ଅଣାଅଶୀ ବୋଲି ଲେଖକ/କବି: ଭୀମ ଭୋଇ
ଅଣାଅଶୀ ବୋଲି

ଅଣାଅଶୀ ବୋଲି

 
ଅନାମରୁ କାଳପୁରୁଷ ଜନ୍ମିଲା କମଳରେ କଲା ବାସ,
ଛପନା କୋଟିକି ଗ୍ରାସିବି ବୋଲିଣ ମନେ କଳ୍ପି କଲା ଆଶ ।
ଅନାମରୁ ଜନ୍ମ ମୃତ୍ୟୁ ଜାତ ହୋଇ ରହିଲା ସେ ଆଗ ପଛେ,
ମଧ୍ୟରେ ପିଣ୍ଡକୁ ସର୍ଜନା କରାଇ ଉଦିତ ହୋଇଲା ମଞ୍ଚେ ।
ଅନାମରୁ ଜନ୍ମ ପଚିଶ ପ୍ରକୃତି ପ୍ରେମରେ ବଢ଼ିଲା ଲତା,
ତା' ଆଜ୍ଞାରେ ନାନା ଶାଖା ଅଙ୍କୁରିଲା ଜୀବକୁ ହୋଇଲା ପିତା ।
ଅନାମରୁ ରଜ ବୀଜ ଜନ୍ମ ହେଲା ବିନ୍ଦୁ ବ୍ରହ୍ମ ବୋଲାଇଲା,
ଦରବି ଆସି ପିତା ଅଙ୍ଗଭାଗରୁ ମାତା ପଦୁରେ ପଶିଲା ।
ଅନାମରୁ ପାପ ପୁଣ୍ୟ ଜନ୍ମ ଲଭି ଦୋଷକୁ ରହିଲେ ଜଗି,
ଜୀବ ଆତ୍ମା ଯହିଁ ସେ ରହିଲେ ତହିଁ ସଙ୍ଗେ ସଙ୍ଗେ ଛନ୍ତି ଲାଗି ।
ନବଲକ୍ଷ ତାରା ଅନାମରୁ ଜନ୍ମ ହୋଇ ରହିଲେ ଶୂନ୍ୟରେ,
ଯୋଗ ଅନୁକୂଳ ଶୁଭରେ ରହିଲେ ଉଦେ ରାତ୍ର ଦିବସରେ ।
ଦଶଦିଗପାଳ ତେତିଶ୍କୋଟି ଦେବ ଅନାମରୁ ଜନ୍ମ ହେଲେ,
ଅନାମ ବୈକୁଣ୍ଠ ଭୁବନରୁ ଆସି ବୈକୁଣ୍ଠପୁରେ ରହିଲେ ।
ସତ୍ୟଧର୍ମ ଦୁହେଁ ଅନାମରୁ ଜାତ ହୋଇଛନ୍ତି କେତେବେଳେ,
ସକଳ ଭୂତେ ଠାବେ ଠାବେ ପୂରିଲେ ତିନି ଭୂବନମଣ୍ଡଳେ ।
ନବଗ୍ରହ ସତାଇଶ ଯେ ନକ୍ଷତ୍ର ଅନାମରୁ ହେଲେ ଜାତ,
ତିନିଭୁବନେ ତାଙ୍କ ତେଜ ଲାଗିଲା ପୂରି ଅଶେଷ ଜଗତ ।
କହନ୍ତା ବହନ୍ତା ଶୋରତା ବକତା ଅନାମରୁ ଜନ୍ମ ହେଲେ,
ଯେତେ ଜୀବମାନ ପିଣ୍ଡକୁ ବହିଲେ ଘଟ ଆବୋରି ରହିଲେ ।
କର୍ମ ଅକର୍ମ ଅନାମରୁ ଜନ୍ମିଲେ ଧଇଲେ ନିଜ ସ୍ୱଭାବ,
ତେଣୁ ଏ ସଂସାରେ ସତ ମିଛ ଦୁଇ ବୋଲାଇଲେ ବେନି ଭାଗ ।
ମାଇ ଅଣ୍ଡିର ଯେତେ ଛନ୍ତି ସଂସାରେ ଅନାମରୁ ହେଲେ ଜନ୍ମ,
ମୁଖରେ ପ୍ରେମ ପୀୟୂଷ ଭାବନାରେ ଯୁଗଳରେ କଲେ କର୍ମ ।
ହେତୁ ବୁଦ୍ଧି ଜ୍ଞାନ ଚିଆଁ ଚଇତନ ଅନାମରୁ ଜନ୍ମ ହୋଇ,
ଯେ ଅଟଇ ଯେଉଁସ୍ଥାନେ ସମଯୋଗ ସମସ୍ତେ ବସିଲେ ଯାଇ ।
ଅନାମରୁ ଚାରି ବେଦ ଜାତ ହୋଇ ଉଙ୍କାର ଅନାମୁ କ୍ଷରି,
ଶ୍ରୀମୁଖ ବଚନ ପରିବନ୍ଧ ପଦ ରହିଲା ଶାହାସ୍ରେ ପୂରି ।
ଅନାମ ମଣ୍ଡଳୁ ଅନନ୍ତ କୁହୁଡ଼ି ଜାତ ହେଲେ ମୋହମାୟା,
ମୁହିଁ ମୁହିଁ ବୋଲି ମୁଁ କାର ବହିଣ ମନୋମତେ ହେଲେ ବାୟା ।
ଅନାମରୁ ଘନ ବିଦ୍ୟୁ ଜାତ ହେଲେ ଆକାଶେ କଲେ ଭ୍ରମଣି,
ଘନ ଘୋଷ ଘଡ଼ଘଡ଼ି କମ୍ପମାନ ଶୁଭୁଅଛି ନାଦ ଧ୍ୱନି ।
ଅନାମରୁ ଦେବଗଣ ଜାତ ହୋଇ ରହିଲେ ତ୍ରିପୁର ମହୀ,
ଯାହାକୁ ଯେଉଁ ପରି ଭୋଗ ସୁଫଳ ଦେବାରୁ କରତା ବିହି ।
ଶରଦ ଉଷୁମ ଅନାମରୁ ଜନ୍ମ ହୋଇ ତ୍ରିପୁରେ ଘୋଟିଲା,
ତେଣୁକରି ସିନା ଆତ୍ମା ପୁରୁଷକୁ ଅନେକ ବ୍ୟାଧି କଣ୍ଟିଲା ।
ଲାଭ ହାନି ଦୁହେଁ ଅନାମରୁ ଜାତ ହୋଇଛନ୍ତି ଏ ସଂସାରେ,
ତେଣୁକରି ଦୁହେଁ ଲୋଭେ ମୋହେ ପଡ଼ି ବୋହିଗଲେ ତ୍ରିପୁରରେ ।
ଏ କଳିଯୁଗରୁ ପାରିକର ମୋତେ ଅଛି ମୁହିଁ ଅନୁସରି,
ନୀଚ ପ୍ରାଏ ହୋଇ କହେ ଭୀମଭୋଇ ଗୁରୁ ପାଦପଦ୍ମ ଧରି ।