ସତୁରି ବୋଲି ଲେଖକ/କବି: ଭୀମ ଭୋଇ
ସତୁରି ବୋଲି

ସତୁରି ବୋଲି

 
ଅନେକ ପ୍ରକାରେ ବୁଝାଇ କହିଲି ଗୁରୁଧର୍ମ ନ୍ୟାୟ ପଥ,
ଅପ୍ରତେ କରିଣ ହୃଦରେ ବସିଛ ମନରେ ନ କର ସତ ।
ଛତିଶ କୁଳ ଯେ ବାଉନ ପାଟକ ଯେତେ ଅଛନ୍ତି ସଂସାରେ,
ସର୍ବେ ନାହିଁ ନାହିଁ ବୋଇଲେ ମୁଖରେ ନ ପଶିଲେ ଏ ଧର୍ମରେ ।
ଆପଣା ଦୁଃଖସୁଖେ ସର୍ବେ ମଜ୍ଜିଲେ ଧର୍ମରେ ନ କଲେ ଚିନ୍ତା,
ବେଦ ଶାହାସ୍ର ବଚନକୁ ସମସ୍ତେ ମଣିଲେଣି ବିଷ ପିତା ।
ବ୍ରହ୍ମାଣ୍ଡର ପାପଭାରା ହୋଇଲାଣି କେମନ୍ତ କରିବି ସ୍ୱାମୀ,
ସନ୍ଥ ସାଧୁ କେହି ରହି ନ ପାରିଲେ ଯାଗା ନାହିଁଟି ମେଦିନୀ ।
ଏବେ ପାପଭାରା ପୂରି ରହିଅଛି କେମନ୍ତେ ସ୍ଥାପନା ହେବ,
କେଉଁ ଧର୍ମରେ ଦୁରିତ ନାଶ ହେବ ମୋ ଆଗେ ତାହା କହିବ ।
ଏ କଳିଯୁଗର ମନୁଷ୍ୟ ଯେତେକ ବହୁତ ଆଧାର ଖାଇ,
ପ୍ରକୃତିରେ ସର୍ବେ ବଶ ହୋଇଛନ୍ତି ଅତି ଉନୁମାଦ ହୋଇ ।
ଜାତି ଅଜାତି କେହି ନାହିଁ ବାରିଲେ ଗୃହେ ଗୃହେ ସର୍ବେ ପଶି,
ପାପ ପୁଣ୍ୟକୁ କାହାରି ଭୟ ନାହିଁ ସମସ୍ତେ ଗଲେଣି ଭାସି ।
ଚାରି ବେଳ ଖାଇ ପ୍ରକୃତିବଳରେ ପାଞ୍ଚ ବେଳ କଲେ ରତି,
ପ୍ରକୃତି ମତରେ ସର୍ବେ ବଶ ହେଲେ ଏଣୁ ବଢ଼ିଲା ଅକୀର୍ତ୍ତି ।
କାହାକୁ କେହି ନ ମାନିଲେ ସଂସାରେ ଜାତିକୁଳ ବୁଡ଼ାଇଲେ,
ଜାତି ଏକ ଜାତି ଏକ ଏକଠାରେ ରକ୍ତ ମାଂସ ବୁଡ଼ାଇଲେ ।
କାହାରି ଜାତି କେହି ଯେ ନ ରଖିଲେ ବୁଡ଼ିଲା ବେଦ ଆଚାର,
ତିନି ବ୍ରହ୍ମାଣ୍ଡରେ ଯେତେ ଦେହଧାରୀ ସର୍ବେ ହେଲେ ଏକାକାର ।
ବାହ୍ୟ ମତକୁ ବଚନ କହୁଛନ୍ତି ଆମେ ବଡ଼ ବଡ଼ ଜାତି,
ଗୁପତେ ଗୁପତେ ସବୁ ସରିଲାଣି ପ୍ରକୃତିରେ ଛନ୍ତି ମାତି ।
ଛତିଶକୁଳ ଯେ ବାଉନ ପାଟକ ଜାତି ବୋଲା ନାହିଁ ଯାଏ,
ପାଣି ଅନ୍ତର ପାଟକ ସିନା ଏହୁ ସୁପଣ୍ଡିତେ କର ନ୍ୟାଏ ।
ତିନି ବ୍ରହ୍ମାଣ୍ଡରେ ଲୋଡ଼ି ଆସ ତୁଣ୍ଡେ ଏକ ଜଣ ଏକ ଜାତି,
ସେହି ସବୁଙ୍କୁ ଶତ ଜାତି କରିଛି ତାହାର ରଞ୍ଚିଲା ପୃଥ୍ୱୀ ।
ସ୍ତିରୀ ପୁରୁଷ ଦୁହିଙ୍କି ଗଢ଼ିଅଛି ଯୋଡ଼ିଏ ସ୍ୱରୂପ ଦେଖ,
ଦ୍ୱିତୀୟ ଜାତିରୁ ତିନି ଜାତି ନାହିଁ ସୁଜନେ କର ବିବେକ ।
ପାଣି ପବନରୁ ସଞ୍ଚରି ଅଛନ୍ତି ଦେହଧାରୀ ଛନ୍ତି ଯେତେ,
ସ୍ଥାବର ଜଙ୍ଗମ କୀଟରୁ ପତଙ୍ଗ ଚଳ ଅଚଳ ସହିତେ ।
କେଉଁ ରୂପେ ପାପଭାରା ତୁଟାଇବ ବିଚାର ହେ ଗୁରୁଦେବ,
କଳିଯୁଗ ଆସି ଶେଷ ହୋଇଲାଣି କେଉଁ ଗତି ରୀତି ହେବ ।
ବ୍ରହ୍ମାଣ୍ଡକୁ ମୋର ବୁଦ୍ଧି ପାଉ ନାହିଁ ସାଗର ହୋଇଛି ପାପ,
ମେଦିନୀରେ ଯେତେ ଥିଲେ ଆକାଶକୁ ଉଠିଲେଣି ଦେବେଲୋକ ।
ରମ୍ଭାତରୁ ପ୍ରାଏ ତ୍ରିଭୁବନ ମହୀ ଥରହର କମ୍ପୁଅଛି,
ଏକପାଦେ ଉଭା ହୋଇ ସତ୍ୟଧର୍ମ ଚାରିଦିଗେ ଚାହୁଁଅଛି ।
କାହୁଁ ମୁଁ ଅଇଲି କେଉଁ ପଥେ ଯିବି ବୋଲି କରୁଛି ରୋଦନ,
ପାତକଭାରାରେ ଆକୁଳ ହେଉଛି ଊର୍ଦ୍ଧ୍ୱକୁ କରି ବଦନ ।
ତ୍ରିଭୁବନ ଭାରା ସକଳ ସମର୍ପି ଅନୁସରି ଗୁରୁପାଦେ,
ଭଣେ ଭୀମକନ୍ଧ କବିକୁଳଚାନ୍ଦ ଚତୁର୍ଦ୍ଦଶଶତ ପଦେ ।