ବୟାନବେ ବୋଲି ଲେଖକ/କବି: ଭୀମ ଭୋଇ
ବୟାନବେ ବୋଲି

ବୟାନବେ ବୋଲି

 
ଛତିଶକୁଳୀ ବାଉନ ଯେ ପାଟକ ଯେ ଅଛି ସ୍ତିରୀ ପୁରୁଷ,
ଉଚ୍ଚ ନୀଚ ବୋଲି ବାରଣ ନ କରି ନାମରେ ଶରଣ ପଶ ।
କିବା ବେଶ୍ୟା ନାରୀ କିବା ଦୁରାଚାରୀ କିବା ପାଷାଣ୍ଡ ପୁରୁଷ
ଅଦ୍ଭୁତ ବିପତ୍ତି ଘୋଟି ଆସୁଅଛି ବେନି ନେତ୍ରେ ସର୍ବେ ଦେଖ ।
ଛପନାକୋଟିକି ନାଶିବାରପାଇଁ ଏ ଚାରିଖାନି କି ଧରି,
ଜଣେ ଜଣେ ଗୁରୁ ନାମ ଆଶ୍ରେକରି ମୁଖେ ବୋଲ ହରି ହରି ।
ହରି ନ ବୋଇଲେ ହତ ହୋଇଯିବ ଅଣଓପ୍ରୋଧ ବିପତ୍ତି,
ବାଳ ବୃଦ୍ଧ ଯୁବା କେହି ନ ରହିବ ସରିଯିବ ନବ କ୍ଷିତି ।
ଅଷ୍ଟକୋଟି ଯୋଗ୍ନୀ ଚୌଷଷ୍ଠୀ ଜାନ୍ତାନୀ ନବକୋଟି ଦେବୀରାଣ,
ଭୈରବୀ ମୁରତି ପ୍ରକାଶିଣ ସର୍ବେ ରୁଧିର କରିବେ ପାନ ।
ସେ ଧର୍ମ ପୁରୁଷ କାଳରୂପ ହେବେ ଡାକିଲେ ଶୁଣିବେ ନାହିଁ,
ଏତେବେଳରୁ ପରତେ ହୋଇଥିଲେ ଦାଢ଼ରୁ ବଞ୍ଚିବ ସେହି ।
ତିନିପୁର ମଧ୍ୟେ କାଳଚକ୍ର ଗୋଟା ଫେରୁଥିବ ଦିବାନିଶି,
ଦେବୀଗଣମାନେ ଆକାଶେ ରଡ଼ିବେ ନ ଦିଶିବେ ରବିଶଶୀ ।
ଘୁଘୁ ଗରଜନ ଶୂନ୍ୟରେ ଶୁଭିବ ଦେବୀଙ୍କ ମୁଖ ଚହଳ,
ଅଦ୍ଭୁତେ ରୁଧିର ବରଷା କରିବ ଧାରା ପରାଏ ବହଳ ।
ତିନି ବ୍ରହ୍ମାଣ୍ଡ ଦୁଲୁ ଦୁଲୁ କମ୍ପିବ ହୋଇବ ଉଲୁକାପାତ,
ଚଉଦିଗେ ଜନ ମନୁଷ୍ୟ ଯେ ଥିବେ ଠାଏ ଖାଉଥିବେ ଭାତ ।
ବାସି ତୋରାଣିକି ଆୟୁଷ ନ ଥିବ ଜୀବନେ ନ ଥିବ ଆଶା,
ସକଳ ହୃଦରେ ଭୟ ଉପୁଜିବ ପଡ଼ିବ ଅକାଳ ଦଶା ।
ଏତେବେଳେ ଯେବେ ଧର୍ମ ଧରିଥିଲେ ତେତେବେଳେ ଭୟ ନାହିଁ,
ଦେବୀମାନେ ତାଙ୍କୁ ସୁକୃପା କରିବେ ବ୍ରହ୍ମାଣ୍ଡେ ରହିବେ ସେହି ।
ବାରମ୍ବାର କହୁଅଛୁଁ ସୁଜ୍ଞଜନେ ପଞ୍ଚଭୂତ ମନେ ଚେତ,
ଯାହା କହୁଅଛୁଁ ମିଥ୍ୟା ବାକ୍ୟ ନୁହେ ଅବଶ୍ୟ ହୋଇବ ହିତ ।
ଧର୍ମେ ଯେବେ ଥିବ ଧର୍ମ ସାହା ହେବ ରଖିବେ ବାନା ଘୋଡ଼ାଇ,
ଦୋଷ ଅପରାଧ ଖଣ୍ଡନ କରିବେ ବ୍ରହ୍ମ ଅନଳେ ପୋଡ଼ାଇ ।
ସଦଗୁରୁଠାରେ ସଦଶିକ୍ଷା ହୋଇ ସେବା କରି ଯେବେ ପାର,
ଧର୍ମବଳେ କାଳମୁଖଁ ଉବୁରିବ ବଂଶ ନ ବୁଡ଼ିବ ତା'ର ।
ଅନ୍ତ ଡାକୁଥିବ ମୁଖ ଡାକୁଥିବ ହୃଦପଦ୍ମେ ଥିବ ଧ୍ୟାନ,
ତେବେ କାଳମୁଖୁଁ ବଞ୍ଚାଇ ରଖିବେ ସେ ଅନାଦି ଭଗବାନ ।
ଅନ୍ତର୍ଯ୍ୟାମୀ ଗୁରୁ ଅନ୍ତରେ ଡାକିଲେ ଅବଶ୍ୟ ଜାଣିବେ ସେହି,
ଆତଙ୍ଗରେ ଯେବେ ଗୁହାରି କରିବ ନିଶ୍ଚେ ରଖିବେ ବଞ୍ଚାଇ ।
ଟଙ୍କା ସୁନା କୌଡ଼ି କିଛି ନ ଲାଗଇ ଯେ ପାରୁଛ ସେହୁ ଭଜ,
ତିନିକୋଶ ଯାଇ କିଣା ନ ପଡ଼ଇ ବହିବାକୁ ନୁହେ ବୋଝ ।
ବସିଲା ଠାବରେ ଆୟ ବ୍ୟୟ କରି ସୁସ୍ଥେ ଅରଜିବ ଧର୍ମ,
ନ ବୁଝି ସାଧୁ ସୁଜନ ସୁଜ୍ଞମାନେ କିପାଇଁ ହେଉଛ ଭ୍ରମ ।
ନ ଜାଣି ଚାରି ଖୁଣ୍ଟିରେ ଫେରୁଅଛ ତୀର୍ଥ ବ୍ରତ ବୋଲି କରି,
ଯହିଁରେ ଲୋଡ଼ିବ ତହିଁ ବ୍ରହ୍ମ ବୁଝିବ ଯେବେ ବିଚାରି ।
ପଥଶ୍ରମ ହୋଇ ପାଦ ପ୍ରାସ ପାଇ ବାହ୍ୟରେ ଭ୍ରମି ନ ମର,
ଗୁରୁପାଦ ଧ୍ୟାୟି କହେ ଭୀମ ଭୋଇ ଘଟରେ ଭାବନା କର ।