ତେୟାଶୀ ବୋଲି ଲେଖକ/କବି: ଭୀମ ଭୋଇ
ତେୟାଶୀ ବୋଲି

ତେୟାଶୀ ବୋଲି

 
ସତ୍ୟ ଧର୍ମେ ଗୁରୁ ସେବା ଯେ କରିବ ଛାଡ଼ ଛାଡ଼ ଗୃହବାସ,
ଆପଣା ପିଣ୍ଡ ପ୍ରାଣେ ଆଶା ନ ରଖି ଗୁରୁପାଦେ କର ଆଶ ।
ଆପଣା କାମ କ୍ରୋଧ ଲୋଭ ମୋହକୁ ଜ୍ଞାନରେ କର ଆୟତ୍ତ,
ହିଂସା କପଟ ଛନ୍ଦ ବାଦ କୁଟିଳ ନିବାରି କର ଦୁରନ୍ତ ।
ରାଗ ଈର୍ଷା ତମ ଅହଂକାର ଯେତେ ଏହାକୁ ଆୟତ୍ତ କର,
ଏହି ଘରେ ସମସ୍ତେ ରହି ଅଛନ୍ତି ସଦଜ୍ଞାନରେ ବିଚାର ।
ପର ଖଚ ମିଛ ନ ଧରିବ ମନେ ନାଶ ବାଟରେ ନ ଥିବ,
ଅନ୍ତ ମୁଖରେ ନିରତେ ସତ୍ୟ କହି ତେବେ ସନ୍ୟାସ ହୋଇବ ।
ଆପଣା ଦାରା ଧନ ସୁତ ଚିତ୍ତକୁ ମନେ ନ ଧରିବ ଆଶା,
ପର କହିଲା ବଚନେ ପ୍ରତେ ଯାଇ ନ କର ଚିତ୍ତେ ଭରସା ।
ଆପଣା ବନ୍ଧୁ ବାନ୍ଧବ ବାପ ଭାଇ ନ ବୋଲିବ ମୋର ମୋର,
ଦେଖ ଅନିତ୍ୟ ସଂସାର ମାୟା ମୋହ କେହି ନୁହନ୍ତି କାହାର ।
ପର ସ୍ତିରୀ ପର ଦ୍ରବ୍ୟକୁ ଦେଖିଲେ ନ ବଳାଇବ ପ୍ରକୃତି,
ଏକପାଦ ବ୍ରହ୍ମ ଗୁରୁସେବା କଲେ ତେବେ ବୋଲାଇବ ଯତି ।
ଗୁରୁ ପୟରେ ବିଶ୍ୱାସ ରଖିଥିବ ନୋହିବ ଆନରେ ସଙ୍ଗ,
ପିଣ୍ଡ ପ୍ରାଣକୁ ହେତୁ ଘରେ ରଖିଲେ ତେବେ ନ ଟଳିବ ଅଙ୍ଗ ।
ଯୋନିର ଜନ୍ମ ବାସନା ଅଙ୍ଗେ ଥିଲେ ପାଇ ନୁହେ ବ୍ରହ୍ମ ଜ୍ଞାନ,
ନିରନ୍ତରେ ଗୁରୁ ସେବାରେ ଖଟିଲେ ଅଖଣ୍ଡିତ ବ୍ରହ୍ମେ ଲୀନ ।
ଦେବୀ-ଖପରୁ ଉଧାର ହେବ ଯେବେ ମାଟି ଖପରାରେ ଭୁଞ୍ଜ,
ସ୍ତିରୀଲିଙ୍ଗ ନେତ୍ରେ ଦେଖିବ ଯେମନ୍ତେ ମାତା ବୋଲି ମାନ ଖଞ୍ଜ ।
ଅବିକାର ମତ ପଞ୍ଚଭୂତେ କର ଏକାଙ୍ଗ ବ୍ରହ୍ମକୁ ଚିହ୍ନି,
ସକଳ ଜୀବ ସମାନରେ ଦେଖିବ ତେବେ ହେବ ବ୍ରହ୍ମଜ୍ଞାନୀ ।
ଜନ୍ମ ମରଣକୁ ଭୟ ନ କରିବ ମୁରୁଛି ଥିବ ଆଦ୍ୟରୁ,
ପିଣ୍ଡକୁ ମୋର ମୋର ନାହିଁ ବୋଲିବ ଯାହା କରିଯିବେ ଗୁରୁ ।
ନିରନ୍ତରେ ଅଣସ୍ଥିତ ଆଚରିବ କାହାଠାରେ ନାହିଁ ସାଥି,
ଏକପାଦକୁ ହୃଦେ ଯେବେ ଭାବିବ ଲଭିବ ପରମ ଗତି ।
ଦିବା ନିଶିରେ ଉଦାସ ମତେ ଥିବ ବାତୁଳ ପରାଏ ହୋଇ,
ବାଳକ ମତେ ଯେବେ ଭ୍ରମି ପାରିବ ତେବେ ବ୍ରହ୍ମ ଭେଟ ପାଇ ।
ମେଦିନୀ ପ୍ରାଏ ଦେହ ସହି ରହିବ ନିନ୍ଦା ସ୍ତୁତି ଗାଳି ଶୁଣି,
ଶୀତ ଗ୍ରୀଷମ ବରଷା ଅଙ୍ଗେ ସହି ତେବେ ବୋଲାଇବ ଜ୍ଞାନୀ ।
ସମୁଦ୍ର ପ୍ରାଏ ଗଭୀର ବୁଦ୍ଧି ଥିବ ଉଶ୍ୱାସ ନୋହିବ କେଭେ,
ପ୍ରସନ୍ନ ହୋଇଣ ସଦଗୁରୁ ପିତା ଯାହା ଆଜ୍ଞା ଦେଇଥିବେ ।
ଘଟ ଭେଦର ଫନ୍ଦା ବୃତ୍ତି କରିବ ଅନ୍ୟ ଫନ୍ଦା ନାହିଁ କାର୍ଯ୍ୟ,
ବ୍ରହ୍ମ ଜ୍ଞାନକୁ ତେବେ ଲଭି ପାରିବ ଅନୁଭବ ମାର୍ଗେ ହେଜ ।
ଧୀର ସମୀର ହୃଦୟରେ ବହିବ ନ ପାଞ୍ଚିବ ଛିଦ୍ର ବୁଦ୍ଧି,
ପ୍ରକୃତିଗଣେ ଯେବେ ସଙ୍ଗ ହୋଇଲେ ଏ ପିଣ୍ଡ ନୁହଇ ସିଦ୍ଧି ।
ଜିହ୍ୱା ଇନ୍ଦ୍ରି ନାଶୁଛନ୍ତି ଏ ଜୀବକୁ ସମ୍ଭାଳିବ ତତ୍ତ୍ୱ କରି,
ଅଖଣ୍ଡ ମହାବ୍ରହ୍ମ ପଦ୍ମପାଦକୁ ଦୃଢ଼ବନ୍ଧେ ଥିବ ଧରି ।
ମହାବ୍ରହ୍ମକୁ ମୁଁ ଆଶା କରି ଧରି ନ ପାରୁଛି ପାଦ,
ଭଣେ ଭୀମଭୋଇ ଗୁରୁ ପାଦ ଧ୍ୟାୟି ନ ପାଉଛି ଅନ୍ତ ଆଦ୍ୟ ।