ପଞ୍ଚଷଠୀ ବୋଲି ଲେଖକ/କବି: ଭୀମ ଭୋଇ
ପଞ୍ଚଷଠୀ ବୋଲି

ପଞ୍ଚଷଠୀ ବୋଲି

 
ଅଲେଖ ପୁରୁଷ ସାହା ନୋହିଥିଲେ ପକାନ୍ତେ ଆମ୍ଭଙ୍କୁ ମାରି,
ବିପତ୍ତିଠାରୁ ବଞ୍ଚାଇ ରଖିଛନ୍ତି ଶୂନ୍ୟବାନା ଢାଙ୍କି କରି ।
ଡୁବାଇ ଦେବାକୁ ପାଞ୍ଚିଛନ୍ତି ସର୍ବେ କେତେଥର ଏହିପରି,
ଧର୍ମରାଜ ପ୍ରଭୁ ରକ୍ଷା କରିଛନ୍ତି ସୁଦର୍ଶନ ଆଡ଼ କରି ।
ସତ୍ୟ ଧର୍ମବଳେ ବଞ୍ଚିଅଛୁ ଆମ୍ଭେ ଦେହ ବହି ଏ ସଂସାରେ,
ଖଡ଼ଗ ଧରି ଧାଇଁ ପଡ଼ୁ ଅଛନ୍ତି ଧରୁଛନ୍ତି ବାରବାରେ ।
ତ୍ରିଭୁବନେ କେହି ବିଶ୍ୱାସୀ ନାହାନ୍ତି ସମସ୍ତେ ଅଣବିଶ୍ୱାସ,
ଗୁରୁଦେବଙ୍କର କରୁଣା ନଥିଲେ ହୋଇ ଯାଆନ୍ତୁ ବିନାଶ ।
ଏଡ଼େ ଅବିଶ୍ୱାସୀ କଳିଯୁଗ ନରେ ମୁଖେ ପ୍ରୀତି ବାହ୍ୟ ମତେ,
ଖେଦି ଦେବାକୁ ବିଚାର କରୁଛନ୍ତି ମାୟା ରଖି ଅନ୍ତର୍ଗତେ ।
ଶୂନ୍ୟ ପ୍ରଭୁଙ୍କର ଏ ପିଣ୍ଡ ବ୍ରହ୍ମାଣ୍ଡ ନୁହଇ କାହାର ମାଟି,
ମାଟି ପଥରକୁ ମେଦାମେଦି କରି ବନାଇଲେ ଛେଚି କୁଟି ।
ଗୁରୁଙ୍କ ଅର୍ଜିଲା ମେଦିନୀରେ ଅଛୁଁ ନାହିଁ କାହା ଅଧିକାର,
ଆମ୍ଭ ମନ ହେଲେ ଆମ୍ଭ ସୁଖେ ଯିବୁଁ ଦିଶିବ ଯେଉଁ ବିଚାର ।
ନ ସହିବେ ଯେବେ କେ କିସ କରିବେ ଧରଣୀ ତ ଅଛି ସହି,
ଧରତି ଯେବେ ନାହିଁ ସହି ପାରିବ ବୋଲିବ ନ ପାରେ ବୋହି ।
ସେଠାରୁ ଆଗକୁ ଯେମନ୍ତ ଦିଶିବ ବିଚାର କରିବୁଁ କଥା,
ଯାହା ପାଞ୍ଚିଥିବ ହୃଦୟର ବୁଦ୍ଧି ଗୁରୁଦେବ ସାମରଥା ।
ଧରତି କାହାକୁ ସହି ନ ପାରଇ ଏ ଅଟେ ବିଚିତ୍ର ଧନ୍ଦା,
ବାରାନିଧି ଯେବେ କୂଳ ଲଙ୍ଘି ଯିବ କାହାକୁ ହୋଇବ ନିନ୍ଦା ।
ଅଜ୍ଞାନ ଆଦରି ଗୁରୁ ନିନ୍ଦାକରି ମୁଖରେ କହନ୍ତି ମିଛ,
ରୁଣ୍ଡ ହୋଇ ଭଲ ମନ୍ଦ ବାଛୁଛନ୍ତି ପାଷାଣ୍ଡି ପାପୀ ମେଳଛ ।
ସଦଗୁରୁ ସେବା କରି ଆମ୍ଭେମାନେ ଅଟୁ ସଂସାରେ ଅଜ୍ଞାନ,
କଳିଯୁଗ ନରେ ଦୋଷ ବାଛୁଛନ୍ତି କରୁଛୁ ଅନ୍ୟାୟମାନ ।
ଶୂନ୍ୟ ମଣ୍ଡଳରୁ ବ୍ରହ୍ମଜ୍ଞାନ ତୋଳି ପଦବସ୍ତି କରେ ଯେହୁ,
କଳିଯୁଗିଆଙ୍କ ବିଚାର ଦିଶିଲା ନ ଜାଣିବା ଅଟେ ସେହୁ ।
ଆକାଶ ମଣ୍ଡଳୁ ପଦ ଉତୁରାଇ ରବିତଳେ ଯେହୁ ଦେଲା,
ବ୍ରହ୍ମଜ୍ଞାନ ବୀଜ ନିର୍ବେଦରୁ ଆଣି ବ୍ରହ୍ମାଣ୍ଡଯାକ ବୁଣିଲା ।
ଅଜ୍ଞାନୀକି ଯେହୁ ଜ୍ଞାନ ବତାଇଲା ବ୍ରହ୍ମଜ୍ଞାନ ମୁଖେ କହି,
କବିତ୍ୱ ହୋଇଣ ପଦ ବଖାଣିଲା ଶାହାସ୍ର ଲିହିଲା ସେହି ।
ଅବୋଧ ଆତ୍ମାକୁ ବୋଧ କରେ ଯେହୁ କହି ସରି ଅର୍ଥଭେଦ,
ପାପପୁଣ୍ୟ କଥା ବିଚାରଣ କରି ଯେ ବାନ୍ଧେ ନିର୍ଗୁଣ ପଦ ।
ସେହି ଲୋକମାନେ ଅନ୍ୟାୟ କରନ୍ତି ଅଛି କେଉଁ ବେଦବାକ୍ୟେ,
ଯେଉଁ ଲୋକ ସୁଧାପାନ କରୁଥାଇ ବିଷ୍ଠା କି ଭୁଞ୍ଜଇ ମୁଖେ ।
ଏମନ୍ତ କଥାକୁ ଗୁରୁଦେବ ସାକ୍ଷୀ ଆର ସାକ୍ଷୀ ତ୍ରୟଦଶେ,
ଜାଣିବାର ଲୋକେ ଅଜାଣିବା ହୋନ୍ତି କେଉଁ ବେଦଶାସ୍ତ୍ର ବଶେ ।
ନିଃଶବ୍ଦ ମନ୍ଦିରେ ମହାବ୍ରହ୍ମ ପରେ କରିଅଛି ଜୀବ ଆଶ,
ଭଣେ ଭୀମ ଭକ୍ତ ତେରଶତ ପଦେ ଅଭୟପଞ୍ଜରେ ବାସ ।