ଅଠାଶୀ ବୋଲି ଲେଖକ/କବି: ଭୀମ ଭୋଇ
ଅଠାଶୀ ବୋଲି

ଅଠାଶୀ ବୋଲି

 
ଏକୌଶୀ ଭୁବନ ଜିଣି ଯେବେ ଯିବ ହେବ ଅଲେଖର ଭକ୍ତ,
ଗୃହୀ ଦିଗମ୍ବରୀ ଯେ ଅଛ ସଂସାରେ ଦେଖ କେ ଅଛ ସମର୍ଥ ।
ଅଲେଖ ପ୍ରଭୁଙ୍କୁ ଯେ ଭଜି ପାରିବ ନ ପଡ଼ିବ ତାର କାୟା,
ଚେତା ଚଇତନ ହେତୁ ନ ବୁଡ଼ିବ କରିବେ ସେ ଯେବେ ଦୟା ।
ରଜବୀର୍ଯ୍ୟରେ ଜନ ମନ ଲଭି ଯୁଗେ ଯୁଗେ ଅଜାମ୍ୱର,
ଇଚ୍ଛିଲେ ଦେହ ଅଦେହ ହୋଇପାରେ ଇଚ୍ଛା ମରଣ ତାହାର ।
ଭବାର୍ଣ୍ଣବ ମାୟା ନ ଲାଗଇ ତାକୁ ନ ପଶଇ ଯମଦ୍ୱାର,
ମୋ ପିଣ୍ଡ ଗଢ଼ିଲା ଶକତି ଏ ଅଟେ ଏଥୁ ହୋଇଛି ବାହାର ।
ମାତାର ପଦ୍ମକୁ ଯେ ଭଜି ପାରିଛି ପ୍ରଳୟରୁ ହେଲା ପାର,
ଅଲେଖ ପୁରୁଷ କରନ୍ତି ତାହାଙ୍କୁ ଜନ୍ମ ମରଣୁ ଉଧାର ।
ମହାସୁଖ ପା'ନ୍ତି ଅଲେଖ ପୁରୁଷ ଏତେ କର୍ମରେ ନ ଥିଲେ,
ଡାକି ଡାକି ତାକୁ ଅଲେଖ ପୁରୁଷ ମୁକତି ଯାଚନ୍ତି ବଳେ ।
ଜିହ୍ୱା ସୁସ୍ୱାଦୁରେ ନ ଥାଇ ସେ ଜନ ନିତ୍ୟ ଅସାଧନା ଯୋଗ,
ମୁକତି ଭଣ୍ଡାରୁ ଅଲେଖ ପୁରୁଷ ବୋଲେ ଅଧେ ନେବେ ଭାଗ ।
ତୁହି ମୋତେ ଜାଣୁ ମୁହିଁ ତୋତେ ଜାଣେ ଏଥିରେ ସଂଶଏ ନାହିଁ,
ତୁହି ଯହିଁ ଯିବୁ ମୁରୁଛି ନ ପାରି ମୁହିଁ ସଙ୍ଗେ ଯିବି ତହିଁ ।
ମୁଁ ତୋହର ପୁତ୍ର ତୁ ମୋହର ପିତା ଏଥୁ କି ବିଶ୍ୱାସ ନେବି,
ମୋତେ ତୁହି ଯହିଁ ବସାଇବୁ ଭକ୍ତ ତହିଁ ମୁହିଁ ବସିଥିବି ।
ଏମନ୍ତ ବୋଲନ୍ତି ଅଲେଖ ପୁରୁଷ ନିଷ୍କାମ ଭକ୍ତକୁ ଚାହିଁ,
ତୋହ ମୋହ ବାବା ଯେବଣ ପୀରତି ତ୍ରିଭୁବନେ ଜଣା ନାହିଁ ।
ନିଷ୍କାମ ଭଗତ ଦେଖିଲେ ଅଲେଖ ହସି ପ୍ରସନ୍ନ ହୁଅଇ,
ତାର ଦୁଆରକୁ ଆସି ଯାଇ ବ୍ରହ୍ମ କାଦୋ ଉଠି ଯାଉଥାଇ ।
ନିଷ୍ଠା ଭକ୍ତିବଳେ ବନ୍ଦୀ ହୋଇ ଏକା କାହିଁ ନୁହଇ ବନ୍ଧନ,
ଭକ୍ତ ପାଖରୁ ନ ଛାଡ଼ି ଜଗିଥାଇ ଯେସନେକ ପିଣ୍ଡପ୍ରାଣ ।
ଅଲେଖ ଭକ୍ତିର ଏମନ୍ତ ବିଧାନ ଶୁଣ ସାଧୁ ସୁଜ୍ଞନର,
ଅଘୋର ସତ୍ୟ ସାଗର ଧର୍ମ ଭକ୍ତି ପାରୁଅଛ ଯେବେ କର ।
ଅଘୋର ନିଷ୍ଠା ଭଗତିରେ ଯେ ଜନ ଅମନେ କରିବ ମନ,
ଆୟତ୍ତ ନାହିଁ ଅଲେଖ ପୁରୁଷର ହେବେ ତାହାର ଅଧୀନ ।
କିବା ନରଲୋକ କିବା ଦେବ-ଲୋକ କରୁଛନ୍ତି ଭକ୍ତି ଦେଖ,
କିବା ସୁରଲୋକ କିବା ରୁଦ୍ରଲୋକ ଯେ ଅଛି ତିନି ତ୍ରୈଲୋକ୍ୟ ।
ଅଲେଖ ବ୍ରହ୍ମରେ ଭଗତି ହୋଇଲେ ନ ହୁଅନ୍ତି କେହି ସାହା,
ତ୍ରିଭୁବନ ଲୋକେ ନ ସହନ୍ତି ଏକା ଜାଣି ବୁଝି କରି ତାହା ।
ଅଲେଖ ଭଗତି କେହି ନ ପାରନ୍ତି କୋଟିକେ ଗୋଟିଏ ସାର,
ଯେହୁ ଇଚ୍ଛା ସେହୁ ସମର୍ଥ ନୁହନ୍ତି ଶୁଦ୍ଧମନରେ ବିଚାର ।
ଅଶ୍ରୁତି ଶୂନ୍ୟ ଅଗୋଚର ଆଶରା ଭରସା ଯେ କରିପାରେ,
ଅନ୍ତର ବାହାରେ ସେ ଅଲେଖ ବ୍ରହ୍ମ ପୂରିଥାଇ ତାହାଠାରେ ।
ତିନି ଭୁବନରେ ସଂସାରଯାକରେ କାହାକୁ ନାହିଁ ତା ଭୟ,
ତେଣୁକରି ତାର ଇଷ୍ଟ ହୋଇଥାନ୍ତି ଅଲେଖ ପୁରୁଷ ଦିଅଁ ।
ଅଲେଖ ଭଗତି କରିବାର ଚାହିଁ ପ୍ରାଣ ଥିବାଯାଏ ପିଣ୍ଡେ,
ଗୁରୁପାଦ ଧ୍ୟାୟି ଭଣେ ଭୀମ ଭୋଇ ନ ପଡ଼ିବ କାଳଦଣ୍ଡେ ।