ଶହେ ବୋଲି ଲେଖକ/କବି: ଭୀମ ଭୋଇ
ଶହେ ବୋଲି

ଶହେ ବୋଲି

 
ଡାକି କହୁଅଛି ତିନିପୁର ମଧ୍ୟ ଅଲେଖ ମହିମା ଭଜ,
ଦେଖ କଳିଯୁଗ ଘୋଟି ଆସୁଅଛି ବେନି କର୍ଣ୍ଣେ ଶୁଣି ବୁଝ ।
ଆହେ ନରଲୋକ ଯେ ଅଛ ସଂସାରେ ଦେହଧାରୀ ହୋଇ ମର୍ତ୍ତେ,
ଅଲେଖ ମହିମାସାଗର ନାମକୁ ଭଜନ କର ସମସ୍ତେ ।
ଯେ ଅଛ ରାକ୍ଷସଗଣ ଆଦି କରି ଦୈତ୍ୟ ଦାନବ ସହିତେ,
କଳିକାଳ ଆସି ଶେଷ ହୋଇଲାଣି ମହିମା ଡାକ ସମସ୍ତେ ।
ଋଷି ମୁନି ଖାଖି ବଇରାଗୀ ଆଦି ନାଗାନ୍ତି ଯୋଗାନ୍ତି ଯାଏ,
ବେଦାନ୍ତି ସିଦ୍ଧାନ୍ତି ଯେ ଅଛ ସଂସାରେ ମହିମାକୁ କର ଲଏ ।
ବିଦ୍ଵାନ ପଣ୍ଡିତ ସୁଜ୍ଞ ସାଧୁସନ୍ଥ ମହିମାକୁ ସର୍ବେ ଡାକ,
ଯୁଗ ଶେଷ ହେଲା ଦୋଷ ନ ଧରିବ ଉଚ୍ଚେ ଦେଉଅଛୁଁ ହାଁକ ।
ଜପୀତପୀ ତୀର୍ଥବ୍ରତୀ ଯେତେ ତୁମ୍ଭେ ଏ ମୋର ବଚନ ମାନ,
ଶତେବାର ଆମ୍ଭେ ବୁଝାଇ କହୁଛୁଁ ମହିମା ନାମକୁ ଘେନ ।
ଆହେ ନାଗଗଣ ପାତାଳ ଭୁବନେ ଅଛ ପରା ତୁମ୍ଭେ ରହି,
ସମସ୍ତେ ତୁମ୍ଭେ ମହିମା ନାମ ଭଜ ଧରିଅଛ ଯେତେ ଦେହୀ ।
ସୁରଗଣମାନେ ମହିମାକୁ ଡାକ ନ କର ବିଳମ୍ବ ମଠ,
କଳିକାଳ ଘୋର ସରି ଆସିଲାଣି ଯୁଗ ହେଲାଣି ନିକଟ ।
ଦେବଗଣମାନେ ମହିମା ନାମକୁ ଏତେବେଳେ ଆଶ୍ରା କର,
କଳିଯୁଗ ଆସି ବାକି ରହିଲାଣି ସରିଯିବ ଏ ସଂସାର ।
ରୁଦ୍ରଗଣ ତୁମ୍ଭେ ମହିମାକୁ ଭଜ ମନରେ ନ କର ହେଳା,
ଏ ଯୁଗେ ଏ ନାମ ଯେହୁ ନ ଭଜିବ ବିଅର୍ଥେ ତା ଜନ୍ମ ଗଲା ।
ବ୍ରହ୍ମା ଲୋକମାନେ ଯେହୁ ଅଛ ତୁମ୍ଭେ ମହିମାକୁ ଭଜ ଚିତ୍ତେ,
ମହାଶୂନ୍ୟବାସୀ ଦେହଧାରୀ ହୋଇ ଉଦିଅଛନ୍ତି ସାକ୍ଷାତେ ।
ଆହେ ଚନ୍ଦ୍ର ସୂର୍ଯ୍ୟ ଆକାଶରେ ଅଛ ଭଜ ମହିମା ନାମକୁ,
ତୁମ୍ଭେମାନେ କେହି ଜାଣି ନ ପାରୁଛ ଘୋଟିଲାଣି ଦେଖୁ ଦେଖୁ ।
ଆହେ ନବଲକ୍ଷ ତାରାଗଣ ତୁମ୍ଭେ ମହିମା ନାମକୁ ଧର,
ଏ କାଳ ଦୁସ୍ତରୁ ଯୁଗ ଶେଷେ ତୁମ୍ଭେ ହୋଇବ ଯେମନ୍ତ ପାର ।
ଅଲେଖ ପ୍ରଭୁଙ୍କ ସେବାକାରୀ ଆମ୍ଭେ ଆଜ୍ଞାରେ ଦେଉଛୁ ଡାକ,
ଜଗତ ସଂସାର କି କୃତ ହେଲାଣି କର୍ଣ୍ଣେ ଶୁଣି ନେତ୍ରେ ଦେଖ ।
ଅଲେଖ ମହିମା ନାମ ଆଶ୍ରେ କଲେ ନ ଛୁଇଁବ କାଳଦଣ୍ଡ,
ଏ କଳିଯୁଗରୁ ନିଶ୍ଚେଁ ପାର ହେବ ବଞ୍ଚିବ ପରାଣ ପିଣ୍ଡ ।
ଆମ୍ଭର କିଛି ଦୋଷ ନାହିଁ ଏଥିରେ ଡାକି ଡାକି କହୁଅଛୁ,
ଏ କଳିଯୁଗରେ ଏହି ଏକା ନାମ ମହିମା ଭଜ ବୋଲଛୁଁ ।
ମାୟାରେ ନ ପଡ଼ି ବେଦରେ ନ ହୁଡ଼ ବୁଝ ବୁଝ ଭଲ କରି,
ଆପଣା ହେତୁରେ ଚେତାଇ ପାରିଲେ କଳିରୁ ଯିବ ଉବୁରି ।
ଯେହୁ ଯହିଁ ଅଛ ଭଜିବ ଯେମନ୍ତେ ନ ଜାଣିବେ କି ଶ୍ରୀଗୁରୁ,
ଆତଙ୍ଗ ମନରେ ଡାକି ଯେବେ ପାର ଘୁଞ୍ଚିବେ କାଳମୁଖରୁ ।
ଭଜ ଭଜ ସର୍ବେ କହୁଅଛୁଁ ଏବେ ଧର୍ମରେ ଆଶ୍ରିତ ହୁଅ,
ଅଶେଷ ବ୍ରହ୍ମାଣ୍ଡେ ଜୀବ ହୋଇ ଯେତେ ଯେହୁ ବହିଅଛ ଦେହ ।
ସୁତିଚିନ୍ତାମଣି ସମ୍ପୂର୍ଣ୍ଣ ହୋଇଲା ବେନି ସହସ୍ର ପଦରେ,
ଭଣେ ଭୀମ କନ୍ଧ କବିକୁଳଚାନ୍ଦ ଶରଣ ଗୁରୁ ପୟରେ ।