23 . ତ୍ରୟୋବିଂଶ ବୋଲି

ତ୍ରୟୋବିଂଶ ବୋଲି ଲେଖକ/କବି: ଭୀମ ଭୋଇ
ତ୍ରୟୋବିଂଶ ବୋଲି

ତ୍ରୟୋବିଂଶ ବୋଲି

 
କଟୀବାସ ପରିହରିଣ ଶ୍ରୀଅଙ୍ଗେ ଦାରୁଣ୍ୟ ମୂରତି ସାଜେ,
ପୁରୁଷ ରତନ ଜୀବନର ଧନ କୋଟି କଳା ଧରି ବିଜେ ।
ଗ୍ରୀଷମ ବରଷା ନାହିଁ ସ୍ଥିତି ବସା କ୍ଷଣେ ନ ରହନ୍ତି କାହିଁ,
ନିଜେ ଭଗବାନ ଦୁଃଖ ପାଉଛନ୍ତି ବ୍ରହ୍ମାଣ୍ଡ ରଖିବା ପାଇଁ ।
କ୍ଷୁଧା ତୃଷା ମାରି ଦିବସ ତିମିରି କଷଣ କହିବି କେତେ,
ନିରନ୍ତରେ ପ୍ରଭୁ ଯୋଗ ସାଧୁଛନ୍ତି ଭକ୍ତମାନଙ୍କ ନିମନ୍ତେ ।
ଅଳପ ସିଦ୍ଧିରେ ସାଧନା ନୁହଇ ବଡ଼ାଇ ଆଶ୍ଚର୍ଯ୍ୟ କଥା,
ପ୍ରଭୁଙ୍କ ହୃଦେ ହେ ଯା ଲେଖା ପଡ଼ିଛି ତିନିଭୁବନ ବାରତା ।
ନୁହସି ବିକଳ ଭଗତ ସକଳ ସମ୍ଭାଳି ଥାଅରେ ଘାଏ,
ଏକା ଦିବସେ ସର୍ବସିଦ୍ଧି କରିବେ ଉଦେଠାରୁ ଅସ୍ତଯାଏ ।
ସାଧୁ ସୁଜ୍ଞ ନର ଚିହ୍ନି ଧରି ଧର ଯାଚି ଦେଉଛନ୍ତି ଧର୍ମ,
ସୈନ୍ତ୍ରିଂଶ ଅଙ୍କ ଆଗକୁ ଯେ ରହିବ ହୋଇବ ନୂଆରି ଜନ୍ମ ।
ନାନା ପାପେ ନାଶ ଯିବ ନରବଂଶ କାହାରି ନଥିବ ଚାରା,
ସପ୍ତନ୍ତ୍ରିଂଶ ଅଙ୍କୁ ଅଡ଼ଚାଳିଶ ଯାଏ ପଡ଼ିବ ବ୍ରହ୍ମାଣ୍ଡେ ଭାରା ।
ମେଳଚ୍ଛ ପତିତ ପାମର ପାପିଷ୍ଠ ସକଳ ଏ ଯିବେ ନାଶ,
ବିଷ୍ଣୁ ବ୍ରହ୍ମକଳା ଲାଗିଥିବ ଯାକୁ ରହିବେ ସ୍ତିରୀ ପୁରୁଷ ।
ଗୋପ୍ୟ ହେବ ସର୍ବ ଯେତେ ଧନ ଦ୍ରବ୍ୟ ମହା ଦୁରୁଦଶା ଅଛି,
ସାତଦିନ ସାତରାତି ଅନ୍ନ ପାଣି ଲୋଡ଼ି ନ ପାଇଲେ କିଛି ।
ନବ ଖଣ୍ଡ ମହୀ ରହିଛି କି ହୋଇ ଲାଗୁଛି ମୋତେ କାତର,
ଏଠାରୁ ଏଣିକି ସାଧୁ ସୁଜ୍ଞଜନ ସମ୍ଭାଳି ହୁଅ ଏଥର ।
ପଢ଼ା ଶାସ୍ତ୍ର ଗୀତା ଶ୍ଲୋକ ଅପ୍ରମିତା ନ ଶୁଣି ଥିଲି ମୁଁ ବେଦେ,
ଅଲେଖ ମହିମା ଦୂତୀକ୍ଷର ପାଦ ଏବେ ହୋଇଅଛି ଉଦେ ।
ବ୍ରହ୍ମା ବିଷ୍ଣୁ ଶିବ କୋଟିକଳ୍ପ ଯୁଗ ଅନେକ ଗଲେଣି ବହି,
ବ୍ରହ୍ମକଳା ବିନା ନ ଥିଲେ ଅଙ୍ଗରେ ଭଜିତେ ସାମର୍ଥ୍ୟ ନାହିଁ ।
ଅତି ଭାଗ୍ୟ ପୂର୍ବ ସୁକୃତ ବାସନା ତପସ୍ୟା ଯାହାର ଥିବ,
ମାତୃଗର୍ଭ ହେତୁ ଆତ୍ମା ଜ୍ଞାନ ଭକ୍ତି ତାଙ୍କୁ ପରାପତ ହେବ ।
ମୃତ୍ୟୁ ପିଣ୍ଡ ଗୋଟି ମାୟା ଅଛି ଘୋଟି ଚାହୁଁ ଚାହୁଁ ଯିବ ସରି,
ଭଜି ଯେ ପାରିବ ଜନ୍ମ ମରଣରୁ ନିଶ୍ଚୟ ସେ ହେବ ପାରି ।
ଭୟକୁ ତେଜିଲେ ନିର୍ଣ୍ଣୟ ବୁଝିଲେ ତେବେ ଅଛି ପୁଣ୍ୟ କାମ,
ଅନ୍ତ ଡ଼ାକୁଥିବ ଅଲେଖ ମହିମା ମୁଖ ଡ଼ାକୁଥିବ ନାମ ।
ଆପଣା ମନ ଆପକୁ ଉଧରିବ ପ୍ରସନ୍ନ ହୋଇବ ଯେବେ,
ଧନ ଦାରା ସୁତ ଇଷ୍ଟ-ବନ୍ଧୁ ଭ୍ରାତ କେହି ସଙ୍ଗତେ ନ ଯିବେ ।
ସକଳ ଛାଡିଲେ ମାୟାକୁ ଏଡ଼ିଲେ ପ୍ରସନ୍ନ ହୋଇବ ମନ,
ଆପ ଦେହେ ଆପେ ଅର୍ଥ କରୁଥିଲେ ଉପୁଜିବ ବ୍ରହ୍ମଜ୍ଞାନ ।
ତିନିପୁର ଲୋକ କଲେଣି ଭାଳେଣି ଅବଧୂତ ବେଶ ଦେଖି,
ଯତି ସତୀ ଆଦି ନାଗାନ୍ତି ଯୋଗାନ୍ତି ସର୍ବେ ରହିଲେଣି ଶଙ୍କି ।
ଏବେ ବାବୁ ଦେଖ ବୈଷ୍ଣବ ସ୍ୱରୂପ ଅପୂର୍ବ ଚରିତ କଥା,
ଦାରୁ ପ୍ରତିମା ମୂର୍ତ୍ତି ଦେବୀ ଦେବତା ସର୍ବେ କି ହେଲେଣି ପୋତା ।
ନାଶ ଯିବ ମହୀ ନ ରହିବେ କେହି ସମସ୍ତେ ଭଜିବା ଆସ,
ଡାକି ଜଗତରେ କହେ ଭୀମ ଭୋଇ ଅନାଦି ଗୁରୁଙ୍କ ଶିଷ୍ୟ ।