69 . ଅଣସ୍ତୁରି ବୋଲି

ଅଣସ୍ତୁରି ବୋଲି ଲେଖକ/କବି: ଭୀମ ଭୋଇ
ଅଣସ୍ତୁରି ବୋଲି

ଅଣସ୍ତୁରି ବୋଲି

 
ବାଳକେ ବୋଇଲେ ଶୁଣସି ହୋ ବାବା ଅଜ୍ଞାନ ଆମ୍ଭର ବୁଦ୍ଧି,
କିସ କିସ ତୁମ୍ଭେ ଆମ୍ଭଙ୍କୁ କହୁଛ ବୁଝି ନ ପାରୁଛୁ ଭେଦି ।
ଏ ବୟସେ ଆମ୍ଭ ଚଞ୍ଚଳ ଯେ ମତି ଅଟୁ ଆମ୍ଭେ ବାଳ ଭୋଳା,
ପାପ ପୁଣ୍ୟ କଥା କିଛି ହିଁ ନ ଜାଣୁ ଖାଇ ଖେଳି ଦିନ ଗଲା ।
କେଉଁ କଥା ପାପ କେଉଁ କଥା ପୁଣ୍ୟ ନୁହେ ଆମ୍ଭଙ୍କୁ ଗୋଚର,
ଖେଚଡ଼ ପ୍ରକୃତି ବୁଦ୍ଧି ଅଟେ ଆମ୍ଭ ଅନୁକ୍ଷଣ ହରବର ।
ଖଜା-ଭୁଜା ଭାତ-ତୁଣ-ପିଠା ପଣା ଖାଇଲେ ଆମ୍ଭେ ଆନନ୍ଦ,
କର୍ମ ଅକର୍ମ ବୁଦ୍ଧି କେମନ୍ତ ଅଟେ ନାହିଁ ଜାଣୁ ଭଲ ମନ୍ଦ ।
ସୁବୁଦ୍ଧି କୁବୁଦ୍ଧି କାହାକୁ ବୋଲନ୍ତି ନୁହଇ ଆମ୍ଭଙ୍କୁ ଜଣା,
ଶିଶୁମେଳରେ ବହୁତ ସ୍ନେହଭରେ ଖେଳିବା କଥା ଭାବନା ।
ଆମ୍ଭେ ବୋଇଲୁ ତୁମ୍ଭେ ଯାହା କହିଲ ଉଚିତ ପ୍ରମାଣ ସତ,
ବାଳକମାନେ ସର୍ବ ଶୁଭରେ ଥାଅ ପାଇ କଲ୍ୟାଣ ବାଞ୍ଛିତ ।
ତୁମ୍ଭଙ୍କୁ ପାପ ପୁଣ୍ୟ କିଛି ନ ଲାଗେ ଅଜ୍ଞାନ ହୋଇଛ ଯେଣୁ,
ଗୁରୁଙ୍କ କୃପା ତୁମ୍ଭଙ୍କୁ ହୋଇଥାଉ ବାହୁଡ଼ି ଅଇଲୁ ତେଣୁ ।
ଜଣେ ଜଣେ ଆମ୍ଭେ ବୁଝାଇ କହିଲୁ ନୀଚ ଉଚ୍ଚ ପରିଯନ୍ତେ,
ଏହି ଧର୍ମକୁ ସମସ୍ତେ ଆଶ୍ରେ କର ଶୂଦ୍ର ଚାଣ୍ଡାଳ ସହିତେ ।
ରାଜା ବ୍ରାହ୍ମଣଙ୍କୁ ବତାଇ କହିଲୁ ଏହି ଧର୍ମ ତୁମ୍ଭେ କର,
ଏ କଳିଯୁଗରେ ଏହି ଏକା ନାମ ଆଉ ନାହିଁ ନା ସଂସାର ।
ମାତୃହରଣ କରିଥିବ ଯେ ଜନ ଏ ଧର୍ମେ କ୍ଷମା ପାଇବ,
ଗୁରୁ ଅଗ୍ନି ରୂପ ମୂରତି ଅଟନ୍ତି ପାପଭାରା ହିଁ ପୋଡ଼ିବ ।
ସୁରା ପାନ କରିଥିବ ଯେଉଁ ଜନ କାଟ ହୋଇବ ଦୁରିତ,
ଏହି ଧର୍ମକୁ ଆଶ୍ରେ କଲା ମାତ୍ରକେ ମୁକ୍ତି ହେବ ପରାପତ ।
ବାଳହତ୍ୟା ଦୋଷ କରିଥିବ ଯେହୁ ପୋଡ଼ିବ ସେ ପାପମାନ,
ଗୁରୁଙ୍କୁ ସେବା ଯେହୁ କରି ପାରିବ ମୋକ୍ଷ ହେବ ସେହୁ ଜନ ।
ସ୍ତିରୀହତ୍ୟା ପାପ ଯେହୁ କରିଥିବ ମୋକ୍ଷ ହେବ ଏହୁ ଧର୍ମେ,
ଜନମଯାକ ତା ଗୁରୁସେବା କରି ଚିତ୍ତ ରଖିଥିବ ନାମେ ।
ଅଜ୍ଞାନରେ ଯେତେ ପାପ କରିଥିଲେ ଏ ଧର୍ମେ ହୋଇବ କ୍ଷୟ,
ଗୁରୁବ୍ରହ୍ମ ଯେବେ ସୁଦୟା କରିବେ ନ ଥିବ ମନରେ ଭୟ ।
ବ୍ରାହ୍ମଣ ହୋଇ ଶୂଦ୍ରଯୋନିରେ ଇନ୍ଦ୍ରି ବଳାଇ ଥିବ ଯେସନେ,
ଧର୍ମ ଆଶ୍ରେକଲେ ସେ ପାପ ଖଣ୍ଡିବ ରଖିଥାଅ ଆରେ ମନେ ।
ରାଜାମାନେ ପ୍ରଜା ସ୍ତିରୀ ହରିଥିଲେ ସେହି ପାପ ଯେବେ ଥିବ,
ଏହି ଧର୍ମକୁ ଆଶ୍ରେ କରି ପାରିଲେ ଗୁରୁ ଆଜ୍ଞାରେ ପୋଡ଼ିବ ।
ଗଣ୍ଡାଏ ଯୁଗକୁ ଗଣ୍ଡାଏ ଗଣ୍ଡାଏ ଭଜନା ତିଆର କରି,
ସନ୍ଥଜନ ଦୁଷ୍ଟ ସମସ୍ତେ ତରନ୍ତୁ ହୃଦୟପଦ୍ମେ ବିଚାରି ।
ବୃତ୍ତିକେ ଚାରିଗୋଟି ଲେଖେ ଭଜନା ଉତୁରାଇକରି ଭାଗ,
ଘେନ ଘେନ ବୋଲି ସକଳ ଜନଙ୍କୁ ବାଣ୍ଟି ଦେଇ ଚାରିଦିଗ ।
ଯେହୁ ଇଚ୍ଛା ସେହୁ ନାମକୁ ଭଜିଲେ ଏଥି କିଛି ଦୋଷ ନାହିଁ ,
କି ଅବା ସ୍ତିରୀ ସେ କି ଅବା ପୁରୁଷ ଯେ ଜନ ପାରିବ ଧ୍ୟାୟି ।
ଆତ୍ମ ଭଗତିରେ ଦୋଷାଦୋଷ ନାହିଁ ନୀଚ ଉଚ୍ଚ ସବୁ ସମ,
ଭଣେ ଭୀମ ଭୋଇ ଗୁରୁ ପାଦ ଧ୍ୟାୟି ନିର୍ଗୁଣ ଏ ନାମ ବ୍ରହ୍ମ ।