ଊନବିଂଶ ବୋଲି ଲେଖକ/କବି: ଭୀମ ଭୋଇ
ଊନବିଂଶ ବୋଲି

ଊନବିଂଶ ବୋଲି

 
ବିଚାରି ଆଣନ୍ତେ ବେଭାର ବୁଝନ୍ତେ ଅଧିକେ ଉଠୁଛି କୋହ,
ପଞ୍ଚଭୂତ ଆତ୍ମା କ୍ଷଣେ ସୁସ୍ଥ ନାହିଁ ପୋଡ଼ି ଯାଉଛି ହୃଦୟ ।
ମୁଁ ଯେ ଏତେ ସରି ହେଉଅଛି ହରି କିପାଁ ନ କରୁଛ ଦୟା,
ପାଞ୍ଚ ମନ ପଞ୍ଚଅଗ୍ନିରେ ପୋଡ଼ୁଛି ଯେସନେ କୁରାଳ ଉହା ।
ବିଚାର ନ ପଡ଼ି କହୁଥାନ୍ତି ବଢ଼ି କା କର୍ମ କେ ଖୋଳି ନେବ,
ପ୍ରଳୟକାଳରେ ସଂଯୋଗ ବଳରେ ଥାଇ ଯା'କୁ ଯେଉଁ ଯୋଗ ।
ସମୁଦ୍ର ପରାଏ କୃପାଜଳ ମଏ ଅନାଥ ଲୋକର ନାଥ,
ଅକର୍ମ ପସରା ଖଣ୍ଡିବାକୁ ଭାରା ଗୁରୁଦେବ ସାମରଥ ।
ରଙ୍ଗ କଳା ଧଳା ଏକତ୍ରେ ମିଶିଲା ଝାବୋଡ଼ା ହୋଇଛି ଧାନ,
ଭିନ୍ନ ଭିନ୍ନ କରି ପକାଇବେ ବାରି ଗୁରୁଦେବ ଥିଲେ ଧନ୍ୟ ।
ବାହ୍ୟକୁ ଲଗାଇ ଲଜ୍ଜାକୁ ଜଗାଇ ମିଛ ପସରାକୁ ସାର,
ମହାକାଳ ଫଳ ବାହାରେ ସୁନ୍ଦର ଭିତର ପୋଡ଼ା ଅଙ୍ଗାର ।
ମହିମା ସାଗର ବାନା ତିନିପୁର ଧୁନି ଯେବେ ଅନାହତ,
ବଚନ ନ ମେଣ୍ଟି ପାଦତଳେ ଖଟି ଶତ୍ରୁ ଆସି ହେବ ମିତ ।
ସର୍ବଠାରୁ ଆସି ଏକାନ୍ତରେ ମିଶି ଗୋଳିଆ ହୋଇଛି ପାଣି,
ଆଦି ଅବଧୂତ କରିବେ ପବିତ୍ର ଜ୍ଞାନଖଡ଼ଗରେ ହାଣି ।
ମୁଁ ଯେବେ କପଟେ ବିଷୟା ଲମ୍ପଟେ ଅଛି ଯେବେ ନାନା ଦୋଷେ,
ଏଥିକି ଚାହିଁ ବିଚାର ମହାପ୍ରଭୁ ଯେବା ଦଣ୍ଡ ଶାସ୍ତି ଦିଶେ ।
ପରହିଂସକ ପରବାଦ ରମଣୀ ଧନ ସଧେ ଯେବେ ଅଛି,
ସତ୍ୟାନନ୍ଦ ସ୍ୱାମୀ ମହେ ଶୂନ୍ୟଚାନ୍ଦ ସଂଶୟ ନ ରଖ କିଛି ।
ଧ୍ୟାନଯୋଗେ ବସି ଦର୍ଶନ ନିବେଶି ନାମ ବ୍ରହ୍ମେ ଥିଲେ ଚିତ୍ତ,
ଶ୍ରୀଗୁରୁଦେବ ଯାକୁ କୋପ କରିବେ ହୋଇଯିବ ଭସ୍ମୀଭୂତ ।
ପୋଡ଼ୁଅଛି ଆତ୍ମା ହୋଇବାକୁ କ୍ଷମା ଶାନ୍ତି କରାଇବ କେହୁ,
ପିଣ୍ଡ ଆଦି ତିନି ବ୍ରହ୍ମାଣ୍ଡ ପୋଡ଼ିଲେ ସମ୍ଭାଳି ନୋହିବ ଆଉ ।
ତିମିରି ଅନ୍ଧାର କରି ମହାଘୋର ଘୋଟିଲାଣି ତିନିପୁର,
ଧନ ଦେଖି ମନକୁ ବଳାଇ ଦେଲେ ସାଧୁ ତ ହେଲେଣି ଚୋର ।
ଦେଖ ଦେଖ ଭାସି ଗଲି ବ୍ରହ୍ମରାଶି ଶୋଲ ପିଣ୍ଡ ଦିଅ ଫିଙ୍ଗି,
ସଂସାର ଆତଯାତ ଯେଉଁ ନାବରେ ସେ ନାବ ଲୋଡ଼ଇ ବେଗି ।
ଅଣକିଳଣି କବାଟ ତଳେ ଥାଇ ଜଣାଉଛି ବାରମ୍ବାର,
ପ୍ରଳୟ ଜଳରେ ଡୁବିଗଲେ ପିଣ୍ଡ ଦୋଷ ନ ଧରିବ ମୋର ।
ଆଲୋ ହେଲେ ପୃଥ୍ୱୀ ରହିବ କୀରତି ଯାର ତେଜ ଛାୟାରୂପ,
ଅନ୍ଧାରେ ଲୁଚିବୁ ବୋଲୁଛ ନରେ ଲିଭାଇ ଅଛନ୍ତି ଦୀପ ।
ପଣ ଧନେ ବଡ ହେଉଛନ୍ତି ଗାଢ଼ ଭବକୂପେ ଛନ୍ତି ପଡ଼ି,
ମାୟାରେ ବଞ୍ଚିତ ହୋଇ ଏ ସମସ୍ତ ସତ୍ୟାଦି ଧର୍ମକୁ ଛାଡ଼ି ।
ମୁଁ ଯେ ସତ୍ୟଧର୍ମ ପାଳିବି ବୋଲନ୍ତେ ମନେ କରାଉଛି ଚିନ୍ତା,
ବ୍ରହ୍ମହାଣ୍ଡିରୁ ଅନ୍ନ ମୁଠାଏ ଦେଇ ଭୁଞ୍ଜନ୍ତେ କରୁଛ ପିତା ।
ମୁହିଁ ସିନା ଜାଣିଥିଲି ବ୍ରହ୍ମଭଣ୍ଡେ ପକ୍ୱ ନ ହେଉଛି ପାକ,
ପଞ୍ଚଭୂତ ଆତ୍ମା ପ୍ରତିବୋଧ କରି ଆଦରି ନିଜ କର୍ମକ ।
ଛଡ଼ରସ ପାକ ଭୁଞ୍ଜିବାର ଯୋଗ କରୁଥିଲି ବହୁ ଆଶ,
ଆପେ ମଣ୍ଡି ଥିଲ ଆପେ ଖଣ୍ଡି ଦେଲ କହେ ଭୀମ ଭକ୍ତଦାସ ।