34 . ଚତୁଃତ୍ରିଂଶ ବୋଲି

ଚତୁଃତ୍ରିଂଶ ବୋଲି ଲେଖକ/କବି: ଭୀମ ଭୋଇ
ଚତୁଃତ୍ରିଂଶ ବୋଲି

ଚତୁଃତ୍ରିଂଶ ବୋଲି

 
ଜଗତରେ କବିପଣେ ବୋଲାଉଛି ଦୋଷ ନାହିଁ ଦେବ ମୋତେ,
ନିନ୍ଦା ହାନି ଲାଭ ପାପ ପରମାଦ ପୂରି ରହିଛି ଜଗତେ ।
ଅତି ଅନ୍ୟାଚାର ଏ ମାୟା ସଂସାରେ କେଉଁରୂପେ ନେବି ଦିନ,
ପିଣ୍ଡ ବ୍ରହ୍ମାଣ୍ଡରେ ସକଳ ଠାବରେ ଛନ୍ଦିଅଛ ତିନିଗୁଣ ।
ରଞ୍ଚନା ଦେଖାଇ ପାଞ୍ଚନା କରାଇ କରାଉଛ ଖଳବଳ,
ଭବସିନ୍ଧୁ, ଭାବସିନ୍ଧୁ, ଦୁଇ ମିଶି ପୂରି ରହିଅଛି ଜଳ ।
ତହିଁର ଭିତରେ ଛାଡ଼ି ଦେଇଅଛ ଏ ଜୀବକୁ ପିଣ୍ଡ ଦେଇ,
ପାତକ ଲଗାଇ ଦୋଷ ନାହିଁ ଦେବ ଅନ୍ତର୍ଗତେ ଥିବ ଚାହିଁ ।
ଅନାଥ ଜୀବଟି ବୁଲୁଛି ସଂସାରେ ନ ଜାଣଇ କିଛି କଥା,
କେତେ ମିଛ କେତେ ପାପ ହେଉଅଛି ପ୍ରଭୁ ଜାଣନ୍ତି ଏ କଥା ।
ଯେଉଁ ଦିନୁ ଜାତ କରି ଅଛନ୍ତି ତ ରବିତଳେ ମହାଶୂନ୍ୟ,
ଚାରି ଯୁଗ ମତେ ନିଦ୍ରା ଗଲା ପରି ଲାଗୁଅଛି ଚାରିଦିନ ।
ଏଥିରୁ ଆହୁରି କିସ ମୁଁ କହିବି ସଂସାରକୁ ସତ୍ୟ ସତ୍ୟ,
ଯେ ଯହିଁରେ ଥାଇ ସେହି ସେ ଜାଣଇ ଆନକୁ ନ ଆସେ ହିତ ।
ବଡ଼ିମା କହିଲା ବୋଲିବେ ଜଗତେ ତେଣୁକରି ମୋର ଭୟ,
ମୁହିଁ ସିନା ଜାଣେ ମୋ ଜନ୍ମର କଥା ଅନାଦି ଗୁରୁଙ୍କ ପୁଅ ।
ସଂସାର ମଧ୍ୟରେ କେମନ୍ତେ ଜାଣିବେ ନର ଅଙ୍ଗେ ଦେହ ବହି,
ଆତଯାତ କଥା ଯୁଗର ବ୍ୟବସ୍ଥା ସମସ୍ତଙ୍କୁ ଜଣା ନାହିଁ ।
ହୃଦୟରେ ଭେଦ ସାରସ୍ୱତ ପଦ ଅନୁଭବେ ନାହିଁ ବୁଦ୍ଧି,
ନର ଦେହ ବହି ସର୍ବେ ଅଣଚେତେ କାହୁଁ ଜାଣିବେ ସେ ସିଦ୍ଧି?
ରୂପ ରସ ଗନ୍ଧ ରଙ୍ଗେ ମାତି ସର୍ବେ ଭୁଲାଇ ନେଉଛି ମାୟା,
ମୋହିନୀ ମଦେ ପଡ଼ିଛନ୍ତି ସମସ୍ତେ ପାସୋରି ଜୀବନ କାୟା ।
ଜଗତ ଭିତରେ ସଂସାର ହିତରେ ବଖାଣିଲି କବିକୃତ,
ଯେତେ ବୁଝାଇଲି ନ ବୁଝିଲେ କେହି କୋପ କରି ଅପ୍ରମିତ ।
କୋଳରେ ବସାଇ ମନରେ ମିଶାଇ କହୁଁ କହୁଁ କର୍ଣ୍ଣପାଶେ,
ନଦୀଜଳ ପ୍ରାୟ ବଢ଼ି ଯାଉଅଛି ଜ୍ଞାନ ନ ଭେଦିଲା ଲେଶେ ।
ମୁହିଁ କହୁଥାଇ ମନରେ ବିଚାରି ମୁକତି ପଦକୁ ଭାଳି,
ଜଣ ଜଣ କରି ବୁଝାଇ କହଇ ସର୍ବେ ତରିଯିବୁଁ ବୋଲି ।
ଦୁଲଭ ଜନମ ଦେହ ବହିଛନ୍ତି କରି ନୁହେ ବଡ଼ ସାନ,
କଥାର ପ୍ରସଙ୍ଗେ କହି ନେଉଥାଇ ଶୁଣ ଶୁଣ ସର୍ବ ଜନ ।
ଧରମ ପଥକୁ ଆଶ୍ରିତ କରାଇ ବତାଇ ଦିଅଇ ଜ୍ଞାନ,
ଆତ୍ମା ଭକତିକି ଜୀବ ମୁକତିକି ପ୍ରତ୍ୟକ୍ଷେ କରାଇ ଚିହ୍ନ ।
କପଟ ନକରି ଧୂଳିମାଟି ପରି ବାଣ୍ଟି ଦେଉଥାଇ ଭାଗ,
ପୁତ୍ର ପରାଏ ଆହାଲାଦ କରାଇ କହୁଥାଇ ଜ୍ଞାନଯୋଗ ।
କି ଅବା ସ୍ତିରୀ ସେ କି ଅବା ପୁରୁଷ ବାଳ ବୃଦ୍ଧ ଯୁବା ଯେତେ,
ଭିନ୍ନ ଭିନ୍ନ କରି ଚିହ୍ନାଇ ଦିଅଇ ସଂଶୟ ନ ରଖି ଚିତ୍ତେ ।
ପ୍ରାଣରୁ ଅଧିକ କରିଣ ତାହାକୁ କହୁଥାଉ ସଦବୁଦ୍ଧି,
ଗୁରୁସେବା କଲେ ନିଶ୍ଚେ ଅନ୍ତକାଳେ ତରିଯିବ ବାରାନିଧି ।
ଏଥକୁ ଚାହିଁ ବିଚାର ମହାପ୍ରଭୁ ହେବ ଯେବେ ମୋର ଦୋଷ,
ଶ୍ରୀଗୁରୁ ଛାମୁରେ ବିନତି ମାଗୁଛି ଭୀମ ଅରକ୍ଷିତ ଦାସ ।