29 . ଊନତ୍ରିଂଶ ବୋଲି

ଊନତ୍ରିଂଶ ବୋଲି ଲେଖକ/କବି: ଭୀମ ଭୋଇ
ଊନତ୍ରିଂଶ ବୋଲି

ଊନତ୍ରିଂଶ ବୋଲି

 
ବୃହସ୍ପତି ଅଂଶ କଳା ଯାର ଅଙ୍ଗେ କହିବା ଜାତକ ଗୁଣ,
ପାପ ପୁଣ୍ୟ କଥା ଜାଣଇ ସର୍ବଥା କରି ଜଉତିଷପଣ ।
ଶୁଦ୍ଧ ଶାନ୍ତି କଳା ଯେଉଁ ପ୍ରାଣୀ ବହେ କରଇ ବଇଦ ବୃତ୍ତି,
ଛୁତ ହସ୍ତେ ଦେଖି ଅନୁଭବ ରଖି ଜାଣେ ବ୍ୟାଧିର ଉତ୍ପତ୍ତି ।
ଅସୁର ଅଂଶରେ ଯେହୁ ଜନ୍ମିଥାଇ ସତ ଶାନ୍ତିକି ନ ଭଜେ,
ଚାରି ବେଦ କଥା ବୁଝାଇ କହିଲେ କଦାଚିତ୍ତରେ ନ ବୁଝେ ।
ପବନ ଅଂଶରେ ଯେହୁ ଜନ୍ମିଥାଇ ନୁହଇ ଥିର ସମୀର,
ଅଳପ କଥାକୁ ବହୁତ ମଣଇ ବଚନ କହେ ପ୍ରଖର ।
ଅଗ୍ନି ଅଂଶ କଳା ଯା'କୁ ଲାଗିଥାଇ ପ୍ରାଣୀକି ନାଶ କରଇ,
କାଳକ ଅନ୍ତରେ କୁମ୍ଭୀ ନରକରେ କୋଟି ଜନ୍ମ ପଡ଼ିଥାଇ ।
ବ୍ରହ୍ମ ଅଂଶ କଳା ଯା'ର ଅଙ୍ଗେ ଥାଇ ଶରଣ ତା ପାଦଗତ,
ବିନୟ ବହୁତ ମଣି ସତ୍ୟ କୃତ୍ୟ ଶତବାର ଦଣ୍ଡବତ ।
ସେ ଜନମାନଙ୍କୁ ଲେଖି ସମ୍ପାଦିକି ସ୍ତୁତି କରି ପ୍ରତିଦିନେ,
ବନ୍ଦନା କରି ମୁଁ ପ୍ରଭୁ ଭଗତଙ୍କୁ ଡରୁଥାଇ ପଞ୍ଚୁମନେ ।
ମାଗୁଅଛି ବର ଏତେକ ମାତର କଲ୍ୟାଣ ବାଞ୍ଛା ସମ୍ପୂର୍ଣ୍ଣ,
ଅଲେଖ ମହିମା ଯେ ଜନ ଭଜୁଛି ତା ପାଦେ ମୋର ଶରଣ।
ପ୍ରଭୁଙ୍କ ଭଗତ ସୁଜ୍ଞ ସାଧୁ ସନ୍ଥ ଶ୍ରୀଛାମୁକୁ ଯେବେ ଯିବ,
କରପତ୍ର ଯୋଡ଼ି ବିନୟ ହେଉଛି ପଛ ଆଡ଼େ ମୋତେ ନେବ ।
ନିର୍ବେଦ ଦୀକ୍ଷାରେ ଶ୍ରୀଗୁରୁ ଶିକ୍ଷାରେ ଅଟଇ କୀଟପ ମାଛି,
ନିଜ ରୂପ ଚାହିଁ କାହିଁ ମୁଁ ଭଜନ୍ତି ବାନା ଦେଖି ଡରୁଅଛି ।
ଯେଉଁ ଭଗବାନ ଗଙ୍ଗାରେ ସ୍ନାହାନ ନୀଳଗିରିରେ ଭୋଜନ,
ବୃନ୍ଦାବନେ ନାଟ ରାଧା ସଙ୍ଗେ ଭେଟ ଦ୍ୱାରକାପୁରେ ଶୟନ ।
ସେ ପୁରୁଷ ଆଜ ବୀରବେଶେ ସଜ ନିଜ ରୂପ ପରକାଶ,
ଦିବସରେ ତିନି ପହର କାନ୍ଦୁଛି ଦୁଃଖ ମୁଁ କହିବି କିସ ।
ଚଉଦ ଭୁବନ ଜୀବଜନ୍ତୁଗଣ କାହାରି ନାହିଁ ନା ସୁଖ,
ଅକାଳ ମରଣ ଘୋଟି ଯାଉଅଛି ତିନିପୁର ତ୍ରଇଲୋକ ।
ଅନନ୍ତ ଠାକୁର ଅନାଦି ପୁରୁଷ ଯେଉଁଦିନ ହେବେ ରାଜା,
ସେହିଦିନ ମୁହିଁ ଶ୍ରୀଚରଣତଳେ ହୋଇବି ଦାସ ପରଜା ।
ଏତେ ଦୁରାନ୍ତକୁ ବିଚାରି ମନକୁ ଜଗିଅଛିଟି ଆକଣ୍ଟ,
ତେଣୁକରି ମୁହିଁ ବ୍ରହ୍ମାଣ୍ଡେ କହୁଛି ନ ପିନ୍ଧିବି କୁମ୍ଭୀପଟ ।
ନାମଟି ଅକ୍ଷୟ ଅଜନ୍ମ ଅଜୟ ଚାରିଯୁଗେ ଯେବେ ସତ୍ୟ,
ଗୃହେ ଥାଇ ବିହିତ କର୍ମେ ଚାଲିଲେ ସବୁ ହେବ ପରାପତ ।
ନିଷ୍କାମ ପଦରୁ ସୁମରି ଆଦ୍ୟରୁ କରିଅଛି ଧ୍ୟାନଯୋଗ,
ପ୍ରଭୁଠାରେ ବଡ଼ କଟାଳ କରିବି ନାହିଁ ଦେଲେ ମୋତେ ଭାଗ ।
ଜନ୍ମ ହେଲେ ମୃତ୍ୟୁ ମୃତ୍ୟୁଠାରୁ ଜନ୍ମ ବେନି ପରକାର ଅଛି,
ଏ ମୃତ୍ୟୁ ମଣ୍ଡଳେ ଥିବା ପରିଯନ୍ତେ ଭୋଗ କରୁଥିବି କିଛି ।
ସତ୍ୟେ ଯେବେ ମୁହିଁ ଜନମ ଲଭିଛି ବ୍ରହ୍ମତେଜ କଳା ଘେନି,
ଯିବାବେଳେ ନିଶ୍ଚେ ସେ ଠାବକୁ ଯିବି ଭୀମ ଅରକ୍ଷିତ ଭଣି ।