ଅତି ଶୀଘ୍ର' ଏହି ଅର୍ଥ ପ୍ରକାଶିତ ହୋଇଥାଏ । ବର୍ତ୍ତମାନ ଓଡ଼ିଆ ଭାଷାରେ ଦ୍ୱିରୁକ୍ତିର ଏହି ପ୍ରକାର ନାନାବିଧ ବ୍ୟବହାର ଅତି ପ୍ରାଚୀନ ଯୁଗରେ ପ୍ରଚଳିତ ରୀତିର ସ୍ମାରକ ମାତ୍ର । ସେହି ପ୍ରାଚୀନ ରୀତିରୁ ଯେ ବର୍ତ୍ତମାନ ପଦ୍ଧତି ଉଦ୍ଭୂତ ହୋଇଅଛି, ଏଥିରେ ସନ୍ଦେହ ନାହିଁ । ଭାଷାର ଏହି ପ୍ରାଚୀନ ସ୍ତର ବିଷୟରେ ଆମ୍ଭମାନଙ୍କର କୌଣସି ସୁସ୍ପଷ୍ଟ ଜ୍ଞାନ ବର୍ତ୍ତମାନ ନାହିଁ ଓ ଏ ବିଷୟରେ ଆଲୋଚନା ବେଳେ କେବଳ ଅନୁମାନ ଉପରେ ନିର୍ଭର କରିବାକୁ ହୁଏ ।

ବ୍ୟାକରଣର ସଙ୍କେତ:- ବ୍ୟାକରଣର ଆଜିକାଲି ପରିଣତି ସାଙ୍କେତିକ ଧ୍ୱନିମାନଙ୍କର ଯୋଗଦ୍ୱାରା ବା ଶବ୍ଦର ସାମାନ୍ୟ ବିକୃତିଦ୍ୱାରା ଅର୍ଥ ପରିବର୍ତ୍ତନ କରିବାର ରୀତି ମଧ୍ୟରେ ନିହିତ ରହିଅଛି । ଏହି ସାଙ୍କେତିକ ଧ୍ୱନିମାନଙ୍କ ଦ୍ବାରା ଗୋଟିଏ ଶବ୍ଦ ସ‌ହିତ ଅନ୍ୟ ଶବ୍ଦର ସମ୍ପର୍କ ସ୍ଥିରଭାବରେ ନିର୍ଦ୍ଦିଷ୍ଟ ହୋଇଥାଏ । ପୂର୍ବେ 'ରାମ ବହି' କହିଲେ ରାମ ଶବ୍ଦର ଅବସ୍ଥାନ ଦ୍ବାରା ତାହା ସହିତ ବହିର ସମ୍ବନ୍ଧ ନିର୍ଣ୍ଣୀତ ହେଉଥିଲା । ମାତ୍ର ଏହା ସୁସ୍ପଷ୍ଟ ନୁହେଁ । ଏଣୁ 'ରାମର ବହି' ଏହା କହିବାଦ୍ୱାରା ରାମ ସହିତ ବହିର ସମ୍ବନ୍ଧ ସ୍ଥିରଭାବରେ ପ୍ରକାଶିତ ହେଲା ଏବଂ ସଙ୍କେତ ଚିହ୍ନର ବ୍ୟବ‌ହାର ପରେ 'ରାମର ବହି' ଓ ବହି ରାମର' ଏ ଉଭୟ ପ୍ରକାର ବ୍ୟବହାର ଦ୍ୱାରା ଏକ ଅର୍ଥ ପ୍ରକାଶିତ ହେଲା ଅର୍ଥାତ୍ ଶବ୍ଦର ଅବସ୍ଥାନ ବିଷୟରେ ଆଉ କୌଣସି ନିର୍ଦ୍ଦେଶ ପ୍ରୟୋଜନ ହେଲା ନାହିଁ । 'ର' ବାସ୍ତବିକ ଗୋଟିଏ ବ୍ୟାକରଣଗତ ସଙ୍କେତ । 'ରାମ ଗ୍ରାମରୁ ଆସିଚି' ଏଠାରେ 'ରୁ' ଓ 'ଚି' ଉଭୟେ ସଙ୍କେତ, 'ଆଜି ହାଡ଼ିଆଣୀ ଘରେ ଅଛି' ଏଠାରେ ମଧ୍ୟ ଆଣୀ ଓ ଏ ଉଭୟ ସଙ୍କେତ ଓ ଏପରି ବ୍ୟାକରଣଗତ ସଙ୍କେତଦ୍ୱାରା ଏକ ପକ୍ଷରେ ହାଡ଼ି ବିଷୟରେ ଧାରଣା ସ୍ପଷ୍ଟତର ହେଉଅଛି, ଅନ୍ୟ ପକ୍ଷରେ ଘର ସହିତ ତାହାର ସମ୍ପର୍କ ବିଷୟରେ ମଧ୍ୟ ଇଙ୍ଗିତ ଦିଆଯାଉଅଛି । ବ୍ୟାକରଣର ପ୍ରତ୍ୟୟ, ବିଭକ୍ତି, ଉପପଦ, ଉପସର୍ଗ, ସମାସ ପ୍ରଭୃତି ଏହିପରି ଶବ୍ଦମାନଙ୍କର ସମ୍ପର୍କ ନିର୍ଦ୍ଦେଶ କରିଥାଏ ଓ ଭାଷାର ବ୍ୟବହାର ସମୟରେ ଆମ୍ଭମାନଙ୍କୁ ଏସବୁ ପ୍ରତି ଅବହିତ ହେବାକୁ ହୁଏ ।

ଏହି ସଙ୍କେତମାନ କେବେ କିପରି ଭାବରେ ଆବିଷ୍କୃତ ଓ ବ୍ୟବହୃତ ହେଲା? ଭାଷାର ପ୍ରଥମ ଅବସ୍ଥାରେ ନିଶ୍ଚୟ ଏହି ସଙ୍କେତର କୌଣସି ଚିହ୍ନ ନ ଥିଲା । ଅନେକଙ୍କ ମତରେ ଏହି ସଙ୍କେତଗୁଡିକ ବାସ୍ତବରେ ପୂର୍ବେ ପୂର୍ଣ୍ଣପଦ ଥିଲା । କ୍ରମଶଃ କ୍ଷୟପ୍ରାପ୍ତ ହୋଇ ଏଗୁଡ଼ିକ ବର୍ତ୍ତମାନ ସଙ୍କେତ ମାତ୍ରରେ ପରିଣତ ହୋଇଅଛି । ଓଡ଼ିଆ ଭାଷାର ଆଲୋଚନା କଲେ ଏହି ଧାରଣ ଦୃଢ଼ତର ହୋଇଥାଏ । କାରଣ ଅନେକ ପ୍ରକାର ସାଙ୍କେତିକ ଚିହ୍ନର ମୂଳ ଶବ୍ଦ ମଧ୍ୟ ଓଡ଼ିଆରେ ସୁପ୍ରଚଳିତ; ଆସିଅଛି, ଆସିଛି, ଆସିଚି ପ୍ରଭୃତି ସମସ୍ତ ପ୍ରକାରର ୯୨

ସରଳ ଭାଷାତ‌ତ୍ତ୍ୱ

ଶବ୍ଦ ଓଡ଼ିଆରେ ଦେଖାଯାଏ, ଏସବୁ କ୍ଷେତ୍ରରେ 'ଅଛି' ପୂର୍ଣ୍ଣପଦ ଓ ଏହାର ବିକୃତ 'ଛି' ଓ 'ଚି' ଗୋଟିଏ ଗୋଟିଏ ସାଙ୍କେତିକ ଚିହ୍ନ । ଏହିପରି 'କରିଥିଲା', 'କରିଲା', 'କଲା'ରେ ମଧ୍ୟ ପୂର୍ଣ୍ଣ ଶବ୍ଦର ସାଙ୍କେତିକ ଧ୍ୱନିରେ ବିବର୍ତ୍ତନର ପରିଚୟ ଆମ୍ଭେମାନେ ପାଇଥାଉଁ । ଠିକ ଏହିପରି ବିବର୍ତ୍ତନ ଆମ୍ଭେମାନେ ଘରଠାରୁ, ଘରଠୁ, ଘରୁ; ଦେଉଳଠାରେ, ଦେଉଳଠି, ଦେଉଳରେ ପ୍ରଭୃତି ବ୍ୟବହାରରେ ମଧ୍ୟ ଦେଖିଥାଉଁ । ଭାଷାରେ ଏହି ବିବର୍ତ୍ତନ ଆମ୍ଭମାନଙ୍କୁ ସାଙ୍କେତିକ ଚିହ୍ନମାନଙ୍କର ଉତ୍ପତ୍ତି ବିଷୟରେ ସ୍ପଷ୍ଟ ଇତିହାସ ପାଇବା ଅସମ୍ଭବ ଓ କେତେ ଗୋଟି ସାଙ୍କେତିକ ଚିହ୍ନର ଅନୁକରଣରେ ଅନ୍ୟଗୁଡିକ ପ୍ରଯୁକ୍ତ ହୋଇଥିବା ମଧ୍ୟ ସମ୍ଭବ । ଓଡ଼ିଶାର କେତେକ ଅଞ୍ଚଳରେ 'କରିମି', 'ଯିମି', 'ଖାଇମି' ପ୍ରଭୃତିର ପ୍ରଚଳନ ଅଛି ଓ ଏଥିରେ 'ମି' ସଙ୍କେତ 'ମୂ'ର ପୂର୍ବରୂପରୁ ବିକୃତ ହୋଇଥିବା ସମ୍ଭବପର ହେଲେ ମଧ୍ୟ 'କରିବି'ରେ ଏପରି ବିକୃତିର ଉଦାହରଣ ମିଳେ ନାହିଁ । 'କରିଥିଲା'ରେ ମଧ୍ୟ ସାଙ୍କେତିକ 'ଲା'ର କୌଣସି କାରଣ ସ୍ଥିରଭାବରେ ନିର୍ଦ୍ଦେଶ କରିବା ଅସମ୍ଭବ । ଓଡ଼ିଆ ଭାଷାତ‌ତ୍ତ୍ୱ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଏଥିରେ ବ୍ୟବହୃତ ଅନେକ ସାଙ୍କେତିକ ଚିହ୍ନ ସଂସ୍କୃତ, ଆରବ ପ୍ରଭୃତି ଭାଷାରୁ ଗୃହୀତ ହୋଇଅଛି । ତଥାପି ଅନେକଗୁଡ଼ିଏ ଚିହ୍ନ ଓଡ଼ିଆ ଭାଷାର ନିଜସ୍ୱ । ପୁଣି ଅନେକ ସମୟରେ ବିଦେଶାଗତ ଶବ୍ଦ ସହିତ ସଂସ୍କୃତ ସାଙ୍କେତିକ ଚିହ୍ନ ବା ସଂସ୍କୃତ ଶବ୍ଦ ସ‌ହିତ ବୈଦେଶିକ ଚିହ୍ନମାନ ପ୍ରଯୁକ୍ତ ହୋଇ 'ଶଙ୍କର' ଶବ୍ଦମାନଙ୍କର ମଧ୍ୟ ଜନ୍ମ ହୋଇଥାଏ । ଓଡ଼ିଆରେ ବ୍ୟବ‌ହୃତ ସମ୍ବନ୍ଧସୂଚକ 'ର' ଚିହ୍ନ ବାସ୍ତବରେ ସଂସ୍କୃତରୁ ଉତ୍ପନ୍ନ କି ନୁହେଁ ଏ ବିଷୟରେ ଘୋର ମତଭେଦ ଦେଖାଯାଏ । ମାତ୍ର ରାମକୁ ଶବ୍ଦରେ 'କୁ' କିମ୍ବା 'ଖାଇବାକୁ' ଶବ୍ଦର 'କୁ' ଚିହ୍ନ ଯେ ଦ୍ରାବିଡ଼ ଭାଷାର ପ୍ରଭାବରୁ ଜାତ, ତାହା ସ୍ପଷ୍ଟ ଅନୁମିତ ହୋଇପାରେ । ପୁଣି ପ୍ରାଚୀନ ଓଡ଼ିଆରେ ବ୍ୟବହୃତ 'ପୁତ୍ରନ୍ତ' ଶବ୍ଦରେ 'ନ୍ତ' ଚିହ୍ନ ବିଷୟରେ ସ୍ଥିରନିଶ୍ଚିତଭାବରେ କିଛି କୁହାଯାଇ ପାରେ ନାହିଁ । ଅନ୍ୟ ଦିଗରେ ଅଇନତଃ, ଜଜିଅତି, ଗଳାବାଜି, ବିଲାତି, ସେବାୟତ୍ ପ୍ରଭୃତି ଶବ୍ଦରେ ମୂଳ ଶବ୍ଦ ଓ ତହିଁରେ ପ୍ରଯୁକ୍ତ ସଙ୍କେତ ଦୁଇ ଗୋଟି ଭିନ୍ନ ଭାଷାରୁ ଗୃହୀତ । ଅନେକ ସମୟରେ ଶବ୍ଦର ପ୍ରଯୁକ୍ତ ସଙ୍କେତକୁ ଚିହ୍ନି ନ ପାରି ସେଥି ସହିତ ପୁଣି ସମାର୍ଥକ ଶବ୍ଦ ବା ସଙ୍କେତ ଯୁକ୍ତ ହୋଇଥାଏ । ଏହାର ଉଦାହରଣ ଆମ୍ଭେମାନେ ଗୁଣ ଗ୍ରାମମାନ, ବହିପତ୍ରମାନ, ସ୍ତ୍ରୀଲୋକମାନେ, ମାଇପି ଲୋକମାନେ, ମାଈ ବକରୀ, ଗୁରୁତର ଭାବରେ, ଶ୍ରେଷ୍ଠତମ ପ୍ରଭୃତି ଶବ୍ଦରେ ଦେଖିଥାଉଁ । କାରଣ 'ଗୁଣଗ୍ରାମ'ରେ ୯୩

ସରଳ ଭାଷାତ‌ତ୍ତ୍ୱ

'ଗ୍ରାମ' ବାସ୍ତବରେ ବ‌ହୁତ୍ୱସୂଚକ, 'ସ୍ତ୍ରୀଲୋକ' ଶବ୍ଦରେ 'ଲୋକ' ଟି ହିନ୍ଦୀ ବହୁବଚନର ଚିହ୍ନ 'ଲୋଗ୍'ର ଅନୁକୃତି (ଯଥା:- ଓକିଲ ଲୋଗ, ଆଦମି ଲୋଗ୍ ଇତ୍ୟାଦି); ବକରୀ ଶବ୍ଦ ଆରବ ଭାଷାରୁ ଗୃହୀତ ସ୍ତ୍ରୀଲିଙ୍ଗସୂଚକ ଈ ଯୁକ୍ତ (ଏହାର ପୁଂଲିଙ୍ଗ ଶବ୍ଦ ବକ୍ ର ଓଡ଼ିଆରେ ଅପ୍ରଚଳିତ ହୋଇଥିବାରୁ ବକରୀ ସାଧାରଣତଃ ସବୁ ପ୍ରକାର ଛେଳି ପ୍ରତି ପ୍ରଯୁକ୍ତ ହୋଇଥାଏ), ଗୁରୁତର ଶବ୍ଦର ତର ବାସ୍ତବରେ ସଂସ୍କୃତ ତୁଳନାସୂଚକ ତର ନୁହେଁ, ଏହା ହିନ୍ଦୀ ତରହ୍ ଶବ୍ଦରୁ ଉତ୍ପନ୍ନ (ଯଥା - ବେତର୍) ଓ ସଂସ୍କୃତ ତର ସହିତ ବିଶୃଙ୍ଖଳ ଭାବରେ ବ୍ୟବ‌ହୃତ, (ଏହି ବ୍ୟବହାର ଓଡ଼ିଆ ନାନା ପୁସ୍ତକରେ ଦେଖାଯାଏ, ଯଥା- ମନ୍ତ୍ରଣା ଗୁରୁତର (ବିବାସିନୀ), ଶିବ ତହିଁରେ ଗୁରୁତର ସ୍ନେହୀ, 'ତର' ସଙ୍କେତରେ ଏପରି ବ୍ୟବହାର କେବଳ ଆଉ ଗୋଟିଏ ଓଡ଼ିଆ ଶବ୍ଦରେ ଦେଖାଯାଏ, ଯଥା- ବହୁତର= ବହୁତ ପ୍ରକାରେ) ଏହି କାରଣରୁ 'ଭାବ'ର ପ୍ରୟୋଗଦ୍ୱାରା ଦ୍ୱିରୁକ୍ତି ଦୋଷ ଘଟୁଅଛି ।

ବ୍ୟାକରଣ ଗତ ସଙ୍କେତ ନାନା ପ୍ରକାର । ପ୍ରଥମେ ଶବ୍ଦକୁ ବିଶେଷ୍ୟ, ବିଶେଷଣ ବା କ୍ରିୟା ପ୍ରଭୃତି ଭାବରେ ପରିଚିତ କରିବା ପାଇଁ ନାନା ପ୍ରକାର ସଙ୍କେତ ବ୍ୟବହୃତ ହୋଇଥାଏ । ଗୋଟିଏ ଶବ୍ଦକୁ ଅନ୍ୟ ପ୍ରକାରରେ ବ୍ୟବହାର କରିବା ନିମନ୍ତେ ଏହିପରି ଚିହ୍ନ ବ୍ୟବହୃତ ହୁଏ । ଯଥା- ମନ ଗୋଟିଏ ଶବ୍ଦ, ଏହି ଶବ୍ଦ ସହିତ ମନେଇବା, ମନୁଆ, ମନାଣ ପ୍ରଭୃତି ଶବ୍ଦ ସମ୍ପୃକ୍ତ । ଏ ସବୁ ସାଙ୍କେତିକ ଚିହ୍ନ ଦ୍ୱାରା ଅର୍ଥର ପାର୍ଥକ୍ୟ ମଧ୍ୟ ସୂଚିତ ହୁଏ । ପୁଣି ପ୍ରତ୍ୟେକ ବିଶେଷ୍ୟ ପଦର ଏକତ୍ୱ ବା ବହୁତ୍ୱସୂଚକ ବଚନ, ସ୍ତ୍ରୀ ବା ପୁଂ ସୂଚକ ଲିଙ୍ଗ, କ୍ରିୟା ବା ଅନ୍ୟ ବିଶେଷ୍ୟ ସ‌ହିତ ସମ୍ବନ୍ଧସୂଚକ କାରକ ପ୍ରଭୃତି ମଧ୍ୟ କଳ୍ପିତ ହୋଇଥାଏ ଓ କ୍ରିୟାର ମଧ୍ୟ କାଳ, ବାଚ୍ୟ ପ୍ରଭୃତି କଳ୍ପିତ ହୋଇଥାଏ । ଏକ ସମୟରେ ଏହି ସବୁ ପ୍ରୟୋଗର ମୂଳରେ କୌଣସି ଅର୍ଥ ସୂଚକ ପଦ ଥିଲେହେଁ ବର୍ତ୍ତମାନ ଏଗୁଡ଼ିକ କାଳ୍ପନିକ ସଙ୍କେତ ମାତ୍ର ଏହା ମନେ ରଖିବାକୁ ହେବ । ବର୍ତ୍ତମାନ ବ୍ୟାକରଣରେ ଏମାନଙ୍କର ପ୍ରୟୋଗମାତ୍ରକୁ ଲକ୍ଷ୍ୟ କରାଗଲେହେଁ ଭାଷାତ‌ତ୍ତ୍ୱରେ ଏମାନଙ୍କର ଉତ୍ପତ୍ତି ଓ ଇତିହାସ ବିଷୟରେ ଅନୁସନ୍ଧାନ କରିବା ପ୍ରୟୋଜନ ହୋଇଥାଏ ।

ଭାଷାର ପ୍ରଥମ ଅବସ୍ଥାରେ ଯେତେବେଳେ ସଙ୍କେତମାନଙ୍କର ସୃଷ୍ଟିହେଲା, ତେତେବେଳେ ପ୍ରତ୍ୟେକ ଶବ୍ଦ ସହିତ ସଙ୍କେତ ଯୁକ୍ତ କରି ସେମାନଙ୍କର ପ୍ରୟୋଗ ବିଷୟରେ ସ୍ଥିର ନିର୍ଦ୍ଦେଶ ଦେବାର ଚେଷ୍ଟା କରାଯାଇଥିଲା । ଭାଷାର ପ୍ରଥମ ଅବସ୍ଥାରେ ବ୍ୟାକରଣଗତ ସଙ୍କେତମାନଙ୍କର ଆଧିପତ୍ୟ ଅତ୍ୟନ୍ତ ଅଧିକ ୯୪

ସରଳ ଭାଷାତ‌ତ୍ତ୍ୱ

ଥିଲା । ପ୍ରତ୍ୟେକ ଶବ୍ଦ ସହିତ ସଙ୍କେତ ଯୋଗ କରିବାଦ୍ୱାରା ଶବ୍ଦମାନଙ୍କର ଅବସ୍ଥାନ ଅର୍ଥସୂଚକ ହେଲା ନାହିଁ । ସଙ୍କେତର ବ୍ୟବହାରଦ୍ୱାରା ଭାଷା ସଦାସର୍ବଦା କଣ୍ଟିକିତ ହେଲା ଓ ବ୍ୟବହାରରେ ଭ୍ରମ ମଧ୍ୟ ସ୍ୱାଭାବିକ ହେଲା । ସାଧାରଣତଃ ଯେଉଁମାନେ ଭାଷା ବ୍ୟବହାର କରନ୍ତି, ସେମାନଙ୍କ ମଧ୍ୟରେ ଅଧିକାଂଶ ଶିକ୍ଷିତ ନୁହନ୍ତି । ନିତାନ୍ତ ମୂର୍ଖକୁ ମଧ୍ୟ ଭାଷା ବ୍ୟବହାର କରିବାକୁ ପଡେ ଓ ଏମାନଙ୍କ ଭୁଲ ବ୍ୟବହାରଦ୍ୱାରା ଭାଷାର ସାଙ୍କେତିକ ଚିହ୍ନମାନଙ୍କର ନାନାପ୍ରକାର ପରିବର୍ତ୍ତନ ହୋଇଥାଏ ଓ ଭାଷାରେ ଅଶୁଦ୍ଧିର ବାହୁଲ୍ୟ ଯୋଗୁଁ ଅନେକଗୁଡ଼ିଏ ସଙ୍କେତ ନିରର୍ଥକ ହୋଇଥାଏ । ପୁଣି କେତେଗୁଡ଼ିଏ ଶବ୍ଦ ଭାଷାରେ ବିଶେଷଭାବରେ ପ୍ରଯୁକ୍ତ ହୋଇଥାଏ । ଏପରି ପ୍ରୟୋଗଦ୍ୱାରା ମଧ୍ୟ ଭାଷା ବିକୃତ ହୋଇ ସେଥିରେ ନାନା ପ୍ରକାର ନୂତନ ବ୍ୟବହାର ପ୍ରବର୍ତ୍ତିତ ହୋଇଥାଏ ଏବଂ କେତେକଗୁଡ଼ିଏ ଶବ୍ଦ ମଧ୍ୟ ସାଙ୍କେତିକ ହୋଇପଡ଼େ । ଇଂରାଜିରେ ଏହିପରି ସଙ୍କେତମାନଙ୍କର କ୍ରମଶଃ ତିରୋଭାବ ହେତୁରୁ preposition ମାନଙ୍କର ଆବଶ୍ୟକ ହୋଇଅଛି । ଓଡ଼ିଆରେ 'ଦ୍ୱାରା' ପ୍ରଭୃତି ସମ୍ପୂର୍ଣ୍ଣ ପଦ ବର୍ତ୍ତମାନ ସାଙ୍କେତିକଭାବରେ ବ୍ୟବହୃତ ହେଉଅଛି ।

ସାଙ୍କେତିକ ଚିହ୍ନ ଗୁଡ଼ିକ କଳ୍ପିତ ହୋଇଥିବାରୁ ବ୍ୟବହାରକ୍ରମରେ ବର୍ତ୍ତମାନ ଏମାନଙ୍କର ନାନାପ୍ରକାର ପ୍ରୟୋଗ ଗତ ବିକାର ଦେଖାଯାଇଥାଏ ଓ କୌଣସି ଗୋଟିଏ ପ୍ରକାର ବ୍ୟବହାର ଭାଷାରେ ପ୍ରାଧାନ୍ୟ ଲାଭ କଲେ ଭାଷାସ୍ଥିତ ସବୁ ଶବ୍ଦ ସହିତ ଏହିପରି ସାଙ୍କେତିକ ଚିହ୍ନ ବ୍ୟବହାର କରାଯାଏ । ଇଂରାଜୀ Judge ଶବ୍ଦର ବହୁବଚନରେ Judges, ମାତ୍ର ଓଡ଼ିଆରେ ଜଜ ଶବ୍ଦର ବହୁବଚନ ଜଜମାନେ । ଅର୍ଥାତ୍ ଓଡ଼ିଆରେ ପ୍ରଚଳିତ 'ମାନେ' ସଙ୍କେତ ପ୍ରାଧାନ୍ୟ ଲାଭ କରିଥିବାରୁ ବର୍ତ୍ତମାନ ବିଦେଶାଗତ ଜଜ ଶବ୍ଦ ସହିତ ବୈଦେଶିକ ସଙ୍କେତ ଯୁକ୍ତ ନ ହୋଇ ତାହା ସହିତ ଓଡ଼ିଆ ସଙ୍କେତ ବ୍ୟବହୃତ ହେଉଅଛି । ଏହିପରି ପାରସିକ ଶବ୍ଦମାନଙ୍କ ସହିତ ବହୁତ୍ୱସୂଚକ 'ଆନ୍' ସଙ୍କେତ ଯୁକ୍ତ ହେଉଥିବାର ରୀତି ପ୍ରଚଳିତ ଥିବାରୁ ଓ ଏକ ସମୟରେ ପାରସିକ ଭାଷାର ପ୍ରଭାବରୁ ମେମ୍ବରାନ୍ (ଇଂରାଜୀ member) କିଲଟରାନ୍ (ଇଂରାଜୀ collector) ପ୍ରଭୃତି ଶବ୍ଦ ବ୍ୟବହୃତ ହେଉଥିଲେହେଁ ବର୍ତ୍ତମାନ ଏମାନଙ୍କ ସହିତ ଓଡ଼ିଆ 'ମାନେ' ପ୍ରଯୁକ୍ତ ହେଉଅଛି । ଯଥା- ମେମ୍ବରମାନେ, କିଲଟରମାନେ ଇତ୍ୟାଦି । ଭାଷାତତ୍ତ୍ୱ ଆଲୋଚନା ସମୟରେ ଆମ୍ଭେମାନେ ଏପରି ଅନୁକରଣ ପ୍ରୟୋଗର ଭୂରି ଭୂରି ଉଦାହରଣ ପାଇଥାଉଁ । ଛାତ୍ର ଶବ୍ଦର ସ୍ତ୍ରୀଲିଙ୍ଗରେ ଛାତ୍ରୀ, ପାତ୍ର ଶବ୍ଦର ସ୍ତ୍ରୀଲିଙ୍ଗରେ ପାତ୍ରୀ ଶବ୍ଦ ମଧ୍ୟ ଏହିପରି ଅନୂକରଣର ଉଦାହରଣ, କାରଣ ଏ ଦୁଇଗୋଟି ଶବ୍ଦ ସଂସ୍କୃତରେ ୯୫

ସରଳ ଭାଷାତ‌ତ୍ତ୍ୱ

ଅପ୍ରଚଳିତ ଓ ସଂସ୍କୃତ ବ୍ୟାକରଣ ଅନୁସାରେ ଅଶୁଦ୍ଧ ହେଲେହେଁ (ସଂ ଛାତ୍ର ‌- ଛାତ୍ରା; ପାତ୍ର-ପାତ୍ର) ଓଡ଼ିଆରେ ସୁପ୍ରଚଳିତ । ଅକାଟ୍ୟ, ବିତରିତ, ବରିତ, ସୃଜିତ, ପ୍ରବହମାନ, ମାନବିକ, ସିଞ୍ଚନ, ବିକୀରଣ ପ୍ରଭୃତିରେ ମଧ୍ୟ ଏକ ଦିଗରେ ଅନୂକରଣପ୍ରବୃତ୍ତି ଓ ଅନ୍ୟ ଦିଗରେ ବ୍ୟାକରଣଗତ ଅଜ୍ଞତା ପ୍ରକାଶ ପାଉଅଛି । ମାତ୍ର ଭାଷାତ୍ତ୍ୱ ଦିଗରୁ ଏପରି ଅନୁକରଣପ୍ରବୃତ୍ତିରେ କୌଣସି ଦୋଷ ନାହିଁ, ବରଂ ଏପରି ଅଜ୍ଞତାଜନିତ ଅନୁକରଣଦ୍ୱାରାହିଁ ଭାଷା ଅନେକ ସମୟରେ ସମୃଦ୍ଧ ହୋଇଅଛି । ଭାଷାର ଗତି ବା ଇତିହାସ ଅନୁସରଣ କଲେ ଆମ୍ଭେମାନେ ଦେଖୁଁ ଯେ ସାଧାରଣତଃ ଆଦିମ ଅବସ୍ଥାରେ ଆଦୌ ସଙ୍କେତମାନଙ୍କର ବ୍ୟବହାର ନ ଥିଲା । ପରବର୍ତ୍ତୀ ଯୁଗରେ ସଙ୍କେତମାନଙ୍କର ବ୍ୟବହାର ବହୁଳଭାବରେ ପ୍ରବର୍ତ୍ତିତ ହେଲା । ତତ୍ପରବର୍ତ୍ତୀ ଯୁଗରେ ପୁଣି ସଙ୍କେତମାନଙ୍କର ବ୍ୟବହାରରେ ସଂକୋଚ ସାଧିତ ହୋଇ କେତେଗୁଡ଼ିଏ ସଙ୍କେତ ରକ୍ଷିତ ହେଲା, ପୁଣି ଅନେକ ସ୍ଥଳରେ ସଙ୍କେତର ଅଭାବ ଅନ୍ୟ ନାନା ଆକାରରେ ପୂରଣ କରାଯାଇଥିଲା । ଓଡ଼ିଆରେ ସଙ୍କେତର ବ୍ୟବହାର ଓ ସଙ୍କେତର ପ୍ରୟୋଗର ଅଭାବରୁ ଦୁଇଗୋଟି ରୀତି ସମୟ ସମୟରେ ଦେଖାଯାଏ । ସେମାନଙ୍କୁ ଶ୍ରେଣୀବଦ୍ଧ କରିବାର ପ୍ରୟାସ ମଧ୍ୟ ହୋଇଅଛି । ଆମ୍ଭେମାନେ କହୁଁ 'ଗାଡ଼ି କଲେଜ ଗଲା'; ଏଠାରେ କଲେଜ ସହିତ ପ୍ରଯୁକ୍ତ ସଙ୍କେତ 'କୁ' ଊହ୍ୟ ରହିଅଛି ଅର୍ଥାତ୍ 'କଲେଜକୁ' ଓ 'କଲେଜ' ଉଭୟ ପ୍ରକାର ପ୍ରୟୋଗ ଶୁଦ୍ଧ । କିନ୍ତୁ ବ୍ୟବହାରରୀତିରେ 'ଗାଡ଼ି ଡାକ' 'ଗାଡ଼ିବାଲାକୁ ଡାକ' ଏଭଳି ପ୍ରୟୋଗ ସାଧାରଣତଃ ହେଉଥିବାରୁ ପ୍ରାଣୀବାଚକ ଓ ଅପ୍ରାଣୀବାଚକ ଶବ୍ଦକ୍ଷେତ୍ରରେ ପ୍ରୟୋଗର ପାର୍ଥକ୍ୟ ବ୍ୟାକରଣ ମାନଙ୍କରେ ସୂଚିତ ହୋଇଥାଏ । ମାତ୍ର ବାସ୍ତବରେ ସଙ୍କେତ ଚିହ୍ନର ବିଲୋପ ଭାଷାର ଦ୍ୱିତୀୟ ସ୍ତରକୁ ନିର୍ଦ୍ଦେଶିତ କରୁଅଛି । 'ସେ ବହି ଲେଖିଲା', 'ସେ ଟଙ୍କା ଦେଲା', 'ସେ ମାମଲା କଲା' ପ୍ରଭୃତି ପ୍ରୟୋଗମାନଙ୍କରେ ସାଙ୍କେତିକ 'କୁ' ର ଲୋପ ଭାଷାତତ୍ତ୍ବ ଅନୂସାରେ ସାଧାରଣ ରୀତିରୂପେ ପ୍ରଚଳିତ ହେବାହିଁ ବିଧି । ପୁଣି 'ଗାଡ଼ି ଡାକ' ଓ 'ଗାଡ଼ିକୁ ଡାକ' ଏହି ଦୁଇ ବାକ୍ୟରେ 'କୁ'ର ବ୍ୟବହାରଦ୍ୱାରା 'ନିର୍ଦ୍ଦେଶ' ସୂଚିତ ହେଉଅଛି ଓ ଏହା ଓଡ଼ିଆରେ ଏକ ବିଶେଷ ପ୍ରୟୋଗବିଧି ।

ଭାଷାତତ୍ତ୍ୱ ଆଲୋଚନା କରିବା ସମୟରେ ପ୍ରତ୍ୟେକ ସଙ୍କେତର ଉତ୍ପତ୍ତି, ଇତିହାସ, ପ୍ରୟୋଗବିଧି, ପରିଣତି ଓ ତାହା ଉପରେ ଅନ୍ୟ ଭାଷାମାନଙ୍କରେ ବ୍ୟବହୃତ ସଙ୍କେତର ପ୍ରଭାବ ପ୍ରଭୃତି ସମସ୍ତ ଆଲୋଚନା କରିବାକୁ ହୋଇଥାଏ । ଏପରି ଆଲୋଚନା ଏକ ଦୁରୂହ ବ୍ୟାପାର । କାରଣ ଶବ୍ଦମାନଙ୍କର ଉତ୍ପତ୍ତି ଓ ଅର୍ଥଗତ ବିକାର ବିଷୟରେ ଅନେକ ସ୍ଥାନରେ ସୁସ୍ପଷ୍ଟ ଇଙ୍ଗିତ ଥିଲେହେଁ ସଙ୍କେତମାନଙ୍କର ଉତ୍ପତ୍ତି ବିଷୟରେ ଏପରି ସୂଚନା ମିଳେ ନାହିଁ । ତେଣୁ ଆମ୍ଭମାନଙ୍କୁ ଅନେକ କ୍ଷେତ୍ରରେ ଅନୁମାନ ଉପରେ ନିର୍ଭର କରିବାକୁ ହୋଇଥାଏ । ଭାଷାର ପ୍ରାଚୀନ ସ୍ତରର ସମ୍ୟକ୍ ଆଲୋଚନା ଏ ବିଷୟରେ ଏକମାତ୍ର ନିର୍ଭର ଯୋଗ୍ୟ ଉପାଦାନ । କିନ୍ତୁ ଏଠାରେ ମଧ୍ୟ ଅନୁମାନ କୁ ନିୟନ୍ତ୍ରିତ କରିବାକୁ ହେବ, କାରଣ କେବଳ ଓଡ଼ିଆରେ ବ୍ୟବହୃତ ସମ୍ବନ୍ଧ ସୂଚକ 'ର' ସଙ୍କେତ (ରାମର ବହି) ଓ ଛୋଟ ନାଗପୁର ଅଞ୍ଚଳର ଅସୁରଜାତିର ଭାଷାରେ 'ରା' ସମ୍ବନ୍ଧସୂଚକ ଚିହ୍ନରୂପେ ବ୍ୟବହୃତ ହେବାର ଦେଖି ଏହି ସଙ୍କେତଟି ଓଡ଼ିଆରେ ଅସୁରଭାଷାରୁ ଗୃହୀତ ହୋଇଅଛି ବୋଲି ଅନୁମାନ କରିବା ଭାଷାତ‌ତ୍ତ୍ୱାନୁମୋଦିତ ନୁହେଁ; କାରଣ କୌଣସି ସମୟରେ ଏ ଦୁଇଭାଷା ପରସ୍ପର ସହିତ ସମ୍ପୃକ୍ତ ହେବାର ଇତିହାସ ନାହିଁ କିମ୍ବା ଓଡ଼ିଆରେ ଅସୁର ଭାଷାର ଅନ୍ୟ କୌଣସି ପ୍ରକାର ଅନୁକୃତିର ଚିହ୍ନ ମଧ୍ୟ ଆମ୍ଭେମାନେ ପାଉ ନାହିଁ । ଅନ୍ୟ ଦିଗରେ ଓଡ଼ିଆ 'କୁ' ଦ୍ରାବୀଡ଼ ଭାଷାରୁ ଅନୁକୃତ ଏ ବିଷୟରେ ବିଶେଷ ସନ୍ଦେହର ଅବକାଶ ନାହିଁ, କାରଣ ଉଭୟ ଭାଷା ମଧ୍ୟରେ ସମ୍ପର୍କର ବହୁ ନିଦର୍ଶନ ଆମ୍ଭେମାନେ ପାଇଥାଉଁ । ଏଣୁ କୌଣସି ସିଦ୍ଧାନ୍ତ ଅନୁମାନ ଉପରେ ନିର୍ଭର କରିବାକୁ ହେଲେ ସେ ବିଷୟରେ ଉପଯୁକ୍ତ ପ୍ରମାଣ ଭାଷାତ‌ତ୍ତ୍ୱରେ ସର୍ବାଦୌ ପ୍ରୟୋଜନ ଓ ଉପଯୁକ୍ତ ପ୍ରମାଣ ନ ଥିଲେ ବାସ୍ତବ ଓ ପ୍ରକୃତ ଅନୁମାନ ମଧ୍ୟ ସ୍ୱୀକୃତ ହୋଇ ପାରେ ନାହିଁ । ଓଡ଼ିଆର କ୍ରମ ବିକାଶ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଏହି ଭାଷାରେ ବ୍ୟବହୃତ ଶବ୍ଦମାନ ଅଧିକାଂଶ ମୂଳତଃ ସଂସ୍କୃତରୁ ଉଦ୍ଭୂତ ହୋଇଥିଲେହେଁ ସଂସ୍କୃତ ବ୍ୟାକରଣ ଗତ ନାନା ସଙ୍କେତ ଏଥିରେ ଲୁପ୍ତ ହୋଇ ଯାଇଅଛି । ନାନାପ୍ରକାର ସାଙ୍କେତିକ ଚିହ୍ନ ଅନ୍ୟ ଭାଷାମାନଙ୍କରୁ ଆହୃତ ହୋଇଅଛି, ଭାଷାର ବ୍ୟବହାର ରୀତିରେ ମଧ୍ୟ ନାନାପ୍ରକାର ପରିବର୍ତ୍ତନ ଘଟିଅଛି । ସଂସ୍କୃତର ଦ୍ୱିବଚନ ଓଡ଼ିଆ ଭାଷାରୁ ସମ୍ପୂର୍ଣ୍ଣଭାବରେ ଅନ୍ତର୍ହିତ ହୋଇଅଛି, ପ୍ରକୃତିଗତ ଲିଙ୍ଗ ପ୍ରତିଷ୍ଠିତ ହୋଇଅଛି ଓ ବିଭିନ୍ନ ଶବ୍ଦମାନଙ୍କର କାରକଗତ ରୂପମାନଙ୍କ ମଧ୍ୟରେ ମଧ୍ୟରେ ସମତା ସୃଷ୍ଟି କରାଯାଇଅଛି । ଯେଉଁ ଭାଷା ସମ୍ପୂର୍ଣ୍ଣଭାବରେ ସାଙ୍କେତିକ ଚିହ୍ନ ଦ୍ବାରା ନିୟନ୍ତ୍ରିତ, ତାକୁ ଭାଷାତତ୍ତ୍ବରେ synthetic ବା ସଂଶ୍ଳେଷିତ ଭାଷା ବୋଲାଯାଏ । ଅପରପକ୍ଷରେ ଯେଉଁ ଭାଷାରେ ସାଙ୍କେତିକ ଚିହ୍ନର ବ୍ୟବହାର ଆଦୌ ନାହିଁ ବା ଅତ୍ୟନ୍ତ ଅଳ୍ପ, ତାକୁ analytic ବା ବିଶ୍ଳେଷିତ ଭାଷା ବୋଲାଯାଇ ପାରେ । ଏହି ଅନୁସାରେ ସଂସ୍କୃତ, ଲାଟିନ ପ୍ରଭୃତି ଭାଷାକୁ ସଂଶ୍ଳେଷିତ ଭାଷା ବୋଲାଯାଏ ଓ ଇଂରାଜୀକୁ ବିଶ୍ଳେଷିତ ଭାଷା ବୋଲାଯାଏ, ମାତ୍ର ଓଡ଼ିଆ ସଂଶ୍ଳେଷିତ ଭାଷା ନ ହୋଇଥିଲେହେଁ ଏଥିରେ ସାଙ୍କେତିକ ଚିହ୍ନମାନଙ୍କର ପ୍ରୟୋଗ ଏତେ ସୁସ୍ପଷ୍ଟ ଓ ସେମାନଙ୍କର ପ୍ରଭାବ ଏତେ ବ୍ୟାପକ ଯେ, ଏହାକୁ ପୂର୍ଣ୍ଣଭାବରେ ବିଶ୍ଳେଷିତ ଭାଷା ମଧ୍ୟ ବୋଲାଯାଇ ନ ପାରେ । ବାସ୍ତବରେ ଏହା ଉଭୟ ପ୍ରକାର ଭାଷାର ମଧ୍ୟ ସ୍ତର ଓ ଉଭୟ ପ୍ରକାର ଭାଷାର ଲକ୍ଷଣ ଯୁକ୍ତ ବୋଲି ମନେ କରାଯାଇ ପାରେ । ଏଣୁ ଏହି ଭାଷାର ବ୍ୟାକରଣ ବା ଶବ୍ଦମାନଙ୍କର ପ୍ରୟୋଗବିଧି ମଧ୍ୟ ଏହି କ୍ରମ ବିକାଶର ସ୍ତରକୁ ଲକ୍ଷ୍ୟ ରଖି ଲିଖିତ ହେବା ଉଚିତ ।

ଭାଷାଗୋଷ୍ଠୀ

ପୃଥିବୀରେ ଆଜିକାଲି ନାନାଭାଷା ପ୍ରଚଳିତ । ପ୍ରତ୍ୟେକ ଦେଶରେ ମଧ୍ୟ ଏକାଧିକ ଭାଷା କଥିତ ହେଉଅଛି । ବର୍ତ୍ତମାନ ଯାତାୟାତର ସୁବିଧାଯୋଗୁଁ ଓ ପୃଥିବୀର ଯେ କୌଣସି ସ୍ଥାନରୁ ଅନ୍ୟ ସ୍ଥାନ‌କୁ ଯିବା ସୁକର ହେବାରୁ ଭାଷାଗତ ପାର୍ଥକ୍ୟ ଲୋକମାନଙ୍କର ଏକ ବିଶେଷ ଅସୁବିଧାର କାରଣ ହୋଇଅଛି । ବର୍ତ୍ତମାନ ସାରା ପୃଥିବୀରେ ଗୋଟିଏ ଭାଷା ପ୍ରଚଳିତ କରିବାର ଚେଷ୍ଟା କରାଯାଉଅଛି । ଅବଶ୍ୟ କେତେକ ସ୍ଥାନରେ ରାଜନୈତିକ କାରଣରୁ ଓ ଅନ୍ୟ କେତେକ ସ୍ଥାନରେ ଅର୍ଥନୈତିକ ସମ୍ପର୍କରୁ ବିଦେଶୀ ଭାଷା ଅନାୟାସରେ ଓ ଅବାଧରେ ସୁପ୍ରଚଳିତ ହେଉଅଛି ଓ ଅନେକ ସମୟରେ ଦେଶ ମଧ୍ୟରେ ଐକ୍ୟ ସ୍ଥାପନର ସହାୟକ ମଧ୍ୟ ହେଉଅଛି ମାତ୍ର ଦେଶଭେଦରେ ବିବିଧ ଭାଷାମାନଙ୍କ ମଧ୍ୟରେ ପାର୍ଥକ୍ୟ ଏତେ ସ୍ପଷ୍ଟ ଯେ, ଭାଷାର ବିଭିନ୍ନତା ମନୁଷ୍ୟମାନଙ୍କ ମଧ୍ୟରେ ମନାନ୍ତରର କାରଣ ହୋଇଅଛି ଓ ମିଥ୍ୟା ଦେଶାତ୍ମବୋଧ ବା ଭ୍ରାନ୍ତ ଗୋଷ୍ଠୀବୋଧ ମଧ୍ୟ ଜାତ କରାଇଅଛି । ଭାଷାତତ୍ତ୍ୱରେ ପ୍ରଚଳିତ ଭାଷାମାନଙ୍କୁ ଶ୍ରେଣୀବିଭାଗ କରିବାର ଚେଷ୍ଟା କରାଯାଇଥାଏ ଓ ଭାଷାର ଉତ୍ପତ୍ତି କିମ୍ବା ପ୍ରୟୋଗବିଧି ଏହିପରି ଶ୍ରେଣୀବିଭାଗର ମାନରୂପେ ନିର୍ଦ୍ଦିଷ୍ଟ ହୋଇଥାଏ । ଅନେକ ସମୟରେ ଏକ ମୂଳ ଭାଷାରୁ ଉତ୍ପନ୍ନ ବିବିଧ ଭାଷା ମଧ୍ୟରେ ଏକ ପ୍ରକାରର ପ୍ରୟୋଗବିଧି ଲକ୍ଷିତ ହୁଏ ନାହିଁ, ଏଣୁ ଉଭୟ ପ୍ରକାର ଶ୍ରେଣୀବିଭାଗରେ ବିଶୃଙ୍ଖଳା ଜାତ ହେବା ସ୍ୱାଭାବିକ । ଅନ୍ୟ ଦିଗରେ ଓଡ଼ିଆ ସଂସ୍କୃତରୁ ଉତ୍ପନ୍ନ ହେଲେହେଁ ଓ ଓଡ଼ିଆକୁ ସଂସ୍କୃତ ସହିତ ଉତ୍ପତ୍ତିଗତ ମାନ ଦ୍ୱାରା ଏକଶ୍ରେଣୀଭୁକ୍ତ କରାଗଲେହେଁ ପ୍ରୟୋଗବିଧି ଅନୁସାରେ ଓଡ଼ିଆ ସଂସ୍କୃତରୁ ଭିନ୍ନ । କାରଣ ଓଡ଼ିଆ ମୁଖ୍ୟତଃ ବିଶ୍ଳେଷିତ ଭାଷା ଓ ସଂସ୍କୃତ ସଂଶ୍ଳେଷିତ ଭାଷା । ଉତ୍ପତ୍ତିଗତ ଗୋଷ୍ଠୀ ନିରୂପଣ କରିବାକୁ ହେଲେ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ଉତ୍ପତ୍ତିକୁ ଆଲୋଚନା କରିବାକୁ ହୁଏ । ଭାଷା ମଧ୍ୟରେ ନାନା ବୈଦେଶିକ ଭାଷାର ଶବ୍ଦ ଅବାଧରେ ୯୮ ସରଳ ଭାଷାତତ୍ତ୍ୱ

ବ୍ୟବହୃତ ହେଉଥିଲେହେଁ ମୂଖ୍ୟ ଭାଷାର ମୂଳ ଶବ୍ଦମାନଙ୍କର ଉତ୍ପତ୍ତି ଆଲୋଚନା କରାଯାଇ ଶ୍ରେଣୀର ନିର୍ଦ୍ଦେଶ ଦିଆଯାଇଥାଏ । ପୁଣି ପ୍ରୟୋଗବିଧି ଅନୁସାରେ ଭାଷାକୁ ଶ୍ରେଣୀବିଭାଗ କରିବାକୁ ହେଲେ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ବ୍ୟାକରଣଗତ ସମ୍ପର୍କ ବିଷୟରେ ନିର୍ଦ୍ଦେଶ ଦେବାକୁ ହୋଇଥାଏ ।

ପ୍ରୟୋଗବିଧି ଅନୁସାରେ ଭାଷାମାନଙ୍କୁ ମୂଖ୍ୟତଃ ତିନିଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ- (୧) ବିଛିନ୍ନ ଶବ୍ଦଯୁକ୍ତ ଭାଷା (୨)ସଂଯୁକ୍ତ ଶବ୍ଦଯୁକ୍ତ ଭାଷା ଓ (୩) ବିଭକ୍ତ୍ୟନ୍ତ ବା ସାଙ୍କେତିକ ଚିହ୍ନଯୁକ୍ତ ଭାଷା । ଅବଶ୍ୟ ଏହି ଶ୍ରେଣୀବିଭାଗ ପୂର୍ଣ୍ଣ ବା ବିଜ୍ଞାନସମ୍ମତ ନୁହେଁ ଓ ପୃଥିବୀର ଭାଷାମାନଙ୍କୁ ବାସ୍ତବରେ ଏପରି ଭାବରେ ଶ୍ରେଣୀବଦ୍ଧ କରିବା ଭାଷାତତ୍ତ୍ୱାନୁମୋଦିତ ନୁହେଁ; କିନ୍ତୁ ଏହି ରୀତି ସାଧାରଣତଃ ଅବଲମ୍ବିତ ହୋଇଥାଏ । ଏପରି ଅନେକ ଭାଷା ଅଛି, ଯାହା ବାସ୍ତବରେ ଏହି ତିନି ଶ୍ରେଣୀ ମଧ୍ୟରୁ ଠିକ୍ କେଉଁ ଶ୍ରେଣୀର ଅନ୍ତର୍ଗତ ହେବ, ତାହା ନିଶ୍ଚିତଭାବରେ କହିବା ଅସମ୍ଭବ । ପୁଣି ସଂଯୁକ୍ତ ଶବ୍ଦଯୁକ୍ତ ଭାଷା ଅଧିକାଂଶ ସମୟରେ ସାଙ୍କେତିକ ଚିହ୍ନଯୁକ୍ତ ଭାଷାରେ ପରିଣତ ହୋଇଥାଏ ଓ ଏମାନଙ୍କ ମଧ୍ୟରେ ସୀମା ରେଖା ନିଶ୍ଚିତଭାବରେ ଦିଆଯାଇ ପାରେ ନାହିଁ । ମାତ୍ର ସୂକ୍ଷ୍ମ ବିଚାର ନ କରି ସାଧାରଣତଃ ଏପରି ଭାବରେ ତିନିଶ୍ରେଣୀରେ ବିଭକ୍ତ କରିବା ରୀତି ସୁପ୍ରଚଳିତ । ଚୀନ ଦେଶର ଭାଷା ବିଚ୍ଛିନ୍ନ ଶବ୍ଦଯୁକ୍ତ ଭାଷା, ଅର୍ଥାତ ଚୀନଭାଷାରେ ପ୍ରତ୍ୟେକ ଭାବର ଦ୍ୟୋତକ କେତେଗୁଡ଼ିଏ ଶବ୍ଦ ପ୍ରଚଳିତ ଅଛି । ଏହି ଶବ୍ଦମାନଙ୍କ ସଂଖ୍ୟା ପ୍ରାୟ ୪୦,୦୦୦; ପ୍ରତ୍ୟେକ ଶବ୍ଦ ନିମନ୍ତେ ଗୋଟିଏ ଅକ୍ଷର ପ୍ରଚଳିତ, ପ୍ରତ୍ୟେକ ଶବ୍ଦ ବିଚ୍ଛିନ୍ନ ଭାବରେ ଓ ଅନ୍ୟ କୌଣସି ପ୍ରତ୍ୟୟ, ବିଭକ୍ତିଚିହ୍ନ, ଉପପଦ, ଉପସର୍ଗ ପ୍ରଭୃତି କୌଣସି ସାଙ୍କେତିକ ଚିହ୍ନ ଅବଲମ୍ବନ ନ କରି ବାକ୍ୟରେ ବ୍ୟବହୃତ ହୋଇଥାଏ । ଆମ୍ଭେମାନେ କହୁଁ , ‘ରାମ ଘରକୁ ଯିବ’ ଓ ଏହି ବାକ୍ୟରେ ‘କୁ’ ସାଙ୍କେତିକ ଚିହ୍ନଦ୍ୱାରା ଘର ସହିତ ଯିବାର ସମ୍ପର୍କ ନିର୍ଦ୍ଦିଷ୍ଟ ହେଉଅଛି ଏବଂ ଯିବ ଶବ୍ଦରେ ‘ଯା’ ଧାତୁର ବିକୃତିଦ୍ୱାରା ଯିବାର କାଳ, ବଚନ ଓ ପୁରୁଷ ପ୍ରଭୃତି ମଧ୍ୟ ସୂଚିତ ହେଉଅଛି; ମାତ୍ର ଚୀନ ଭାଷାରେ ‘ରାମ ଘର ଯା’ ଏହିପରି ବିଚ୍ଛିନ୍ନଭାବରେ ଶବ୍ଦଗୁଡ଼ିକ ବ୍ୟବହୃତ ହୋଇଥାଏ ଓ ବାକ୍ୟ ମଧ୍ୟରେ ଶବ୍ଦମାନଙ୍କର ଅବସ୍ଥାନଦ୍ୱାରା ସେମାନଙ୍କର ସମ୍ପର୍କ ବା ଅର୍ଥଗତ ପରିବର୍ତ୍ତନ ସୂଚିତ ହୋଇଥାଏ, ଏପରି କି ‘ଘର’ ଅର୍ଥସୂଚକ ପଦ ବାକ୍ୟର ଶେଷରେ ବ୍ୟବହୃତ ହେଲେ ସଂପୂର୍ଣ୍ଣ ଭିନ୍ନ ଅର୍ଥ ମଧ୍ୟ ସୂଚିତ କରିପାରେ । ଏଣୁ ଚୀନ ଭାଷାକୁ ବିଚ୍ଛିନ୍ନ ଶବ୍ଦଯୁକ୍ତ ଭାଷାର ପ୍ରକୃଷ୍ଟ ଉଦାହରଣରୂପେ ଗ୍ରହଣ କରାଯାଇଥାଏ ।
ସରଳ ଭାଷାତତ୍ତ୍ୱ
୯୯

ପୁଣି କେତେକ ଭାଷାରେ ଶବ୍ଦଗୁଡିକ କେବଳ ସଂଯୁକ୍ତ ହୋଇ ବ୍ୟବହୃତ ହୋଇଥାଏ । ଇଂରାଜୀରେ ଦୃତଉଚ୍ଚାରଣ ସମୟରେ How do you do ? ଏହି ଚାରୋଟି ଶବ୍ଦ ଯେପରି ଗୋଟିଏ ଶବ୍ଦରେ ପରିଣତ ହୁଏ, ସେହିପରି କେତେକ ଭାଷାରେ ଶବ୍ଦଗୁଡିକ ପରସ୍ପର ସହିତ ସମ୍ବନ୍ଧ ହୋଇ ଅର୍ଥ ପ୍ରକାଶିତ କରେ । ତୁର୍କୀ, ମାଗ୍ୟାର, ଜାପାନୀ ପ୍ରଭୃତି କେତେକ ଭାଷା ଏହି ଶ୍ରେଣୀର ଓ ଏମାନଙ୍କ ମଧ୍ୟରେ ତୁର୍କୀ ଭାଷାରେ ଏହି ରୀତି ଅଧିକ ପ୍ରଚଳିତ । ଓଡିଆରେ ଆମ୍ଭେମାନେ 'ପିଲା ସବୁ' ଶବ୍ଦକୁ ପିଲାର ବହୁବଚନରୂପେ ବ୍ୟବହାର କରିଥାଉଁ ଓ ଏଠାରେ ଦୁଇଗୋଟି ଭିନ୍ନ ଶବ୍ଦକୁ ଏକତ୍ର ସଂଯୁକ୍ତ କରିବାର ପ୍ରୟାସ କରାଯାଇଅଛି । ଏପରି ପ୍ରୟୋଗବିଧି ଓଡିଆରେ ଅଧିକ ନୁହେଁ, ମାତ୍ର ତୁର୍କୀ ଭାଷାରେ ଏହାହିଁ ପ୍ରଚଳିତ ରୀତି ଓ ତୁର୍କୀରେ 'ମୁଁ ଘରକୁ ଯିବି' ଏହି ଅର୍ଥ ଘର ଓ ଯା+ମୁଁ+ପରେ ଏହିପରି ଦୁଇଗୋଟି ଶବ୍ଦଦ୍ୱାରା ପ୍ରକାଶିତ ହୋଇଥାଏ ।
ଏହିପରି ଶବ୍ଦ ସଂଯୋଗରୁ କ୍ରମଶଃ ଶଭଗୁଡିକ କ୍ଷୟପ୍ରାପ୍ତ ହୋଇ ବିଭକ୍ତି ଚିହ୍ନ ଓ ପ୍ରତ୍ୟୟ ଆଦି ସାଙ୍କେତିକ ପ୍ରୟୋଗମାନଙ୍କରେ ପରିଣତ ହୋଇଥିବା ସମ୍ଭବ ହୋଇଥିଲେହେଁ ଏ ବିଷୟରେ ନିଶ୍ଚିତଭାବରେ କିଛି କୁହାଯାଇ ପାରେ ନାହିଁ । ମାତ୍ର ବର୍ତ୍ତମାନ ଯେଉଁ ସବୁ ଭାଷାରେ ଏପରି ସାଙ୍କେତିକ ଚିହ୍ନମାନ ପ୍ରଯୁକ୍ତ ହୋଇଥାଏ, ସେ ସବୁ ପୂର୍ବୋକ୍ତ ସଂଯୁକ୍ତ ଶବ୍ଦଯୁକ୍ତ ଭାଷାମାନଙ୍କରୁ ପୃଥକ୍ ବୋଲି ଅନୁମାନ କରାଯାଏ । ସଂଯୁକ୍ତ ଶବ୍ଦଯୁକ୍ତ ଭାଷାମାନଙ୍କରେ ମଧ୍ୟ ଅନେକ ପ୍ରକାର ଶ୍ରେଣୀବିଭାଗ କଳ୍ପିତ ହୋଇଥାଏ । କୌଣସି କୌଣସି ଭାଷାରେ ଦୁଇ ତିନୋଟି ପୃଥକ ଶବ୍ଦ ଏକତ୍ର ସଂଯୁକ୍ତ ହୋଇଥାଏ, ପୁଣି କେତେକ ଭାଷାରେ କେବଳ ସର୍ବନାମପଦ କ୍ରିୟାପଦ ସହିତ ସଂଯୁକ୍ତ ହୋଇଥାଏ ଓ ଏପରି ସଂଯୁକ୍ତ ପଦରେ କେତେକ ଭାଷାରେ କ୍ରିୟାପଦଟି ପୂର୍ବରେ ବସେ ଓ ଅନ୍ୟ କେତେକ ଭାଷାରେ ତାହା ପରେ ବ୍ୟବହୃତ ହୁଏ । ଏପରି ସୂକ୍ଷ୍ମ ଶ୍ରେଣୀବିଭାଗର ଆଲୋଚନା ଏ ଗ୍ରନ୍ଥରେ କରିବା ସମ୍ଭବ ନୁହେ ।

ଯେଉଁ ଭାଷାମାନଙ୍କରେ ସାଙ୍କେତିକ ଚିହ୍ନମାନଙ୍କର ବ୍ୟବହାର ସୁସ୍ପଷ୍ଟ, ସେମାନଙ୍କୁ ଗୋଟିଏ ବିଶେଷ ଶ୍ରେଣୀରେ ବିଭକ୍ତ କରାଯାଇଥାଏ‌- ସଂସ୍କୃତ, ଇଂରାଜୀ, ଓଡିଆ, ଆର୍ବି ପ୍ରଭୃତି ଏହି ଶ୍ରେଣୀର ଅନ୍ତର୍ଗତ । ମାତ୍ର ଏମାନଙ୍କ ମଧ୍ୟରେ କେତେକ ଭାଷାରେ ସାଙ୍କେତିକ ଚିହ୍ନମାନଙ୍କ ବ୍ୟବହାରର ତାରତମ୍ୟ ଘେନି ପୁଣି ଏମାନଙ୍କୁ ନାନା ଶ୍ରେଣୀର ବିଭକ୍ତ କରାଯାଇଛି। ଏ ସବୁର ସୂକ୍ଷ୍ମ ବିଚାର ଏଠାରେ ସମ୍ଭବ ନୁହେ ଏବଂ ଏହି ସାଙ୍କେତିକ ଚିହ୍ନମାନଙ୍କର ଉତ୍ପତ୍ତି ସମ୍ବନ୍ଧରେ ମଧ୍ୟ ଅନୁମାନଙ୍କୁ ଆଶ୍ରୟ କରିବା ଭିନ୍ନ ୧୦୦
ସରଳ ଭାଷାତତ୍ତ୍ୱ

ଗତ୍ୟନ୍ତର ନାହିଁ ଓ ଏ ବିଷୟରେ କୌଣସି ସ୍ଥିର ସିଦ୍ଧାନ୍ତରେ ଉପନୀତ ହେବା ମଧ୍ୟ ସମ୍ଭବ ନୁହେଁ ।
ଭାଷାମାନଙ୍କର ଉତ୍ପତ୍ତି ଘେନି ଶ୍ରେଣୀବିଭାଗ କଲେ ଆମ୍ଭେମାନେ ଦେଖୁଁ ଯେ, ଭାଷାରେ କେତେଗୁଡ଼ିଏ ଶବ୍ଦ ବହୁକାଳରୁ ପ୍ରଚଳିତ ଓ ଅନ୍ୟ କେତେ ଗୁଡ଼ିଏ ଶବ୍ଦ ବୈଦେଶିକ । ଅବଶ୍ୟ ବର୍ତ୍ତମାନ ପ୍ରତ୍ୟେକ ଭାଷାରେ ଅନେକ ବୈଦେଶିକ ଶବ୍ଦ ପ୍ରଚଳିତ ଏବଂ ବହୁ ପୁରାତନ କାଳରୁ ମଧ୍ୟ ଭାଷାରେ ଏପରି ଶବ୍ଦମାନଙ୍କର ପ୍ରଚଳନ ସମ୍ଭବପର ହୋଇଥାଇପାରେ; ମାତ୍ର ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ଆଲୋଚନା କରି ଆମ୍ଭେମାନେ ତାହାର ଉତ୍ପତ୍ତିଗତ ଶ୍ରେଣୀ ନିର୍ଣ୍ଣୟ କରିଥାଉଁ । ଓଡ଼ିଆରେ ବ୍ୟବହୃତ 'ଗାସ୍' ବା 'ଜଜ୍' ଶବ୍ଦ ଇଂରାଜିରୁ ଗୃହୀତ ବୋଲି ଯେ ଓଡ଼ିଆ ଭାଷା ଇଂରାଜିରୁ ଉତ୍ପନ୍ନ ତାହା ନୁହେ, କିମ୍ବା ଏଥିରେ ହଲପ, ରଫା, ମୁକାବିଲା ପ୍ରଭୃତି ଶବ୍ଦ ପ୍ରଚଳିତ ବୋଲି ଏହା ଯେ ଆରବୀ ଭାଷରୁ ଜାତ ତାହା ମଧ୍ୟ କୁହାଯାଇ ନ ପାରେ । ପୁଣି ଏହି ଭାଷାରେ ବ୍ୟବହୃତ ଅନେକ ଶବ୍ଦ ଦ୍ରାବିଡ଼ରୁ ଗୃହିତ ହୋଇଅଛି ଓ ଓଡ଼ିଆରେ ନାନା ପ୍ରୟୋଗ ବିଧି ଦ୍ରାବିଡ଼ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିବା ସମ୍ଭବ; ମାତ୍ର ଓଡ଼ିଆ ଦ୍ରାବିଡ଼ ଭାଷାରୁ ଉତ୍ପନ୍ନ ବୋଲି ଆମ୍ଭେମାନେ କହି ନ ପାରୁ । ଅନ୍ୟ ଦିଗରେ ଆଲୋଚନା କଲେ ଅନେକ ଓଡ଼ିଆ ଶବ୍ଦ ସଂସ୍କୃତରୁ ଗୃହୀତ ହୋଇଥିଲେହେଁ ସେଗୁଡ଼ିକ ମୂଳତଃ ବୈଦେଶିକ । 'ଶିବ' ଶବ୍ଦ ଏହାର ପ୍ରକୃଷ୍ଟ ଉଦାହରଣ, 'ଶିବ' ଶବ୍ଦ ବେଦରେ ବ୍ୟବହୃତ ଓ 'ରୁଦ୍ର' ଶବ୍ଦ ମଧ୍ୟ ବେଦରେ ବ୍ୟବହୃତ । ଏହି ରୁଦ୍ର ଶବ୍ଦ ପ୍ରଚୀନ ଆର୍ଯ୍ୟ ଭାଷାର 'ରୁଧ୍ର'ରୁ ଗୃହୀର ଓ ରୁଧିର ଶବ୍ଦ ସହିତ ସଂପୃକ୍ତ । ଅଗ୍ନିର ରକ୍ତବର୍ଣ୍ଣକୁ ଆଶ୍ରୟ କରି ଏହି ଶବ୍ଦ ରକ୍ତିମ କରାଳ ଦେବତା ପ୍ରତି ପ୍ରଯୁକ୍ତ । ଅଗ୍ନି ପୁଣି ଶବ୍ଦଯୁକ୍ତ, ଏଣୁ ରୁଦ୍ରରେ ପରିଣତ ହେବା ପରେ ଶବ୍ଦ କରିବା ଅର୍ଥରେ ରୁଦ୍ ଧାତୁ କଳ୍ପିତ ହୋଇ ତହିଁରୁ ରୋଦନ ପ୍ରଭୃତି ଶବ୍ଦ ନିଷ୍ପନ୍ନ କରାଯାଇଛି । ରୁଦ୍ରଙ୍କ ରକ୍ତିମ ବର୍ଣ୍ଣକୁ ଆଶ୍ରୟ କରି ଦ୍ରାବିଡ଼ ଶେମ୍ବୁ (=ତାମ୍ର) ଶବ୍ଦରୁ ଶିବ ଶବ୍ଦ ନିଷ୍ପନ୍ନ କରାଯାଇ 'ଶିବ' ଓ 'ରୁଦ୍ର' ଶବ୍ଦ ଏକାର୍ଥରେ ବ୍ୟବହୃତ ହୋଇ କାଳକ୍ରମେ ଶିବ ରୁଦ୍ରଙ୍କର ଅପର ନାମରୂପେ ପୁରାଣାଦିରେ ପ୍ରଚଳିତ ହେଲା ଓ ଏହାର ଅର୍ଥ 'ମଙ୍ଗଳକର' ବୋଲି ଗୃହୀତ ହେଲା । ଏଣୁ ମୂଳତଃ 'ଶିବ' ବୈଦେଶିକ ହେଲେହେଁ ବର୍ତ୍ତମାନ ଏହା ପୂର୍ଣ୍ଣ ସଂସ୍କୃତ ଶବ୍ଦ ରୂପରେ ବ୍ୟବହୃତ । ଏହିପରି 'ମୋଜା' ଶବ୍ଦ ବୈଦେଶିକ ବୋଲି ମେନେ ହେଲେହେଁ ଏହି ଶବ୍ଦଟି ବାସ୍ତବରେ ଗୋଟିଏ ପ୍ରାଚୀନ ଆର୍ଯ୍ୟ ଶବ୍ଦରୁ ଉତ୍ପନ୍ନ ଓ ମୂଳତଃ ଏହା ପେଲୁହବୀ (ପ୍ରଚୀନ ପାରସିକ) 'ମୋଚକ ଶବ୍ଦରୁ ଉତ୍ପନ୍ନ । 'ମୋଚକ'

୧୦୧
ସରଳ ଭାଷାତତ୍ତ୍ୱ

ଶବ୍ଦର ଅର୍ଥ 'ଜୋତା' । ଏହି ଶବ୍ଦରୁ ଏକ ଦିଗରେ ମୋଚି ଓ ଅନ୍ୟ ଦିଗରେ ମୋଜା ଉତ୍ପନ୍ନ ହୋଇଅଛି । ସମ୍ଭବତଃ ଏହି ଶବ୍ଦର ମୂଳରେ ପ୍ରାଚୀନ ଆର୍ଯ୍ୟ ମୁକ୍ ଧାତୁ ଓ ଲୁପ୍ତ ସଂସ୍କୃତ ମୋଚିକ ଶବ୍ଦ ଅଛି ହୋଲି ଅନୁମିତ ହୁଏ ।
ଆର୍ଯ୍ୟ ଭାଷା-ଶବ୍ଦମାନଙ୍କର ଉତ୍ପତ୍ତି ଏହିପରି ଭାବାରେ ଅନୁସରଣ କରି ଆମ୍ଭେମାନେ କେତେଗୁଡିଏ ମୂଳ ଭାଷାଗୋଷ୍ଠୀରେ ଉପସ୍ଥିତ ହେଉଁ ଓ ଏହି ଭାଷାଗୋଷ୍ଠୀମାନଙ୍କୁ ଆଶ୍ରୟ କରି ବର୍ତ୍ତମାନ ପ୍ରଚଳିତ ଭାଷାମାନଙ୍କୁ ନାନା ଶ୍ରେଣୀରେ ବିଭକ୍ତ କରିଥାଉଁ । ଏହି ଅନୁସାରେ (୧)ଚୈନିକ ଗୋଷ୍ଠିରେ ଆମ୍ଭେମାନେ ଚୀନ ଭାଷା, ଅନାମିଜ ଭାଷା (କୋଚିନ୍ ଚାଏନା, କାମ୍ବୋଜ ପ୍ରଭୃତିରେ କଥିତ), ଶ୍ୟାମ ଦେଶ ଭାଷା (ଶ୍ୟାମ ଦେଶରେ କଥିତ), ବର୍ମି ଭାଷା (ବ୍ରହ୍ମଦେଶ), ତିବ୍ବତି ଭାଷା ପ୍ରଭୃତି ସ୍ୱୀକାର କରୁଁ । (୨)ସେମିଟିକ ଗୋଷ୍ଠୀ ମଧ୍ୟରେ ଆମ୍ଭେମାନେ ଆରବି, ହିବ୍ରୁ, ଫିନିସିୟ, ଆସିରୀୟ (ବେବିଲୋନିଆରେ କଥିତ) ଅନ୍ତର୍ଗତ ବୋଲି ମନେ କରିଥାଉଁ । ଇଜିପ୍ଟ ଦେଶର ଭାଷା, ଇଥିଓପିୟ (ଆବିସିନିଆରେ କଥିତ ଭାଷା) ଓ ବର୍ବର (ଆଫ୍ରିକାର ଉତ୍ତର ଉପକୂଳରେ କଥିତ)ଭାଷାମାନଙ୍କୁ (୩) ହାମିଟିକ ଗୋଷ୍ଠୀ ଅନ୍ତର୍ଭୁକ୍ତ ବୋଲି ମନେ କରାଯାଏ । ପୃଥିବୀରେ ନାନା ଭାଷା ମଧ୍ୟରେ ଏତେ ପାର୍ଥକ୍ୟ ବିଦ୍ୟମାନ ଓ ଆମ୍ଭେମାନେ ସେହି ସବୁ ଭାଷା ବିଷୟରେ ଏତେ ଅଜ୍ଞ ଯେ, କେବଳ କେତେଗୋଟି ଗୋଷ୍ଠୀରେ ଇଙ୍ଗିତ ଦେବାହିଁ ଏହି କ୍ଷୁଦ୍ର ଗ୍ରନ୍ଥରେ ସମ୍ଭବ ।
ଓଡ଼ିଆ ଭାଷା ଏକ ବିରାଟ ପ୍ରାଚୀନ ଆର୍ଯ୍ୟଗୋଷ୍ଠୀର ଅନ୍ତର୍ଗତ । ଏହି ଗୋଷ୍ଠୀର ଲୋକେ ଅତି ପ୍ରାଚୀନ କାଳରେ ସମ୍ଭବତଃ କାସ୍ପିଆନ୍ ସାଗର ଉପକୂଳ ଭାଗରେ ବାସ କରୁଥିଲେ ଓ ପ୍ରଧାନତଃ ସେହିଠାରୁ ଏହି ଗୋଷ୍ଠୀଭୁକ୍ତ ଲୋକମାନେ ଏକ ଦିଗରେ ପାରସ୍ୟ ମଧ୍ୟ ଦେଇ ଭାରତାଆଡେ ଅନ୍ୟ ଦିଗରେ ଗ୍ରୀସ, ଇଟାଲୀ ଓ ଅନ୍ୟାନ୍ୟ ଇଉରୋପୀୟ ଦେଶମାନଙ୍କ ଆଡେ ଗତି କରିଥିବା ସମ୍ଭବ । ପ୍ରାଚୀନ ଆର୍ଯ୍ୟମାନେ ନିଶ୍ଚିତଭାବରେ କେଉଁଠାରେ ବାସ କରୁଥିଲେ ଓ କେଉଁ ସମୟରେ ସେମାନେ ନିଜର ଆବାସସ୍ଥାନ ଛାଡି କ୍ରମଶଃ ବିଭିନ୍ନ ଦିଗରେ ଗତି କରିବାକୁ ଆରମ୍ଭ କଲେ, ଏ ବିଷୟରେ ମତଦ୍ୱୈଧ ଲକ୍ଷିତ ହୋଇଥାଏ; କିନ୍ତୁ ଏହି ଭାଷାରୁ ଏକ ଦିଗରେ ପ୍ରାଚୀନ ପାରସିକ, ବୈଦିକ ଭାଷା, ସଂସ୍କୃତ, ପାଲି, ପ୍ରାକୃତ, ଓଡ଼ିଆ, ବଙ୍ଗଳା, ହିନ୍ଦୀ, ପଞ୍ଜାବୀ ପ୍ରଭୃତି ଭାଷା ଓ ଅନ୍ୟ ଦିଗରେ ଗ୍ରୀକ, ଲାଟିନ୍, ଫ୍ରେଞ୍ଚ, ସ୍ପେନିଶ, ଇଂରାଜୀ, ଜର୍ମାନ୍ ପ୍ରଭୃତି ଭାଷାମାନଙ୍କର ମଧ୍ୟ ଦେଇ ବର୍ତ୍ତମାନ ଓଡ଼ିଆ ଭାଷାର ଉଦ୍ଭବ ହୋଇଅଛି ଓ ଓଡ଼ିଆ ଭାଷା ୧୦୨

ସରଳ ଭାଷାତତ୍ତ୍ୱ

ଆଲୋଚନା କରିବା ସମୟରେ ମୂଖ୍ୟତଃ ପ୍ରତ୍ୟେକ ଶବ୍ଦର ମୂଳ ଆର୍ଯ୍ୟ ଭାଷାରେ ବ୍ୟବହୃତ ଶବ୍ଦଠାରୁ ଐତିହାସିକ କ୍ରମବିକାଶ ସୂଚିତ କରିବାକୁ ହୋଇଥାଏ ।
ଏହି ମୂଳ ପ୍ରଚୀନ ଆର୍ଯ୍ୟ ଭାଷା କିପରି ଥିଲା, ସେ ବିଷୟରେ ସୁସ୍ପଷ୍ଟ ଧାରଣା କରିବା ଅସମ୍ଭବ, ତେବେ ସମ୍ପୃକ୍ତ ଓ ଏକ ଗୋଷ୍ଠିଭୁକ୍ତ ନାନା ଶବ୍ଦମାନଙ୍କୁ ଆଲୋଚନା କରି ଆମ୍ଭେମାନେ ସେହି ଭାଷାର ଆକୃତି ଓ ପ୍ରକୃତିଗତ ନାନା ସିଦ୍ଧାନ୍ତରେ ଉପନୀତ ହୋଇଥାଉଁ । ଏହି ଭାଷାରେ ସଙ୍କେତିକ ଶବ୍ଦମାନଙ୍କର ବହୁଳ ବ୍ୟବହାର ଥିଲା ଓ କୌଣସି ଶବ୍ଦ ସାଙ୍କେତିକ ଚିହ୍ନ ସହିତ ଯୁକ୍ତ ନ ହୋଇ ବ୍ୟବହୃତ ହେଉ ନ ଥିଲା । ଏପରିକି ବୈଦିକ ଭାଷାରେ ଯେଉଁ ଅବ୍ୟୟ ପ୍ରଭୃତିର ବ୍ୟବହାର ଦେଖାଯାଏ, ତାହା ମୂଳ ଭାଷାରେ ନ ଥିଲା । ମୂଳ ଭାଷାରେ ଆଠ ଗୋଟି କାରକ ପ୍ରଚଳିତ ଥିଲା‌-ଏକବଚନ, ଦ୍ୱିବଚନ ଓ ବହୁବଚନର ପ୍ରୟୋଗ ଥିଲା ଓ କ୍ରିୟା ସହିତ ନାନାରୂପ ସଙ୍କେତ ଯୋଗ କରାଯାଇ କାଳ, ବଚନ ପ୍ରଭୃତିର ନିର୍ଦ୍ଦେଶ ଦିଆ ଯାଉଥିଲା । ଆଦିମ ଭାଷାରେ ବ୍ୟବହୃତ ପ୍ରତ୍ୟେକ ଶବ୍ଦକୁ ବିଶ୍ଳେଷଣ କରି କେତେକ ଧାତୁର ଅସ୍ତିତ୍ତ୍ୱ ମଧ୍ୟ ସ୍ୱୀକାର କରାଯାଉଥିଲା ଓ ପ୍ରତ୍ୟେକ ଧାତୁର ବର୍ଣ୍ଣମାନଙ୍କର ସମାନ୍ୟ ପରିବର୍ତ୍ତନ କରି ଅନ୍ୟାନ୍ୟ ଧାତୁର ପ୍ରଚଳନ କରିବାର ପ୍ରୟାସ ମଧ୍ୟ ହୋଇଥିଲା ଓ ଦ୍ୱିରୁକ୍ତିଦ୍ୱାରା ଅର୍ଥ ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟ ଭାଷାରେ ଆରବ୍ଧ ହୋଇଥିଲା ।
ଆର୍ଯ୍ୟଭାଷାଗୋଷ୍ଠିର ଅନ୍ତର୍ଗତ ବିଭିନ୍ନ ଭାଷାରେ ଥିବା ଶବ୍ଦମାନଙ୍କର ଆଲୋଚନା କରି ଆମ୍ଭେମାନେ ଦେଖୁଁ ଯେ, ପ୍ରାଚୀନ ଆର୍ଯ୍ୟମାନେ ନିଜ ଅଙ୍ଗର କପାଳ (ମସ୍ତକର ସମଗ୍ର ଅଂଶ), ନଖ (ସଂସ୍କୃତ ନଖ, ଇଂରାଜୀ nail, ପ୍ରଚୀନ ଇଂରାଜୀ naegel, ଜର୍ମାନ nagel, ମୂଳ ଆର୍ଯ୍ୟ ନଘ), ଦାନ୍ତ, ଆଖି(ସଂସ୍କୃତ ଅକ୍ଷି, ଜର୍ମାନ auge,ରୁସୀୟ oko,ଲାଟିନ oc(ulus), ମୂଳ ଆର୍ଯ୍ୟ ଶବ୍ଦ ଅକ୍); ହାତ, ପଦ, ଅସ୍ଥି, ଅନ୍ତ୍ର, ରୁଧିର ପ୍ରଭୃତି ଶବ୍ଦମାନଙ୍କ ସହିତ ପରିଚିତ ଥିଲେ, ଗୃହପାଳିତ ପଶୁ ମଧ୍ୟରେ ଘୋଡ଼ା(ଅଶ୍ୱ),ଗାଈ, ମେଣ୍ଢା (ସଂସ୍କୃତ ଅବି, ଇଂରାଜୀ ewe)ପ୍ରଭୃତି, ଆତ୍ମୀୟମାନଙ୍କ ମଧ୍ୟରେ ମାତା, ପିତା, ଝିଅ, ଭାଇ, ପୁଅ, ଶାଶୁ ପ୍ରଭୃତି ଓ ରଙ୍ଗମାନଙ୍କ ମଧ୍ୟରେ ଧଳା, ନାଲି, ହଳଦିଆ ପ୍ରଭୃତି ବର୍ଣ୍ଣ ସେମାନଙ୍କ ପରିଚିତ ଥିଲା । ଭାଷାତତ୍ତ୍ୱର ଆଲୋଚନା ଦ୍ୱାରା ଏହି ପ୍ରାକ୍ଐତିହାସିକ ଯୁଗର ଆର୍ଯ୍ୟମାନଙ୍କର ରୀତିନୀତି, ଜୀବନଧାରଣ ପ୍ରଣାଳୀ ପ୍ରଭୃତି ବିଷୟରେ ସୁସ୍ପଷ୍ଟ ଧାରଣା ଜାତ ହୋଇଥାଏ, କାରଣ ବିଭିନ୍ନ ଆର୍ଯ୍ୟ ଭାଷାର

୧୦୩
ସରଳ ଭାଷାତତ୍ତ୍ୱ

ଶବ୍ଦମାନଙ୍କର ରୂପଗତ ଓ ଅର୍ଥଗତ ଆଲୋଚନା କରି ସେମାନଙ୍କର ସମୀକରଣଦ୍ୱାରା ମୂଳ ଆର୍ଯ୍ୟଭାଷାରେ ପ୍ରଚଳିତ ଶବ୍ଦ ଓ ଅର୍ଥର ଇଙ୍ଗିତ ମିଳେ ଓ ଭାଷାରେ ପ୍ରଚଳିତ ଶବ୍ଦର ଅନୁକରଣ କରି ଭାଷାଭାଷୀମାନଙ୍କର ମାନସିକ ଉନ୍ନତିର ଓ ଜୀବନଯାତ୍ରା ପ୍ରଣାଳିର ଆଭାଷ ମଧ୍ୟ ପାଇବା ସମ୍ଭବ । ଦୁଇ ଚାରୋଟି ଉଦାହରଣ ଦ୍ୱାରା ଏହାର ସ୍ପଷ୍ଟ ବ୍ୟାଖ୍ୟା କରାଯାଇପାରେ । ପୂର୍ବକାଳରେ ଗବାଦି ପଶୁକୁ ଗୋ ଧନରୂପରେ ବ୍ୟବହୃତ କରାଯାଉଥିଲା, ତାହାର ଇଙ୍ଗିତ ଆମ୍ଭେମାନେ ଲାଟିନ pecus ଓ ଇଂରାଜୀ fee ଶବ୍ଦର 'ଧନ' ଅର୍ଥରେ ବ୍ୟବହାରରୁ ସ୍ପଷ୍ଟ ଉପଲବ୍ଧି କରିପାରୁଁ । ପୁଣି ସେମାନଙ୍କ ମଧ୍ୟରେ ବିବାହରୀତି ଯେ ପ୍ରଚଳିତ ଥିଲା, ତାହା ଶ୍ୱଶୁର ପ୍ରଭୃତି ଶବ୍ଦର ବ୍ୟବହାରରୁ ମଧ୍ୟ ଜଣାଯାଇ ପାରେ । ଆଦିମ ଆର୍ଯ୍ୟମାନଙ୍କ ମଧ୍ୟରେ ଚାନ୍ଦ୍ର ମାସ ପ୍ରଚଳିତ ଥିବାର ଇଙ୍ଗିତ ଆମ୍ଭେମାନେ ଇଂରାଜୀ month ଓ moon ପ୍ରଭୃତିରୁ ପାଇଥାଉଁ ଓ ସେମାନେ ଯେ ଦ୍ୱାରସମ୍ବଳିତ ଗୃହରେ ବାସ କରୁଥିଲେ,ତାହା ଶାଳା,ଦ୍ୱାର ପ୍ରଭୃତିର ଅନୁରୂପ ଶବ୍ଦର ବ୍ୟବହାର ଇଂରାଜୀ ଭାଷାରେ ଥିବାରୁ ସହଜରେ ଅନୁମାନ କରାଯାଇ ପାରେ । 'ବୟନ' ଓ 'weave' ଶବ୍ଦର ସମୀକରଣଦ୍ୱାରା ପୁରାକାଳୀନ ଆର୍ଯ୍ୟମାନଙ୍କ ମଧ୍ୟରେ ବସ୍ତ୍ରର ପ୍ରଚଳନ ଉପଲବ୍ଧି କରାଯାଇ ପାରେ । ପୁଣି କୃଷିକର୍ମରେ ବ୍ୟବହୃତ ଶବ୍ଦମାନଙ୍କର ସମ୍ଭାର ଦେଖି ସେମାନଙ୍କର ଅଧିକାଂଶ ସମୟ କୃଷିକାର୍ଯ୍ୟରେ ବ୍ୟୟିତ ହେଉଥିବାର ମଧ୍ୟ ଅନୁମାନ କରାଯାଇ ପାରେ । ସାଧାରଣ ଧାତୁ ମଧ୍ୟରେ ଲୌହ ଓ ସ୍ୱର୍ଣ୍ଣ ସହିତ ସେମାନେ ପରିଚିତ ଥିଲେ ଓ ଅସ୍ତ୍ରଶସ୍ତ୍ରାଦିର ନିର୍ମାଣ ପ୍ରଚଳିତ ଥିବାରୁ ପଶୁବଧ ମଧ୍ୟ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟର ଅନ୍ତର୍ଗତ ଥିଲା ବୋଲି ଜଣାଯାଏ ।ଏହିପରି ଭାବରେ ଶବ୍ଦମାନଙ୍କର ଅନୁସରଣ କରି ଆଦିମ ଆର୍ଯ୍ୟମାନଙ୍କ ଜୀବନ ବିଷୟରେ ଆମ୍ଭେମାନେ ଏକ ପୂର୍ଣ୍ଣ ଚିତ୍ର ପାଇଥାଉଁ । ଏ କ୍ଷେତ୍ରରେ ଇତିହାସ ନିରବ, ମାତ୍ର ଭାଷାତତ୍ତ୍ୱ ପ୍ରାମାଣିକ ତଥ୍ୟ ଦେବାରେ ସମର୍ଥ ।

ମୂଳ ଆର୍ଯ୍ୟ ଭାଷାର ଧାତୁମାନଙ୍କୁ ଅନୁସରଣ କରି ଭାଷାତତ୍ତ୍ୱବିଦ୍‌ମାନେ ଦେଖିଅଛନ୍ତି ଯେ, ମୂଳତଃ ଆର୍ଯ୍ୟ ଭାଷାରେ ତିନି ଶତରୁ ଅଧିକ ଧାତୁ ପ୍ରଚଳିତ ଥିଲା ଓ ଏହି ମୂଳ ଧାତୁମାନଙ୍କ ମଧରୁ କେତେକ ସଂସ୍କୃତରେ ଅପ୍ରଚଳିତ ହୋଇ ଯାଇଥିଲେହେଁ ଅନ୍ୟ ଦିଗରେ ସଂସ୍କୃତରେ ଶତ ଶତ ଶବ୍ଦ ନାନା ରୂପରେ ନାନା ଅର୍ଥରେ ଆର୍ଯ୍ୟଗୋଷ୍ଠୀ ଅନ୍ତର୍ଗତ ବିଭିନ୍ନ ଭାଷାରେ ବ୍ୟବହୃତ ହେଉଅଛି ଓ ବର୍ତ୍ତମାନ ଏସବୁ ଶବ୍ଦ ମଧ୍ୟରେ ସମ୍ପର୍କ ସ୍ୱୀକାର ବା ଏମାନଙ୍କର ସମୀକରଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ । ପ୍ରାଚୀନ ମୂଳ ଆର୍ଯ୍ୟ 'ମକ' ଧାତୁ ମୂଳ ଭାଷାରେ 'ମଗ୍' ଓ 'ମଘ୍' ୧୦୪
ସରଳ ଭାଷାତତ୍ତ୍ୱ

ରୂପରେ ବିକୃତ ହୋଇଥିଲା ଓ ଏହି ମକ୍ ଧାତୁରୁ ଏକ ଦିଗରେ ଓଡ଼ିଆ, ମହା, ମହାନ୍ତ, ମାହୁତ, ମାହାନ୍ତି, ମହତ୍, ମହତ୍ତ୍ରାଣ, ମଜା(ପାରସିକ ଶବ୍ଦରୁ ଗୃହିତ), ମେଜେଷ୍ଟର (ଇଂରାଜୀ Magistrate ଶବ୍ଦରୁ ଗୃହୀତ), ମେଜିକ (ଇଂରାଜି ଶବ୍ଦର ବିକୃତି) ପ୍ରଭୃତି ଓ ଅନ୍ୟ ଦିଗରେ ଇଂରାଜି machine, magi, major, mayor, may, maid, mach, more, maxim ପ୍ରଭୃତି ଶତ ଶତ ଶବ୍ଦ ମଧ୍ୟ ଉଦ୍ଭୂତ । ବର୍ତ୍ତମାନ ଏହି ଶବ୍ଦମାନଙ୍କ ମଧ୍ୟରେ ସମୀକରଣ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର । ଏହିପରି ମୂଳ 'ରଘ୍' ଧାତୁରୁ ଏକ୍ ଦିଗରେ ଓଡ଼ିଆ ଲଘୁ, ଲଙ୍ଘିବା, ଲଙ୍ଘନ, ରୋକା (ପାରସିକ ଶବ୍ଦରୁ ଗୃହିତ)ପ୍ରଭୃତି ଶବ୍ଦ ଓ ଅନ୍ୟ ଦିଗରେ ଇଂରାଜି light, lung, long, alleviate, levity ପ୍ରଭୃତି ଶବ୍ଦମାନ ମଧ୍ୟ ଜାତ ହୋଇଅଛି । ସେହିପରି 'ଭୁ' ଧାତୁରୁ ଏକ ଦିଗରେ ଭାଇ, ଭରଣ, ଭାର, ବାର୍ଲି (ଇଂରାଜି barley ଶବ୍ଦର ଅନୁକୃତି) ପ୍ରଭୃତି ଶବ୍ଦ ଓ ଅନ୍ୟ୍ ଦିଗରେ ଇଂରାଜି fertility, fortune, barn, baron, birth, burden, furtive ପ୍ରଭୃତି ଶବ୍ଦମାନ ମଧ୍ୟ ଜାତ ହୋଇଛନ୍ତି । ପୁଣି କକ୍ ଧାତୁରୁ ଏକ ଦିଗରେ ଓଡ଼ିଆ, କଙ୍କଣ, କାଖ, କାଞ୍ଚୁଳି, କୁକ୍ଷି ପ୍ରଭୃତି ଶବ୍ଦ ଓ ଅନ୍ୟ ଦିଗରେ ଇଂରାଜି hook, hedge ପ୍ରଭୃତି ଶବ୍ଦମାନଙ୍କର ମଧ୍ୟ ଉଦ୍ଭବ ହୋଇଅଛି । ଏହି ସବୁ ଶବ୍ଦର ବିଶଦ ଆଲୋଚନା କଲେ ଓଡ଼ିଆ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ସୁଦୂରପ୍ରସାରୀ ଜ୍ଞାତିକୁଟୁମ୍ବମାନଙ୍କ ବିଷୟରେ କିଞ୍ଚିତ ପରିଚୟ ସହଜରେ ମିଳି ପାରେ । ଭାଷାତତ୍ତ୍ୱରେ ଶବ୍ଦମାନଙ୍କର ଏହିପରି ଉତ୍ତ୍ପତ୍ତିଗତ ସମ୍ପର୍କ ସ୍ଥାପନ କରିବାର ପ୍ରୟାସ କରାଯାଇଥାଏ ଓ ଗୋଟିଏ ଭାଷାର ସମ୍ପୁର୍ଣ୍ଣ ଆଲୋଚନା କରିବାକୁ ହେଲେ ସମ୍ପୃକ୍ତ ଅନ୍ୟାନ୍ୟ ଭାଷାମାନଙ୍କର ଆଲୋଚନା ମଧ୍ୟ ପ୍ରୟୋଜନ ହୋଇଥାଏ । ପ୍ରଚଳିତ ଭାଷାରୁ ପ୍ରାଚୀନ ଭାଷା, ପ୍ରାଚୀନ ଭାଷାରୁ ମୂଳ ଭାଷା, ମୂଳ ଭାଷାରୁ ସର୍ବପ୍ରାଚୀନ ଭାଷା ଓ ପୁଣି ସେହି ସର୍ବପ୍ରାଚୀନ ଭାଷାରୁ ଅନ୍ୟାନ୍ୟ ସମ୍ପର୍କୀୟ ଭାଷାମାନଙ୍କର ଆଲୋଚନା କରିବା ପ୍ରୟୋଜନ ହୋଇଥାଏ । ଓଡ଼ିଆର ପ୍ରାଚୀନ ରୂପ ନ ଜାଣି ଯେପରି ଆଧୁନିକ ଓଡ଼ିଆ ଭାଷାର ଆଲୋଚନା କରିବା ବିଡ଼ମ୍ବନା, ସେହିପରିପ୍ରାଚୀନ ମୂଳ ଆର୍ଯ୍ୟଭାଷାର ତଥ୍ୟ ବିଷୟରେ ଜ୍ଞାନଲାଭ ନ କରି ଓଡ଼ିଆ ଭାଷାତତ୍ତ୍ୱର ଆଲୋଚନା କରିବା ମଧ୍ୟ ହାସ୍ୟାସ୍ପଦ ।
ଓଡ଼ିଆ ଭାଷାର ଆଲୋଚନା କରିବାକୁ ହେଲେ ପ୍ରଥମେ ତାହାର ଶବ୍ଦସମ୍ଭାର ପ୍ରତି ଅବହିତ ହେବାକୁ ହେବ ଏବଂ ଶବ୍ଦମାନଙ୍କର ସ୍ଥାନୀୟ ଓ ପ୍ରାଦେଶିକ ରୂପଭେଦ ବିଷୟରେ ଜ୍ଞାନଲାଭ କରିବାକୁ ହେବ । ତା ପରେ ଶବ୍ଦମାନଙ୍କର ଉତ୍ପତ୍ତି ବିଷୟରେ ଆଲୋଚନା କରି କେଉଁ ଶବ୍ଦ ଆର୍ଯ୍ୟଭାଷାର ପ୍ରଚଳନ ପୂର୍ବରୁ

୧୦୫
ସରଳ ଭାଷାତତ୍ତ୍ୱ

ଓଡ଼ିଶାରେ ବ୍ୟବହୃତ ହେଉଥିଲା, କେଉଁ ଶବ୍ଦ ଆର୍ଯ୍ୟଭାଷାରୁ ଓଡ଼ିଆରେ ପ୍ରଚଳିତ ହୋଇଅଛି ଓ ଆର୍ଯ୍ୟଭାଷାର ପ୍ରଚଳନ ପରେ କେଉଁ କେଉଁ ଶବ୍ଦ ପୁଣି ଅନାର୍ଯ୍ୟଭାଷା ବା ଅନ୍ୟାନ୍ୟ ଆର୍ଯ୍ୟଭାଷାଗୋଷ୍ଠୀଭୁକ୍ତ ଭାଷାରୁ ବିକୃତ ବା ଅବିକୃତ ଭାବରେ ଗୃହୀତ ହୋଇଅଛି ତାହାର ଆଲୋଚନା କରିବାକୁ ହେବ । ପୁଣି ଆର୍ଯ୍ୟଭାଷାରୁ ଯେଉଁ ଶବ୍ଦମାନ ପ୍ରଚଳିତ ହୋଇଅଛି ସେମାନେ ବିକୃତ ଭାବରେ ସ୍ୱୀକୃତ ହୋଇଥିଲେ ସେହି ବିକୃତିର କାରଣ ଓ ପ୍ରାକୃତ ଭାଷାମାନଙ୍କ ସହିତ ସମ୍ପର୍କ ସ୍ଥିର କରିବାକୁ ହେବ ଏବଂ ମୂଳ ଆର୍ଯ୍ୟଭାଷାରେ ବ୍ୟବହୃତ ଶବ୍ଦ ନିର୍ଣ୍ଣୟ କରିବାକୁ ହେବ ଏବଂ ମୂଳ ଆର୍ଯ୍ୟଭାଷାରେ ବ୍ୟବହୃତ ଶବ୍ଦ ନିର୍ଣ୍ଣୟ କରି ଆର୍ଯ୍ୟଭାଷା ଗୋଷ୍ଠୀଭୁକ୍ତ ଅନ୍ୟାନ୍ୟ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କ ସହିତ ସମ୍ପର୍କ ପ୍ରତିଷ୍ଠିତ କରିବାକୁ ହେବ ଓ ଅବିକୃତଭାବରେ ଏ ସବୁ ଶବ୍ଦ ମାନଙ୍କ ସହିତ ସମ୍ପର୍କ ପ୍ରତିଷ୍ଠିତ କରିବାକୁ ହେବ ଓ ଅବିକୃତଭାବରେ ଏ ସବୁ ଶବ୍ଦ ଭାଷାରେ ସ୍ୱୀକୃତ ହୋଇଥିଲେ ମଧ୍ୟ ଏହିପରି ସମ୍ପର୍କ ନିର୍ଣ୍ଣୟ କରିବାକୁ ହେବ । ପୁଣି ପ୍ରାଚୀନ ଆର୍ଯ୍ୟଭାଷାର ଶବ୍ଦ ମଧ୍ୟ ଅନ୍ୟ ଭାଷାରୁ ଗୃହିତ ହୋଇ ପାରି ଥାଏ, ସେ ଦିଗରେ ଅବହିତ ହୋଇ ତାହାର ଯଥାଯଥ ଆଲୋଚନା କରିବାକୁ ହେବ । ଅନ୍ୟ ଦିଗରେ ଆର୍ଯ୍ୟ ଭାଷାର ଶବ୍ଦମାନ ସ୍ୱୀକୃତ ହେବା ପରେ ଅନ୍ୟାନ୍ୟ ଭାଷାମାନଙ୍କରୁ ଯେଉଁ ଶବ୍ଦମାନ ଗୃହୀତ ହୋଇଅଛି, ସେମାନଙ୍କର ବିଶଦ ଆଲୋଚନା କରି କି ପରିସ୍ଥିତିରେ ଏ ସବୁ ଶବ୍ଦ ଭାଷାରେ ସ୍ୱୀକୃତ ହୋଇଅଛି ତାହା ମଧ୍ୟ ଦେଖାଇବାକୁ ହେବ । ପୁଣି କେବଳ ଶବ୍ଦ ବିଷୟରେ ଆଲୋଚନା ମଧ୍ୟ ସମ୍ପୁର୍ଣ୍ଣ ନୁହେଁ, କାରଣ ଓଡ଼ିଆ ଭାଷାର ବ୍ୟାକରଣଗତ ପ୍ରୟୋଗବିଧିର ଆଲୋଚନା କରି ସେମାନଙ୍କର ଉତ୍ପତ୍ତି ଓ ଇତିହାସ ପ୍ରଭୃତିର ବିଶଦ ତଥ୍ୟ ଯଥାଯଥ ଭାବରେ ଭାବରେ ନିର୍ଣ୍ଣୟ କରିବାକୁ ହେବ । ଏହି ସମସ୍ତ ବିଷୟର ଆଲୋଚନା କରି ପାରିଲେ ଓଡ଼ିଆ ଭାଷାତତ୍ତ୍ୱ ବିଷୟରେ ଯଥାଯଥ ଜ୍ଞାନଲାଭ କରିବା ସମ୍ଭବ ହେବ । ଏ କାର୍ଯ୍ୟରେ କିଭଳି ଗବେଷଣା, ଅଧ୍ୟବସାୟ, ପାଣ୍ଡିତ୍ୟ ଓ ସାଧନାର ପ୍ରୟୋଜନ ତାହା ସହଜରେ ଉପଲବ୍ଧି କରାଯାଇ ପାରେ । ଦେଶପ୍ରେମୀ ଓ ଭାଷାପ୍ରେମୀ ବ୍ୟକ୍ତିମାନଙ୍କର ସମୂହ ଓ ମିଳିତ ପ୍ରଚେଷ୍ଟାଦ୍ୱାରାହିଁ ଏହା ସାଧିତ ହୋଇ ପାରେ ।