"ଖ" - ଖେଳାଖଞ୍ଜରୀଟଦୃଶା

ଚୌପଦୀ ରତ୍ନାକର ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ଖେଳାଖଞ୍ଜରୀଟଦୃଶା

ଖେଳାଖଞ୍ଜରୀଟଦୃଶା
(ରାଗ: ତୋଡ଼ିପରଜ)

ଖେଳାଖଞ୍ଜରୀଟଦୃଶା, ମୋ ବନ୍ଧୁ,
ଖଟାଅ ମୋତେ ତା ବେହରଣଫୁଲ ଖଟତଳେ ଦିବାନିଶା । ପଦ ।

ଖିଲାଇ ମାତ୍ରକ ବିନ୍ଦୁମିତ ମଧୁ ବନ୍ଧୁକବନ୍ଧୁଅଧରୁ,
ଖିଆଲରସପ୍ରସଙ୍ଗ ସଙ୍ଗିନୀଙ୍କ ଗଣେ ମୋତେ ଜଣେ କରୁ । ୧ ।

ଖମଣିମଣ୍ଡଳ ଅସ୍ତ ହେବା କାଳ ଜଗି କୋକ ଜାଗରୂକ,
ଖଞ୍ଜୁଥିବି ସୂନସଜଡ଼ା ମଣ୍ଡନ ମଣ୍ଡୁ ମୋ ଅଙ୍କପଲଙ୍କ । ୨ ।

ଖିଲ ଖିଲ କରି ଖୁଆଇବି ଶିରୀମୁଖେ କର୍ପୂର ବିଡ଼ିଆ,
ଖଲି ମୃଗମଦ ଚିତ୍ରିବି ପ୍ରମୋଦଭରେ ଉରଜ ନଡ଼ିଆ । ୩ ।

ଖଞ୍ଜି ସହୋଦର ମଧୁର ତା ଗିର ବରତନ ବୋଲି ଭାବି,
ଖୁଣ ନ ଥିବାର ଅଲକତସାର ଚିତ୍ର ପଦେ ଲେଖୁଥିବି। ୪।

ଖଟା ଲେଶ ଚିତ୍ତେ ନ ରଖି ଲଳିତେ ଘେନାଅ ବାଳାପୂରତେ,
ଖରାପ ନୁହେଁଟି ପରଉପକୃତି କବିରବି ବୋଲି ଗୀତେ ।୫।