ସତସ୍ତରି ବୋଲି ଲେଖକ/କବି: ଭୀମ ଭୋଇ
ସତସ୍ତରି ବୋଲି

ସତସ୍ତରି ବୋଲି

 
ତାଳୁ ତଳିପାରୁ ପଳା ପାପ ରୋଗ ଆଜ୍ଞା ନ କର ମେଣ୍ଟଣ,
ଆଜ୍ଞା ନ ମାନି ବଳାତ୍କାରେ ରହିଲେ ଅଭିଶାପ ହେବ ଜାଣ ।
ନଖ ନାସିକାରୁ ପଳାଅ ପାତକ ସକଳ ସ୍ଥାନରୁ ଛାଡ଼ି
ତୋହରି ନିମନ୍ତେ ଇଝାର ଦେଇଛି ଶ୍ରୀଛାମୁରେ ଅଛି ପଡ଼ି ।
ଗଣ୍ଠି ମୁଷ୍ଟିରୁ ପଳାଅ ମହାକାଳ ଶିର ସାଙ୍କୋଳିରୁ ଘୁଞ୍ଚି,
ଗୁରୁ ସମ୍ମୁଖେ ତୋହ କଥା ପଡ଼ିଛି ଦେଖ ତୁ ନ ପାରୁ ବଞ୍ଚି ।
ଚଉଷଠି ବ୍ରହ୍ମ ଘରକୁ ପଳାଅ ଅଛି ଯେବେ ତୋର ଭାଗ୍ୟ,
ନ ମାନିବୁ ଯେବେ ଦୁର୍ଦ୍ଦଶା ଦୁର୍ଦ୍ଦଣ୍ଡେ ନିଶ୍ଚୟ ଏ ସଜା ହେବ ।
ଅନ୍ତ ପିତ୍ତରୁ ତୁ ବାହାରି ପଳାଅ ଅସ୍ଥି ମାଂସରେ ତୁ ନ ଥା,
ଏତେ କାଳ ଆସି ଗୁରୁଙ୍କ ସନ୍ନିଧେ ଫୁଟିଲାଣି ତୋର କଥା ।
ଅଙ୍ଗ ରୋମ ଚର୍ମରୁ ଛାଡ଼ି ପଳାଅ ନ ଗଲେ ଗୁରୁଙ୍କ ରାଣ,
କିମ୍ପାଇ ଅମାନିଆ ଏତେ ହେଉଛୁ ବ୍ରହ୍ମର ବଚନ ଘେନ ।
ଅଲେଖ ବ୍ରହ୍ମର ରାଣ ଅଛି ତୋତେ ପଳାଅ ପିଣ୍ଡରୁ ଛାଡ଼ି,
ଫେଣ ପ୍ରାଏ ପଛେ ଆଉଯାଇ ହେବୁ ବାଜିଲେ ବ୍ରହ୍ମ ଲହଡ଼ୀ ।
ସମସ୍ତଙ୍କୁ ଗୁରୁ ଜାତ କରିଛନ୍ତି ଅଜାତରେ କେହି ନାହିଁ,
ଏବେ ତୋହର ମହତ୍ତ୍ୱ ଧରି ପଳା ତିଆରି କହୁଛି ମୁହିଁ ।
ପାପ ପୁଣ୍ୟ ଧର୍ମ ଅଧର୍ମ ସହିତେ ଜନମ ହୋଇଛି ସତ,
ସମସ୍ତେ ଅନାଦି ବ୍ରହ୍ମର ଗଢ଼ିଲା ନ ଗଢ଼ି ହୋଇ ଆପେ ତ ।
ଗୁରୁଙ୍କ ବ୍ରହ୍ମାଣ୍ଡ ଧରତି ଆକାଶ ନବଦ୍ୱୀପ ପୃଥ୍ୱୀ ଅଛି,
ଯହିଁ ଇଚ୍ଛା ତୋର ସେ ପଥରେ ଯାଯା ଭାଳେଣି ନ କର କିଛି ।
ଶୁଦ୍ଧ ସୁବର୍ଣ୍ଣ ପରାଏ ହେଉ ଅଙ୍ଗ ଅରୁଣ କିରଣ କାନ୍ତି,
ଚାରି ଯୁଗେ ଗୁରୁ ପାଦ ମିଳିଥାଉ ରହୁ ମୋ ସେବା ଭଗତି ।
ଚନ୍ଦ୍ର ତରାସ ପରାଏ ହେଉ ଦେହ ସ୍ଫଟିକ ପଥର ଜିଣି,
ଶୂନ୍ୟ ପୁରୁଷ ନିର୍ଦୟ ନ ହୋଇବ ସେବା ଭକ୍ତି ଥିବ ଘେନି ।
ନିଷ୍କଳଙ୍କ ହେଉ କଳଙ୍କ ନଥାଉ ଗୁରୁ ସେବା କଲା ତନୁ,
ପିଣ୍ଡ ପ୍ରାଣ ମୋର ସମର୍ପି ଦେଉଛି ଜ୍ଞାନ ବୁଦ୍ଧି ହେଲା ଦିନୁ ।
ଦର୍ପଣ ତରାସ ପ୍ରାଏ ହେଉ ଦେହ ବିଦ୍ୟୁଝଟକାନ୍ତି ପ୍ରାଏ,
ଏରୂପେ ଶୂନ୍ୟବ୍ରହ୍ମର ଦୟା ଥାଉ ତମ୍ବା ପ୍ରାଏ ହେଉ କାଏ ।
ଜାଜୁଲ୍ୟ ମୂରତି ହେଉ ଏହି ଘଟ ଅଗ୍ନିରେ କାନ୍ତି ଯେସନ,
ବ୍ରହ୍ମକୁ ତେଜି ବ୍ରହ୍ମ ଧର୍ମ ବର୍ଦ୍ଧିତ ହେଉ ବ୍ରହ୍ମତେଜମାନ ।
ସକଳ ସ୍ଥାନରେ ମଳିନ ଅବସ୍ଥା ଲୋଡ଼ିଲେ ନ ମିଳୁ କାହିଁ,
ସର୍ବାଙ୍ଗ ଶରୀର ପରିମଳ ହେଉ ଦିଶୁ ବ୍ରହ୍ମଭୂତମୟୀ ।
ଲବଣୀ ପ୍ରାଏ ଚିକ୍କଣ ହେଉ ଦେହ ନ ଥାଉ ଯେ ଅବିଗୁଣ,
ଅରୂପବ୍ରହ୍ମର ଦୟା ଥାଉ ମୋତେ ମିଳୁଥାଉ ଦରଶନ ।
ଶତ ଶତବାର ଶତ ସସ୍ରଥର ଜଣାଣ କରୁଛି ମୁହିଁ,
ତତ୍ତ୍ୱ ମନରେ ମୁଁ ଗୁରୁଙ୍କୁ କହୁଛି କଦାଚ ଅସତ୍ୟ ନାହିଁ ।
ସାଧୁ ସୁଜ୍ଞ ନର ଗୁରୁ ସେବା କର ବ୍ରହ୍ମରେ ହୁଅ ଭଗତି,
ଅଶେଷ ଜନ୍ମର କଳୁଷ ନାଶିବେ ଅବଶ୍ୟ ଦେବେ ମୁକତି ।
ଅନେକ ଭାବେ ମୁଁ ଅନୁସରି ଅଛି ବିଶ୍ୱାସ କରିବେ ବୋଲି,
କହେ ଭୀମ ଭୋଇ ଆସ୍ଥାନ ତଳରେ ନିତ୍ୟ ମରୁଅଛି ଭାଳି ।