ତ୍ରିଂଶ ବୋଲି ଲେଖକ/କବି: ଭୀମ ଭୋଇ
ତ୍ରିଂଶ ବୋଲି

ତ୍ରିଂଶ ବୋଲି

 
ପିତା ଅଟନ୍ତି ମୋ ଅନାଦି ଠାକୁର ମାତା ଆଦି ଶକ୍ତି ନାରୀ,
ଦୁତୀ ଯୁଗଳରୁ ଜନମ ଲଭିଛି କବି-କୃତ କଳା ଧରି ।
ପିତା ମାତାଙ୍କର ଚରଣତଳକୁ ପ୍ରଳମ୍ବିତ ଶତେବାର,
ଏଠାରୁ ଏଣିକି ନ ଦିଶୁଛି ପଦ ଜାଣି ବୁଝି ଦୟା କର ।
ଗୁରୁଦେବ ସ୍ୱାମୀ ସର୍ବ ଅନ୍ତର୍ଯ୍ୟାମୀ ନାହିଁ ମୋର କହିବାକୁ,
କାମନା କଳ୍ପଣା ସମସ୍ତ ଲାଗିଲା ଶ୍ରୀଗୁରୁ ପାଦ ତଳକୁ ।
ସାର ଅସାର ଦୁତୀୟ ପରକାର ବାତ୍ସଲ୍ୟରେ ପଦ ବସୁ,
ବରଷା ଋତୁରେ ମହାନଦୀ ପ୍ରାୟ ପଦ ଅର୍ଥ ବଢ଼ି ଆସୁ ।
ପଶିବି ଶରଣ ମେଣ୍ଟିବି ମରଣ ମନେ ନ ଧରିବି କ୍ଷୋଭ,
ପ୍ରାଣ ବଞ୍ଚାଇବି ପିଣ୍ଡକୁ ସଞ୍ଚିବି ଛତ୍ର ପ୍ରାୟ ଯେଉଁ ପାଦ ।
ଭଜୁଅଛି ମୁହିଁ ଦିବା ନିଶି ନାହିଁ ଯୁଗଳ ଚାରି ଚରଣ,
ସୁଧା ମଧୁରସ ପିଉଥିବି ନିତ୍ୟେ ତାହା କରୁଅଛି ମନ ।
ଦାରୁ ହୋଇ ଦୁବ ହୋଇଲି ମୁଁ ଆସି ବହି ଯାଉଅଛି ଯୁଗ,
ପିତା ମାତାଙ୍କର କରୁଣା ନୋହିଲେ ଜଗତେ ନ ମିଳେ ଠାବ ।
ସତେ ଯେବେ ଅବଧୁତ ଶୂନ୍ୟବାନା ଅଲେଖ ମହିମା ମେରୁ,
ବିଚାରିଲେ ପ୍ରଭୁ କ୍ଷଣକ ମାତ୍ରକେ ଦୁବ କରିପାର ଦାରୁ ।
ଅନନ୍ତ ପୁରୁଷ ଅରୂପେ ଅଦୃଶ୍ୟ ଯାର ନାହିଁ ହାଇ ଛାଇ,
ଶୂନ୍ୟକୁ ଅନାଇ ଦର୍ଶନ କରୁଛି ପାଦ ରେଣୁ ପାଇ ପାଇ ।
ଅଜନ୍ମ ଅକ୍ଷଏ ନ ଦିଶଇ କାଏ ଅନାଦି ଅରୂପାନନ୍ଦ,
ତରିଯିବି ବୋଲି ଚିତ୍ତରେ ମୋହର ଶୂନ୍ୟକୁ ପାତିଛି ଫାନ୍ଦ ।
ଆଗତଭବିଷ୍ୟ ଆଜ୍ଞାରେ ଅଦୃଶ୍ୟ ମନେ ମନେ ହେତୁ କରି,
ଦିବସ ରଜନୀ ସନ୍ତାପୀ ହେଉଛି ପ୍ରଭୁ ନାମ ଧରି ଧରି ।
ମନରେ ନିମଜ୍ଜି ଆନକୁ ନ ଭଜି ଏକା ମହିମାଙ୍କ ବିନୁ,
ପ୍ରଭୁ ସେ ରଖିବେ ପ୍ରଭୁ ସେ ଭକ୍ଷିବେ ଏ ମୋର ମାନବ ତନୁ ।
ଏଥକୁ ଚାହିଁ ବିଚାରି ଦୟା କର ବାଞ୍ଛାଫଳ ପୂର୍ଣ୍ଣ ହେଉ,
କବି କୃତ କଳା ଫୁଟି ଅନର୍ଗଳା ଯୁଗେ ଯୁଗେ କୀର୍ତ୍ତି ରହୁ ।
ଯୋନିଜନ୍ମ ପିଣ୍ଡ ପ୍ରକୃତି ପ୍ରଚଣ୍ଡ ରୋମ ଚର୍ମେ ଲାଗି ମାୟା,
ଅନୁଭଦ ଭେଦ ମାର୍ଗେ କହିଦେଲେ ପିତା ମାତା ହେଲେ ଦୟା ।
ଶ୍ରୀଗୁରୁଙ୍କ ଠାସ ନୟନ ସାଦୃଶ ବେଦଶାସ୍ତ୍ର ନାହିଁ ସାଧି,
ଶୂନ୍ୟକୁ ଅନାଇ ପଦ ବଖାଣଇ ଅନୁଭବେ କରି ବୁଦ୍ଧି ।
ଶଶୀ ତେଜ ପ୍ରାୟ ହୋଇଲା ଉଦୟ ହୁଦରୁ ଉବୁରି ଭେଦ,
ଅଜ୍ଞାନ ପିଣ୍ଡରେ ଚେତା ପ୍ରକାଶିଲା ଶିରେ ଶିରେ ଲାଗି ପାଦ ।
ପିତା ମାତା ଦୁଇ ଏକ ସଙ୍ଗ ହୋଇ ଭକ୍ତି କଳାକୁ ସୁମରି,
ବେନି ଜନ ହୋଇ ଆଶୀର୍ବାଦ ଦେଇ କୃପାଜଳେ ସ୍ନାନ କରି ।
କୀଟପ ଜନମ ଅଜ୍ଞାନ ପାମର ଜଡ଼ା ବୃକ୍ଷ ସଙ୍ଗେ ଜଣେ,
କହିଲା ବଚନ ପାସୋରି ହୁଅଇ ହୃଦରେ ନ ଥାଇ କ୍ଷଣେ ।
ସର୍ବ ସାଧୁଗଣ ହୋଇ ଏକ ସ୍ଥାନ ସିଦ୍ଧ ସାଧୁଙ୍କର ମେଳେ,
ଆଶିଷ କଲ୍ୟାଣ ଦେଇ ଋଷିଗଣ ମାଥେ ହସ୍ତମାରି ଦେଲେ ।
ଅନାଦି ଅଲେଖ ହୋଇଛନ୍ତି ଉଦେ କହନ୍ତେ ବୋଇଲେ ନାହିଁ,
କହେ ଭୀମ ଭୋଇ ଷଡ଼ ଶତ ପଦ ସମସ୍ତେ ହେଲେଣି ବାଇ ।