ଅଣନବେ ବୋଲି ଲେଖକ/କବି: ଭୀମ ଭୋଇ
ଅଣନବେ ବୋଲି

ଅଣନବେ ବୋଲି

 
ସତ୍ୟ ତ୍ରେତୟା ଦ୍ୱାପର କଳିକାଳ ଗଣ୍ଡାଏ ହୋଇଲା ଆସି,
ଅଲେଖ ମହିମା ଏକାକ୍ଷର ପଦ ହୋଇ ନଥିଲା ପ୍ରକାଶି ।
ଗଣ୍ଡାଏ ଯୁଗ ସମ୍ପୂର୍ଣ୍ଣ ହେଲା ଯେହୁଁ ଏକବ୍ରହ୍ମ ଉଦବେଗ,
ସାଧୁ ସୁଜ୍ଞଜନେ ଶୁଣିଥାଅ କର୍ଣ୍ଣେ ଫେର ହେବ ସତ୍ୟଯୁଗ ।
ଯେଉଁ ସତ୍ୟ ଧର୍ମେ ଏ ପିଣ୍ଡ ବ୍ରହ୍ମାଣ୍ଡ ପୂର୍ବେ ହୋଇଥିଲା ଜାତ,
ସେହି ସତ୍ୟଧର୍ମେ ଏ ପିଣ୍ଡ ବ୍ରହ୍ମାଣ୍ଡ ସୁସ୍ଥାପନେ ହେବ ମୁକ୍ତ ।
ଆଦ୍ୟରେ ଅଲେଖ ଅଦ୍ଭୁତ ମୁରତି ବଇଷ୍ଣବ ରୂପ ହେଲେ,
ଦିଗମ୍ବର ବେଶେ ଏ ପିଣ୍ଡ ବ୍ରହ୍ମାଣ୍ଡେ ସ୍ଥାପି ବଞ୍ଚାଇ ରଖିଲେ ।
ଅଘୋର ମତ ଅବିକାର ଦୀକ୍ଷାନ୍ତ କରିଥିଲେ ପର୍ମେଶ୍ୱର,
ସେହି ଧର୍ମ ଅବଧୂତ ବୋଲାଉଛି ନିର୍ବେଦୁ ହୋଇ ବାହାର ।
ସେହି ବ୍ରହ୍ମ ଏବେ ନର ଦେହ ବହି ବୁଦ୍ଧରୂପେ ଅବତାର,
ଏତେବେଳେ ନିଜ ନାମ ଛାଡ଼ିଛନ୍ତି ନ ରଖି କିଛି ଅନ୍ତର ।
ସତ୍ୟ ପୁରୁଷ ସତ୍ୟ ପଦ ଜାଣନ୍ତି ଚାରିଯୁଗ ମଧ୍ୟେ ସାର,
ତରିବେ ବୋଲି ନିଜ ନାମ ଦେଇଛି ସମସ୍ତେହେଁ ଆଶ୍ରା କର ।
ଅଲେଖ ମହିମା ନାମରେ ଉଦ୍ଘାଟ ହେବେ ବୋଲି କଳିକାଳେ,
ସନ୍ନ୍ୟାସ ଦୀକ୍ଷାରେ ନିଜ ସତ୍ୟ ଧର୍ମ ଛାଡ଼ିଛନ୍ତି ରବିତଳେ ।
ମହାଘୋର କଳି ପାପସାଗରକୁ ମହିମାସାଗର ଧର୍ମ,
ବେନିକୁଳ ମିଳି ଯୁଦ୍ଧ ଲାଗିଛନ୍ତି କିସ ଦେବା ଅନୁପମ ।
ତେଣୁକରି ସିନା ନର ମନୁଷ୍ୟଙ୍କୁ ଛଡ଼ାକ୍ଷର ମନ୍ତ୍ର ଦେଲେ,
ଅଲେଖ ମହିମାସାଗର ନାମରେ କଳିକାଳେ ଉଦେ ହେଲେ ।
ଏବେ ସେ ଅନାଦି ଦିଗମ୍ବର ହୋଇ ବହିଛନ୍ତି ବୁଦ୍ଧ-ତନୁ,
ଆଦି ପରମ ଏ ଧର୍ମ ଦେଇଛନ୍ତି ପାରି ହେଲା ଯେତେ ଦିନୁ ।
ତିନିପୁର ଲୋକେ ଦରଶନ କର ବୃଦ୍ଧସ୍ୱରୂପ ଗୁରୁଙ୍କୁ,
ନାଭିମଣ୍ଡଳରୁ ଅଲେଖର ପ୍ରଭା ଅଛି ତହିଁ ଉପରକୁ ।
ଶକ୍ତି ଅନୁସାରେ ଭଜ ନିରନ୍ତରେ କାହାକୁ ନୁହଇ ମନା,
କି ଅବା ସ୍ତିରୀ କିଅବା ପୁରୁଷ ମନରେ କର ଭାବନା ।
ସତ୍ୟଯୁଗକୁ ଯେମନ୍ତେ ପହଞ୍ଚିବ କର ସେପରି ଉପାଏ,
କଳି ଥିବା ଯାଏ ନିଜ ସତ୍ୟ ଧର୍ମ ହୋଇ ନ ପାରଇ ଥାଏ ।
ସକଳ ଜନ ଅଲେଖ ମହିମାକୁ ଡାକ ଅନ୍ତେ ମୁଖେ ଉଚ୍ଚେ,
ମହିମାଙ୍କ ପରା ପରୀକ୍ଷା ଦେଖିବ ନିନ୍ଦା ନାହିଁ ଦେବ ପଛେ ।
ଜୀବର ଉପରେ ମହିମା ପରୀକ୍ଷା ହେବ ଏକା ତିନି କାଳେ,
ଆପଣା ପିଣ୍ଡ ପରାଣକୁ ସମ୍ଭାଳି ନୋହିବଟି ତେତେବେଳେ ।
ତିନି ଭୁବନକୁ ତିନିବାର ଆମ୍ଭେ ଡାକି କହୁଅଛୁ ଶୁଣ,
ମୁକତି ଯାଚି ଯାଚି ଦେବା ହେଉଛି ଭାଗ୍ୟ ଅଛି ଯେବେ ଘେନ ।
ସପ୍ତ ବ୍ରହ୍ମାଣ୍ଡକୁ ସାତବାର କରି ଯାଚି ଦେଉଛନ୍ତି ଧର,
ପବିତ୍ର ନାମ ବ୍ରହ୍ମ ଏହୁ ପସରା ମନେ ବିରୁଧ ନ କର ।
ନବଖଣ୍ଡ ମେଦିନୀକି ନବଥର ବୁଲାଉ ଅଛନ୍ତି ନାମ,
ଗୁରୁ ରୂପ ହୋଇ ବତାଉ ଅଛନ୍ତି ଅଲେଖ ଅନାଦି ବ୍ରହ୍ମ ।
ଏକୋଇଶ ପୁରେ ଏକୋଇଶ ବାର ନାମ ଫେରୁଛି ସମ୍ଭାଳ,
ଭଣେ ଭୀମ ଭୋଇ ଗୁରୁପାଦ ଧ୍ୟାୟି ଶେଷ ହୋଇଲାଣି କାଳ ।