ଛୟାଶୀ ବୋଲି ଲେଖକ/କବି: ଭୀମ ଭୋଇ
ଛୟାଶୀ ବୋଲି

ଛୟାଶୀ ବୋଲି

 
ସାଧୁଜନମାନେ ସନ୍ତୋଷରେ ଭୁଞ୍ଜି ଛାଡ଼ିଯିବେ ଅବଶେଷ,
ଯାହା ଥିବ ପାତ୍ରେ କୁଟୁମ୍ବ ସହିତେ ସଂଖୋଳି କରିବ ଗ୍ରାସ ।
ସାଧୁ ଉଚ୍ଛିଷ୍ଟ ପାତ୍ର ଚାଟି ଖାଇବ ମନେ ନ ଧରି ଅବଦ,
ସମସ୍ତେ କଣିକା ଲେଖାଏଁ ପାଇବ ଯେସନେକ ପରସାଦ ।
ସାଧୁ ଗୋଷ୍ଠୀଠାରେ ଗର୍ବ ନ କରିବ ମୁକ୍ତି ଗଙ୍ଗାଜଳ କହି,
ପୁତ୍ର ଦୋହିତା ଭାରିଯା ସଙ୍ଗେ ଘେନି ଏକାନ୍ତେ ବସିବ ଯାଇ ।
ସାଧୁ ଅବଶେଷ ପାଇଣ ଆନନ୍ଦେ ଯେ ସେବେ ଚରଣାବିନ୍ଦ,
ଅନ୍ତକାଳେ ସଦଗତିକି ଲଭଇ ଛିଡ଼ଇ ତ୍ରିଗୁଣ ବନ୍ଧ ।
ଦୁଃଖ ସୁଖକୁ ସମାନ ମଣି ଥାଇ କେବେ ନୁହଇ ବିମୁଖ,
ନାମେ ଆଶ୍ରେ କରି ଦିନ ବଞ୍ଚୁଥାଇ ବୋଲେ ଏ ମୋ ବଡ଼ ସୁଖ ।
ଯାହା ହୋଇଗଲେ ଶ୍ରୀଗୁରୁ ଜାଣିବେ ହୃଦରେ ନ ରଖି ଚିନ୍ତା,
ଗୃହଧର୍ମେ ଥାଇ ନାମ ଆଶ୍ରେ କରି ଧଇର୍ଯ୍ୟ ପଣେ ଶକତା ।
ଏମନ୍ତ ଭକ୍ତର ବାନ୍ଧବ ଅଟନ୍ତି ପର୍ମେଶ୍ୱର ମହାବ୍ରହ୍ମ,
ଅତି ଆନନ୍ଦରେ ଦିନ ବଞ୍ଚୁଥାଇ ଦିବା ନିଶି ଜପି ନାମ ।
ଗୃହରେ ଥାଇ ନାମ ଆଶ୍ରିତ କଲେ ଏହି ପରକାରେ ଭଜ,
ବିହିତ ଲକ୍ଷଣେ ଭକ୍ତିମାର୍ଗେ ଚାଲ ନ କର ମନରେ ଲାଜ ।
ଭକ୍ତି ଯେ କରିବ କି ଲଜ୍ଜା ତାହାର ଲଜ୍ଜା କଲେ ନ ମିଳଇ,
ନାମ ବ୍ରହ୍ମ ବିନୁ କିଛି ନ ଜାଣଇଁ କାହାକୁ ତା ଭୟ ନାହିଁ ।
ମହାଦେବ ଶିବଙ୍କର ଦୀକ୍ଷା ନୁହେ ତହିଁରୁ ଅତି କଠୋର,
ଅଲେଖ ମହିମା ବୋଲିବାର ପଦ ଅଷ୍ଟାଙ୍ଗ ଯୋଗ ଉପର ।
ଅବତାର ବିଷ୍ଣୁଙ୍କର ଦୀକ୍ଷା ନୁହେ ତହିଁରୁ ଅଟଇ ଗାଢ଼,
କୋଟି କୋଟି ବିଷ୍ଣୁ ତାଙ୍କ ତହୁଁ ଜାତ ସେଠାକୁ ନୁହନ୍ତି ବଡ଼ ।
ବ୍ରହ୍ମା ବେଦପତିଙ୍କର ଦୀକ୍ଷା ନୁହେ ତହିଁରୁ ଅଧିକ ଉଚ୍ଚ,
ସୃଷ୍ଟି ହେଲା ଦିନୁ କୋଟି କୋଟି ବ୍ରହ୍ମା ଜନ୍ମ ହୋଇଛନ୍ତି ପଛ ।
ନାଗାନ୍ତି ଯୋଗାନ୍ତି ଦୀକ୍ଷା ନୁହେ ଏହୁ ତହିଁରୁ ଆହୁରି ଆଣ୍ଟ,
ନିଷ୍କାମ ଧର୍ମ ଯେଉଁଠାରୁ କ୍ଷରୁଛ ଅଟନ୍ତି ପରା ବୈକୁଣ୍ଠ ।
ବେଦାନ୍ତୀ ସିଦ୍ଧାନ୍ତି ଦୀକ୍ଷା ଧର୍ମ ନୁହେ ରହିଲାଣି କେତେଦୂରେ,
ନିର୍ବେଦ ଧାରଣା ଯାହାକୁ ବୋଲନ୍ତି ଅଲେଖ ଅବନାପୁରେ ।
ସନ୍ଥ ମହନ୍ତଙ୍କ ଦୀକ୍ଷାଧର୍ମ ନୁହେ ଅଛି ବହୁତ ଅନ୍ତର,
ଦେଖା ଶିଖା ଭକ୍ତି ସେ ବ୍ରହ୍ମଠାବକୁ ନୁହଇ ସେ ବଳୀଆର ।
ନିଃଶବ୍ଦ ଭୁବନ ଦୀକ୍ଷା ଧର୍ମ ଏହି ନିର୍ବେଦରେ ଚରାଚର,
ଅଲେଖ ମହିମା ବୋଲନ୍ତି ଯାହାକୁ ଅରୂପ ତାଙ୍କ ଶରୀର ।
ନିଶବଦ ଘର ଏକପାଦ ଧର୍ମ ଅଟଇ ସାତ୍ତ୍ୱିକ ଧର୍ମ,
ନୁହଇ ସ୍ତିରୀ ସେ ନୁହଇ ପୁରୁଷ ଦୁଇ ବୋଲି ନୁହ ଧର୍ମ ।
ସେ ଠାବରେ ଆଉ ଦିବା ନିଶି ନାହିଁ ଏକତ୍ୱ ପ୍ରକାର ବିଧି,
ସେ ଠାବକୁ ଯେହୁ ଜନ ବଳାଇବ ଅସାଧନା ସର୍ବସିଦ୍ଧି ।
ସାଧିବାର ବ୍ରହ୍ମ ନୁହଇ ସେ ପ୍ରଭୁ ଅନାମ ତାହାର ରୀତି,
କାମନା କଳ୍ପଣା କାହିଁ ବା ଲାଗିବ ନ ପଶି ପାରେ ପ୍ରକୃତି ।
ଏ ଭବାର୍ଣ୍ଣବରୁ କାଢ଼ି ନିଅ ମୋତେ ଶ୍ରୀ ପାରୁଣେ ଦିଅ ବାସ,
ଭଣେ ଭୀମ ଭୋଇ ଗୁରୁପାଦ ଧ୍ୟାୟି ଅରୂପ ବ୍ରହ୍ମରେ ଆଶ ।