ଅନୁସରିତ
ଲେଖକ/କବି: ଗୋପାଳକୃଷ୍ଣ ପଟ୍ଟନାୟକ

ଅନୁସରିତ ପ୍ରଭୁ


ଅନୁସରିତ ପ୍ରଭୁ ! କାଳ ଯାକ ଗଲା ତରିତ ।
କଣ ବିତରଣ କଲେ କେତେ ଉଣା
ହୁଅନ୍ତା କରୁଣା ସରିତ ॥ପଦ॥

ଅଶରଣ-ଜନ-ବନ୍ଧୁ ପଣ ଯଶ ସଂସାରେ ହୋଇଛ ଉଦିତ ।
ପଥର ହୋଇ ପଥରେ ପଡ଼ିଥିଲା ଅହଲ୍ୟାକୁ ଦେଲ ତାରିତ ।୧।

ପାଞ୍ଚିଳୀକି ଦୁଃଶାସନ ଘଞ୍ଚାଳିଲା ବଞ୍ଚାଇଲ ବାସ ଦେଇତ ।
ଘୁଞ୍ଚାଇଲ ନାହିଁ ମୋ ଛାର କଦନ ପୋଛାଇଲ ନେତ୍ରୁ ବାରି ତ ।୨।

କାହିଁ ଥିଲା ଚକ୍ର କାହିଁ ଥିଲା ନକ୍ର ପଲକ ପତନ ନୋହୁ ତ ।
ଛିଡ଼ିଗଲା ମଥା ରହିଗଲା କଥା ଡାକିଲା ମାତ୍ର କରୀ ତ । ୩।

କାଳକିଙ୍କର ଭୟରେ ଅଜାମିଳ ପୁତ୍ରୋପଚାରରେ ଡାକି ତ ।
ପରମ ପଦ ପାଇଲା ଆପଣଙ୍କ ନାମ ମହିମା ଏପରି ତ ।୪।

ନିରୁପାଧି କୃପାକର ବୋଲି ବିଧି ଭବାଦିରେ ଆଉ କଥିତ ।
ମୁଁ କଲା ଦୋଷ କି ନାଶିଛ କି ବକୀ ପିଆଉଁ ତା ଦୁରିତ ।୫।

ଗୋପାଳକୃଷ୍ଣ କହେ ଜଗନ୍ମଙ୍ଗଳ ଯାହା କରିବ ତୁମ୍ଭ ଚିତ୍ତ ।
ଆପଣା କୃପାଳୁପଣକୁ ବଳି ମୋ ଦୁଷ୍କୃତ ନୁହଇ ଭାରି ତ ।୬।