61 . ଏକଷଷ୍ଠୀ ବୋଲି
ଏକଷଷ୍ଠୀ ବୋଲି
ମୋହର ବିକଳ କେହି ନ ଜାଣନ୍ତି ଅଲେଖ ଶୂନ୍ୟ ପୁରୁଷ,
ଶତେ ବାର ମୁହିଁ ଜଣାଣ କରୁଛି ଗୁରୁଙ୍କୁ ମାଗୁଛି ଦୋଷ ।
ଅଧମ ପାମର ଅଜ୍ଞାନ ଜୀବର କ୍ଷମା କର ଅପରାଧ,
ଶୂନ୍ୟ ଦେହ ଘେନି ଶୂନ୍ୟ ବାନା ଆଣି ଖଣ୍ଡନ କର ପ୍ରମାଦ ।
ଅଭୟ ବ୍ରହ୍ମକୁ ଆଶ୍ରେ କଲେ ପରା ନ ଥାଇ ମନରେ ଭୟ,
ଚିରାନନ୍ଦ ଯେବେ କରୁଣା କରନ୍ତି ଚିରକାଳ ରହେ ଦେହ ।
ଏହି ଦେହ ପରା ବ୍ରହ୍ମଭୂତ ହୁଏ ପୁରାତନେ ଛନ୍ତି କହି,
ମହିମା ଭଜିଲେ ମୋତେ ନ ଲାଗଇ ରହିଥାନ୍ତି ପରା ମହୀ ।
ଅଭୟ ପାଦପଦ୍ମକୁ ଆଶ୍ରା କଲେ ନାହିଁ ପରା ଜନ୍ମ ମୃତ୍ୟୁ,
ପିଣ୍ଡ ନ ପଡ଼ଇ ଶ୍ରୋତା ନ ବୁଡ଼ଇ ଚାରିଯୁଗେ ରହେ ହେତୁ ।
ଉଦାସୀନ ଭାବେ ଥିଲେ ଯୋଗମାର୍ଗେ ନ ଲାଗଇ ପରା ଲେନ୍ତା,
ଯେତେ ଇଚ୍ଛା ତେତେ ଦିନ ରହେ ଦେହ ଅଟଇ ଅମର ପନ୍ଥା ।
ଅଭୟ ନାମକୁ ଭଜୁଥିଲେ ପରା ନ ଥାଏ କାଳ ବିପତ୍ତି,
ଯଜନର ଧୁନି ଲାଗିଥିଲେ ପରା ଖଣ୍ଡନ ହୋଏ ପ୍ରକୃତି ।
ଏହିପରି ମୁହିଁ ପୂର୍ବେ ଶୁଣୁଥିଲି ଏଣୁ ମୋ ବହୁତ ଆଶା,
କର୍ମ ଧର୍ମ ମୁହିଁ କିଛି ନ ଜାଣଇ ନ କରି ଯୋଗ ତପସ୍ୟା ।
ଅଭୟ ବ୍ରହ୍ମକୁ ଆଶ୍ରେ କଲେ ପରା ନ ଥାଇ କାହାକୁ ଡର,
ଛପନା କୋଟିର ଉପରେ ସେ ବ୍ରହ୍ମ ଅଟନ୍ତି ସବୁରି ବର ।
ଦେହଧାରୀ ଯେତେ ଜୀବିତ ଅଟନ୍ତି କରିଛି ସୁବୁଙ୍କୁ ସେହି,
କଳ୍ପଣା ଗୋଚରେ ସର୍ବେ ଜାତ ହେଲେ ସଞ୍ଚରି ତ୍ରିପୁର ମହୀ ।
କ୍ଷୀରସିନ୍ଧୁ ବାସୀ ପ୍ରଭୁ ଅଟ ପରା ପରମ ତୁମ୍ଭର ନାମ,
ଅବ୍ୟକତ ପରା ଅଟ ଶୂନ୍ୟଦେହୀ ଅନାଦି ଅରୂପ ବ୍ରହ୍ମ ।
ସେହି ପ୍ରଭୁଙ୍କୁ ମୁଁ ଧରଣୀରେ ଥାଇ ଆଶ୍ରେ କରିଅଛି ଚିତ୍ତେ,
ଆକାଶକୁ ଚାହିଁ ଦୃଢ଼ କରିଅଛି ପାରି କରି ନେବେ ମତେ ।
ଏହାବିନା ମୁହିଁ କିଛି ନ ଜାଣଇ ଆଉ କେ ଅଧିକ କଥା,
ଚିନ୍ତାର୍ଥୀ ଜନ ଚିନ୍ତାମଣି ଅଟ ତ ଜାଣିବ ଭୃତ୍ୟ ବେବସ୍ତା ।
ମୁହିଁ ସିନା ଅସାମରଥ ଅଟଇ ଗୁରୁଦେବ ସାମରଥ,
ଯାହା ଭାବୁଅଛି ହୃଦୟପଦ୍ମରେ ଜାଣୁ ତ ଥିବ ନିଅତ ।
ଅନ୍ତର୍ଯ୍ୟାମୀ ପ୍ରଭୁ ଅନ୍ତର୍ଗତେ ଜାଣି ହରହର ତାପ ବାଧା,
ସକଳ ମନ୍ତ୍ର ଉପରେ ସାର ଅଟେ ଯା ନାମ ଅଲେଖ ବିଦ୍ୟା ।
ଅଲେଖ ବୋଲନ୍ତେ ରୂପରେଖ ନାହିଁ ସର୍ବଭୂତେ ପରା ଥାଅ,
ରୂପ ଅରୂପ ସର୍ବଠାରେ ପୂରି ଅଟ ତୁମ୍ଭେ ବ୍ରହ୍ମମୟ ।
ଚନ୍ଦ୍ର ସୂର୍ଯ୍ୟ ପ୍ରାଏ ଉଦି ଅଛ ପରା ତିନିଶ ଷାଠିଏ ଦିନ,
ନିଷ୍କାମରେ ସେବ ଭଗତି ଯେତେକ ଘେନୁଅଛ ପରା ଦାନ ।
ଭଗତ ବାନ୍ଧବ ଅଟ ପରା ତୁମ୍ଭେ ଜଗତ ଜନର ବନ୍ଧୁ,
ପିଣ୍ଡ ବ୍ରହ୍ମାଣ୍ଡକୁ କରି ଦେବା ମାତ୍ରେ ନାମ ଶ୍ରୀ କରୁଣାସିନ୍ଧୁ ।
ସାଧୁଜନମାନେ ଭଜ ଅନୁକ୍ଷଣେ ମହିମା ସାଗରେ ପଶ,
ଭଜି ପାରିଥିଲେ ସୁଦୟା ହୋଇଲେ ଯମ ନ ଆସିବ ପାଶ ।
ଝଞ୍ଜକାରେ ପଶି ନିରନ୍ତର ଦୋଷୀ ନ ତାରିବ ଅବା ମତେ,
ଭଣେ ଭୀମ ଭୋଇ ଗୁରୁପାଦ ଧ୍ୟାୟି ଅବୋଧ ହେଉଛି ଚିତ୍ତେ ।