22 . ଦ୍ୱାବିଂଶ ବୋଲି

ଦ୍ୱାବିଂଶ ବୋଲି ଲେଖକ/କବି: ଭୀମ ଭୋଇ
ଦ୍ୱାବିଂଶ ବୋଲି

ଦ୍ୱାବିଂଶ ବୋଲି

 
ବୁଲୁଥାଇ ଦୀନେ ନିତି ପ୍ରତିଦିନେ ବତ୍ସାକୁ ସଙ୍ଗତେ ଘେନି,
କ୍ଷୁଧା ତୃଷା କଲେ ଜୀବନ ବିକଳେ ପିଉଥାଇ ଝର ପାଣି ।
ଆକାଶକୁ ଚାହିଁ ମନରେ ଭାଳଇ କରୁଥାଇ ପାଞ୍ଚ ହେଜ,
ବେଳ ହୋଇନାହିଁ ଯିବି ମୁଁ କି ହୋଇ ନ ମିଳିବ ପାଣି ପେଜ ।
ଧନ୍ୟ ଏ ପିଣ୍ଡ ନ ହୋଇ ଖଣ୍ଡ ଖଣ୍ଡ ପଡ଼ିଅଛି ଯେତେ ମାଡ଼,
ଗାଳି ଦ୍ୱନ୍ଦ୍ୱ ପଛ ଆଡ଼କୁ ପକାଇ ହୃଦ କରିଥାଇ ଦୃଢ଼ ।
ଲୁହ ନାହିଁ ରକ୍ତ ବହୁଥାଇ ମୋର ଶ୍ରୀହସ୍ତେ ଦିଅଇ ପୋଛି,
କେହି ନ ଜାଣନ୍ତି ଶ୍ରୀଗୁରୁ ଜାଣନ୍ତି ଯେତେ କଷ୍ଟ ପାଇଅଛି ।
ସେ ସମୟ କଥା ମନେ କଲେ ଚିନ୍ତା କରତି କାଟୁଛି ପିଣ୍ଡ,
ଉଠୁଅଛି କୋହ ହୋଇ ଗଦ ଗଦ ବୁକୁରେ ପଡ଼ୁଛି କାଣ୍ଡ ।
ବାରଠାରୁ ତେର ଚଉଦ ବରଷ ବହିଗଲା ଏହି ରୂପେ,
ମନ ଜାଣୁଅଛି ଅନ୍ତର ବେଦନା ଦହିଯ୍ୟ ହୋଇ ସନ୍ତାପେ ।
ହାଇ ଘନ ଘନ ଆଖି ଥନ ଥନ ପଡ଼ିଛି ଚିନ୍ତା ସମୟ,
ଜୀବନ ମୋର ଛିଡ଼ି ପୋଡ଼ି ଯାଉଛି ଅଗ୍ନି ଉଠୁଅଛି ଦେହ ।
ଚଉଦିଗ ଚାହିଁ ମନରେ ଭାଳଇ ଲଲାଟରେ କର ମାରି,
ଆହାରେ ଦାରୁଣ ଦଇବ ବିଧାତା କରିଗଲୁ ଏତେ ସରି ।
କରେ ପଡ଼ି କରେ ସଢ଼ି ଯାଉଅଛି ତରତର ହୋଇ ଚିତ୍ତ,
ପାପ ଦୁଃଖଭାର ନ ଖଣ୍ଡିଲେ ମୋର ଅଣାକାର ଅବ୍ୟକତ ।
ସ୍ଥିତି ବସ୍ତି ନାହିଁ ପ୍ରଚରିବି କାହିଁ ସଙ୍ଗେ ସାଥି ସଖା ନାହିଁ,
ତଳକୁ ଶିର ଉପରକୁ ପୟର ମଧ୍ୟେ ମାରୁଛି ଭୁଲାଇ ।
ଶୂନ୍ୟକୁ ଅନାଇ ରହିଅଛି ମୁହିଁ କି ରୂପେ ଧରିବି ଦେହୀ,
କେଉଁ ଡାଳ ଧରି ପାରି ହୋଇ ଯିବି ହାତ ଗୋଡ଼ ପାଉ ନାହିଁ ।
ଶ୍ରୀଗୁରୁ ବଚନ ପାଷାଣରେ ଗାର କଲେ ମୁହିଁ ଛିନ୍ନ ଭିନ୍ନ,
ରୋମ ଚର୍ମେ ଭେଦି ଅଷ୍ଟାଙ୍ଗ ଶରୀର ଅସ୍ଥି ମାଂସ ହେବ ଭିନ୍ନ ।
ବିଚାରୁ ଥାଇ ହୃଦୟରେ ମନକୁ ଅଲେଖ ବ୍ରହ୍ମକୁ ଧ୍ୟାୟି,
ଏଡ଼େ ପ୍ରଭୁ ଥାଇ ଅଣାଦର କଲେ କାହାର ହୋଇବି ମୁହିଁ ।
ବଚନକୁ ଜଗି ପାଦପଦ୍ମେ ସେବି ସେବା ଭକ୍ତି ଦାନ ଦେବି,
ପିଣ୍ଡ ପ୍ରାଣ ମୋର ସମର୍ପଣ କରି ନିଜ ଅଙ୍ଗେ ଲୀନ ହେବି ।
ପ୍ରଭୁ ସଙ୍ଗେ ସଙ୍ଗେ ଲାଗିଥିବି ଅଙ୍ଗେ ଦୟା ଯେବେ ମୋତେ ହେବ,
ସ୍ୱାମୀ ସେବା ବିନୁ ନ ଯୋଗାଏ ଆଉ ଜୀବ ଯେତେଦିନ ଥିବ ।
ଜନ୍ମ ଜନ୍ମାନ୍ତରେ ଯୁଗଯୁଗାନ୍ତରେ ଖଟିଥିବି ପାଦତଳେ,
ଦାସପଣେ ସେବି ଏକାକ୍ଷରେ ରୂପ ଦେଖୁଥିବି ସଦାକାଳେ ।
ଶ୍ରୀଗୁରୁ ପୟର କୋଟି ନମସ୍କାର ମୂର୍ଚ୍ଛି ନ ପାରଇ ଦଣ୍ଡେ,
ପାଖରୁ ଅନ୍ତର ହେଲେ ସତ୍ୟବ୍ରହ୍ମ ବଜ୍ର ପଡ଼ୁଥାଇ ମୁଣ୍ଡେ ।
ପିତା ମାତା ଦୁଇ ଯୁଗଳରେ ଯାଇ କଲେ ଅବନୀରେ ଜାତ,
ପୂର୍ବକାଳ ଘୋର ତପସ୍ୟା ପୂର୍ଣ୍ଣରୁ ହୋଇଲି କବି ପଣ୍ଡିତ ।
ଜନନୀ ଉଦର ଗୋପ ମଧୁପୁର ପାସୋର ନ ଯାଏ ଚିତ୍ତୁ,
ମାତୃଗର୍ଭଗତେ ପାଠ ପଢ଼ିଥିଲି ଟିକେ ଟିକେ ଅଛି ହେତୁ ।
ସତ୍ୟରେ ମରିବି ସତ୍ୟରେ ତରିବି ଏହି ଆଜ୍ଞା ମୋତେ ହେଉ,
କହେ ଭୀମ ଭୋଇ ଏ ମୃତ୍ୟୁମଣ୍ଡଳେ ଯଶ ଅପଯଶ ଥାଉ ।