ନବମ ବୋଲି ଲେଖକ/କବି: ଭୀମ ଭୋଇ
ନବମ ବୋଲି

ନବମ ବୋଲି

 

ବେଦରୁ ନିର୍ବେଦ ହିଂସା ବାଦ ଛନ୍ଦ ତୁମ୍ଭର ରଞ୍ଚନା ସବୁ,
ସତ୍ୟ ଧର୍ମ ପଦ ଯୁଗଯୁଗାନ୍ତରେ ତେଣୁ ନାମ ମହାପ୍ରଭୁ ।
ନିଃଶବ୍ଦରୁ ଆସି ଶବଦରେ ପଶି ଜନ୍ମିଲା ସଚରାଚର,
ଦର୍ଶନ ମାତ୍ରକେ ଦୁରିତ ଖଣ୍ଡନ ତେଣୁ ନାମ ଦାମୋଦର ।
ଘୋର ବ୍ରହ୍ମ ନିଶି ଆଦି ରବି ଶଶୀ ଦେଖନ୍ତେ ଯାଉଛି ବହି,
କାଳକୁଟ ରାଶି ଅନ୍ଧକାର ଦିଶି ନାମ ତୋ କଳାକହ୍ନାଇ ।
ଜ୍ଞାନଖଡ୍ଗ ଘେନି ଶ୍ରୀହସ୍ତେ ଛେଦନ୍ତି ଭକ୍ତଦୁଃଖହର ହର,
ପ୍ରକୃତି ଜଳପଙ୍କେ ପୃଥ୍ୱୀ ରଞ୍ଚନା ତେଣୁ ନାମ ମାୟାଧର ।
ନାମକୁ କାମ କଳ୍ପଣା ନୋହେ ସରି ବହିଗଲା କୋଟି ମନୁ,
ଅବନୀର ଭାର ହୃଦପଦ୍ମେ ହାର ନାମ ବିଶ୍ୱମ୍ଭର ତେଣୁ ।
କରିଛି ଭିଆଣ ବ୍ରହ୍ମ ଘରୁ ଜ୍ଞାନ ଜୀବ ପରେ ଦୟାଧାରୀ,
ସୁଧା ମୃଦୁବାଣୀ ସାହସ୍ରେବଖାଣି ତେଣୁ ନାମ ମଧୁହାରୀ ।
ନିରନ୍ତରେ ସାକ୍ଷୀ ସମାନରେ ଦେଖି କୃପାନେତ୍ରେ ସମଛତ୍ର,
ଦେଉଥିଲେ ଚାହିଁ ଉବାର ନୁହଇ ତେଣୁ ନାମ ପଦ୍ମନେତ୍ର ।
ଏକ ପାଦ ଚିହ୍ନ ଧ୍ୟାନଯୋଗେ ଘେନି ଭଜିବାକୁ କଲେ ମନ,
କାକୁସ୍ଥ ବଚନେ କାରଣ ମାଗନ୍ତେ ନାମ କମଳଲୋଚନ ।
କଳା ଧଳା ଜଳ ମଧ୍ୟେ କରି ଠୁଳ ପ୍ରକୃତିରୁ ରୂପ ବେନି ।
ଦର୍ଶନ ମାତ୍ରକେ କଳୁଷ ହରଣ ନାମ ତୋ ସାରଙ୍ଗ-ପାଣି ।
ସ୍ତିରୀ ନ ବୋଲାଉ ପୁରୁଷ ତୁ ନୋହୁଁ ଯହିଁ ନାହିଁ ଦିବା ରାତି,
ଦର୍ଶନକୁ ଘେନି ପ୍ରସନ୍ନ ହୁଅନ୍ତେ ତେଣୁ ନାମ ଦାଶରଥି ।
ନାମ ବାଡ଼ି ବୃତ୍ତି ହୃଦୟରେ ଚିନ୍ତି ନୟନରୁ ବହେ ପାଣି,
ନିରନ୍ତର ଆଶା ଭରସା କରନ୍ତେ ତେଣୁ ନାମ ନୀଳମଣି ।
ଜାତ ସର୍ବ ଦୁଷ୍ଟ ଆପେ କରି ନଷ୍ଟ ତୁମରି ଅର୍ଜିଲା କୀର୍ତ୍ତି,
ଅଜ୍ଞାନୀ ଜନ ହେ ସନ୍ଥ ଭକ୍ତ ହ୍ୱନ୍ତେ ନାମ ତେଣୁ ଯଦୁପତି ।
ଦାନୀ ହୃଦେ ପଶି ଧର୍ମ ଅହର୍ନିଶି ଅତିଥିଙ୍କ ମୋକ୍ଷ-କାମ,
ଦୁଃଖୀ ଜନ ସୁଖୀ କରାଇ ପାଳନ୍ତେ ଦାରିଦ୍ର୍ୟ ଭଞ୍ଜନ ନାମ ।
ଦ୍ୱାଦଶବନ୍ଧ କୀର୍ତ୍ତନରେ ଆରମ୍ଭି ନିତାଇ ଚୈତନ୍ୟ ନାମ ।
ତେଣୁ ତାତ ମାତ ନାମ ଦେଲେ ସତ୍ୟ କେଶବ ଜଗୁଜୀବନ ।
ପୂର୍ବାଦିରୁ ଜାଣି ମର୍ତ୍ତେ ଜନ୍ମ ପୁଣି ଭବିଷ୍ୟ ଗତ ଆଗତ,
ନାନା ବିଷୟାରେ ଭ୍ରମଣି ବେହାରେ ତେଣୁ ନାମ ବିଶ୍ୱନାଥ ।
ଦତ୍ୟନାଶନ ବାନା ହିଁ ବଜ୍ରସେହ୍ନା ହରିଲ ଅବନୀଭାର,
ଗରୁଡ଼-ଆସନ ହେ ଦୁଃଖନାଶନ ତେଣୁ ନାମ ଗଦାଧର ।
ଲେଖି ଭାଲପଟ କରି ନଟକୂଟ ଯେସନ ଦର୍ପଣ ଛାୟା,
ପଞ୍ଚଭୂତ ମଧ୍ୟେ ପ୍ରକୃତି ଭରିଣ କରାଉଛ କେତେ ମାୟା ।
ଦୁର୍ଲଭ ସଂସାର ମନୁଷ୍ୟ ଶରୀର ଦେହ ବହି ନାରଖାର,
ଖଣ୍ଡ ଦେଇ ତୁଣ୍ଡେ ଭଣ୍ଡୁଅଛ ମୋତେ ହେ ଅନାଦି ଯୋଗେଶ୍ୱର ।
କର୍ମକାଣ୍ଡବାଣୀ ଦୁର୍ଗତିକି ଘେନି କରୁଅଛି ଖଣ୍ଡ ଖଣ୍ଡ,
ଭବସିନ୍ଧୁ ବୋଲି ନ ଜାଣଇ ସ୍ୱାମୀ ମଣୁଛି ଅମୃତଭାଣ୍ଡ ।
ଗୀତା ସାରସ୍ୱତ କରି ପଦ ଅର୍ଥ ଭୀମ ଅରକ୍ଷିତ ଭଣି,
ଏ ଶାହାସ୍ର ଆଦ୍ୟ ବିଭୂତି ବୃତ୍ତାନ୍ତ ନାମ ସ୍ତୁତିଚିନ୍ତାମଣି ।