31 . ଏକତ୍ରିଂଶ ବୋଲି

ଏକତ୍ରିଂଶ ବୋଲି ଲେଖକ/କବି: ଭୀମ ଭୋଇ
ଏକତ୍ରିଂଶ ବୋଲି

ଏକତ୍ରିଂଶ ବୋଲି

 
ଦିନୁ ଦିନ ଆସି ପ୍ରବଳ ହେଲାଣି ଦୁଃଖ କଷ୍ଟ ଦୁରୁଦଣ୍ଡ,
ଦୋଷ ଅପରାଧ କ୍ଷମା କରି ସ୍ୱାମୀ ସମ୍ଭାଳ ତୋ ଭକ୍ତ ମୁଣ୍ଡ ।
ଧିକାର ବଚନେ ଧ୍ୟାନକୁ ଛଡ଼ାଇ ଧୀରେ ରହୁ ନାହିଁ ମନ,
ଧିକ ଯାଉ କିନା ଜୀବ ଜନ୍ମ ମୋର ଧାଉଁଅଛି ଅନୁକ୍ଷଣ ।
ବ୍ରହ୍ମାଣ୍ଡ କରତା ଆପେ ବିଜେ କରି ବାଛି ବେଭାର କରିଛ,
ବାଧି ଯାଉଅଛି ଜୀବନକୁ ମୋର ସତ କଥା ନୋହେ ମିଛ ।
ଅନ୍ତର୍ଯ୍ୟାମୀ ପ୍ରଭୁ ଅଶ୍ରୁତି ଅମୂର୍ତ୍ତି ଅନ୍ତର୍ଗତେ ପରା ଜାଣି,
ଆଶ୍ରିତ ପ୍ରାଣୀକି ଅବସ୍ଥା ଦେଉଛ ହୃଦୟ ହେଉଛି ହାଣି ।
ଦୟାଳୁ ପୁରୁଷ ଦରଶନେ ଦୃଶ୍ୟ ଦଗଧି ହେଉଛି କାଏ,
ବାମ ଡ଼ାହାଣକୁ ଯେଣିକି ଚାହିଁଲେ ଆଗ ପଛେ ନାହିଁ କିଏ ।
ତେଣୁକରି ମୁଁ ଯେ ତରିବି ବୋଲିଣ ତୀରକୁ ଦେଉଛି ଦୃଷ୍ଟି,
ତ୍ରୈଲୋକ୍ୟର ପ୍ରଭୁ ତତ୍ତ୍ୱରେ ନ ବୁଝି ଲଗାଉଅଛ ଅରିଷ୍ଟି ।
ଅନାସ୍ତ ପ୍ରାଣୀକି ଛନ୍ଦ କୂଟେ ଆଣି ଅଥଳେ ପକାଉଅଛ,
ଅନୁମାନ କରୁଅଛି ନିରନ୍ତରେ ଅନ୍ତର କରି ଦେଉଛ ।
ଆଶା କରି କରି ଅବସ୍ଥା ହେଉଛି ଆସି ମୃତ୍ୟୁ ରବିତଳେ,
ଅଜ୍ଞାନ ଅକର୍ମ ଯଶ ଅପଗୁଣ ଘୋଟିଲାଣି ଏକାବେଳେ ।
ମନରେ ତ ବଦ ମାନି ନିଜ କର୍ମ ମୃତ୍ୟୁପଥକୁ ଆବୋରି,
ମଲା ପିଣ୍ଡେ ମୋର ଭାରା ପକାଉଛ ମାୟା ମୋହ ଭରି କରି ।
ଗୁରୁଦେବ ସ୍ୱାମୀ ସର୍ବ ଅନ୍ତର୍ଯ୍ୟାମୀ ଖାତକୁ ଦେଉଛ ଫିଙ୍ଗି,
ଗରଳ ବିଷ ପରାୟେ ଲଗାଉଚ ଗାଢ଼ପଣେ ଅଛି ଜଗି ।
ମହତ ମର୍ଯ୍ୟାଦା ସକଳ ବୁଡ଼ାଇ ମନୁଷ୍ୟ ପରାଏ ହୋଇ,
ମାନ ଛଳ କଥା ଦୂରେ ଫିଙ୍ଗି ଦେଇ ମୃତ୍ତିକା ପରାଏ ମୁହିଁ ।
ଛାର ଛିକାର ଛୋକାରିଆ କଥାକୁ ଛନ ଛନ ହୁଏ ଚିତ୍ତ,
ଛାଡ଼ି ଲାଜ ଭୟ ଦୂରକୁ ତେଜିଲେ ସରିବ ମାନ ମହତ୍ତ୍ୱ ।
ଗୁରୁ ସେ ହରତା କରତା ବିଧାତା କରିବେ ଯେ ଭଲ ମନ୍ଦ,
କିସ ଜଣାଇବି ଶ୍ରୀଗୁରୁ ଛାମୁରେ ଜାଣିବେ ଅନାଦିକନ୍ଦ ।
ଶୂନ୍ୟ ଶୂନ୍ୟ ବୋଲି ସକଳକୁ ଛାଡ଼ି ସତ୍ୟକୁ କରି ପସରା,
ସହିବାକୁ କାହିଁ ଶକତି ମୋହରି ନେତ୍ରୁ ବହୁଅଛି ଧାରା ।
ଶୋକ ସନ୍ତାପରେ ଶରଣ ପ୍ରଣାମ ସକ୍ଷ ନାହିଁ ମୋର ଦେହେ,
ସହି ସମ୍ଭାଳି ସାଧ୍ୟ କରିବି ପଢ଼ି ଏକାକ୍ଷର ନିରାମଏ ।
ଘନ ପ୍ରାଏ ଘୋଟି ଗର୍ଜି ଆସୁଅଛି ଘୋର କଳି ମାୟା ଦେଖ,
ବୀରବଧୂବାନା ଘୋଡ଼ାଇ ଜୀବକୁ ଅଭୟ ପଞ୍ଜରେ ରଖ ।
ଡିଙ୍ଗରକୁ ଚାହିଁ ଡ଼ରୁଅଛି ମୁହିଁ ଡାକ ଜଗତରେ ପଡ଼ି,
ଡୋଳା ଗୋଚରେ ଦେଖୁ ଦେଖୁ ସମସ୍ତେ ଅଙ୍ଗେ ବସିଲେଣି ମାଡ଼ି ।
ପଞ୍ଚମନ ମଧ୍ୟେ ବିଚାରଣ କଲେ ପାସୋର ନୁହଇ କଥା,
ପୂରାଉଛ ନେଇ ଅଗମ୍ୟ ଭିତରେ ରଖୁଛ କୀରତି ପୋଥା ।
କାର୍ଯ୍ୟ ଯେବେ ଅଛି କାହିଁକି ଶ୍ରୀଗୁରୁ କରାଉଛ ହଟପଟ,
କର୍ମକାଣ୍ଡେ ମୋର କି କି ଲେଖିଅଛ କହିଦିଅ ମୋତେ ବାଟ।
ନ ଜାଣଇ କିଛି ଆଶା କରିଅଛି ହୃଦୟରେ ପାଞ୍ଚି ଯାହା,
ଭଣେ ଭୀମ ହୀନ ପାମର ଅଜ୍ଞାନ ଗୁରୁଦେବ ସ୍ୱାମୀ ସାହା ।