ଚଉସ୍ତରି ବୋଲି ଲେଖକ/କବି: ଭୀମ ଭୋଇ
ଚଉସ୍ତରି ବୋଲି

ଚଉସ୍ତରି ବୋଲି

 
ଗୁହ୍ୟ ଚକ୍ରର ଚରିତ ରୀତି ଗତି ଶୁଣିମା ଗୁରୁ ଅଲେଖ,
ସେ ଦ୍ୱାରରେ ମଳ ମାଟି ଆଚ୍ଛାଦନ ତହିଁର ପାପ ଯେତେକ ।
ଗୁହ୍ୟରୁ ପାପର ବ୍ୟାଧି ଜାତହୋଇ ପୀଡ଼ା କରେ ମଳଦ୍ୱାର,
ଶତେ ଜନ୍ମରୁ କର୍ମ ଅକର୍ମରୁ ପଡ଼ିଛି ମଙ୍ଗଳଭଣ୍ଡାର ।
କହିଲା ବଚନ ନ କହି ବୋଇଲେ ହୁଅଇ ଗୁହ୍ୟ ପାତକ,
ସାଧୁମଣ୍ଡଳରେ ନ ବସି ଜାଣିଲେ ତହିଁର ଦୋଷ ଯେତେକ ।
ସେ ଦୁରିତ ଯେତେ ମଳଦ୍ୱାରେ ଅଛି ମାଟି ପଙ୍କ ପ୍ରାଏ ହୋଇ,
ଏବେ ସେହି ପାପ ନିବାର ଶ୍ରୀଗୁରୁ ସୁଚିତ୍ତରେ ଦୟା ବହି ।
ହରଣ କର ଏ ନବଦ୍ୱାର ପାପ ଯେ ରୂପେ ଯେ ଦେବ କ୍ଷମା,
ଆପେ ପିଣ୍ଡକୁ ଗଢ଼ିଛ ସଦଗୁରୁ ଜାଣ ଦ୍ୱାରର ମହିମା ।
ବ୍ରହ୍ମ ଅନଳରେ ପୋଡ଼ାଅ ଦୁରିତ ଯାହା ଅଛି ନବଦ୍ୱାରେ,
ବ୍ରହ୍ମକୁ କି ଅବା ଅଗୋଚର ହେବ ଯେ ଅଛନ୍ତି ଯେଉଁ ଘରେ ।
ବେନି ପୟର ପାତକ ମୋର ଯେତେ ଶୁଣିମା ଶ୍ରୀଗୁରୁଦେବ,
ପଥ ଚାଲିବାରେ ଦୃଶ୍ୟ ଅଦୃଶ୍ୟରେ ମାଡ଼ିଅଛି ଯେତେ ଜୀବ ।
ଅଜ୍ଞାନ କାଳରେ ପିତାମାତା ଅଙ୍ଗେ ପଡ଼ିଅଛି ଏହି ପାଦ,
ବାଳକ ବୋଲି ବିଚାରି ପିତା ମାତା କ୍ଷମା କରି ହେଲେ ବୋଧ ।
ସେହି କଥାମାନ ବିଚାରିଲେ ଏବେ ଘଟନା ହେଉଛି ଦୋଷ,
ଦୟାବହି ହୃଦେ କ୍ଷମାକର ଦୋଷ ଅନାଦି ଶୂନ୍ୟ ପୁରୁଷ ।
ପିତା ମାତା ରୂପେ ହୋଇଅଛ ତୁମ୍ଭେ ଆକାଶ ମଣ୍ଡଳୁ ଆସି,
ଗୁରୁ ପିତା ମାତା କୋଳରେ ଏ ପାଦ ହୋଇଛି ବହୁତ ଦୋଷୀ ।
ଏବେ କ୍ଷମାକର ସର୍ବ ଅପରାଧ ଅଜ୍ଞାନର କର୍ମ ଯେତେ,
ଶତେବାର ଦଣ୍ଡ ପ୍ରଳମ୍ବିତ କରି କର ଯୋଡ଼ୁଅଛି ମାଥେ ।
ଖଣ୍ଡନ କର ବେନି ଚରଣ ପାପ ତ୍ରାହି ତ୍ରାହି ପାଦବିନ୍ଦେ,
ରକ୍ଷାକର ରକ୍ଷାକର ବୋଲି ମୁଖେ ପୁଣି ପୁଣି ପାଦ ବନ୍ଦେ ।
ଯାହା କଲେ କଲା ଏ ବେନି ପୟର ଆଉ ନ କରୁ ଏ ଦୋଷ ।
ଏଥକୁ ଚାହିଁ ସୁଦୟା ମାତ୍ର ଥିବ ଅଣାକାର ଶୂନ୍ୟବାସ ।
ଗୁହ୍ୟଦ୍ୱାର ପାପ ଯାହା ହେଲା ହେଲା ଏଠାରୁ ଆଉ ନ ହେଉ,
ଅମୃତ ଲୋଚନେ ଚାହିଁଥାଅ ପ୍ରଭୁ ଏହି ଦୟା ମାତ୍ର ଥାଉ ।
ଲିଙ୍ଗ ଚିତ୍ର ପାପ ଯେତେ ହୋଇଥିଲା ଗୁରୁଦେବ କ୍ଷମାକଲେ,
ପଶୁହରଣ ବେଶ୍ୟା ଯୋନିରେ ବୀଜ ନ ପଡ଼ିବ ତିନିକାଳେ ।
ଅନ୍ତରେ ମାୟା କପଟ କଥାମାନ ନ ରହୁ ପାଞ୍ଚନା ଚିତ୍ତେ,
ଦନ୍ତରେ ତିରଣ ଧରି ମାଗୁଅଛି ଏହି ଆଜ୍ଞା ହେଉ ମୋତେ ।
ହୃଦୟ ପଦ୍ମରେ ପ୍ରକୃତି ବିଚାର ଆଉ ନ ଭାବୁ ଏ ମନ,
ଗଳାରେ ବସନ ବାନ୍ଧି ଜଣାଉଛି ହେ ଅଲେଖ ମହାଶୂନ୍ୟ ।
ଏ ଜିହ୍ୱାରେ ଆଉ ଅସତ୍ୟ ନ ବସୁ ବିଚଳ ନ ହେଉ ବାଚା,
ଜନ୍ମ ଜନ୍ମାନ୍ତରେ ମିଥ୍ୟା ନ କହିବି ରଖିଥିବ କରି ସଚ୍ଚା ।
ବେନି ନୟନେ ରୂପ ଗୁଣ ଚାହିଁଲେ କଳ୍ପଣା ନୋହିବ ଆଉ,
ବେନି ପାଦଧରି ଗୁହାରି କରୁଛି ଶ୍ରୀଗୁରୁ ମୋ ମହାବାହୁ ।
ବେନି ଶ୍ରବଣେ ଖଚକଥା ନ ପଶୁ ମାଗୁ ମୁଁ ଅଛି ଏତିକି,
ଆକୁଳ ହୋଇ କହୁଛି ଭୀମଭୋଇ ଧ୍ୟାୟି ଜୀବର ପତିକି ।