ତେଷଠୀ ବୋଲି ଲେଖକ/କବି: ଭୀମ ଭୋଇ
ତେଷଠୀ ବୋଲି

ତେଷଠୀ ବୋଲି

 
ବୋଲୁଛନ୍ତି ସର୍ବେ ପରପୁତ୍ର ହୋଇ ଆପଣାର ପୁତ୍ର କଲା,
ଭୁଲାଇଣ ମନ୍ତ୍ର ସବୁଙ୍କୁ ଶିଖାଇ ଜାତି ମହତ୍ୱ ହିଁ ନେଲା ।
ପର ଝିଅ ବୋହୂ ଭେଳିକି ଲଗାଇ ନେଇ କରିଛି ଭାରିଯା,
ଗୁରୁ ବୋଲାଉଛି ଗୃହ କରିଅଛି ବୋଲୁଛନ୍ତି ରାଜା ପ୍ରଜା ।
ବ୍ରାହ୍ମଣ ପଣ୍ଡିତ ଯେତେକ ସଂସାରେ ଏମାନେ ବୋଇଲେ ତାହା,
ଗୁରୁପଣେ ବସି କିଛି ନ ଜାଣିଲା ଅନ୍ୟାୟ କରୁଛି ଏହା ।
କନ୍ଧ ଜାତି ହୋଇ ବ୍ରାହ୍ମଣର ପୂଜା ଘେନୁଅଛି ପାଦଗତେ,
ବିଷ୍ଣୁର ତେଜ ନ ଥିଲେ ତା'ର ଅଙ୍ଗେ ପାର ହେଲେ ଜୀବ କେତେ ।
ଏହା ବୋଲୁଛନ୍ତି ପତିତ ପାମରେ ମେଳଛ ଅଧମ ମୂଢ଼,
ଦୈତ୍ୟ ଦାନବ ଅସୁର ହାଡ଼ଖିଆ ହୋଇଛନ୍ତି ମହା ଗାଢ଼ ।
ମଦ ମାଂସଖିଆ ମତ୍ତଗରବିଆ ହୀନ ପାପୀ ନେଞ୍ଚ ଜନ,
ଗୁମାନୀ ଗାଲୁଆ ମୂରୁଖ ଚଣ୍ଡାଳ କହୁଛନ୍ତି କେତେ ଟାଣ ।
ଧନ ମଦ ପଣ ମଦ ସ୍ତିରୀ ମଦ ମାୟା ମଦଛନ୍ତି ପିବି,
ଚାରି ପରକାରେ ନିଶା ଘୋଟିଅଛି ପାପ ପୁଣ୍ୟକୁ ନ ଜଗି ।
ନରକ-ଖିଆ ଅଳପ-ଆୟୁଷିଆ କୁଳ-ବୁଡ଼ା ଯେତେ ଲୋକ,
ଜନମ ହଳିଆ ବ୍ରହ୍ମରାକ୍ଷସିଆ ନିନ୍ଦୁଛନ୍ତି କେତେ ଦେଖ ।
ଶୁଣ ସୁଜ୍ଞଜନ ଅପୂର୍ବ କାହାଣୀ କହୁଅଛି ମୁହିଁ ଯେତେ,
ଭୂତ ଭବିଷ୍ୟ ବର୍ତ୍ତମାନ ନ ଜାଣି ଦୋଷ ଲଗାଉଛ ମୋତେ ।
ଧନ ଦାରା ସୁତ ପାଇ ଆନନ୍ଦ ଏ ମୋର କପାଳରେ ଥିଲା,
ପୂର୍ବ କମାଣିର ଫଳ ଭୁଞ୍ଜୁଅଛି କାହାର ବା କିସ ଗଲା ।
ସତ୍ୟ ଧର୍ମ ସିନା ଅରଜି ଥିବାରୁ ତତ୍ତ୍ୱରେ ପାଇଲି ମୁହିଁ,
ଆମ୍ଭ ନିଧି ଆମ୍ଭ ହସ୍ତକୁ ଅଇଲା ଏଥିରେ ସଂଶୟ ନାହିଁ ।
ପୂର୍ବରେ ଆମ୍ଭର ଭାତ ବିତ୍ତ ରଖି ଥିବାରୁ ହେଲା ପ୍ରାପତ,
ପକାଇ ଦିଅ ଧର୍ମ ସଭା-ମଣ୍ଡଳେ ଅବଶ୍ୟ ବୋଲିବେ ସତ ।
ଆମ୍ଭର ଅର୍ଜିଲା ଧନରତ୍ନ ସିନା ଆମ୍ଭଙ୍କୁ ହେଉଛି ଭୋଗ ।
କର୍ମରେ ନ ଥିଲେ କୁଆଡ଼ୁ ଫଳିବ କେମନ୍ତେ ହେବ ସଂଯୋଗ ।
ବିନା କମାଣିରେ ବିନା କପାଳରେ କେଉଁ ଫଳ ଫଳେ ଦେଖ,
ଭେଦକୁ ନ ବୁଝି ପଣ୍ଡିତ ସୁଜନେ କିମ୍ପା ହେଉଅଛି ମୂର୍ଖ ।
ପୂର୍ବେ ଆମ୍ଭର ସକଳ ଖଞ୍ଜା ଅଛି ଏବେ ଭଲ କରି ଜାଣ,
ଛଟପଟ କଲେ କେ କିସ କରିବ ଅଟେ ଦଇବ ଭିଆଣ ।
ଅଲେଖ ଦେବତା ମଥାର ଠାକୁର ଅଟନ୍ତି ମୋ ପ୍ରାଣ ଗୁରୁ,
ତାଙ୍କ କରୁଣାରୁ ସକଳ ମିଳିବ ଲେଖା ହୋଇଛି ପୂର୍ବରୁ ।
ଅଲେଖ ପୁରୁଷ ଭିଆଣ ସମସ୍ତ ଅନ୍ୟରେ ଘଟଣା ନୋହେ,
ଦୁର୍ଘଟଣା ବୋଲି କହୁଅଛ ସର୍ବେ ପଣ୍ଡିତରେ କର ନ୍ୟାୟେ ।
ବିନା ଘଟଣାରେ କେ ଖଞ୍ଜା କରିବ କେଉଁ ବେଦେ ଅଛି ଏହା,
ଗତ ଆଗତ ନ ବୁଝି ସୁଜ୍ଞଜନେ ବିଅର୍ଥେ ହେଉଛ ବାୟା ।
ଶୂନ୍ୟପୁରୁଷ ଯାହାକୁ ଚାହିଁଥିବେ ବହୁତ ଆଶ୍ଚର୍ଯ୍ୟ ନୁହେ,
ରୂପ ବର୍ଣ୍ଣ ତା'ର କେହି ନ ଦେଖନ୍ତି ଜାଣି ନ ପାରନ୍ତି କିଏ ।
ଭଲ କରି ବୁଝ ହୃଦୟରେ ହେଜ ମନେ ସଂଶୟ ନ ରଖି,
ଗୁରୁ ପାଦ ଧ୍ୟାୟି କହେ ଭୀମ ଭୋଇ ଧର୍ମରାଜ ପ୍ରଭୁ ସାକ୍ଷୀ ।