98 . ଅଠାନବେ ବୋଲି
ଅଠାନବେ ବୋଲି
ପରଦାରା କର୍ମ ନ କରନ୍ତୁ କେହି ଯେତେ ଏ ଧର୍ମେ ଆଶ୍ରିତ,
କରପତ୍ର ଯୋଡ଼ି ଛାମୁରେ ମାଗୁଛି ଦୟା ହେଉ ହେ ଅଚ୍ୟୁତ ।
ନିଷ୍କାମ ଧର୍ମରେ ସକାମ ପଶିଲେ ଗୁରୁସେବା ଫଳ ଗଲା,
ଜନ୍ମଯାକ ତାର ନିଗୃହ ହୋଇଲେ କେଉଁ ଗତିକି ଲଭିଲା ।
ଚାରିଯୁଗେ ତାକୁ ପାପ ଘୋଟିଲାଣି ଜୀବନ୍ତେ ପଡ଼େ ନରକ,
ସଂସାରସାଗରେ ଯାହା ହେଉଛନ୍ତି ସେ ଗତି ଲଭିଲା ଦେଖ ।
ତେଣୁକରି ଧର୍ମେ ପରଦାରା ନ ଚଳେ ବହୁତ ଅନ୍ୟାଏ କଥା,
ଏ କଳିଯୁଗରେ ଯେମନ୍ତ ତରିବେ କୃପା କର ହେ କରତା ।
ଏ ଧର୍ମେ ପଶିଲେ ପରଦ୍ରବ୍ୟମାନ ଚୋରି ନ କରିବା ଚଳେ,
ଅବଶ୍ୟ ତାହାକୁ ଧର୍ମ ଦୁଆରରେ ଦଣ୍ଡ ହୁଏ ତିନିକାଳେ ।
ଚୋରି ପରଦାରା ଖଚ କଥା ଯେତେ ଏ ଧର୍ମରେ ସବୁ କାଟ,
ଆପଣା ଚିତ୍ତେ ଜାଣି ହୁଡ଼ି ପଡ଼ିଲେ ହେଉଛି ଅନ୍ୟାଏ ବାଟ ।
ଏତିକି ଦଣ୍ଡରୁ ଏ ଧର୍ମ ଲୋକଙ୍କୁ ତ୍ରାହି କର ଗୁରୁଦେବ,
ଏ କଳିଯୁଗରେ କିଛି ନ ଜାଣନ୍ତି ଅଜ୍ଞାନ ପାମର ଜୀବ ।
ବ୍ରହ୍ମଗୁରୁ ପାଦେ ସେବା ଖଟିଥାଇ ଅଜ୍ଞାନ ହେଲେଣି ସବୁ,
ଯୁଗ ଶେଷ ଜାଣି ଉଦେ ହୋଇଅଛ ତ୍ରାହି କର ମହାପ୍ରଭୁ ।
ଧର୍ମ କଥା ଶୁଣି ବିଭୋଳ ହେଲେଣି ଭ୍ରମି ଯାଉଛନ୍ତି ସର୍ବେ,
ଯେତେ ପାପ କଲେ ଶ୍ରୀଗୁରୁ ଖଣ୍ଡିବେ ବୋଲି କହୁଛନ୍ତି ଗର୍ବେ ।
କାହାରି ହୃଦରେ ତତ୍ତ୍ୱ ଜ୍ଞାନ ନାହିଁ ମୂଢ଼ ଜ୍ଞାନ ସବୁ ସିନା,
ପ୍ରାଣୀର ହୃଦୟ ପ୍ରକୃତି ବିଷୟ ଏବେ ପଡ଼ୁଅଛି ଜଣା ।
ବେଳୁବେଳ ଧର୍ମ ଉଦେ ହୋନ୍ତା ସିନା ଯାଉଅଛି ଲୋପ ହୋଇ ।
ଏତେଦିନ ହୋଇଲାଣି ଏହି ଧର୍ମ ନ ପାରୁଛି ଥୟ ହୋଇ ।
ବଢ଼ି ଆସୁଥିଲା ଛିଡ଼ି ପଡ଼ୁଅଛି ପାପଭାରା ସକାଶରୁ,
ନିଜ କର୍ମେ ପଶି ଉଜ ହୋଇଥିଲେ ଛାଡ଼ିଗଲେ ଏ ଧର୍ମରୁ ।
ଛାଡ଼ିଗଲା ପ୍ରାଣୀ ପତିତରେ ଗଣି ନାହିଁ ନା ମୁକତି ବାଟ,
ହେତୁ ଥାଉଁ ଥାଉଁ ସଂସାରସାଗରେ ବହିଛନ୍ତି ମୃତ୍ୟୁଘଟ ।
ଜୀବର ଭିତରେ ଗଣନା ନୁହନ୍ତି ଅଟନ୍ତି ଅଗାଡ଼ି ତସୁ,
ମୋର ମନକୁ ଏମନ୍ତ ଯୋଗାଇଲା କାହାକୁ କେମନ୍ତ ଦିଶୁ ।
ପାତକ ପୋଡ଼ିବ ବୋଲି ଏ ଧର୍ମରେ କରୁଛନ୍ତି ଗୁରୁସେବା,
ସାତୁକ୍ୟ କର୍ମରେ ଥିବ ଯେଉଁ ଜନ ନିଶ୍ଚେ ମୁକତି ଲଭିବା ।
ବେଳୁବେଳ କାଳ ନିକଟ ହେଲାଣି ଘଟି ଆସିଲାଣି ଯୋଗ,
ମହା ବ୍ରହ୍ମଦେବୀ ପ୍ରକାଶ ହୋଇବେ ସରିବ ପାତକ ଭୋଗ ।
ଯେ ଯହିଁରେ ଅଛ ମହିମାକୁ ଡାକ ମନେ ନ କର ସଂଶଏ,
ଧର୍ମେ ଆଶ୍ରେ କଲେ ଅବଶ୍ୟ ବର୍ତ୍ତିବ କାଳମୁଖରୁ ଥୋକାଏ ।
ମହିମାସାଗର ଧର୍ମ ଏ ସଂସାରେ ପୂର୍ବରୁ ହୋଇଛି ଶୁଣା,
ବିପତ୍ତି ପଡ଼ିଲେ ଡାକିବ ସମସ୍ତେ ନ ହୋଇବ କେହି ବଣା ।
ଏତେବେଳେ ସିନା କେହି ନ ଭଜୁଛ ପଶ୍ଚାନ୍ତେ ଭଜିବେ ନିଶ୍ଚେ,
ଧର୍ମ ଧର ବୋଲିବାରୁ ନ ବୁଝୁଛ ନିନ୍ଦା ନାହିଁ ଦେବ ପଛେ ।
ବେଳହୁଁ ଏ ଧର୍ମ କରି ଯେବେ ଥିବ ଦଣ୍ଡି ନ ପାରିବ ଯମ,
ଶ୍ରୀଗୁରୁଙ୍କୁ ଧ୍ୟାୟି ଭଣେ ଭୀମ ଭୋଇ ଅବଶ୍ୟ କରିବେ କ୍ଷମ ।