ଉଠିଲୁ ଏଡ଼େ ବେଗି କାହିଁକିରେ

ଉଠିଲୁ ଏଡ଼େ ବେଗି କାହିଁକିରେ
ଲେଖକ/କବି: ଗୋପାଳକୃଷ୍ଣ ପଟ୍ଟନାୟକ

ଉଠିଲୁ ଏଡ଼େ ବେଗି କାହିଁକିରେ


ଉଠିଲୁ ଏଡ଼େ ବେଗି କାହିଁକିରେ ଦୁଃଖୀଧନ!
ଦଧି ମନ୍ଥାଇ ଦେବୁ ନାହିଁକି ରେ ।ପଦ।

ଦେହ ପାସୋରି ଦଣ୍ଡେ, ନିଦନଗଲୁ ଏଡ଼େ,
ବିଟୋଳ ହେଲୁ ମୋର ପାଇଁକି ରେ ।୧।

ଖେଳିବୁ ରାମ ତୁଲେ, ପଛେ ରାତି ପାଇଲେ,
ଶୁଆଇ ଦେବି ଗୀତ ଗାଇକି ରେ ।୨।

ମନ୍ଥିବି ମୁଁ କେମନ୍ତ, ଖୁଆ ଦଣ୍ଡରୁ ଜାତ,
ଛାଡ଼ ଦେଉଛି ଶର ଖୋଇକି ରେ ।୩।

ଆହା ଏ କି ପ୍ରମାଦ, ଛନ୍ଦନା ବାବୁ ପାଦ,
ଡାକି ଯା ବଳରାମ ଭାଇକି ରେ ।୪।

ମନ୍ଥନ ଘଟେ ହାତ, ପୁରାଇ ନବନୀତ,
କାଢୁ ବୋଲନ୍ତି ହେଲୁ ବାଇକି ରେ ।୫।

ତୁଛା ହାତଟା ଖାଇ, ନାଚୁଛୁ କାହିଁ ପାଇଁ,
ଶିଖିଯିବୁ ନ ଚାହାଁ ଛାଇକି ରେ ।୬।

ଗୃହକୃତ୍ୟ ପକାଇ, ବସିଥିବି ଏକାଇ,
ନିଶିଦିନ ତୋତେ କାଖେଇକି ରେ ।୭।

ପଣନ୍ତରେ ବଦନ, ପୋଛିଦେଲେ ଚୁମ୍ବନ,
ଗୋପାଳକୃଷ୍ଣ ଚିନ୍ତଇ ଦୁହିଙ୍କିରେ ।୮।