ଉତ୍କଳ ସନ୍ତାନ
ଲେଖକ/କବି: ମଧୁସୂଦନ ଦାସ


ତୁ ପରା ବୋଲାଉ ଉତ୍କଳ ସନ୍ତାନ
        ତେବେ କିମ୍ପା ତୁହି ଭୀରୁ,
ତୋହର ଜନନୀ ରୋଦନ କରିଲେ
         କହିବାକୁ କିମ୍ପା ଡରୁ ?
ତୋ ପୂର୍ବ ପୁରୁଷେ ବୀର ପଣିଆରେ
         ଲଭିଥିଲେ କେତେ ଖ୍ୟାତି
ହାକିମ ନିକଟେ ଦୁଃଖ କହିବାକୁ
         କିମ୍ପା ଥରେ ତୋର ଛାତି ?
ତୋ ପୂର୍ବ ପୁରୁଷେ ଜୟ କରିଥିଲେ
          ଗଙ୍ଗାଠାରୁ ଗୋଦାବରୀ
ତାଙ୍କରି ଔରସେ ଜାତ ହୋଇ ତୁହି
         କେଉଁ ଗୁଣେ ତାଙ୍କୁ ସରି ?
ବ୍ରିଟେନ୍ ନିବାସୀ ଅତୀବ ସାହସୀ
          କାପୁରୁଷେ ଶ୍ରଦ୍ଧା ନାହିଁ,
ଶିଖ ରାଜପୁତ ଯେ ମାନ୍ୟ ଲଭନ୍ତି
          ତୋର ଭାଗ୍ୟେ ତାହା କାହିଁ ?
ତୁ ମନେ ଭାବୁଛୁ ତୋଷାମଦ କରି
            ବଢ଼ାଇବୁ ଜାତି ମାନ,
ତୋଷାମଦିଆର କୁକୁର ପ୍ରକୃତି
            ଅଇଁଠା ପତରେ ଧ୍ୟାନ ।
ତୋଷାମୋଦକାରୀ କ୍ଷିପ୍ତ ଶ୍ଵାନ ପରି
          ସହଜେ ଚିହ୍ନା ନଯାଏ,
ଭୃତ୍ୟ ଭାବ ଧରି ଗୋଡ ଚାଟୁ ଚାଟୁ
          ବିଷ ଲେସି ଦେଇଥାଏ ।
ତୋଷାମୋଦ ଅଟେ ଅନ୍ଧାର ଗୋହିରୀ
          ସ୍ଵାର୍ଥ ତହିଁ ଲୁଚି ବସେ,
ସରଳ ପଥିକ ବାଟରେ ଭେଟିଲେ
         ଅକାତରେ ତାକୁ ନାଶେ ।
ଜାତିର ଉନ୍ନତି ହେବ କିରେ ଭାଇ
          ସ୍ଵାର୍ଥକୁ ଜଗତ ମଣି
ଗୋଦର ଗୋଡରେ ମାଉଁସ ଲାଗିଲେ
          ଦେହର କି ଶୁଭ ଗଣି ?
ଜାତିର ଉନ୍ନତି ସେ କାହିଁ କରିବ
          ସ୍ଵାର୍ଥେ ଯାର ବ୍ୟସ୍ତ ମନ,
ଶାଗୁଣା ବିଲୁଆ ଚିକିତ୍ସକ ହେଲେ
          ଶବ କି ପାଇବା ପ୍ରାଣ ?
ଜାତି ନନ୍ଦିଘୋଷ ଚଳିବ କି ଭାଇ
           ସ୍ବାର୍ଥକୁ ସାରଥି କଲେ,
ଟାଣେ କିରେ ଗାଡି ଦାନାର ଥୋବଡ଼ା
          ଘୋଡ଼ା ମୁହେଁ ବନ୍ଧା ଥିଲେ ?
ସ୍ଵାର୍ଥର ବନିତା ଅଟେ ତୋଷାମୋଦ
          ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
         ଏମାନେ ହେଲେ ଏକତ୍ର ।
ଉଠରେ ଉଠରେ ଉତ୍କଳ ସନ୍ତାନ
         ଉଠିବୁ ତୁ କେତେ ଦିନେ,
ପୂରୁବ ଗୌରବ ପୂରୁବ ସାହସ
         ପଡିବ କି କେବେ ମନେ ।
ତୋହର ଜନନୀ ବୀରପ୍ରସବିନୀ
          ଧୂଳିରେ ପଡିଛି ଦେଖ,
ଜନ-ସମାଜରେ ଏ ମହୀ ମଧ୍ଯରେ
          କିପରି ଦେଖାଉ ମୁଖ ?
ତୋ ପୂର୍ବ ପୁରୁଷେ ସ୍ଵର୍ଗଧାମେ ଥାଇ
          ଭୋଗୁଛନ୍ତି ମନସ୍ତାପ,
ତାଙ୍କର ଜୀବନ କରି ବିସ୍ମରଣ
           କରୁଛୁ ତୁ ମହାପାପ ।
ତୋଷାମୋଦ ଛାଡି ସ୍ବାର୍ଥ ପରିହରି
           ସତ୍ୟକୁ ଆଶ୍ରୟ କର,
ଦୁଇଦିନ ପରେ ସ୍ଵାଧୀନ ରାଷ୍ଟ୍ରରେ
           ମଙ୍ଗଳ ହୋଇବ ତୋର ।