43 . ତ୍ରିଚତ୍ୱାରିଂଶତ ବୋଲି

ତ୍ରିଚତ୍ୱାରିଂଶତ୍ ବୋଲି ଲେଖକ/କବି: ଭୀମ ଭୋଇ
ତ୍ରିଚତ୍ୱାରିଂଶତ୍ ବୋଲି

ତ୍ରିଚତ୍ୱାରିଂଶତ୍ ବୋଲି

 
ବିଚାରିଲେ ଅସମ୍ଭବ ଲାଗୁଅଛି ହେ ଅନାଦି ଗୁରୁଦେବ,
ଏ ପିଣ୍ଡ ବ୍ରହ୍ମାଣ୍ଡ ପୃଥ୍ୱୀ ନବଖଣ୍ଡ କେଉଁରୂପେ ସାଧ୍ୟ ହେବ ।
ମନେ ମନେ ହେଜ ପାଞ୍ଚ କରୁଅଛି ମହୀ ମେଦିନୀରେ ଥାଇ,
ନିଷ୍କାମ ଧର୍ମରେ ନିର୍ଗୁଣ କର୍ମରେ ଅଲେଖ ଧର୍ମକୁ ଧ୍ୟାୟି ।
ଅଲେଖ ପ୍ରଭୁ ସେ ମହିମାସାଗର ପିଣ୍ଡ ବ୍ରହ୍ମାଣ୍ଡର ଗୁରୁ,
ଚାରି ଯୁଗ ମଧ୍ୟେ ଚାରିଖାନି ଜୀବ ଜାତ ହ୍ୱନ୍ତି ସେ ବ୍ରହ୍ମରୁ ।
ସେ ପ୍ରଭୁଙ୍କୁ ମୁହିଁ ଧ୍ୟାନ କରୁଅଛି ନ ଗଲା ଦାରୁଣ ଦଶା,
ପିଣ୍ଡ ବ୍ରହ୍ମାଣ୍ଡ ଅନ୍ଧକାର ଦିଶୁଛି ଶୂନ୍ୟକୁ କରି ସାହସା ।
ନିଜ ନାମ ଛାଡ଼ି ଅଗମ୍ୟେ ପଶିଲି ନେତ୍ରେ ଚାହୁଁ ଚାହୁଁ ବଣା,
ଥଳ ଛାଡ଼ି ମୁହିଁ ଅଥଳେ ପଡ଼ିଲି ମୋ କର୍ମ ବହୁତ ଊଣା ।
ସେବା ଭକ୍ତି ଛାଡ଼ି ଅଧର୍ମ ଭକ୍ତିରେ ହୋଇଲି ମୁଁ ଗତାଗତ,
ନିଜ ଗୁରୁ ପାଦେ ଅପ୍ରାଧୀ ହେଉଛି ନ ଦେଇ ପାରୁଛି ସତ ।
ନିଜ ଥାନ ଛାଡ଼ି ବିଥାନ ହେଉଛି ବୁଦ୍ଧି ଅନୁସାରେ ମୁହିଁ,
ସଦଜ୍ଞାନ ଛାଡ଼ି ଅଜ୍ଞାନରେ ପଡ଼ି ଆଗକୁ ଯାଉଛି ଧାଇଁ ।
ବୃକ୍ଷ ମୂଳ ଛାଡ଼ି ଡାଳ ତଳେ ପଡ଼ି ଶ୍ରମ ଲଭିବାକୁ ଇଚ୍ଛା,
ନ ଜାଣି ମୁହିଁ ମନ୍ଦ କର୍ମ ବିଚାରେ ଆକାଶ ଫଳକୁ ବାଞ୍ଛା ।
ପିତାମାତା ଯୁକ୍ତ କାଳେ ଯା ଲେଖିଛି ତାହା ସିନା ଭୋଗ ହେବ,
ମୋ କର୍ମ ବ୍ୟବସ୍ଥା ମୁଁ କିସ ଜାଣିବି ପ୍ରଭୁ ହସ୍ତ ମାରି ଦେବ ।
ବିନା ଲେଖନରୁ କର୍ମେ ନ ଫଳଇ ପାପ ପୁଣ୍ୟ ବେନି ମତ,
କର୍ମ ଦଣ୍ଡ ଛପା ଲାଗି ବୁଲୁଅଛି ପରମ ଗୁରୁଙ୍କ ହସ୍ତ ।
ନିରନ୍ତରେ ମୁହିଁ ଅନ୍ତରେ ଡାକୁଛି ଶୁଣୁଛ କି ନାହିଁ ଗୁରୁ,
ଭଗତରକ୍ଷଣ ବାନା ବହିଅଛ ଦୟା ପଦେ ଆଦ୍ୟନ୍ତରୁ ।
ଦେଖ ଏ ବ୍ରହ୍ମାଣ୍ଡ କେମନ୍ତ ହେଲାଣି ଦିନୁ ଦିନୁ ମହାଘୋର,
ଛପ୍ନାକୋଟି ଜୀବ ଅଚେତ ହେବାରୁ ଡାକୁଛି ମୁଁ ନିରନ୍ତର ।
ଚାରିଖାନି ଜୀବ ପାପକର୍ମ କଲେ କେହି ନାହିଁ ମୋକ୍ଷଭାଗୀ,
କଳିର ମହିମା ପିଣ୍ଡ ବ୍ରହ୍ମାଣ୍ଡରେ ତ୍ରିପୁରେ ଗଲାଣି ଲାଗି ।
କଳିଯୁଗରୁ କି ରୂପେ ବଞ୍ଚାଉଛ ବୁଡ଼ିଛନ୍ତି ପାପ ପଙ୍କେ,
ପିଣ୍ଡ ବ୍ରହ୍ମାଣ୍ଡ ନାଶିବାକୁ ହେଲାଣି ଅପମୃତ୍ୟୁ କାଳମୁଖେ ।
ମାୟାକୁ ଛେଦିଲେ କାଳକୁ ବଧିଲେ ତେବେ ପ୍ରତିକାର ଅଛି,
ତିନି ବ୍ରହ୍ମାଣ୍ଡେ ଯେତେ ଜୀବ ଅଛନ୍ତି ଇଜ୍ଜତ ନାହିଁ ନା କିଛି ।
ଧରଣୀ ଧରି ସମ୍ଭାଳି ସୁସ୍ଥ କର ନୋହିଲେ ଭାସିଲୁ ନିଶ୍ଚେ,
ଡୁବିଲା ସଂସାର ଜଣାଇଲୁ ନାହିଁ ନ ବୋଲିବେ ମୋତେ ପଛେ ।
ଚାରିଖାନି କର୍ମ କେତେ ମୁଁ କହିବି କରିଛନ୍ତି ଯାହା ଯାହା,
ଘୋର କଳିଯୁଗେ ଯେଉଁ ବିଧିମତେ କର୍ଣ୍ଣେ ଶୁଣି ନୁହେଁ ତାହା ।
ଅନ୍ତର୍ଯ୍ୟମୀ ଗୁରୁ ଅନ୍ତର୍ଗତେ ଜାଣି ତାରି ମୁକ୍ତ ଦୟା କର,
ସନ୍ଦେହରେ ଏହୁ ନର୍କେ ପଡ଼ିଛନ୍ତି ଧୋଇ ପଖାଳି ଉଧର ।
ଚାରି ଯୁଗ ମଧ୍ୟେ ଗୁରୁ ପାଦ ଗୋଟି ଅଟଇଟି ଧର୍ମ ନାବ,
ଯହିଁ ଜାତ ହେଲେ ତହିଁ ହତ ହେଲେ ଭାସୁଛନ୍ତି ଭବାର୍ଣ୍ଣବ ।
ଘୋର କଳିଯୁଗେ ଯାହା ମୁଁ ଦେଖୁଛି ତରିବାକୁ ନାହିଁ ବାଟ,
ଗୁରୁ ପାଦ ଧ୍ୟାୟି କହେ ଭୀମଭୋଇ ପଡ଼ୁଛି ବଡ଼ ସଙ୍କଟ ।