ଏକାଗ୍ରତା
←ଶ୍ମଶାନ- ଦୃଶ୍ୟ | ଏକାଗ୍ରତା ଲେଖକ/କବି: |
ଦୁର୍ଯ୍ୟୋଧନଙ୍କର ରକ୍ତନଦୀ ସନ୍ତରଣ→ |
ପଶାଖେଳେ ରତ ଆଜି ପ୍ରଭୁ ଯଦୁପତି
ଦ୍ଵାରିକା-ସଦନେ, ସଙ୍ଗେ ଋକ୍ମିଣୀ ରୂପସୀ
ଭୂତଳେ ରୂପିଣୀ ରମାରୂପିଣୀ ବାଗ୍'ଦେବୀ
ସତ୍ୟଭାମା, ଜାମ୍ଵବତୀ, ଆଦି ମହିଷୀଏ
ପାର୍ଶ୍ଵେ ବସି ଦେଖୁଛନ୍ତି ଖେଳ କୁତୂହଳେ ;
ଏକାଳେ ପ୍ରଭୁଙ୍କୁ ଦେଖି ସହସା ବିମନା
ପଚାରନ୍ତେ ହେତୁ ତାର ପାଟ ମହାଦେବୀ,
ସସ୍ମିତେ ଭାଷିଲେ ପ୍ରଭୁ, "କୁରୁ ସଭାତଳେ
ଦ୍ରୌପଦୀକି ଦୁଃଶାସନ କରେ ବିବସନା
ଦ୍ୟୁତଜୟୀ କ୍ରୂର କୁରୁପତିର ଆଦେଶେ ;
ଦ୍ୟୁତେ ହାରି ଯୁଧିଷ୍ଠିର ଚାରି ଭାଇ ସହ,
କ୍ରୀତଦାସରୂପେ କୁରୁସଭା ତଳେ ବସି
ଦ୍ରୌପଦୀର ଏ ଲାଞ୍ଛନା ଦେଖନ୍ତି ନୟନେ,
ନୀରବେ ସରବେ ମାତ୍ର, ନୀରବ ଯେସନ,
ମନ୍ତ୍ରୌଷଧି-ରୁଦ୍ଧବୀର୍ଯ୍ୟ ଫଣାଧର-ଫଣି,
ଭୀମର ଯେ ମହାଗଦା, ଅର୍ଜୁନର ଧନୁ
ପଣ-ପାଶେ ବଦ୍ଧ ହୋଇ ଭଜିଛି କ୍ଳୀବତା,
କୁରୁବୃଦ୍ଧ ପିତାମହ ଆସୀନ ସଭାରେ,
ଆସୀନ ବିଦୂର ପୁଣି ଦ୍ରୋଣ ମହାମତି,
ଆସୀନ ଜଗତପୂଜ୍ୟ ପୁରୋଧାମଣ୍ଡଳୀ
ଭଜିଛନ୍ତି ମୌନ ସର୍ବେ ଅପମାନ ଭୟେ ;
ଗୁରୁଜନଠାରେ କରି ବିଫଳ ଗୁହାରି
ଉଚ୍ଚୈଃସ୍ଵରେ କୃଷ୍ଣା ମୋତେ ଡାକଇ ବିକଳେ"
ଏହା କହି ଖେଳେ ରତ ହେଲାରୁ ମୁରାରି
ଭାଷିଲେ ସତ୍ଯଭାମା, "କି ନିଷ୍ଠୁର ହିଆ
ତୁମ୍ଭର ହେ ପ୍ରାଣପତି, ତୁମ୍ଭ ପଦ୍ମପାଦେ
ରଖିଥାଇ ଯେ ଅବଳା ଲୟ ଅହର୍ନିଶି,
ଏ ଦଶା ତାହାର ଜାଣି ହେଉନାହିଁ କୃପା !
ଦ୍ରୌପଦୀ ତୁମ୍ଭର ଦାସୀ ବିଦିତ ଜଗତେ,
କଟାକ୍ଷେ ତ ପାର ଫେଡି ଦୁଃଖୀର ଆରତି;"
ଉତ୍ତରିଲେ ଚକ୍ରପାଣି, "ଅୟି ସୁହାସିନି,
ଜାଣଇ ମୁଁ ଡାକୁଅଛି ଆରତେ ସେ ମୋତେ
ମାତ୍ର ବେନି ଭୁଜେ ଧରି ବସନ ସେ ଦୃଢେ
ନିବାରଇ ଦୁଃଶାସନେ, ନିର୍ଭର ସେ ତେଣୁ
ନ ରଖି ମୋ ଠାରେ ରଖିଅଛି ନିଜ ଭୁଜେ;"
ଏହା କହି ରତ ହେଲେ ପୁଣି ଦ୍ୟୁତାମୋଦେ
ଯଦୁମଣି, କିଛିକ୍ଷଣ ପରେ ପୁଣି ତହୁଁ
ବିସ୍ଫାରିତନେତ୍ରେ ଚାହିଁ ହସ୍ତିନାଭିମୁଖେ
କହିଲେ, "ଆହା ହା, ବଡ଼ ଆର୍ତ୍ତେ ସୁଲୋଚନେ
ଯାଜ୍ଞସେନୀ ଡାକେ ମୋତେ ଭାସି ନେତ୍ରନୀରେ
ତୋଳି ଊର୍ଦ୍ଧ୍ଵେ ଏକ ଭୁଜ ଅନ୍ୟ ଭୁଜେ ଧରି
ସ୍ଵଦେହେ ବସନ ଦୃଢେ, "ରଖ ପ୍ରଭୁ ଯାଇ"
ଉତ୍ତରିଲେ ସମସ୍ଵରେ ସର୍ବ ମହିଷୀଏ
"ଉଚିତ କି ମଠ ଆଉ କରିବାର ଏବେ,
ଏ ଆତଙ୍କକାଳେ ତାର ହେ କୃପା-ବାରିଧି ?"
ଉତ୍ତରିଲେ ବନମାଳୀ, "ନେବି ମୁଁ ସମ୍ଭାଳି,
ବାଳୀକି, ମାତ୍ର ସେ ବେଳ ଆସିନାହିଁ ଏବେ"
ଶୁଣି ଶ୍ରୀମୁଖ ବାଣୀ ରାଣୀଏ ବିସ୍ମୟେ
ଏକ ଆରେକର ମୁଖ ଚାହିଁ ହେଲେ ତୁନି ।
ଗଞ୍ଜନାବ୍ୟଞ୍ଜକ ସେହି ନୀରବ ଚାହାଣୀ
ଦେଖି ପ୍ରଭୁ ଶ୍ରୀନିବାସ ହସି ମନେ ମନେ
ଆଗ ପରି ରତ ହେଲେ ପୁଣି ପଶାଖେଳେ;
ଟଳ ଟଳ ଟଳେ ପୁଣି ଅଳ୍ପକ୍ଷଣ ପରେ
ଟଳିଲାରୁ ସିଂହାସନ ନୟନ ବିସ୍ଫାରି
ହସ୍ତିନା ନଗରୀ ମୁଖେ ଦିବ୍ୟଦୃଷ୍ଟି ଦେଇ
ସ୍ତବ୍ଧଭାବେ ମୁହୂର୍ତ୍ତକ ଚିନ୍ତି ଚିନ୍ତାମଣି
କହିଲେ, "ଚାଲିଲି ଏବେ କୁରୁରାଜପୁରେ,
ରଖିବି କୃଷ୍ଣାର ଲଜ୍ଜା ବସନ ଯୋଗାଇ
ଶୂନ୍ୟରୁ, ଏବେ ସେ ଅନ୍ୟ ଆଶ୍ରା ଛାଡିଦେଇ
ବେନି ବାହୁ ଊର୍ଦ୍ଧ୍ଵେ ତୋଳି ଡାକୁଅଛି ମୋତେ
ମୋ ବିହୁନେ ଅନ୍ୟ ଆଶ୍ରା ଦେଲାଣି ସେ ଛାଡି
ଢାଳିଲାଣି ପାଦେ ମୋର ଯାବତ ଭରସା,
ଟଳିଲାରୁ ସିଂହାସନ ଜାଣିଲି, ସେ ଏବେ
ଏକାଗ୍ରେ ଡାକଇ ମୋତେ ଅବିଭକ୍ତ-ହୃଦେ,"
ଏହା କହି ତାର୍କ୍ଷ୍ୟଯାନେ ଆରୋହି ତକ୍ଷଣେ
ହସ୍ତିନା-ଆକାଶ-ଦେଶେ ବିଜେ ହେଲେ ଯାଇ
ଲଜ୍ଜା-ନିବାରଣବାନା ବ୍ରହ୍ମାଣ୍ଡ-ଗୋସାଇଁ ।