ଊନଷଷ୍ଟି ବୋଲି ଲେଖକ/କବି: ଭୀମ ଭୋଇ
ଊନଷଷ୍ଟି ବୋଲି

ଊନଷଷ୍ଟି ବୋଲି

 
ଅରୂପ ବ୍ରହ୍ମକୁ ଗୁରୁ କରି ମୁହିଁ ଅକାରଣେ ମରିଗଲି,
ମୋ କଳ୍ପିଲା ବୁଦ୍ଧି ମୋତେ କାଳ ହେଲା ଜୀବ ଥାଉ ଥାଉ ମଲି ।
ପୂର୍ବ ସୁକୃତର କିମ୍ପା ମୁଁ ମାଗିଲି ମାୟାଘର ଫଳଶ୍ରୁତି ।
ଜାଲ ଜଞ୍ଜାଳକୁ ଜଣା ନାହିଁ ମୋତେ ଭୁଞ୍ଜିଲି ଏମନ୍ତ ରୀତି ।
ମୁହିଁ ସିନା ନ ଜାଣିଲି ମହାପ୍ରଭୁ ତୁମ୍ଭେ ତ ସକଳ ଜାଣ,
ଗୃହ ଫଳ ଭୋଗ ନ ମାଗ ତୁ ବୋଲି ମୋଡ଼ିଥାନ୍ତ ମୋର କାନ ।
ନେତ୍ରେ ଦେଖି ଯେବେ ଭୋଳରେ ପଡ଼ିଲି ଅଜ୍ଞାନପଣରେ ମାତି,
ରୂପ ଗଲା କାହିଁ କିଛି ନ ଦେଖନ୍ତି ନେତ୍ର ଯାଉଥାନ୍ତା ଫୁଟି ।
ଏବେ ମୁଁ ପଡ଼ିଲି ବିଷୟା ଫନ୍ଦାରେ ଭୟ ମାଡ଼ୁଅଛି ମୋତେ,
ଅନ୍ଧ ପ୍ରାୟ ମୁହିଁ ଭ୍ରମି ମରୁଅଛି ଆତଙ୍କେ ଡାକୁଛି ତୋତେ ।
ତୁ ଯେବେ ମୋର ଇଷ୍ଟଦେବତା ହେବୁ ଗୁହାରି ଶୁଣିବୁ କର୍ଣ୍ଣେ,
ଯହିଁପାଇଁ ତୋତେ ଅନୁସରି ଅଛି ପଶି ଘୋର ମାୟାବନେ ।
ଘୋର ଅରଣ୍ୟରେ ଉଚ୍ଚେ ମୁଁ ଡାକୁଛି କେ ଶୁଣୁଅଛି ଗୁହାରି,
ଦେହଧାରୀ ହୋଇ ବୈକୁଣ୍ଠ ଭୁବନେ ଆସି ମୁଁ ଅଛି ବାହାରି ।
ତୁମ୍ଭେ ତ ମୋତେ ବୋଇଲ ଯାଅ ଯାଅ ମୁହିଁଥିବି ତୋହ ସଙ୍ଗେ,
ଗୁରୁ ଥାଉଁ ଥାଉଁ ଅକାଳ ବିପତ୍ତି କାହିଁକି ପଡ଼ୁଛି ଅଙ୍ଗେ ।
ଏକପାଦ ବ୍ରହ୍ମ ଚରଣ ତଳକୁ ଅନୁବ୍ରତେ କରି ଆଶା,
ଏଡ଼େ ପ୍ରଭୁ ଥାଉ ଅସାହସ ହୋଇ ଭାଙ୍ଗିଯାଉଛି ଭରସା ।
ଗୁରୁଙ୍କ କୃପାରୁ ସଂସାର ସାଗରେ ଗରବିତା ପଣ ମୋର,
ତୁମ୍ଭଙ୍କୁ ମୁହିଁ ଆଦ୍ୟରୁ କହିଅଛି ହାନିଲାଭ ଯେତେ ତୋର ।
ଜାଣୁଜାଣୁ ପ୍ରଭୁ ପେଲିଦେଇ ମୋତେ ଡୁବାଇ ଦେଲ ସିନ୍ଧୁରେ,
ତିନି ବ୍ରହ୍ମାଣ୍ଡରେ ଲୋକେ ଦେଖୁଛନ୍ତି ଏବେ ପଡ଼ିଛି ବନ୍ଦୀରେ ।
ଜାଣୁ ଜାଣୁ ହଟହଟା କରାଉଛ କଳଙ୍କ କଣ୍ଟା ଲଗାଇ,
ପଛନ୍ତେ ଏହାକୁ ସାଧିବଇଁ ବୋଲି ବିଚାରରେ ଥିଲ ଥୋଇ ।
ଏତେବେଳେ କହ କେମନ୍ତେ ହେଉଛି ପୂର୍ବରୁ ବିଚାରମାନ,
ସେହି ବିଷୟ ଏବେ ମନେ ପଡ଼ୁଅଛି ହୃଦୟରେ ଅନୁକ୍ଷଣ ।
ମାୟାଧର ସ୍ୱାମୀ ମାୟାକୁ ରଚନ କରିବେ ବୋଲି ନ ଜାଣି,
କାୟାକୁ ଦେଖଇ ଛାୟାର ଭିତରେ ଭଣ୍ଡିବେ ବୋଲି ନ ଚିହ୍ନି ।
କରତା ପୁରୁଷ କଉତୁକ କରି ଭବ-ସାଗରେ ମାଡ଼ିଛ,
ମନ୍ଦ ମନ୍ଦରେ ହସିଣ ଶୂନ୍ୟବାସୀ ଢମାଳିଆ ବୁଝୁଅଛ ।
ପିଣ୍ଡ ପ୍ରାଣ ମୋର ହଜି ଯାଉଅଛି ଗୁରୁଙ୍କୁ ମାଡ଼ୁଛି ହସ,
ତିନି ବ୍ରହ୍ମାଣ୍ଡରେ ଯହିଁ ଆଉଜିଲେ ସୁସ୍ଥେ ନ ମିଳୁଛି ବାସ ।
ଜାଣୁଅଛ ଗୁରୁ ନ ଜାଣିଲା ପ୍ରାଏ ଶୁଣୁଅଛ କର୍ଣ୍ଣପଥେ,
ଭବେ ବୁଡ଼ାଇ ଭାବନା ଦେଖୁଅଛ କଉତୁକ କରି ମୋତେ ।
ନାସା ପରିଯନ୍ତେ ହୋଇଲାଣି ଜଳ ଡୁବିବାକୁ ବାକି ଅଛି,
ତ୍ରାହି ତ୍ରାହି ବାରେ ଶରଣ ସମ୍ଭାଳ ସଂଶୟ ନ ରଖି କିଛି ।
ଚେତି ବିଚାରିଲେ ବ୍ୟଥା ମାଡ଼ୁଅଛି କଥା ହୋଇ ଅସମ୍ଭାଳ,
ମୋ ଭାବରେ ସବୁ ପିତା ହୋଇଗଲା ଚିନ୍ତା ହେଉଛି ପ୍ରବଳ ।
ଅଗାଧ ସାଗରେ ଭାସୁଅଛି ମୁହିଁ ଅଭୟ ପଞ୍ଜରେ ରଖ,
ଗୁରୁପାଦ ଧ୍ୟାୟି କହେ ଭୀମଭୋଇ ସକଳ ଠାବେ ନିରେଖ ।