49 . ଊନପଞ୍ଚଶତ ବୋଲି
ଊନପଞ୍ଚାଶତ୍ ବୋଲି
ଶୂନ୍ୟ ଶୂନ୍ୟ ମହାଶୂନ୍ୟରେ ବିଶ୍ରାମ ନାମ ଅଟଇ ନିର୍ବେଦ,
ନ କରି ଅଇଁଠା ନ ପାଇ ତୋ ମିଠା କେ ପାଇବ ପ୍ରତିବୋଧ ।
ନ ଦେଖି ତୁମ୍ଭଙ୍କୁ କେ ସନ୍ତୋଷ ହେବ ନାହିଁ ଯହିଁରେ ଶରୀର,
ଅନୁଭବ କରି ଥୟ କେ କରିବ ହୃଦରେ ଧଇର୍ଯ ଧର ।
ନ ଚିହ୍ନି କାମନା ସୁଶାନ୍ତି ଭଜିବ ବର୍ଣ୍ଣ ଚିହ୍ନ ଯାର ନାହିଁ,
ନ ପାଇ କେହୁ ପରତେ ଯିବ ମନେ ନାହିଁ ଯା'ର ହାଇ ଛାଇ ।
ଅଦେହ ଶ୍ରୁତିରେ କେ ଆଶ୍ରେ କରିବ ଭଜି କାହା ମନେ ଦମ୍ଭ,
ଶୂନ୍ୟରେ ବିଶ୍ୱାସ କେ କରୁ ସାହସ ଦୃଢ଼ରେ ହେବ ଆରମ୍ଭ ।
ନ ଜାଣି ନ ଶୁଣି କେହୁ ଚିତ୍ତ ଦେବ ତୁଚ୍ଛାକୁ ଭରସା କରି,
ନାମ ନାହିଁ ଯହିଁ ମୁଖେ ନୁହେ କହି କେବଣ ଆଶାକୁ ଧରି ।
ନ ବୁଝି ନ ଗମି କେ ପ୍ରୀତି କରିବ ଧରିବାର କଥା ନୁହେଁ,
ଆପ ମନେ ଜାଣି ସୁଶାନ୍ତିକି ଘେନି କେଉଁ ଜନ ଧୀରେ ରହେ ।
ନ ଖାଇ କେହୁ ଜିହ୍ୱାକୁ ବୁଲାଇବ ଆସ୍ୱାଦେ ସନ୍ତୋଷ ପାଇ,
ଆକାଶକୁ ଚାହିଁ ଅମନେ ମନାଇ କେ ପାରିବ ଧର୍ମେ ରହି ।
ନ ଗମି ତୁମ୍ଭଙ୍କୁ କେ ଲଭି ପାରିବ ପଢ଼ିଣ ଶାହାସ୍ର ପଥ,
ବୁଦ୍ଧି ପାଞ୍ଚନା କରି ବ୍ରହ୍ମ ଲଭିବି ବୋଲି କେ କରିବ ସତ ।
ନ ପଶି କେହୁ କଳଣା କରି ବ୍ରହ୍ମ ମନରେ ହେବ ଆନନ୍ଦ,
ବିନା ଆଶରାରେ କେ ପାତିବ ଶିର କର୍ଣ୍ଣେ ଣୁଣି ଅଧାଧୁନ୍ଦ ।
ବିନା ପ୍ରଚେ ହୋଇ ଦିନ ବଞ୍ଚିବାର ବହୁତ କଠିନ କଥା,
ପ୍ରକୃତି ଶରୀରେ କେ କରିବ ଧ୍ୟାନ କାହୁଁ ପାଇବ ବାରତା ।
ନର ଦେହ ବହି ନିରତେ ତୁମ୍ଭଙ୍କୁ କେ ଭଜି ପାରିବ ଠିକେ,
ଅନାମରୁ ନାମ କ୍ଷରାକ୍ଷର କରି କେ ଜପି ପାରିବ ମୁଖେ ।
ନିଃଶବ୍ଦରୁ ଶବ୍ଦ କେ କାଢ଼ି ପାରିବ ବୁଦ୍ଧିବଳ ପୂରେ ନାହିଁ,
ବ୍ରହ୍ମସାଗର ଅଗାଧ ସିନ୍ଧୁ ଅଟେ ଥଳ କୂଳ ନ ମିଶଇ ।
ମହିମାସାଗର ଝାସି ପଶିବାକୁ କାହାର ଭରସା ଅଛି,
ବ୍ରହ୍ମମୟ ପୁର ଅଦ୍ଭୁତ ମନ୍ଦିର ଜ୍ଞାନନେତ୍ରେ ନ ଦିଶୁଛି ।
ଯୋଗିଜନମାନେ ଧ୍ୟାନ କରି କରି ରହି ଗଲେଣି ଅନେକ,
ପାଇଲେ କି ନାହିଁ କେ ତାହା ଜାଣଇ ଯୋଗ ଘରେ କରି ସଖ୍ୟ ।
ତିନି ଭୁବନରେ ଲୋଡ଼ୁଛନ୍ତି ତୋତେ ଅନ୍ତ ନ ପାଇଲେ ନାମ,
ବ୍ରହ୍ମ ବ୍ରହ୍ମ ବୋଲି ଅନୁସରି ସରି ଲଭିଗଲେଣି ମରଣ ।
ନ ଜାଣିମା ଲୋକେ ବୋଲନ୍ତି ତୁମ୍ଭଙ୍କୁ ଚିହ୍ନିଅଛୁ ଆମ୍ଭେ ବ୍ରହ୍ମ,
ମିଛ କଥାରେ ସେ ଭ୍ରମି ହେଉଥା'ନ୍ତି ଯେସନେକ ପଥଶ୍ରମ ।
ନିଷ୍କାମ ପଥରେ ବଡ଼ିମା ନ ଚଳେ ଛିଡ଼ିପଡ଼ିବାର ହୁଏ,
ଅଜ୍ଞାନୀ ଜୀବ ଏ ପ୍ରକୃତି ବିଚାର ଯେଣୁକରି ଦେହ ବହେ ।
ଜାଣିବାର ଲୋକେ ନିଊନ ହୁଅନ୍ତି ନ କରନ୍ତି ବେଦବାଦ,
ଅଖଣ୍ଡ ବ୍ରହ୍ମକୁ ଖଣ୍ଡ ନ୍ୟାୟ କଲେ ଅଙ୍ଗେ ପଡ଼େ ପରମାଦ ।
ମୂର୍ଖ ପ୍ରାଣୀମାନେ ନ ଜାଣି ଚିତ୍ତରେ କରନ୍ତି ଉଦଣ୍ଡ ଜ୍ଞାନ,
ନ ବୁଝି ନିନ୍ଦା କଲେ ସତ୍ୟ ଧର୍ମକୁ ପରମାୟୁ ହୁଏ କ୍ଷୀଣ ।
ସାଧୁଜନମାନେ ବିଚାରଣା କର ଅଜ୍ଞାନ କି ଜ୍ଞାନ ଅଟେ,
ଭଣେ ଭୀମଭୋଇ ଗୁରୁପାଦ ଧ୍ୟାୟି ନିରନ୍ତରେ ସେବା ଖଟେ ।